ଏଥିରେ କୌଣସି ଦ୍ବିରୁକ୍ତି ନାହିଁ ଯେ ଔରଙ୍ଗଜେବ ଜଣେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଓ ଅପରିଣାମଦର୍ଶୀ ଶାସକ ଥିଲେ; ତାହା ହୋଇ ନ ଥିଲେ ତାଙ୍କ କାର୍ଯ୍ୟର ଦୁଷ୍ପରିଣାମମାନ ତାଙ୍କ ମୃତ୍ୟୁର ୩୧୬ ବର୍ଷ ପରେ ଭବିଷ୍ୟତ୍ ପିଢ଼ି ସମ୍ମୁଖରେ ଏକ ପ୍ରେତଛାୟା ଭଳି ଛିଡ଼ା ହୋଇ ନ ଥାନ୍ତା! ତେବେ ଏହା ମଧ୍ୟ ସତ ଯେ ଔରଙ୍ଗଜେବଙ୍କ କାର୍ଯ୍ୟକଳାପରେ ପ୍ରତିକ୍ରିୟାଶୀଳ ହୋଇ ଯେଉଁମାନେ ସଂପ୍ରତି ଇତିହାସର ‘ପରିମାର୍ଜନ’ ସକାଶେ ଉଦ୍ଗ୍ରୀବ, ସେମାନେ ମଧ୍ୟ ତତ୍ତୁଲ୍ୟ ଅପରିଣାମଦର୍ଶିତା ପ୍ରଦର୍ଶନ କରିଥାଆନ୍ତି; କାରଣ ପ୍ରତିକ୍ରିୟାଶୀଳ ହୋଇ ଅଦୂରଦୃଷ୍ଟି-ସଂପନ୍ନ ତଥା ‘ବର୍ତ୍ତମାନ-ସର୍ବସ୍ବ’ ନିଷ୍ପତ୍ତିମାନ ଭବିଷ୍ୟତ୍ରେ କିଭଳି କଳ୍ପନାତୀତ ବିଭ୍ରାଟମାନ ସୃଷ୍ଟି କରିପାରେ, ତାହାର ଦୃଷ୍ଟାନ୍ତ ନିଜେ ଔରଙ୍ଗଜେବ। ତେଣୁ ଗୋଟିଏ ‘ଅବିମୃଶ୍ୟକାରିତା’ର ପରିଶୋଧନର ଉଦ୍ୟମରେ ଅଧିକ ‘ଅବିମୃଶ୍ୟକାରିତା’ ପ୍ରଦର୍ଶିତ ନ ହେଉ। ‘ଏ.ଏସ୍.ଆଇ.’ ସର୍ଭେ ପରେ ହୁଏତ ‘ବିତର୍କ’ର ଅବସାନ ଘଟିବ; ଏବଂ ଆମେ ଆଶା ରଖିବା ଯେ ଏହା ସହିତ ‘ବିବାଦ’ର ମଧ୍ୟ ଏକ ସୁସଂହତ ସମାଧାନର ମାର୍ଗ ଉନ୍ମୋଚିତ ହେବ।
ଗତ କାଲି ଆହ୍ଲାବାଦ ଉଚ୍ଚ ଅଦାଲତ ଦ୍ବାରା ପ୍ରଦତ୍ତ ଏକ ଗୁରୁତ୍ବପୂର୍ଣ୍ଣ ରାୟ ସହିତ ‘ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ’ ବା ‘ଏ.ଏସ୍.ଆଇ.’ ଦ୍ବାରା ‘ଜ୍ଞାନବାପି’ ମସ୍ଜିଦ୍ ପରିସରରେ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କାର୍ଯ୍ୟ ପୁନର୍ବାର ପ୍ରାରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଅଦାଲତ ପକ୍ଷରୁ କୁହାଯାଇଛି ଯେ ଏଭଳି ଅନୁଶୀଳନ ଭବିଷ୍ୟତ୍ରେ ଏହି ଉପାସନା ପୀଠକୁ କେନ୍ଦ୍ର କରି ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ନ୍ୟାୟ ପ୍ରଦାନରେ ସହାୟକ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରାଣସୀର ପ୍ରସିଦ୍ଧ ‘କାଶୀ ବିଶ୍ବନାଥ ମନ୍ଦିର’ ଏବଂ ତତ୍ ସଂଲଗ୍ନ ‘ଜ୍ଞାନବାପି’ ମସ୍ଜିଦ୍କୁ ନେଇ ସୃଷ୍ଟ ବିବାଦର ମଞ୍ଜି ରହିଛି ଆଜିକୁ ୩୫୪ ବର୍ଷ ପୂର୍ବେ ଅର୍ଥାତ୍ ୧୬୬୯ ମସିହାରେ ଘଟିଥିବା ଏକ ଘଟଣାରେ, ଯେତେବେଳେ ତତ୍କାଳୀନ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ କାଶୀ ବିଶ୍ବନାଥ ମନ୍ଦିରର ଧ୍ବଂସ ସାଧନ କରାଯାଇ ସେଠାରେ ଏକ ମସ୍ଜିଦ୍ର ନିର୍ମାଣ କରାଯାଇଥିଲା। ସେହି ପରିପ୍ରେକ୍ଷୀରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଏକ ଗୋଷ୍ଠୀର ଦାବି ଅନୁସାରେ ‘ଏ.ଏସ୍.ଆଇ.’ ଦ୍ବାରା ଏକ ଅନୁସନ୍ଧାନ ସାବ୍ୟସ୍ତ କରିବ ଯେ ପ୍ରକୃତରେ ‘ଜ୍ଞାନବାପି’ ମସ୍ଜିଦ୍ ଏକ ନିଶ୍ଚିହ୍ନ ହିନ୍ଦୁ ମନ୍ଦିରର ମୂଳ ଭିତ୍ତି ଉପରେ ଦଣ୍ଡାୟମାନ। କହିବା ବାହୁଲ୍ୟ ଯେ ଏଭଳି ଧାରଣାକୁ ବିରୋଧ କରୁଥିବା ମୁସଲିମ ସଂପ୍ରଦାୟର ଏକ ଗୋଷ୍ଠୀ ପକ୍ଷରୁ କୁହାଯାଇଥାଏ ଯେ ମନ୍ଦିର ଏବଂ ମସ୍ଜିଦ୍ର ଏଭଳି ସହାବସ୍ଥାନ ବାସ୍ତବରେ ଥିଲା ମୋଗଲ ସମ୍ରାଟ ଆକବରଙ୍କ ଦ୍ବାରା ପ୍ରୋତ୍ସାହିତ ହିନ୍ଦୁ-ମୁସଲମାନ ସଦ୍ଭାବନାର ଏକ ପ୍ରତୀକ, ଯହିଁରେ କୌଣସି ହିନ୍ଦୁ ମନ୍ଦିରର ବିନଷ୍ଟ ସାଧନ କରାଯାଇନାହିଁ। ସେହି ଦୃଷ୍ଟିରୁ ବିଚାର କଲେ ଏଭଳି ଏକ ବିତର୍କରେ ପୂର୍ଣ୍ଣଛେଦ ଟାଣିବା ସକାଶେ ହୁଏତ ‘ଏ.ଏସ୍.ଆଇ.’ର ସାର୍ଭେ ସହାୟକ ହେବ; କିନ୍ତୁ ପ୍ରଶ୍ନ ହେଲା ଏହା ଦ୍ବାରା ବିବାଦର ଅନ୍ତ ଘଟିବ ତ?
ତେବେ, ପ୍ରଥମେ ଏହାର ଐତିହାସିକ ପୃଷ୍ଠଭୂମି ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଅବଶ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଆଦେଶରେ ଚୂର୍ଣ୍ଣୀଭୂତ ହୋଇଥିବା ଅନେକ ହିନ୍ଦୁ ମନ୍ଦିର ମଧ୍ୟରୁ ଏହା ଅନ୍ୟତମ, ଯାହାର ବର୍ଣ୍ଣନା ସାକି ମୁସ୍ତେଦ ଖାଁଙ୍କ ରଚିତ ‘ମାସିର-ଇ-ଆଲମଗିର’ ପୁସ୍ତକରେ ଦେଖିବାକୁ ମିଳିଥାଏ, ଯିଏ ଖୋଦ୍ ଥିଲେ ଔରଙ୍ଗଜେବଙ୍କ ପ୍ରିୟ ଓ ଅନୁଗତ ଇତିହାସକାରମାନଙ୍କ ମଧ୍ୟରୁ ଜଣେ। ତେବେ, ଗୋଟିଏ ଐତିହାସିକ ଦୃଷ୍ଟିକୋଣ ଔରଙ୍ଗଜେବଙ୍କ ଏଭଳି କାର୍ଯ୍ୟକୁ ନିରୋଳା ଏବଂ ଅହେତୁକ ଧର୍ମୀୟ-ବିଦ୍ବେଷର ପରିଣାମ ବୋଲି ବିବେଚନା କରୁଥିବା ବେଳେ ଆଉ ଗୋଟିଏ ଦୃଷ୍ଟିକୋଣ ଏହାକୁ ଔରଙ୍ଗଜେବଙ୍କ ଚରିତ୍ରଗତ ସଂକୀର୍ଣ୍ଣତା, ଅସହିଷ୍ଣୁତା ଏବଂ ତୀବ୍ର ଅସୁରକ୍ଷାବୋଧ ବୋଲି ଅଭିହିତ କରିଥାଏ, ଯାହା କେତେକ ରାଜନୈତିକ ଘଟଣାକ୍ରମ ଦ୍ବାରା ତାଙ୍କ ମନରେ ତୀବ୍ର ଆକ୍ରୋଶକୁ ଜନ୍ମ ଦେବା ସହିତ ଅନେକ ହିନ୍ଦୁ ମନ୍ଦିରର ବିଧ୍ବଂସର କାରଣ ହୋଇଥିଲା। କୁହାଯାଇଥାଏ ଯେ ମରାଠା ବୀର ଛତ୍ରପତି ଶିବାଜୀଙ୍କୁ ଦମନ କରିବାରେ ସଂପୂର୍ଣ୍ଣ ବିଫଳ ଔରଙ୍ଗଜେବ ତାଙ୍କ ହତାଶାଜନିତ କ୍ରୋଧକୁ ହିନ୍ଦୁ ଉପାସନା ପୀଠର ଧ୍ବଂସ ସାଧନ କରି ପ୍ରଶମିତ କରିଥିଲେ। ଏଭଳି ସ୍ଥିତିରେ ସମ୍ରାଟ ଆକବରଙ୍କ ସମୟରେ ତାଙ୍କ ପ୍ରମୁଖ ସେନାପତି ରାଜା ମାନସିଂହଙ୍କ ଦ୍ବାରା ନିର୍ମିତ କାଶୀ ବିଶ୍ବନାଥ ମନ୍ଦିର ବିଶେଷ ଭାବେ ଔରଙ୍ଗଜେବଙ୍କ ଚକ୍ଷୁଶୂଳ ହୋଇ ପଡ଼ିଥିଲା, କାରଣ ସେ ସନ୍ଦେହ କରିଥିଲେ ଯେ ତାଙ୍କ ବନ୍ଦୀଶାଳାରୁ ଶିବାଜୀଙ୍କ ପଳାୟନରେ ରାଜା ମାନ ସିଂହଙ୍କ ପୌତ୍ର ଜୟ ସିଂହଙ୍କ ପ୍ରଚ୍ଛନ୍ନ ଭୂମିକା ଥିଲା, ଯଦିଓ ଜୟ ସିଂହ ମଧ୍ୟ ଔରଙ୍ଗଜେବଙ୍କ ସେନାବାହିନୀରେ ଜଣେ ସେନାପତି ଥିଲେ। ଅନ୍ୟ କେତେକ ଇତିହାସକାର କହିଥାଆନ୍ତି ଯେ ତତ୍କାଳୀନ ବାରାଣସୀରେ କତିପୟ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ଇସଲାମ ଧର୍ମାବଲମ୍ବୀମାନେ ପ୍ରଭାବିତ ହେଉଥିବାର ସୂଚନା ପାଇବା ପରେ ଅସହିଷ୍ଣୁ ଔରଙ୍ଗଜେବ ବାରାଣସୀର ଏହି ପ୍ରସିଦ୍ଧ ହିନ୍ଦୁ ମନ୍ଦିରକୁ ଧରାଶାୟୀ କରିବାର ନିର୍ଦ୍ଦେଶ ଦେଇଥିଲେ। ସୁତରାଂ, ଏଭଳି ଐତିହାସିକ ବର୍ଣ୍ଣନାମାନରୁ ହୃଦ୍ବୋଧ କରିହୁଏ ଯେ ‘ଏ.ଏସ୍.ଆଇ.’ର ସର୍ଭେ ହିନ୍ଦୁ ପକ୍ଷବାଦୀ ଧାରଣାକୁ ଅଚିରେ ସାବ୍ୟସ୍ତ କରିବ। କିନ୍ତୁ ଏହା ମଧ୍ୟ ସତ ଯେ ତା’ ସହିତ ସଂପୃକ୍ତ ମସ୍ଜିଦ୍ର ଅପସାରଣ ସମ୍ବନ୍ଧୀୟ ଦାବି ଏକ ଅଛିଣ୍ଡା ବିବାଦକୁ ଜନ୍ମ ଦେବା ନିଶ୍ଚିତ। ଏବଂ ତା’ ସହିତ ଯେଉଁ ଗୂଢ଼ ପ୍ରଶ୍ନଟି ଉଠିବ ତାହା ହେଲା ଏଭଳି ଐତିହାସିକ ତ୍ରୁଟିଗୁଡ଼ିକର ‘ପରିଶୋଧନ’ ବା ‘ପରିମାର୍ଜନ’ ଉଦ୍ୟମର ସୀମା କେତେ ଯାଏ ବ୍ୟାପ୍ତ? କାରଣ, ଶୁଣିବାକୁ ମିଳିଲାଣି ଯେ କୁଆଡ଼େ ଦ୍ବାଦଶ ଶତାବ୍ଦୀର ପ୍ରସିଦ୍ଧ ବୁଦ୍ଧନାଥ ଶୈବ ପୀଠଟି ଏକ ପ୍ରାଚୀନ ବୌଦ୍ଧ ମଠ (ମୋନାଷ୍ଟରି)ର ଭଗ୍ନାବେଶଷ ଉପରେ ବିରାଜମାନ!
ସେହି ଦୃଷ୍ଟିରୁ ୧୯୯୧ ମସିହାରେ ପ୍ରଣୀତ ‘ଉପାସନା ପୀଠ ଆଇନ’ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ସ୍ବାଧୀନ ଭାରତ ଉତ୍ତରାଧିକାର ସୂତ୍ରରେ ଉପାସନା ସ୍ଥଳଗୁଡ଼ିକୁ ଯେଉଁ ଭଳି ଅବସ୍ଥାରେ ଲାଭ କରିଥିଲା ତାହା ଅକ୍ଷୁଣ୍ଣ ରହିବ। ଏଠାରେ ସ୍ମରଣଯୋଗ୍ୟ ଯେ ଗଲା ଶତାବ୍ଦୀର ଅଷ୍ଟମ ଦଶକର ଅନ୍ତିମ ଓ ନବମ ଦଶକର ଆଦ୍ୟ ଭାଗରେ ହିନ୍ଦୁତ୍ବ ରାଜନୀତିର ଶିରୋତ୍ତୋଳନ ସହିତ କେତେକ ଉପସନା ସ୍ଥଳକୁ ନେଇ ବିବାଦ ଅତ୍ୟନ୍ତ ଘନୀଭୂତ ହୋଇଥିଲା, ଯହିଁରେ ଅଯୋଧ୍ୟାର ବାବ୍ରୀ ବା ବାରାଣସୀର ‘ଜ୍ଞାନବାପି’ ମସଜିଦ ଆଦି ଅନ୍ତର୍ଭୁକ୍ତ ଥିଲେ; ସୁତରାଂ ତତ୍କାଳୀନ ସରକାର ଭବିଷ୍ୟତ୍ରେ କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ଏଭଳି ଏକ ଆଇନର ତୁରନ୍ତ ପ୍ରଣୟନ କରିଥିଲେ। କିନ୍ତୁ, ଏହାର ତିନି ଦଶକ ପରେ ସଂପ୍ରତି ଏକ ଦୃଢ଼ ହିନ୍ଦୁତ୍ବବାଦୀ ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ଏବଂ ତା’ ସହିତ ଏଭଳି ଐତିହାସିକ ତ୍ରୁଟିର ‘ପରିଶୋଧନ’ ସକାଶେ ଆଗ୍ରହ ପ୍ରବଳତର ହୋଇଛି।
ତେବେ ଏହି ସଂଦର୍ଭରେ ରାମ ମନ୍ଦିର-ବାବ୍ରୀ ମସ୍ଜିଦ୍ ବିବାଦ ପରିପ୍ରେକ୍ଷୀରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ବାରା ପ୍ରଦତ୍ତ ଐତିହାସିକ ରାୟ (୨୦୧୯) ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ, ଯହିଁରେ ୧୯୯୧ ମସିହାର ‘ଉପାସନା ପୀଠ ଆଇନ’ର ବ୍ୟାଖ୍ୟା କରି ଖଣ୍ଡପୀଠ କହିଥିଲେ ଯେ ଭାରତୀୟ ସଂବିଧାନର ମୂଳ ଢାଞ୍ଚା ବା ‘ବେସିକ୍ ଷ୍ଟ୍ରକଚର୍’ରେ ଆଞ୍ଚ ନ ପହଞ୍ଚାଇବା ଲାଗି ଯାହା ଅତ୍ୟନ୍ତ ଜରୁରୀ, ତାହା ହେଲା ଧର୍ମ ନିରପେକ୍ଷ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ ପ୍ରଦର୍ଶନ, ଯହିଁରେ ସଂବିଧାନର ଧାରା ୫୧-‘କ’ରେ ସନ୍ନିହିତ ‘ନାଗରିକର ମୌଳିକ କର୍ତ୍ତବ୍ୟ’ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା ଉଚିତ ଏବଂ ଏଭଳି ସ୍ଥିତିରେ ‘ଅତୀତ’ ସମ୍ବନ୍ଧରେ ଅଧିକ ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟିରେ ଆଗ୍ରହ ସ୍ଫୃହଣୀୟ ନୁହେଁ।
ଏଥିରେ କୌଣସି ଦ୍ବିରୁକ୍ତି ନାହିଁ ଯେ ଔରଙ୍ଗଜେବ ଜଣେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଓ ଅପରିଣାମଦର୍ଶୀ ଶାସକ ଥିଲେ; ତାହା ହୋଇ ନ ଥିଲେ ତାଙ୍କ କାର୍ଯ୍ୟର ଦୁଷ୍ପରିଣାମମାନ ତାଙ୍କ ମୃତ୍ୟୁର ୩୧୬ ବର୍ଷ ପରେ ଭବିଷ୍ୟତ୍ ପିଢ଼ି ସମ୍ମୁଖରେ ଏକ ପ୍ରେତଛାୟା ଭଳି ଛିଡ଼ା ହୋଇ ନ ଥାନ୍ତା! ତେବେ ଏହା ମଧ୍ୟ ସତ ଯେ ଔରଙ୍ଗଜେବଙ୍କ କାର୍ଯ୍ୟକଳାପରେ ପ୍ରତିକ୍ରିୟାଶୀଳ ହୋଇ ଯେଉଁମାନେ ସଂପ୍ରତି ଇତିହାସର ‘ପରିମାର୍ଜନ’ ସକାଶେ ଉଦ୍ଗ୍ରୀବ, ସେମାନେ ମଧ୍ୟ ତତ୍ତୁଲ୍ୟ ଅପରିଣାମଦର୍ଶିତା ପ୍ରଦର୍ଶନ କରିଥାଆନ୍ତି; କାରଣ ପ୍ରତିକ୍ରିୟାଶୀଳ ହୋଇ ଅଦୂରଦୃଷ୍ଟି-ସଂପନ୍ନ ତଥା ‘ବର୍ତ୍ତମାନ-ସର୍ବସ୍ବ’ ନିଷ୍ପତ୍ତିମାନ ଭବିଷ୍ୟତ୍ରେ କିଭଳି କଳ୍ପନାତୀତ ବିଭ୍ରାଟମାନ ସୃଷ୍ଟି କରିପାରେ, ତାହାର ଦୃଷ୍ଟାନ୍ତ ନିଜେ ଔରଙ୍ଗଜେବ। ତେଣୁ ଗୋଟିଏ ‘ଅବିମୃଶ୍ୟକାରିତା’ର ପରିଶୋଧନର ଉଦ୍ୟମରେ ଅଧିକ ‘ଅବିମୃଶ୍ୟକାରିତା’ ପ୍ରଦର୍ଶିତ ନ ହେଉ। ‘ଏ.ଏସ୍.ଆଇ.’ ସର୍ଭେ ପରେ ହୁଏତ ‘ବିତର୍କ’ର ଅବସାନ ଘଟିବ; ଏବଂ ଆମେ ଆଶା ରଖିବା ଯେ ଏହା ସହିତ ‘ବିବାଦ’ର ମଧ୍ୟ ଏକ ସୁସଂହତ ସମାଧାନର ମାର୍ଗ ଉନ୍ମୋଚିତ ହେବ।