ଓଡ଼ିଆ ଗୋଟିଏ ଜାତି। ଜାତିର ନାମ ନନ୍ଦିଘୋଷ।
ଓଡ଼ିଆମାନଙ୍କର ପରିଚୟ ପୁରୁଣା। ଓଡ଼ିଶା ମାଟି ବି ଏକ ପ୍ରାଚୀନ ଭୂଖଣ୍ତ ଭାବରେ କେଉଁକାଳରୁ ପରିଚିତ। ମାତ୍ର ଓଡ଼ିଆଙ୍କୁ ଜାତି-ପରିଚୟ ଦେଇଛନ୍ତି ଜଣେ। ସେ ହେଉଛନ୍ତି ପୁଣ୍ୟଶ୍ଳୋକ ମଧୁସୂଦନ ଦାସ। ଗୋଟିଏ ଲୋକସମୂହ ନିର୍ବଳ ତଥା ପରିଚୟହୀନ ହୋଇପଡ଼ିଥିବାବେଳେ ସେ ହିଁ ଆଣିଥିଲେ ଜାତୀୟତାର ଜାଗରଣ। ମରିଯାଇଥିବା ଗୋଟାଏ ଗଣଚେତନାର ହୃଦୟରେ ଫୁଙ୍କିଥିଲେ ଏକ ମାନ୍ତ୍ରିକ ଅଭ୍ୟୁଦୟ ଧ୍ବନି। ଆଜି ଓଡ଼ିଶା ଗୋଟେ ପ୍ରଦେଶ। ଓଡ଼ିଆ ଗୋଟେ ଶାସ୍ତ୍ରୀୟ ଭାଷା। ଓଡ଼ିଶା ସରକାର ଭାରତୀୟ ରାଜ୍ୟସ˚ଘର ଏକ ବଳିଷ୍ଠ ସହଯୋଗୀ। ଓଡ଼ିଶାରୁ ଜଣେ ପାଲଟିଛନ୍ତି ଭାରତର ରାଷ୍ଟ୍ରମୁଖ୍ୟ।

Advertisment

ଏ ଯେଉଁ ଓଡ଼ିଶା ଓଡ଼ିଶା, ଓଡ଼ିଶା ମାଗୁଛି ସ୍ବତନ୍ତ୍ର ମର୍ଯ୍ୟାଦା, ଓଡ଼ିଶାର ଦାବି ବୋଲି ସମ୍ମିଳିତ ନାରା ବା ଦୋହା ତାହା ସମ୍ଭବ ହୋଇଛି ମୂଳତଃ ଜଣେ ଓଡ଼ିଆ-ପ୍ରାଣ ବ୍ୟକ୍ତିତ୍ବର ଐକାନ୍ତିକ ପ୍ରଚେଷ୍ଟାରୁ। ମାଟି ଥାଏ, ମଣିଷ ଥାଆନ୍ତି ମାତ୍ର ଜାତି କେଉଁଠାରେ ଆପେ ନ ଥାଏ। ଜାତି ଗଢ଼ାଯାଏ। ଲୋକସମୂହକୁ ଏକାଠି କରି ରାଜ୍ୟ ବା ରାଷ୍ଟ୍ର ଅଥବା ସାମ୍ରାଜ୍ୟ ଗଢ଼ିବା ପରି ଜାତିଟିଏ ଗଢ଼ାଯାଇଥାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରିସ୍ଥିତି ଅନୁସାରେ ରାଜ୍ୟ, ରାଷ୍ଟ୍ର, ଦେଶ, ସାମ୍ରାଜ୍ୟ କାଳକ୍ରମେ ଭାଙ୍ଗିଯାଇପାରେ ମାତ୍ର ଗୋଟିଏ ଜାତିକୁ ଭାଙ୍ଗିବା ସହଜ ନୁହେଁ।

ଜାତିଟିଏ ଗଢ଼ିବା ଯେମିତି କଷ୍ଟ ସେମିତି ଥରେ ଗଢ଼ାହୋଇଗଲେ ତା’କୁ ଭାଙ୍ଗିବା ତତୋଽଧିକ ଦୁଷ୍କର। ଜାତି ହିଁ ମଣିଷ ଭିତରର ସର୍ବଶ୍ରେଷ୍ଠ ସାମାଜିକ ଉନ୍ମେଷକାରୀ ଶକ୍ତି।
ଗୀତାରେ ଗୁଣ ଓ କର୍ମ ଅନୁସାରେ ମଣିଷ ଜାତିକୁ ଚାରିବର୍ଣ୍ଣରେ ଚିହ୍ନିତ କରାଯାଇଛି। ପରବର୍ତ୍ତୀ କାଳରେ ଭଲରୁ ମନ୍ଦ ବାହାରିବା ପରି ଯେଉଁ ଜାତିପ୍ରଥାର ସହସ୍ର ମୁଣ୍ତ ବାହାରିଲା ତା’ର ଏ ଜାତି-ବିଚାର ସହ କୌଣସି ସମ୍ପର୍କ ନାହିଁ। ସେଭଳି ଜାତି ସହ ଯୋଡ଼ି ହୋଇଥିଲା କର୍ମ ବା କୌଳିକତା। ଚାଷ ଛାଡ଼ି ଯେ ଖଣ୍ତା ଧରିଲା ସେ ମୂଳଠାରୁ ଅଲଗା ହୋଇଗଲା, ଖଣ୍ତା ଛାଡ଼ି ଯେ କଲମ ଧରିଲା ସେ ଆଉ ଟିକେ ଦୂରକୁ ଚାଲିଗଲା, ଯେ ଚାରିଗୋଡ଼ ଥିବା ମଞ୍ଚଟିଏ ପାଇଲା ସେ ନିଜକୁ ସ୍ବତନ୍ତ୍ର ଘୋଷଣା କଲା। ଫିଟିଫିଟିଗଲା କୌଳିକତା। ଅନ୍ୟପକ୍ଷରେ ଗୋଟିଏ ଲୋକସମୂହର ଅତୀତ, ଭାବାବେଗ, ଭାଷା, ଭାବନା, ଭିତିରିଆ କୌଶଳ-ପ୍ରବଣତା ଓ ସର୍ବୋପରି ବିଶ୍ବାସକୁ ଧରି ଗୋଟାଏ ‘‘ମାଟି-ଜାତି’’ ଗଢ଼ିହୁଏ। ଜାତିଗଠନ କେତେ କେତେ କୌଳିକତାକୁ ଏକାଠି କରେ। ସ˚କୁଚିତ ଅର୍ଥର ଜାତି ବା ଇ˚ରେଜୀ ଭାଷାର ‘କାଷ୍ଟ୍’ କୌଳିକତାକୁ ବିଭାଜିତ କରି, ବାଣ୍ଟିଚାଲିଥାଏ। ଜାତିପ୍ରଥା ତିଆରି କରି ଲୋକକ୍ଷେତ୍ରକୁ ବିଭାଜିତ କରେ। ଅଥଚ ‘‘ମାଟି-ଜାତି’’ ନାନା ଦିଗକୁ ଉନ୍ମେଷିତ କରି ଲୋକକ୍ଷେତ୍ରଟିଏ ଗଢ଼େ ଓ ତା’କୁ ପରିଚୟ ଦିଏ।

ମଧୁସୂଦନଙ୍କୁ ଉତ୍କଳଗୌରବ, କୁଳବୃଦ୍ଧ, ଦେଶପ୍ରାଣ, ଶତାବ୍ଦୀର ସୂର୍ଯ୍ୟ ଭାବରେ ଅଭିହିତ କରାଗଲା ମାତ୍ର ଆରମ୍ଭରୁ କ’ଣ ଥିଲେ ସେ? ନିଜ ପରିବାର ତ୍ୟାଜ୍ୟପୁତ୍ର କରିଥିଲା। ନିଜ ମାଟି ବି ଅଣଓଡ଼ିଆ ଘୋଷଣା କରିଥିଲା ତାଙ୍କୁ। ସେଇଥିପାଇଁ ପ୍ରଥମ ଓଡ଼ିଆ ଭାବେ ବି.ଏ. ପାସ୍‌ ଖବରଟା ତତ୍କାଳୀନ ଏକମାତ୍ର ସମ୍ବାଦ-ସାପ୍ତାହିକୀ ‘ଉତ୍କଳ ଦୀପିକା’’ ପ୍ରକାଶ କରି ନଥିଲେ। ଯୁକ୍ତିଥିଲା ଯେ ସେ ଘରୁ ବିତାଡ଼ିତ ହୋଇ କଲିକତାରେ ରହୁଥିବାରୁ ଆଉ ଓଡ଼ିଆ ନୁହନ୍ତି। ୧୮୬୪ରେ କଟକ ସ୍କୁଲ୍‌ରୁ (୧୮୪୧ରେ ସ୍ଥାପିତ) ମାଟ୍ରିକ୍‌ ପାସ୍‌ କରି ବାଲେଶ୍ବରରେ ଯଥାକ୍ରମେ ଶିକ୍ଷକତା ଓ କିରାଣି ଚାକିରି ଦୁଇବର୍ଷ କରି ୧୮୬୬ରେ ମଧୁସୂଦନ କଲିକତା ଯାଇଥିଲେ କଲେଜ ଶିକ୍ଷା ପାଇଁ। ଅଥଚ ଉତ୍କଳ-ଦୀପିକା ବାହାରୁ ବାହାରୁ ଏହାର ଦ୍ବିତୀୟ ସ˚ଖ୍ୟା (୧୮-୮-୧୮୬୬)ରେ ପ୍ରକାଶ କଲେ ଯେ କଟକ ଛୋଟ ଅଦାଲତର ଓକିଲ ରଘୁନାଥ ଦାସଙ୍କ ପୁତ୍ର ମଧୁସୂଦନ ଦାସ କଲିକତା ଯାଇ ସେଠାରେ ଖ୍ରୀଷ୍ଟିଆନ ହେଲେ ଓ ଖ୍ରୀଷ୍ଟିଆନ ହେବା ମାତ୍ରକେ ସେହି ଧର୍ମସ୍ଥ ଏକ ସ୍ତ୍ରୀର ପାଣିଗ୍ରହଣ କଲେ। କଲିକତାର ସମସାମୟିକ ବଙ୍ଗଭାଷୀଙ୍କ ଭିତରେ ସେ ଥିଲେ ‘‘ମଧୁ ଉଡ଼େ’’ ଓ ସେ ପଢୁଥିବା ଏଲ୍‌.ଏମ୍‌.ଏସ୍‌ କଲେଜରେ ତାଙ୍କର ପରିଚୟ ଥିଲା ‘‘ମଧୁ ଓଡ଼ିଆ’’।

ମନରେ ଆସୁଥିବ ଯେ ଓଡ଼ିଆ ଜାତିକଥା କହିଲାବେଳେ ମଧୁସୂଦନଙ୍କ ବ୍ୟକ୍ତିଗତ ଜୀବନର ଇତିହାସ ଗାଇବା ଏଠାରେ କ’ଣ ଆବଶ୍ୟକ? ମଧୁସୂଦନ ଖ୍ରୀଷ୍ଟିଆନ ହେଲେ ୧୮୬୯ରେ ଓ ବିବାହ କଲେ ୧୮୭୩ରେ। ସେ କଥାର ମିଛ ୧୮୬୬ରୁ ତାଙ୍କ ପ୍ରିୟ ଓଡ଼ିଶାର ପ୍ରଥମ ଖବର ସାପ୍ତାହିକୀ ଉତ୍କଳ-ଦୀପିକା ପ୍ରକାଶ କରିଥିଲା। ମଧୁସୂଦନ ଥିଲେ ଜିଦ୍‌ର ମଣିଷ। ଏହି ଜିଦ୍‌ ଯୋଗୁଁ ହିଁ ସେ ଖ୍ରୀଷ୍ଟିଆନ ହେବା ପାଇଁ ନିଷ୍ପତ୍ତି ନେଇଥିବା ଅଧିକ ସ୍ବାଭାବିକ। ଓଡ଼ିଆମାନେ ବାରମ୍ବାର ମଧୁସୂଦନଙ୍କୁ ଲହୁଲୁହାଣ କରିଛନ୍ତି। ନାନା କୁତ୍ସାରଟନା କରିଛନ୍ତି। ପରୋକ୍ଷରେ କହିଛନ୍ତି ‘‘ଛେଉକା’’ ଓକିଲ। ଅଥଚ ଯେଉଁମାନେ ତାଙ୍କୁ ଗ୍ରହଣ କରି ନଥିଲେ ସେଇମାନଙ୍କୁ ଏକାଠି କରି ତାଙ୍କ ଭିତରେ ଜାତିମନ୍ତ୍ର ଫୁଙ୍କିବାରେ ସେ ଥିଲେ ପ୍ରଥମ ଓ ଶେଷ।

ରାଷ୍ଟ୍ରଗୁରୁ ଭାବରେ ପରିଚିତ ସୁରେନ୍ଦ୍ରନାଥ ବାନାର୍ଜୀ ଓ ମଧୁସୂଦନ ଏକା ସମୟରେ ଜନ୍ମ। ଉଭୟେ ପରସ୍ପରର ବନ୍ଧୁ। ସେତେବେଳର ସର୍ବଶ୍ରେଷ୍ଠ ବିଦ୍ୟା-ଉପାଧି ଏମ୍‌.ଏ., ବି.ଏଲ୍‌. ଧରି ସେ ଯେକୌଣସି ଚାକିରିରେ ପଶିପାରିଥାନ୍ତେ। ବ୍ୟବସାୟ ଅନୁକୂଳ ତତ୍କାଳୀନ ରାଜଧାନୀ କଲିକତାରେ ରହି ଆଇନ ବ୍ୟବସାୟ ସହ ଅନ୍ୟ କୌଣସି ବ୍ୟବସାୟ କରି ଜଣେ ଅଦ୍ବିତୀୟ ଭାରତୀୟ ଭାବରେ ମୁଣ୍ତଟେକିପାରିଥାନ୍ତେ। ଅଥଚ ତଡ଼ାଖାଇଥିବା, ଆରମ୍ଭରୁ ମିଥ୍ୟା ସମ୍ବାଦରେ ଲାଞ୍ଛିତ ହୋଇଥିବା ଆପଣାର ଜନ୍ମମାଟିକୁ ଫେରିଥିଲେ ସେ ଗୋଟାଏ ଜିଦ୍‌ରେ, ଗୋଟାଏ ସ˚କଳ୍ପରେ। ‘‘ମୋ’ ମାଟିଜାତି ମୁଁ ଗଢ଼ିବି। ମୋ ଭାଇମାନେ ମୋର, ମୋ ମା’ ମୋର, ମୋ ମାଟି ମୋ’ର। ମୋ ଜାତିର ପରିଚୟ ବୈଜୟନ୍ତୀ ମୁଁ ନ ଉଡ଼େଇଲେ ଆଉ ଉଡ଼େଇବେ କିଏ?’’ ଆମ କହୁ କଳିଙ୍ଗାଃ ସାହସିକାଃ। ଉତ୍କଳ ଭଳି ଦେଶ ନାହିଁ। ବୀରପ୍ରସବିନୀ ମାଟି। କଳା, କୌଶଳ, ଉତ୍କର୍ଷର କଥା କହୁ। ରାଜା, ମହାରାଜା, କବି, ବିଦ୍ବାନର ମାଟି ବୋଲି କହି ଗର୍ବ କରୁ। ମାତ୍ର କିଏ କେଉଁଠି ମଧୁସୂଦନଙ୍କ ଛଡ଼ା କହିଛି ଯେ ଓଡ଼ିଆ ଗୋଟେ ଜାତି? ଜାତି ବା ଆପଣା ସମୂହ ମାଟିପରିଚୟକୁ ଜନସମୂହର ମୂର୍ଦ୍ଧନ୍ୟ ଠାକୁରଙ୍କ ରଥ ସହ ଯୋଡ଼ି କିଏ ଗର୍ବ ଅନୁଭବ କରିଛି? ଏବେ ସୁଦ୍ଧା ମଧୁସୂଦନରୁ କିରସ୍ତାନୀ, ସୁବିଧାବାଦୀ ବୋଲି କହିବାକୁ କେହି କେହି ଲଜ୍ଜା ଅନୁଭବ କରନ୍ତି ନାହିଁ। ହେଲେ ଭୁଲିଯାଆନ୍ତି ଯେ ମଧୁସୂଦନ ହିଁ ଗଢ଼ିଛନ୍ତି ଓଡ଼ିଆ ଜାତିକୁ ମାଟିପରିଚୟ ଦେଇ। ମାଆକୁ ସହସ୍ରଭୁଜା କରି ଡାକିଛନ୍ତି, ଜାତିକୁ ନନ୍ଦିଘୋଷ ସହ ତୁଳନା କରିଛନ୍ତି। ମାଆକୁ ଦେଖିଛନ୍ତି ସେ ମାଟିରେ। ସେଇଥିପାଇଁ ସହସ୍ର ସହସ୍ର ଓଡ଼ିଆଙ୍କ ହୃଦଗତ କରିବା ଲାଗି ସେ ମାତ୍ର ସାତଗୋଟି କବିତା ଲେଖିଛନ୍ତି। ଯେଉଁ ମାଟିଜାତିର ସ୍ବପ୍ନ ସେ ଦେଖିଥିଲେ ତାହାକୁ ସାକାର କରିବା ସକାଶେ ଗାଇଥିଲେ- ‘‘ଜନନୀର ଦେଖା କରିବାରେ ଇଚ୍ଛା ଯଦି ହୋଇଥାଏ ମନେ/ ଉତ୍କଳର ମାଟି ଆଲିଙ୍ଗନ କରି ତା’ ଧୂଳି ଲେପ ବଦନେ।’’

କେଉଁ ଦ୍ବିତୀୟ ଓଡ଼ିଆ ଏମିତି ଆହ୍ବାନ ଦେଇଛି ଆପଣା ଜାତିର ଗଠନ ଲାଗି? ଥିବା କଥାକୁ ମାଜିମୁଜି ଦେଖେଇବା ମୌଳିକତା ନୁହେଁ। ନଥିବା କଥାକୁ ଥିବାକରି ତା’ ଦେହରେ ଜୀବନ ଫୁଙ୍କିବା ହିଁ ଅସଲ ମୌଳିକତା। ମଧୁସୂଦନ ଓଡ଼ିଆ ଜାତିର ସ୍ରଷ୍ଟା ଏବ˚ ଓଡ଼ିଆ ଜାତୀୟତାବୋଧର ଆଦ୍ୟ ଉଦ୍‌ଗାତା। ସେଇଥିପାଇଁ ନିଜ ମାଟିକୁ ଫେରୁ ଫେରୁ ସେ ୧୮୮୨ ସେ ଗଢ଼ିଥିଲେ ‘‘ଦ ଓଡ଼ିଆ ଆସୋସିଏସନ୍‌’’ ବା ‘‘ଉତ୍କଳ ସଭା’’। ‘‘ଉତ୍କଳ’’ ଥିଲା ସାରା ଓଡ଼ିଆଭାଷୀ ଭୂଖଣ୍ତର ସର୍ବଭାରତୀୟ ନାଆଁ। ଏ ନାଆଁ ୧୯୧୧ରୁ ବିଶ୍ବଗୁରୁ ରବୀନ୍ଦ୍ରନାଥ ସ୍ବୀକାର କରିନେଇଥିଲେ। ପଞ୍ଚମ ଜର୍ଜଙ୍କ ଲାଗି ଯେଉଁ ସ୍ବାଗତ-ଗୀତିକା ସେ ଲେଖିଥିଲେ ସେଥିରେ ‘‘ଉତ୍କଳ’’ ସ୍ବୀକୃତ ହୋଇସାରିଥିଲା। ଗୀତଟିର ମୂଳ ନାଁ ଥିଲା ‘‘ଭାରତ ଭାଗ୍ୟବିଧାତା’’। ଏହାପରେ ଭାରତୀୟ ଜାତୀୟ କ˚ଗ୍ରେସକୁ ୯ ବର୍ଷ ଲାଗିଗଲା ‘‘ଉତ୍କଳ ପ୍ରଦେଶ କ˚ଗ୍ରେସ କମିଟି’’ ଗଠନ କରିବା ପାଇଁ। ୧୯୨୦ ଡିସେମ୍ବରରେ ହିଁ ନାଗପୁର କ˚ଗ୍ରେସ ଅଧିବେଶନ ତତ୍କାଳୀନ ଓଡ଼ିଶାର ପରିଚୟକୁ ସ୍ବୀକାର କରିଥିଲା ‘‘ଉତ୍କଳ’’ ନାଆଁ ନେଇ। ଏକଥା ସ୍ବୀକାର୍ଯ୍ୟ ଯେ ଓଡ଼ିଆମାନଙ୍କର ଭୂମିପରିଚୟ ଲାଗି ଯେ ଅନ୍ବେଷା ତାହା ସ୍ଫୁରିତ ହୋଇଥିଲା ୧୯୦୨ର ‘‘ଗଞ୍ଜାମ ଜାତୀୟ ସମିତି’’ରୁ। ମାତ୍ର କିଏ ସମଗ୍ର ଓଡ଼ିଆ ଭାଷାକୁ ଏକତ୍ର କରି ଉତ୍କଳୀୟ କରିଥିଲା ସେତେବେଳେ? କିଏ ଗଢ଼ିଥିଲା ଉତ୍କଳ ସମ୍ମିଳନୀ? ସେଇ ଯେ ୧୯୧୧ର ପଞ୍ଜାବ-ସିନ୍ଧୁ-ଗୁଜୁରାଟ-ମରାଠା-ଦ୍ରାବିଡ଼-ଉତ୍କଳ-ବଙ୍ଗର ଭାରତ, ତହିଁରେ ଥିବା ଉତ୍କଳୀୟ ଜାତିକୁ ଭାରତୀୟ ପ୍ରେକ୍ଷାପଟରେ ଠିଆ କରେଇଦେଇଥିଲେ ମଧୁସୂଦନ ୧୯୦୩ରୁ। ଖବରକାଗଜ ବିବରଣୀ ପ୍ରକାଶ ପାଇଥିଲା ଯେ ଏଭଳି ପ୍ରାଦେଶିକ ସମ୍ମିଳନୀ ସାରା ଭାରତରେ ଥିଲା ଅଭୂତପୂର୍ବ। ଆଜି ବି ଦେଶର ଜାତୀୟ ସଙ୍ଗୀତରେ ସେଇ ଉତ୍କଳ।

ଆଜି ଆମେ ନିଜକୁ ଭାଙ୍ଗିବାର କଥା କହୁଛୁ ହେଲେ ସେତେବେଳେ ଏ ଓଡ଼ିଆ ଜାତିକୁ ଗଢ଼ିବା ଲାଗି ସମଗ୍ର ଓଡ଼ିଶା ଏକାଠି ହୋଇଥିଲା କଟକଠାରେ। ବକ୍ସିବଜାର ରାଧାନାଥ ପ୍ରସାଦ ଭଗତଙ୍କ ବଡ଼କୋଠା, ଭାସରାମ ଇବ୍ରାହିମ୍‌ଙ୍କ କୋଠା, ପଦନ ସାହୁଙ୍କ କୋଠା, ବର୍ଦ୍ଧମାନ କୋଠି, ଚାଉଳିଆଗଞ୍ଜ କୋଠି, ନଦିଆବାବୁଙ୍କ କୋଠା, କାର୍ତ୍ତିକ ଭଗତଙ୍କ କୋଠା, ବାଖରାବାଦ ଦ୍ବାରୀବାବୁଙ୍କ କୋଠା, ତେଲେଙ୍ଗାବଜାର ହରିରାମ ମାରଵାଡ଼ିଙ୍କ କୋଠା, କଟକଚଣ୍ତୀ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ କୋଠି, କନିକାରାଜାଙ୍କ କୋଠିରୁ ଆରମ୍ଭ କରି ଅନେକ ସ୍ଥାନରେ ସାରା ଓଡ଼ିଶାରୁ ଏବ˚ ବଙ୍ଗପ୍ରଦେଶରୁ ଓଡ଼ିଆ-ହିତୈଷୀ ବନ୍ଧୁମାନେ ଏକାଠି ହୋଇଥିଲେ। ଖୋଦ୍‌ ଫକୀରମୋହନ ସେନାପତିଙ୍କ ବସାରେ ଡେରା ଭିଡ଼ିଥିଲେ ଶ୍ରୀ ବିକ୍ରମଦେବ।

ସେତେବେଳେ କିଏ ଏମିତି ଉତ୍ତର, ଦକ୍ଷିଣ, ପଶ୍ଚିମ, ପୂର୍ବକୁ ଏକାଠି କରି ଜାତିଟିଏ ଗଢ଼ିବାର ଆହ୍ବାନ ଦେଇଥିଲା? ସାଧାରଣ ମଣିଷଠାରୁ ଛାତ୍ର, ରାଜା, ମହାରାଜା ତଥା ହାକିମ ହୁକୁମାଙ୍କୁ ଓଡ଼ିଆ ଜାତି ଗଠନର ଏ ମହାପର୍ବରେ ଏକାଠି ଆଣି କିଏ ବସେଇଥିଲା ଜାତି-ନନ୍ଦିଘୋଷର ମହାପର୍ବରେ? କମିସନର, ଜଜ୍‌, ତିନି ଜିଲ୍ଲାର ମାଜିଷ୍ଟ୍ରେଟ୍‌, ସୁପରିନ୍‌ଟେଣ୍ତି˚ ଇଞ୍ଜିନିୟର, କମାଣ୍ତି˚ ଅଫିସର, ସିଭିଲ୍‌ ସର୍ଜନ୍‌, କଲେଜ ପ୍ରିନ୍‌ସିପାଲ୍‌, ପୋଲିସ୍‌ ସୁପରିନ୍‌ଟେଣ୍ତେଣ୍ଟ୍‌, ଶିକ୍ଷା ବିଭାଗ ଇନିସ୍‌ପେକ୍ଟର ତଥା ଅନୁଗୁଳ ଡେପୁଟି କମିସନର ଆଦିଙ୍କୁ ଗୋଟିଏ ମଞ୍ଚରେ ବସାଇ ସ୍ବାର୍ଥମେଧଯଜ୍ଞ କରାଇବାର ତାକତ୍‌ କାହାର ଥିଲା ଏ ମାଟିରେ? ମାଟି ଓ ତା’ ଉପରେ ପାହାଚ ପାହାଚ ଠିଆ ହୋଇଥିବା ବହୁ ବର୍ଗର ମଣିଷଙ୍କୁ ଏକାଠି କରି ମାଟିଜାତି ଗଢ଼ିବାର ଅସମ୍ଭବ ଯୋଦ୍ଧାପଣ ଥିଲା କେବଳ ମଧୁସୂଦନ ଦାସଙ୍କର। ଉତ୍କଳ ସମ୍ମିଳନୀ ସଭାର ବିବରଣୀରେ ଥିଲା- ‘‘ଉତ୍କଳ ଦେଶ ଅର୍ଥରେ ଆମ୍ଭେମାନେ ଓଡ଼ିଶା, ଗଞ୍ଜାମ ଓ ସମ୍ବଲପୁର ଏବ˚ ଯେତେ ସ୍ଥାନରେ ଓଡ଼ିଆ ଭାଷା ଚଳୁଅଛି ସେ ସମସ୍ତ ଅଞ୍ଚଳକୁ ନେଇଅଛୁ।’’ ଓଡ଼ିଶାର ପରିଚୟ ସୁଦ୍ଧା ଥିଲା ଉତ୍କଳ। ଓଡ଼ିଶାରେ ଓ ସମଗ୍ର ଭାରତରେ।

ଆଶ୍ଚର୍ଯ୍ୟଜନକ ଭାବେ ଏସବୁ ରକ୍ଷଣାବେକ୍ଷଣ ପାଇଁ ଯେଉଁ ଉଦ୍ୟମ ତାହା ପୁରୀ, କଟକ, ବାଲେଶ୍ବର କି ଭୁବନେଶ୍ବର ଆଜିଯାଏ ଗ୍ରହଣ କରିନାହିଁ। ସମସ୍ତ ଶ୍ରେୟର ଅଧିକାରୀ ହୋଇଛନ୍ତି ରାଉରକେଲାର ପ୍ରଗତି ଉତ୍କଳ ସ˚ଘ। ହଜେଇଦେଇଥିବା ମଧୁସ୍ମୃତିକୁ ସାଉଁଟିଧରି ରାଉରକେଲା ସହର ହିଁ ପ୍ରଥମ ମଧୁ-ପ୍ରତିମୂର୍ତ୍ତି ସ୍ଥାପନ କରିଥିବାର ଗୌରବ ହାସଲ କରିଛି। ଓଡ଼ିଆ ଜାତୀୟତାର ଉଦ୍‌ଘୋଷଣା ପଛରେ ଥିବା ବ୍ୟକ୍ତି, ସଙ୍ଗଠନ ଓ ଆଦର୍ଶକୁ ମଧ୍ୟ ପୃଷ୍ଠା ପରେ ପୃଷ୍ଠା ପୁସ୍ତକ ରଚନା ମାଧ୍ୟମରେ ସାଇତିଛି ପ୍ରଗତି ଉତ୍କଳ ସ˚ଘ। ମଧୁସୂଦନଙ୍କ ‘‘ଓଡ଼ିଆ ରଚନାବଳୀ’’କୁ ସ˚କଳିତ କରି ଓଡ଼ିଆ ଜାତୀୟତା ସମ୍ପର୍କରେ ସ˚ଘ ଲେଖିଛନ୍ତି- ‘‘ଓଡ଼ିଆ ଜାତୀୟତା ରକ୍ଷଣଶୀଳ ଓ ପ୍ରଗତିଶୀଳ ଚେତନାର ସମିଶ୍ରିତ ରୂପ। ଓଡ଼ିଶୀ ସ˚ସ୍କୃତିକୁ ଧାରଣ କରୁଥିବା ପୁସ୍ତକ, ଐତିହାସିକ ଧାରା, ଭୂଖଣ୍ତ ସମ୍ପର୍କିତ ମିଥ୍‌ ପ୍ରଭୃତି ଓଡ଼ିଆ ଜାତୀୟତାର ଭିତ୍ତି। ଏତଦ୍‌ ବ୍ୟତୀତ ଭାଷାଭିତ୍ତିକ ରାଜ୍ୟ ଗଠନର ଅନୁଚିନ୍ତା ତଥା ମୌଳିକ ସା˚ସ୍କୃତିକ ଉପାଦାନର ସମଷ୍ଟି ଆଧାରରେ ନିଜର ସ୍ବାତନ୍ତ୍ର୍ୟ ପ୍ରକଟ କରୁଥିବା ବ୍ୟକ୍ତିବିଶେଷ ମଧ୍ୟରେ ଜାତୀୟତାବୋଧଟି ଦେଖିବାକୁ ମିଳିଥାଏ। ଏହି ଭିତ୍ତି ଓ ବ୍ୟକ୍ତି ମଧ୍ୟରେ ସମନ୍ବୟ ସମ୍ଭବ ହେଲେ ଏକ ସ୍ବତନ୍ତ୍ର ଜାତି ଭାବେ ଆତ୍ମପରିଚିତିର ଅନ୍ବେଷଣ ସମ୍ଭବ ହୁଏ। ଊନବି˚ଶ ଶତକର ମଧ୍ୟଭାଗରୁ ଜାତୀୟତାବାଦର ଦୁଇଟି ଧାରା ଦେଖିବାକୁ ମିଳିଥାଏ। ଗୋଟିଏ ଥିଲା ହିନ୍ଦୁ/ଭାରତୀୟ ଜାତୀୟତା ଓ ଆରଟି ହେଲା ଭାଷା-ଭିତ୍ତିକ ପ୍ରାଦେଶିକ ଜାତୀୟତା। ମଧୁବାବୁ ଥିଲେ ଏହି ଦୁଇ ଚିନ୍ତାଧାରାର ସମିଶ୍ରିତ ମଣିଷ।’’

ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଜଗନ୍ନାଥଙ୍କୁ ନନ୍ଦିଘୋଷରେ ବସାଇ ଓଡ଼ିଆମାନେ ରଥଯାତ୍ରା କରନ୍ତି। ସର୍ବଧର୍ମସମନ୍ବୟର ଭାବଧାରା ନନ୍ଦିଘୋଷ ମାଧ୍ୟମରେ ଓଡ଼ିଆ ଜନଜୀବନ ସହ ଏକୀଭୂତ ହୁଏ। ଠାକୁର ଓ ମଣିଷଙ୍କ ଭିତରେ ନନ୍ଦିଘୋଷ ହିଁ ସାଜେ ମାଧ୍ୟମ। ତେଣୁ ଓଡ଼ିଆ ଜାତିର ଆଇକନ୍‌ ଯେ ନନ୍ଦିଘୋଷ ରଥ, ସେଇକଥାକୁ ଗୀତାୟିତ କରି ବାଟ ହୁଡୁଥିବା ଓଡ଼ିଆ ଜାତି ଉଦ୍ଦେଶ୍ୟରେ ମଧୁସୂଦନ ‘‘ଉତ୍କଳ ସନ୍ତାନ’’ କବିତାରେ ଲେଖିଥିଲେ- ‘‘ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ/ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ାମୁହେଁ ବନ୍ଧା ଥିଲେ?’’ କାଇଁ ଜାତି ଘୋଡ଼ାଗାଡ଼ି ବୋଲି ଲେଖିଲେ ନାଇଁ ତ? ଓଡ଼ିଆ ଜାତିର ଚିହ୍ନକୁ ନନ୍ଦିଘୋଷ ରଥ ସହ ଯୋଡ଼ି ଦେଇଯାଇଛନ୍ତି ମଧୁସୂଦନ। ଏଠି ‘‘ନନ୍ଦିଘୋଷ’’ ଧର୍ମର ପ୍ରତୀକ ନୁହେଁ। ନିଜେ ମଧୁସୂଦନ ଥିଲେ ଧର୍ମନିରପେକ୍ଷତାରେ ବିଶ୍ବାସୀ ତଥା ଉଦାରବାଦୀ। ଯେତେ ଯିଏ ଭାରତୀୟ ଅଛନ୍ତି ସେମାନଙ୍କ ଭିତରେ ଭାଷା-ଭିତ୍ତିକ ପ୍ରାଦେଶିକ ଜାତୀୟତା ସୃଷ୍ଟି କରିବାର ଆଦ୍ୟ ପ୍ରବର୍ତ୍ତକ ଥିଲେ ମଧୁସୂଦନ। ମନେରଖିବା ଆବଶ୍ୟକ ଯେ ଉତ୍କଳ ସମ୍ମିଳନୀର ମହାପର୍ବ ଆରମ୍ଭରେ ଆଠଗଡ଼ ରାଜା ସ˚ସ୍କୃତରେ ସ୍ତବ ପାଠକରି ଭଗବାନ୍‌ ସର୍ବବ୍ୟାପକ ସର୍ବଦର୍ଶୀ ଦୟାସାଗର ଶ୍ରୀପତିଙ୍କର ଜୟଗାନ କରିଥିଲେ। ତା’ ସହିତ ବୋଲାଯାଇଥିଲା ଓଡ଼ିଆ, ବଙ୍ଗଳା, ଉର୍ଦ୍ଦୁ ଓ ସ˚ସ୍କୃତ ସଙ୍ଗୀତ। ରାଧାନାଥ ରାୟଙ୍କ ଦ୍ବାରା ରଚିତ- ‘‘ଭାରତ ଗୀତିକା’’ ମାଧ୍ୟମରେ, ‘‘ସର୍ବେଷା˚ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟ˚’’ ଭଳି ମହାଭାରତୀୟ ଉଦ୍‌ବୋଧନର ଉଚ୍ଚାଙ୍ଗ ମନ୍ଦ୍ରଧ୍ବନି ମଧ୍ୟ ସର୍ବସମକ୍ଷରେ ପରିବେଷିତ ହୋଇଥିଲା ସେ ସମୟରେ। ‘‘ଭାରତ ଧରଣୀ’’ ଥିଲା ପୃଷ୍ଠପଟରେ।

ଓଡ଼ିଆ ଜାତିର ନାମ ନନ୍ଦିଘୋଷ। ମାତ୍ର ସମଗ୍ର ଭାରତବର୍ଷ ତା’ର ବଡ଼ ଦାଣ୍ତ। ଏ ନନ୍ଦିଘୋଷର ନିର୍ମାତା ମଧୁସୂଦନ ଉତ୍କଳରୁ ଆରମ୍ଭ କରି ନିଖିଳ ଭାରତ ଭାବନା ସହ ଥିଲେ ଚିରକାଳ ସ˚ପୃକ୍ତ। ସ୍ବାଧୀନ ଭାରତରେ ଧର୍ମନିରପେକ୍ଷତା ତଥା ଉଦାର ସମାଜବାଦର ମଞ୍ଜି ପଡ଼ିବାର ଅନେକ ପୂର୍ବରୁ ରାଜନୈତିକ ତଥା ସାମାଜିକ କ୍ଷେତ୍ରରେ ସେ କଥାର ପ୍ରଥମ ଅକ୍ଷୟତୃତୀୟା ଯଦି କିଏ ପାଳନ କରିଥିଲା ତେବେ ସେ ହେଉଛନ୍ତି ମଧୁସୂଦନ ଦାସ। ଭାରତ ଗୌରବ ମଧୁ-ଓଡ଼ିଆ। କହିବାର ଅଛି, ଆଜି ଭାରତମାତାଙ୍କ ମୁକୁଟରେ ଅନେକ ରତ୍ନ ଖଚିତ ହୋଇଛନ୍ତି। ହେଲେ ମଧୁସୂଦନଙ୍କ ଭଳି ରତ୍ନଟି ତା’ର ଉପଯୁକ୍ତ ସ୍ଥାନ ପାଇନାହିଁ। କେହି କ’ଣ ନାହାନ୍ତି ତଳୁ ଗୋଟେଇ ନେଇ ମାଆଙ୍କ ମୁକୁଟରେ ତାକୁ ଖଞ୍ଜିଦେବା ପାଇଁ? ଜାତିର ନାମ ନନ୍ଦିଘୋଷ, ରତ୍ନର ନାମ ମଧୁସୂଦନ।
[email protected]