ଏହି ଆସନ୍ନ ସଂକଟର ମୁକାବିଲା କରିବାର ଏକମାତ୍ର ଉପାୟ େହଉଛି ଦେଶର ଜନସଂଖ୍ୟାରେ ଯେଉଁ ଯୁବଶକ୍ତି ବର୍ତ୍ତମାନ ଉପଲବ୍ଧ ଅଛି, ତାହାର ସଂପୂର୍ଣ୍ଣ ସଦୁପଯୋଗ କରି ଭବିଷ୍ୟତ ପାଇଁ ସର୍ବାଧିକ ସଂପଦ ଉତ୍ପନ୍ନ କରିବା। ଭାରତର ଜନସଂଖ୍ୟାର ୬୫ ଶତାଂଶଙ୍କ ବୟସ ଏବେ ୩୫ ବର୍ଷରୁ କମ୍ ହୋଇଥିବାରୁ ଆମ ପାଖରେ ବର୍ତ୍ତମାନ େଯଉଁ ଉଦ୍ଦାମ ଯୁବଶକ୍ତି ଉପଲବ୍ଧ ଅଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ତାଲିମ ଓ ସ୍ବାସ୍ଥ୍ୟସେବା ଯୋଗାଇ ସେମାନଙ୍କର ଉତ୍ପାଦନଶୀଳତାରେ ଚମକପ୍ରଦ ଉନ୍ନତି ହାସଲ କରାଯାଇ ପାରିବ। ଦୁର୍ଭାଗ୍ୟ କ୍ରମେ ଭାରତରେ ନାରୀମାନଙ୍କର କାର୍ଯ୍ୟକ୍ଷେତ୍ରରେ ଅଂଶଗ୍ରହଣ ଅନୁପାତ ଅତ୍ୟନ୍ତ ନୀଚା ସ୍ତରରେ ରହିଛି। ସେ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକମାନ ଦୂର କରାଯାଇ ଅଧିକ ସଂଖ୍ୟକ ମହିଳାମାନଙ୍କୁ କର୍ମକ୍ଷେତ୍ରକୁ ଆକର୍ଷିତ କରାଗଲେ ଆମର ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ରେ ଯେଉଁ ନଭଶ୍ଚୁମ୍ବୀ ବୃଦ୍ଧି ଘଟନ୍ତା, ତାହା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ବେଶ୍ ସହାୟକ ହୁଅନ୍ତା।
“ଅର୍ଥନୀତି ଲାଭ ଉପରେ ପ୍ରତିଷ୍ଠିତ ହୋଇଥାଏ; ଏବଂ ପ୍ରକୃତ ପକ୍ଷେ ସମଗ୍ର ସଭ୍ୟତା ଲାଭର ଶାସନାଧୀନ ହୋଇଥାଏ। କର୍ମକ୍ଷମ ମନୁଷ୍ୟମାନେ ସେ ପର୍ଯ୍ୟନ୍ତ ଆଦର ଲାଭ କରିଥାନ୍ତି, ଯେ ପର୍ଯ୍ୟନ୍ତ ସେମାନେ ଲାଭପ୍ରଦ ହୋଇଥାନ୍ତି। ଯେତେବେଳେ ସେମାନେ ଆଉ ଲାଭପ୍ରଦ ହୁଅନ୍ତି ନାହିଁ, ସେମାନଙ୍କୁ ଫିଙ୍ଗି ଦିଆଯାଇଥାଏ।” ବର୍ତ୍ତମାନର ଏକ ବହୁଚର୍ଚ୍ଚିତ ଅଭିବ୍ୟକ୍ତି, ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ବା ‘ଜନସଂଖ୍ୟାଗତ ଲାଭ’ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସଂଗ୍ରହ କରିବା ପାଇଁ ବିଂଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ଦାର୍ଶନିକା ସିମନ୍ ଡି ବିଭ୍ବାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି କମିଙ୍ଗ୍ ଅଫ୍ ଏଜ୍’ରୁ ଉଦ୍ଧାର କରାଯାଇଥିବା ତାଙ୍କର ଉପରୋକ୍ତ ମନ୍ତବ୍ୟ ଯେଉଁଭଳି ଉପଯୋଗୀ ହୋଇଥାଏ, ବୋଧହୁଏ ଅାଉ କିଛି ସେଭଳି ହୋଇ ନଥାଏ।
ସଂକ୍ଷେପରେ କହିଲେ, ଯେଉଁ ଦେଶର ଜନସଂଖ୍ୟାରେ କର୍ମକ୍ଷମ ଉତ୍ପାଦନଶୀଳ ସଦସ୍ୟମାନଙ୍କର ଅନୁପାତ ଅଧିକ ହୋଇଥାଏ, ସେ ଦେଶ ଅଧିକ ‘ଜନସଂଖ୍ୟାଗତ ଲାଭ’ ଉପଭୋଗ କରିଥାଏ; କାରଣ ଏହି କର୍ମକ୍ଷମ ଲୋକମାନଙ୍କ ଦ୍ବାରା ଅଧିକ ପରିମାଣର ଓ ଅଧିକ ପ୍ରକାରର ଦ୍ରବ୍ୟ ଓ ସେବା ଆଦିର ଉତ୍ପାଦନ ସମ୍ଭବ ହୋଇଥାଏ। ସାଧାରଣତଃ ଏକ ଜନସଂଖ୍ୟାର ଯେଉଁ ଅଂଶକୁ କର୍ମକ୍ଷମ ବା ଉତ୍ପାଦନଶୀଳ ରୂପେ ବିଚାର କରାଯାଇଥାଏ, ତାହା ହେଉଛି ୧୫ରୁ ୫୯ ବର୍ଷ ବୟସ ସୀମା ମଧ୍ୟରେ ଥିବା ନାରୀ ଓ ପୁରୁଷମାନଙ୍କର ସଂଖ୍ୟା। ଏହି ସୀମା ତଳେ ଥିବା ନାବାଳକମାନେ ଉତ୍ପାଦନଶୀଳ ହେବାକୁ ଆରମ୍ଭ କରି ନଥାନ୍ତି ଏବଂ ଏହି ସୀମା ଅତିକ୍ରମ କରି ବାର୍ଦ୍ଧକ୍ୟରେ ପ୍ରବେଶ କରି ସାରିଥିବା ବ୍ୟକ୍ତିମାନେ ସେମାନଙ୍କର ଉତ୍ପାଦନ କ୍ଷମତା ହରାଇ ସାରିଥାନ୍ତି ବୋଲି ବିଶ୍ବାସ କରାଯାଇଥାଏ। ଅନ୍ୟ ଭାବରେ କହିଲେ, ଯେଉଁ ଦେଶର ଜନସଂଖ୍ୟାରେ ଯୁବ ପିଢ଼ିର ଅାକାର ହେଉଛି ଅପେକ୍ଷାକୃତ ବୃହତ୍ତର, ସେ ଦେଶକୁ ଅଧିକ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଉପଲବ୍ଧ ହୋଇଥାଏ।
ଆଜିର ପୃଥିବୀରେ ଇଉରୋପୀୟ ଦେଶମାନଙ୍କରୁ ଆରମ୍ଭ କରି, ଜାପାନ, ଦକ୍ଷିଣ କୋରିଆ ଓ ଏପରିକି ଅଳ୍ପ ଦିନ ତଳ ପର୍ଯ୍ୟନ୍ତ ପୃଥିବୀର ସର୍ବାଧିକ ଜନସଂଖ୍ୟାର ଆବାସ ସ୍ଥଳୀ ହୋଇ ଆସିଥିବା ଚୀନ୍ ପର୍ଯ୍ୟନ୍ତ ଦେଶମାନେ ଏବେ ଏକ ଦ୍ରୁତ ହ୍ରାସମାନ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ଉତ୍ପନ୍ନକାରୀ ପରିସ୍ଥିତିର ସମ୍ମୁଖୀନ ହେବା ଦେଖାଯାଇଛି। ଏହାର କାରଣ ହେଉଛି ସେ ସବୁ ଦେଶମାନଙ୍କରେ ‘ଟୋଟାଲ୍ ଫର୍ଟିଲିଟି ରେଟ୍’ ବା ଜନ୍ମ ହାରରେ ଘଟି ଚାଲିଥିବା ତୀକ୍ଷ୍ଣ ହ୍ରାସ। ଏଥି ସହିତ ମିଳିତ ହୋଇଛି ସେ ଦେଶରେ ଲୋକମାନଙ୍କର ହାରାହାରି ଆୟୁଷରେ ଘଟି ଚାଲିଥିବା ବୃଦ୍ଧି, ଯାହା ଫଳରେ ଜନସଂଖ୍ୟାରେ ଉତ୍ପାଦନଶୀଳ ଯୁବପିଢ଼ିର ଅନୁପାତ ସଂକୁଚିତ ହୋଇ ଚାଲିଥିବା ବେଳେ ସେମାନଙ୍କ ଉପରେ ନିର୍ଭର କରୁଥିବା ଜରାଗ୍ରସ୍ତ ପିଢ଼ିର ଅନୁପାତରେ ବୃଦ୍ଧି ଘଟି ଚାଲିଛି।
ଏହି ଦୃଷ୍ଟିରୁ ସମସ୍ତେ ସ୍ବୀକାର କରୁଛନ୍ତି ଯେ ଭାରତ ବର୍ତ୍ତମାନ ଏକ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ନିକଟରେ ଭାରତରେ ମଧ୍ୟ ‘ଟୋଟାଲ୍ ଫର୍ଟିଲିଟି ରେଟ୍’ରେ ସ୍ଖଳନ ଘଟିବା ଆରମ୍ଭ ହୋଇଥିଲେ ହେଁ, ଅତୀତରେ ଏଠାରେ ବିରାଜମାନ ଥିବା ଉଚ୍ଚ ଜନ୍ମ ହାର ଯୋଗୁଁ ଭାରତର ଜନସଂଖ୍ୟାରେ ଅାଗାମୀ କେତେ ବର୍ଷ ଧରି ଉତ୍ପାଦନଶୀଳ ପିଢ଼ିର ଲାଭପ୍ରଦ ଉପସ୍ଥିତି ଅନୁଭୂତ ହୋଇ ଚାଲିବ। ଏକ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଭାରତରେ କର୍ମକ୍ଷମ ଜନସଂଖ୍ୟାର ଆକାର ୧୦୪ କୋଟି ଛୁଇଁବାକୁ ଯାଉଛି, ଯାହା ହେବ ମୋଟ ଜନସଂଖ୍ୟାର ପ୍ରାୟ ୬୯ ଶତାଂଶ। ଏଥିସହିତ ତାଳ ଦେଇ ସେଇ ସମୟରେ ଦେଶର ମୋଟ ଜନସଂଖ୍ୟାରେ ୧୫ ବର୍ଷ ବୟସରୁ କମ୍ ପିଲା ଓ ୫୯ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାମାନଙ୍କର ମିଳିତ ସଂଖ୍ୟାର ଅନୁପାତରେ ହ୍ରାସ ଘଟି ତାହା ପ୍ରାୟ ୩୧ ଶତାଂଶରେ ପହଞ୍ଚିଥିବ, ଯାହା ହେଉଛି ଭାରତର ଜନସଂଖ୍ୟାର ଲିପିବଦ୍ଧ ଇତିହାସରେ ସର୍ବନିମ୍ନ। ଭାରତ ପୃଥିବୀର ବୃହତ୍ତମ ମାନବ ସମ୍ବଳ ଯୋଗାଣକାରୀ ଦେଶ ରୂପେ ବିବେଚିତ ହୋଇ ଚାଲିବ।
ଏହି ପୃଷ୍ଠଭୂମିରେ ମିଳିତ ଜାତିସଂଘର ଜନସଂଖ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ‘ୟୁଏନ୍ପିଏଫ୍’ ଏବଂ ‘ଇଣ୍ଟର୍ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ପପୁଲେସନ୍ ସାଇନ୍ସେସ୍’ ଦ୍ବାରା ଭାରତୀୟ ଜନସଂଖ୍ୟାର ବୟସ ବୃଦ୍ଧି ସଂପର୍କିତ ଏକ ସଦ୍ୟ ପ୍ରକାଶିତ ରିପୋର୍ଟ- ‘ଇଣ୍ଡିଆ ଏଜିଙ୍ଗ୍ ରିପୋର୍ଟ ୨୦୨୩’ ଏକ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଏହା ଅନୁସାରେ ୨୦୨୨ରେ ଭାରତର ଜନସଂଖ୍ୟାରେ ୬୦ ବର୍ଷ ଓ ତହିଁରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କ ସଂଖ୍ୟାର ଅନୁପାତ ୧୦.୫ ଶତାଂଶ ଥିବା ବେଳେ, ୨୦୫୦ ବେଳକୁ ତାହା ପ୍ରାୟ ଦ୍ବିଗୁଣିତ ହୋଇ ୨୦ ଶତାଂଶରେ ପହଞ୍ଚିଥିବ ବୋଲି ଅନୁମାନ କରାଯାଉଛି।
ବୃଦ୍ଧବୃଦ୍ଧାଙ୍କର ସଂଖ୍ୟାରେ ଏହି ବୃଦ୍ଧିର ଏକ ବିଶେଷ ଅସ୍ବସ୍ତିକର ଦିଗ ସ୍ବରୂପ ୨୦୫୦ ପୂର୍ବରୁ ଦେଶର ଜନସଂଖ୍ୟାରେ ଏହି ପକ୍ବକେଶଧାରୀ/ଧାରିଣୀମାନଙ୍କର ସଂଖ୍ୟା ୦-୧୪ ବର୍ଷ ବୟସର ପିଲାମାନଙ୍କ ସଂଖ୍ୟାକୁ ଅତିକ୍ରମ କରି ଯାଇଥିବ। ସେତିକି ନୁେହଁ, ସେଇ ସମୟକୁ ଜନସଂଖ୍ୟାରେ ୧୫-୫୯ ବର୍ଷ ବୟସର କର୍ମକ୍ଷମ ସଦସ୍ୟମାନଙ୍କର ଅନୁପାତ ମଧ୍ୟ ହ୍ରାସ ପାଇବା ଦେଖାଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାର ଅର୍ଥ ଭାରତ ବର୍ତ୍ତମାନ ଉପଭୋଗ କରୁଥିବା ‘ଜନସଂଖ୍ୟାଗତ ଲାଭ’ ଶତାବ୍ଦୀର ମଧ୍ୟ ସ୍ଥଳରେ ଆମେ ପହଞ୍ଚିବା ବେଳକୁ ଉଭାନ ହେବା ଆରମ୍ଭ କରିବ; ଡି ବିଭ୍ବା ବ୍ୟଙ୍ଗ କରିଥିବା ଭଳି ଜନସଂଖ୍ୟାରେ ଲାଭହୀନ ଅଲୋଡ଼ା ସଦସ୍ୟମାନଙ୍କ ଉପସ୍ଥିତିରେ ବୃଦ୍ଧି ଘଟି ଚାଲିବ।
ରିପୋର୍ଟ୍ଟି ଆମ ପାଇଁ ତେଣୁ ଏକ ସତର୍କ ସୂଚନା ଭଳି ହୋଇଥାଏ। ମନେ ରଖିବା କଥା ରିପୋର୍ଟ ଅନୁସାରେ ଏହି ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ୪୦ ଶତାଂଶରୁ ଅଧିକ ହେଉଛନ୍ତି ଦେଶର ସଂପଦ ବଣ୍ଟନ ତାଲିକାର ସର୍ବନିମ୍ନ ପଞ୍ଚମାଂଶର ଅଂଶ, ଯେଉଁମାନେ ବଞ୍ଚି ରହିବା ପାଇଁ ସଂପୂର୍ଣ୍ଣ ରୂେପ ଅନ୍ୟ ଉପରେ ନିର୍ଭର କରିଥାନ୍ତି। ଏମିତିରେ ପ୍ରତ୍ୟକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ, ଜନସଂଖ୍ୟାର ଅନୁତ୍ପାଦକ ସଦସ୍ୟମାନଙ୍କର ଜୀବନଧାରଣର ଦାୟିତ୍ବ ଉତ୍ପାଦନଶୀଳ ସଦସ୍ୟମାନଙ୍କୁ ବହନ କରିବାକୁ ପଡ଼ିଥାଏ, ରିପୋର୍ଟ ଅନୁସାରେ ମଧ୍ୟ-ଶତାବ୍ଦୀ ବେଳକୁ ଜନସଂଖ୍ୟାରେ ଯେଉଁମାନଙ୍କର ଅନୁପାତ ହ୍ରାସ ପାଇବାକୁ ଆରମ୍ଭ କରିଥିବ।
ଏହି ଆସନ୍ନ ସଂକଟର ମୁକାବିଲା କରିବାର ଏକମାତ୍ର ଉପାୟ େହଉଛି ଦେଶର ଜନସଂଖ୍ୟାରେ ଯେଉଁ ଯୁବଶକ୍ତି ବର୍ତ୍ତମାନ ଉପଲବ୍ଧ ଅଛି, ତାହାର ସଂପୂର୍ଣ୍ଣ ସଦୁପଯୋଗ କରି ଭବିଷ୍ୟତ ପାଇଁ ସର୍ବାଧିକ ସଂପଦ ଉତ୍ପନ୍ନ କରିବା। ଭାରତର ଜନସଂଖ୍ୟାର ୬୫ ଶତାଂଶଙ୍କ ବୟସ ଏବେ ୩୫ ବର୍ଷରୁ କମ୍ ହୋଇଥିବାରୁ ଆମ ପାଖରେ ବର୍ତ୍ତମାନ େଯଉଁ ଉଦ୍ଦାମ ଯୁବଶକ୍ତି ଉପଲବ୍ଧ ଅଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ତାଲିମ ଓ ସ୍ବାସ୍ଥ୍ୟସେବା ଯୋଗାଇ ସେମାନଙ୍କର ଉତ୍ପାଦନଶୀଳତାରେ ଚମକପ୍ରଦ ଉନ୍ନତି ହାସଲ କରାଯାଇ ପାରିବ। ଦୁର୍ଭାଗ୍ୟ କ୍ରମେ ଭାରତରେ ନାରୀମାନଙ୍କର କାର୍ଯ୍ୟକ୍ଷେତ୍ରରେ ଅଂଶଗ୍ରହଣ ଅନୁପାତ ଅତ୍ୟନ୍ତ ନୀଚା ସ୍ତରରେ ରହିଛି। ସେ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକମାନ ଦୂର କରାଯାଇ ଅଧିକ ସଂଖ୍ୟକ ମହିଳାମାନଙ୍କୁ କର୍ମକ୍ଷେତ୍ରକୁ ଆକର୍ଷିତ କରାଗଲେ ଆମର ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍ରେ ଯେଉଁ ନଭଶ୍ଚୁମ୍ବୀ ବୃଦ୍ଧି ଘଟନ୍ତା, ତାହା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ବେଶ୍ ସହାୟକ ହୁଅନ୍ତା। ଏଥିପାଇଁ ଡି ବିଭ୍ବା କହିଥିବା ଭଳି ନାରୀମାନଙ୍କୁ ‘ଦ୍ବିତୀୟ ଲିଙ୍ଗ’ ରୂପକ ଯନ୍ତାରୁ ମୁକୁଳି ପୁରୁଷଙ୍କ ସହିତ ସମାନ ‘ପ୍ରଥମ ଲିଙ୍ଗ’ରେ ପରିଣତ ହେବାକୁ ପଡ଼ିବ- ଯାହା ନିଶ୍ଚିତ କରିବାର ଦାୟିତ୍ବ ହେଉଛି ଭାରତୀୟ ସମାଜର ଓ ସରକାରର।