ଭାରତର ଐତିହାସିକ ଚନ୍ଦ୍ର ଅଭିଯାନ ପରେ ସାରା ଭାରତବର୍ଷର କୋଟି କୋଟି ଜନତା ତ ଆନନ୍ଦରେ ଅଭିଭୂତ, କିନ୍ତୁ ଏହି ସାଫଲ୍ୟକୁ ନେଇ ଆମ ଓଡ଼ିଶାବାସୀ ଏକ ସ୍ୱତନ୍ତ୍ର ରୂପରେ ଆହ୍ଲାଦିତ। ଏହି ବିଶେଷ ଉପଲବ୍ଧି ପଛରେ ଯେ ଅନେକ ଓଡ଼ିଆ ବୈଜ୍ଞାନିକମାନଙ୍କର ହାତ ରହିଛି, ତାହା ଆମେ ଖୋଜି ଖୋଜି ବାହାର କରୁଛୁ ଓ ଏ ସମାଚାର ନିଜର ସାଙ୍ଗସାଥୀଙ୍କୁ ଜଣାଇ ଗର୍ବ ଅନୁଭବ କରୁଛୁ। ଅବଶ୍ୟ ଅନ୍ୟ ଭାଷାଭାଷୀ ଲୋକେ ବି ସେମିତି ଏହି ମିସନରେ ତାଙ୍କ ଅଞ୍ଚଳର ବୈଜ୍ଞାନିକଙ୍କର ଅବଦାନକୁ ନେଇ ଗର୍ବିତ ଥିବେ। ସାହିତ୍ୟିକ ରାଜନେତା ଶଶୀ ଥରୁର ମଧ୍ୟ ସୂଚାଇ ଦେଇଛନ୍ତି ଯେ କେରଳର ଏକ ନିର୍ଦ୍ଦିଷ୍ଟ ଇଞ୍ଜିନିଅରିଂ ଅନୁଷ୍ଠାନର ଅନେକ ପୁରାତନ ଶିକ୍ଷାର୍ଥୀମାନଙ୍କର ଏହି ସଫଳ ଅଭିଯାନ ପଛରେ ନିର୍ଣ୍ଣାୟକ ଭୂମିକା ରହିଛି।
ଜନ୍ ଏଫ୍. କେନେଡି କହି ନ ଥିଲେ କି ‘ସଫଳତାର ପିତା ଅନେକ, ହେଲେ ବିଫଳତା ଗୋଟେ ଛେଉଣ୍ଡ।’ କଥାଟିର ଯଥାର୍ଥତା ବୁଝିବା ପାଇଁ ଆଜିର ଚନ୍ଦ୍ର ବିଜୟର ଉଲ୍ଲାସ ସହ ୨୦୧୯ର ‘ଚନ୍ଦ୍ରଯାନ-୨’ର ପତନ ପରର ଅଖଣ୍ଡ ନିରବତାକୁ ତୁଳନା କଲେ ହିଁ ଯଥେଷ୍ଟ। ସେହି ଅଭିଯାନ ପରେ କେହି ବି ଦାବି କରି ନ ଥିଲେ ଯେ ତାରି ପଛରେ କେଉଁ ରାଜ୍ୟ ବା କେଉଁ ଶିକ୍ଷା ଅନୁଷ୍ଠାନର ଶିକ୍ଷାର୍ଥୀମାନଙ୍କର ହାତ ଥିଲା।
ଅବଶ୍ୟ ସଫଳତା ଓ ବିଫଳତାର ସଂଜ୍ଞା ନିରୂପଣ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ। ଏଠି ମୁଁ କେବଳ ସୂଚେଇ ଦେବାକୁ ଚାହେଁ ଯେ ସଫଳତା ଓ ପ୍ରସିଦ୍ଧି କିଭଳି ଅନେକ ସମୟରେ ଆମ ମନରେ ସଂକୀର୍ଣ୍ଣତା ମଧ୍ୟ ସୃଷ୍ଟି କରିଥାଏ। କିଛି ମାସ ତଳୁ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଗୋଟିଏ ଲୋକପ୍ରିୟ ସନ୍ଦେଶ ଘୂରି ବୁଲୁଛି, ଯେଉଁଥିରେ ଭାରତର ରାଷ୍ଟ୍ରପତିଙ୍କ ଠୁ ଆରମ୍ଭ କରି ବିଭିନ୍ନ ପଦରେ ରହିଥିବା ଓଡ଼ିଆ ମାନଙ୍କର ନାମ ସୂଚି ଦିଆ ଯାଇଛି। ସତେ ଯେମିତି ସର୍ବଭାରତୀୟ ସ୍ତରରେ ଏତେ କାଳ ଧରି ନେପଥ୍ୟରେ ଲୁଚି ରହିଥିବା ଓଡ଼ିଆଙ୍କ ପଟ ପରିବର୍ତ୍ତନର ଏହା ଏକ ଉଦ୍ଘୋଷଣା।
କୌଣସି ସଫଳ ବ୍ୟକ୍ତିକୁ ଆମ ନିଜର ଲୋକ ବୋଲି ଦାବି କରିବାର ମଜା ଅଲଗା। ଏହା ଦ୍ୱାରା ଆମ ଜାତିର ସ୍ୱାଭିମାନ ହାତେ ଉପରକୁ ଉଠି ଯାଏ। ହେଲେ, ଇତିହାସ ଏ କ୍ଷେତ୍ରରେ ଆମ ଓଡ଼ିଆଙ୍କ ପ୍ରତି ବଡ଼ ନିର୍ଦ୍ଦୟ ଓ ଆମର ପଡ଼ୋଶୀମାନେ ବଡ଼ ଅଭିସନ୍ଧିମୂଳକ; କାରଣ ତାହା ହୋଇ ନ ଥିଲେ କି ଜୟଦେବଙ୍କୁ ବଙ୍ଗଳାର କବି ବୋଲି ଆମ ପଡ଼ୋଶୀମାନେ ଦାବି କରୁଥାନ୍ତେ ଏବଂ ସେ ଆମର ବୋଲି ଆମକୁ ଝାଳନାଳ ହୋଇ ପ୍ରମାଣ ଯୋଗାଡ଼ କରିବାକୁ ପଡୁଥାନ୍ତା? ପୁଣି ସୁଭାଷ ବୋଷଙ୍କ କଥା ଦେଖନ୍ତୁ। ଏଇ ଓଡ଼ିଶା ମାଟିରେ ବାଲ୍ୟ ଓ କୈଶୋର ସମୟ ବିତାଇ ନିଜ ବ୍ୟକ୍ତିତ୍ୱର ମୂଳଦୁଆ ପକାଇଲେ, ଅଥଚ ତାଙ୍କ ବିଷୟରେ ବଙ୍ଗଳାର ବିଦ୍ୟାଳୟ ପୁସ୍ତକଗୁଡ଼ିକରେ ଲେଖା ହେଲା ଯେ ତାଙ୍କର ଜନ୍ମ କଲିକତା ଠାରୁ ୪୧୫ କିଲୋମିଟର ଦୂର କଟକ ନାମକ ଏକ ସ୍ଥାନରେ। ତାଙ୍କର ଓଡ଼ିଶା ସହ ସମ୍ପର୍କର ବର୍ଣ୍ଣନା ସେତିକିରେ ଇତି। ଏଣେ ଓଡ଼ିଶାର ଗ୍ରାମ ଓ ପର୍ବତକୁ ମଧ୍ୟ ପଡ଼ୋଶୀ ଆନ୍ଧ୍ର ତାଙ୍କର ବୋଲି ଦାବି କଲାଣି ଓ ସେଠି ନିଜର ଶାସନ ଚଳାଇଲାଣି। ବୋଧହୁଏ, ଏଇ କେତୋଟି ତିକ୍ତ ଅନୁଭୂତି ଆମ ଓଡ଼ିଆମାନଙ୍କୁ ଆମର କୃତି ସନ୍ତାନ ଓ ଓଡ଼ିଆ ବିଶେଷତ୍ୱ ଥିବା ଜିନିଷକୁ ଖାଣ୍ଟି ଓଡ଼ିଆ ବୋଲି ପ୍ରତିପାଦନ କରିବାକୁ ପ୍ରେରଣା ଦେଉଛି। ଏ ଦିଗରେ ସାମାନ୍ୟ ଅବହେଳା ଯୋଗୁଁ ଆମ ହାତରୁ ‘ରସଗୋଲା’ ଖସିଗଲା ଓ ମିଳିଲା ‘ଓଡ଼ିଶା ରସଗୋଲା’। ଅବଶ୍ୟ ପୁରୁଣା ଭୁଲ୍ରୁ ଶିଖି ଏବେ ଆମେ ଜିନିଷ ଗୁଡ଼ିକର ଓଡିଆତ୍ୱ ଦାବିରେ (ଓ ସ୍ୱୀକୃତି ଲାଭ କରିବାରେ) ବଡ଼ ଆଗୁଆ- ତାହା ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ପାଇଁ ହେଉ କି କୋରାପୁଟର କଳା ଜୀରା। ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଓଡ଼ିଶା ବୋଲି ମଧ୍ୟ କେତେକ ଓଡ଼ିଆ ଗବେଷକ ଦାବି କରିଛନ୍ତି।
ଓଡ଼ିଆର ଯେଉଁ ଛବି ମୋଗଲ ଓ ପରେ ଇଂରେଜ ଶାସକମାନେ ଛାଡ଼ି ଯାଇଛନ୍ତି, ତାହା ନିହାତି ନୈରାଶଜନକ। ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଅନ୍ୟମାନଙ୍କ ଆଗରେ ଓଡ଼ିଆମାନଙ୍କର ଏହି ଛବି ବଦଳି ନାହିଁ। ଏଣୁ ଆମେ କୌଣସି ଓଡ଼ିଆଠାରେ ସଫଳତାର ସାମାନ୍ୟ ଆଭାସ ପାଇଲା ମାତ୍ରେ ତାଙ୍କର ଓଡ଼ିଆତ୍ୱକୁ ଆବୋରି ବସୁ। ଏହା ଆମର ସାମୂହିକ ହୀନମନ୍ୟତାକୁ କିଛିଟା ହ୍ରାସ କରିଥାଏ। କିଏ ନାମଜାଦା ବ୍ୟକ୍ତି ଯଦି ଓଡ଼ିଶାର ବୋହୂ କି ଜ୍ୱାଇଁ ବି ହୋଇଥାନ୍ତି, ତେବେ ଆମେ ତାଙ୍କୁ ଓଡ଼ିଆ କ୍ଲବ୍ରେ ସାମିଲ କରିଦେଉ। ଏହା ଆମର ଭଲ ଗୁଣ ଓ ଉଦାରପଣିଆ। ଦକ୍ଷ ଓ ପ୍ରତିଭାବାନ ବ୍ୟକ୍ତିତ୍ୱକୁ ସମ୍ମାନ ଦେବା ଉଚିତ, କିନ୍ତୁ ସେଥିପାଇଁ ସେ ବ୍ୟକ୍ତି ଖାଣ୍ଟି ଓଡ଼ିଆ କିମ୍ବା ଓଡ଼ିଶାର ଜ୍ୱାଇଁ ବା ବୋହୂ ହେବା ଜରୁରୀ ନୁହେଁ। ଆମେ ପିଲାଦିନେ ସହିଦ ଅବଦୁଲ ହମିଦଙ୍କ ବୀରତ୍ୱ ଓ ରଣକ୍ଷେତ୍ରରେ ଦେଶପାଇଁ ପ୍ରାଣବଳି ଦେବା କଥା ପଢୁଥିଲୁ, ପୁଣି ପଢୁଥିଲୁ ହକି ପଡ଼ିଆରେ ଧ୍ୟାନଚାନ୍ଦଙ୍କ ଯାଦୁକରୀ କଥା। ଆମେ ସେତେବେଳେ ସେମାନଙ୍କ ପ୍ରତିଭାରେ ମଗ୍ନ ହୋଇଯାଉଥିଲୁ, ଏ କଥା ଜାଣି ନଥିଲୁ ସେମାନେ କେଉଁ ଭାଷାଭାଷୀ ବା କେଉଁ ଅଞ୍ଚଳର ବ୍ୟକ୍ତି ଥିଲେ। ତେଣୁ ଆଜି ଯେଉଁମାନେ ଦେଶର ବିଭିନ୍ନ ବିଭାଗର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି କିମ୍ବା ଚନ୍ଦ୍ରକୁ ସଫଳତାର ସହ ଯାନ ପଠାଇଛନ୍ତି, ସେମାନେ ସାରା ଦେଶର ଗୌରବ, ତାଙ୍କୁ ଓଡ଼ିଆ ବୋଲି ଚିନ୍ତା କରି ତାଙ୍କର କୃତିତ୍ବକୁ ବିଭାଜିତ ଓ ସଂକୁଚିତ କରିବା ଉଚିତ ନୁହେଁ। ସେମାନେ ଦେଶ ପାଇଁ କାମ କରି ଦେଶ ପାଇଁ ଆହୁରି ଗୌରବ ଅର୍ଜନ କରନ୍ତୁ।
ଆମର ଓଡ଼ିଆ ପ୍ରୀତିର ଅନ୍ୟ ଏକ କୁରୂପ ଦେଖାଯାଏ ସମ୍ବାଦପତ୍ରର କିଛି ଶିରୋନାମାରୁ, ଯେମିତି ‘ଅଣ ଓଡ଼ିଆ ମହିଳା ଠକ ଦଳ ଧରାପଡ଼ିଲେ’, ‘ରାଜଧାନୀରେ ଅଣଓଡ଼ିଆ ଭିକାରିଙ୍କ ଦୌରାତ୍ମ୍ୟ ବୃଦ୍ଧି’ ଇତ୍ୟାଦି। ଏହାର ଅର୍ଥ କ’ଣ ଠକମାନେ ଓଡ଼ିଆ ହୋଇଥିଲେ ଆମେ ସେମାନଙ୍କୁ ସ୍ୱାଗତ ଜଣାଇଥାନ୍ତୁ କିମ୍ବା ଓଡ଼ିଆ ଭିକାରିମାନଙ୍କ ଦୌରାତ୍ମ୍ୟ ପ୍ରତି ଅଧିକ ସହନଶୀଳ ହୋଇଥାନ୍ତୁ?
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଓଡ଼ିଆ ପ୍ରୀତି
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2023/09/564654gd56gdjjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)