‘ଶୈଶବକୁ ଅତିକ୍ରମ କଲାର ଅନେକ ବର୍ଷ ଉତ୍ତାରୁ ଆଜି ଆମେ ନିଜ ନିଜର ଆଦ୍ୟତମ ସ୍ମୃତିକୁ ସାଉଁଟିବା।’ ପ୍ରସଙ୍ଗଟିକୁ ଶ୍ରେଣୀରେ ରଖିଲା ପରେ ଛାତ୍ରଛାତ୍ରୀମାନଙ୍କ ପାଖରୁ ସେଦିନ ମତେ ଯେଉଁ ସ୍ମୃତିମାନ ମିଳିଲା, ତାହା ଥିଲା ମୋ ଲାଗି ଏକ ଅଭିନବ ଅନୁଭବ। ପ୍ରତ୍ୟେକ ପିଲାର ଆଦ୍ୟତମ ସ୍ମୃତି ଭିନ୍ନ ଭିନ୍ନ; ହେଲେ ତନ୍ମଧ୍ୟରେ ଏକ ସମାନତାର ସୂତ୍ର ହେଲା ସ୍କୁଲର ପ୍ରଥମ ଶ୍ରେଣୀରେ ପଢ଼ା ଆରମ୍ଭ। ପ୍ରଥମ ଶ୍ରେଣୀରେ ପ୍ରଥମ ଦିନ। ଏମିତି ତ ଅନେକ ସ୍ମୃତି; କିନ୍ତୁ ସ୍ଥାନାଭାବ କାରଣରୁ ମୁଁ ଏଠାରେ ଜଣେ ପିଲାର ସ୍ମୃତିର ଅବତାରଣା କରିବି!
ଗାଁ ସ୍କୁଲ। ସେଦିନ ସ୍କୁଲରେ ମୋଟ ଚାଳିଶ-ପଚାଶ ସରିକି ଉପସ୍ଥିତି ହୋଇପାରେ! ପୂରା ସ୍କୁଲକୁ ସମ୍ଭାଳିବାକୁ କେବଳ ଜଣେ ମାତ୍ର ଶିକ୍ଷୟିତ୍ରୀ। ପିଲାମାନେ ସ୍କୁଲ ପରିସର ଭିତର ଧାଁ-ଦଉଡ଼ରେ ବ୍ୟସ୍ତ। ଉଲ୍ଲାସର ପରିବେଶ! ଆକାଶରେ ମେଘ ଉଠେଇ ଥାଏ; କେତେବେଳେ ବି ବର୍ଷା ପଡ଼ିପାରେ। ପିଲାଟି ମଧ୍ୟ ମହାନନ୍ଦରେ ବିଭୋର ଏବଂ ଅଗଣାରେ ଏକା ଏକା ଖେଳରେ ବ୍ୟସ୍ତ। ପ୍ରଥମ ଦିନ ତେଣୁ ସାଙ୍ଗ ଜୁଟି ନ ଥାଆନ୍ତି।
କିଛି ସମୟର ଅନ୍ତରାଳରେ ବର୍ଷା ଆରମ୍ଭ ହୋଇଗଲା। ପିଲାର ଖୁସି ଦ୍ବିଗୁଣିତ! ଆକାଶରୁ ପଡୁଥିବା ଟପ୍ ଟପ୍ ବର୍ଷାକୁ ପାଟି ମେଲା କରି ଆକଣ୍ଠ ପିଇବାକୁ ଲାଗିଲା; ବର୍ଷାରେ ଭିଜୁଥାଏ ମଧ୍ୟ। ସ୍କୁଲରେ ପ୍ରଥମ ଦିନର ଏହି ଅନୁଭବ ତାକୁ ଅପୂର୍ବ ମନେ ହେଲା। ଏଥିରୁ ଅଧିକ ଆନନ୍ଦଦାୟକ କିଛି ଥିବାର ସେ ଭାବି ପାରିଲା ନାହିଁ। ଏହି ସମୟରେ ହଠାତ୍ ତା’ ଗାଲରେ ଶକ୍ତ ଚଟକଣାଟିଏ ବସିଲା। ଚଟକଣା ମାରିଥିଲେ ଶିକ୍ଷୟିତ୍ରୀ। ପିଲାଟି ସଂପୂର୍ଣ୍ଣ ସ୍ତବ୍ଧ ହୋଇଗଲା। ଦେଖିଲା ବେଳକୁ ଶିକ୍ଷୟିତ୍ରୀ ଆଉ କିଛି ଖେଳୁଥିବା ପିଲା ପାଖକୁ ଗଲେଣି। ବର୍ଷା ବଢ଼ିଲାରୁ ଆପେ ଅାପେ ସ୍କୁଲ ଛୁଟି ହୋଇଗଲା। ଅଧିକାଂଶ ପିଲା ସ୍କୁଲରୁ ଚାଲିଯିବାକୁ ବାହାରିଲେ। ଚଟକଣା ଖାଇଥିବା ପିଲାଟି ସ୍ବର୍ଗର ମହାନନ୍ଦରୁ ହଠାତ୍ ଯେମିତି ଭୂପତିତ ହୋଇଯାଇଥାଏ। ସେ ବୁଝି ପାରି ନ ଥାଏ ଯେ ତା’ର ଭୁଲ୍ କେଉଁଠି? ଶିକ୍ଷୟିତ୍ରୀଙ୍କ ପାଖରେ ମଧ୍ୟ ସମୟ ନାହିଁ ଜଣାଇବାକୁ! ଅଳ୍ପ କ୍ଷଣ ପୂର୍ବରୁ ଅପୂର୍ବ ମନେ ହେଉଥିବା ସ୍କୁଲଟି ଏବେ ସତେ ଯେମିତି ବିଷମୟ ମନେ ହେଲା। ନିରାଶାରେ ସେ ସ୍କୁଲରୁ ଫେରିଲା।
ପ୍ରଥମ ଦିନର ଏହି ଅନୁଭବ ପିଲାଟିକୁ ସ୍କୁଲ ପ୍ରତି ଏତେ ଅଧିକ ବିତୃଷ୍ଣ କଲା ଯେ ତେଣିକି ଆଉ ସେ ସ୍କୁଲ ଗଲାନି। ବାପା କାଠ ମିସ୍ତ୍ରି; ଘରୁ ସକାଳୁ ଯାଇ ସନ୍ଧ୍ୟାରେ ଫେରନ୍ତି। ପିଲାଟି ପ୍ରଥମ ପିଢ଼ିର ପାଠୁଆ। ମା’ ସବୁ ଜାଣନ୍ତି, ହେଲେ ପିଲାର ଖୁସିରେ ସେ ଖୁସି! ପିଲା ଆଉ ସ୍କୁଲ ଯାଉ ନ ଥିବା କଥା ବାପାଙ୍କୁ ଜଣେଇଲେ ନାହିଁ। ଅନ୍ୟଥା ବାପାଙ୍କ ପାଖରୁ ବି ହୁଏତ ଚଟକଣା ମିଳନ୍ତା!
ଉଭୟ ଶିକ୍ଷୟିତ୍ରୀ ଏବଂ ବାପାଙ୍କ ମାଡ଼ରୁ ରକ୍ଷା ପାଇବା ଲାଗି ‘ଚାଲାକ’ ପିଲାଟି ବିକଳ୍ପଟିଏ ଖୋଜିଲା। ପ୍ରତିଦିନ ସ୍କୁଲରୁ ଫେରୁଥିବା ପିଲା ପାଖରୁ କ’ଣ ପାଠପଢ଼ା ହୋଇଛି ବୋଲି ବୁଝି ନେବାକୁ ଲାଗିଲା। ଘରେ ପାଠ ବହି ଥିଲା। ସେହି ଅନୁସାରେ ସେ ନିଜେ ନିଜେ ପାଠ ପଢ଼ିଲା। ବାପାଙ୍କ ଧାରଣା ସ୍କୁଲ ପାଠ ପଢ଼ା ଚାଲିଛି। ତେଣୁ କ୍ରୋଧରୁ ରକ୍ଷା ମିଳେ। ମା’ ସବୁ ଜାଣି ମଧ୍ୟ ନିରବ!
ଗାଁ ସ୍କୁଲ। ଦିନଟିଏ ସ୍କୁଲ ଯାଇ ଆଉ କେବେ ନ ଯାଇଥିଲେ ସୁଦ୍ଧା ବର୍ଷ ଶେଷରେ ପିଲାଟି ଦ୍ବିତୀୟ ଶ୍ରେଣୀକୁ ଉନ୍ନୀତ ହେଲା। ପୁଣି, ଦ୍ବିତୀୟରୁ ତୃତୀୟ ଶ୍ରେଣୀକୁ ବି ଗଲା। ତୃତୀୟ ଶ୍ରେଣୀ ବେଳେ ଦିନେ ମା’ ତାକୁ ବୁଝାଇଲେ, ‘ଏବେ ତୁ ବଡ଼ ହେଲୁଣି। ତୋର ସ୍କୁଲ ନ ଯିବା କଥା ଆଉ ବାପାଙ୍କ ପାଖରୁ ଲୁଚି ପାରିବନି। ତେଣିକି ତୁ ତ ମାଡ଼ଗାଳି ଖାଇବୁ, ହେଲେ ମୁଁ ବି ନିସ୍ତାର ପାଇବି ନାହିଁ। ଏବେ ତୁ ଯାହା ଇଚ୍ଛା, ତାହା କର।’ ପରାମର୍ଶ ଦେଲା ବେଳେ ମା’ ନା ବଡ଼ପାଟିରେ ଗାଳିମନ୍ଦ କରିଥିଲେ ନା ବିକଳ ହୋଇ କାନ୍ଦିଥିଲେ। ନିଜ ସନ୍ତାନକୁ ଜଣେ ପରିପକ୍ବ ମଣିଷ ତୁଲ୍ୟ ମନେ କରି ତାକୁ କେବଳ ସମସ୍ୟାଟି ସଂପର୍କରେ ଅବଗତ କରାଇଥିଲେ ଏବଂ ସମସ୍ୟା ସମ୍ଭାଳିବାରେ ତାଙ୍କ ଅସାମର୍ଥ୍ୟକୁ ଜଣାଇ ଥିଲେ।
ପର ଦିନ ଠାରୁ ପିଲାଟି ଅନ୍ତତଃ ମା’ଙ୍କ ସମ୍ମାନ ରକ୍ଷା ଲାଗି ସ୍କୁଲକୁ ଯିବାକୁ ପ୍ରସ୍ତୁତ ହେଲା। ହେଲେ, ସେହି ରାତିରେ ତାକୁ ଭୀଷଣ ଜ୍ବର ହେଲା, ଯାହାର କାରଣ ସମ୍ଭବତଃ ଆସନ୍ନ ଭୟ। ଆଉ କିଛି ଦିନ ସ୍କୁଲ ଯିବାକୁ ପଡ଼ିଲା ନାହିଁ। ଜ୍ବର ମୁକ୍ତ ହେଲା ବେଳକୁ ସୌଭାଗ୍ୟକୁ ଶିକ୍ଷୟିତ୍ରୀ ଆଉ ସ୍କୁଲରେ ନ ଥିଲେ; ତାଙ୍କର ଆଉ କେଉଁଆଡ଼େ ବଦଳି ହୋଇ ସାରିଥିଲା। ଦୀର୍ଘ ଦୁଇ ବର୍ଷର ଅନ୍ତରାଳରେ ପିଲାଟିର ଦ୍ବିତୀୟ ଦିନର ସ୍କୁଲ ସ୍ମୃତି ଉକ୍ତ ଶିକ୍ଷିକାଙ୍କ ଅନୁପସ୍ଥିତି ଯୋଗୁଁ ପୁଣି ଅପୂର୍ବ ମନେ ହେଲା! ଏହାପରେ ସେ ଆଉ କେବେ ସ୍କୁଲ ପ୍ରତି ବିମୁଖ ହୋଇ ନ ଥିଲା। ଏବେ ଭୟର ଅନୁପସ୍ଥିତି ଥିଲା ତା’ ଲାଗି ଖୁସିର ବଡ଼ କାରଣ!
ଶିକ୍ଷକ ଭାବରେ ଅନେକ ବର୍ଷ ତଳର ମୋର ଏହି ପ୍ରୟୋଗ ଏବେ ମନେ ପଡ଼ିଲା, ଯେତେବେଳେ ନିଜର ସ୍ବାସ୍ଥ୍ୟ ପରାମର୍ଶ ପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରଥମ ଥର ପାଇଁ ଭେଟିବାକୁ ପଡ଼ିଲା। ସେହି ପ୍ରଥମ ଦେଖାରେ ଡାକ୍ତର ମହାଶୟ ମୋ ପ୍ରତି ଯେମିତି ରୁକ୍ଷ ଓ କଠୋର ଆଚରଣ କଲେ, ମତେ ଖୁବ୍ ନିରାଶ ଲାଗିଲା। ମୋ ପ୍ରତି ତାଙ୍କ ରୁକ୍ଷତା ଓ କଠୋରତାର କାରଣ ମଧ୍ୟ ଜାଣି ପାରିଲି ନାହିଁ। ରୋଗ ତୁଳନାରେ ତାଙ୍କ ସହ ମୋର ପ୍ରଥମ ସ୍ମୃତି ମୋ ପାଇଁ ଅଧିକ ଦୁର୍ବିଷହ ପ୍ରତୀତ ହେଲା। ମୋର ଛାତ୍ରର ଆଦ୍ୟତମ ସ୍କୁଲ ସ୍ମୃତି ଏହି କ୍ଷଣରେ ମୋତେ ଏକ ରକମର ସାନ୍ତ୍ବନା ପ୍ରଦାନ କଲା। ଲାଗିଲା, ଡାକ୍ତର ବାବୁ ତାଙ୍କ ଅଜାଣତରେ ମୋ ସକାଶେ ଚିକିତ୍ସାଳୟଟିକୁ ମଧ୍ୟ ଅବାଂଛିତ ଭୟର କ୍ଷେତ୍ରରେ ପରିଣତ କରିଦେଲେ, ଯେମିତି ସେ ଦିନ ସେହି ପିଲାଟି ଲାଗି ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍କୁଲଟିକୁ କରି ଦେଇଥିଲେ!
[email protected]
ସାମାନ୍ୟ କଥନ: ସ୍କୁଲରେ ପ୍ରଥମ ଦିନ ଓ ତା’ ପରେ
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2023/12/fhffhfhfhs.jpg)