୨୦୨୪ ନିର୍ବାଚନ ଫଳାଫଳ ନିଜ ପକ୍ଷକୁ ନେବା ଲାଗି ଓଡ଼ିଶାରେ ବିଜେଡି-ବିଜେପି ଘମାଘୋଟ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦୁଇ ଦଳ ଭଳି କଂଗ୍ରେସ ଶିବିରରେ ଉଷ୍ମତା ନାହିଁ। ପଡ଼ୋଶୀ ତେଲେଙ୍ଗାନାରେ ଟିଆର୍ଏସ୍ ନେତୃତ୍ବାଧୀନ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ଦଳ ଯେଉଁ ମନୋବଳ ଗୋଟାଇଥିଲା, ତାହାକୁ ଆୟୁଧ କରି ଓଡ଼ିଶାରେ କଳଙ୍କି ଲାଗିଯାଇଥିବା ସଂଗଠନର ପୁନର୍ବିନ୍ୟାସ କରିବାରେ ନେତୃତ୍ବ ସଫଳ ହୋଇପାରିନାହାନ୍ତି। ଏପରିକି ରାହୁଳ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଚର୍ଚ୍ଚା ରାଜ୍ୟର ଅନ୍ୟ ପାର୍ଶ୍ବ ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ। ଏହାସତ୍ତ୍ବେ ନିର୍ବାଚନ ସମୟରେ ପ୍ରଚଣ୍ଡ ସ୍ବାଭିମାନୀ ପୁରୁଷ ମଧୁବାବୁଙ୍କ ଜନ୍ମସ୍ଥଳୀ ସାଲେପୁରକୁ ପୁଣି ଥରେ ନ୍ୟାୟ ଯାତ୍ରାରେ ଆସି ରାହୁଳ ଦଳୀୟ କର୍ମୀଙ୍କ ମନରେ ବଳ ଭରିବାକୁ ଚେଷ୍ଟା କରିଛନ୍ତି।
ରାଜ୍ୟ ରାଜନୀତିରେ କଂଗ୍ରେସ ସକ୍ରିୟ ନହେବା ଆଉ କାହାକୁ ଆଚମ୍ବିତ କରୁନାହିଁ। ହେଲେ ବୁଦ୍ଧିଜୀବୀ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗତ ପାଞ୍ଚ ବର୍ଷର ବିଜେଡି-ବିଜେପି ସଂପର୍କ ଏବଂ ଆଜି ଦିନରେ ଉଭୟଙ୍କର ନିର୍ବାଚନ ସଜବାଜ, ହୁଂକାର ଦେଖି ଅବଶ୍ୟ ଆମୋଦିତ ହେଉଥିବେ। ଏହାର କାରଣ ଗତ ପାଞ୍ଚ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରର କାର୍ଯ୍ୟଧାରାକୁ ଗଠନମୂଳକ ସମାଲୋଚନା କରିବା ତ ଦୂରର କଥା, କେହି କାହା ବିରୋଧରେ ଉଁ କି ଚୁଁ କହୁନଥିଲେ। ବରଂ ରାଜ୍ୟ ସରକାରଙ୍କ ପ୍ରଶଂସାରେ କେନ୍ଦ୍ର ଅନେକ ସମୟରେ ଶତମୁଖ ହୋଇପଡ଼ିବାର ନଜିର ରହିଛି। ବିଜେଡି ଏନ୍ଡିଏ ସରକାର ଠାରୁ ଦୂରରେ ଥିଲେ ବି ସବୁ ଦୁଃସ୍ଥିତିରେ ବିଜେପି ସରକାର ସହିତ ରହିଆସିଛି। ଅନ୍ୟ ଆଞ୍ଚଳିକ ଦଳ ଭଳି ବିଭିନ୍ନ ଆପରାଧିକ ମାମଲାରେ କେନ୍ଦ୍ର ଛନ୍ଦି ଦେବାର ଭୟ କିମ୍ବା ବିଜେପିର ଆବଶ୍ୟକତା ଅଥବା ଉଭୟ ଦଳର ବାଧ୍ୟବାଧକତା ମଧ୍ୟରୁ କେଉଁଟି ଏଥିପାଇଁ ଦାୟୀ, ତାହା ତର୍ଜମା ସାପେକ୍ଷ। ତଥାପି ଦୃଢ଼ତାର ସହିତ କୁହାଯାଇପାରିବ, ଉଭୟଙ୍କ ନିବିଡ଼ତା ଆଦୌ ଆକସ୍ମିକ ନଥିଲା, ବରଂ ତାହା ଯୋଜନାବଦ୍ଧ ରଣନୀତିର ଗୋଟିଏ ଅଂଶ।
କାରଣ ଏହି ସଂପର୍କର ଗୋଟିଏ ଚିତ୍ର ସବୁଦିନ ସମସ୍ତଙ୍କର ମନେ ରହିବ। ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ତତ୍କାଳୀନ ୫ଟି ସଚିବ ଭି କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ନିଭୃତ ଆଲୋଚନା କଲେ ଏବଂ ରାଜ୍ୟ ବିଜେପିର ଦିଗ୍ଗଜ ନେତାମାନେ ବାହାରେ ଅପେକ୍ଷା କରିବା ସହିତ କେବଳ ଏହି ମୁହୂର୍ତ୍ତର ସାକ୍ଷୀ ହୋଇରହିଲେ।
ଏ ସଂପର୍କର ଶେଷ ଦୃଶ୍ୟଟି ଥିଲା ଏହିଭଳି- ନିର୍ବାଚନ ତାରିଖ ଘୋଷଣା ପରେ ଯେବେ ଦେଶର ଅନ୍ୟ ସବୁ ରାଜନୈତିକ ଦଳ ପ୍ରତିପକ୍ଷଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଓଡ଼ିଶା ଶାସନରେ ଥିବା ବିଜେଡି ଏବଂ ପ୍ରମୁଖ ବିରୋଧୀ ବିଜେପି ପରସ୍ପରର ହାତ ଧରି ନିର୍ବାଚନ ଲଢ଼ିବା ପାଇଁ କସରତ ଚଳାଇଥିଲେ। କୌଣସି ଅଦୃଶ୍ୟ କାରଣବଶତଃ ଆଲୋଚନା ଆଗକୁ ବଢ଼ିପାରିଲା ନାହିଁ ଏବଂ ତଥାକଥିତ ଏହି ନୂଆ ସଂପର୍କର ଭ୍ରୂଣ ହତ୍ୟା ହେଲା। ଏଥିସହିତ ଉଭୟ ଦଳ ତଥା ଓଡ଼ିଶା ନିର୍ବାଚନ ଇତିହାସରେ ଲେଖାଯାଉଥିବା ଏକ କଳଙ୍କିତ ଅଧ୍ୟାୟ ଅଧାରେ ରହିଗଲା।
ଇତିମଧ୍ୟରେ କିନ୍ତୁ ଉଭୟ ରାଜନୈତିକ ଦଳ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ବିଜେପିର ଜାତୀୟ ନିର୍ବାଚନ ରଣନୀତିକାର କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶାର ପଶ୍ଚିମ ଭାଗରୁ ଦୁଇ ଦଶନ୍ଧିର ନବୀନ ପଟ୍ଟନାୟକ ସରକାରକୁ ଉପାଡ଼ି ଫିଙ୍ଗି ଦେବା ଲାଗି ଆହ୍ବାନ ଦେଇଛନ୍ତି। ଅଫିସରଙ୍କୁ ଭ୍ରଷ୍ଟାଚାରୀ ବୋଲି ଆକ୍ଷେପ କରିବା ସହିତ ଗତ ଦିନରେ ବିଜେପିର ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଭଳି ଶୁଭ କାମରେ ବିଜେଡି କିଭଳି କେଁ ପୂରାଇଥିଲା, ସେ ଖବର ତାଙ୍କ ପାଖେ ପହଞ୍ଚିଛି, ଏ କଥା ମଧ୍ୟ ଜଣାଇଦେବାକୁ ଭୁଲିନାହାନ୍ତି।
ସୋନପୁର ନିର୍ବାଚନୀ ସଭାରେ ଗର୍ଜନ ଏବଂ ରାଜ୍ୟ ନିର୍ବାଚନରେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ରାଜଧାନୀରେ ଦଳୀୟ ନେତାଙ୍କୁ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଗୋଟିଏ ବର୍ଗ ଦୃଢ଼ୋକ୍ତି ପ୍ରକାଶ କରନ୍ତି ଯେ ବିଜେଡି-ବିଜେପିର ମଧୁର ସଂପର୍କ ଏବେ ନିମ୍ବଠୁ ବି ଅଧିକ ପିତା। ଏହା ସତ୍ତ୍ବେ ବିଜେଡି ବା ନବୀନ ସରକାର ପ୍ରତି ବିଜେପିର କଠୋର ମନୋଭାବକୁ ନିନ୍ଦୁକମାନେ ସନ୍ଦେହ କରୁଛନ୍ତି। ଏପରିକି ଏଥରର ନିର୍ବାଚନୀ ଯୁଦ୍ଧକୁ କେହି କେହି ଛଦ୍ମ ଲଢ଼େଇ ବୋଲି ଅଭିହିତ କଲେଣି।
ଏମିତିରେ ବି ବିଜେପି ଭଳି ବିଜେଡି ଏଯାଏ ଆକ୍ରମଣାତ୍ମକ ମୁଦ୍ରାକୁ ଆସିନାହିଁ। କୌଣସି ଅଦୃଶ୍ୟ ଚାପରେ ହୁଏତ ବିଜେଡି ଗ୍ରସ୍ତ କିମ୍ବା ଅନ୍ୟ କେଉଁ କଥା ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ ଥାଇପାରେ। ଅଥବା ଯୋଜନାବଦ୍ଧ ଭାବେ ବିଜେପିର ଆକ୍ରମଣକୁ ତାପହୀନ କରିବା ଲାଗି ଏହା ଏକ କୌଶଳ। ଯେତିକି ଲକ୍ଷ୍ୟ କରାଯାଉଛି, ବିଜେଡିର ଶାଣିତ ଆକ୍ରମଣ କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସୀମିତ ରହିଛି; ଯାହାଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏଯାଏ ରାଜ୍ୟର ଚେହେରା ବା ନେତୃତ୍ବ ବୋଲି ଘୋଷଣା କରିନାହାନ୍ତି। ପରୋକ୍ଷରେ କହିଲେ, ଧର୍ମେନ୍ଦ୍ର ହିଁ ନବୀନ ପଟ୍ଟନାୟକଙ୍କ ବରାବର ଚେହେରା, ଏ କଥା ବିଜେପି ଅପେକ୍ଷା ବିଜେଡି ବେଶି ମାନୁଛି।
ସେହିଭଳି ଅମିତ ଶାହ ପାଞ୍ଚ ବର୍ଷ ଅନ୍ତରରେ ପୁଣି ଥରେ ଓଡ଼ିଶାରେ ଶାସନର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ସଂଗଠନ ବା ନେତୃତ୍ବ ଅଥବା କର୍ମକର୍ତ୍ତାଙ୍କ ସାମର୍ଥ୍ୟ ତାଙ୍କୁ ଏ ସାହସ ଦେଇଛି ଅଥବା ରାଜ୍ୟ ସରକାର ବିରୋଧୀ ହାୱା ସହିତ ମୋଦୀଙ୍କ ଲୋକପ୍ରିୟତା ଏହାର ଆଧାର, ତାହା ଏବେ ଠାରୁ ଆକଳନ କରିବା ମୁସ୍କିଲ୍। ତେବେ ଶାହଙ୍କ ତୁଣ୍ଡରେ ଏଥରର ‘ଡବଲ ଇଞ୍ଜିନ’ ସରକାରର ନାରା ସଙ୍କେତ ଦେଉଛି ଯେ ବିଜେଡି ବିରୋଧରେ ବଡ଼ ଲଢ଼େଇ ପାଇଁ ବିଜେପି ପ୍ରସ୍ତୁତ ହେଲାଣି। ପୂର୍ବ ଥର ଭଳି ଆକାଶରୁ ତୋଳି ଆଣିବା ଭଳି ସଂଖ୍ୟା ଗଣିତରୁ କେନ୍ଦ୍ରମନ୍ତ୍ରୀ ଦୂରେଇ ରହିଛନ୍ତି। ଅଥଚ ଭୁବନେଶ୍ବର ଛା଼ଡ଼ିବା ପୂର୍ବରୁ ବିଜେପି କ୍ଷମତାକୁ ଆସିବାର ମନ୍ତ୍ର ତୁଙ୍ଗ ନେତାମାନଙ୍କ କାନରେ ଫୁଙ୍କିବାକୁ ଭୁଲିନାହାନ୍ତି।
ବିଜେଡି କିନ୍ତୁ ରୋକଠୋକ୍ ଭାବେ ଶାହଙ୍କୁ ପ୍ରତିଜବାବ ଦେବା ଲାଗି ସାହସ କୁଳେଇପାରିନାହିଁ। ବରଂ ତାଙ୍କ ଗସ୍ତର ୩୬ ଘଣ୍ଟା ପରେ ଏ ପ୍ରସଙ୍ଗରେ ନିଜ ମତ ସ୍ପଷ୍ଟ କରିଛି। ଯେଉଁ ପଶ୍ଚିମ ଓଡ଼ିଶାରେ ଶାହ ବିଜେପିକୁ ରାଜ୍ୟରେ କ୍ଷମତା ଦେବା ଲାଗି ଲୋକଙ୍କୁ ପ୍ରବର୍ତ୍ତାଇଥିଲେ, ତା’ର ଅନତି ଦୂରରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କାହାର ନାମ ନନେଇ ମିଠା ଭାଷାରେ, ଅତ୍ୟନ୍ତ ମପାଚୁପା ଶବ୍ଦ ବ୍ୟବହାର କରି ତିର୍ଯ୍ୟକ୍ ବାଣ ମାରିଛନ୍ତି। ସିଧା ସିଧା ଲୋକଙ୍କୁ ପଚାରିଛନ୍ତି, ଯଦି ଡବଲ ଇଞ୍ଜିନ ଭଲ, ତେବେ ଛତିଶଗଡ଼ରେ କାହିଁକି ଇଞ୍ଜିନ ବଦଳୁଛି? ଦୃଢ଼ୋକ୍ତି ପ୍ରକାଶ କରି ଆହୁରି କହିଛନ୍ତି ଯେ ଓଡ଼ିଶାରେ ନବୀନ ବାବୁଙ୍କ ଇଞ୍ଜିନ ହିଁ କେବଳ ଚାଲିବ।
ଏଠାରେ ପ୍ରଣିଧାନଯୋଗ୍ୟ, ଲୋକସଭାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ହେଁ ବିଜେଡିର ପ୍ରାଥମିକତା ସବୁବେଳେ ବିଧାନସଭା ରହିଆସିଛି। ନବୀନ ଏଥର କିନ୍ତୁ ଶାହଙ୍କ ଗସ୍ତ ପୂର୍ବରୁ ନିଜ କୌଶଳରେ ପରିବର୍ତ୍ତନ ଆଣି ଯୋ଼ଡ଼ିଶଙ୍ଖରେ ଭୋଟ ଦେବା ଲାଗି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ନବୀନଙ୍କ ଏହି କୌଶଳକୁ ଆଦୌ ହାଲୁକା ଭାବେ ନିଆଯାଇପାରିବ ନାହିଁ ଏବଂ ଏହା ବିଜେଡିର ପରିବର୍ତ୍ତିତ ରଣନୀତିର ଅଂଶବିଶେଷ ବୋଲି ମଧ୍ୟ କୁହାଯାଇପାରେ। ଆହୁରି ସ୍ପଷ୍ଟ ଭାବେ କହିଲେ, ଏବେ ବି ବିଧାନସଭାରେ ଅଧିକ ଆସନ ଦଖଲ ହେଉଛି ବିଜେଡିର ଲକ୍ଷ୍ୟ। କିନ୍ତୁ ଅଧିକ ଲୋକସଭା ଆସନରେ ଜିତିବା ବିଜେଡି ପାଇଁ ମଧ୍ୟ ସେତିକି ଜରୁରି। ସମ୍ଭବତଃ ନବୀନ ବୁଝିପାରିଛନ୍ତି ଯେ ଲୋକସଭାରେ ବିଜେଡିର ସଂଖ୍ୟା କମିଲେ, ସଂସଦରେ ଦଳର ସ୍ବର ନିଷ୍ପ୍ରଭ ବା ଅପେକ୍ଷାକୃତ ପ୍ରଭାବହୀନ ହୋଇପଡ଼ିବ। ଆହୁରି ସରଳ ଭାବେ କହିଲେ, କେନ୍ଦ୍ରୀୟ ଅବହେଳାର ସ୍ଲୋଗାନ ଦେଇ ଗୋଟିଏ ସଶକ୍ତ ଆଞ୍ଚଳିକ ଦଳ ଭାବେ ମୁଣ୍ଡ ଟେକିଥିବା ବିଜେଡି ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରସଙ୍ଗବିହୀନ ହୋଇଯାଇପାରେ। କେବଳ ସେତିକି ନୁହେଁ, ଜାତୀୟ ରାଜନୀତିରେ ସଙ୍କୁଚିତ ହୋଇଯିବାର ଡର ମଧ୍ୟ ତା’ଠାରୁ ଅଧିକ ରହିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ବିଜେଡିକୁ ଆଦୌ ଗୁରୁତ୍ବ ଦେଇ ନ ପାରନ୍ତି। ଅତଏବ କେନ୍ଦ୍ରରେ ରାଜନୈତିକ ଦଳମାନଙ୍କୁ ଚାପରେ ରଖିବାକୁ ହେଲେ ବିଧାନସଭାରେ ଭଲ ସଂଖ୍ୟାରେ ଜିତିବା ସହିତ ସଂସଦକୁ ଅଧିକ ସାଂସଦ ପଠାଇବା ବିଜେଡି ପାଇଁ ଏବେ ବାଧ୍ୟବାଧକତା ହୋଇପଡ଼ିଛି। ତେବେ ବିଜେପିର ଡବଲ ଇଞ୍ଜିନ କି ବିଜେଡିର ନବୀନ ଇଞ୍ଜିନ; ଏସବୁ ଆଲୋଚନାର ଅବକାଶ ରଖେନାହିଁ। ସେହିଭଳି ଉତ୍ତମ ଶାସନର ମଡେଲ୍, ବିକାଶ, ରାଜ୍ୟ ସ୍ବାର୍ଥ ଓ ସ୍ବାଭିମାନ, ଅସ୍ମିତାର ସୁରକ୍ଷା; ଏସବୁ କାନକୁ ଭଲ ଶୁଭୁଥିବା ଗୋଟିଏ ଗୋଟିଏ ଶବ୍ଦ। ମାତ୍ର ସୁଯୋଗ୍ୟ ନେତୃତ୍ବ ଚୟନ ପ୍ରଥମ ମାପକାଠି ହେବା ଦରକାର। ଅନ୍ୟଥା, ଏସବୁ ନିରର୍ଥକ। ଏଣୁ ରାଜ୍ୟର ସବୁ ସଚେତନ ନାଗରିକଙ୍କ ପାଇଁ ଯେଉଁ କଥାଟି ବିଶେଷ ମହତ୍ତ୍ବ ରଖୁଛି, ତାହା ହେଲା ଉଭୟ ସଂସଦ ବା ବିଧାନସଭାକୁ ଅଧିକରୁ ଅଧିକ ଦକ୍ଷ ଓ ସ୍ବାଭିମାନୀ ନେତୃତ୍ବ ପଠାଇବାର ବେଳ ଆସିଛି। ଗଲା ରବିବାର ଦିନ ମଧୁବାବୁଙ୍କ ଜନ୍ମ ଦିନ ସ୍ବାଭିମାନ ଦିବସ ଭାବେ ପାଳିତ ହୋଇଯାଇଛି। ଏବଂ ଏହି ସ୍ତମ୍ଭ ଲେଖିବା ବେଳେ ଜଣେ ସାଧାରଣ ନାଗରିକ ହିସାବରେ ଏହି କଥାଟି ମନକୁ ବାରମ୍ବାର ଆନ୍ଦୋଳିତ କରୁଛି।
ଗୋଟିଏ ଦୁଇଟି ଉଦାହରଣ ନେଲେ ଏ କଥା ଯେ କେହି ପ୍ରାଞ୍ଜଳ ଭାବେ ବୁଝିପାରିବେ। ସଂପ୍ରତି ଓଡ଼ିଶାରେ ଦାରିଦ୍ର୍ୟ, ଅନାହାର ମୃତ୍ୟୁ ଭଳି ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରୁନାହାନ୍ତି କିମ୍ବା ସଂସଦ ଅଥବା ବିଧାନସଭାରେ ପୂର୍ବ ଭଳି କୋଳାହଳ ନାହିଁ। ହେଲେ ଏହା ଠାରୁ ଅଧିକ ସାଂଘାତିକ ପ୍ରସଙ୍ଗ ସାମ୍ନାକୁ ଆସିଲାଣି, ଯାହା ଅଧିକ ଯନ୍ତ୍ରଣାଦାୟକ; ଯେମିତି କି ଅପପୁଷ୍ଟି, ନିରକ୍ଷରତା, ଡ୍ରପ ଆଉଟ୍ ହାର ବୃଦ୍ଧି ଠାରୁ ଆରମ୍ଭ କରି ଦାଦନ ସମସ୍ୟା ଇତ୍ୟାଦି। ଆସନ୍ତା କେଇ ବର୍ଷ ଭିତରେ ଏହା ଓଡ଼ିଶାର ସବୁ ଅଞ୍ଚଳକୁ ଛୁଇଁ ସାରିଥିବ। ଏଣୁ ସ୍ବାଭାବିକ ଭାବେ ରାଜନୈତିକ ଦଳର ଇଞ୍ଜିନ ଯେତେ ଅଶ୍ବଶକ୍ତିବିଶିଷ୍ଟ ହେଉ ନା କାହିଁକି, ଇଞ୍ଜିନକୁ ପରିଚାଳନା କରିବା ପାଇଁ ନିଯୁକ୍ତ ‘ଲୋକୋ-ପାଇଲଟ୍’ ପାଖରେ ଏସବୁକୁ ଆୟତ୍ତ କରିବାର ଦକ୍ଷତା ରହିବା ବାଞ୍ଚନୀୟ। ଅତଏବ ସ୍ଥାନୀୟ ଲୋକ ପ୍ରତିନିଧି ରାଜ୍ୟକୁ ଭଲପାଇବା ଯେତିକି ଜରୁରି, ତାଙ୍କ ଠାରେ ରାଜନୈତିକ ଇଚ୍ଛାଶକ୍ତି, ନିଷ୍ଠା, ପ୍ରତିବଦ୍ଧତା ସେତିକି ପରିମାଣରେ ଖୁନ୍ଦି ହୋଇରହିଥିବା ଦରକାର।
କିନ୍ତୁ ଏ କଥା କେହି ଅସ୍ବୀକାର କରିବେ ନାହିଁ ଯେ ରାଜନୈତିକ ଦଳର ଛତ୍ରଛାୟା ତଳେ ଉଭା ହେଉଥିବା ନେତୃତ୍ବ ପାଖରେ ଇଚ୍ଛାଶକ୍ତି ଯେ କେବଳ ନିଅଣ୍ଟ ତା’ ନୁହେଁ, ସଂକଳ୍ପର ଅଭାବ ଏବଂ ବୌଦ୍ଧିକ ଦେବାଳିଆପଣ ବି ଜଳଜଳ। ଏପଟେ ରାଜନୀତିରେ ଆଉ ସେବାର ମହକ ନାହିଁ। ବରଂ ପ୍ରତି ଦଳର କାର୍ପଟଦାରମାନଙ୍କୁ ତୁଷ୍ଟୀକରଣ କରୁଥିବା ଅଧିକାଂଶ ବ୍ୟକ୍ତି ହିଁ ନେତୃତ୍ବର ପୁରୋଭାଗରେ ଅଛନ୍ତି।
ଏଣୁୁ ବେଳ ଥାଉ ଥାଉ ରାଜନୈତିକ ଦଳ ଏ ନେଇ ସତର୍କ ହେବା ବିଧେୟ। କେହି ଭୁଲିଯିବା ଉଚିତ ନୁହେଁ ଯେ ଇଞ୍ଜିନ ଶକ୍ତିଶାଳୀ ହୋଇପାରେ, କିନ୍ତୁ ଅପେକ୍ଷାକୃତ ଦୁର୍ବଳ ନେତୃତ୍ବକୁ ନେଇ ଲମ୍ବା ଯାତ୍ରା ଆଦୌ ସମ୍ଭବ ନୁହେଁ। ଅନ୍ୟଥା ସରକାରମାନେ ବାରମ୍ବାର ନିର୍ବାଚିତ ହୋଇପାରନ୍ତି, ହେଲେ ଯଶସ୍ବୀ ହୋଇପାରିବେ ନାହିଁ।
ମୋ: ୯୯୩୭୪୭୪୨୭୪
ମଞ୍ଜ କଥା: ଡବଲ ଇଞ୍ଜିନ ବନାମ ନବୀନ ଇଞ୍ଜିନ
ଭବାନୀ ଶଙ୍କର ତ୍ରିପାଠୀ