ଏହାର ଉତ୍ତରରେ ‘ଶିକାରୀ ଓ ଶିକାର’ ଭଳି ପ୍ରସଙ୍ଗଟି ଉଠିଥାଏ, ଯେଉଁଠି ଅମନ ଚୋପ୍ରା ବା ମନୁ ମାନେସର ଅଥବା ସେମାନଙ୍କ ସତୀର୍ଥ ଗଣ ଅଗତ୍ୟା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବିଚରଣ କରୁଥିବା ଶିକାରୀ ତୁଲ୍ୟ ଦିଶନ୍ତି, ଯେଉଁମାନଙ୍କ ଜାଲରେ ପଡ଼ି ଚେତନ ସିଂହ ବା ଚନ୍ଦନ ଗୁପ୍ତାଙ୍କ ଭଳି ଅନେକ ନିଜର ବିବେକ, ବିବେଚନାବୋଧ ଏପରିକି ପ୍ରାଣ ମଧ୍ୟ ଜଳାଞ୍ଜଳି ଦେଇ ଦିଅନ୍ତି। ତେବେ ସତରେ କ’ଣ ଅମନ ଚୋପ୍ରା ବା ମନୁ ମାନେସର ବା ସେମାନଙ୍କ ସମଧର୍ମାମାନେ ପ୍ରକୃତରେ ଜଣେ ଜଣେ ଶିକାରୀ ନା ନିଜ ଅଗୋଚରରେ ଘୃଣା ଓ ବିଦ୍ବେଷ ରଂଜିତ ରାଜନୀତିର ଜଣେ ଜଣେ ଚୈତନ୍ୟ ବିବର୍ଜିତ ଦୟନୀୟ ଶିକାର? ଏହା ଏକ ଗୂଢ଼ ପ୍ରଶ୍ନ କିନ୍ତୁ ତାହା ସେମାନଙ୍କୁ ଆନ୍ଦୋଳିତ କରି ନ ଥାଏ।

Advertisment

ଏକ ପ୍ରହେଳିକାପୂର୍ଣ୍ଣ ପ୍ରଶ୍ନରୁ ଏହି ସ୍ତମ୍ଭର ପ୍ରାରମ୍ଭ କରାଯାଉ। ମନୁ ମାନେସର, ଚେତନ ସିଂହ, ଅମନ ଚୋପ୍ରା ଏବଂ ଚନ୍ଦନ ଗୁପ୍ତା; ଏହି ଚାରି ଜଣଙ୍କ ମଧ୍ୟରେ ଥିବା ସଂପର୍କର ସୂତ୍ରଟି କ’ଣ? ଯଦିଓ ଏହା ଖୁବ୍‌ ସମ୍ଭବ ଯେ ଏମା‌‌େନ କେହି ପରସ୍ପରକୁ ବ୍ୟକ୍ତିଗତ ଭାବେ ଚିହ୍ନି ବା ଜାଣି ନ ଥିବେ! ତେବେ, ସଂପ୍ରତି ଗଣମାଧ୍ୟମରେ ଚର୍ଚ୍ଚାର ପରିସରଭୁକ୍ତ ହୋଇ ଅନ୍ତତଃ ଦୁଇଟି ନାମ, ‘ମନୁ ମାନେସର’ ଏବଂ ‘ଚେତନ ସିଂହ’ ଏକ ବୃହତ୍ତର ପରିସରରେ ପରିଚିତି ଲାଭ କରିଛନ୍ତି; ତୃତୀୟ ନାମ ‘ଅମନ ଚୋପ୍ରା’ ଜଣେ ଟେଲିଭିଜନ ନ୍ୟୁଜ୍‌ ‘ଆଙ୍କୋର’ ରୂପେ ହୁଏତ କିଛି ପରିଚିତିର ଅଧିକାରୀ ହୋଇଥାଇ ପାରନ୍ତି; ତେବେ ଚତୁର୍ଥ ନାମ ‘ଚନ୍ଦନ ଗୁପ୍ତା’ ହେଉଛି ଜଣେ ପରଲୋକଗତ ୨୨ ବର୍ଷୀୟ ତରୁଣଙ୍କର, ଯିଏ ଆଜିକୁ ପାଞ୍ଚ ବର୍ଷ ତଳେ ସାମୟିକ ଚର୍ଚ୍ଚାର ବିଷୟ ହେବା ପରେ କ୍ରମେ ସାମୂହିକ ବିସ୍ମୃତିର ଗର୍ଭରେ ଲୀନ ହୋଇଯାଇଛନ୍ତି। ସୁତରାଂ, ଜିଜ୍ଞାସା ହୋଇପାରେ ଯେ କେଉଁ ସଂପର୍କର ସୂତ୍ର ଏହି ଚାରି ନାମକୁ ଏକତ୍ର କରିଥାଏ! ଏହାର ଉତ୍ତର ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଛି, ଯାହା ସାଂପ୍ରତିକ ଭାରତ ସକାଶେ ବିଶେଷ ପ୍ରାସଙ୍ଗିକ।
ପ୍ରକାଶ ଥାଉ କି ହରିଆଣା ନିବାସୀ ବଜରଙ୍ଗ ଦଳର ନେତା ମନୁ ମାନେସରଙ୍କୁ ସଂପ୍ରତି ସଂଘଟିତ ହୋଇ ଯାଇଥିବା ନୁହ୍‌ ଏବଂ ଗୁରୁୁଗ୍ରାମ ସାଂପ୍ରଦାୟିକ ଦଙ୍ଗାରେ ମୁଖ୍ୟ ଅଭିଯୁକ୍ତ ରୂପେ ଚିହ୍ନଟ କରାଯାଇଥାଏ; ରେଳବାଇ ପୁଲିସ କର୍ମଚାରୀ ଚେତନ ସିଂହ ହେଉଛନ୍ତି ଏକ ଗ‌‌ତିଶୀଳ ଟ୍ରେନ୍‌ରେ ନିଜ ବରିଷ୍ଠ ସହଯୋଗୀଙ୍କ ସହିତ ତିନି ଜଣ ମୁସଲମାନ ସହଯାତ୍ରୀଙ୍କ ହତ୍ୟାକାରୀ, ଯିଏ ଏଭଳି ହତ୍ୟା କାଣ୍ଡ ଘଟାଇ ସାରି ଏକ ଘୃଣା ବ୍ୟଂଜକ କ୍ଷୁଦ୍ର ଭାଷଣ ପ୍ରଦାନ କରୁଥିବାର ଭିଡିଓ ଭାଇରାଲ ହୋଇଛି; ଅମନ ଚୋପ୍ରା ହେଉଛନ୍ତି ତୀବ୍ର ସାଂପ୍ରଦାୟିକ ଘୃଣାର ପ୍ରଚାରକାରୀ ଜଣେ ଟିଭି ‘ଆଙ୍କୋର୍‌’ ଏବଂ ପରଲୋକଗତ ଚନ୍ଦନ ଗୁପ୍ତା ଥିଲେ ‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’ର ଜଣେ ସଦସ୍ୟ ଏବଂ ହିନ୍ଦୁ ଉଗ୍ର ଦକ୍ଷିଣପନ୍ଥୀ ରାଜନୀତିର ଜଣେ ପୃଷ୍ଠପୋଷକ। ସୁତରାଂ, ଏହା ସହଜରେ ବୋଧଗମ୍ୟ ହୋଇଥାଏ ଯେ ଘୃଣା ଏବଂ ବିଦ୍ବେଷ ଦ୍ବାରା ଏହି ଚାରି ଜଣ ପ୍ରାୟ ଏକା ଭଳି ସଂକ୍ରମିତ, ଯାହା ଏମାନଙ୍କୁ ଯୋଡୁଥିବା ସଂପର୍କର ସୂତ୍ର!
ଟିକିଏ ଗହୀରେଇ ଦେଖିଲେ ଏଥିରେ ନିହିତ ଏକ ବିଡ଼ମ୍ବନାଟି ମଧ୍ୟ ଦିଶିଥାଏ; ଯାହା ହେଲା ଏମାନଙ୍କ ମଧ୍ୟରୁ ଜଣେ ଏକ ଧର୍ମୀୟ ଅନୁଷ୍ଠାନ, ଦ୍ବିତୀୟ ଜଣକ ରାଷ୍ଟ୍ରର ସୁରକ୍ଷା ବାହିନୀ, ତୃତୀୟ ଜଣକ ଗଣମାଧ୍ୟମ ଏବଂ ଚତୁର୍ଥ ଜଣକ ତରୁଣ ବର୍ଗର ପ୍ରତିନିଧିତ୍ବ କରୁଥିବା ବେଳେ ଆନୁଗତ୍ୟ, ବୃତ୍ତି ଏବଂ ବୟସ ଦୃଷ୍ଟିରୁ ଲାଭ କରିଥିବା କ୍ଷମତାକୁ ଘୃଣା ଏବଂ ବିଦ୍ବେଷର ପ୍ରସାରରେ ଉପଯୋଗ କରିଛନ୍ତି। ଏହି ସଂଦର୍ଭ‌େର ଅଭିଜ୍ଞ ସାମ୍ବାଦିକ ବୀର ସଂଗଭିଙ୍କ ଦ୍ବାରା ରଚିତ ଏବଂ ‘ଦ ପ୍ରିଣ୍ଟ୍‌’ରେ ପ୍ରକାଶିତ ଆଲେଖ୍ୟ “ହ୍ବାଟ୍‌ ହାପେନ୍‌ଡ ଟୁ ‘ହିନ୍ଦୁଇଜମ ଇଜ୍ ଟଲରାଣ୍ଟ ଏଣ୍ଡ ସେକ୍ୟୋଲାର୍‌’”? (ମର୍ମାର୍ଥ: ହିନ୍ଦୁ ସହନଶୀଳ ଓ ଧର୍ମନିରପେକ୍ଷ ବୋଲି ଧାରଣାର କ’ଣ ହେଲା?) ସ୍ମରଣକୁ ଆସିଥାଏ, ଯହିଁରେ କିଂବଦନ୍ତୀୟ ‘ହିନ୍ଦୁ ସହିଷ୍ଣୁତା’ କିଭଳି କ୍ରମେ ଅପସୃୟମାଣ ହୋଇ ଚାଲିଛି ସେ ନେଇ ଖେଦ ଏବଂ ଚିନ୍ତା ପ୍ରକଟ କରାଯାଇଛି ଏବଂ ତହିଁରେ ଅତ୍ୟନ୍ତ ଯଥାର୍ଥ ଭାବେ ସଂଗଭି କହିଛନ୍ତି ଯେ ‘ଘୃଣା ଏବଂ ବିଦ୍ବେଷ ବର୍ତ୍ତମାନ ଏକତାର ସୂତ୍ର ପାଲଟିଛି।
ତେବେ, ସଂପ୍ରତି ଏହା କିଭଳି ତୀବ୍ରତା ଲାଭ କଲାଣି ତା’ର ଏକ ଦୃଷ୍ଟାନ୍ତ ରୂପେ ଅଠତିରିଶ ବର୍ଷ ବୟସ୍କ ଯୁବ ସାମ୍ବାଦିକ ଓ ‘ଟିଭି ଆଙ୍କୋର’ ଅମନ ଚୋପ୍ରାଙ୍କ ସଦ୍ୟ ପ୍ରକାଶିତ ବିବାଦୀୟ ‘ଟୁଇଟ୍‌’କୁ ଉପସ୍ଥାପନ କରାଯାଇପାରେ, ଯହିଁରେ ସେ ‘ପର୍ମାନେଣ୍ଟ ଇଲାଜ୍‌’ ବା ‘ଚିରସ୍ଥାୟୀ ଚିକିତ୍ସା’ ସପକ୍ଷ‌େର ମତ ପ୍ରଦାନ କରିଥାଆନ୍ତି। ପଞ୍ଜରା ଥରାଇ ଦେବା ଭଳି ଆତଙ୍କର ଶୀତଳ ଶିହରଣ ସଂଚାର କରୁଥିବା ଏହି ‘ଟୁଇଟ୍‌’ ଆଜିକୁ ଅଶୀ ବର୍ଷ ତଳେ ହିଟଲର୍‌ଙ୍କ ଦ୍ବାରା ଅନୁସୃତ ‘ଫାଇନାଲ ସଲ୍ୟୁସନ୍‌’ ବା ‘ଅନ୍ତିମ ସମାଧାନ’ର ଏକ ପ୍ରତିଧ୍ବନି ଭଳି ଶୁଭି ନ ଥାଏ କି; ଯହିଁରେ ଷାଠିଏ ଲକ୍ଷ ଇହୁଦୀଙ୍କ ଗଣହତ୍ୟା କରାଯାଇଥିଲା ଏବଂ ଯାହା ‘ହଲୋକଷ୍ଟ’ ନାମରେ କୁଖ୍ୟାତ! ତେବେ ଅମନ ଚୋପ୍ରାଙ୍କ ‘ପର୍ମାନେଣ୍ଟ ଇଲାଜ’ କେଉଁ ସଂପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ, ତାହା ବୁଝାଇ କହିବାର କୌଣସି ଆବଶ୍ୟକତା ନାହିଁ। ପ୍ରକାଶ ଥାଉ କି ଏଭଳି ‘ଆଙ୍କୋର’ମାନଙ୍କ ପ୍ରସାଦରୁ ସାଂପ୍ରଦାୟିକ ଘୃଣାରେ ଭରପୂର ଚେତନ ସିଂହମାନେ ସୃଷ୍ଟି ହେବାରେ ଲାଗିଛନ୍ତି ଏବଂ ମନୁ ମାନେସରମାନେ ଉଦ୍ଦାମ ତଥା ହିଂସା ଉନ୍ମତ୍ତ ବାହିନୀ ଗଠନ କରିବା ଲାଗି ପ୍ରେରଣା ଏବଂ ସାଧନ ପାଉଛନ୍ତି।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୮ ମସିହା, ଜାନୁଆରି ୨୬ ତାରିଖରେ, ଉତ୍ତର ପ୍ରଦେଶର ବାସୁ ନଗର ଠାରେ ବାଇଶ ବର୍ଷୀୟ ତରୁଣ ଚନ୍ଦନ ଗୁପ୍ତା ଏକ ‘ହିନ୍ଦୁତ୍ବବାଦୀ’ ଯୁବ ଦଳ ସହିତ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଉଥିବା ବେଳେ ଯେଉଁ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା, ତହିଁରେ ଦୈବାତ୍‌ ଏକ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରକାଶ ଥାଉ କି ଚନ୍ଦନଙ୍କ ମୃତ୍ୟୁ ସପ୍ତାହେ ବ୍ୟାପୀ ସାଂପ୍ରଦାୟିକ ହିଂସାକାଣ୍ଡର କାରଣ ହୋଇଥିଲା ଏବଂ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜଣେ ଏକାନ୍ତ ଅନୁଗତ ଚନ୍ଦନ ଗୁପ୍ତାଙ୍କୁ ସେହି ସମୟ‌େର ଜଣେ ସହିଦର ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା ତଥା ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନର ଘୋଷଣା କଯାଯାଇଥିଲା। କିନ୍ତୁ ବାସ୍ତବତା ହେଲା, ଚନ୍ଦନ ଗୁପ୍ତାଙ୍କ ପ୍ରତିମୂର୍ତ୍ତିର ଅନାବରଣ ବିଷୟ ଦୂରେ ଥାଉ, ବର୍ତ୍ତମାନ ସେ ଅତଳ ବିସ୍ମୃତିର ଗର୍ଭରେ ସତ୍ତା ହରାଇ ସାରିଛନ୍ତି। ଏହି ପ୍ରସଙ୍ଗ ଉତ୍‌ଥାପନ କରି ବିଶିଷ୍ଟ ସାମ୍ବାଦିକ ରବୀଶ କୁମାର ଯେଉଁ ପ୍ରଶ୍ନ ଉଠାଇଥାଆନ୍ତି ତାହା ହେଲା, ଏଭଳି କାହିଁକି ହୁଏ ଯେ ସାଂପ୍ରଦାୟିକ ଦଙ୍ଗାରେ କେବଳ ସାଧାରଣ ନିମ୍ନ ବିତ୍ତ ପରିବାରର ତରୁଣ ସନ୍ତାନମାନେ ପ୍ରାଣ ହରାନ୍ତି ବା ଜେଲ ଯାଆନ୍ତି? ଅହୋରାତ୍ର ଘୃଣାର ପ୍ରସାର କରି ଚାଲିଥିବା ଟିଭି ‘ଆଙ୍କୋର’ ବା ସେମାନଙ୍କ ପୃଷ୍ଠପୋଷକ ରାଜନେତାମାନଙ୍କ ସନ୍ତାନଗଣ ଏଭଳି ସ୍ଥିତିରୁ ନିରାପଦ ଦୂରତ୍ବରେ ରହି ଦେଶ ବିଦେଶର ଖ୍ୟାତନାମା ବିଦ୍ୟାଳୟ ବା ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରୁଥାଆନ୍ତି ବା ଉଜ୍ଜ୍ବଳ ଭବିଷ୍ୟତ୍‌ ଗଢୁ ଥାଆନ୍ତି?
ଏହାର ଉତ୍ତରରେ ‘ଶିକାରୀ ଓ ଶିକାର’ ଭଳି ପ୍ରସଙ୍ଗଟି ଉଠିଥାଏ, ଯେଉଁଠି ଅମନ ଚୋପ୍ରା ବା ମନୁ ମାନେସର ଅଥବା ସେମାନଙ୍କ ସତୀର୍ଥ ଗଣ ଅଗତ୍ୟା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବିଚରଣ କରୁଥିବା ଶିକାରୀ ତୁଲ୍ୟ ଦିଶନ୍ତି, ଯେଉଁମାନଙ୍କ ଜାଲରେ ପଡ଼ି ଚେତନ ସିଂହ ବା ଚନ୍ଦନ ଗୁପ୍ତାଙ୍କ ଭଳି ଅନେକ ନିଜର ବିବେକ, ବିବେଚନାବୋଧ ଏପରିକି ପ୍ରାଣ ମଧ୍ୟ ଜଳାଞ୍ଜଳି ଦେଇ ଦିଅନ୍ତି। ତେବେ ସତରେ କ’ଣ ଅମନ ଚୋପ୍ରା ବା ମନୁ ମାନେସର ବା ସେମାନଙ୍କ ସମଧର୍ମାମାନେ ପ୍ରକୃତରେ ଜଣେ ଜଣେ ଶିକାରୀ ନା ନିଜ ଅଗୋଚରରେ ଘୃଣା ଓ ବିଦ୍ବେଷ ରଂଜିତ ରାଜନୀତିର ଜଣେ ଜଣେ ଚୈତନ୍ୟ ବିବର୍ଜିତ ଦୟନୀୟ ଶିକାର? ଏହା ଏକ ଗୂଢ଼ ପ୍ରଶ୍ନ କିନ୍ତୁ ତାହା ସେମାନଙ୍କୁ ଆନ୍ଦୋଳିତ କରି ନ ଥାଏ।