ଆମ ପିଲା ଦିନର ସାଙ୍ଗ ବାବୁରାଓ। ବଡ଼ ଅଜବ ପିଲା। ବିନା ଟିଉସନରେ ନିଜେ ନିଜେ ପଢ଼ି ଫାଷ୍ଟ୍ ଡିଭିଜନରୁ ମାତ୍ର ଦୁଇଟି ମାର୍କ କମ୍‌ ରଖି ସେ କାଳର ଏକାଦଶ ଶ୍ରେଣୀଆ ମାଟ୍ରିକ ପାସ୍‌ କରିଗଲା ବିଚରା! କିନ୍ତୁ ତା’ ପରେ ବାବୁରାଓ ଆମ ସହ କଲେଜ ପଢ଼ାରମ୍ଭ କରିବାକୁ ମନା କରିଦେଲା ଓ ଘୋଷଣା କଲା ଯେ ପାଠ ପଢ଼ିବାକୁ ତ ସାରା ଜୀବନ ପଡ଼ିଛି! ତୁମେ ସବୁ ପଢ଼ି ଜଗତ୍‌ ଆଲୁଅ କର; ମୁଁ କିନ୍ତୁ ମୋ ସାହି, ସହର ଓ ସାଙ୍ଗମାନଙ୍କୁ ନେଇ ବର୍ଷେ ‘ଫ୍ରି ଲାଇଫ୍’ ଉପଭୋଗ କରିବି!
ତେବେ ସେ କଲେଜ ନ ଗଲେ ବି ଆମ ସହ ସଂପର୍କ ରଖିଥିଲା। ଆମ ଭିତରେ ଯେଉଁମାନେ କମର୍ସ ପଢୁଥିଲେ, ସେମାନଙ୍କ ସହ ଅନେକ ସମୟରେ ପଢ଼ାପଢ଼ି ଓ କଲେଜ ଜୀବନ ଆଦି ବିଷୟରେ ଆଲୋଚନା ବି କରୁଥିଲା। ସେ ଥିଲା ଭଲ କବାଡ଼ି ଓ କ୍ରିକେଟ୍‌ ଖେଳାଳି। ତେଣୁ, ମାଟ୍ରିକ ପଢ଼ା ବେଳେ ଛାଡ଼ି ଦେଇଥିବା ସେଇ ସବୁ ଖେଳ ନିର୍ଘାତ୍‌ ଖେଳିଲା ଏବଂ ତା’ ସହ ସାହି ଟୋକାଙ୍କ ସହିତ ନଈ ପହଁରାରେ ବି ମାତିଲା। ବାବୁରାଓ ମଧ୍ୟ ଥିଲା ବହୁ କର୍ମା; ପୂଜା ପର୍ବ ଆୟୋଜନ ବେଳେ ପେଣ୍ଡାଲ ସଜାରେ ସେ ଥିଲା ଅୱଲ ନମ୍ବର। ସ୍କୁଲରେ ପଢୁଥିବା ବେଳେ ତାକୁ ବିଭିନ୍ନ ସାହିର ପୂଜା ଅନୁଷ୍ଠାନରୁ ଡାକରା ଆସୁଥିଲା, କିନ୍ତୁ ପଢ଼ାପଢ଼ି ଲାଗି ଯାଇ ପାରୁ ନ ଥିଲା। ଏବେ ଦୁର୍ଗା ପୂଜା ବେଳେ ଆମ ସହରରେ ଯୋଡ଼ିଏ ପେଣ୍ଡାଲ ଏମିତି ସଜେଇଲା‌ ଯେ ଲୋକେ ତାଟକା ହୋଇଗଲେ।
ଏମିତି ବିତି ଗଲା ବର୍ଷେ। ତା’ ପରେ ବାବୁରାଓ କଲେଜରେ କମର୍ସ ପଢ଼ିବା ଆରମ୍ଭ କଲା। ଭଲ ପଢ଼ିଲା ବି। ହେଲେ, ଇଣ୍ଟରମିଡିଏଟ୍ କମର୍ସରେ ବି ମାତ୍ର ଦୁଇ ମାର୍କ ସକାଶେ ବାବୁରାଓ ପୁଣି ଫାଷ୍ଟ୍ ଡିଭିଜନ ପାଇ ପାରିଲା ନାହିଁ! ଆମ ଭିତରୁ କେହି କେହି ମେଡିକାଲ ବା ଇଞ୍ଜିନିୟରିଂ ଆଦି ପଢ଼ିବାକୁ କଲେଜ ଓ ସହର ଛାଡ଼ିଲେ। ବାକି ଆମେମାନେ ‘ବି.କମ୍‌’ ପଢ଼ିବାକୁ ରହିଗଲୁ ସେଇ କଲେଜରେ। ଆମ କଥା ମାନି ବାବୁରାଓ ବି ‘ବି.କମ୍‌’ ପଢ଼ିଲା। ବର୍ଷେ ତଳେ ପଢୁଥାଏ ସିନା, କିନ୍ତୁ ଆମ ସହିତ ହିଁ ତା’ର ଘଣି ରହିଥାଏ।
ଏବେ ଘଟିଲା ଆଉ ଏକ ଅଜବ କଥା। ‘ବି.କମ୍‌’ ଶେଷ ବର୍ଷ ବେଳକୁ ହଠାତ୍ ଦେଖାଗଲା ଯେ ବାବୁରାଓ ଆଉ କଲେଜ ଆସୁନି! ବୁଝୁବୁଝୁ ଜଣାଗଲା ‌େଯ ବାବୁରାଓ ରାଜଧାନୀର ଗୋଟେ ସରକାରୀ ଦପ୍ତରରେ ଜୁନିଅର ଟାଇପିଷ୍ଟ ଭାବେ ଚାକିରି ପାଇଯାଇଛି। ଆମ ଭିତରୁ ସେ ହୋଇଗଲା ପ୍ରଥମ ସରକାରୀ ଚାକିରିଆ। ସୁତରାଂ, ଆମ ଭଳି ଲକ୍ଷ୍ୟହୀନ ଭାବେ ପଢୁଥିବା ପିଲାମାନଙ୍କ ପରିବାରରେ ‌‌ସେ ହୋଇଗଲା ଏକ ଉଦାହରଣ। ‘ଦେଖ, ମାଟ୍ରିକ ପରେ ସେ ଖେଳାବୁଲା ଓ ମଉଜ କରୁଥିଲା ସତ, କିନ୍ତୁ ଏଣେ ବଡ଼ି ଭୋରରୁ ଉଠି ପ୍ରମୋଦ ବାବୁଙ୍କ ଘରକୁ ଯାଇ ଟାଇପ କରିବା ଓ ସର୍ଟହ୍ୟାଣ୍ଡ ଶ୍ରୁତଲିଖନ ଲେଖିବା ଶିଖୁଥିଲା ଓ ଅଭ୍ୟାସ କରୁଥିଲା।’ ପ୍ରମୋଦ ବାବୁ ଥିଲେ ଆମ ସହରର ଜଣେ ପ୍ରସିଦ୍ଧ ଷ୍ଟେନୋ। ଆମ ବାପାମାନଙ୍କ ଏତେ ସବୁ କହିବାର ଅର୍ଥ ଥିଲା ଯେ ତା’ ଠାରୁ କିଛି ଶିଖ।
ବାବୁରାଓ ଚାକିରି କଲା ଏବଂ ଭଲ କାମ କରି ପ୍ରମୋସନ ପାଇ ରାଜଧାନୀର ଏକ ସରକାରୀ ମୁଖ୍ୟାଳୟରେ ମୁଖ୍ୟଙ୍କ ପି.ଏ. ମଧ୍ୟ ହେଲା। ଆମେମାନେ ମଧ୍ୟ ନିଜ ନିଜ ଭାଗ୍ୟ ଅନ୍ବେଷଣ କରି ଚାକିରି ବା ‌େବପାର କଲୁ। ବାବୁରାଓ ରାଜଧାନୀରେ ରହୁଥିଲା ସତ କିନ୍ତୁ ଆମମାନଙ୍କ ସହିତ ତା’ର ସଂପର୍କ ଅତୁଟ ଥିଲା। ଦିନେ ଆମେ ଶୁଣିଲୁ ବାବୁରାଓ ଫେରୁଛି। ଅବସର ନେବାର ବର୍ଷକ ଆଗରୁ ସେ ଚାକିରିରୁ ଇଚ୍ଛାକୃତ ଅବସର ନେଇଥିଲା। ବାବୁରାଓ ଫେରିଲା। ସର୍ବଦା ସେ ଦିଶୁଥିଲା ଯୁବସୁଲଭ। ଆମ ଜାଣିବାରେ ତା’ର ବିଶେଷ କୌଣସି ଘରୋଇ ସମସ୍ୟା ମଧ୍ୟ ନ ଥିଲା। ତା’ର ଏକମାତ୍ର କନ୍ୟା ସରକାରୀ ହୋମିଓପ୍ୟାଥି ଡାକ୍ତରଖାନାରେ ଡାକ୍ତରାଣୀ ହୋଇସାରିଥିଲା ଏବଂ ଜଣେ ଯୋଗ୍ୟ ଓକିଲ ବରପାତ୍ର ସହିତ ତା’ର ବିବାହ ମଧ୍ୟ ସରିଥିଲା। ବାବୁରାଓ ସହରକୁ ଫେରିଲା ଏବଂ ତା’ ପୈତୃକ ଘରକୁ ବାଗେଇ ସେଇଠି ରହିଲା।
ସେ ଦିନ ତା’ ଘରକୁ ଆମେ ଦୁଇ ବାଲ୍ୟ ବନ୍ଧୁ ଯାଇଥିଲୁ। ମୋ ସହିତ ଥିଲା ବ୍ୟାଙ୍କ ଅଫିସର ସତ୍ୟେନ୍ଦୁ। ଦୁନିଆ କଥା ପଡ଼ିଲା। ବାବୁରାଓ କହିଲା: ‘ଭାଇ, ତମେ ସବୁ ପଢୁଥିଲା ବେଳେ ମୁଁ ପେଟ ପାଇଁ ନାଟ କରିବାକୁ ଦୂର ରାଜଧାନୀକୁ ଚାଲିଗଲି ଓ ଢେର୍ ଖଟିଲି! ବୁଝିଲ କି ଭାଇ ମାତ୍ର ଦୁଇ ମାର୍କ‌୍ ଲାଗି ଦୁଇ ଦୁଇ ଥର ଫାଷ୍ଟ ଡିଭିଜନ ପାଇଲି ନାହିଁ। ଭାବିଲି ଭଗବାନ ବୋଧହୁଏ ଚାହୁଁ ନାହାନ୍ତି ଯେ ମୁଁ ପରିପୂର୍ଣ୍ଣ ହୁଏ! ତେଣୁ ଭାବିଲି ଯଦି ଏମିତି କଥା, ତେବେ ମୁଁ ଯାହା ଚାହୁଛି ଟିକିଏ କରିପକାଏ, ମନ ସେଇଥିରେ ଭରିଯାଉ। ନ ହେଲେ କେଜାଣି କେତେବେଳେ କୋଉ କଥା! ତେଣୁ ଯେମିତି ଇଚ୍ଛା କରିଥିଲି ପ୍ରାୟ ସବୁ କିଛି ସେମିତି କରିଛି। ଶେଷରେ ମୋ ସାଙ୍ଗମାନେ ଯେତେବେଳେ ଆଉ କିଛି କିଛି ବର୍ଷ ଚାକିରି କରିବା ଲାଗି କୋଉଠି ନା କୋଉଠି ଯାଇ ଟଣାଓଟରା କରୁଥିଲେ, ମୁଁ ତାହାକୁ ବର୍ଷକ ଆଗରୁ ଛାଡ଼ି ଚାଲି ଆସିଲି। ଦେଖୁଛି ଏ ସବୁ ବ୍ୟାପାରରେ ଭଗବାନ ବି ମୋତେ ସହ‌େଯାଗ କରିଛନ୍ତି। ଏବେ ଲାଗୁଛି ଯାହା ବି ପାଇଛି ବହୁତ ଓ ଭରପୂର ପାଇଛି।’
ଏହା କହି ଉପରକୁ ଚାହିଁ ହାତ ଯୋଡ଼ିଲା ବାବୁରାଓ। ସତ୍ୟେନ୍ଦୁ କହିଲା: ‘ଶୁଣ ବାବୁ, ତୁ ହିଁ ଆମକୁ ଶିଖାଇଲୁ ଯେ ଜୀବନ ଜିଇବା ଲାଗି ଜୀବିକାଟିଏ ଲୋଡ଼ା, ବଡ଼ ହେଉ କି ଛୋଟ! ତେଣୁ ଆମେ ନିଜ ନିଜ ଜୀବନର ଲକ୍ଷ୍ୟ ପାଇଲୁ। ଏବେ ତୋ ଠାରୁ ଶିଖୁଛୁ ଯେ ଆପଣା ମର୍ଜିରେ ଜୀବନ ଜିଇ ସରଳ ଭାବେ ଜୀବନକୁ ଉପ‌ଭୋଗ କରି ହେବ! କୌଣସି ଟେନସନର ପ୍ରଶ୍ନ ନାହିଁ।’
ଆମ ଆଗରେ ବାବୁରାଓ ବସିଥିଲା ଏକ ସଂପୂର୍ଣ୍ଣ ପରିତୁଷ୍ଟ ବ୍ୟକ୍ତି ଭଳି, ଯାହାର କୌଣସି ଦୁଃଖ, ଅନୁଶୋଚନା ବା ଅପ୍ରାପ୍ତି ନାହିଁ। ବାବୁରାଓ କହିଲା- ଆଉ କପେ କପେ କଫି ହୋଇଯାଉ!
ଆମେ ହଁ ବୋଲି ମୁଣ୍ଡ ଟୁଙ୍ଗାରିଲୁ। ମୁଁ ପଚାରିଲି- ବାବୁ ଏବେ କ’ଣ କରିବୁ ବୋଲି ଭାବିଛୁ?
ବାବୁରାଓ ଉଠିଗଲା। ଆଲମାରିରୁ ବାହାର କଲା ଗୋଟିଏ ବେହେଲା। ତା’ ପରେ କହିଲା, ‘ଭାଇ, ଏ ବାଜାଟି ଶିଖିବାକୁ ବହୁତ ଇଚ୍ଛା ଥିଲା। କିନ୍ତୁ ସମୟ ପାଇ ନ ଥିଲି। ଏବେ ଶିଖିବା ଆରମ୍ଭ କରିଛି।’
ମୁଁ କହିଲି- ତାହା ହେଲେ ତୁ ଧୀରେନ୍ଦ୍ର ସାରଙ୍କ ଶିଷ୍ୟ ହୋଇ ସାରିଲୁଣି?
ବାବୁରାଓ କହିଲା- ଆଉ, ସେଥିରେ ବାକି ଅଛି?
ମୋ: ୯୪୩୭୯୦୯୬୭୬