ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଶିଶୁ, ଛାତ୍ରଛାତ୍ରୀ, କିଶୋରୀ ଓ ପ୍ରସୂତିମାନଙ୍କ ପୌଷ୍ଟିକ ଆହାର ନିମନ୍ତେ ଓଡ଼ିଶା ସରକାର ଆଜିକୁ ଛଅ ବର୍ଷ ତଳୁ ମାସକୁ ବାରଟି ଲେଖାଏଁ ଅଣ୍ଡା ଯୋଗେଇଦେବା ପାଇଁ ନିୟମ କରିଛନ୍ତି ଏବଂ ଏଥିପାଇଁ ଅଣ୍ଡା ଦର ନିର୍ଦ୍ଧାରଣ କରି ସେହି ଅନୁସାରେ କେନ୍ଦ୍ରମାନଙ୍କୁ ଟଙ୍କା ମଧ୍ୟ ଦେଇ ଆସୁଛନ୍ତି। ଏହା ଭିତରେ ଅଣ୍ଡା ଦର ବହୁତ ବଢ଼ିଯାଇଛି କିନ୍ତୁ ସରକାରଙ୍କର କାଗଜପତ୍ରରେ ଛଅ ବର୍ଷ ତଳେ ଅଣ୍ଡା ଦର ଯାହା ଥିଲା ଏବେ ମଧ୍ୟ ସେଇୟା ରହିଛି। ଫଳସ୍ୱରୂପ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ପୋଷଣ ନିମନ୍ତେ ଆଉ ଅଣ୍ଡା ଦିଆଯାଇ ପାରୁନାହିଁ, ଯାହାକୁ ନେଇ ପ୍ରତ୍ୟହ ଏହି କେନ୍ଦ୍ରମାନଙ୍କରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ତରଫରୁ ଅଣ୍ଡା ପିଛା ଦର ସାଢ଼େ ଚାରି ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏବେ ବଜାରରେ ଅଣ୍ଡା ଦର ବହୁତ ଅଧିକ ଥିବାରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଣ୍ଡା ଯୋଗେଇବା ସମ୍ଭବପର ହେଉ ନାହିଁ ଏବଂ ଏହି ଦର ବୃଦ୍ଧି କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ଏ କଥା ଅଭିଭାବକମାନେ ବୁଝିବାକୁ ନାରାଜ। ସେମାନେ ଅଣ୍ଡା ଦାବି କରୁଛନ୍ତି ଓ ନ ମିଳିଲେ ଗଣ୍ଡଗୋଳ କରୁଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ କରିବେ କ’ଣ?
ଏହି ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଝାରସୁଗୁଡ଼ାର କେତୋଟି ଅଙ୍ଗନବାଡ଼ି କେନ୍ଦ୍ର ଏକ ବୁଦ୍ଧି ବାହାର କରିଛନ୍ତି। ସେମାନେ ଆଉ ପିଲାମାନଙ୍କୁ ଅଣ୍ଡା ନ ଦେଇ ସେ ବାବଦ ଟଙ୍କା, ଯଥା ମାସକୁ ବାରଟି ଅଣ୍ଡା ପାଞ୍ଚ ଟଙ୍କା ହିସାବରେ ଷାଠିଏ ଟଙ୍କା ଲେଖାଏଁ ସେମାନଙ୍କ ମା’ବାପାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ ପେ’ରେ ପଠାଇଦେଉଛନ୍ତି। ଯଦି ମା’ବାପାଙ୍କର ଫୋନ ପେ’ ନାହିଁ ତେବେ ସେମାନେ ସିଧାସଳଖ ନଗଦ ଟଙ୍କା ଧରେଇ ରସିଦ ନେଇଯାଉଛନ୍ତି।
ଏଥିରେ ଅଙ୍ଗନବାଡ଼ି କର୍ମୀ ଖୁସ୍ ଓ ମା’ ବାପା ବି ଖୁସ୍। ତେଣିକି ମା’ ବାପା ସେ ଟଙ୍କାରେ ଅଣ୍ଡା କିଣିଲେ କି ନାହିଁ ଆଉ ପିଲାଏ ଅଣ୍ଡା ଖାଇଲେ କି ନାହିଁ, କାହାରି ଚିନ୍ତା ନାହିଁ। ମା’ବାପା ସେ ଟଙ୍କାକୁ କେମିତି ଖର୍ଚ୍ଚ କରୁଛନ୍ତି, ତା’ର ବି କୌଣସି ହିସାବ ନାହିଁ। ସେ ଟଙ୍କାରେ ସେମାନେ ମଦ ପିଇଲେ କି ଜୁଆ ଖେଳିଲେ ତାକୁ ଦେଖିବାକୁ ମଧ୍ୟ କେହି ନାହିଁ। ଏହି ବ୍ୟବସ୍ଥା କେବଳ ଶିଶୁମାନଙ୍କ ପାଇଁ ନୁହେଁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି। ବ୍ରଜରାଜନଗର ମ୍ୟୁନିସିପାଲଟିରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ଏ ଭଳି ଏକ ଚିତ୍ର ଆସିଛି। ଜଣେ ଅଭିଭାବକ ଏହି କେନ୍ଦ୍ରକୁ ଯାଇ ଏମାନଙ୍କର ଅଣ୍ଡା କୁଆଡ଼େ ଯାଉଛି ବୋଲି ପ୍ରଶ୍ନ କରିବାରୁ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ତୁରନ୍ତ ସେହି ଅଭିଭାବକ ଆକାଉଣ୍ଟକୁ ଦୁଇ ମାସର ଚବିଶଟି ଅଣ୍ଡା ପାଇଁ ଶହେ କୋଡ଼ିଏ ଟଙ୍କା ଫୋନ ପେ’ରେ ପଠେଇ ଦେଇଥିଲେ। ଅଭିଭାବକ ସନ୍ତୁଷ୍ଟ ହୋଇ ଘରକୁ ଫେରି ଆସିଥିଲେ। ଅଙ୍ଗନବାଡ଼ି କର୍ମୀମାନଙ୍କୁ ସାମ୍ବାଦିକ ପ୍ରଶ୍ନ କରିବାରୁ ସେମାନେ କହିଲେ, “ଆମେ କ’ଣ କରିବୁ? ସରକାର ଅଣ୍ଡା ଦର ବୃଦ୍ଧି କରୁନାହାନ୍ତି ଓ ଆମ ପାଖକୁ ସେ ବାବଦ ଯାହା ଟଙ୍କା ଆସୁଛି ତାହା ଆମେ ସିଧାସଳଖ ଅଭିଭାବକମାନଙ୍କୁ ଧରେଇ ଦେଉଛୁ। ସେ ତାଙ୍କର ଯାହା କରୁଛନ୍ତି କରନ୍ତୁ ଆମର ସେଥିରେ କିଛି ଯାଏ ଆସ ନାହିଁ।”
ଅଙ୍ଗନବାଡ଼ି କର୍ମୀମାନଙ୍କର ଏହି ଉପାୟ କେବଳ ଅଣ୍ଡା କ୍ଷେତ୍ରରେ ନୁହେଁ, ବାକି ସବୁ କ୍ଷେତ୍ରରେ ପ୍ରୟୋଗ କରିଦିଆଗଲେ ସମସ୍ତ ହିତାଧିକାରୀ ସନ୍ତୁଷ୍ଟ ହୋଇଯାଆନ୍ତେ। ସରକାର ବୋଧହୁଏ ଏହି ଉପାୟ ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ପ୍ରାୟ କୋଟିଏ ପାଖାପାଖି ଲୋକଙ୍କୁ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ ବର୍ତ୍ତମାନ ଘୋଷଣା କରିଛନ୍ତି। ଯଦି ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟର ବ୍ୟବସ୍ଥା ପାଇଁ ହଜାର ଟଙ୍କା ଲେଖାଏଁ ଦିଆଯାଇପାରୁଛି, ଗର୍ଭବତୀମାନଙ୍କୁ ପୌଷ୍ଟିକ ଆହାର ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଦଶ ହଜାର ଟଙ୍କା ଦିଆଯାଇପାରୁଛି, ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ିବା ପାଇଁ ଦଶ ହଜାର ଟଙ୍କା ଦିଆଯାଇପାରୁଛି, ତେବେ ପୌଷ୍ଟିକ ଆହାର ପାଇଁ ଅଣ୍ଡା ବାବଦ ଟଙ୍କା ଦେଇଦେଲେ କ୍ଷତି କ’ଣ ହେଉଛି?
ଏ ସବୁ ବ୍ୟବସ୍ଥା ଦେଖିଲେ ଗାଁରେ ଥିବା ଗୋଟେ କୁକୁଡ଼ା ଫାର୍ମ ଓ ତା’ ମାଲିକ କଥା ମନେ ପଡ଼ିଯାଏ। ଗୋଟେ ଛୋଟ କୁକୁଡ଼ା ଫାର୍ମର ମାଲିକ ତିରିଶ-ଚାଳିଶଟି କୁକୁଡ଼ା ପାଳି ତା’ର ଗୁଜରାଣ ମେଣ୍ଟାଉଥିଲା। ଦିନେ ହଠାତ୍ ଗୋଟେ ଜିପ୍‌ରେ ଚାରି-ପାଞ୍ଚଜଣ ବାବୁ ତା’ ଫାର୍ମ ତଦାରଖ କରିବାକୁ ଆସିଲେ ଆଉ ତାକୁ ପଚାରିଲେ, “ତୁମେ କୁକୁଡ଼ାମାନଙ୍କୁ କ’ଣ ଖାଇବାକୁ ଦେଉଛ?” ସେ କହିଲା, “ଆଜ୍ଞା, କୁକୁଡ଼ାଙ୍କୁ କ’ଣ ଖାଇବାକୁ ଦେବି? ସେ ତାଙ୍କର ଦିନଯାକ ପଡ଼ିଆରେ ବୁଲିବାଲି ପୋକ ଜୋକ ସବୁ ଖାଉଛନ୍ତି।” ବାବୁମାନେ ତାକୁ ନାଲି ଆଖି ଦେଖେଇ କହିଲେ, “ଆମେ ପଶୁପକ୍ଷୀ ପାଳନ ବିଭାଗରୁ ଆସିଛୁ। ତୁମେ କୁକୁଡ଼ାମାନଙ୍କୁ ପୋକଜୋକ ଦେଇ ଅତ୍ୟାଚାର କରୁଛ। ତୁମକୁ ପାଞ୍ଚଶହ ଟଙ୍କା ଜରିମାନା କରାଗଲା।” ମାଲିକ ବିଚରା ମୁଣ୍ଡକୁ ଆଉଁଶି ପାଞ୍ଚଶହ ଟଙ୍କା ଗଣିଦେଲା।
ମାସେ ଦୁଇମାସ ଯାଇଛି। ଆଉ ଦଳେ ବାବୁ ଗୋଟେ ଜିପ୍‌ରେ ଆସି ପହଞ୍ଚିଗଲେ ଆଉ ସେହି ପ୍ରଶ୍ନ ପଚାରିଲେ, “ତୁମେ କୁକୁଡ଼ାମାନଙ୍କୁ କ’ଣ ଖାଇବାକୁ ଦେଉଛ?” ମାଲିକ ଏଥର କହିଲା, “ଆଜ୍ଞା ମୁଁ କୁକୁଡ଼ାମାନଙ୍କୁ ପ୍ରତିଦିନ କାଜୁ, ବାଦାମ, ପିସ୍ତା, କ୍ଷୀର ଓ ମହୁରେ ବୁଡ଼େଇ ଖାଇବାକୁ ଦେଉଛି।” ବାବୁମାନେ କହିଲେ, “କ’ଣ ହେଲା, ତୁମେ କୁକୁଡ଼ାମାନଙ୍କୁ ଏ ଭଳି ଦାମିକା ଜିନିଷ ଖାଇବାକୁ ଦେଉଛ। ଆମ୍ଭେ ଆୟକର ବିଭାଗ ତରଫରୁ ଆସିଛୁ। ତୁମ ଖାତା ପତ୍ର ଯାଞ୍ଚ ହେବ।” ମାଲିକ ହଜାରଟି ଟଙ୍କା ଦେଇ ସେମାନଙ୍କଠୁ ମୁକ୍ତି ପାଇଲା।
ମାସେ ଦୁଇମାସ ପରେ ପୁଣି ସେହି ଜିପ୍‌, ପୁଣି ସେହି ବାବୁ ଆଉ ପୁଣି ସେହି ପ୍ରଶ୍ନ, “ତୁମେ କୁକୁଡ଼ାମାନଙ୍କୁ କ’ଣ ଖାଇବାକୁ ଦେଉଛ?” ଏଥରକ ମାଲିକଟି ସତର୍କ ହୋଇ କହିଲା, “ଆଜ୍ଞା, ମୁଁ ସବୁଦିନ ସକାଳୁ କୁକୁଡ଼ାମାନଙ୍କୁ ଟଙ୍କାଏ ଲେଖାଏ ଧରେଇ ଦେଉଛି। ସେ ତାଙ୍କର ବଜାରରୁ କିଣା କିଣି କରି କ’ଣ ଖାଉଛନ୍ତି ମୁଁ ଜାଣିନାହିଁ।”
ମୋ: ୯୪୩୭୦୬୭୫୬୭