ହରପ୍ପା ସଭ୍ୟତାର ଅନେକ ବୈଶିଷ୍ଟ୍ୟ ମଧ୍ୟରେ ନଗରୀକରଣ, ମୃତ୍ତିକା-ଶିଳ୍ପ ଏବଂ ଲିପି ହେଲା ଅନ୍ୟତମ। ଗତ ଶତାବ୍ଦୀର ଦ୍ବିତୀୟ ଦଶକରେ ହରପ୍ପା ସଭ୍ୟତାର ଆବିଷ୍କାର ଭାରତର ଇତିହାସକୁ ଅନ୍ୟୂନ ପାଞ୍ଚ ହଜାର ବର୍ଷର ପ୍ରାଚୀନତା ଓ ଦୃଢ଼ତା ପ୍ରଦାନ କଲା, ଯାହା ପାଶ୍ଚାତ୍ୟ ଉପନିବେଶବାଦ ବିରୋଧରେ ଲଢୁଥିବା ଭାରତ ଉପମହାଦେଶ ପାଇଁ ଏକ ଗର୍ବ ଓ ଗୌରବର ପ୍ରତୀକ ହେଲା। ଏହି ଆବିଷ୍କାରର ଶ୍ରେୟ ଯାଏ ପଂଜାବର ପୁରାତତ୍ତ୍ବବିଦ୍ ଜୟାରାମ ସାହନୀ (୧୮୭୯-୧୯୩୯) ଏବଂ ଭାରତୀୟ ପୁରାତତ୍ତ୍ବ ସର୍ଭେରେ କାର୍ଯ୍ୟରତ ରାଖାଲ ଦାସ ବନର୍ଜୀ (୧୮୮୫-୧୯୩୦) ଏବଂ ସର୍ଭେର ନିର୍ଦ୍ଦେଶକ ଜନ୍ ମାର୍ସଲ୍ (୧୮୭୬-୧୯୫୮)ଙ୍କୁ। ମାତ୍ର ଏହି ପ୍ରତ୍ନତାତ୍ତ୍ବିକ ଆବିଷ୍କାର ପଛରେ ମଧ୍ୟ ଦୀର୍ଘ ଶହେ ବର୍ଷର ଇତିହାସ ରହିଥିଲା, ଯାହା ସିଦ୍ଧ କରେ କୌଣସି ଆବିଷ୍କାର କିମ୍ବା ଉଦ୍ଭାବନ ପଛରେ ଏକ ଦୀର୍ଘ ପ୍ରକ୍ରିୟା ରହିଥାଏ।
୧୮୨୬ ମସିହାରେ ଇଷ୍ଟ୍ ଇଣ୍ଡିଆ କଂପାନି ଅଧୀନରେ କାର୍ଯ୍ୟ କରୁଥିବା ଚାର୍ଲସ୍ ମେସନ୍ (୧୮୦୦-୧୮୫୩) ନାମକ ଜଣେ ସେନା ଅଧିକାରୀ ପଶ୍ଚିମ ପଂଜାବ (ବର୍ତ୍ତମାନର ପାକିସ୍ତାନରେ)ର ସାହିୱାଲ୍ ଜିଲ୍ଲାର ହରପ୍ପା ଗ୍ରାମରେ ପହଞ୍ଚିଲେ ଏବଂ ସେଠାକାର ଏକ ପାହାଡ଼ିଆ ସ୍ତୂପ ଉପରେ ଠିଆ ହୋଇ ଘୋଷଣା କଲେ ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଠିକ୍ ଏହି ସ୍ଥାନରେ ଗ୍ରୀକ୍ ବୀର ମାସିଡୋନିଆର ଆଲେକ୍‌ଜାଣ୍ଡାର୍ ପଂଜାବର ସ୍ଥାନୀୟ ରାଜା ପୁରୁଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ। ଊନବିଂଶ ଶତାବ୍ଦୀରେ ୟୁରୋପରେ ଆଲେକ୍‌ଜାଣ୍ଡାର୍‌ଙ୍କ ଭାରତ ବିଜୟ ଘଟଣା ପାଶ୍ଚାତ୍ୟର ପରାକ୍ରମ ରୂପେ ସେମାନଙ୍କ ପାଇଁ ଏକ ଗୌରବ ଏବଂ ଆହ୍ଲାଦର ପ୍ରସଙ୍ଗ ଥିଲା। ତେଣୁ ସତେ ଯେମିତି ଚାର୍ଲସ୍ ସେହି ଗୌରବର ପୀଠଭୂମିକୁ ଆବିଷ୍କାର କରିଥିଲେ! ଯଦିଓ ଚାର୍ଲସ୍‌ଙ୍କ ଉଲ୍ଲେଖ ଖ୍ରୀ.ପୂ. ୩୨୦୦ର ହରପ୍ପାର ପ୍ରାଚୀନ ସଂସ୍କୃତିକୁ ରେଖାଙ୍କିତ କରି ନ ଥିଲା, ସ୍ଥାନଟିର ପ୍ରାଚୀନତାକୁ ଏହା ଏକ ପ୍ରତ୍ନତାତ୍ତ୍ବିକ ଦୃଷ୍ଟିକୋଣ ପ୍ରଦାନ କଲା। ଏହା ଥିଲା ହରପ୍ପାକୁ ନେଇ ପ୍ରଥମ ପ୍ରତ୍ନତାତ୍ତ୍ବିକ ଉଲ୍ଲେଖ।
ଚାର୍ଲସ୍‌ ମେସନ୍‌ଙ୍କ ଉଲ୍ଲେଖକୁ ପାଶ୍ଚାତ୍ୟର ବୌଦ୍ଧିକ ବର୍ଗ ଆଦୌ ଆସ୍ଫାଳନ ବୋଲି ମନେ କରି ନ ଥିଲେ, କାରଣ ବୃତ୍ତିରେ ସୈନିକ ଥିବା ଚାର୍ଲସ୍ ପ୍ରକୃତରେ ଥିଲେ ଜଣେ ପୋଖତ ପ୍ରତ୍ନତତ୍ତ୍ବବିଦ୍ ଏବଂ ମୁଦ୍ରାତତ୍ତ୍ବବିଦ୍। ସ୍ବ-ଜୀବନାବଧି ମଧ୍ୟରେ ସେ ୪୭,୦୦୦ଟି ପ୍ରାଚୀନ ମୁଦ୍ରା ସଂଗ୍ରହ କରି ତା’ର ଅଧ୍ୟୟନ କରିଥିଲେ। ଜଣେ ପୁରାତତ୍ତ୍ବବିଦ୍ ଭାବରେ ସେ କାବୁଲ ଏବଂ ଜଲାଲାବାଦ (ଆଫଗାନିସ୍ତାନ ସ୍ଥିତ)ର ଆଖପାଖରେ ଅନ୍ୟୂନ ୫୦ଟି ପୁରାତନ ବୌଦ୍ଧସ୍ଥଳୀ ମଧ୍ୟ ଆବିଷ୍କାର କରିଥିଲେ।
ହରପ୍ପାକୁ ନେଇ ଚାର୍ଲସ୍‌ଙ୍କ ଉଲ୍ଲେଖର ପାଞ୍ଚ ବର୍ଷ ପରେ ୧୮୩୧ ମସିହାରେ ଆଲେକ୍‌ଜାଣ୍ଡାର୍ ବର୍ନି ନାମକ ଜଣେ ପୁରାତତ୍ତ୍ବବିଦ୍ ହରପ୍ପା ଗ୍ରାମ ପରିଭ୍ରମଣ କଲେ ଏବଂ ତା’ର ପୁରାତାତ୍ତ୍ବିକ ମହତ୍ତ୍ବ ରହିଛି ବୋଲି ଉଲ୍ଲେଖ କଲେ। କିନ୍ତୁ କ’ଣ ସେ ମହତ୍ତ୍ବ, ତାକୁ ନେଇ ତାଙ୍କ ଠାରେ କୌଣସି ତଥ୍ୟ ବା ଅନୁମାନ ନ ଥିଲା। ୧୮୬୧ରେ, ଭାରତରେ ଅବସ୍ଥାପିତ ଇଂରେଜ ସାମରିକ ବାହିନୀର ଜଣେ ଇଂଜିନିଅର ଆଲେକ୍‌ଜାଣ୍ଡର୍ କନିଙ୍ଗହାମ୍ ହରପ୍ପା ଯାଇ ସେଠାରେ ପ୍ରାରମ୍ଭିକ ପ୍ରତ୍ନତାତ୍ତ୍ବିକ ଖନନ ଆରମ୍ଭ କଲେ। ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ୧୮୭୨ ମସିହାରେ ଖନନ କାର୍ଯ୍ୟକୁ ସେ ବାତିଲ କଲେ, କାରଣ ତାଙ୍କ ଧାରଣା ଥିଲା ଯେ ହରପ୍ପାର ପ୍ରାଚୀନତା ୨୫୦ ବର୍ଷରୁ ଅଧିକ ନୁହେଁ; ଅର୍ଥାତ୍ ତାହା ଏକ ମୋଗଲ କାଳୀନ ସଂସ୍କୃତି। ହରପ୍ପାର ଉନ୍ନତ ନଗରୀକରଣ ଖ୍ରୀ.ପୂ. ୩୨୦୦ର ବୋଲି ସେ କଳ୍ପନା କରି ପାରି ନଥିଲେ ଏବଂ ଏକ ଅନନ୍ୟ ଅାବିଷ୍କାରକୁ ହାତଛଡ଼ା କରିଦେଲେ। ଏହାର ଅର୍ଦ୍ଧଶତାବ୍ଦୀ ଉତ୍ତାରୁ ଦୟାରାମ ସାହନୀ ହରପ୍ପା ଏବଂ ତା’ର ବର୍ଷେ ପରେ ରାଖାଲ ଦାସ ସିନ୍ଧୁ ପ୍ରଦେଶସ୍ଥିତ ଲାରକାନା ଜିଲ୍ଲାର ମହେଞ୍ଜୋଦାରୋ ଠାରେ ନୂଆ କରି ପ୍ରତ୍ନତାତ୍ତ୍ବିକ ଖନନ ଆରମ୍ଭ କଲେ। ଜନ୍ ମାର୍ସାଲ୍ ଥିଲେ ଭାରତ ପୁରାତାତ୍ତ୍ବିକ ସର୍ଭେର ନିର୍ଦ୍ଦେଶକ। ତାଙ୍କ ପ୍ରୋତ୍ସାହନରେ ଖନନ ଆଗକୁ ବଢ଼ିଲା। ୧୯୨୪ ମସିହାରେ ଏହାର ପ୍ରାଚୀନତାକୁ ନେଇ ଔପଚାରିକ ଘୋଷଣା ହେଲା। ଯେହେତୁ ମହେଞ୍ଜୋଦାରୋ ପୂର୍ବରୁ ହରପ୍ପାର ଅବିଷ୍କାର ହୋଇଥିଲା, ଏହି ସଭ୍ୟତାକୁ ହରପ୍ପା ସଂସ୍କୃତି ନାମରେ ନାମିତ କରାଗଲା।
ଯେମିତି ହରପ୍ପା ସଂସ୍କୃତିର ପ୍ରତ୍ନତାତ୍ତ୍ବିକ ଆବିଷ୍କାର, ସେମିତି ଏହାର ନାମକରଣ ମଧ୍ୟ ଏକ ଦୀର୍ଘ ପ୍ରକ୍ରିୟା ମଧ୍ୟ ଦେଇ ଗତି କରିଛି। ଉଭୟ ହରପ୍ପା ଓ ମହେଞ୍ଜୋଦାରୋ ସିନ୍ଧୁ ନଦୀ ଉପତ୍ୟକାରେ ଅବସ୍ଥିତ। ତେଣୁ, ଅନେକ ବର୍ଷ ପର୍ଯ୍ୟନ୍ତ ଏହାକୁ ସିନ୍ଧୁ-ସଭ୍ୟତା ବୋଲି କୁହାଯାଉଥିଲା। ସମକାଳୀନ ଅନ୍ୟ ବିଶ୍ବ ସଭ୍ୟତା, ଯେମିତି ଇଜିପ୍‌ଟ ଏବଂ ମେସୋପୋଟାମିଆ, ନୀଳ ନଦୀ ତଥା ଟାଇଗ୍ରିସ୍-ଇଉଫ୍ରେଟିସ୍ ନଦୀ ଉପତ୍ୟକା ମଧ୍ୟରେ ସୀମିତ ଥିଲେ, ସେହି ଆଧାରରେ ହରପ୍ପା ସଭ୍ୟତା ମଧ୍ୟ ସିନ୍ଧୁ ନଦୀ ଉପତ୍ୟକା ବାହାରେ ବିସ୍ତାରିତ ହୋଇ ନ ଥିବ ବୋଲି ଐତିହାସିକମାନେ ଅନୁମାନ କରୁଥିଲେ। ମାତ୍ର ନିରନ୍ତର ପ୍ରତ୍ନତାତ୍ତ୍ବିକ ଗବେଷଣା ଯୋଗୁଁ ସିଦ୍ଧ ହେଲା ଯେ ହରପ୍ପା ସଭ୍ୟତା ସିନ୍ଧୁ ଉପତ୍ୟକା ବାହାରେ ମଧ୍ୟ ବିସ୍ତାରିତ। ବର୍ତ୍ତମାନର ପାକିସ୍ତାନ, ଭାରତର ଉତ୍ତର-ପଶ୍ଚିମ କ୍ଷେତ୍ର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହା ବ୍ୟାପିଛି। ତେଣୁ, ‘ସିନ୍ଧୁ ସଭ୍ୟତା’ ନାମ ସର୍ବସ୍ବୀକୃତ ହେଲା ନାହିଁ ଏବଂ ପ୍ରଥମ ଖନନ-ସ୍ଥଳୀ ଭାବରେ ହରପ୍ପାର ନାଁରେ ଏହାର ନାମକରଣ ହେଲା। ଆଜି କିଛି ଐତିହାସିକ ଏହାକୁ ‘ସିନ୍ଧୁ-ସରସ୍ବତୀ ସଭ୍ୟତା’ ନାମରେ ନାମିତ କରନ୍ତି। ସିନ୍ଧୁ ଭଳି, ଘର୍ଘରା-ହାକ୍ରା ନଦୀ କୂଳରେ ଏହାର ଅନେକ ସ୍ଥଳୀ ରହିଛି। ଋଗ୍ ବେଦରେ ବର୍ଣ୍ଣିତ ସରସ୍ବତୀ ନଦୀକୁ ଯେହେତୁ ଘର୍ଘରା-ହାକ୍ରା ନଦୀ ସହିତ ଚିହ୍ନିତ କରାଯାଏ, ଏହାର ନାମକରଣ ‘ସିନ୍ଧୁ-ସରସ୍ବତୀ ସଭ୍ୟତା’ ହେବା କଥା ବୋଲି ସେମାନଙ୍କର ତର୍କ! ମାତ୍ର ସଭ୍ୟତାର ପରିବ୍ୟାପ୍ତ କ୍ଷେତ୍ର ଏହି ‘ସରସ୍ବତୀ’ର ଉପତ୍ୟକା ଠାରୁ ଢେର ଅଧିକ। ତେଣୁ, ହରପ୍ପା ନାମ ହିଁ ଐତିହାସିକ ସ୍ତରରେ ସର୍ବଗୃହୀତ! ‘ସିନ୍ଧୁ-ସରସ୍ବତୀ’ ଏହାର ବିଶାଳ ଆୟତନକୁ ସମାବିଷ୍ଟ କରିପାରେ ନାହିଁ।
ହରପ୍ପା ସଂସ୍କୃତି ସମ୍ବନ୍ଧରେ ଅନ୍ୟ ଏକ ସୂଚନା ହେଲା ଯେ, ଏହାର ଆୟତନ ବର୍ତ୍ତମାନ ଭାରତର ପ୍ରାୟ ଏକ-ଚତୁର୍ଥାଂଶ; ଭାରତର ଆୟତନ ପ୍ରାୟ ୩୩ ଲକ୍ଷ ବର୍ଗ କିଲୋମିଟର ଓ ହରପ୍ପା ସଭ୍ୟତାର ଆୟତନ ପ୍ରାୟ ଆଠ ଲକ୍ଷ ବର୍ଗ କିଲୋମିଟର। ମାତ୍ର, ଦୁଇରୁ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ଏହାର ଐତିହାସିକ ସ୍ଥଳୀ ସଂଖ୍ୟା ୧,୦୨୨ରେ ପହଞ୍ଚି ସାରିଲାଣି। ତନ୍ମଧ୍ୟରୁ ପାକିସ୍ତାନରେ ୪୦୬ଟି ଏବଂ ଭାରତରେ ୬୧୬ଟି ଅବସ୍ଥିତ; ମାତ୍ର ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ସମାହିତ ହୋଇଥିବା ସ୍ଥଳୀର ସଂଖ୍ୟା ମାତ୍ର ୯୭ଟି। କିଏ ଜାଣେ, ଆଗକୁ ଆହୁରି ଅଧିକ ପ୍ରତ୍ନତାତ୍ତ୍ବିକ ସ୍ଥଳୀର ମଧ୍ୟ ଆବିଷ୍କାର ନ ଘଟିବ ଏବଂ ଆଫଗାନିସ୍ତାନକୁ ରାଜନୈତିକ ସ୍ଥିରାବସ୍ଥା ଫେରିଲେ ଏ ପର୍ଯ୍ୟନ୍ତ ଆଫଗାନିସ୍ତାନରୁ ପ୍ରାପ୍ତ ହୋଇ ନ ଥିବା ଅନେକ ନୂଆ ଐତିହାସିକ ତଥ୍ୟ ଓ ସ୍ମାରକୀକୁ ମଧ୍ୟ ଉଦ୍ଧାର କରାଯାଇପାରେ! ଏଥିରୁ ଗୋଟାଏ କଥା ସିଦ୍ଧ ହୁଏ ଯେ କ୍ରମ ବିବର୍ତ୍ତନ ପ୍ରକ୍ରିୟାରେ ସବୁ କିଛି ପରିବର୍ତ୍ତନଶୀଳ; ବିଶାଳ ସଭ୍ୟତାଗୁଡ଼ିକ ମଧ୍ୟ ସର୍ବକାଳୀନ ହୋଇ ରହିପାରିନାହାନ୍ତି, ସେଗୁଡ଼ିକ ମଧ୍ୟ ଆସନ୍ତି ଓ ଯାଆନ୍ତି!
[email protected]