ତେବେ ଏହି ସଂଦର୍ଭରେ ଆଲୋଚନା କଲା ବେଳେ ମହିଳାମାନଙ୍କ ନିରାପତ୍ତା ନେଇ ଭାରତର ଭାବମୂର୍ତ୍ତି ସଂପର୍କିତ ବିଷୟ ଉଠିଥାଏ। ମହିଳାମାନଙ୍କ ନିରାପତ୍ତା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଯେଉଁ ତାଲିକାମାନ ପ୍ରକାଶିତ ହୋଇଥାଏ, ତହିଁରେ ଭାରତର ସ୍ଥାନ ପ୍ରାୟତଃ ନିମ୍ନରେ ରହୁଥିବାରୁ, ତାକୁ ନାପସନ୍ଦ କରି ସରକାରଙ୍କ ପକ୍ଷରୁ ବ୍ୟାଖ୍ୟାନ ସୃଷ୍ଟି କରାଯାଇଥାଏ ଯେ ଭାରତର ଛବିକୁ ମଳିନ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏକ ଷଡ୍ଯନ୍ତ୍ରରେ ଲିପ୍ତ। କିନ୍ତୁ, ଯେତେବେଳେ ଜଘନ୍ୟ ଦୁଷ୍କର୍ମକାରୀ ତଥା ହତ୍ୟାକାରୀମାନଙ୍କ ମୁକ୍ତି ଲାଗି ଏକ ରାଜ୍ୟର ସରକାର ସମସ୍ତ ନୀତି ନିୟମର ଉଲ୍ଲଂଘନ କରି ଗଳଦ୍ଘର୍ମ ଉଦ୍ୟମ କରନ୍ତି, ସେତିକି ବେଳେ ସରକାରଙ୍କ ବ୍ୟାଖ୍ୟାନ ଦୁର୍ବଳ ହୋଇଯାଏ। ସୁତରାଂ, ମହିଳା ନିରାପତ୍ତା କ୍ଷେତ୍ରରେ ଭାରତର ଭାବମୂର୍ତ୍ତି ମଳିନ ପଡ଼ିବାରେ ବିଦେଶୀ ହାତକୁ ନ ଖୋଜି ଆପଣା କଲା କର୍ମମାନ ଉପରେ ଦୃଷ୍ଟି ପକାଇବା ଅଧିକ ଯୁକ୍ତିଯୁକ୍ତ ବୋଲି ମନେ ହୋଇଥାଏ।
ଗଲା ୧୭ ତାରିଖ ଦିନ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଏକ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ଗୁଜରାଟ ସରକାରଙ୍କ ଏକ ନିଷ୍ପତ୍ତି ଉଭୟ ପ୍ରଶ୍ନ ଓ ପ୍ରଚ୍ଛନ୍ନ ଭର୍ତ୍ସନାର ଶରବ୍ୟ ହୋଇଛି, ଯେଉଁ ନିଷ୍ପତ୍ତି ଆଜିକୁ ବର୍ଷକ ତଳେ ସମଗ୍ର ଭାରତରେ ବ୍ୟାପକ ଭ୍ରୂକୁଂଚନ ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ନିଷ୍ପତ୍ତି ବଳରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଏଭଳି ଏଗାର ଜଣ ବ୍ୟକ୍ତିଙ୍କୁ ଅଗତ୍ୟା ମୁକ୍ତ କରି ଦିଆଯାଇଥିଲା, ଯେଉଁମାନେ ୨୦୦୨ ମସିହାର ଗୁଜରାଟ ସାଂପ୍ରଦାୟିକ ଦଙ୍ଗା କାଳରେ ବିଲକିସ ବାନୋ ନାମକ ଜଣେ ମହିଳାଙ୍କୁ ଗଣ-ଦୁଷ୍କର୍ମ କରିବା ସହିତ ତାଙ୍କ ସମ୍ମୁଖରେ ତାଙ୍କ ପରିବାରର ସାତ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, ଯେଉଁମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ବିଲକିସଙ୍କ ମାତ୍ର ସାଢ଼େ ତିନି ବର୍ଷ ବୟସ୍କା କନ୍ୟା ସାଲେୟା। କହିବା ଅନାବଶ୍ୟକ ଯେ ଏଭଳି ଚିନ୍ତାତୀତ ଅମାନୁଷିକତା ମର୍ମଦାହର ଯେଉଁ ତରଙ୍ଗ ସୃଷ୍ଟି କରିଥିଲା, ତାହା ଅଚିରେ ଆମ ରାଷ୍ଟ୍ରର ସୀମା ଅତିକ୍ରମ କରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥିଲା। ସୁତରାଂ, ଗଲା ବର୍ଷ ସ୍ବାଧୀନତା ଦିବସ ଅବସରରେ ଏହି ଏଗାର ଜଣଙ୍କ ଦଣ୍ଡ-ମୁକ୍ତି ସକାଶେ ଗୁଜରାଟ ସରକାରଙ୍କ ଅହେତୁକ ତତ୍ପରତା ତତ୍ତୁଲ୍ୟ ଆଲୋଡ଼ନ ସୃଷ୍ଟି କରିବା ଏକ ସ୍ବାଭାବିକତା ଥିଲା ବୋଲି କହିଲେ ଅତ୍ୟୁକ୍ତିି ହେବନାହିଁ। ତେବେ, ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ ଦାୟର କରାଯାଇଥିବା ଏକାଧିକ ମାମଲାର ଶୁଣାଣି କରି ଖଣ୍ଡପୀଠ ଯେଉଁ ପ୍ରଶ୍ନମାନ ଉତ୍ଥାପନ କରିଛନ୍ତି, ତାହା ଏହି ପରିପ୍ରେକ୍ଷୀରେ କେବଳ ଅସ୍ବସ୍ତିକର ନୁହେଁ; ତହିଁରୁ ଆତ୍ମସମୀକ୍ଷା ସକାଶେ ଏକ ଅବସର ମଧ୍ୟ ସୃଷ୍ଟି ହୋଇଥାଏ।
ପ୍ରକାଶ ଥାଉ କି ବିଲକିସ ବାନୋ ଘଟଣା ସେହି ସମୟରେ ଏଭଳି ବିବାଦ ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଯେ ଏହାର ଅନୁସନ୍ଧାନର ଦାୟିତ୍ବ ସି.ବି.ଆଇ. ହାତକୁ ଆସିଥିଲା। ସୁତରାଂ, ସି.ବି.ଆଇ. ଅନୁସନ୍ଧାନ ପରେ ପ୍ରସ୍ତୁତ ଚାର୍ଜସିଟ୍ରୁ ବାସ୍ତବ ଘଟଣାଟି ସଂପର୍କରେ ସୂଚନା ମିଳିବା ସହିତ ଏହି ମାମଲାଟିକୁ ନିଶ୍ଚିହ୍ନ କରି ଦେବା ଲାଗି କିଭଳି ସେ ସମୟରେ ବିଧିବଦ୍ଧ ଉଦ୍ୟମ ହୋଇଥିଲା, ତାହା ମଧ୍ୟ ଜଣାପଡ଼ିଥିଲା। ତେବେ, ଘଟଣାଟି ଘଟିଥିଲା ଏହିଭଳି: ଇଦ୍ ପାଳନ କରିବା ସକାଶେ ସିଂୱାଡ୍ସ୍ଥିତ ପିତ୍ରାଳୟକୁ ଆସିଥିବା ପାଞ୍ଚ ମାସର ଗର୍ଭବତୀ ବିଲକିସ ବାନୋ ସାଂପ୍ରଦାୟିକ ଦଙ୍ଗା ଘଟିବାର ଆଶଙ୍କାରେ ସେଠାରୁ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ପଳାୟନ କରି ଏକ ଆଦିବାସୀ ଗାଁରେ ଆତ୍ମଗୋପନ କରନ୍ତି। ତେବେ, ଦଙ୍ଗାକାରୀମାନେ ସେଠାରେ ପହଞ୍ଚିଯିବାରୁ ସେମାନଙ୍କ ପଳାୟନର ଉଦ୍ୟମ ବ୍ୟର୍ଥ ହୁଏ ଏବଂ ଗର୍ଭବତୀ ବିଲକିସ ଗଣ-ଦୁଷ୍କର୍ମର ନରକୀୟ ଯାତନା ଭୋଗୁଥିବା ବେଳେ ତାଙ୍କ ଚକ୍ଷୁ ସାମନରେ ତାଙ୍କ ଶିଶୁ କନ୍ୟା ସହିତ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯିବା ମଧ୍ୟ ଦେଖନ୍ତି। ତେବେ, ଏହା ସତ ଯେ ସେ ଦିନ ଦଙ୍ଗାକାରୀମାନେ ବିଲକିସ ବାନୋଙ୍କୁ ମୃତ ବୋଲି ଧରି ନେଇ ସେଠାରୁ ଚାଲି ଯାଇ ନ ଥିଲେ ପର ଦିନ ସକାଳେ ମୁମୂର୍ଷୁ ବିଲକିସ କେତେକ ଗ୍ରାମବାସୀ ଏବଂ ଜଣେ ହୋମ୍ ଗାର୍ଡଙ୍କ ସହାୟତାରେ ନିକଟସ୍ଥ ଥାନାରେ ପହଞ୍ଚି ଏଫ୍.ଆଇ.ଆର.ଟିଏ ଦାୟର କରିବାର ଲେଶ ମାତ୍ର ସମ୍ଭାବନା ନ ଥିଲା। ତେବେ, ବିଡ଼ମ୍ବନା, ଥାନାରେ ବିଲକିସଙ୍କ ମୁଖ ନିସୃତ ତାଙ୍କ ଯାତନାର ବାସ୍ତବ ବୟାନ ପରିବର୍ତ୍ତେ ଯାହା ‘ଏଫ୍.ଆଇ.ଆର୍.’ରେ ସ୍ଥାନ ପାଇଥିଲା, ତାହା ଥିଲା ଥାନା ଅଧିକାରୀ ସୋମ ସିଂହଙ୍କ ଲେଖନୀ ପ୍ରସୂତ ଏକ ମନଗଢ଼ା ଗଳ୍ପ, ଯାହା ବିଲକିସଙ୍କ କେସ୍କୁ ସଂପୂର୍ଣ୍ଣ ଦୁର୍ବଳ କରନ୍ତା; କିନ୍ତୁ ତାଙ୍କୁ ବିଶ୍ବାସ କରି ନିରକ୍ଷରା ବିଲିକସ ତହିଁରେ ନିଜ ଟିପ ଚିହ୍ନ ଲଗାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଅପରାଧୀମାନେ ବିଲକିସଙ୍କ ଗ୍ରାମ ବାସିନ୍ଦା ହୋଇଥିବାରୁ ସେ ସେମାନଙ୍କୁ ଭଲ ଭାବେ ଚିହ୍ନିଥିଲେ ଏବଂ ଥାନାରେ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରକାଶ ଥାଉ କି ‘ସି.ବି.ଆଇ.’ ଅନୁସନ୍ଧାନ କ୍ରମେ ହିଁ ସୋମ ସିଂହଙ୍କ କୃତକର୍ମ ପଦାକୁ ଆସିଥିଲା। ‘ସି.ବି.ଆଇ.’ ଚାର୍ଜସିଟ୍ରୁ ସ୍ପଷ୍ଟ ହୋଇଥିଲା ଯେ ଅପରାଧୀମାନଙ୍କୁ ଖସାଇ ଦେବା ଲାଗି ସରକାରୀ ଡାକ୍ତର ମଧ୍ୟ ଏହି ଚକ୍ରାନ୍ତରେ ଅନ୍ତର୍ଭୁକ୍ତ ଥିଲେ। କେବଳ ସେତିକି ନୁେହଁ, ପ୍ରମାଣ ନଷ୍ଟ କରିବା ଲାଗି ପୁଲିସ ଦ୍ବାରା ଶବଗୁଡ଼ିକ ସହିତ ମଧ୍ୟ ହେରଫେର କରାଯାଇଥିଲା। ଏଭଳି ସ୍ଥଳେ ଏ ସଂକ୍ରାନ୍ତ ଅଦାଲତୀ ମାମଲାକୁ ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ରଖିବା ଲାଗି ଗୁଜରାଟର ଗୋଧ୍ରା କୋର୍ଟରୁ ମାମଲାଟିକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ନିମ୍ନରୁ ଆରମ୍ଭ କରି ଉଚ୍ଚ ଏବଂ ସର୍ବୋଚ୍ଚ ଅଦାଲତରେ ଏହି ଏଗାର ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ଯହିଁରେ ଥାନା ଅଧିକାରୀ ସୋମ ସିଂହ ଏବଂ ଡାକ୍ତର ମଧ୍ୟ ଅନ୍ତର୍ଭୁକ୍ତ। ଏଥିରୁ ହୃଦ୍ବୋଧ କରିହୁଏ କିଭଳି ସେହି ସମୟରେ ଦୋଷୀମାନଙ୍କୁ ସୁରକ୍ଷାର ଛତ୍ରଛାୟା ତଳେ ରଖିବାକୁ ଗୁଜରାଟର ପ୍ରଶାସନିକ କଳ ତତ୍ପର ହୋଇ ଉଠିଥିଲା; ଯାହା ପଛରେ ‘ସରକାରୀ ଇଚ୍ଛା’ର ପୃଷ୍ଠପୋଷକତା ଥିବା ମୋଟାମୋଟି ନିଶ୍ଚିତ। ସେହି ଦୃଷ୍ଟିରୁ ବିଚାର କଲେ ମନେ ହୁଏ ଯେ ୨୦୦୨ରୁ ଏ ଯାବତ୍ ଗୁଜରାଟରେ କ୍ଷମତାସୀନ ହୋଇ ରହି ଆସିଥିବା ସେହି ସରକାର ସର୍ବନିମ୍ନ ସୁଯୋଗ ପାଇବା ମାତ୍ରକେ ସତେ ଯେମିତି ଏକୋଇଶ ବର୍ଷ ତଳର ସେହି ବ୍ୟର୍ଥ ଉଦ୍ୟମକୁ ସୁଧାରିବାର ପ୍ରୟାସ କରିଥିଲେ, ଯାହା ଫଳରେ ଅପରାଧୀମାନେ ମୁକ୍ତ ହୋଇଯାଇଥିଲେ।
ତେବେ ଏହି ପ୍ରକରଣରେ ମାନ୍ୟବର ବିଚାରପତି ବି. ଭି. ନାଗରତ୍ନମ ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ଯେଉଁ ଚାରିଟି ତୀକ୍ଷ୍ଣ ପ୍ରଶ୍ନ ପଚାରିଛନ୍ତି, ସେଗୁଡ଼ିକ ହେଲେ ଏହି ଭଳି: ପ୍ରଥମତଃ କେବଳ ଏହି ଏଗାର ଜଣ ଅପରାଧୀଙ୍କୁ ମୁକ୍ତ କରିବା ନେଇ ସରକାରଙ୍କ ନିଷ୍ପତ୍ତି ପଛରେ ଆଧାର କ’ଣ? ଅର୍ଥାତ୍ ସମାନ ବା ସ୍ବଳ୍ପ ଦଣ୍ଡ ଭୋଗୁଥିବା ଅନ୍ୟ ଅପରାଧୀମାନଙ୍କୁ ସେହି ଯୁକ୍ତି ବଳରେ ମୁକ୍ତ କରାଯିବ ନାହିଁ କାହିଁକି? ଦ୍ବିତୀୟରେ ଏ ସଂଦର୍ଭରେ ଅନୁସନ୍ଧାନକାରୀ ଅନୁଷ୍ଠାନ ‘ସି.ବି.ଆଇ.’ର ବିରୋଧକୁ କର୍ଣ୍ଣପାତ କରାଗଲା ନାହିଁ କାହିଁକି? ତୃତୀୟରେ ଏହି ମାମଲାର ବିଚାର ଗୁଜରାଟର ଗୋଧ୍ରା ଅଦାଲତରେ ଆଦୌ ହୋଇ ନ ଥିବା ବେଳେ ସେହି ଅଦାଲତର ଆଦେଶରେ ଦୋଷୀମାନଙ୍କୁ ମୁକ୍ତ କରାଗଲା କିପରି? ଚତୁର୍ଥରେ କେଉଁ ନିୟମ ବା ଆଇନ ବଳରେ ଗୁଜରାଟ ସରକାର ଏଭଳି ଏକ ନିଷ୍ପତ୍ତି ନେଲେ? ପ୍ରକାଶ ଥାଉ କି ଏହି ନିଷ୍ପତ୍ତି ସଂକ୍ରାନ୍ତ ଫାଇଲଗୁଡ଼ିକ ଉପରେ ଦୃଷ୍ଟି ପକାଇବା ଲାଗି ମାନ୍ୟବର ସୁପ୍ରିମ୍ କୋର୍ଟ ଗୁଜରାଟ ସରକାରଙ୍କୁ ସେ ସବୁ ଦାଖଲ କରିବା ସକାଶେ ଆଦେଶ ଦେଇଥିଲେ ସୁଦ୍ଧା ଗୁଜରାଟ ସରକାର ତାହା ପାଳନ କରିନାହାନ୍ତିି, ଯାହା ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ କ୍ଷୋଭର ଏକ ବିଶେଷ କାରଣ ହୋଇଛି। ଏବଂ ପ୍ରକାରାନ୍ତରେ ଏହା ଗୁଜରାଟ ସରକାରଙ୍କ ତ୍ରୁଟିକୁ ହିଁ ଉଜାଗର କରୁଛି।
ତେବେ ଏହି ସଂଦର୍ଭରେ ଆଲୋଚନା କଲା ବେଳେ ମହିଳାମାନଙ୍କ ନିରାପତ୍ତା ନେଇ ଭାରତର ଭାବମୂର୍ତ୍ତି ସଂପର୍କିତ ବିଷୟ ଉଠିଥାଏ। ମହିଳାମାନଙ୍କ ନିରାପତ୍ତା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଯେଉଁ ତାଲିକାମାନ ପ୍ରକାଶିତ ହୋଇଥାଏ, ତହିଁରେ ଭାରତର ସ୍ଥାନ ପ୍ରାୟତଃ ନିମ୍ନରେ ରହୁଥିବାରୁ, ତାକୁ ନାପସନ୍ଦ କରି ସରକାରଙ୍କ ପକ୍ଷରୁ ବ୍ୟାଖ୍ୟାନ ସୃଷ୍ଟି କରାଯାଇଥାଏ ଯେ ଭାରତର ଛବିକୁ ମଳିନ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏକ ଷଡ୍ଯନ୍ତ୍ରରେ ଲିପ୍ତ। କିନ୍ତୁ, ଯେତେବେଳେ ଜଘନ୍ୟ ଦୁଷ୍କର୍ମକାରୀ ତଥା ହତ୍ୟାକାରୀମାନଙ୍କ ମୁକ୍ତି ଲାଗି ଏକ ରାଜ୍ୟର ସରକାର ସମସ୍ତ ନୀତି ନିୟମର ଉଲ୍ଲଂଘନ କରି ଗଳଦ୍ଘର୍ମ ଉଦ୍ୟମ କରନ୍ତି, ସେତିକି ବେଳେ ସରକାରଙ୍କ ବ୍ୟାଖ୍ୟାନ ଦୁର୍ବଳ ହୋଇଯାଏ। ସୁତରାଂ, ମହିଳା ନିରାପତ୍ତା କ୍ଷେତ୍ରରେ ଭାରତର ଭାବମୂର୍ତ୍ତି ମଳିନ ପଡ଼ିବାରେ ବିଦେଶୀ ହାତକୁ ନ ଖୋଜି ଆପଣା କଲା କର୍ମମାନ ଉପରେ ଦୃଷ୍ଟି ପକାଇବା ଅଧିକ ଯୁକ୍ତିଯୁକ୍ତ ବୋଲି ମନେ ହୋଇଥାଏ।