ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅବସରରେ ଦୀର୍ଘ ୫୮ ବର୍ଷ ଧରି ପବିତ୍ର ରଥ ଡାହୁକ ସେବା କରି ଆସିଥିବା ନରସିଂହ ଖୁଣ୍ଟିଆ ଏହି ମହାନ ସେବା ସଂପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ କହିଛନ୍ତି। ମହାପ୍ରଭୁଙ୍କ ଡାହୁକ ସେବକଙ୍କ ପ୍ରତି ଗଭୀର ସମ୍ମାନବୋଧ ସତ୍ତ୍ବେ ତାଙ୍କର ଗୋଟିଏ ବକ୍ତବ୍ୟ ସହିତ ମୁଁ ସହମତ ହୋଇପାରୁ ନାହିଁ। ସେ ଯାହା କହିଥିଲେ ସଂକ୍ଷେପରେ ତାହା ହେଲା- ଡାହୁକ ଗୀତରେ କାଳ କାଳରୁ ଅଶ୍ଳୀଳ ଭାଷା ପ୍ରୟୋଗର ଏହି ପରଂପରା ଚାଲି ଆସୁଛି। ବାପା କାମରୁ ଓହରିବା ପରେ ଡାହୁକ ବୋଲି ପାଇଁ ମୋତେ ଡାକରା ଆସିଥିଲା। ମୁଁ ଲଜ୍ଜାରେ ତ ବାପାଙ୍କୁ ପଚାରି ପାରିଲିନି, ବାପା ମଧ୍ୟ ମତେ କିଛି କହିଲେନି। ପୁଅ, ଝିଅ, ବନ୍ଧୁ ସମସ୍ତେ ରଥ ଦେଖିବାକୁ ଯାଆନ୍ତି। ହେଲେ ପ୍ରଭୁଙ୍କ ସେବା ପାଇଁ ସବୁ କିଛି ଭୁଲିଯିବାକୁ ପଡ଼େ। ମଝିରେ ମଝିରେ ଅଶ୍ଳୀଳ ବୋଲି କହି ଡାହୁକ ବୋଲିକୁ ବନ୍ଦ କରାଯାଇଛି। କିନ୍ତୁ, ସେ ଥର ରଥ ଗଡ଼ିନାହିଁ। ଅଶ୍ଳୀଳ ହେଲେ ବି ଡାହୁକ ବୋଲି ନ ଦେଲେ ରଥ ଗଡ଼େନି।’
ଏ ସଂପର୍କରେ ମୋର ଏକ ବିଶେଷ ଅଭିଜ୍ଞତା ରହିଛି। ୧୯୯୪ ମସିହାର କଥା। ସେତେବେଳେ ପାରାଦୀପ ସାକ୍ଷରତା ସମିତିର ପ୍ରକଳ୍ପ ସଂଯୋଜକ ଭାବରେ କାର୍ଯ୍ୟ କରୁଥାଏ। ସାକ୍ଷରତା ସମିତି ଆନୁକୂଲ୍ୟରେ ଉଭୟ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲେଖକ ଓ ଲେଖିକାମାନଙ୍କୁ ନେଇ ଏକ ଜନସାହିତ୍ୟ କର୍ମଶାଳା ଅନୁଷ୍ଠିତ ହେଉଥାଏ। ଆଲୋଚନା କ୍ରମରେ ପବିତ୍ର ରଥଯାତ୍ରାରେ ଅଶ୍ଳୀଳ ଡାହୁକ ବୋଲି ବନ୍ଦ କରିବା କଥା ଉଠିଲା। ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଗଲା। ସେହି ବର୍ଷ ପାରାଦୀପ ରଥଯାତ୍ରାରୁ ଅଶ୍ଳୀଳ ଡାହୁକ ବୋଲି ବନ୍ଦ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା। ସେହି କର୍ମଶାଳାରେ ସଭାପତିତ୍ବ କରୁଥିଲେ ସାକ୍ଷରତା ସମିତିର ଅଧ୍ୟକ୍ଷ ତଥା ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଓ ପ୍ରସିଦ୍ଧ ଜଗନ୍ନାଥ ତତ୍ତ୍ବ ବିଶାରଦ ସ୍ବର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର। ଏହାର ଅର୍ଥ ରଥରେ ଡାହୁକ ବୋଲି ଏକ ପ୍ରାଚୀନ ପରଂପରା ହୋଇଥିବା ସତ୍ତ୍ବେ ଜଣେ ଜଗନ୍ନାଥ ତତ୍ତ୍ବବିତ୍ ଭାବେ ସେ ତା’ ସପକ୍ଷରେ ନ ଥିଲେ।
ସେଠାରେ ସ୍ଥିର କରାଗଲା ଯେ ଅଶ୍ଳୀଳ ବୋଲି ବଦଳରେ ଜଗନ୍ନାଥ ଚେତନା ସମ୍ବଳିତ ଢଗଢମାଳି ଗାନ କରାଯିବ। ଜଗନ୍ନାଥ ସମାଜର ସଭାପତି ଗୀତିକବି ପ୍ରଭାତ କୁମାର ନନ୍ଦ କେତୋଟି ଏକପଦିଆ ଗୀତ ରଚନା କଲେ। ପାରାଦୀପ ସାକ୍ଷରତା ସମିତି ଦ୍ବାରା ଏହାର ଏକ ସଂକଳନ ପ୍ରକାଶିତ ହେଲା। ଆମେ ପ୍ରଥମେ ବିଭିନ୍ନ ବସ୍ତିମାନଙ୍କରେ ରହୁଥିବା ଶ୍ରମିକ ଭାଇମାନଙ୍କ ପାଖକୁ ଏ କଥା ନେଲୁ। ସେମାନେ ଏହାକୁ ଗ୍ରହଣ କରିପାରିଲେ ନାହିଁ। ସେମାନେ କହିଲେ, ଏହା ଏକ ଧାର୍ମିକ ପରଂପରା। ଏହା କିପରି ବଦଳା ଯାଇପାରିବ? କିନ୍ତୁ ଆମେ ଯେତେବେଳେ ପଚାରିଲୁ ନିଜ ପୁଅଝିଅଙ୍କ ସହିତ ପବିତ୍ର ରଥଯାତ୍ରାରେ ଏପରି ଅଶ୍ଳୀଳ ଗୀତ ଶୁଣିପାରିବ ତ? ସେମାନଙ୍କ ପାଖରେ କୌଣସି ଉତ୍ତର ନ ଥିଲା। ଅଶ୍ଳୀଳ ବୋଲି ଗାନ କରାଯିବା ସମୟରେ କେତେକ ଯୁବକ ଯେପରି ଆଚରଣ ପ୍ରଦର୍ଶନ କରନ୍ତି, ତାହା ଆଦୌ ଗ୍ରହଣଯୋଗ୍ୟ ହୋଇ ନ ଥିଲେ ସୁଦ୍ଧା ଧାର୍ମିକ ପରଂପରା ଦୃଷ୍ଟିରୁ କିଛି କରାଯାଇ ପାରେନା।
କିନ୍ତୁ ଧୀରେ ଧୀରେ ସେମାନେ ଏହି ପ୍ରସ୍ତାବକୁ ଗ୍ରହଣ କଲେ। ପାରାଦୀପର ମହିଳା ଓ ବୁଦ୍ଧିଜୀବୀମାନେ ସର୍ବାନ୍ତକରଣରେ ଏଥିରେ ସହଯୋଗ କରିବାକୁ ଆଗେଇ ଆସିଲେ। ଏହାକୁ କେବଳ ପାରାଦୀପରେ ସୀମିତ ନ ରଖି ଓଡ଼ିଶା ତଥା ଓଡ଼ିଶା ବାହାରର ବିଭିନ୍ନ ରଥଯାତ୍ରା ପରିଚାଳନା କମିଟିଙ୍କ ନିକଟକୁ ନିବେଦନ ପତ୍ର ସହିତ ୨ଟି ଲେଖା ଆମ ପ୍ରକାଶିତ ପୁସ୍ତିକା ପଠାଗଲା। ଏଥି ସହିତ ଓଡ଼ିଶାର ଅଗ୍ରଣୀ ଦୈନିକ ସମ୍ବାଦପତ୍ରମାନଙ୍କରେ ଅଶ୍ଳୀଳ ବୋଲି ବନ୍ଦ କରିବା ସପକ୍ଷେର ଆଲୋଚନାମାନ ଲେଖି ପ୍ରକାଶ କଲୁ। କହିବା ଅନାବଶ୍ୟକ ଯେ ଏହାର ପ୍ରତିବାଦ ମଧ୍ୟ ପ୍ରକାଶ ପାଇଲା, ଯାହାର ତର୍କସମ୍ମତ ଉତ୍ତର ମଧ୍ୟ ଦିଆଗଲା। ଏ ଦିଗରେ ଯଦିଓ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇପାରିଲା, ଜଗନ୍ନାଥ ସମାଜର ଅଳ୍ପ କେତେ ଜଣ ସଦସ୍ୟ ଏହାର ଘୋର ବିରୋଧ କଲେ। ପ୍ରଚାର କରାଗଲା ଯେ ଅଶ୍ଳୀଳ ବୋଲି ନ ହେଲେ ରଥ ଗଡ଼ିବେ ନାହିଁ।
ତେବେ, ପ୍ରଥମ ଥର ପାଇଁ ଅଶ୍ଳୀଳ ଗୀତ ବଦଳରେ ଭକ୍ତିରସାତ୍ମକ ଢଗଢମାଳି ବୋଲାଯାଇ ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହେଲା। କ୍ରମେ ଖବର ମିଳୁଛି ଯେ ଅନ୍ୟ ସ୍ଥାନରେ ମଧ୍ୟ ଅଶ୍ଳୀଳ ବୋଲି ବନ୍ଦ ବିନା ରଥଯାତ୍ରା କରାଯାଉଛି।
ରଥଯାତ୍ରା ଏକ ଅତ୍ୟନ୍ତ ପବିତ୍ର ଧାର୍ମିକ ଗଣମହୋତ୍ସବ। ଭିନ୍ନ କାରଣରୁ ରଥଯାତ୍ରାରେ ଅଶ୍ଳୀଳ ଡାହୁକ ବୋଲି ପ୍ରବେଶ କରିଥିବ। ହୁଏତ ପ୍ରଥମେ ପ୍ରଥମେ ଡାହୁକ ବୋଲିରେ ଅଶ୍ଳୀଳତା ନ ଥାଇପାରେ, ଯାହା ପରବର୍ତ୍ତୀ କାଳରେ ଡାହୁକମାନଙ୍କ ଦ୍ବାରା ବ୍ୟବହୃତ ହେଉଥିବ। ତେବେ ସେ ଯାହା ହେଉ, ମୂଳ କଥା ହେଲା ଏହା ଏକ ଗଣପର୍ବ ହୋଇଥିବାରୁ ଓ ପରିବାରର ସମସ୍ତେ ଏହି ଯାତ୍ରାେର ଅଂଶ ଗ୍ରହଣ କରୁଥିବାରୁ ଏହି ପରଂପରା ବଦଳିବା ଉଚିତ। ଡାହୁକ ବୋଲିରୁ ଅଶ୍ଳୀଳତା ଦୂର ହେବା ଉଚିତ।
ସତ୍ୟବିହାର, ଭୁବନେଶ୍ବର
ଡାହୁକ ବୋଲି ଅଶ୍ଳୀଳ ନ ହେଲେ ବି ରଥ ଗଡ଼ିବେ
ରବି ସ୍ବାଇଁ
/sambad/media/post_attachments/wp-content/uploads/2024/05/fhhsshhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)