ତିଥି ଓ ତାରିଖ ମୁତାବକ ବିଖ୍ୟାତ ଗାୟକ, ସ୍ବରକାର ଓ ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶଙ୍କ ଜନ୍ମ ଦିବସ ଆଗକୁ ଏଇ ସପ୍ତାହରେ, ଯଥାକ୍ରମେ କାଲି ଓ ୨୧ ତାରିଖରେ। ଚଳିତ ବର୍ଷଟି ପୁଣି ସଂଗୀତ ସୁଧାକାର ଓ ଓଡ଼ିଶୀ ସଂଗୀତର ଅନ୍ୟତମ କୁଳଦେବତା ବାଳକୃଷ୍ଣଙ୍କ ଜନ୍ମ ଶତବାର୍ଷିକୀ ବର୍ଷ। ସାବିତ୍ରୀ ଅମାବାସ୍ୟାରେ/୧୯୨୩ ମସିହା ମେ ୨୧ ତାରିଖରେ ତାଙ୍କର ଆବିର୍ଭାବ ଘଟିଥିଲା। ପିତା- ପଣ୍ଡିତ ଦୀନବନ୍ଧୁ ଦାଶ, ମାତା- କମଳା ଦେବୀ। ଭୁବନେଶ୍ବରର ଅନତି ଦୂରରେ ଅବସ୍ଥିତ ବାଳକାଟୀକୁ ଲାଗି ତାଙ୍କ ପୈତୃକ ଗାଁ ଭାର୍ଗବୀକୂଳିଆ ବସନ୍ତପେଡ଼ି। ପୂଜାର୍ଚ୍ଚନା ଓ ପୁରୋହିତ କର୍ମାଦି ସଂପାଦନ କରୁଥିବା ଦୀନବନ୍ଧୁ ଭଲ ସଂସ୍କୃତ ଜାଣିଥିଲେ ଏବଂ ବେଳେବେଳେ ଭାଓଲିନ୍ ବି ବଜାଇ ପାରୁଥିଲେ। ପିଲାଦିନୁ ବାଳକୃଷ୍ଣ ଗୀତ, ଗୋଟିପୁଅ ନାଚ ଓ ଅଭିନୟ ଶୁଣି-ଦେଖି ବିମୁଗ୍ଧ ହୋଇଯାଉଥିଲେ। ଗାଇବା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଜନ୍ମିଥିଲା। ଅନେକ ଜନ ସମାବେଶରେ ସିଏ ଅତି ସୁଲଳିତ କଣ୍ଠରେ ଗାନ ପରିବେଷଣ କରିପାରୁଥିଲେ। ପ୍ରଥମେ ଗାଁରେ ଓ ପରେ ଭୁବନେଶ୍ବର ସଂସ୍କୃତ ଟୋଲରେ ସିଏ ଶିକ୍ଷା ଲାଭ କରିଥିଲେ। ହେଲେ ତାଙ୍କ ମନ ଯାଇ ଲାଖି ରହିଥିଲା ଗୀତ ସଂଗୀତରେ। ସେହି ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ ତାଙ୍କ ଗାଁର ସତ୍ୟପ୍ରିୟ ମହାନ୍ତି ଯିଏ କି ଏକଦା ଥିେଲ ଓଡ଼ିଶା ବିଧାନସଭାର ବାଚସ୍ପତି ଓ ରାଜ୍ୟର ମନ୍ତ୍ରୀ।
ସମୟ କ୍ରମେ ବାଳକୃଷ୍ଣ କେନ୍ଦ୍ରାପଡ଼ାରେ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ, କଟକରେ କ୍ଷିତୀଶ ଚନ୍ଦ୍ର ମୈତ୍ର ଓ କଲିକତାରେ ରାୟଚାନ୍ଦ ବରାଡ଼ଙ୍କ ଠାରୁ ଅତି ଉପାଦେୟ ତଥା ପ୍ରେରଣାଦାୟୀ ଗୀତ ସଂଗୀତ ତାଲିମ ପ୍ରାପ୍ତ ହୋଇଥିଲେ। ପ୍ରଖ୍ୟାତ ସଂଗୀତଗୁରୁ ଗୋକୁଳ ଚନ୍ଦ୍ର ଥିଲେ ନିମାଇଁ ହରିଚନ୍ଦନଙ୍କର ଦାଦା ଓ ଦାନବୀର- ବିଶାଳ ହୃଦୟ ରାଧାଶ୍ୟାମଙ୍କ ବଂଶଜ ଯିଏ କି ନଅଙ୍କ ଦୁର୍ଭିକ୍ଷ ସମୟରେ ଲୋକଙ୍କୁ ଅକୁଣ୍ଠ ଚିତ୍ତରେ ସାହାଯ୍ୟର ହାତ ବଢ଼େଇ ଦେଉଥିଲେ ଯେଉଁଥିପାଇଁ ଜନମୁଖରୁ ଶୁଣିବାକୁ ମିଳୁଥିଲା-ସ୍ବର୍ଗେ ଇନ୍ଦ୍ର, ମର୍ତ୍ତ୍ୟେ ନେରନ୍ଦ୍ର। କ୍ଷିତୀଶଚନ୍ଦ୍ରଙ୍କୁ ସଭିଏଁ ଜାଣିଥିଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଗାୟକ ସାଙ୍ଗକୁ ଭାଷାବିତ୍, ଅଭିନେତା, ଶିକ୍ଷକ ଓ ସାହିତ୍ୟାନୁରାଗୀ ଭାବେ। ତାଙ୍କଠୁଁ ବାଳକୃଷ୍ଣ ଶାସ୍ତ୍ରୀୟ ସଂଗୀତ, ଖେୟାଲ୍, ଠୁମ୍ରୀ ଓ ଭଜନ ଗାଇବାର ମାର୍ଗଦର୍ଶନ ପାଇଲେ। ଉଭୟ ଗୋକୁଳ ଓ କ୍ଷିତୀଶଙ୍କ ସମୁଚିତ ପ୍ରଶିକ୍ଷଣ ଫଳରେ ବାଳକୃଷ୍ଣ ସ୍ବର, ଛନ୍ଦ, ତାଳ, ଲୟ, ଭାବ, ଢଙ୍ଗ, ଠାଣି, ଭଙ୍ଗୀ ଓ ରାଗ ଉପରେ ଦଖଲ ହାସଲ କରିବାକୁ ଲାଗିଲେ। ଓଡ଼ିଶୀ ସଂଗୀତର ସ୍ବାତନ୍ତ୍ରୢ ଓ ଚମତ୍କାରିତା କ’ଣ ଧୀରେ ଧୀରେ ଅଧିକରୁ ଅଧିକ ବୁଝିପାରିଲେ।
କଲିକତାରେ ବାଳକୃଷ୍ଣଙ୍କର ସାକ୍ଷାତ ଓ ପରିଚୟ ଘଟିଥିଲା କଳା-ସଂଗୀତ ବିଶାରଦ ତଥା ମହାନୁଭବ ରାୟଚାନ୍ଦ ବରାଡ଼ଙ୍କ ସହ ଏବଂ ତାଙ୍କ ବାଟେ ଓସ୍ତାଦ୍ ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କ ସହିତ। ଓସ୍ତାଦ୍ଜୀଙ୍କ ‘କା କରୁଁ ସଜନୀ ଆୟେନା ବାଲମ୍’ ବାଳକୃଷ୍ଣଙ୍କ ଉପରେ ଏତେ ଛାପ ପକାଇଥିଲା ଯେ ତା’ରି ଛାୟାରେ ସିଏ ଗାଇଥିଲେ କବିଚନ୍ଦ୍ର କାଳୀଚରଣ ରଚିତ ‘ବିତିଲା ତ ଯାମିନୀ, ମଉଳିଲା କାମିନୀ’। ସଂଗୀତ ନିର୍ଦ୍ଦେଶନାର କଳା, ଧାରା, କୌଶଳ ଓ ପ୍ରଣାଳୀ ବାବଦରେ ବେଶ କିଛି ବାଳକୃଷ୍ଣ ଶିଖିଥିଲେ ରାୟଚାନ୍ଦଙ୍କ ଠାରୁ। ରାୟଚାନ୍ଦଙ୍କ ପାଖକୁ ପୁଣି ଆସୁଥାନ୍ତି ସଂଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ପଙ୍କଜ ମଲ୍ଲିକ। କୁହାଯାଏ ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଉଁଚ୍ ନୀଚ୍’ରେ ବାଳକୃଷ୍ଣ ଅଳ୍ପ କିଛି ସମୟ ଢୋଲକ ବଜେଇଥିଲେ, ବୃନ୍ଦଗାନରେ ସାମିଲ ହୋଇଥିଲେ ଓ ଟିକେ ଅଭିନୟ ବି କରିଥିଲେ। ‘‘ବିରାଜ ବୋହୂ’’ରେ ଖ୍ୟାତନାମା ଗାୟକ ହେମନ୍ତ କୁମାରଙ୍କ ଏକ ଗୀତ ସହ ଖାପ ଖାଉଥିବା ବାଉଲ ଭାବେ ଅବତୀର୍ଣ୍ଣ ହୋଇଥିଲେ ବାଳକୃଷ୍ଣ। ସେଇ ବରାଡ଼ଙ୍କ ଆସରରେ ତାଙ୍କର ଆହୁରି ପରିଚୟ ହୋଇଥିଲା କେ.ଏଲ୍.ସାଇଗଲ୍ଙ୍କ ସହ। ପୁଣି ଏକାଧିକ ସୂତ୍ର କହେ ବିମଳ ରାୟ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ‘ଉଦୟେର୍ ପଥେ’େର ବାଳକୃଷ୍ଣ ବୃନ୍ଦଗାନ ‘ଚଲୋ ବୀର୍ ଚଲୋ ବୀର୍’ ଗାୟନରେ ଭାଗ ନେଇଥିଲେ ଯାହାର ସଂଗୀତ ନିର୍ଦ୍ଦେଶକ ଥିଲେ ଖୋଦ୍ ରାୟଚାନ୍ଦ ଏବଂ ଚଳଚ୍ଚିତ୍ରର ଅନ୍ୟତମ ଗୀତିକାର ଥିଲେ ରବୀନ୍ଦ୍ର ନାଥ ଠାକୁର। ଏସବୁ ବାବଦରେ ବିଶଦ ଅନୁଶୀଳନର ଆବଶ୍ୟକତା କଥା ଅନେକ ବିଦ୍ବାନ୍ ଦର୍ଶାଇଥାନ୍ତି।
ଆକାଶବାଣୀର କଳାକାର ଭାବେ ବାଳକୃଷ୍ଣ ଗାଇବା ଆରମ୍ଭ କରିଥିଲେ ୧୯୪୪ ମସିହାରୁ କଲିକତା ଷ୍ଟେସନ୍ରେ। ୧୯୪୮ ମସିହାରେ କଟକ ଆକାଶବାଣୀ ଆରମ୍ଭ ହୁଅନ୍ତେ ସେଠିକି ଚାଲି ଆସିଲେ ବାଳକୃଷ୍ଣ ଷ୍ଟାଫ୍ ଆର୍ଟିଷ୍ଟ ଭାବେ। ଆକାଶବାଣୀ ଛଡ଼ା ସିଏ ଚଳଚ୍ଚିତ୍ର, ମଞ୍ଚ, ନାଟକ, ଗୀତିନାଟ୍ୟ, ଓଡ଼ିଶୀ ନୃତ୍ୟ, ସଂଗୀତ ସମାରୋହ, ମଠ, ମନ୍ଦିର, ଆଖଡ଼ାଘର, ଗାଁ ଚଉପାଢ଼ୀ, ଚାରଣ ଗୋଷ୍ଠୀ, ଯାତ୍ରା ଓ ଅନ୍ୟାନ୍ୟ ଲୋକାୟତନ ସହ ନିଜକୁ ସଂଯୁକ୍ତ କରିଥିଲେ ଏବଂ ଓଡ଼ିଶୀ, ଚମ୍ପୂ, ଛାନ୍ଦ, ଚଉତିଶା, ଭଜନ, ଜଣାଣ, ପ୍ରାର୍ଥନା, ବନ୍ଦନା, ସ୍ତୁତି, ପଲ୍ଲୀ, ଆଧୁନିକ, ଲୋକ, ସୁଗମ ଓ ଲଘୁ ଗୀତମାନ ଗାଇବା ତଥା ନିର୍ଦ୍ଦେଶନା ଦେବାରେ ନିଜର ଅସାଧାରଣ ପ୍ରତିଭା, ଦକ୍ଷତା ଓ ପ୍ରଭାବ ସାବ୍ୟସ୍ତ କରିଥିଲେ।
ବାଳକୃଷ୍ଣଙ୍କ କଣ୍ଠ ନିସୃତ କେତେକ ଅନନ୍ୟ ଓ ଅତି ଚମତ୍କାର ଗୀତ ହେଲା- ବନମାଳିଙ୍କ ‘ଦିନବନ୍ଧୁ ଏହି ଅଳି ଶ୍ରୀଛାମୁରେ’ ଓ ‘ଜଗନ୍ନାଥ ହେ କିଛି ମାଗୁ ନାହିଁ ତୋତେ’, ସାରିଆ ଭିକଙ୍କ ‘ଥକା ମନ ଚାଲ ଯିବା ଚକାନୟନ ଦେଖିବା’, ଗୋରେଖ ଦାସଙ୍କ ‘ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ’, ଉେପନ୍ଦ୍ର ଭଞ୍ଜଙ୍କ ‘‘ଦେଖି ନବ କାଳିକା ବକାଳିକା ମାଳିକା’, ଗୋପାଳକୃଷ୍ଣଙ୍କ ‘ସଂଗୀନିରେ ରାସ ରଂଗୀନିରେ’, କବିଚନ୍ଦ୍ର କାଳୀଚରଣଙ୍କ ‘ଆସ ଜୀବନ ଧନ ମୋର ପଖାଳ କଂସା’, ବଳଦେବ ରଥଙ୍କ ‘ଆଜ ଏ କି ଗୁମାନରେ ଚନ୍ଦ୍ରାନନା’, ସାଲବେଗଙ୍କ ‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’, ଭୀମଭୋଇଙ୍କ ‘ଚିହ୍ନିଲେ ଭଜିଲେ ଜାଣି ପ୍ରସନ୍ନ ହେବେ’, ରାଧାନାଥଙ୍କ ‘ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟମ୍’, ମୀରା ବାଈଙ୍କ ‘ପ୍ୟାରେ ଦରଶନ ଦିଯୋ ଆଏ/ ତୁମ ବିନା ରହାନଯାଏ’, ପର୍ଶୁରାମ ପଟ୍ଟନାୟକଙ୍କ ‘ଆକାଶରେ ସପନର ଜୋଛନା/ ବତାସିରେ ଯଉବନ ଯାତନା’ ଏବଂ ଗୁରୁକୃଷ୍ଣ ଗୋସ୍ବାମୀଙ୍କ ‘ପଲାଶ ବନେ, ମିଶି ବିଜନେ।’
ଗାୟନ କିମ୍ବା ସଂଗୀତ ନିର୍ଦ୍ଦେଶନା ଅଥବା ଉଭୟଟି ଦେଇ ବାଳକୃଷ୍ଣ ଓଡ଼ିଆ ଚଳଚ୍ଚିତ୍ର ଗୀତ ସଂଗୀତର ଆକୃତି ଆଉ ପ୍ରକୃତି ବଦଳେଇ ଦେଇଥିଲେ। ତାଙ୍କ ଅସାଧାରଣ ଉପସ୍ଥିତି ବାରିହୁଏ ଶ୍ରୀଜଗନ୍ନାଥ, କେଦାରଗୌରୀ, ଭାଇଭାଇ, ଶ୍ରୀଲୋକନାଥ, ଜୟଦେବ, ଲକ୍ଷ୍ମୀ, ନୂଆବୋଉ, ଦସ୍ୟୁ ରତ୍ନାକର, ମାଣିକଯୋଡ଼ି, ଜୀବନସାଥୀ, ଅମଡ଼ାବାଟ, ସାଧନା, ନବଜନ୍ମ, ଅଭିନେତ୍ରୀ, ଭାଇଭାଉଜ, ମାଟିର ମଣିଷ, ଅଦିନମେଘ, ଘରବାହୁଡ଼ା, କନକଲତା, ଶଂଖମହୁରୀ ଓ ଜନ୍ମଦାତା, ଶ୍ରୀକୃଷ୍ଣ ରାସଲୀଳା ଓ ମଥୁରା ବିଜୟ ଆଦି ଛବିମାନଙ୍କରୁ। ଏବେ ବି ଅନେକ ଗୁଣୁଗୁଣେଇ ହେଉଥିବାର ଶୁଣିବାକୁ ମିଳେ ସିଏ ଗାଇଥିବା ‘ଅଭିନେତ୍ରୀ’ ଚଳଚ୍ଚିତ୍ରର ‘ମରମ ତଳେ ଅତୀତ ଯେ ମରେନା/ ଦହନ ଯେ ସରେନା’ ଏବଂ ‘ଅଦିନ ମେଘ’ ଛବିର ‘ଜୀବନେ ସପନ ଯେତେ ସବୁ ସତ ହୁଏନା’- ଦୁଇଟି ଯାକ ନାରାୟଣ ପ୍ରସାଦ ସିଂହ ରଚିତ। ସେମିତି ଗଣକବି ବୈଷ୍ଣବ ପାଣିଙ୍କ ‘ରଙ୍ଗସଭା’ ଗୀତିନାଟ୍ୟର ବାଳକୃଷ୍ଣ ଗାଇଥିବା ‘ସେ ପ୍ରଚଣ୍ଡ କଂସ ଅଣ୍ଡାଳିଣ ନିଶ’ ଗୀତଟି ବହୁ ଚର୍ଚ୍ଚିତ।
ବଂଶୀ ଓ ବଂଶୀବାଦକ ଏକାକାର ହୋଇଗଲେ ଯେମିତି ସେ ବଂଶୀସ୍ବର ଅପୂର୍ବ ଶିହରଣ ସୃଷ୍ଟି କରେ ସେମିତି ଗାୟନ ଓ ଗାୟକ ଏକାକାର ହୋଇଗଲେ ସେ ଗାୟନ ଅଦ୍ଭୁତ ସାଂସ୍କୃତିକ ଜଳବାୟୁ ସୃଷ୍ଟି କରେ ଯାହା ସମ୍ଭବ କରିଥିଲା ବାଳକୃଷ୍ଣଙ୍କ କଣ୍ଠସ୍ବର। ଗାୟକ, ଲେଖକ ଓ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଭାଷାରେ- ସଂଗୀତରେ ପ୍ରାଣ ସଂଚାର ହେଲା ବାଳକୃଷ୍ଣଙ୍କ ସଂଗୀତର ବିଶେଷତ୍ବ। ପ୍ରାଣହୀନ ସଂଗୀତ ବୃକ୍ଷହୀନ ଟାଙ୍ଗର ପଥର ପରି। ସେମିତି ସଂଗୀତ ରସିକ ଓ ପ୍ରସିଦ୍ଧ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ବକ୍ତବ୍ୟ ମୁତାବକ- ସଂଗୀତ ସୁଧାକରଙ୍କ କଣ୍ଠସ୍ବରର ବୈଶିଷ୍ଟ୍ୟ ହେଲା ତାହା ଯେତିକି ଗମ୍ଭୀର ସେତିକି ସମୁଜ୍ଜ୍ବଳ, ଯେତିକି ଗଭୀର ସେତିକି ତରଙ୍ଗାୟିତ, ଯେତିିକି ଦୃଢ଼ ସେତିକି କୋମଳ, ଯେତିକି ଧ୍ରୁବ ସେତିକି ଗତିଶୀଳ, ଯେତିକି ସ୍ଥିର ସେତିକି ସ୍ପନ୍ଦନମୟ, ଯେତିକି ସ୍ପଷ୍ଟ ସେତିକି ମାୟାମୟ।
ହେମନ୍ତ କୁମାର ଥିଲେ ବାଳକୃଷ୍ଣଙ୍କ କଣ୍ଠସ୍ବରର ଜଣେ ବଡ଼ ପ୍ରଶଂସକ। ସିଏ କଲିକତାରୁ ବମ୍ବେ ଗଲା ପରେ ଅନେକ ଥର ବାଳକୃଷ୍ଣଙ୍କୁ ସେଠାକୁ ଯିବାକୁ ଡାକିଥିଲେ। କହିଥିଲେ ଆସ, ଏଠି ଲଘୁରୁ ଆହୁ ଲଘୁ ଗୀତ ଗାଇ ବଲିଉଡ୍ ଜଗତକୁ ସମୃଦ୍ଧ କରିବା ସାଙ୍ଗକୁ ନିଜ ପାଇଁ ଧନ-ଯଶ ଅର୍ଜିପାରିବା। ବାଳକୃଷ୍ଣ ସେଥିରେ ରାଜି ହୋଇପାରିଲେନି। ଓଡ଼ିଶା, ଓଡ଼ିଆ ଅସ୍ମିତା ଓ ଓଡ଼ିଶୀ ସଂଗୀତର ମୋହ ଆଉ ଅଙ୍ଗୀକାର ତାଙ୍କୁ ପ୍ରଦେଶାନ୍ତରୀ କରିବାକୁ ଦେଲାନି। ବମ୍ବେ ଆମନ୍ତ୍ରଣ ବାବଦରେ ଅବଗତ ହେଲା ପରେ କବିଚନ୍ଦ୍ର ଅନେକଙ୍କୁ କହିଥିଲେ- ବାଳକୃଷ୍ଣ ଯଦି ବମ୍ବେ ଚାଲିଯାଏ ତେବେ ମୋର ଆଶଙ୍କା ଆମର ଏଠି ଅନ୍ଧାର ଘୋଟିଯିବ। ଆକାଶବାଣୀ ଓ ଚଳଚ୍ଚିତ୍ର ବ୍ୟତୀତ ବାଳକୃଷ୍ଣଙ୍କ ଗୀତ ସଂଗୀତ ଆଧାରିତ ଜୀବନ ନ୍ୟାସନାଲ୍ ମ୍ୟୁଜିକ୍ ଆସୋସିଏସନ, କଟକ କଳାବିକାଶ କେନ୍ଦ୍ର ଓ ଉତ୍କଳ ସଂଗୀତ ସମାଜ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରାଦି ସହ ଗୁନ୍ଥି ହୋଇଯାଇଥିଲା।
ପ୍ରଥମେ ରକ୍ତଚାପ ଓ ପରେ ପକ୍ଷାଘାତ ବାଳକୃଷ୍ଣଙ୍କ ପାଇଁ ଶେଷରେ କାଳ ହେଲା। କିନ୍ତୁ ତା’ର ଯଥେଷ୍ଟ ପୂର୍ବରୁ ସିଏ ଓଡ଼ିଆ ଗୀତ ଗାୟନ ଓ ଓଡ଼ିଶୀ ସଂଗୀତ ପରିବେଷଣ କ୍ଷେତ୍ରକୁ ଆଧୁନିକତାର ଆବାହନ କରିବାରେ ଅଗ୍ରଦୂତ ଭୂମିକା ଗ୍ରହଣ କରିସାରିଥିଲେ। ଫଳରେ ପରବର୍ତ୍ତୀ ସମୟରେ ତାହା ନୂତନ ପରୀକ୍ଷା ନିରୀକ୍ଷା ପାଇଁ ଅନେକ ଝରକା ଖୋଲି ଦେଇଥିଲା। ବାଳକୃଷ୍ଣ ଓଡ଼ିଶୀ ଓ ହିନ୍ଦୁସ୍ଥାନୀ ଭିତରେ ହିତକର ସାଂସ୍କୃତିକ ବିନିମୟ ତଥା ଆଳାପ ବିରୋଧରେ ନ ଥିଲେ। ଭାବନ୍ତୁ ତାଙ୍କ ସାଙ୍ଗକୁ ନିମାଇଁ ହରିଚନ୍ଦନ, ରଘୁନାଥ ପାଣିଗ୍ରାହୀ, ଭିକାରୀ ବଳ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ୍, ପ୍ରଫୁଲ୍ଲ କର ଓ ଚିତ୍ତ ଜେନାଙ୍କ ଭଳି ଗାୟକମାନେ ଗାଉଥିବା ଗୀତ ସଂଗୀତ କାଳଖଣ୍ଡର ଉଚ୍ଚତା ଓ ଗଭୀରତା କ’ଣ ହୋଇନଥିବ! ଗାୟିକାମାନଙ୍କ ଅବଦାନ ମଧ୍ୟ ଥିଲା ଅତି ଗୁରୁତ୍ବପୂର୍ଣ୍ଣ।
ସଂଗୀତ ସୁଧାକର ବାଳକୃଷ୍ଣ ଖାଲି କଣ୍ଠ, ଜିଭ ଓ ପାଟିର ସାହାଯ୍ୟ ନେଇ ଗାଉନଥିଲେ; ତାଙ୍କ ସୁରର ଆଧ୍ୟାତ୍ମିକ ସଦର ମହକୁମା ଥିଲା ତାଙ୍କ କଲିଜା ଏବଂ ସ୍ବରର ରସାଳପଣିଆ ପଛରେ ରହିଥିଲା ତାଙ୍କ ଆତ୍ମାର ଝାଳ, ହୃଦୟର ରକ୍ତ। ସେଇଥିପାଇଁ ତାଙ୍କ ଗାୟନର ମୋହ ଓ କୋହ ଏବଂ କାରୁଣ୍ୟ ଓ ମନୋରମ ଭାବ ଲାଗେ ମଧୁର, ଲଳିତ, ତୀବ୍ର, ସାନ୍ଦ୍ର ଓ ପ୍ରାଣୋଚ୍ଛ୍ବାସ ଭରା। ଏବେ ବି ସିଏ ଓଡ଼ିଶୀ ସଂଗୀତର ଏକ ଅନିର୍ବାଣ ଦୀପସ୍ତମ୍ଭ; ଅମାବାସ୍ୟାରେ ପୂର୍ଣ୍ଣିମାର ଜହ୍ନ ସମ।
ମୋ: ୯୪୩୭୩୦୭୦୭୯