ଜଙ୍ଗଲ ଏକ ଜୀବନ୍ତ ସତ୍ତା। ଏହା ପୃଥିବୀର ପ୍ରାରମ୍ଭିକ, ପ୍ରାଚୀନ ଓ ପ୍ରମୁଖ ସୃଷ୍ଟି। ପ୍ରାୟ ୩୮ କୋଟି ବର୍ଷ ପୂର୍ବରୁ ଏହାର ଉତ୍ପତ୍ତି; ପ୍ରକୃତି ଦ୍ବାରା ପାଳିତ ଓ ପରିବର୍ଦ୍ଧିତ ହୋଇ ଦିନେ ସମଗ୍ର ଭୂଖଣ୍ଡକୁ ଆଚ୍ଛାଦିତ କରିଥିଲା। ପ୍ରାୟ ୬୦ ଲକ୍ଷ ବର୍ଷ ତଳେ ଭୂପୃଷ୍ଠରେ ଆର୍ବିଭାବ ଉପରାନ୍ତେ ମଣିଷ ବନଜାତ ଦ୍ରବ୍ୟର ବ୍ୟବହାର ଶିଖି କାଳକ୍ରମେ ବନସମ୍ପଦର ଇଚ୍ଛା ମୁତାବକ ଉପଭୋଗ ଓ ଉପଯୋଗ କରି ଚାଲିଲା। ବିଶ୍ବର ପ୍ରଥମ ବିଜ୍ଞାନଭିତ୍ତିକ ପରିଚାଳନାର ଆରମ୍ଭ ଷୋଡ଼ଶ ଶତାବ୍ଦୀରେ ହୋଇଥିଲା ଜର୍ମାନୀରେ। ୧୮୬୪ରେ ଜର୍ମାନ ବନଅଧିକାରୀ ସାର୍ ଡାଇଟ୍ରିଚ୍ ବ୍ରାଣ୍ଡିସ୍ ଭାରତର ବନବିଭାଗ ମୁଖ୍ୟ ଭାବରେ ଓ ୧୮୯୭ ମସିହାରେ ମୟୂରଭଞ୍ଜ ମହାରାଜା ତାଙ୍କର ଦେଶୀୟ ରାଜ୍ୟରେ ଏହି ବ୍ୟବସ୍ଥାର ପ୍ରଚଳନ କରିଥିଲେ।
ପରିଚାଳନା ହେଉଛି ଉଦ୍ଦେଶ୍ୟ ହାସଲ ଉଦ୍ଦିଷ୍ଟ କାର୍ଯ୍ୟପନ୍ଥା। ସ୍ବାଧୀନତା ପରେ ଶାଳ, ଶାଗୁଆନ ଇତ୍ୟାଦି ମୂଲ୍ୟବାନ କାଠ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ରାଜସ୍ବ ସଂଗ୍ରହ ଥିଲା ମୁଖ୍ୟ ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ଜୀବିକା ଉପରେ ଗୁରୁତ୍ବ ଦିଆଗଲା। ବର୍ତ୍ତମାନ ଆମେ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷାର ନାରା ଦେଉଛୁ। ବନବିଜ୍ଞାନ ବହୁବିଧ ବିଷୟ ଯଥା ବୃକ୍ଷ, ପରିବେଶ, ଉଦ୍ଭିଦ, ଭୂଗୋଳ, ଭୂତତ୍ତ୍ବ, ମୃତ୍ତିକା, ଗଣିତ ଓ ଅର୍ଥଶାସ୍ତ୍ର ଇତ୍ୟାଦିର ପ୍ରୟୋଗାତ୍ମକ ଅଂଶକୁ ନେଇ ଗଠିତ। ଏହି ଅକ୍ଷୟ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସମୃଦ୍ଧି ସହିତ ନିରନ୍ତର ଉତ୍ପାଦନ ଥିଲା ମୂଳ ତତ୍ତ୍ବ। ସମୟ ସ୍ରୋତରେ ଅନେକ ପାରିପାର୍ଶ୍ବିକ ପରିବର୍ତ୍ତନ ଘଟି ଏହି ଚିରାଚରିତ ପଦ୍ଧତି ବସ୍ତୁତଃ ଅକାମୀ ହୋଇଯାଇଛି। ଅରଣ୍ୟରୁ ପ୍ରତୀୟମାନ ପଦାର୍ଥ ଅମଳ ପରିବର୍ତ୍ତେ ଅଦୃଶ୍ୟ ଅମ୍ଳଜାନ ଯୋଗାଣକୁ ଏବେ ଅଗ୍ରାଧିକାର ଦିଆଗଲାଣି।
ସବୁ ଜଙ୍ଗଲର ସବୁଜ ସମ୍ପଦ ସମାନ ନୁହେଁ। ପ୍ରକାରଭେଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦ୍ଧତି ନିର୍ଦ୍ଧାରଣ କରାଯାଇଥାଏ। ଆମ ରାଜ୍ୟର ଜଙ୍ଗଲ ମୁଖ୍ୟତଃ ପାଞ୍ଚ ପ୍ରକାର। ବିଷୁବ ମଣ୍ଡଳୀୟ ଶୁଷ୍କ ପତ୍ରଝଡ଼ା (୫୪%), ବିଷୁବ ମଣ୍ଡଳୀୟ ଆର୍ଦ୍ର ପତ୍ରଝଡ଼ା (୩୮%), ସମୁଦ୍ର ତଟବର୍ତ୍ତୀ ସନ୍ତସନ୍ତିଆ (୧%), ବିଷୁବ ମଣ୍ଡଳୀୟ ଆଂଶିକ ହରିତ୍ (୦.୫%) ଓ ବୃକ୍ଷରୋପିତ ଅଂଚଳ (୬.୫%)। ବୃକ୍ଷର ଜାତି ଦୃଷ୍ଟିରୁ ପର୍ଯ୍ୟାୟଭୁକ୍ତ କଲେ ଜଙ୍ଗଲର ଭାଗ ହେବ: ମିଶ୍ରିତ ୪୬%, ଶାଳ ୪୩%, ବାଉଁଶ ୨% ଓ ଅନ୍ୟାନ୍ୟ ୮%। ଓଡ଼ିଶା ଆୟତନର ଏକ-ତୃତୀୟାଂଶରୁ ଅଧିକ ସ୍ଥାନରେ ଜଙ୍ଗଲ ରହିଛି। ତନ୍ମଧ୍ୟରୁ ମାତ୍ର ୧୪% ଅତି ଘଞ୍ଚ, ୪୦% ମଧ୍ୟମ ଘଞ୍ଚ ଓ ୪୬% ଖୋଲା ଜଙ୍ଗଲ। ଏହାବ୍ୟତୀତ ପ୍ରାୟ ୫୦୦୦ ବର୍ଗ କିଲୋମିଟର ଝାଟି ଅଞ୍ଜଳ ଅଛି ଯାହାକୁ ବନାଞ୍ଚଳରେ ପରିଣତ କରିବା ସହିତ ଜଙ୍ଗଲର ଘନତ୍ବ ଓ ଗୁଣବତ୍ତା ବୃଦ୍ଧି ବର୍ତ୍ତମାନ ପରିଚାଳନାର ପ୍ରତିବଦ୍ଧତା। ସବୁଜଗୃହ ଗ୍ୟାସ୍ର ଆହରଣ ଓ ଆବଦ୍ଧ କରି ଚଳିତ ଶତାଦ୍ଧୀ ଶେଷ ବେଳକୁ ବିଶ୍ବ ତାପମାତ୍ରା ବୃଦ୍ଧିକୁ ପ୍ରାକ୍ ଶିଳ୍ପାୟନ ତାପମାତ୍ରାଠାରୁ ୧.୫° ମଧ୍ୟରେ ସୀମିତ ରଖିବା ମଧ୍ୟ ଅପରିହାର୍ଯ୍ୟ। ଏ ଦିଗରେ ଅନେକ ପ୍ରତିବନ୍ଧ ରହିଛି। ବିସ୍ତୀର୍ଣ୍ଣ ଓ ବିକ୍ଷିପ୍ତ ବନାଞ୍ଚଳର ସୁରକ୍ଷା, ବନାଗ୍ନି, ବନ୍ୟଜନ୍ତୁ ଉପଦ୍ରବ, ଅନାବନା ଗଛଲତାର ଅନୁପ୍ରବେଶ, ଜନ୍ତୁ ଖାଦ୍ୟ ହ୍ରାସ ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାପ ଇତ୍ୟାଦି ସମସ୍ୟା ମଧ୍ୟରେ ହାତୀ-ମଣିଷ ସଂଘର୍ଷ ପ୍ରତିହତ ବଡ଼ ଆହ୍ବାନ। ତେଣୁ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ମାଧ୍ୟମରେ ପରିଚାଳନାର ଆଧୁନୀକରଣ ଅନିବାର୍ଯ୍ୟ।
ଉପଗ୍ରହ, ଡ୍ରୋନ୍ ଓ ମୋବାଇଲ୍ ଆପ୍ ଇତ୍ୟାଦି ମାଧ୍ୟମରେ ସ୍ଥିତି ସମୀକ୍ଷା, ନିରୀକ୍ଷଣ, ନିୟନ୍ତ୍ରଣ, ଆଗୁଆ ସତର୍କ ସୂଚନା, କ୍ଷତିପୂରଣ ପ୍ରଦାନ ଇତ୍ୟାଦି ଶୀଘ୍ର, ସହଜ ଓ ସଠିକ୍ ଭାବରେ ସମ୍ପାଦନ ହେଉଛି, ଯାହା ପରିଚାଳନା ପାରଦର୍ଶିତାର ପ୍ରତିଫଳନ। ଦ୍ରାଘିମା ଓ ଅକ୍ଷାଂଶ ସୂଚିତ ବନାଗ୍ନି ସ୍ଥାନ ଚିହ୍ନଟ ଅବିଳମ୍ବେ ହେଉଥିବାରୁ କ୍ଷିପ୍ର ଗତିରେ ନିଆଁଲିଭା କାମ ସମ୍ଭବ ହେଉଛି। ସେହିପରି ସମନ୍ବିତ ବନ୍ୟପ୍ରାଣୀ ପରିଚାଳନା ଯୋଜନା (ଆଇଡବ୍ୟୁଏଲ୍ଏମ୍ଏସ୍) ମାଧ୍ୟମରେ ହାତୀ ପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇ ମୋବାଇଲ୍ ଏସ୍ଏମ୍ଏସ୍ ଜରିଆରେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବାରୁ ମୃତାହତ ଆଶଙ୍କା ହ୍ରାସ ପାଉଛି। ଅନୁକମ୍ପା ଆପ୍ ଦ୍ବାରା କ୍ଷୟକ୍ଷତିର ନିର୍ଭୁଲ୍ ଆକଳନ କରାଯାଇ ଅନୁକମ୍ପା ରାଶି ବ୍ୟାଙ୍କ୍ ଖାତାରେ ଅବିଳମ୍ବେ ଜମା କରାଯାଇପାରୁଛି। ଅଗମ୍ୟ ଓ ଦୁର୍ଗମ ବନାଞ୍ଚଳରେ ଡ୍ରୋନ୍ ଦ୍ବାରା ମଞ୍ଜି ବିକ୍ଷେପ ଓ ଅନ୍ୟାନ୍ୟ ମଣିଷ ସାମର୍ଥ୍ୟ ବହିର୍ଭୂତ କାର୍ଯ୍ୟ ଅନାୟସରେ ସମ୍ଭବ। ପୋକସୁଙ୍ଗା, ନାଗଐରି, ପିତାଆଳୁ, ଲାଜକୁଳି ଲତା ଇତ୍ୟାଦି ଅନିଷ୍ଟକାରୀ ଝାଟିବୁଦା ଚିହ୍ନଟ କରାଯାଇ ମୂଳୋତ୍ପାଟନ କରାଯାଇପାରିବ।
ଆଧୁନିକ ଶୈଳୀରେ କାର୍ଯ୍ୟ ନିର୍ବାହ ଆଜିର ବାଧ୍ୟବାଧକତା। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ଆଗାମୀ ଦିନରେ ଏହା ବ୍ୟାପକ ଓ ବିସ୍ତାରିତ ହେବା ଅବଶ୍ୟମ୍ଭାବୀ। ଏଆଇ ଅନେକ ଅସାମହିତ ସମସ୍ୟାର ସମାଧାନର ସୂତ୍ର ହେବ ବୋଲି ବହୁ ବୈଜ୍ଞାନିକଙ୍କର ମତ। ଓଡ଼ିଶା ବନବିଭାଗ ଏଭଳି କେତେକ ଅତ୍ୟାଧୁନିକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହାର ଅଧିକ ପ୍ରୟୋଗ କରାଯିବା ଦରକାର। ବୈଷୟିକ ଓ ଯାନ୍ତ୍ରିକ ଆଧୁନିକୀକରଣ ସହିତ ବୃତ୍ତିଗତ ନିଷ୍ଠା ଓ ନିପୁଣତାର ସଂକଳ୍ପ ଧରିତ୍ରୀକୁ ସବୁଜ, ସୁସ୍ଥ ଓ ସବଳ କରିପାରିବ।
ମୋ: ୯୪୩୭୦୮୦୨୩୩
ଜଙ୍ଗଲ ପରିଚାଳନାର ଆଧୁନିକୀକରଣ
ଜିତଶତ୍ରୁ ମହାନ୍ତି