ଊନବିଂଶ ଶତାବ୍ଦୀର ମହାନ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚା ଆଧୁନିକ କର୍ମଜୀବୀ ମନୁଷ୍ୟର ଜୀବନଶୈଳୀକୁ ଏକ ଦାସସୁଲଭ ଜୀବନଶୈଳୀ ରୂପେ ନାପସନ୍ଦ କରୁଥିଲେ। ସେ ପ୍ରାଚୀନ ଗ୍ରୀକ୍ମାନଙ୍କୁ ପ୍ରଶଂସା କରୁଥିଲେ ଯେଉଁମାନେ ଖୋଲାଖୋଲି ଭାବରେ ଶ୍ରମକୁ ସମ୍ମାନହାନିକାରକ ରୂପେ ଘୋଷଣା କରିଥିଲେ। ସେ ଅବଶ୍ୟ ବଞ୍ଚି ରହିବା ପାଇଁ ଶ୍ରମର ଆବଶ୍ୟକତା ହୃଦୟଙ୍ଗମ କରି କହିଥିଲେ: ‘‘ଶ୍ରମ ହେଉଛି ବଞ୍ଚିବାର ଏକ ଯନ୍ତ୍ରଣାଦାୟକ ଉପାୟ।’’ ଶ୍ରମରୁ ମୁକ୍ତି ପାଇପାରୁନଥିବା ଆଧୁନିକ ମନୁଷ୍ୟ କିନ୍ତୁ ଏହି ଦାସତ୍ବର ଲଜ୍ଜାରୁ ମୁକ୍ତି ପାଇବାର ଏକ ବାଟ ବାହାର କରିଛି ବୋଲି ନିଚା କହୁଥିଲେ, ଯାହା ଥିଲା ତାଙ୍କ ମତରେ ଏକ ଆତ୍ମପ୍ରବଞ୍ଚନା ମାତ୍ର। ୧୮୭୧ରେ ପ୍ରକାଶିତ ତାଙ୍କର ରଚନା ‘ଦି ଗ୍ରୀକ୍ ଷ୍ଟେଟ୍’ରେ ଏହି ବାଟ ବିଷୟରେ ନିଚା ଯେଉଁ ବିସ୍ତାରିତ ବର୍ଣ୍ଣନା କରିଥିଲେ ତାହା ହେଉଛି ସଂକ୍ଷେପରେ ଆଧୁନିକ ମନୁଷ୍ୟ ଉଦ୍ଭାବନ କରିଥିବା ଏହି ଦୁଇଟି ଅଭିବ୍ୟକ୍ତି ଉପରେ କେନ୍ଦ୍ରୀଭୂତ: ‘‘ମନୁଷ୍ୟର ମର୍ଯ୍ୟାଦା’’ ଓ ‘‘ଶ୍ରମର ମର୍ଯ୍ୟାଦା’’। ଆମେମାନେ ଏହାର ଅନ୍ୟ ଏକ ସଂସ୍କରଣ ସହିତ ସୁପରିଚିତ: ‘କର୍ମ ହିଁ ଈଶ୍ବର ଆରାଧନା’। ନିଚାଙ୍କର ଏହି ଶ୍ରମତତ୍ତ୍ବର ସରଳ ଅର୍ଥ ହେଲା ଏହା ଯେ, କେହି ହେଲେ କାମ କରିବାକୁ ଭଲ ପାଇନଥାନ୍ତି, ସମସ୍ତେ ବାଧ୍ୟ ହୋଇ କାମ କରିଥାନ୍ତି।
୨୦୧୧େର ଟାଟା ଗ୍ରୁପ୍ର ତତ୍କାଳୀନ ଚେଆର୍ମ୍ୟାନ୍ ରତନ ଟାଟା ତାଙ୍କର ବ୍ରିଟେନ୍ ଗସ୍ତ ସମୟରେ ସେଠାରେ ଯେତେବେଳେ ଶ୍ରମ ପ୍ରତି ମନୁଷ୍ୟର ଏହି ନିଚାସୁଲଭ ଆଭିମୁଖ୍ୟ ସହିତ ମୁହାଁମୁହିଁ ହୋଇ ଯାଇଥିଲେ, ସେତେବେଳେ ସେ ହତଭମ୍ଭ ହୋଇ ଦେଇପକାଇଥିବା ମନ୍ତବ୍ୟ ସେଠାକାର ଶିଳ୍ପ ବ୍ୟବସାୟ ଓ ଶ୍ରମିକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଟାଟା କମ୍ପାନି ୨୦୦୬ରେ ବ୍ରିଟିସ୍ ଇସ୍ପାତ ନିର୍ମାତା ‘କୋରସ୍’ ଓ ୨୦୦୮ରେ ବ୍ରିଟିସ୍ ମଟରଗାଡ଼ି ନିର୍ମାତା ‘ଜାଗୁଆର୍ ଲ୍ୟାଣ୍ଡ ରୋଭର’କୁ କ୍ରୟ କରିଥିଲା। ଏହାପରେ ରତନ ଟାଟା ଅନୁଭବ କେଲ ଯେ ବ୍ରିଟେନ୍ରେ ଥିବା ଏ ଦୁଇ କମ୍ପାନିର କର୍ମଚାରୀମାନେ ପରିଶ୍ରମ କରିବା ପାଇଁ ଆଦୌ ଆଗ୍ରହୀ ନୁହନ୍ତି। ୨୦୧୧ରେ ତାଙ୍କର ଗସ୍ତ ସମୟରେ ସେ ସେଠାକାର ପ୍ରମୁଖ ସମ୍ବାଦପତ୍ର ‘ଦି ଟାଇମ୍ସ’କୁ ଏକ ସାକ୍ଷାତକାର ଦେବା ଅବସରରେ ଏ ସମ୍ବନ୍ଧରେ ଉଲ୍ଲେଖ କରି କହିଥିଲେ ଯେ କାମ ବାକି ରହି ଯାଇଥିଲେ ବି ସେଠାରେ କେହି ୫ଟା ପରେ କାର୍ଯ୍ୟାଳୟରେ ରହିବାକୁ ରାଜି ନୁହନ୍ତି ଓ ଶୁକ୍ରବାର ଅପରାହ୍ଣ ୩.୩୦ ପରେ ଅଫିସରେ ଆଉ କାହାରିକୁ ଦେଖିବାକୁ ମିଳେ ନାହିଁ।
ରତନ ଟାଟା ସେଠାକାର ଏହି ସ୍ଥିତିକୁ ଭାରତ ସହିତ ତୁଳନା କରି କହିଥିଲେ ଯେ ଯଦି ଆବଶ୍ୟକ ପଡ଼େ କୌଣସି ସମସ୍ୟାର ସମାଧାନ ପାଇଁ ଭାରତରେ ପରିଚାଳକ ଓ କର୍ମଚାରୀମାନେ ଅଧରାତି ପର୍ଯ୍ୟନ୍ତ ଅଫିସରେ ଉପସ୍ଥିତ ରହି କାମ କରିବାକୁ ତିଳେ ହେଲେ କୁଣ୍ଠିତ ହୋଇନଥାନ୍ତି। ରତନଙ୍କର ଏହି ମନ୍ତବ୍ୟର ସାରମର୍ମ ହେଲା, ବ୍ରିଟେନ୍ର ନିଚାସୁଲଭ କର୍ମ ସଂସ୍କୃତି ଅପେକ୍ଷା ଭାରତୀୟ କର୍ମସଂସ୍କୃତି ହେଉଛି ଶିଳ୍ପ ବ୍ୟବସାୟ ଦେଶର ଅର୍ଥନୀତି ପାଇଁ ଅଧିକ ଅନୁକୂଳ। ରତନ ଟାଟା ତତ୍କାଳୀନ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରନ୍ଙ୍କ ବ୍ୟବସାୟ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ହୋଇଥିବାରୁ ତାଙ୍କର ଏଭଳି ମନ୍ତବ୍ୟ ସେଠାରେ ଅଧିକ ସମାଲୋଚନାର ନିଶାଣ ପାଲଟିଥିଲା।
ଇତି ମଧ୍ୟରେ ବ୍ରିଟେନ୍ରେ ଏକ ଐତିହାସିକ ଓଲଟପାଲଟ ଘଟି ଭାରତୀୟ ମୂଳର ଋଷି ସୁନାକ ସେ ଦେଶର ପ୍ରଧାନମନ୍ତ୍ରୀ ଅାସନରେ ଅଧିଷ୍ଠିତ ହୋଇଛନ୍ତି। ସୁନାକଙ୍କ ଶ୍ବଶୁର ହେଉଛନ୍ତି ଭାରତର ଦ୍ବିତୀୟ ବୃହତ୍ତମ ଆଇଟି କମ୍ପାନି ‘ଇନ୍ଫୋସିସ୍’ର ପ୍ରତିଷ୍ଠାତା ତଥା ପୂର୍ବତନ ଚେଅାର୍ମ୍ୟାନ୍ ଏନ୍ଆର ନାରାୟଣ ମୂର୍ତ୍ତି। ନାରାୟଣ ମୂର୍ତ୍ତି ତାଙ୍କର ବୈଷୟିକ ବିଚକ୍ଷଣତା, ଅର୍ଥନୈତିକ ଦୂରଦୃଷ୍ଟି, ପ୍ରଗତିଶୀଳ ଚିନ୍ତାଧାରା ଓ ଜାତୀୟତାବାଦୀ ଆଭିମୁଖ୍ୟ ପାଇଁ ଦେଶର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଚିନ୍ତାନାୟକ ରୂପେ ବିବେଚିତ ହୋଇଥାନ୍ତି। ନାରାୟଣ ମୂର୍ତ୍ତି ଏବେ ଭାରତୀୟ କର୍ମସଂସ୍କୃତି ସମ୍ବନ୍ଧରେ ଯେଉଁ ମନ୍ତବ୍ୟ ପ୍ରଦାନ କରି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛନ୍ତି, ତାହାକୁ ରତନ ଟାଟାଙ୍କର ପୂର୍ବୋକ୍ତ ମନ୍ତବ୍ୟର ବିପରୀତ ବୋଲି ବିବେଚନା କରାଯାଇପାରେ। ସଂକ୍ଷେପରେ କହିଲେ ନାରାୟଣ ମୂର୍ତ୍ତିଙ୍କ ବିଚାରରେ ଭାରତରେ ପରିଦୃଷ୍ଟ କର୍ମ ସଂସ୍କୃତି ସନ୍ତୋଷଜନକ ନୁହେଁ। ସେ ତାଙ୍କର ଅନ୍ୟତମ ପୂର୍ବତନ ସହଯୋଗୀ ମୋହନଦାସ ପାଇଙ୍କ ଦ୍ବାରା ପରିଚାଳିତ ଏକ ପଡ୍କାଷ୍ଟରେ ଅଂଶଗ୍ରହଣ କରି ଚୀନ୍ର ଅର୍ଥନୈତିକ ପ୍ରଗତି ଏବଂ ଦ୍ବିତୀୟ ବିଶ୍ବ ଯୁଦ୍ଧୋତ୍ତର ଜାପାନ୍ ଓ ଜର୍ମାନୀର ପୁନର୍ଭ୍ୟୁଦୟର ଉଦାହରଣ ଦେଇ ଭାରତର ଯୁବ ପିଢ଼ିକୁ ଅଧିକ କଠିନ ପରିଶ୍ରମ କରିବା ପାଇଁ ଆହ୍ବାନ ଦେଇଛନ୍ତି। ସେ କ୍ଷୋଭ ପ୍ରକାଶ କରିଛନ୍ତି ଯେ ଭାରତୀୟ ଯୁବ ପିଢ଼ି ପାଶ୍ଚାତ୍ୟ ଜଗତର କେତେକ ଅବାଞ୍ଛନୀୟ ଆଚରଣ ଅନୁକରଣ କରି ଦେଶକୁ ସହାୟକ ହେବା ଭଳି କାର୍ଯ୍ୟ କରୁନାହାନ୍ତି। ଦେଶାତ୍ମବୋଧ ଦ୍ବାରା ପରିଚାଳିତ ହୋଇ ସେମାନେ ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ କରିବା ପାଇଁ ଶପଥ ନେବା ଉଚିତ ବୋଲି ନାରାୟଣ ମୂର୍ତ୍ତି ଯୁବପିଢ଼ିକୁ ଉପେଦଶ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୦େର ଏକ ଟେଲିଭିଜନ ସାକ୍ଷାତକାରରେ ଅଂଶ ଗ୍ରହଣ କରି ସେ ଯେଉଁ ସପ୍ତାହକୁ ୬୦ ଘଣ୍ଟା କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ, ବର୍ତ୍ତମାନ ସେଥିରେ ସେ ଆଉ ୧୦ ଘଣ୍ଟା ବୃଦ୍ଧି ଘଟାଇଛନ୍ତି। ଭାରତୀୟମାନଙ୍କର ଉତ୍ପାଦନଶୀଳତା ଅତ୍ୟନ୍ତ ନୀଚା ହୋଇଥିବାରୁ ତାହାକୁ ଭରଣା କରିବା ନିମିତ୍ତ ସେମାନେ ଅଧିକ ସମୟ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନାରାୟଣ ମୂର୍ତ୍ତି ବିଚାର କରୁଛନ୍ତି।
କିନ୍ତୁ ସତ କଥା ହେଲା, ରତନ ଟାଟା ସେତେବେଳେ କହିଥିବା ଭଳି ଭାରତୀୟମାନେ ଅନ୍ୟମାନଙ୍କ ତୁଳନାରେ ବହୁ ଅଧିକ ପରିଶ୍ରମ କରିଥାନ୍ତି। ‘ମ୍ୟାନ୍ପାୱାର୍ ଗ୍ରୁପ୍’ ନାମକ ସଂସ୍ଥା କରିଥିବା ଏକ ସର୍ବେକ୍ଷଣ ଅନୁସାରେ ଭାରତୀୟ ‘ମିଲେନିଆଲ୍’ ଯୁବପିଢ଼ି ସପ୍ତାହକୁ ୫୨ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ ଚୀନ୍ରେ ସେଇ ପିଢ଼ି ସପ୍ତାହକୁ ୪୮ ଘଣ୍ଟା, ଜାପାନରେ ୪୬ ଘଣ୍ଟା ଓ ଅଷ୍ଟ୍ରେଲିଆରେ ୪୧ ଘଣ୍ଟା କାର୍ଯ୍ୟ କରିଥାନ୍ତି। ଜାତିସଂଘର ‘ଆନ୍ତର୍ଜାତିକ ଶ୍ରମ ସଂଗଠନ’ (‘ଆଇଏଲ୍ଓ’) ଅନୁସାରେ ଭାରତରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କର୍ମଜୀବୀମାନେ ପୃଥିବୀର ଅଧିକାଂଶ ଦେଶ ତୁଳନାରେ ଅଧିକ ପରିଶ୍ରମ କରିଥାନ୍ତି। ଗ୍ରାମାଞ୍ଚଳରେ ସେମାନେ ସପ୍ତାହକୁ ୫୨ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ ସହରାଞ୍ଚଳରେ ୫୩ ଘଣ୍ଟା କାର୍ଯ୍ୟ କରିଥାନ୍ତି। କାର୍ଯ୍ୟ ପାଇଁ ସେମାନଙ୍କୁ ମିଳୁଥିବା ପାରିଶ୍ରମିକ ମଧ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଅତ୍ୟନ୍ତ ନୀଚା ହୋଇଥାଏ। ଏହା ସତ୍ତ୍ବେ ଭାରତୀୟମାନଙ୍କର କର୍ମନୈତିକତା କିନ୍ତୁ ବେଶ୍ ଉଚ୍ଚ ଶ୍ରେଣୀର ହୋଇଥାଏ। ଉଦାହରଣ ସ୍ବରୂପ ଅନ୍ୟ ଏକ ‘ଆଇଏଲ୍ଓ’ ରିପୋର୍ଟ ଅନୁସାରେ ମାତ୍ର ୪ ଶତାଂଶ ଭାରତୀୟ କର୍ମଜୀବୀମାନେ ସେମାନଙ୍କୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡୁଛି ବୋଲି ଅସନ୍ତୋଷ ବ୍ୟକ୍ତ କରିଥାନ୍ତି ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ଏକ ଉଚ୍ଚା ୪୭ ଶତାଂଶ ପ୍ରକାଶ କରିଥାନ୍ତି ଯେ ସେମାନେ ଯଥେଷ୍ଟ କାର୍ଯ୍ୟ କରୁନାହାନ୍ତି (ଅଣ୍ଡରଏମ୍ପ୍ଲଏଡ୍)। ଏଣୁ ଭାରତୀୟମାନେ ଯଥେଷ୍ଟ ପରିଶ୍ରମ କରୁନାହାନ୍ତି ବୋଲି ନାରାୟଣ ମୂର୍ତ୍ତି ବହନ କରୁଥିବା ଧାରଣା ଭ୍ରମାତ୍ମକ ମନେହୁଏ।
ଏଥିରୁ ଯାହା ସାବ୍ୟସ୍ତ ହୋଇଥାଏ ତାହା ହେଲା କାର୍ଯ୍ୟ ସମୟରେ ବୃଦ୍ଧି ଭଳି ବଳଦିଆ ଉପାୟ ଅବଲମ୍ବନ କରି ସେମାନଙ୍କୁ ବଳଦ ଭଳି ଖଟାଇବା ଦ୍ବାରା ଭାରତୀୟମାନଙ୍କର ଉତ୍ପାଦନଶୀଳତାରେ ବୃଦ୍ଧି ଘଟାଯାଇପାରିବ ନାହିଁ। ସେଥିପାଇଁ ଆବଶ୍ୟକ ଉପଯୁକ୍ତ ତାଲିମ, ଉନ୍ନତ ଜ୍ଞାନ କୌଶଳ, ଆଧୁନିକ ପରିଚାଳନା ପଦ୍ଧତିର ପ୍ରୟୋଗ ସହିତ ଶ୍ରମିକ-ଅନୁକୂଳ ପରିବେଶ ସୃଷ୍ଟି। ଅବଶ୍ୟ ଏହା ମଧ୍ୟ ସତ ଯେ ନାରାୟଣ ମୂର୍ତ୍ତିଙ୍କ ଭଳି ଅଗ୍ରଦୂତମାନଙ୍କର ଅବଦାନ ଯୋଗୁଁ ଭାରତ ବର୍ତ୍ତମାନ ଏହି ଦ୍ବିତୀୟ ମାର୍ଗରେ ଅଗ୍ରସର ହେବାରେ ଲାଗିଛି।
ବଳଦିଆ ବାଟ
/sambad/media/post_attachments/wp-content/uploads/2023/05/sampadakiya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)