ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଏସ୍ ଏସ୍ ରାଜପୁତନା ଜାହାଜରେ ଗାନ୍ଧୀଜୀ ୧୯୩୧ ମସିହା ସେପ୍‌ଟେମ୍ବର ୧୨ ତାରିଖରେ ଲଣ୍ଡନରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଏକ ଖବର ‘ଡେଲି ମେଲ୍’ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଖବରରେ ଉଲ୍ଲେଖ ଥିଲା, ଶ୍ରୀଯୁକ୍ତ ଗାନ୍ଧୀଙ୍କର ବଡ଼ ଏକ ବାକ୍ସକୁ ମରସେଲ୍ଲୀ ବନ୍ଦରରେ ଯାଞ୍ଚ କଲାବେଳେ କଷ୍ଟମ ଇନିସ୍ପେକ୍ଟର ପଚାରିଥିଲେ, ‘ମିଷ୍ଟର ଗାନ୍ଧୀ, ଏ ବାକ୍ସରେ ଆପଣଙ୍କର କ’ଣ ଅଛି?’ ଗାନ୍ଧୀ ଉତ୍ତର ଦେଇଥିଲେ, ‘ଏ ବାକ୍ସରେ ମୋର ଛ’ଟି ଚରଖା, ଛ’ଟି ଖଦଡ଼ ଲୁଗା, ଗୋଟିଏ ଟାୱେଲ, ଖାଦ୍ୟ ଖାଇବା ପାଇଁ କିଛି ବାସନ ଏବଂ କେନ୍‌ରେ ଅଳ୍ପ ଛେଳି କ୍ଷୀର ଅଛି। ଏହା ବ୍ୟତୀତ ମୋର କିଛି ଅର୍ଜିତ ଖ୍ୟାତି (ରେପୁଟେସନ)ରହିଛି ଯାହାର ସେତେ କିଛି ଅଧିକ ମୂଲ୍ୟ ନାହିଁ।’ ଇନିସ୍ପେକ୍ଟର କହିଲେ, ‘ମିଷ୍ଟର ଗାନ୍ଧୀ, ମୁଁ ଜାଣିବାକୁ ଚାହେଁ, ବାକ୍ସରେ ଆପଣ ମଦ, ସିଗାରେଟ, ଡ୍ରଗ୍‌ସ କିମ୍ବା ବନ୍ଧୁକ ରଖିଛନ୍ତି କି?’ ଗାନ୍ଧୀ ପୁଣି ଉତ୍ତର ଦେଲେ, ‘ମୁଁ କେବେ ମଦ, ସିଗାରେଟ, ଡ୍ରଗ୍‌ସ ଖାଏନି। ଏ ବାକ୍ସରେ ସେ ସବୁ ମାଦକ ଦ୍ରବ୍ୟ ନାହିଁ। ଏଥିରେ କୌଣସି ବନ୍ଧୁକ ବି ନାହିଁ। କାରଣ ମୁଁ ଜଣେ ଅହିଂସାପନ୍ଥୀ। ଅହିଂସାର ପ୍ରବକ୍ତା।’
‘ଡେଲି ମେଲ୍‌’ର ଏ ଖବର କ୍ଷୁଦ୍ର ଥିଲେ ବି ଖୁବ୍ ପ୍ରଭାବଶାଳୀ ଥିଲା। ମୋହନଦାସ କରମଚାନ୍ଦ ଗାନ୍ଧୀ ଯେ ଶେଷରେ ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଇଂଲଣ୍ଡରେ ପହଞ୍ଚି ସାରିଲେଣି, ଏ ଖବର ପ୍ରଚାରିତ ହୋଇ ଯାଇଥିଲା। ଗାନ୍ଧୀଙ୍କର ସାକ୍ଷାତ୍‌କାର ନେବାକୁ ପ୍ରାୟ ଏକ ଡଜନରୁ ଅଧିକ ସମ୍ବାଦପତ୍ରର ସାମ୍ବାଦିକମାନେ ଗାନ୍ଧୀଜୀଙ୍କ ପାଖରେ ପହଞ୍ଚି ଯାଇଥିଲେ। ସେମାନେ ଗାନ୍ଧୀଙ୍କର ସାକ୍ଷାତ୍‌କାର ନେଇଥିଲେ।
ସକ୍ଷାତ୍‌କାର ସବୁ ପୃଥକ ହୋଇଥିଲେ ବି ସାମ୍ବାଦିକଙ୍କର କିଛି ସମାନ ପ୍ରଶ୍ନ ଥିଲା। ସେ ପ୍ରଶ୍ନ ଭିତରେ ଥିଲା, ‘ଗୋଲ ଟେବୁଲ ବୈଠକ ଯଦି ବିଫଳ ହୁଏ, ଆପଣଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ହେବ ମିଷ୍ଟର ଗାନ୍ଧୀ? ଆପଣଙ୍କୁ ବିରୋଧ କରୁଥିବା ଵିନଷ୍ଟନ ଚର୍ଚ୍ଚିଲ ଏବଂ ଲାଙ୍କାସାୟାର ଓ ମାଞ୍ଚେଷ୍ଟର ଲୁଗାକଳର ଶ୍ରମିକଙ୍କୁ ଆପଣ କ’ଣ ସକ୍ଷାତ କରିବେ? ସମ୍ରାଟଙ୍କ ଦର୍ଶନ ପାଇଁ ଆପଣ ବଂକିଙ୍ଗହାମ ରାଜପ୍ରାସାଦକୁ ଯିବେ କି?
ସାକ୍ଷାତ୍‌କାର ଆରମ୍ଭରେ ଗାନ୍ଧୀଜୀ ନିଜ ଦସ୍ତଖତ ଥିବା ଛପା ଏକ ବକ୍ତବ୍ୟ ସାମ୍ବାଦିକଙ୍କୁ ଦେଇଥିଲେ। ବକ୍ତବ୍ୟରେ ଲେଖାଥିଲା, ଅହିଂସାରେ ଭାରତ ଯଦି ସ୍ୱାଧୀନତା ପାଏ, ବିଶ୍ବ ଶାନ୍ତି ନିମନ୍ତେ ଭାରତ ତରଫରୁ ଏହା ଏକ ଶ୍ରେଷ୍ଠ ଅବଦାନ ହେବ। ଆଶା କରେ ବ୍ରିଟେନ୍‌ବାସୀ ଏଥିରେ ଭାରତୀୟଙ୍କୁ ସାହାଯ୍ୟ କରିବେ।’
ସାମ୍ବାଦିକଙ୍କ ସିଧା ପ୍ରଶ୍ନରେ ଗାନ୍ଧୀଙ୍କ ଉତ୍ତର ଥିଲା ସ୍ପଷ୍ଟ ଓ ନିର୍ଭୀକ- ‘ମୁଁ ପୂର୍ଣ୍ଣ ସ୍ୱରାଜ ଏବଂ ଶାନ୍ତିର ସନ୍ଧାନରେ ଲଣ୍ଡନ ଆସିଛି। ଗୋଲ ଟେବୁଲ ବୈଠକ ଯଦି ବିଫଳ ହୁଏ, ଅହିଂସ ଆଇନ ଅମାନ୍ୟ ଆନ୍ଦୋଳନ ବ୍ୟାପକ ହୋଇପାରେ।
ଗାନ୍ଧୀ ତାଙ୍କ ସାକ୍ଷାତ୍‌କାରରେ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଗରିମା କଥା ସାମ୍ବାଦିକଙ୍କୁ କହିଥିଲେ- ‘ଭାରତ ଏକ ଦେଶ ନୁହଁ, ଏକ ମହାଦେଶ। ପୃଥିବୀର ଏକ-ପଞ୍ଚମାଂଶ ଲୋକ ଭାରତରେ ବସବାସ କରନ୍ତି। ପୃଥିବୀର ପ୍ରାୟ ସବୁ ଧର୍ମ ଏବଂ ଧାର୍ମିକ ସହବସ୍ଥାନ ଭାରତରେ ଅଛି, ଭାରତର ସଭ୍ୟତା ହେଉଛି ଦଶ ହଜାର ବର୍ଷର ପୁରୁଣା ସଭ୍ୟତା। ଏବେ ମଧ୍ୟ ଏ ସଭ୍ୟତାର ପବିତ୍ରତା ଅକ୍ଷୁଣ୍ଣ ରହିଛି। ଭାରତୀୟମାନେ ସେ ସଭ୍ୟତାର ସ୍ଥାୟିତ୍ୱ ପାଇଁ ସ୍ୱାଧୀନତା ଚାହାନ୍ତି। ସ୍ୱାଧୀନତା ବି ବ୍ୟକ୍ତିର ଜନ୍ମଗତ ଅଧିକାର।’
ଗାନ୍ଧୀଙ୍କୁ ଯେତେବେଳେ ପ୍ରଶ୍ନ ହୋଇଥିଲା, ‘ମିଷ୍ଟର ଗାନ୍ଧୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଶେଷତ୍ୱ କ’ଣ?’, ଗାନ୍ଧୀ ଉତ୍ତର ଦେଇଥିଲେ, ‘ଭାରତର ସ୍ୱାଧୀନତା ସଂଗ୍ରାମ ପୃଥିବୀରେ ବିରଳ। ସତ୍ୟ ଓ ଅହିଂସା ଏହାର ଆଧାର। ଏଥିରେ ହିଂସା ଓ ରକ୍ତପାତ ନାହିଁ। ଏ ବିଶ୍ୱ ଆଧୁନିକ ଅର୍ଥରେ ଯେଉଁ କୂଟନୀତି ବୁଝେ, ସେ ପ୍ରକାର କୂଟନୀତି ମଧ୍ୟ ନାହିଁ। ପୃଥିବୀକୁ ହିଂସା ଓ ଯୁଦ୍ଧରୁ ମୁକ୍ତ କରିବାକୁ ଭାରତ ହିଁ ବାଟ ଦେଖାଇବ।’
ଭାରତର ଦୁର୍ଗତି ପାଇଁ ସେଦିନ ସେ ସାକ୍ଷାତ୍‌କାରରେ ଗାନ୍ଧୀଜୀ ଭାରତରେ ଇଂରେଜ ଶାସନକୁ ଦାୟୀ କରିଥିଲେ। ଗାନ୍ଧୀଙ୍କ ସ୍ପଷ୍ଟ ଉତ୍ତର ଥିଲା, ‘ପ୍ରାଚୀନ କାଳରେ ଭାରତ ଖାଦ୍ୟ ଓ ବସ୍ତ୍ରରେ ସ୍ୱାବଲମ୍ବୀ ଥିଲା। ଇଷ୍ଟ ଇଣ୍ଡିଆ କମ୍ପାନି କିନ୍ତୁ ଭାରତର ଗ୍ରାମ୍ୟ ଶିଳ୍ପକୁ ଧ୍ବଂସ କରି ଦେଇଥିଲା। ଏବଂ ପରବର୍ତ୍ତୀ ସମ୍ରାଟ ଶାସନଙ୍କର ଅର୍ଥନୈତିକ ପରିଚାଳନା ଭାରତରେ ସ୍ବଚ୍ଛ ନୁହେଁ। ମଦ ଓ ନିଶାର ପ୍ରସାର କରି ଭାରତୀୟମାନଙ୍କୁ ପଙ୍ଗୁ କରି ସାରିଲେଣି। ନିଜ ଶାସନ ପାଇଁ ଧର୍ମ ଓ ଜାତିକୁ ବିଭାଜିତ କରି ଇଂରେଜ ଶାସନ ଆମ ପ୍ରତି ଅନ୍ୟାୟ କରୁଛି। ଭାରତର ଦାରିଦ୍ର୍ୟ ଓ ଲାଙ୍କାସାୟାରର ଦାରିଦ୍ର୍ୟରେ ପାର୍ଥକ୍ୟ କ’ଣ ବୁଝେଇବାକୁ ଆମନ୍ତ୍ରଣ ପାଇଲେ ମୁଁ ନିଶ୍ଚୟ ଲାଙ୍କାସାୟାର ଯିବି। ଚର୍ଚ୍ଚିଲଙ୍କ ପାଖକୁ ଏବଂ ବକିଙ୍ଗହାମ୍‌ ରାଜଉଆସକୁ ଯିବାର ମୋର ଇଚ୍ଛା ଅଛି।’ ଇଂଲଣ୍ଡର ରାଜଧାନୀରେ ବସି ଇଂରେଜ ଶାସନ ବିରୋଧରେ ଅଭିଯୋଗ ଆଣିବାରେ ଗାନ୍ଧୀଙ୍କ ମନ୍ତବ୍ୟ ସେଦିନ ଖୁବ୍ ମାର୍ଜିତ ଅଥଚ ବିସ୍ଫୋରକ ଥିଲା।
ଗାନ୍ଧୀଙ୍କ ଶେଷ ସାକ୍ଷାତ୍‌କାର ଥିଲା ମୁରିଏଲ ଲେଷ୍ଟରଙ୍କ ‘କିଙ୍ଗସ୍‌ଲେ ହଲ୍‌’ରେ ‘ଇଭିନିଙ୍ଗ ଷ୍ଟାଣ୍ଡାର୍ଡ’ର ସାମ୍ବାଦିକଙ୍କ ସହ। ଲଣ୍ଡନରେ ସେଦିନ ପ୍ରବଳ ବର୍ଷା ସତ୍ତ୍ବେ ଗାନ୍ଧୀଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଥିଲା। ଗାନ୍ଧୀଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନ ହାଲୁକା ଥିଲା। ସାମ୍ବାଦିକ ପ୍ରଶ୍ନ କରିଥିଲେ, ‘ମିଷ୍ଟର ଗାନ୍ଧୀ, ଲଣ୍ଡନରେ ପାଠ ପଢ଼ିବା ବେଳେ ଆପଣ ଯେଉଁ ଥିଏଟର ଯାଉଥିଲେ ସେ ଥିଏଟରକୁ ଏଠି ଆପଣ ଯିବେ?’ ଗାନ୍ଧୀ ଉତ୍ତର ଦେଇଥିଲେ, ‘ଥିଏଟର ଯିବାକୁ ମୋର ସମୟ ନାହିଁ। ମୁଁ ୧୮୮୮ ମସିହାରୁ ୧୮୯୧ ମସିହା ପର୍ଯ୍ୟନ୍ତ ଲଣ୍ଡନରେ ଆଇନ ପାଠ ପଢ଼ିବା ବେଳେ ସେକ୍ସପିୟରଙ୍କ ନାଟକ ଦେଖିବାକୁ ‘ଲିସିଅମ’ ଥିଏଟରକୁ ଯାଉଥିଲି। ସେକ୍ସପିୟରଙ୍କ ନାଟକ ମୋତେ ବେଶୀ ଭଲ ଲାଗୁଥିଲା ଏବଂ ବେଶୀ ଭଲ ଲାଗୁଥିଲା ଅଭିନେତ୍ରୀ ଇଲେନ ଟେରିଙ୍କ ଜୀବନ୍ତ ଅଭିନୟ।’
ବିଭିନ୍ନ ଖବରକାଗଜ ସହ ଗାନ୍ଧୀଙ୍କ ସାକ୍ଷାତ୍‌କାର ପରଦିନ ଖବରକାଗଜରେ ଫଟୋ ସହ ପ୍ରକାଶ ପାଇଥିଲା। ଗାନ୍ଧୀଙ୍କ ବିଶ୍ବ ଜନପ୍ରିୟତା ଏବଂ ନିର୍ଭୀକତା ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଗାନ୍ଧୀଙ୍କୁ ନେଇ ଅନେକ ମନଗଢ଼ା କାହାଣୀ ତିଆରି ହୋଇଥିଲା। ବ୍ୟଙ୍ଗ ଚିତ୍ରକାରମାନେ ବ୍ୟଙ୍ଗ ଚିତ୍ର (କାର୍ଟୁନ) ବି କରିଥିଲେ। ଗାନ୍ଧୀ ଏକ ସାମାଜିକ କୌତୂହଳ ଭାବେ ପ୍ରତୀୟମାନ ହୋଇଥିଲେ। କିନ୍ତୁ ଅଧିକାଂଶ ବ୍ରିଟିସ୍‌ଙ୍କ ପାଇଁ ଗାନ୍ଧୀ ନିଶ୍ଚୟ ଅଜଣା ଥିଲେ। ସେମାନେ ସ୍ୱତଃ ପ୍ରଶ୍ନ କରୁଥିଲେ- ଗାନ୍ଧୀଙ୍କୁ ନେଇ ଏତେ ଚର୍ଚ୍ଚା? ‘ହୁ ଇଜ୍ ଗାନ୍ଧୀ?’ ଗାନ୍ଧୀ କିଏ କି?
ମୋ: ୯୮୬୧୪୬୯୩୨୮