ବାହାଘର ପ୍ରସ୍ତାବ ଚୂଡ଼ାନ୍ତ ହୋଇଯିବାପରେ ଟିକନ ଅପା ତତ୍ପର ହୋଇ ଯେଉଁ ପ୍ରଥମ ପ୍ରସ୍ତୁତି ଆରମ୍ଭ କଲା, ତାହା ହେଉଛି ତା’ର ବହିବାକ୍ସ ସଜାଡ଼ିବା। ସାଥିରେ ବହି ବାକ୍ସଟିଏ ନନେଲେ ଶାଶୂଘର ଲୋକେ ଛିଗୁଲେଇବେ। ଖରାବେଳେ ଗାଁ ଦାଣ୍ଡକୁ ଆସେ ବହି ବିକାଳି। ସାଇକେଲର ଉଭୟପଟେ ଝୁଲୁଥିବ ବହି ଗଣ୍ଠିଲି, ପଛରେ ବନ୍ଧାହୋଇଥିବ ଗୋଟିଏ ବହିଭରା ବାକ୍ସ ଓ କାନ୍ଧରେ ଝୁଲୁଥିବ ବହି ମୁଣାଟିଏ। ଗାଁ ଝିଅମାନେ ବେଢ଼ିଯାଇ କିଣନ୍ତି ପୁରାଣଠାରୁ ଆରମ୍ଭକରି କାହାଣୀ, ଉପନ୍ୟାସ ଓ କିସମ କିସମର ଅନ୍ୟ ବହି। ପୁଅ ଝିଅ ସମସ୍ତଙ୍କର ଅବସର କଟେ ବହି ପଢ଼ିବାରେ। ପାଠ ବହି ଭିତରେ ଲୁଚାଇ ରହସ୍ୟ ଉପନ୍ୟାସ ପଢ଼ିବା କଥା ସମସ୍ତଙ୍କର ମନେଥିବ। ଇଏ ହେଉଛି ଷାଠିଏ ଦଶକର ଓଡ଼ିଆ ଗ୍ରାମ୍ୟ ଜୀବନର ଏକ ଚିତ୍ର। ବହି କିଣି ପଢ଼ିବା ଥିଲା ସେ ସମୟରେ ଅବସର ବିନୋଦନର ଅନ୍ୟତମ ମାଧ୍ୟମ। ଏବେ ସମୟ ବଦଳିଯାଇଛି। ଆମେମାନେ ଏତେ ଯାନ୍ତ୍ରିକ ଓ ଅର୍ଥସର୍ବସ୍ବ ହୋଇଯାଇଛୁଯେ, ବହିଖଣ୍ଡିଏ କିଣି ପଢ଼ିବାକୁ କାହାରି ସ୍ପୃହା ନାହିଁ କି ସମୟ ନାହିଁ। ଯେତେବେଳେ ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ଓ ଟେଲିଭିଜନ ମଣିଷର ମୁହୂର୍ତ୍ତ ମୁହୂର୍ତ୍ତର ସାଥି ହୋଇଛି, ବହି ଖଣ୍ଡିଏ ଧରି ପଢ଼ିବାପରି ପୁରାତନ ଅଭ୍ୟାସକୁ କିଏବା ଗୁରୁତ୍ୱ ଦେବ! ବୈଷୟିକ ପ୍ରଗତି ଓ ଡିଜିଟାଲ ଯୁଗର ସୁବିଧା ବହି ଉପରୁ ଆମର ଦୃଷ୍ଟି ଅପସାରିତ କରିନେଲାଣି। ଜୀବନରେ ପୁସ୍ତକର ଗୁରୁତ୍ୱ ଅନେକ। ନିଜକୁ ପ୍ରକାଶ କରିବାପାଇଁ ଲେଖକ ବହି ଲେଖେ ଓ ଜୀବନକୁ ବୁଝିବାପାଇଁ ଆମେ ବହି ପଢ଼ିଥାଉ। ବହି ନଥିବା ଘର ଆତ୍ମା ନଥିବା ଶରୀର ପରି। ବହି ଖଣ୍ଡିଏ ପଢ଼ି ଶେଷ କରିବା ଭିତରେ ଆମେ କେତେ ଜନ୍ମ ଜନ୍ମାନ୍ତର ଯେ ଭ୍ରମଣକରି ଫେରି ଆସିଥାଉ ତା’ର ହିସାବ ନାହିଁ। ସେହିପରି ବହି ସହିତ ଆତ୍ମୀୟତା ବଢ଼ାଇବାର ଗୋଟିଏ ନିଭୃତ ସ୍ଥାନ ହେଉଛି ଗ୍ରନ୍ଥାଗାର। ସାର୍ବଜନୀନ ଗ୍ରନ୍ଥାଗାରଗୁଡ଼ିକ ଏବେ ପ୍ରୋତ୍ସାହନ ଅଭାବରୁ ପ୍ରାୟତଃ ବିଲୁପ୍ତ ହେଲାଣି। ଗ୍ରନ୍ଥାଗାରଟିଏ ଯେକୌଣସି ସମୃଦ୍ଧ ସମୁଦାୟ ପାଇଁ ଗୋଟିଏ ମୁଖ୍ୟ ବୌଦ୍ଧିକ ଅନୁଷ୍ଠାନ ଏବଂ ବାସସ୍ଥାନର ଇଲାକା ମଧ୍ୟରେ ଥିଲେ ଜୀବନକୁ ସରସ ଓ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିଏ। ଅନ୍ୟ ପକ୍ଷରେ ପଠନ ସ୍ପୃହାର ହ୍ରାସ ଓ ପାଠାଗାର ସଂସ୍କୃତିର ବିଲୋପ ହେତୁ ପୁସ୍ତକର ବ୍ୟାବସାୟିକ ପ୍ରକାଶନ ଓ ବିକ୍ରି ଆଶାତୀତ ଭାବରେ କମିବାରେ ଲାଗିଛି। ଦୁଇ ଦଶନ୍ଧି ପୂର୍ବରୁ ପୁସ୍ତକ ବିକ୍ରୟର ହାର ଯାହା ଥିଲା ଏବେ ପ୍ରାୟ ଷାଠିଏ ପ୍ରତିଶତ ହ୍ରାସ ପାଇଲାଣି। ପୁସ୍ତକ ଓ ଗ୍ରନ୍ଥାଗାର ସଂପର୍କୀୟ ଆଲୋଚନାକୁ ଏଇଠି ରଖି ଏବେ ଚାଲନ୍ତୁ ଯିବା ବିଲଡର୍ଙ୍କ ପାଖକୁ।
ଦେଶର ଆର୍ଥିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଆମର ‘ରିଅଲ୍ ଇଷ୍ଟେଟ୍’ କ୍ଷେତ୍ର। ବାସଗୃହ ସମସ୍ୟାର ସମାଧାନରେ ଏମାନଙ୍କ ସହଯୋଗ ଅନନ୍ୟ। ଏବେ ଦେଶର ସମସ୍ତ ଛୋଟ ବଡ଼ ସହରରେ ଆପାର୍ଟମେଣ୍ଟ ସଂସ୍କୃତି ଗଢ଼ିଉଠିଲାଣି। ଯୌଥ ପରିବାରଗୁଡ଼ିକର ବିଭାଜନ ହେତୁ ବାସୋପଯୋଗୀ ଜମି ଓ ଗୃହର ଅଭାବ, ଘର ତିଆରି କରିବାର ଝିନଝଟ ସହିତ ନିରାପତ୍ତା ଆଦି କାରଣରୁ ଲୋକମାନେ ଆପାର୍ଟମେଣ୍ଟରେ ରହିବା ପସନ୍ଦ କଲେଣି। ନିଜର ଘର ଖଣ୍ଡିଏ ପାଇଁ ଆମେ ବିଲଡର ଉପରେ ନିର୍ଭର କରୁଛେ। ରାଜ୍ୟର ଆପାର୍ଟମେଣ୍ଟଗୁଡ଼ିକର ପରିସଂଖ୍ୟାନ ଆମ ପାଖରେ ନଥିଲେ ମଧ୍ୟ ମାଳମାଳ ଆକାଶଚୁମ୍ବୀ ଆପାର୍ଟମେଣ୍ଟ ସୌଧଗୁଡ଼ିକୁ ଦେଖି ସଂଖ୍ୟାର ଅନୁମାନ ଲଗାଯାଇପାରେ। ହଜାର ଦୁଇହଜାର ଫ୍ଲାଟ୍ ବିଶିଷ୍ଟ ଆପାର୍ଟମେଣ୍ଟ କଂପ୍ଲେକ୍ସ ମଧ୍ୟ ଏବେ ଲୋକପ୍ରିୟ ହେଲାଣି। ବିଲଡରମାନେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ଆପାର୍ଟମେଣ୍ଟ ସହିତ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ସେସବୁ ମଧ୍ୟରେ ରହିଛି କ୍ଲବହାଉସ୍, ମନ୍ଦିର, ବିକ୍ରୟକେନ୍ଦ୍ର, ବ୍ୟାୟାମଶାଳା, ସନ୍ତରଣ ପୁଷ୍କରିଣୀ ଏବଂ ଯୋଗକେନ୍ଦ୍ର ଇତ୍ୟାଦି। ଏ ସବୁ ସୁବିଧାର ବ୍ୟୟ ଭାର ମଧ୍ୟ ବହନ କରୁଛନ୍ତି ଫ୍ଲାଟର କ୍ରେତାମାନେ। ଆଉ ଗୋଟିଏ ସୁବିଧା, ଯାହା ହୋଇପାରନ୍ତା କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ହୋଇପାରୁନାହିଁ ତାହା ହେଉଛି ଆପାର୍ଟମେଣ୍ଟ ସହିତ ସଂଯୁକ୍ତ ଗ୍ରନ୍ଥାଗାରଟିଏ। ପର୍ଯ୍ୟାପ୍ତ ଅର୍ଥ ବ୍ୟୟରେ ପ୍ରଦତ୍ତ ଏତେଗୁଡ଼ିଏ ସୁବିଧା ସହିତ ଦଶରୁ କୋଡ଼ିଏ ଲକ୍ଷ୍ୟ ଟଙ୍କା ବ୍ୟୟରେ ଯଦି ଗ୍ରନ୍ଥାଗାରଟିଏ ଯୋଗାଇ ଦିଆଯାଇ ପାରନ୍ତା, ଅନ୍ତେବାସୀ, ବିଶେଷକରି ବୃଦ୍ଧ ପିତାମାତା ଓ ପିଲାମାନଙ୍କର ପଠନ ଅଭ୍ୟାସ ବୃଦ୍ଧି ହେବା ସହିତ ସଂପ୍ରତି ସ୍ଥାଣୁ ହେବାକୁ ଯାଉଥିବା ପୁସ୍ତକ ଶିଳ୍ପର ମଧ୍ୟ ବିକାଶ ହୋଇ ପାରନ୍ତା। ଅନୁମାନ ଲଗାନ୍ତୁ, ଆମ ରାଜ୍ୟରେ ଓ ସମଗ୍ର ଦେଶରେ ଯେତେ ଆପାର୍ଟମେଣ୍ଟ ଅଛି ଓ ହେଉଛି, ପ୍ରତ୍ୟେକ ଆପାର୍ଟମେଣ୍ଟ ପାଇଁ ଅନ୍ୟୂନ ଦୁଇରୁ ପାଞ୍ଚ ହଜାର ଓ ସ୍ଥଳ ବିଶେଷରେ ତତୋଽଧିକ ବହି ସହିତ ଗ୍ରନ୍ଥାଗାର ଗୋଟିଏ ଲେଖାଏଁ ଯୋଗାଇ ଦିଆଗଲେ ଆପାର୍ଟମେଣ୍ଟର ଅନ୍ତେବାସୀ କେତେ ଉପକୃତ ହୋଇପାରନ୍ତେ। ପୁସ୍ତକ ବିକ୍ରୟ ପାଇଁ ବଜାରଟିଏ ମଧ୍ୟ ମିଳିପାରନ୍ତା। ପଠନ ଅଭ୍ୟାସର ବୃଦ୍ଧି ସହିତ ଜ୍ଞାନ ବୃଦ୍ଧିରେ ତାହା ସହାୟକ ହୁଅନ୍ତା। ଫ୍ଲାଟ ମଧ୍ୟରେ ସାରାଦିନ ଏକାକୀ ବିତାଉଥିବା ବୃଦ୍ଧ ପିତାମାତା ପୁସ୍ତକ ପଠନରେ କିଛି ସମୟ ବିତାଇ ଦିଅନ୍ତେ। ବାଲକୋନିରେ ଖରାକୁ ପିଠି ଦେଖାଇ ସାରାଦିନ ବସିରହି ଗୋଟିଏ ଖବରକାଗଜକୁ ବାରମ୍ବାର ଅନାଇ ରହିବାକୁ ପଡ଼ନ୍ତାନି। ଏ ସଂପର୍କରେ କିଛି ବୈଧାନିକ ପ୍ରାବଧାନ ହେବା ସହିତ ବିଲଡରମାନେ ନିଜ ସାମାଜିକ ଦାୟିତ୍ବର ଗୁରୁତ୍ୱ ବୁଝିଲେ ପ୍ରସ୍ତାବଟି କାର୍ଯ୍ୟକାରୀ କରିବାରେ ସମସ୍ୟା ହୁଅନ୍ତାନି। ଦେଶକୁ ଜୀବନଯାପନର ଏକ ଉନ୍ନତ ସ୍ଥାନ ଭାବରେ ଗଢ଼ିବା ଦାୟିତ୍ବ ତ’ ସେମାନଙ୍କର। ବହି ଖଣ୍ଡିଏ ହାତରେ ଥିବା ଅର୍ଥ ଜୀବନର ସମସ୍ତ ଦୁଃଖ ଦୁର୍ଦ୍ଦଶା ଠାରୁ ରକ୍ଷା ପାଇବା ନିମନ୍ତେ ଏକ ନିରାପଦ ଆଶ୍ରୟସ୍ଥଳୀ ପାଇଯିବା। କବି ଲେଖିଥିଲେ ପରା, “ଏକ୍ ଚରାଗ୍, ଏକ୍ କିତାବ୍ ଔର୍ ଏକ୍ ଉମ୍ମିଦ ଅସାସା/ ଉସକେ ବାଦ୍ ତୋ ଯୋ କୁଛ୍ ହୈ ୱୋ ସବ୍ ଅଫସାନା ହୈ!” ଗୋଟିଏ ପ୍ରଦୀପ, କିଛି ପୁସ୍ତକ ଏବଂ କିଛି ଆଶାର ପୁଞ୍ଜି। ଏତିକି ବ୍ୟତୀତ ଜୀବନର ବାକୀ ସବୁ କେବଳ ମିଥ୍ୟା କାହାଣୀ। ଆମେ ଅବଶ୍ୟ ଜାଣୁ, ଶ୍ରୋତା ନଥିବା ଅରଣ୍ୟରେ ଚିତ୍କାର କଲେ କିଛି ହୁଏନାହିଁ।
ମୋ: ୯୩୩୭୬୪୮୬୩୮
ସରସ ରସ: ବହି ଓ ବିଲଡର୍
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2024/02/fhsffhfhfh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)