ଏକଦା ବ୍ରିଟିଶ୍ ସାମ୍ରାଜ୍ୟବାଦର ପ୍ରତୀକ ଥିବା ଭବ୍ୟ ଭବନ ଅଧୁନା ପୃଥିବୀର ସର୍ବବୃହତ୍ ଗଣରାଜ୍ୟର ରାଷ୍ଟ୍ର ମୁଖ୍ୟଙ୍କ ଆଳୟ ଓ କାର୍ଯ୍ୟାଳୟ। ବେଳେବେଳେ କେହି କେହି ପ୍ରଶ୍ନ କରନ୍ତି, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପାଦ ପଡ଼ିଛି କି କେବେ ରାଷ୍ଟ୍ରପତି ଭବନରେ? ଏହାର ଉତ୍ତର ‘ହଁ’। ସେତେବେଳେ ‘ଭାଇସ୍ରୟ ହାଉସ୍’ ଭାବରେ ପ୍ରସିଦ୍ଧ ରାଜଗୃହକୁ ପ୍ରଜାପ୍ରତିନିଧି ଭାବରେ ଏକାଧିକବାର ଆସିଛନ୍ତି ମହାତ୍ମା ଗାନ୍ଧୀ।
୧୯୩୧ ମସିହା ଫେବ୍ରୁଆରି ମାସ ୧୭ ତାରିଖ ଦିନ ପ୍ରଥମକରି ଗାନ୍ଧୀଜୀ ଭାଇସ୍ରୟ ହାଉସ୍କୁ ଆସିଥିଲେ। ଲବଣ ସତ୍ୟାଗ୍ରହଜନିତ କାରାବାସରୁ ନିଃସର୍ତ୍ତ ଭାବରେ ମୁକ୍ତ ହେଲା ପରେ ହଜାର ହଜାର ବନ୍ଦୀଙ୍କୁ କାରାମୁକ୍ତ କରିବା ପାଇଁ ଗାନ୍ଧୀଜୀ ଭାଇସ୍ରୟ ଇର୍ୱିନ୍ଙ୍କ ସହିତ ଆଲୋଚନା କରୁଥିଲେ। ଇର୍ୱିନ୍ଙ୍କ ସାଙ୍ଗରେ ତାଙ୍କ ପ୍ରଥମ ସାକ୍ଷାତ୍ ସଂପର୍କରେ ଏକ ରୋଚକ କଥା ପ୍ରଚଳିତ ଅଛି। ଲୁଣମରା ଅଧିକାର ପାଇଁ ଲଢୁଥିବା ଗାନ୍ଧୀଜୀ ସାଙ୍ଗରେ ଲୁଣ ପୁଡ଼ିଆଟିଏ ଧରି ଭାଇସ୍ରୟ ହାଉସ୍କୁ ଆସିଥିଲେ ଏବଂ ଲେମ୍ବୁ ପାଣିରେ ନିଜେ ଆଣିଥିବା ଲୁଣ ମିଶାଇ ପିଇଥିଲେ। ଏହା ଥିଲା ଭାଇସ୍ରୟଙ୍କ ପ୍ରତି ତାଙ୍କର ପ୍ରତୀକାତ୍ମକ ଅବଜ୍ଞା। ସେହି ବର୍ଷ ମାର୍ଚ୍ଚ ୫ ତାରିଖ ଦିନ ଗାନ୍ଧୀ-ଇର୍ୱିନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯାହା ଫଳରେ ସତ୍ୟାଗ୍ରହୀମାନଙ୍କ କାରାମୁକ୍ତିର ବାଟ ଫିଟିଥିଲା। ଏହି ସମୟ ମଧ୍ୟରେ ସେ ଆଠ ଥର ଭାଇସ୍ରୟ ହାଉସ୍କୁ ଆସିଥିଲେ। ଏତେ ବଡ଼ ଭବନରେ ଏଡ଼େ କ୍ଷୁଦ୍ର ମଣିଷ ଜଣଙ୍କର ଉପସ୍ଥିତି କାହାକୁ କେମିତି ବିଚିତ୍ର ମନେ ହୋଇଥିବ କି? ନା, ବରଂ ମହାତ୍ମାଙ୍କ ଆଧ୍ୟାତ୍ମିକ ଆଭାରେ ସ୍ତବ୍ଧ ହୋଇଯାଇଥିବ ଉପନିବେଶବାଦୀ ଅହମିକା। କିନ୍ତୁ ଗ୍ରେଟ୍ ବ୍ରିଟେନ୍ର ମହାମାନ୍ୟ ସମ୍ରାଟଙ୍କ ପ୍ରତିନିଧିଙ୍କ ଗୃହରେ ଗାନ୍ଧୀଙ୍କ ପରି ଜଣେ ସାମ୍ରାଜ୍ୟ-ବିରୋଧୀଙ୍କ ପ୍ରବେଶକୁ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ନାପସନ୍ଦ କରିଥିଲେ।
ଭାଇସ୍ରୟ ହାଉସ୍କୁ ଗାନ୍ଧୀଜୀଙ୍କ ଦ୍ୱିତୀୟ ଆଗମନ ମଧ୍ୟ ଥିଲା ଐତିହାସିକ। ଏହା ୧୯୩୯ ମସିହାର କଥା ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକାରେ ଆଚ୍ଛାଦିତ ଥିଲା ସାରା ପୃଥିବୀ। ଗାନ୍ଧୀଜୀ ଭାଇସ୍ରୟ ଲର୍ଡ ଲିଂଲିଥ୍ଗୋଙ୍କୁ ଅକ୍ଟୋବର ୧୨ ତାରିଖରେ ସାକ୍ଷାତ୍ କରି ଯୁଦ୍ଧରେ ଭାରତର ଅଂଶଗ୍ରହଣ ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ଏହି ଆଲୋଚନା ବିଫଳ ହୋଇଥିଲା। ଏ ବିଷୟରେ ଗାନ୍ଧୀଜୀଙ୍କ ମନ୍ତବ୍ୟ ଥିଲା ଖୁବ୍ ସ୍ପଷ୍ଟ: ଆମେ ରୁଟି ମାଗିଥିଲୁ, ପଥର ପାଇଲୁ। ସେଥର ଗାନ୍ଧୀଜୀଙ୍କ ସହିତ ବାବୁ ରାଜେନ୍ଦ୍ର ପ୍ରସାଦ ଓ ମହମ୍ମଦ ଅଲ୍ଲି ଜିନ୍ନା ଭାଇସ୍ରୟ ହାଉସ୍କୁ ଆସିଥିଲେ।
ଲର୍ଡ ଲିଂଲିଥ୍ଗୋଙ୍କ ପରେ ଲର୍ଡ ୱାଭେଲ୍ ଆସି ଭାରତର ଭାଇସ୍ରୟ ପଦମଣ୍ଡନ କରିଥିଲେ। ଭାରତରେ ସେତେବେଳେ ଘୋର ଦୁର୍ଭିକ୍ଷ ପଡ଼ିଥିଲା। ଦୁର୍ଭିକ୍ଷ ପ୍ରପୀଡ଼ିତ ଜନତାଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ହର୍ବଟ୍ ହୁଭର୍ ୧୯୪୬ ମସିହା ଏପ୍ରିଲ ୨୪ ତାରିଖରେ ନୂଆଦିଲ୍ଲୀ ଆସିଥିଲେ। ଭାରତଛାଡ଼ ଡାକରା ଦେଇ ଜେଲ୍ ଭୋଗୁଥିବା ଗାନ୍ଧୀଜୀ ସେତେବେଳକୁ ଜେଲ୍ରୁ ମୁକୁଳି ସାରିଥିଲେ। ଭାଇସ୍ରୟଙ୍କ ଅନୁରୋଧ କ୍ରମେ ସେ ଭାଇସ୍ରୟ ହାଉସ୍କୁ ଆସିଥିଲେ। ଦେଖାସାକ୍ଷାତ ଓ ଆଳାପ ଆଲୋଚନା ପରେ ଗାନ୍ଧୀଜୀ କହିଥିଲେ ଯେ ଅନ୍ୟ ଦେଶରୁ ମିଳୁଥିବା ସାହାଯ୍ୟ ଗ୍ରହଣ କରିବାରେ ବାଧା ନାହିଁ, ହେଲେ ଆତ୍ମନିର୍ଭର ହେବାର ଉପାୟ ଖୋଜିବା ସର୍ବଦା ଶ୍ରେୟସ୍କର। ଆତ୍ମନିର୍ଭର ଭାରତ କଥା କହାଯାଉଥିବା ବେଳେ ଗାନ୍ଧୀଜୀଙ୍କ ଉକ୍ତି କେଡ଼େ ପ୍ରାସଙ୍ଗିକ ମନେହୁଏ ସତେ!
୧୯୪୭ ମସିହା ଏପ୍ରିଲ ମାସ ୧, ୨ ଓ ୩ ତାରିଖ- ତିନି ଦିନ ଧରି ପୁଣି ଭାଇସ୍ରୟ ମାଉଣ୍ଟବେଟେନ୍ଙ୍କୁ ସାକ୍ଷାତ୍ କରିବା ପାଇଁ ଗାନ୍ଧୀଜୀ ଭାଇସ୍ରୟ ହାଉସ୍କୁ ଆସିଥିଲେ। ଏଥର ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ। ମାଉଣ୍ଟବେଟେନ୍ ଦିନେ ଅପରାହ୍ଣରେ ଗାନ୍ଧୀଜୀଙ୍କୁ ଚା’ ପର୍ବରେ ଯୋଗଦେବା ପାଇଁ ଭବନ ଉଦ୍ୟାନକୁ ଡାକିଥିଲେ। ଗାନ୍ଧୀଜୀ ଭାଇସ୍ରୟଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ ମଧ୍ୟ ତାଙ୍କ ଚା’ ବା ବିସ୍କୁଟ ନ ଖାଇ ସାଙ୍ଗରେ ଧରି ଆସିଥିବା ଛେଳି କ୍ଷୀର ତିଆରି ଦହି ଖାଇଥିଲେ।
୧୯୪୭ ମସିହା ଜୁନ୍ ମାସ ୨ ତାରିଖରେ ପୁନଶ୍ଚ ଗାନ୍ଧୀଜୀ ଆସି ପହଞ୍ଚିଥିଲେ ଭାଇସ୍ରୟ ହାଉସ୍ରେ, ମାଉଣ୍ଟବେଟେନ୍ଙ୍କ ନିମନ୍ତ୍ରଣ କ୍ରମେ। ସେଠାରେ ଦେଶ ବିଭାଜନ ପାଇଁ ଗାନ୍ଧୀଜୀଙ୍କ ସହମତି ଓ ସମର୍ଥନ ଲୋଡ଼ିଥିଲେ ମାଉଣ୍ଟବେଟେନ୍। ସେଦିନ କିନ୍ତୁ ଥିଲା ସୋମବାର, ଗାନ୍ଧୀଜୀଙ୍କ ସାପ୍ତାହିକ ମୌନ ଦିବସ। ଗାନ୍ଧୀଜୀ ମୁହଁ ଖୋଲିଲେ ନାହିଁ। ଗୋଟେ ବ୍ୟବହୃତ ଲଫାପା ପଛରେ ଲେଖିଦେଲେ, “ପୁଣି ଯଦି ଦେଖାହୁଏ, କଥା ହେବି।” ତେବେ ତା’ ପରଦିନ ଦେଶ ବିଭାଜନ ବିଷୟରେ ମାଉଣ୍ଟବେଟେନ୍ ରେଡ଼ିଓରେ ଘୋଷଣା କରିଥିଲେ। ଅବଶ୍ୟ ତାଙ୍କର ସେହି ଘୋଷଣା ପଛରେ ଥିଲା ମହମ୍ମଦ ଅଲ୍ଲି ଜିନ୍ନା ଓ ଜବାହରଲାଲ୍ ନେହେରୁଙ୍କ ସମ୍ମତି।
ନୂଆ ଭାରତର ନୂଆ ମୁଖ୍ୟମାନଙ୍କୁ ସାକ୍ଷାତ କରିବାର ସାମାନ୍ୟ ଅଭିପ୍ରାୟ ନ ଥିଲା ଗାନ୍ଧୀଜୀଙ୍କର। କିନ୍ତୁ ମାଉଣ୍ଟବେଟେନ୍ ତାଙ୍କ ଭଣଜାର ବାହାଘର ପାଇଁ ସାମୟିକ ଛୁଟି ନେଇ ଲଣ୍ଡନ ଚାଲି ଯିବାରୁ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଅସ୍ଥାୟୀ ଗଭର୍ନର ଜେନେରାଲ୍ ଭାବରେ ନିଯୁକ୍ତ ହେଲେ। ନିଜ ସମୁଦିଙ୍କୁ ଦେଖା କରିବା ପାଇଁ ୧୯୪୭ ମସିହା ନଭେମ୍ବର ୨୦ ତାରିଖରେ ନବଭାରତର ଶାସନ ଶିଖରୀକୁ ବୁଲି ଆସିଥିଲେ ଗାନ୍ଧୀଜୀ। ପ୍ରଥମଥର ପାଇଁ ଜଣେ ଭାରତୀୟଙ୍କୁ ରାଷ୍ଟ୍ର ମୁଖ୍ୟ ଭାବରେ ସେଠାରେ ଦେଖି ଗାନ୍ଧୀଜୀ ଖୁସି ହୋଇଥିବେ ନିଶ୍ଚୟ। ସେତେବେଳେ ଏହାର ନାମ ‘ଭାଇସ୍ରୟ ହାଉସ୍’ରୁ ‘ଗଭର୍ନମେଣ୍ଟ୍ ହାଉସ୍’କୁ ପରିବର୍ତ୍ତିତ ହୋଇ ସାରିଥିଲା। ତେବେ ୧୯୫୦ ମସିହା ଜାନୁଆରି ୨୬ରେ ଭାରତୀୟ ସଂବିଧାନ କାର୍ଯ୍ୟକାରୀ ହେବା ପରେ ଏହି ଭବନ ‘ରାଷ୍ଟ୍ରପତି ଭବନ’ ଭାବରେ ନାମିତ ହେଲା। ସେହି ଭବନରେ ସେଦିନ ତାହା ଥିଲା ଗାନ୍ଧୀଜୀଙ୍କର ଶେଷ ପଦପାତ।
ସ୍ୱାଧୀନତା ପୂର୍ବରୁ ଓ ପରେ ଅସଂଖ୍ୟ ବ୍ୟକ୍ତି ଓ ବ୍ୟକ୍ତିତ୍ୱଙ୍କ ପାଦଚିହ୍ନ ପଡ଼ିଛି ରାଷ୍ଟ୍ରପତି ଭବନରେ। ପଡୁଛି ଓ ପଡୁଥିବ ମଧ୍ୟ। କିନ୍ତୁ ଗାନ୍ଧୀଜୀଙ୍କର ସେହି ଛୋଟ ଛୋଟ ପାଦଚିହ୍ନସବୁ ଆଜି ମଧ୍ୟ ପଦ୍ମ ହୋଇ ଫୁଟିଛି ରାଷ୍ଟ୍ରପତି ଭବନର ସ୍ଥାନ ସ୍ଥାନାନ୍ତରେ। ତାକୁ ଦେଖିପାରିଲେ ହେଲା!
ମୋ: ୯୪୩୭୧୪୩୮୯୬
ଭବ୍ୟ ଭବନରେ ଦିବ୍ୟ ପଦାଙ୍କ
ବିଜୟ ନାୟକ
/sambad/media/post_attachments/wp-content/uploads/2023/10/mahamta-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)