ମୁଦ୍ରାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ। ଦୁର୍ଲଭ ମୁଦ୍ରା (ହାର୍ଡ କରନ୍ସି) ଓ ସୁଲଭ ମୁଦ୍ରା (ସଫ୍ଟ କରନ୍ସି)। ଦୁର୍ଲଭ ମୁଦ୍ରାକୁ ପୃଥିବୀର ଯେ କୌଣସି ଦେଶରେ ବିନିମୟ କରାଯାଇ ପାରେ ଓ ଚଳନ୍ତି ଅନ୍ତଃରାଷ୍ଟ୍ରୀୟ କାରବାର ଏଇ ପ୍ରକାର ମୁଦ୍ରାରେ ଚାଲେ। ଫଳତଃ ଏ ପ୍ରକାର ମୁଦ୍ରାର ଚାହିଦା ଅଧିକ। ଯେଉଁ ଦେଶର ମୁଦ୍ରା ଦୁର୍ଲଭ ମୁଦ୍ରା ନୁହେଁ, େସ ଦେଶମାନେ ନିଜର ବୈଦେଶିକ ବାଣିଜ୍ୟ, ଋଣ ପରିଶୋଧ ଇତ୍ୟାଦି ନିମନ୍ତେ କିଛି ଦୁର୍ଲଭ ମୁଦ୍ରା ଜମା ରଖିବାକୁ ବାଧ୍ୟ ହୁଅନ୍ତି। ସୁଲଭ ମୁଦ୍ରା ନିଜ ଦେଶରେ ଓ କଦବା କ୍ବଚିତ୍ କିଛିଟା ପାର୍ଶ୍ବବର୍ତ୍ତୀ ଦେଶମାନଙ୍କରେ ବିନିମୟକ୍ଷମ ହୁଏ। ଭାରତୀୟ ମୁଦ୍ରା ନେପାଳ ଓ ଭୁଟାନରେ ଗ୍ରହଣୀୟ ହେବା ଏହାର ଏକ ଦୃଷ୍ଟାନ୍ତ। ସୁଲଭ ମୁଦ୍ରା କିନ୍ତୁ ଦୁର୍ଲଭ ମୁଦ୍ରା ଦେଶମାନଙ୍କରେ ଗ୍ରହଣୀୟ ହୁଏ ନାହିଁ। ଦୁର୍ଲଭ ମୁଦ୍ରାର ଚାହିଦା ହେତୁ, ସୁଲଭ ମୂଲ୍ୟର ବିନିମୟ ହାର, ଦୁର୍ଲଭ ମୁଦ୍ରାର ସପକ୍ଷରେ ଥାଏ। ଦୁର୍ଲଭ ମୁଦ୍ରାମାନଙ୍କ ମଧ୍ୟରେ ଆମେରିକାନ୍ ଡଲାର ସର୍ବପ୍ରଧାନ। ଏହା ଏକ ପ୍ରକାର ଆନ୍ତର୍ଜାତିକ ମୁଦ୍ରା। ସମସ୍ତ ପ୍ରକାର ବାଣିଜ୍ୟ ବ୍ୟବସାୟ, ବିଶ୍ବ ବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ହିସାବ କିତାବ ଆମେରିକାନ୍ ଡଲାର ମାଧ୍ୟମରେ ହୁଏ। ଆନ୍ତର୍ଜାତିକ ବ୍ୟାଙ୍କ କାରବାର ମଧ୍ୟ ଡଲାର ମାଧ୍ୟମରେ ହୁଏ। ଅନେକ ଦେଶ ସେମାନଙ୍କର ଗଚ୍ଛିତ ବୈଦେଶିକ ମୁଦ୍ରା ଡଲାର ଆକାରରେ ରଖନ୍ତି ଓ ସିଂହଭାଗ ଅାମେରିକାରେ ନିବେଶ ଥାଏ। ଫଳରେ ଦ୍ବିତୀୟ ମହାଯୁଦ୍ଧ ପରେ ଇଂଲଣ୍ଡର ମୁଦ୍ରା ପାଉଣ୍ଡ୍ ଆଉ ଆନ୍ତର୍ଜାତିକ ମୁଦ୍ରା ହୋଇ ରହିପାରିଲା ନାହିଁ ଓ ତା’ର ସ୍ଥାନ ଆମେରିକାନ୍ ଡଲାରକୁ ପ୍ରାପ୍ତ ହେଲା। ବ୍ରେଟନ୍ ଉଡ୍ସ ରାଜିନାମା ଅନୁଯାୟୀ, ଆମେରିକା ସରକାର ଡଲାର କାଗଜ ମୁଦ୍ରା ଛାପିବା ସମୟରେ, ପ୍ରତ୍ୟେକ ଡଲାର ପିଛା ଏକ ନିର୍ଦ୍ଦିଷ୍ଟ ପରିମାଣରେ ସୁନା ରଖିବା କଥା। ନିକ୍ସନ ରାଷ୍ଟ୍ରପତି ଥିବା ସମୟରେ ଏ ବ୍ୟବସ୍ଥାକୁ ଉଠାଇ ନେଲେ। ଫଳରେ ଆମେରିକା ସରକାର ନିଜ ଆର୍ଥିକ ନିଅଣ୍ଟ ଭରଣା କରିବା ନିମନ୍ତେ ମନଇଚ୍ଛା ଡଲାର ଛାପି ପାରୁଛନ୍ତି। ଅନ୍ୟ ଦେଶମାନେ ଡଲାର ମାଧ୍ୟମରେ ଅର୍ଥ ଜମା କରିବାରୁ, ବୈଦେଶିକ ବ୍ୟାଙ୍କ ସେବା ଓ ବାଣିଜ୍ୟ କରିବାରୁ, ଆମେରିକା ସରକାର ଅନ୍ୟ ଦେଶମାନଙ୍କ ଉପରେ ଆର୍ଥିକ କଟକଣା ଓ ବାସନ୍ଦ ଲଗାଇ ପାରୁଛି। ଡଲାର ବର୍ତ୍ତମାନ ଗୋଟିଏ ଯୁଦ୍ଧାସ୍ତ୍ରରେ ପରିଣତ ହେଲାଣି। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ, ରୁଷ ବିରୋଧରେ ଆମେରିକା ଡଲାର ଅସ୍ତ୍ର ପ୍ରୟୋଗ କରିଛି। ଆଗରୁ ଇରାନ ବିରୋଧରେ ମଧ୍ୟ ଏହା ପ୍ରୟୋଗ ହୋଇଥିଲା। ସୁଲଭ ମୁଦ୍ରା ରାଷ୍ଟ୍ରମାନଙ୍କର ମନରେ ଭୟ ସଞ୍ଚାର ହେବା ସ୍ବାଭାବିକ ଓ ଡଲାର ଉପରେ ଅତ୍ୟଧିକ ନିର୍ଭରଶୀଳତାରୁ ମୁକ୍ତି ପାଇବା ନିମନ୍ତେ ସେମାନେ ଆଗ୍ରହୀ।
ଭାରତୀୟ ଟଙ୍କା ଗୋଟିଏ ସୁଲଭ ମୁଦ୍ରା। ପ୍ରଥମ ମହାଯୁଦ୍ଧ ପର୍ଯ୍ୟନ୍ତ ଏହା ବିଶ୍ବରେ ସହଜରେ ବିନିମୟ ହୋଇପାରୁଥିଲା ଓ ବ୍ରିଟିସ୍ ପାଉଣ୍ଡ୍ ସହିତ ଏହାର ଏକ ଆନୁପାତିକ ବିନିମୟ ସମ୍ପର୍କ ଥିଲା। ବ୍ରିଟିସ୍ ଉପନିବେଶମାନଙ୍କରେ ଭାରତୀୟ ମୁଦ୍ରା ସହଜରେ ଗ୍ରହଣ କରାଯାଉଥିଲା। ସେଥିରୁ ଅବଶ୍ୟ ଶ୍ବେତ ଉପନିବେଶମାନେ ବାଦ୍ ଥିଲେ। ବ୍ରିଟିସ୍ ପାଉଣ୍ଡ୍ ସଙ୍ଗେ ସଂପର୍କ ହେତୁ ୧୯୪୯ରେ ବ୍ରିଟିସ୍ ସରକାରଙ୍କ ପାଉଣ୍ଡ୍ର ଅବମୂଲ୍ୟାୟନ ସମୟରେ ଭାରତୀୟ ଟଙ୍କାରେ ମଧ୍ୟ ଆନୁପାତିକ ଅବମୂଲ୍ୟାୟନ ହୋଇଥିଲା। ଫଳତଃ ପାକିସ୍ତାନ ଟଙ୍କା ଅନୁପାତରେ ଭାରତୀୟ ଟଙ୍କା ଦୁର୍ବଳ ହୋଇଗଲା ଓ ଉଭୟ ଦେଶର ବାଣିଜ୍ୟ ହ୍ରାସ ପ୍ରାପ୍ତ ହେଲା। ବର୍ତ୍ତମାନ ଯଦିଓ ଆମ ପାଖରେ ୬୦୦ ବିଲିଅନ୍ ଡଲାର ମୂଲ୍ୟର ବୈଦେଶିକ ମୁଦ୍ରା ଗଚ୍ଛିତ ଅଛି, ତଥାପି ଭାରତ ସରକାର ଡଲାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ କରୁଛନ୍ତି। ଆସନ୍ତା ଦଶ ବର୍ଷ ମଧ୍ୟରେ ଭାରତ ଟଙ୍କାକୁ ଏକ ଦୁର୍ଲଭ ମୁଦ୍ରାରେ ପରିଣତ କରିବାରେ ଆଗ୍ରହୀ। ବିଶେଷ ଭାବରେ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ, ନେପାଳ, ଭୁଟାନ ପରି ଏହା ଗ୍ରହଣୀୟ ହେବା ଭାରତ ସରକାର ଚାହାଁନ୍ତି। ଏତଦ୍ ବ୍ୟତୀତ କେତେକ ଦେଶମାନଙ୍କ ସହିତ ଭାରତୀୟ ଟଙ୍କା ମାଧ୍ୟମରେ ବାଣିଜ୍ୟ କରିବା ନିମନ୍ତେ ଆଲୋଚନା ଚାଲିଛି ଓ କେତେକ ରାଷ୍ଟ୍ର ଏଥିରେ ସମ୍ମତି ପ୍ରକାଶ କଲେଣି। ସେମାନେ କିନ୍ତୁ ଆମ ସହିତ ବାଣିଜ୍ୟ କାରବାରରେ କ୍ଷୁଦ୍ର ଅଂଶୀଦାର। ଡଲାରର ବିକଳ୍ପ ମୁଦ୍ରା ଭାବରେ ବାଣିଜ୍ୟ ବ୍ୟବସାୟ କରିବାକୁ ଚୀନ୍ ତା’ର ମୁଦ୍ରାକୁ ବ୍ୟବହାର କରିବାକୁ ଚେଷ୍ଟା କରୁଅଛି। ଭାରତ ଓ ଚୀନ୍, ଉଭୟ ଡଲାରର ବିକଳ୍ପ ଅନ୍ବେଷଣରେ ‘ବ୍ରିକ୍ସ’ରେ ଯୋଗ ଦେଇଛନ୍ତି- ଯଦିଓ ଯୋଗ ଦେବାର ସେଇଟା ଏକମାତ୍ର କାରଣ ନୁହେଁ। ବ୍ରିକ୍ସ ତରଫରୁ ସାଂଘାଇରେ ଏକ ଯୌଥ ବ୍ୟାଙ୍କ ମଧ୍ୟ ଖୋଲାଯାଇଛି। ରୁଷିଆ ସଙ୍ଗରେ ଆମର ଟଙ୍କା ମାଧ୍ୟମରେ ବ୍ୟବସାୟ ଚାଲେ। ରୁଷିଆ ପାଖରେ ଅବ୍ୟବହୃତ ବହୁତ ଟଙ୍କା ଜମା ହୋଇଯିବାରୁ, ସେ ଦେଶ ମଧ୍ୟ ବର୍ତ୍ତମାନ ତୈଳ ବଦଳରେ ଡଲାର ଚାହୁଁଛି ଓ ଟଙ୍କା କାରବାର ବନ୍ଦ ହେଲାଣି।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ବିଷୟରେ ଗୋଟିଏ କମିଟି ଗଠନ କରିଥିଲା। କମିଟିର ସୁପାରିସ ମଧ୍ୟରେ ବିଦେଶୀମାନଙ୍କୁ ଭାରତୀୟ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ, ଟଙ୍କା ମାଧ୍ୟମରେ ଭାରତୀୟ ବ୍ୟାଙ୍କମାନଙ୍କର ବିଦେଶୀ ଶାଖାମାନଙ୍କରେ ବ୍ୟାଙ୍କ ସେବା ଯୋଗାଇ ଦେବା, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ‘ସ୍ପେସାଲ୍ ଡ୍ରଇଂ ରାଇଟ୍ସ’ରେ ଭାରତୀୟ ମୁଦ୍ରାକୁ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଇତ୍ୟାଦି ରହିଛି। ଗୋଟିଏ ଆନ୍ତର୍ଜାତିକ ମୁଦ୍ରାର ମାନ୍ୟତା ପାଇବାକୁ ହେଲେ, ସେ ଦେଶର ପରିସ୍ଥିତି, ବାଣିଜ୍ୟିକ ଅବସ୍ଥା ଓ ଆର୍ଥିକ ସଂହତି ଉପରେ ଅନ୍ୟ ଦେଶମାନଙ୍କର ବିଶ୍ବାସ ରହିବା ଆବଶ୍ୟକ। ଚୀନ୍ ପାଖରେ ବିପୁଳ ବୈଦେଶିକ ମୁଦ୍ରା ଓ ବହିର୍ବାଣିଜ୍ୟରେ ବଳକା ଥିଲେ ମଧ୍ୟ, ଆମେରିକା ଭଳି ଚୀନ୍ର ବିଶ୍ବସନୀୟତା ନାହିଁ। ତେଣୁ ଆମେରିକାନ୍ ଡଲାର ସହିତ ପ୍ରତିଯୋଗିତାରେ ଚୀନ୍ ଉଧେଇ ପାରୁନାହିଁ।
ଭାରତର ବିଶ୍ବସନୀୟତା ଥିଲେ ମଧ୍ୟ, ଏହାର ବାଣିଜ୍ୟିକ ନିଅଣ୍ଟ ଗୋଟିଏ ନକାରାତ୍ମକ କାରକ। ଭାରତର ଆମଦାନୀ ଦ୍ରବ୍ୟ ମଧ୍ୟରେ ସୁନା, ଅଶୋଧିତ ତୈଳ, ଚୀନ୍ରୁ ସେମିକଣ୍ଡକ୍ଟର୍, ଚିପ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଓ ଯୁଦ୍ଧ ସାମଗ୍ରୀ ଏତେ ବେଶୀ ଯେ ରପ୍ତାନି ତାହା ସହିତ ଖାପ ଖୁଆଇ ପାରୁନାହିଁ। ତା’ ବ୍ୟତୀତ ବହୁ ଭାରତୀୟ ଛାତ୍ର ବିଦେଶରେ ପାଠ ପଢୁଛନ୍ତି। ଛାତ୍ରଛାତ୍ରୀ ଓ ବହୁ ଭାରତୀୟ ବିଦେଶ ଭ୍ରମଣରେ ଯାଉଛନ୍ତି। ସେଥିରେ ମଧ୍ୟ ଅନେକ ବୈଦେଶିକ ମୁଦ୍ରା ଖର୍ଚ୍ଚ ହେଉଛି। ଭାରତ ସରକାର ‘ଆତ୍ମନିର୍ଭର’ ଯୋଜନା କରି ଅସ୍ତ୍ରଶସ୍ତ୍ର କ୍ରୟ ହ୍ରାସ ଓ ଚୀନ୍ରୁ ଇଞ୍ଜିନିୟରିଙ୍ଗ ଦ୍ରବ୍ୟ କ୍ରୟ ହ୍ରାସ ନିମନ୍ତେ ଉଦ୍ୟମ କରୁଛନ୍ତି। କିନ୍ତୁ ଭାରତରେ ତୈଳର ଚାହିଦା ବୃଦ୍ଧି ପାଇ ଚାଲିଛି ଓ ଭାରତୀୟ ମହିଳାଙ୍କର ସୁନା ପ୍ରତି ଦୁର୍ବାର ଆକର୍ଷଣ ଫଳରେ ସୁନାର ଆମଦାନି ହ୍ରାସ ପାଉନାହିଁ, ଭାରତୀୟମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିଲେ, ଅଧିକ ଯାନବାହନ ଖର୍ଦି, ଅଧିକ ସୁନା ଖର୍ଦି, ଅଧିକ ବିଦେଶ ଭ୍ରମଣ ଓ ବିଦେଶରେ ପଠନ ହେବ। ତେଣୁ ବୈଦେଶିକ ବାଣିଜ୍ୟରେ ସମତୁଲ ଅବସ୍ଥା ଏତେ ସହଜରେ ଆସିବା ସମ୍ଭବପର ନୁହେଁ।
ଚୀନ୍ ଓ ପାକିସ୍ତାନ ସହିତ ଖରାପ ସମ୍ପର୍କ ରହିଲେ, ଦେଶ ରକ୍ଷା ଜନିତ ବ୍ୟୟ ବୃଦ୍ଧି ହେବ। ଦିନକୁ ଦିନ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ପଶ୍ଚିମ ଜଗତରେ ଓ ରୁଷିଆରେ ନିର୍ମିତ ହେଲେ, ଭାରତକୁ ସେ ସବୁ ଅସ୍ତ୍ରଶସ୍ତ୍ର, ବିମାନ ଆଦି ଆମଦାନି କରିବାକୁ ହେବ। ଆମ ଅର୍ଥନୀତି ଦ୍ରୁତ ଗତିରେ ଅଗ୍ରଗତି କରୁଛି। ସାମୂହିକ ଭାବରେ ଏ ଅଗ୍ରଗତି ଅବ୍ୟାହତ ରହିଲେ ମଧ୍ୟ, ମୁଣ୍ଡ ପିଛା ଆୟରେ ଆମେ ଏପର୍ଯ୍ୟନ୍ତ ବହୁତ ପଛରେ ଅଛେ। ମୁଣ୍ଡପିଛା ଆୟ ବୃଦ୍ଧି ହେଲେ ଦେଶର ‘ଟ୍ୟାକ୍ସ ବେସ୍’ ଓ ‘ଫିସ୍କାଲ୍ କାପାସିଟି’ ବୃଦ୍ଧି ପାଇବ। ସରକାରୀ ଆୟ ବୃଦ୍ଧି ପାଇବ ଆଉ ନୂଆ ଯୋଜନାମାନ ଆରମ୍ଭ କରି ନିଅଣ୍ଟିଆ ବଜେଟ୍ କରିବାର ଆବଶ୍ୟକତା ରହିବ ନାହିଁ। ଦେଶର ବଜେଟ ଓ ଆନ୍ତର୍ଜାତିକ ବାଣିଜ୍ୟ ସମତୁଲ ହେଲେ, ଅନ୍ୟ ଦେଶରୁ ଆମ ଦେଶର ମୁଦ୍ରା ଉପରେ ଆସ୍ଥା ବୃଦ୍ଧି ପାଇବ। ଆମ ମୁଦ୍ରା ଉପରେ ଆସ୍ଥା ବୃଦ୍ଧି ପାଇଲେ, ଦୁର୍ଲଭ ମୁଦ୍ରା ହେବାର ପଥ ପରିଷ୍କାର ହୋଇଯିବ। ସେଥିନିମନ୍ତେ ଆମର ଅର୍ଥନୈତିକ ବ୍ୟବସ୍ଥାକୁ ଅନ୍ତତଃ ପକ୍ଷେ ଆଉ ଦଶ ବର୍ଷ ପ୍ରଗତି ପଥରେ ଚାଲିବାକୁ ହେବ।
ମୋ: ୯୯୩୭୪୨୨୫୨୧
ଆମର ମୁଦ୍ରା
ଶରତ ମିଶ୍ର
/sambad/media/post_attachments/wp-content/uploads/2023/09/fdfgdfgdfgdfg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)