କିନ୍ତୁ ଏହି ଅତୁଳନୀୟ କ୍ଷଣର ଅନୁଚିନ୍ତାଟି ହେଲା କେବଳ ଗର୍ବ ଅନୁଭବ କରିବାରେ ସନ୍ତୁଷ୍ଟ ନ ରହି ଅଧିକ ଗୌରବାନ୍ବିତ କ୍ଷଣମାନ ସୃଷ୍ଟି କରିବା ପ୍ରତ୍ୟେକ ଭାରତୀୟଙ୍କ ଧ୍ୟେୟ ହେବା ଉଚିତ, ଏବଂ ତହିଁେର ଏହି ବୃହତ୍ତମ ଭାରତୀୟ ସଂଖ୍ୟାଲଘୁ ସଂପ୍ରଦାୟ ଆପଣା ପଦଚିହ୍ନକୁ ଅଧିକ ପ୍ରଗାଢ଼ କରିବା ଆବଶ୍ୟକ। ସେମାନଙ୍କ ପ୍ରୟାସ କେବଳ ସେମାନଙ୍କୁ ଏହି ସାମର୍ଥ୍ୟ ପ୍ରଦାନ କରିବ; ଏହା ହେଲେ କୌଣସି ମୁସଲମାନ କିଶୋର ତା’ ସାଂପ୍ରଦାୟିକ ପରିଚିତି ଲାଗି ସହପାଠୀଙ୍କ ଦ୍ବାରା ଲାଂଛିତ ହେବାର ଦୁର୍ଯୋଗ ସୃଷ୍ଟି ହେବ ନାହିଁ; ଏବଂ ଏହା ହିଁ ପ୍ରକୃତରେ ଭାରତକୁ ‘ସାରେ ଜହାଁ ସେ ଅଚ୍ଛା’ କରିବ।
ଗଲା ଶୁକ୍ରବାର ଦିନ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଚଳିତକାରୀ ଏକ ଭିଡିଓ ଭାଇରାଲ ହୋଇ ବ୍ୟାପକ ରୋଷ, ଉଦ୍ବେଗ ଏବଂ ହତାଶା ସୃଷ୍ଟି କରିଛି। ତହିଁରେ ଦେଖିବାକୁ ମିଳିଛି ଯେ ଉତ୍ତରପ୍ରଦେଶର ମୁଜାଫରପୁରର ଏକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀର ମୁସଲମାନ ବାଳକକୁ ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ପ୍ରୋତ୍ସାହନରେ ତା’ର ସହପାଠୀମାନେ ଜଣକ ପରେ ଜଣେ ଶକ୍ତ ଚପେଟାଘାତ କରି ଚାଲିଛନ୍ତି ଏବଂ ସେହି କାର୍ଯ୍ୟକୁ କୋମଳ ଭାବେ ସଂପାଦନ କରୁଥିବା ଛାତ୍ର ବନ୍ଧୁମାନଙ୍କୁ ଅଧିକ ଜୋରରେ ଆଘାତ କରିବା ଲାଗି ଶିକ୍ଷୟିତ୍ରୀ ଜଣକ ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି। ତାଙ୍କ ଉଚ୍ଚାଟଭରା ସ୍ପଷ୍ଟ-ଅସ୍ପଷ୍ଟ ଭର୍ତ୍ସନାେର ‘ମହମଡ୍ଡାନ୍’ ଭଳି ଶବ୍ଦଟିଏ ଶ୍ରୁତିଗୋଚର ହେଉଥିବାରୁ ଏଭଳି ଦଣ୍ଡ ବିଧାନ ପଛରେ ସାଂପ୍ରଦାୟିକ ଘୃଣା ଭରି ରହିଛି ଭଳି ମନେ ହୋଇଥାଏ। ସୁତରାଂ, ମେରୁଦଣ୍ଡରେ ଶୀତଳ ପ୍ରବାହ ଜାତ କଲା ଭଳି ଧାରଣାଟିଏ ମଧ୍ୟ ଜନ୍ମି ଥାଏ ଯେ ଆଧୁନିକ ସ୍କୁଲ ଶିକ୍ଷା ଲାଭ କରୁଥିବା ସ୍ବଳ୍ପ ବୟସର ଛାତ୍ରଛାତ୍ରୀଙ୍କ ଭିତରେ ମଧ୍ୟ ସାଂପ୍ରଦାୟିକ ବିଦ୍ବେଷର ହଳାହଳ ସଂଚାର କରାଯିବାର ଉଦ୍ୟମ ଆରମ୍ଭ ହୋଇଗଲାଣି ଏବଂ ଏଥିରେ ଶିକ୍ଷକ ଅବା ଶିକ୍ଷୟିତ୍ରୀମାନେ ସୂତ୍ରଧର ଭୂମିକାରେ ଅବତୀର୍ଣ୍ଣ! ଅବଶ୍ୟ, ଇତିମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି; ତେବେ, ଏ ସଂକ୍ରାନ୍ତରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ କୈଫିୟତ ହେଲା ‘ହୋମ୍ ୱାର୍କ୍’ କରି ନ ଥିବା ଛାତ୍ରଙ୍କ ଲାଗି ସେ ଯଦିଓ ଏଭଳି ଦଣ୍ଡର ନିେର୍ଦ୍ଦଶ ଦେଇଥିଲେ, ତହିଁରେ କୌଣସି ସାଂପ୍ରଦାୟିକ ଘୃଣା ଭାବ ନ ଥିଲା; ଶ୍ରେଣୀରେ ହିନ୍ଦୁ ଛାତ୍ରଙ୍କ ସଂଖ୍ୟାଧିକ୍ୟ ଅଗତ୍ୟା ତାହାକୁ ସାଂପ୍ରଦାୟିକତାର ରୂପ ଦେଇଛି ଏବଂ ତାଙ୍କ ଦ୍ବାରା ‘ମହମଡ୍ଡାନ’ ଶବ୍ଦ ଉଚ୍ଚାରଣର ପରିପ୍ରେକ୍ଷୀ ହେଲା ସେ ତାଙ୍କ ଗାଳିରେ ସୂଚାଇବାକୁ ଚାହିଁଥିଲେ ଯେ ‘ମହମଡ୍ଡାନ୍’ ପରିବାରର ମା’ମାନେ ସେମାନଙ୍କ ସନ୍ତାନମାନଙ୍କ ଶିକ୍ଷା ନେଇ ଆଦୌ ଯତ୍ନଶୀଳ ହେଉନାହାନ୍ତି, ଯାହା ଅତ୍ୟନ୍ତ ନୈରାଶ୍ୟଜନକ! ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ସାଂପ୍ରଦାୟିକ ଘୃଣାର ମନୋଭାବ ଥାଉ ବା ନ ଥାଉ, ଏଭଳି ଦଣ୍ଡ ବିଧାନ ଅତ୍ୟନ୍ତ ଗର୍ହିତ, ଯାହା ଦଣ୍ଡିତ କିଶୋର ଠାରେ ଏକ ଅବିମୋଚନୀୟ ମର୍ମଦାହର ଜ୍ବାଳା ସୃଷ୍ଟି କରିଥିବ। କିନ୍ତୁ ଯଦି ଏଥିରେ ସାଂପ୍ରଦାୟିକ ଘୃଣା ନିହିତ ଥାଏ, ତେବେ ତାହା ସଂପୂର୍ଣ୍ଣ ଅକ୍ଷମଣୀୟ। କିନ୍ତୁ ଏହା ସତ୍ତ୍ବେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଦ୍ବାରା ପ୍ରଦତ୍ତ କୈଫିୟତ ଯେଉଁ ଅସ୍ବସ୍ତିକର ବାସ୍ତବତା ଆଡ଼କୁ ଇଙ୍ଗିତ କରିଥାଏ, ତାହାକୁ ମଧ୍ୟ ନଜରଅନ୍ଦାଜ କରାଯାଇ ନ ପାରେ।
ପ୍ରକାଶ ଥାଉ କି ଭାରତ ଜନସଂଖ୍ୟାର ପ୍ରାୟ ୧୫% (ପ୍ରାୟ ୨୨ କୋଟି) ହେଉଛନ୍ତି ମୁସଲମାନ, ଯାହା ରାଷ୍ଟ୍ରର ବୃହତ୍ତମ ସଂଖ୍ୟାଲଘୁ ସଂପ୍ରଦାୟ; ଅଥଚ ସମସ୍ତ ସର୍ବେକ୍ଷଣ ଏବଂ ଅନୁଧ୍ୟାନରୁ ଏହା ପ୍ରମାଣିତ ଯେ ଏହା ମଧ୍ୟ ହେଉଛି ଦେଶର ସର୍ବାଧିକ ପଛୁଆ ବର୍ଗ। ଏହି ମର୍ମରେ ଜନସଂଖ୍ୟାର ୧୫ ପ୍ରତିଶତ ସମ୍ବଳିତ ଏହି ଅଂଶର ରାଜନୈତିକ ପ୍ରତିନିଧିତ୍ବ ଉପରେ ଦୃଷ୍ଟି ପକାଯାଉ। ଚଳିତ ଲୋକସଭାରେ ମୁସଲମାନ ସାଂସଦଙ୍କ ହାର ମାତ୍ର ୪.୯% ଏବଂ ଦେଶର ସବୁ ବିଧାନସଭାର ସଦସ୍ୟଙ୍କ ମଧ୍ୟରେ ଏହି ସଂପ୍ରଦାୟର ଉପସ୍ଥିତି ହେଉଛି ମାତ୍ର ୫.୭ ପ୍ରତିଶତ; ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଶାସକ ଦଳ ବିଜେପି ବର୍ତ୍ତମାନ ମୁସଲିମ ପ୍ରତିନିଧିତ୍ବ ଶୂନ୍ୟ ଏବଂ ଅରିଫ ମହମ୍ମଦ ଖାଁ (କେରଳ)ଙ୍କ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ମୁସଲମାନ ରାଜ୍ୟପାଳ ନାହାନ୍ତି। ଏବଂ ଏକ ବିଡ଼ମ୍ବିତ ବାସ୍ତବତା ହେଲା ବିଜେପିର ଅଭୂତପୂର୍ବ ନିର୍ବାଚନୀ ସଫଳତା କାରଣରୁ ବର୍ତ୍ତମାନ ଅଧିକାଂଶ ଧର୍ମ-ନିରପେକ୍ଷ ଦଳ ସଂଖ୍ୟାଗରିଷ୍ଠ ହିନ୍ଦୁ ସଂପ୍ରଦାୟର ସମର୍ଥନ ଲାଭ କରିବା ଲାଗି ଲାଳାୟିତ, ଯାହା ସ୍ବାଭାବିକ ଭାବେ ମୁସଲମାନଙ୍କ ରାଜନୈତିକ ପ୍ରତିନିଧିତ୍ବକୁ ଆହୁରି କ୍ଷୀଣପ୍ରଭ କରିବ। ସୁତରାଂ, ରାଜନୈତିକ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ଉଚ୍ଚଶିକ୍ଷା, ଉଚ୍ଚ ପଦରେ ଚାକିରି (ଉଭୟ ସରକାରୀ ଓ ବେସରକାରୀ) ଏବଂ ସଫଳ ବ୍ୟବସାୟ ଇତ୍ୟାଦିରେ ଅଧିକ ପ୍ରତିନିଧିତ୍ବ ଉପରେ ଗୁରୁତ୍ବ ଦିଆଯିବା ଉଚିତ, ଯାହା ଏହି ବର୍ଗକୁ ଅଗ୍ରଣୀ କରନ୍ତା। କିନ୍ତୁ କଟୁ ବାସ୍ତବତା ହେଲା ଏହି ସଂପ୍ରଦାୟର ୪୨% ନିରକ୍ଷର, ଯେଉଁ ହାର ଦେଶରେ ସର୍ବାଧିକ; ଭାରତୀୟ ଅର୍ଥନୀତିରେ ଏହି ବର୍ଗର ଯୋଗ ଦାନ ମାତ୍ର ୩%, ଯାହା ସେମାନଙ୍କ ଉତ୍କଟ ଦାରିଦ୍ର୍ୟର ନିଦର୍ଶନ। ୨୦୦୬ ମସିହାରେ ପ୍ରକାଶିତ ରାଜେନ୍ଦ୍ର ସାଚାର କମିଟି ରିପୋର୍ଟ ଅନୁସାରେ ସରକାରୀ ଚାକିରିରେ ଏହି ବର୍ଗର ଅଂଶ ଥିଲା ମାତ୍ର ପ୍ରାୟ ୩%, ଯାହା ୨୦୧୭ ସୁଦ୍ଧା ବୃଦ୍ଧି ପାଇ ପ୍ରାୟ ୮%ରେ ପହଞ୍ଚିଛି; କିନ୍ତୁ ଏଭଳି ବୃଦ୍ଧି ସତ୍ତ୍ବେ ଏହି ସ୍ଥିତି ଅତ୍ୟନ୍ତ ଦୟନୀୟ। ଘରୋଇ ଉଦ୍ୟୋଗର ଉଚ୍ଚତର ପଦରେ ମୁସଲମାନ ପ୍ରତିନିଧିତ୍ବକୁ ନେଇ ୨୦୧୫ ମସିହାରେ ପ୍ରକାଶିତ ‘ଇକୋନୋମିକ୍ସ ଟାଇମ୍ସ’ର ଏକ ପରିସଂଖ୍ୟାନ କହିଥିଲା ଯେ ଭାରତର ବୃହତ୍ ୫୦୦ଟି କଂପାନିର ୨,୩୨୪ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରୁ ୬୨ ଜଣ ମୁସଲିମ ଯାହା ମାତ୍ର ୨.୬୭ ପ୍ରତିଶତ। ଏକ ଅନୁଶୀଳନ କହିଥାଏ ଯେ ମୁସଲମାନବହୁଳ ହିନ୍ଦୀ ହୃଦ୍ସ୍ଥଳ ଭାବେ ପରିଚିତ ରାଜ୍ୟଗୁଡ଼ିକରେ ଅଧିକାଂଶ ମୁସଲମାନ ପରିବାର ଏକ ଧାରଣା ବହନ କରନ୍ତି ଯେ ସରକାରୀ ଚାକିରି ସେମାନଙ୍କ ସକାଶେ ସଂପୂର୍ଣ୍ଣ ଦୁର୍ଲଭ; ଯାହା ସେଠାରେ ମଦ୍ରାସା ଶିକ୍ଷାର ପ୍ରାଧାନ୍ୟରେ ବୃଦ୍ଧି ଘଟାଇଛି ଏବଂ ଆଧୁନିକ ଶିକ୍ଷା ଲାଭ କରି ବିଭିନ୍ନ କ୍ଷେତ୍ରରେ ପରାକାଷ୍ଠା ପ୍ରଦର୍ଶନ କରିବାର ସୁଯୋଗରୁ ସେମାନଙ୍କୁ ପ୍ରକାରାନ୍ତରେ ବଞ୍ଚିତ କରିଛି। ସୁତରାଂ, ସନ୍ତାନମାନଙ୍କ ଉଚ୍ଚ ଶିକ୍ଷା ଲାଗି ମୁସଲିମ ପରିବାରଗୁଡ଼ିକ ଯେ ଅଙ୍ଗୀକାରବଦ୍ଧ ହେବା ଉଚିତ, ତହିଁରେ ଦ୍ବିରୁକ୍ତି ନାହିଁ।
ତେବେ, ଏହି ସଂଦର୍ଭରେ ଆଲୋଚନା କଲା ବେଳେ ଜଣେ ବ୍ୟକ୍ତି ଏବଂ ଗୋଟିଏ ସଂପ୍ରଦାୟ ଉଜ୍ଜ୍ବଳ ଦୃଷ୍ଟାନ୍ତ ରୂପେ ପ୍ରତିଭାତ ହୁଅନ୍ତି, ଯେଉଁମାନଙ୍କୁ ଦିଗବାରେଣି ରୂପେ ଦେଖାଯାଇପାରେ। ବ୍ୟକ୍ତି ଜଣକ ହେଉଛନ୍ତି ଏ. ପି. ଜେ. ଅବଦୁଲ କଲାମ, ଯିଏ ତାଙ୍କ ସାଂପ୍ରଦାୟିକ ପରିଚିତି ଓ ପରିବେଶ ସତ୍ତ୍ବେ ଚରମ ଦାରିଦ୍ର୍ୟର ତାଡ଼ନାକୁ ଅତିକ୍ରମ କରି ଜଣେ କିଂବଦନ୍ତୀୟ ବୈଜ୍ଞାନିକ ଏବଂ ପରିଶେଷରେ ଭାରତର ରାଷ୍ଟ୍ରପତି ହୋଇ ପାରିଥିଲେ। ଏବଂ ଏ ସବୁର ଊର୍ଦ୍ଧ୍ବରେ ଯାହା ତାଙ୍କୁ ଅଦ୍ବିତୀୟ କରିଥାଏ, ତାହା ହେଉଛି ସ୍ବାଧୀନତୋତ୍ତର ଭାରତର ଅନ୍ୟତମ ସର୍ବାଧିକ ଜନାଦୃତ ପଥ ପ୍ରଦର୍ଶକ ଭାବେ ସେ ଲାଭ କରିଥିବା ସର୍ବାମନ୍ୟତା। ଏବଂ ସଂପ୍ରଦାୟଟି ହେଉଛି ମାତ୍ର ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଲଘୁ ବର୍ଗ ଜୈନ ସଂପ୍ରଦାୟ, ଯାହାର ସଦସ୍ୟମାନେ ସର୍ବାଧିକ ଉଚ୍ଚ ଶିିକ୍ଷିତ ଓ ସଫଳ ଭାରତୀୟଙ୍କ ମଧ୍ୟରେ ଅଗ୍ରଗଣ୍ୟ; ଯେଉଁମାନେ ସେମାନଙ୍କ ସାଂପ୍ରଦାୟିକ ପରିଚିତିକୁ ଏକ ଆଳ କିମ୍ବା ଅବଲମ୍ବନ ଭାବେ ବ୍ୟବହାର କରି ନ ଥାଆନ୍ତି।
ପ୍ରକାଶ ଥାଉ କି ଯେତେବେଳେ ‘ଚନ୍ଦ୍ରଯାନ-୩’ ସଫଳତାର ସହିତ ଚନ୍ଦ୍ରାବତରଣ କଲା; ଅନେକ ଭାରତୀୟ ସେତିକି ବେଳେ ୧୯୮୪ ମସିହାର ଏକ ମହାକାଶୀୟ ଘଟଣାର ସ୍ମୃତି ଚାରଣ କରିଥିଲେ। ଘଟଣାଟି ଥିଲା ଏହି ପରି: ପ୍ରଥମ ଭାରତୀୟ ମହାକାଶ ଅଭିଯାତ୍ରୀ ରାକେଶ ଶର୍ମାଙ୍କୁ ତତ୍କାଳୀନ ପ୍ରଧାମମନ୍ତ୍ରୀ ଭୂପୃଷ୍ଠରୁ ପ୍ରଶ୍ନ କରିଥିଲେ ଯେ ମହାକାଶରୁ ଭାରତ କିଭଳି ଦିଶୁଛି?; ଯାହାର ତତ୍କ୍ଷଣାତ୍ ଉତ୍ତର ଦେଇ ରାକେଶ ଶର୍ମା ପ୍ରସିଦ୍ଧ ମୁସଲମାନ କବି ମହମ୍ମଦ ଇକବାଲଙ୍କ ସେହି ଅମର ଦେଶାତ୍ମବୋଧକ ଗୀତର ପ୍ରଥମ ଧାଡ଼ିକୁ ଉଦ୍ଧାର କରି କହିଥିଲେ ‘ସାରେ ଜାହାଁ ସେ ଆଚ୍ଛା,’ ଅର୍ଥାତ୍ ‘ଦୁନିଆର ସବୁଠାରୁ ଅଧିକ ସୁନ୍ଦର।’ ଗଲା ଅଗଷ୍ଟ ୨୩ ତାରିଖର ଚନ୍ଦ୍ରାବତରଣର ସେହି ବିରଳ କ୍ଷଣରେ ଭୂ-ପୃଷ୍ଠରେ ଏଭଳି ସର୍ବାଧିକ ସୁନ୍ଦର ଭାରତର ଛବିଟିଏ ଦୃଷ୍ଟିଗୋଚର ହୋଇଥିଲା; ଯେତେବେଳେ ସବୁ ପ୍ରକାର ସଂକୀର୍ଣ୍ଣ ବିଚାର ଓ ବିଦ୍ବେଷ ଦ୍ରବୀଭୂତ ହୋଇଯିବା ସହିତ ସମଗ୍ର ଭାରତ ଅତୁଲ୍ୟ ଗର୍ବ-ବୋଧେର ଏକାକାର ହୋଇଯାଇଥିଲା। କିନ୍ତୁ ଏହି ଅତୁଳନୀୟ କ୍ଷଣର ଅନୁଚିନ୍ତାଟି ହେଲା କେବଳ ଗର୍ବ ଅନୁଭବ କରିବାରେ ସନ୍ତୁଷ୍ଟ ନ ରହି ଅଧିକ ଗୌରବାନ୍ବିତ କ୍ଷଣମାନ ସୃଷ୍ଟି କରିବା ପ୍ରତ୍ୟେକ ଭାରତୀୟଙ୍କ ଧ୍ୟେୟ ହେବା ଉଚିତ, ଏବଂ ତହିଁେର ଏହି ବୃହତ୍ତମ ଭାରତୀୟ ସଂଖ୍ୟାଲଘୁ ସଂପ୍ରଦାୟ ଆପଣା ପଦଚିହ୍ନକୁ ଅଧିକ ପ୍ରଗାଢ଼ କରିବା ଆବଶ୍ୟକ। ସେମାନଙ୍କ ପ୍ରୟାସ କେବଳ ସେମାନଙ୍କୁ ଏହି ସାମର୍ଥ୍ୟ ପ୍ରଦାନ କରିବ; ଏହା ହେଲେ କୌଣସି ମୁସଲମାନ କିଶୋର ତା’ ସାଂପ୍ରଦାୟିକ ପରିଚିତି ଲାଗି ସହପାଠୀଙ୍କ ଦ୍ବାରା ଲାଂଛିତ ହେବାର ଦୁର୍ଯୋଗ ସୃଷ୍ଟି ହେବ ନାହିଁ; ଏବଂ ଏହା ହିଁ ପ୍ରକୃତରେ ଭାରତକୁ ‘ସାରେ ଜହାଁ ସେ ଅଚ୍ଛା’ କରିବ।