ମେରୀ ସେଲିଙ୍କ ୧୮୧୮ରେ ରଚିତ ପ୍ରସିଦ୍ଧ କାହାଣୀରେ ବୈଜ୍ଞାନିକ ଭିକ୍ଟର୍ ଫ୍ରାଙ୍କେନ୍ଷ୍ଟାଇନ୍ ତାଙ୍କ ଗବେଷଣାଗାରରେ କୃତ୍ରିମ ଭାବରେ ଜୀବଦାନ କରି ସୃଷ୍ଟି କରିଥିବା ମନୁଷ୍ୟଟି ଏକ ରାକ୍ଷସ ରୂପେ ସୁପରିଚିତ ହୋଇଥିଲେ ହେଁ ସେ ମୂଳରୁ ଏକ ବିଶୁଦ୍ଧ ରାକ୍ଷସ ନ ଥିଲା। ଆରମ୍ଭରେ ସେ ଥିଲା ଏକ କୋମଳ ସ୍ବଭାବ ସମ୍ପନ୍ନ ପ୍ରାଣୀ ଯିଏ ସତୃଷ୍ଣ ଭାବରେ ମାନବୀୟ ସ୍ନେହଶ୍ରଦ୍ଧା ଲୋଡ଼ି ଚାଲିଥିଲା। କିନ୍ତୁ ତା’ର କଦାକାର ଚେହେରା ଯୋଗୁଁ ସମସ୍ତେ ତା’ଠାରୁ ଦୂରେଇ ରହିବାକୁ ପସନ୍ଦ କରୁଥିଲେ, ସ୍ନେହଶ୍ରଦ୍ଧା ପ୍ରଦର୍ଶନ କରିବା ଦୂରେ ଥାଉ। ଏପରିକି କୁଟୀରବାସୀ ଏକ ନୀତିବାନ୍ ଦରିଦ୍ର ସୁଖୀ ପରିବାରକୁ ସେ ଲୁଚି ଛପି କାମରେ ସାହାଯ୍ୟ କରି ଚାଲିବା ପରେ ଦିନେ ଯେତେବେଳେ ସେମାନଙ୍କ ସମ୍ମୁଖରେ ଆତ୍ମପ୍ରକାଶ କରେ, ସେତେବେଳେ ସେମାନେ ମଧ୍ୟ ତାକୁ ଅନ୍ୟମାନଙ୍କ ଭଳି ଆଚରଣ ପ୍ରଦର୍ଶନ କରି ତଡ଼ି ଦିଅନ୍ତି, ଯାହା ସେଇ ସ୍ନେହକାଙ୍ଗାଳ ରାକ୍ଷସ ପାଇଁ ଏକ ଦାରୁଣ ମାନସିକ ଧକ୍କା ହୋଇଥାଏ।
ସେ ଏଥର ତା’ର ସ୍ରଷ୍ଟା ବୈଜ୍ଞାନିକ ଫ୍ରାଙ୍କେନ୍ଷ୍ଟାଇନ୍ଙ୍କ ପାଖରେ ହାଜର ହୋଇ ତାରି ପରି ଏକ ନାରୀ ମଧ୍ୟ ସୃଷ୍ଟି କରିବାକୁ ତାଙ୍କୁ ଅନୁରୋଧ କରେ, ଯାହାଠାରୁ ସେ ସ୍ନେହଶ୍ରଦ୍ଧା ପାଇବାରେ ସକ୍ଷମ ହେବ। ଫ୍ରାଙ୍କେନ୍ଷ୍ଟାଇନ୍ କିନ୍ତୁ ତା’ର ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି। ଏହା ପରେ ସେଇ ଭଗ୍ନ ହୃଦୟ କ୍ରୁଦ୍ଧ ରାକ୍ଷସ ଗୋଟିକ ପରେ ଗୋଟିଏ ଫ୍ରାଙ୍କେନ୍ଷ୍ଟାଇନ୍ଙ୍କର ସମସ୍ତ ପ୍ରିୟଜନମାନଙ୍କୁ ହତ୍ୟା କଲା ପରେ ଖୋଦ୍ ଫ୍ରାଙ୍କେନ୍ଷ୍ଟାଇନ୍ଙ୍କୁ ମଧ୍ୟ ହତ୍ୟା କରିଥାଏ।
ମନୁଷ୍ୟ ଯଦି କୃତ୍ରିମ ଉପାୟରେ ଜୀବନ ସୃଷ୍ଟି କରେ, ତାହା ସମୟକ୍ରମେ କିପରି ବିପଜ୍ଜନକ ଭାବରେ ନିଜର ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ, ଦୁଇ ଶହ ବର୍ଷରୁ ଅଧିକ କାଳ ତଳେ ମେରୀ ସେଲି ତାହାର ଏ ଯେଉଁ କଳ୍ପନା କରିଥିଲେ, ତାହା ସେବେଠାରୁ ସେଇ ସମ୍ଭାବନାକୁ ଜୀବନ୍ତ ରଖିଆସିଛି। କିନ୍ତୁ ‘ଫ୍ରାଙ୍କେନ୍ଷ୍ଟାଇନ୍’ ଇତି ମଧ୍ୟରେ ଅଭିଧାନରେ ଏକ ଶବ୍ଦରେ ପରିଣତ ହୋଇ ସାରିଥିଲେ ହେଁ ଅନୁସନ୍ଧିତ୍ସୁ ବୈଜ୍ଞାନିକମାନଙ୍କୁ ତାହା କୃତ୍ରିମ ଜୀବନ ସୃଷ୍ଟି କରିବା ପାଇଁ ସେମାନଙ୍କର ଉଦ୍ୟମରୁ ନିବୃତ୍ତ କରିପାରି ନାହିଁ।
ଏହାର ଏକ ସଦ୍ୟତମ ପରିପ୍ରକାଶ ସ୍ବରୂପ ବିଜ୍ଞାନ ଜଗତରେ ଚହଳ ସୃଷ୍ଟି କରି ଏବେ ଏକ ଖବର ପ୍ରକାଶ ପାଇଛି ଯେ ପ୍ରଥମ ଥର ପାଇଁ ଗବେଷଣାଗାରରେ ସିନ୍ଥେଟିକ୍ ମାନବୀୟ ଭ୍ରୂଣ ମଡେଲ୍ମାନ ସୃଷ୍ଟି କରାଯାଇ ପାରିଛି। ଏହା ଏକ ସାଧାରଣଜ୍ଞାନ ଯେ ଭ୍ରୂଣ ସୃଷ୍ଟିର ଏକମାତ୍ର ଉପାୟ ହେଉଛି ଶୁକ୍ରାଣୁ ଓ ଡିମ୍ବାଣୁର ମିଳନ। ବର୍ତ୍ତମାନ କିନ୍ତୁ ଯେଉଁ ଭ୍ରୂଣ ଉତ୍ପାଦନ କରାଯାଇଛି ତାହା ସମ୍ଭବ ହୋଇଛି ଏହି ପ୍ରାକୃତିକ ପ୍ରକ୍ରିୟା ବାହାରେ ଗବେଷଣାଗାରରେ ଏମ୍ବ୍ରିୟୋନିକ୍ ଷ୍ଟେମ୍ ସେଲ୍ମାନଙ୍କୁ ବ୍ୟବହାର କରାଯାଇ। ଯେଉଁ ଦୁଇଟି ଗବେଷକ ଦଳ ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି, ସେମାନେ ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଓ ଆମେରିକାର କାଲିଫର୍ନିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଗବେଷଣାରତ ଅଛନ୍ତି।
ଗତ ବର୍ଷ ଇସ୍ରାଏଲ୍ସ୍ଥିତ ୱାଇଜ୍ମ୍ୟାନ୍ ଇନ୍ଷ୍ଟିଚ୍ୟୁଟ୍ର ଗବେଷକମାନେ ମୂଷାମାନଙ୍କର ଷ୍ଟେମ୍ ସେଲ୍ରୁ ଏକ ଭ୍ରୂଣ (ଏମ୍ବ୍ରିୟୋ) ଭଳି ପଦାର୍ଥ ସୃଷ୍ଟି କରିପାରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା ଅନ୍ତ୍ରନଳୀ, ଆରମ୍ଭ ହେଉଥିବା ମସ୍ତିଷ୍କ ଏବଂ ସ୍ପନ୍ଦନଯୁକ୍ତ ହୃତ୍ପିଣ୍ଡ। ଚଳିତ ବର୍ଷ ଚୀନ୍ର ଦଳେ ଗବେଷକ ଏ କ୍ଷେତ୍ରରେ ଆଉ ଟିକିଏ ଅଗ୍ରଗତି ହାସଲ କରି ମୂଷାମାନଙ୍କୁ ଅତିକ୍ରମ କରି ମାଙ୍କଡ଼ମାନଙ୍କ ଉପରେ ଏହି ପରୀକ୍ଷା ଚଳାଇଥିଲେ, ଯେଉଁମାନେ ହେଉଛନ୍ତି ମନୁଷ୍ୟର ନିକଟତମ ପ୍ରାଣୀ। ସେମାନେ ମାଙ୍କଡ଼ ସେଲ୍ରୁ ପ୍ରସ୍ତୁତ କରିଥିବା ସିନ୍ଥେଟିକ୍ ଏମ୍ବ୍ରିୟୋଗୁଡ଼ିକୁ କେତେକ ପ୍ରାପ୍ତବୟସ୍କା ମାଈ ମାଙ୍କଡ଼ମାନଙ୍କ ଗର୍ଭାଶୟରେ ସ୍ଥାପନ କରି ଦେଇଥିଲେ। ସେଗୁଡ଼ିକ କିନ୍ତୁ ମାତ୍ର କେତୋଟି ଦିନ ମଧ୍ୟରେ ନିଷ୍କ୍ରିୟ ହୋଇ ଯାଇଥିଲେ।
ଗବେଷକମାନଙ୍କ କହିବା କଥା ଯେ ସେମାନେ ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଥିବା ଏହି ସିନ୍ଥେଟିକ୍ ଭ୍ରୂଣ ସେମାନଙ୍କୁ କେତେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ଓ ନିଦାନ ଆବିଷ୍କାର କରିବାରେ ସାହାଯ୍ୟ କରିବ। ଉଦାହରଣ ସ୍ବରୂପ ଜେନେଟିକ୍ ଖୁଣମାନଙ୍କର ପ୍ରଭାବ ବୁଝିବାରେ ଓ ବାରମ୍ବାର ଘଟୁଥିବା ଗର୍ଭଚ୍ୟୁତିର ଜୈବିକ କାରଣ ନିରୂପଣ କରିବାରେ ଏହା ସହାୟକ ହେବ ବୋଲି ସେମାନେ କହିଥାନ୍ତି। ଭ୍ରୂଣର ବିକାଶର ଏହି ସମୟକୁ ‘ବ୍ଲାକ୍ବକ୍ସ ଷ୍ଟେଜ୍’ ରୂପେ ନାମିତ କରାଯାଇଥାଏ; ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ବକ୍ସ’ରେ ରେକର୍ଡ ହୋଇଥିବା ସୂଚନାମାନଙ୍କରୁ ଦୁର୍ଘଟଣାର କାରଣ ଜଣାପଡ଼ିବା ଭଳି ଏହି ସମୟରେ ଭ୍ରୂଣ ବହନ କରୁଥିବା ସୂଚନାମାନଙ୍କରୁ ଭବିଷ୍ୟତର ସ୍ବାସ୍ଥ୍ୟଗତ ଚିତ୍ର ସମ୍ବନ୍ଧରେ ଧାରଣା କରାଯାଇପାରିବ। ବର୍ତ୍ତମାନ ବୈଜ୍ଞାନିକମାେନ ଅନୁଶୀଳନ ଉଦ୍ଦେଶ୍ୟରେ ଭ୍ରୂଣକୁ ୧୪ ଦିନରୁ ଅଧିକ କାଳ ଜୀବିତ ରଖିବାକୁ ଅନୁମତି ପାଆନ୍ତି ନାହିଁ। ସେମାନେ ଭ୍ରୂଣର ବିକାଶ ଅନୁଶୀଳନ କରିବା ନିମିତ୍ତ ଗର୍ଭ ସ୍କାନ୍ ଓ ଦାନ ସୂତ୍ରରେ ଉପଲବ୍ଧ ଭ୍ରୂଣ ଉପରେ ନିର୍ଭର କରିଥାନ୍ତି।
ସିନ୍ଥେଟିକ୍ ଭ୍ରୂଣ ଉପଲବ୍ଧ ହେଲେ ଗବେଷଣା ସମ୍ମୁଖୀନ ହେଉଥିବା ସେଇ ପ୍ରତିବନ୍ଧ ଦୂର ହେବ। ଏହାର ସୃଷ୍ଟି ସହିତ ସମ୍ପୃକ୍ତ ଥିବା ଗବେଷକମାନେ କହନ୍ତି ଯେ ଏହି ସିନ୍ଥେଟିକ୍ ଭ୍ରୂଣ ପ୍ରକୃତରେ ଏକ ଭ୍ରୂଣ ନୁହେଁ- ଏହା ହେଉଛି ଭ୍ରୂଣ ଭଳି ପ୍ରତୀୟମାନ ହେଉଥିବା ଏକ ଗଠନ ମାତ୍ର, ଯାହାକୁ ସେମାନେ ମାନବ ଭ୍ରୂଣର ଏକ ମଡେଲ୍ ରୂପେ ବିଚାର କରିଥାନ୍ତି। କିନ୍ତୁ ଏହି ମଡେଲ୍ ଭ୍ରୂଣମାନଙ୍କର ବିକାଶ ଘଟି ଯଦି ସମ୍ପୂର୍ଣ୍ଣ ଜୀବନ୍ତ ସତ୍ତାର ଆବିର୍ଭାବର ସମ୍ଭାବନା ଥାଏ, ତେବେ ତାହା ନିଶ୍ଚିତ ରୂପେ ଏକ ନୈତିକ ପ୍ରଶ୍ନକୁ ଜନ୍ମ ଦେଇଥାଏ: କେବଳ ଗବେଷଣା ଉଦ୍ଦେଶ୍ୟରେ ଆମେ ଏକ ଜୀବନ୍ତ ମନୁଷ୍ୟ ଭଳି ପ୍ରାଣୀ ସୃଷ୍ଟି କରିବା ଗ୍ରହଣୀୟ କି? ସିନ୍ଥେଟିକ୍ ଭ୍ରୂଣ ସୃଷ୍ଟି ଉଦ୍ୟମର ବିରୋଧୀମାନେ ମଧ୍ୟ ଦାବି କରିଥାନ୍ତି ଯେ ଯେଉଁ ଷ୍ଟେମ୍ ସେଲ୍ ବ୍ୟବହାର କରାଯାଇ ଏହି ସିନ୍ଥେଟିକ୍ ଭ୍ରୂଣ ସୃଷ୍ଟି କରାଯାଇଥାଏ, ସେଇ ଷ୍ଟେମ୍ ସେଲ୍ର ଆହରଣ ପ୍ରକ୍ରିୟା ‘ବ୍ଲାଷ୍ଟୋସିଷ୍ଟ’ର ଧ୍ବଂସ ସାଧନ କରିଥାଏ, ଯାହା ହେଉଛି ସ୍ଥାପିତ ହୋଇନଥିବା ଛ’ରୁ ଆଠ ଦିନ ମଧ୍ୟର ଏକ ମାନବ ଭ୍ରୂଣ। ଯଦି ବିଶ୍ବାସ କରାଯାଏ ଯେ ଭ୍ରୂଣ ସଞ୍ଚାର ସଙ୍ଗେ ସଙ୍ଗେ ସେଥିରେ ଆତ୍ମାର ପ୍ରବେଶ ଘଟିଥାଏ, ତାହେଲେ ‘ବ୍ଲାଷ୍ଟୋସିଷ୍ଟ’ର ଧ୍ବଂସ ନରହତ୍ୟା ସହିତ ସମାନ ରୂପେ ବିବେଚିତ ହେବ।
ବର୍ତ୍ତମାନ ଯେଉଁ ସିନ୍ଥେଟିକ୍ ଭ୍ରୂଣ ସୃଷ୍ଟି ହୋଇଥିବା ଖବର ପ୍ରକାଶ ପାଇଛି, ସେଗୁଡ଼ିକ ଯେଉଁ ସ୍ତରରେ ପହଞ୍ଚିଛନ୍ତି, ତାହା ଭବିଷ୍ୟତରେ ଜୀବନ୍ତ ମନୁଷ୍ୟ ସୃଷ୍ଟି କରିବାର ସମ୍ଭାବନା ବହନ କରିଥାଏ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହି ସମ୍ଭାବନା ଯେତେ ସୁଦୂର ହୋଇଥିଲେ ହେଁ, ତାହା ବର୍ତ୍ତମାନର ଗବେଷଣା ଉପରେ ନୈତିକ ଓ ଆଇନଗତ ପ୍ରଶ୍ନବାଚୀମାନ ଲଗାଇଥାଏ। ଏହି ଗବେଷଣା ଭବିଷ୍ୟତରେ କେଉଁ ମୋଡ଼ ନେବ (ଭିକ୍ଟର୍ ଫ୍ରାଙ୍କେନ୍ଷ୍ଟାଇନ୍ଙ୍କୁ ଅନୁସରଣ କରିବ ନାହିଁ ତ?), ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ଯେଉଁ ବେଗରେ ବିଜ୍ଞାନର ଅଗ୍ରଗତି ଘଟୁଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ଆଇନରେ ଆବଶ୍ୟକ ପରିବର୍ତ୍ତନ ସେଥି ସହିତ ତାଳ ଦେଇପାରୁନାହିଁ। ‘ସିନ୍ଥେଟିକ୍ ଏମ୍ବ୍ରିେୟା’ରେ ଗବେଷଣା ଦିଗହରା ହେବା ପୂର୍ବରୁ ତାକୁ ସଂଯତ କରିବା ନିମିତ୍ତ ଉପଯୁକ୍ତ ନୀତି ନିୟମମାନ ତୁରନ୍ତ ପ୍ରଣୟନ କରାଯିବା ଆବଶ୍ୟକ। ନଚେତ୍ ଦିନେ ଆମର ଗବେଷଣାଗାରମାନଙ୍କରୁ ଫ୍ରାଙ୍କେନ୍ଷ୍ଟାଇନ୍ ରାକ୍ଷସମାନେ ବାହାରି ସେ ଗବେଷକମାନଙ୍କ ସହିତ ସମଗ୍ର ମାନବ ଜାତିର ଧ୍ବଂସ ସାଧନ କରି ବସିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp