କହିବା ଅନାବଶ୍ୟକ ଯେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ସମାହିତ ହୋଇଥିବା ‘ଭାରତ ଯୋଡ଼ୋ’ ଯାତ୍ରା ତାଙ୍କ ଲୋକପ୍ରିୟତା ବୃଦ୍ଧି କରିବା ସହିତ ଅପେକ୍ଷାକୃତ ଅଧିକ ପରିପକ୍ବ ନେତା ରୂପେ ତାଙ୍କ ଭାବମୂର୍ତ୍ତି ନିର୍ମାଣ କରିଛି। ଏହା ସହିତ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ରାହୁଳ ଗାନ୍ଧୀଙ୍କୁ ଅଧିକ ଉଚ୍ଚତା ମଧ୍ୟ ପ୍ରଦାନ କରିଛି। ତା’ ସହିତ ଆଉ ଏକ ବାସ୍ତବତା ହେଲା ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ମଞ୍ଚରେ ଆଦାନୀ-ମୋଦୀ ସଂପର୍କକୁ ନେଇ ରାହୁଳଙ୍କ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ଅସ୍ବସ୍ତିକର ବୋଧ ହେଉଥିବ। ସୁତରାଂ, ଏହି ସବୁ କାରଣରୁ ବିଜେପି ରାହୁଳ ଗାନ୍ଧୀଙ୍କୁ ସମ୍ଭବତଃ ସ୍ବରହୀନ କରି ଦେବାକୁ ଚାହିଁଥାଏ। ଅଗତ୍ୟା, ତାହା ମଧ୍ୟ ସମ୍ଭବ ହୋଇଯାଇଥାଆନ୍ତା, ଯଦି ସୁପ୍ରିମ୍‌ କୋର୍ଟ ଏହା ପ୍ରମାଣ କରି ଦେଇ ନ ଥାଆନ୍ତେ ଯେ ଭାରତର ‘ଡି.ଏନ୍‌.ଏ.’ରେ କେଉଁଠି ନା କେଉଁଠି ଗଣତନ୍ତ୍ର ତଥାପି ବିଦ୍ୟମାନ ରହିଛି!

Advertisment

କଂଗ୍ରେସ ନେତା ରାହୁଳ ଗାନ୍ଧୀ ସାଂସଦ ପଦ ହରାଇବାର କାରଣ ହୋଇଥିବା ଗୁଜରାଟର ଏକ ନିମ୍ନ ଅଦାଲତର ରାୟ ଉପରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରହିତାଦେଶ ସଂପ୍ରତି କେବଳ ଯେ ଏକ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି, ତାହା ନୁହେଁ; ଅନେକ ଦୃଷ୍ଟିରୁ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ବିଚାର ଏବଂ ମତକୁ ଏକ ମାର୍ଗଦର୍ଶିକା ରୂପେ ବିବେଚନା କରାଯାଇପାରେ। ଗଲା ମାର୍ଚ୍ଚ ମାସରେ ସଂପୃକ୍ତ ନିମ୍ନ ଅଦାଲତର ରାୟ ପ୍ରକାଶ ପାଇବା ପରେ ଯେଉଁ ଘମାଘୋଟ ରାଜନୈତିକ ଗତିବିଧିମାନ ପରିଦୃଷ୍ଟ ହୋଇଥିଲା, ତାହା ମଧ୍ୟ ସ୍ମରଣକୁ ଆସି ଉଦ୍‌ବେଗଜନକ ପ୍ରଶ୍ନମାନ ଉତ୍‌ଥାପନ କରେ; ଯାହାର ଉତ୍ତର ଲୋଡ଼ିବା ମଧ୍ୟ ଖୁବ୍‌ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପାଠକପାଠିକମାନଙ୍କ ସ୍ମରଣରେ ଥାଇପାରେ ଯେ ଯେଉଁ ବକ୍ତବ୍ୟ ଲାଗି ରାହୁଳ ଗାନ୍ଧୀଙ୍କ ବିରୋଧରେ ଏହି ମାନହାନି ମକଦ୍ଦମା ରୁଜୁ କରାଯାଇଥିଲା, ତାହା ଥିଲା ୨୦୧୯ ମସିହାର ସାଧାରଣ ନିର୍ବାଚନ କାଳୀନ ଏକ ପ୍ରଚାର ସଭାରେ ତାଙ୍କ ଦ୍ବାରା ହୋଇଥିବା ଏକ କଟାକ୍ଷଭରା ଜିଜ୍ଞାସା: ‘ଏଭଳି କାହିଁକି ଯେ ସବୁ ଚୋର ମୋଦୀ ସାଙ୍ଗିଆଧାରୀ?’ କହିବାରେ ଦ୍ବିଧା ନାହିଁ ଯେ ଉପରୋକ୍ତ ଅଭିବ୍ୟକ୍ତି‌େର ସମ୍ମାନ ହାନି କଲା ଭଳି ଉପାଦାନ ରହିଛି; ଏହା ମଧ୍ୟ ସ୍ମରଣଯୋଗ୍ୟ ଯେ କୌଣସି ବକ୍ତବ୍ୟ ପ୍ରଦାନ କଲା ବେଳେ ଆତ୍ମ-ନିୟନ୍ତ୍ରଣ ରଖିବା ଲାଗି ଏହା ପୂର୍ବରୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ରାହୁଳ ଗାନ୍ଧୀଙ୍କୁ ସତର୍କ କରାଇ ଦିଆଯାଇଥିଲା (‘ଚୌକିଦାର ଚୋର ‌େହୖ’ ଭଳି ସ୍ଲୋଗାନ୍‌ ସକାଶେ) ଏବଂ ଏଥର ମଧ୍ୟ ତା’ର ପୁନରାବୃତ୍ତି ଘଟିଛି। କିନ୍ତୁ ଗୁଜରାଟର ନିମ୍ନ ଅଦାଲତଙ୍କ ରାୟରେ ରାହୁଳ ଗାନ୍ଧୀଙ୍କ ସକାଶେ ଏହି ଦୋଷ ଲାଗି ରହିଥିବା ସର୍ବୋଚ୍ଚ ଦଣ୍ଡ ଅର୍ଥାତ୍‌ ‘ଦୁଇ ବର୍ଷର କାରାବାସ’ର ଆଦେଶ ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଯେଉଁ ଏକ ଗୂଢ଼ ପ୍ରଶ୍ନ ଉଠାଇଛନ୍ତି, ତହିଁରେ ନିମ୍ନ ଅଦାଲତର ରାୟ ସନ୍ଦେହାସ୍ପଦ ହୋଇ ଉଠିବା ସହିତ କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ ଏହାକୁ ଏକ ବିଧିବଦ୍ଧ ଚକ୍ରାନ୍ତର ଅଂଶ ରୂ‌େପ ମଧ୍ୟ ଦେଖାଯାଇଥାଏ।
ଏହି ପର୍ଯ୍ୟବେକ୍ଷକମାନଙ୍କର ଏଭଳି ଧାରଣା ଜନ୍ମିବାର ଗୋଟିଏ କାରଣ ହେଲା ଏହା ଯେ ‘ଭାରତୀୟ ପିଙ୍ଗଳ କୋଡ୍‌’ର ଦୀର୍ଘ ୧୬୮ ବର୍ଷର ଇତିହାସରେ କୌଣସି ମାନହାନି ମକଦ୍ଦମାରେ ଦୁଇ ବର୍ଷ ଲାଗି କାରାବାସର ଦଣ୍ଡାଦେଶ ଭାବେ ଏହା ସର୍ବପ୍ରଥମ ଦୃଷ୍ଟାନ୍ତ। ଦ୍ବିତୀୟରେ ‘ଭାରତୀୟ ଜନ ପ୍ରତିନିଧି ଆଇନ’ର ପ୍ରାବଧାନ ଅନୁସାରେ ଦୁଇ ବର୍ଷ ଲାଗି କାରାଦଣ୍ଡ ଭୋଗିଥିବା ରାଜନେତାଙ୍କ ଠାରୁ ଦଣ୍ଡ ଅବଧି ପରେ ଆହୁରି ଛଅ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାର ସୁଯୋଗ ଛିନ୍ନ କରି ନିଆଯାଉଥିବାରୁ ଦୀର୍ଘ ଆଠ ବର୍ଷ ଲାଗି ରାହୁଳ ଗାନ୍ଧୀଙ୍କୁ ରାଜନୀତିରୁ ବହିଷ୍କୃତ କରି ରଖିବା ଲାଗି ଏହା ଏକ ସୁବ୍ୟବସ୍ଥିତ ପ୍ରୟାସ ହୋଇପାରେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତକୁ ଯେଉଁ ପ୍ରଶ୍ନଟିଏ ପଚରାଯାଇଛି, ତାହା ହେଲା ସର୍ବୋଚ୍ଚ ଦଣ୍ଡ ବିଧାନ କଲା ବେଳେ ସେଭଳି କରିବା ନେଇ କୌଣସି କାରଣ ଦର୍ଶାଯାଇ ନାହିଁ କାହିଁକି? ଏହା ସହିତ ମାନ୍ୟବର ସୁପ୍ରିମ୍‌ ‌େକାର୍ଟ ଯେଉଁ ପ୍ରଣିଧାନଯୋଗ୍ୟ ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା ହେଲା କୌଣସି ସାଂସଦଙ୍କ ସଦସ୍ୟତା ପଦ ରଦ୍ଦ ହେବା କେବଳ ତାଙ୍କ ସକାଶେ ଏକ ବ୍ୟକ୍ତିଗତ କ୍ଷତି ହୋଇ ନ ଥାଏ; ଏହା ତାଙ୍କ ନିର୍ବାଚନ ମଣ୍ଡଳୀକୁ ରାଜନୈତିକ ପ୍ରତିନିଧିତ୍ବଶୂନ୍ୟ ମଧ୍ୟ କରି ଦେଇଥାଏ; ଯାହା ଗଣତନ୍ତ୍ରର ପରିପନ୍ଥୀ। ଏଥିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଭିମୁଖ୍ୟ ସ୍ପଷ୍ଟ ଯେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ବିଚାର ବେଳେ ଅଧିକ ବିବେଚନାବୋଧର ଆବଶ୍ୟକତା ରହିଛି।
କହିବା ନିଷ୍ପ୍ରୋୟଜନ ଯେ ଗଲା ମାର୍ଚ୍ଚ ମାସରେ ନିମ୍ନ ଅଦାଲତର ରାୟ ପ୍ରକାଶ ପାଇବା ପରେ ପ୍ରାୟ ବୈଦ୍ୟୁତିକ ବେଗରେ ରାହୁଳଙ୍କ ସଦସ୍ୟତା ଛିନ୍ନ କରାଯିବା ସହିତ ତାଙ୍କୁ ସରକାରୀ ବାସଭବନରୁ ପ୍ରାୟ ତଡ଼ି ଦେଲା ଭଳି ଅପମାନର ଶରବ୍ୟ କରାଯାଇଥିଲା। ସେହି ଦୃଷ୍ଟିରୁ ସର୍ବୋଚ୍ଚ ଅଦାଲତଙ୍କ ରହିତାଦେଶ ପରେ ରାହୁଳ ଗାନ୍ଧୀଙ୍କୁ ସଦସ୍ୟତା ପ୍ରତ୍ୟାବର୍ତ୍ତନ କରାଯିବା ଦିଗ‌େର ତତ୍ତୁଲ୍ୟ ଆଗ୍ରହ ପ୍ରକାଶ ପାଉ ନ ଥିବାର ଅଭିଯୋଗ ହେଉଛି; ଯେଉଁ ପରିପ୍ରେକ୍ଷୀରେ ଏହି ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଥାଏ ଯେ ‘ରାହୁଳ ମୁକ୍ତ ସଂସଦ’ ଅଥବା ‘ରାହୁଳ ମୁକ୍ତ ନିର୍ବାଚନ’ ସକାଶେ ଶାସକ ବିଜେପିର ଏକ ଅଭିସନ୍ଧିର ପରିଣାମ ଥିଲା ଗୁଜରାଟ ନିମ୍ନ ଅଦାଲତର ରାୟ। ଯଦି ଏଭଳି ଏକ ସନ୍ଦେହ ବାସ୍ତବ ହୋଇଥାଏ ତେବେ ତା’ର ବିପଜ୍ଜନକ ଦିଗଟି ହେଲା ଏହା ଯେ ଭାରତର ନିମ୍ନ ଅଦାଲତଗୁଡ଼ିକ କ୍ରମେ ଅଧିକରୁ ଅଧିକ ରାଜନୈତିକ ପ୍ରଭାବ ଦ୍ବାରା ବଶୀଭୂତ ହେଉଛନ୍ତି; ଯେଉଁ ଧାରା ଅବ୍ୟାହତ ରହିଲେ ନିମ୍ନ ଅଦାଲତଗୁଡ଼ିକ କ୍ରମେ ଜନସାଧାରଣଙ୍କ ଆସ୍ଥା ହରାଇବାକୁ ଲାଗିବେ।
ଏହା ସୁବିଦିତ ଯେ ୨୦୧୪ ମସିହାରେ ବିଜେପି ଦ୍ବାରା କେନ୍ଦ୍ରରେ କ୍ଷମତା ଅଧିକାର ପର ଠାରୁ ଏ ପର୍ଯ୍ୟନ୍ତ ଦଳର ଏକ ପ୍ରମୁଖ ଏଜେଣ୍ଡା ରୂପେ ‘କଂଗ୍ରେସମୁକ୍ତ ଭାରତ’ ଅଭିଯାନ ବିଭିନ୍ନ ସ୍ତରରେ ଅବ୍ୟାହତ ରହିଛି, ଯେଉଁ ପ୍ରକରଣରେ ନେହରୁ-ଗାନ୍ଧୀ ପରିବାରକୁ କାରଣେ-ଅକାରଣେ କର୍ଦ୍ଦମାକ୍ତ କରାଇବାର ପ୍ରଗାଢ଼ ଉଦ୍ୟମ ଠାରୁ ଆରମ୍ଭ କରି ଇତିହାସ ପୃଷ୍ଠାରୁ କଂଗ୍ରେସର ପଦଚିହ୍ନକୁ ନିଷ୍ପ୍ରଭ କରି ଦେବାର ସଘନ ଉଦ୍ୟମ ଚାଲୁ ରହିଛି। ଏଭଳି ସ୍ଥଳେ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ପ୍ରଶ୍ନ କରି ଥାଆନ୍ତି ଯେ ଭାରତର ‘ଡି.ଏନ୍‌.ଏ’ରେ ଗଣତନ୍ତ୍ର ବିଦ୍ୟମାନ ବୋଲି ଯୁକ୍ତରାଷ୍ଟ୍ର ଆମେରିକାରେ ଦୃଢ଼ ଭାବେ କହିଥିବା ପ୍ରଧାନମନ୍ତ୍ରୀ କିପରି ଏକ ‘କଂଗ୍ରେସ ମୁକ୍ତ ଭାରତ’ ଏବଂ ସେହି କ୍ରମ‌େର ଏକ ‘ବିରୋଧୀ ଶୂନ୍ୟ ଗଣତନ୍ତ୍ର’ର କଳ୍ପନା କରିପାରିଲେ? ଏଠାରେ ପ୍ରଣିଧାନଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ବିଜେପି ପ୍ରାୟ ୧୭ କୋଟି ଭୋଟ ପାଇଥିବା ‌େବଳେ କଂଗ୍ରେସ ଲାଭ କରିଥିଲା ପ୍ରାୟ ୧୧ କୋଟି ଭୋଟ ଏବଂ ୨୦୧୯ ମସିହାର ନିର୍ବାଚନରେ ୧୯ କୋଟି ଭୋଟ ସହିତ ବି‌େଜପିର ଭୋଟ ଶତାଂଶ ୩୭ ହୋଇଥିବା ସ୍ଥଳେ ୧୧ କୋଟି ଭୋଟ ସହିତ କଂଗ୍ରେସର ଭୋଟ ଶତାଂଶ ଥିଲା ୧୭; ଯାହା ସ୍ବାଭାବିକ ଭାବେ ପ୍ରଶ୍ନ ସୃଷ୍ଟି କରିଥାଏ ଯେ ପରାଜିତ ହୋଇଥିବା ସତ୍ତ୍ବେ ଏତେ ସଂଖ୍ୟକ ମତଦାତାଙ୍କ ସମର୍ଥନ ଲାଭ କରି ପାରୁଥିବା ଏକ ଦଳକୁ ନିଶ୍ଚିହ୍ନ କରିଦେବାର ଉଦ୍ୟମ ଏକ ଗଣତନ୍ତ୍ରରେ ଅସ୍ବାଭାବିକ ନୁହେଁ କି? ଏହାର କାରଣ କ’ଣ ଏକ ତୀବ୍ର ଅସୁରକ୍ଷାବୋଧ ନା ଭୟ? ଏହାର ଅର୍ଥ କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତି ତଥା ବିଜେପି ପ୍ରତି ରହିଥିବା ଜନ ସମର୍ଥନ ନେଇ ସନ୍ଦେହମୁକ୍ତ ହୋଇ ପାରୁ ନାହାନ୍ତି? କହିବା ଅନାବଶ୍ୟକ ଯେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ସମାହିତ ହୋଇଥିବା ‘ଭାରତ ଯୋଡ଼ୋ’ ଯାତ୍ରା ତାଙ୍କ ଲୋକପ୍ରିୟତା ବୃଦ୍ଧି କରିବା ସହିତ ଅପେକ୍ଷାକୃତ ଅଧିକ ପରିପକ୍ବ ନେତା ରୂପେ ତାଙ୍କ ଭାବମୂର୍ତ୍ତି ନିର୍ମାଣ କରିଛି। ଏହା ସହିତ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ରାହୁଳ ଗାନ୍ଧୀଙ୍କୁ ଅଧିକ ଉଚ୍ଚତା ମଧ୍ୟ ପ୍ରଦାନ କରିଛି। ତା’ ସହିତ ଆଉ ଏକ ବାସ୍ତବତା ହେଲା ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ମଞ୍ଚରେ ଆଦାନୀ-ମୋଦୀ ସଂପର୍କକୁ ନେଇ ରାହୁଳଙ୍କ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ଅସ୍ବସ୍ତିକର ବୋଧ ହେଉଥିବ। ସୁତରାଂ, ଏହି ସବୁ କାରଣରୁ ବିଜେପି ରାହୁଳ ଗାନ୍ଧୀଙ୍କୁ ସମ୍ଭବତଃ ସ୍ବରହୀନ କରି ଦେବାକୁ ଚାହିଁଥାଏ। ଅଗତ୍ୟା, ତାହା ମଧ୍ୟ ସମ୍ଭବ ହୋଇଯାଇଥାଆନ୍ତା, ଯଦି ସୁପ୍ରିମ୍‌ କୋର୍ଟ ଏହା ପ୍ରମାଣ କରି ଦେଇ ନ ଥାଆନ୍ତେ ଯେ ଭାରତର ‘ଡି.ଏନ୍‌.ଏ.’ରେ କେଉଁଠି ନା କେଉଁଠି ଗଣତନ୍ତ୍ର ତଥାପି ବିଦ୍ୟମାନ ରହିଛି!