ଅଭିଜ୍ଞତା ପାହାଚ ଚଢ଼େ। ଗୋଟାଏ ଗଣତନ୍ତ୍ର ଭାବରେ ସାଂବିଧାନିକ ରୂପେ ଆମେ ଆଜି ଯେଉଁ ସ୍ଥିତିରେ ପହଞ୍ଚିଛେ ତାହା ଆମ ନିଜସ୍ବ ପାହାଚ-ଚଢ଼ା ଅଭିଜ୍ଞତାର ଫଳ। ଏଥିରେ ଅନ୍ୟମାନଙ୍କର ଅବଦାନକୁ ସ୍ବୀକାର କରିବା ସହ ଆପଣା ପୂର୍ବ-ପିଢ଼ିର ଅବଦାନ ସମୂହକୁ ନ ଜାଣିଲେ ବା ସ୍ବୀକାର ନ କଲେ ଆମେ ଜାତୀୟ ଭାବନାକୁ ଉନ୍ନତ ରଖିପାରିବା ନାହିଁ। ଆମ ମୌଳିକ ଆଇନଗ୍ରନ୍ଥଟିର ମର୍ଯ୍ୟାଦା ଜାଣିପାରିବା ନାହିଁ। ଗଣତନ୍ତ୍ର ଦିଗରୁ ବିଚାର କଲେ ଭାରତର ପ୍ରଶାସନିକ ମେରୁଦଣ୍ଡ ହେଉଛି ଏହାର ସଂବିଧାନ। ଏହା ନିଶ୍ଚିତରେ ସଂବିଧାନ-ପ୍ରଣୟନକାରୀ ସଭା ମାଧ୍ୟମରେ ତିଆରି ହୋଇଛି, ହେଲେ ଏ ନିର୍ମାଣର ପ୍ରକ୍ରିୟା ଓ ଇତିହାସ ଖୁବ୍‌ ଦୀର୍ଘ। ତା’ ପଛରେ କେତେ କଥା ଓ କେତେ ବ୍ୟଥାର କାହାଣୀ ଭରି ରହିଛି। ସେସବୁର ଅନୁଶୀଳନ ଆଜିର ଏ ଭାରତୀୟ ସଂବିଧାନକୁ ଅଧିକ ବୁଝିବା ପାଇଁ ସାମର୍ଥ୍ୟ ଯୋଗାଇବା ସହ ସମ୍ମାନ କରିବା ଲାଗି ଯଥେଷ୍ଟ ଖୋରାକ ଯୋଗାଇବ।

Advertisment

ଏଭଳି ଏକ ପୃଷ୍ଠପଟରେ ୧୯୩୫ ମସିହାର ସମୟଖଣ୍ଡ ବେଶ୍‌ ଗୁରୁତ୍ବ ବହନ କରେ। ଆଜିର ସଂବିଧାନଟିକୁ ପାଇବା ନିମିତ୍ତ ଆମେ ଯେତେ ଯେତେ ପାହାଚ ଚଢ଼ି ଆସିଛୁ ତା’ ଭିତରେ ସବୁଠାରୁ ମୂଲ୍ୟବାନ ପାହାଚ ହେଉଛି ୧୯୩୫ର ଆଇନଗତ ଅଭିଜ୍ଞତା। ବ୍ରିଟିସ୍‌ ଭାରତରେ ‘‘ଭାରତ ଶାସନ ଆଇନ ୧୯୩୫’’ ଅାସିଥିଲା ‘‘ଭାରତ ସରକାରଙ୍କ ଆଇନ-୧୯୩୫’’ ନାମ ଧାରଣ କରି। ଅଥଚ ଏଥିରେ ଭାରତ ନିଜେ ଥିଲା ଆଢୁଆଳରେ। ପ୍ରତ୍ୟକ୍ଷରେ ଥିଲେ ଖୋଦ୍‌ ବ୍ରିଟିସ୍‌ ସରକାର। ବ୍ରିଟିସ୍‌ ପାର୍ଲାମେଣ୍ଟ୍‌ର ଏହା ଥିଲା ଐତିହାସିକ ଦୀର୍ଘତମ ଦସ୍ତାବିଜ୍‌। ସରକାର ସବୁ ଚେଷ୍ଟା କରିଥିଲେ ଏ ମାଟିକୁ କବଳିତ କରି ରଖିବା ପାଇଁ। ଚିଠା ଆଇନ ରାଜାଙ୍କ ମୋହର ବାଜି ଅସଲ ଆଇନରେ ପରିଣତ ହେଲାବେଳକୁ ସେ ବର୍ଷର ଅଗଷ୍ଟ ମାସ ହୋଇସାରିଥିଲା।

ଆଇନ ଶାସ୍ତ୍ରୀମାନେ ଜାଣନ୍ତି ଯେ ଏହି ଆଇନ ଆସିଥିଲା ସାଇମନ୍‌ କମିସନ୍‌ଙ୍କ ରିପୋର୍ଟ (ମେ’ ୧୯୩୦) ଏବଂ ତିନିତିନିଟା ଗୋଲ ଟେବୁଲ ବୈଠକ (୧୯୩୦, ୧୯୩୧ ଓ ୧୯୩୨)ର ସୁପାରିସକୁ ଆଧାର କରି। ହେଲେ ସେ କଥା ଯେତିକି ସତ ତା’ଠାରୁ ଢେର୍‌ ଅଧିକ ସତ ଥିଲା ତତ୍‌କାଳୀନ ଭାରତରେ ଚାଲିଥିବା ସ୍ବାଧୀନତା ସଂଗ୍ରାମର ଅକଳ୍ପନୀୟ ଘନଘଟା ଓ ତାହାର ପ୍ରଭାବ। ୧୯୨୧ର ଅସହଯୋଗ ଆନ୍ଦୋଳନ ସାରା ଭାରତକୁ ଯେମିତି ଏକ କରି ଯୋଡ଼ିଥିଲା ସେମିିତି କେବେ ବି ହୋଇନଥିଲା ଆଗରୁ। ୧୯୨୪ ପରଠାରୁ ଚରଖା ଆନ୍ଦୋଳନ ମାଧ୍ୟମରେ ଆଉ ଏକ ଏକତ୍ବର ସୂତ୍ରପାତ କରିଥିଲେ ଗାନ୍ଧୀ ମହାତ୍ମା। ଅନେକେ ବଡ଼ ବଡ଼ କଥା କହନ୍ତି, ହେଲେ ତତ୍‌କାଳୀନ ଭାରତକୁ ରାଜନୈତିକ ତଥା ଅର୍ଥନୈତିକ ଭାବେ ଏକମନ କରାଇବାର ପ୍ରୟାସ ଏକା ଗାନ୍ଧୀଜୀଙ୍କ ଛଡ଼ା କିଏ କରିଥିଲା ଆଉ? ଭାରତ ଯେ ସ୍ବାୟତ୍ତଶାସନ ଚାହେଁ ତାହା ପ୍ରତିଫଳିତ ହୋଇଥିଲା ନେହରୁ କମିଟି ରିପୋର୍ଟ ମାଧ୍ୟମରେ ଯାହାର ମୁଖ୍ୟ ଥିଲେ ମୋତିଲାଲ ନେହରୁ। ଅନ୍ୟ ସଭ୍ୟମାନେ ଥିଲେ ସାର୍‌ ଅଲ୍ଲୀ ଇମାମ୍‌, ତେଜ୍‌ ବାହାଦୁର ସାପ୍ରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏମ୍‌.ଆର୍‌. ଜୟକାର ଏବଂ ମାଡାମ୍‌ ଆନି ବେସାନ୍ତ ଇତ୍ୟାଦି। ଜଵାହରଲାଲ ଥିଲେ କମିଟିର ସମ୍ପାଦକ। ନାଁକୁ ରିପୋର୍ଟ ମାତ୍ର ଏହା ଥିଲା ସ୍ବାୟତ୍ତ-ଶାସନ ଆଭିମୁଖ୍ୟ ନେଇ ଲିଖିତ ଏକ ସମ୍ବିଧାନ।

ସେତେବେଳେ ସର୍ବଦଳୀୟ ସମ୍ମତିକୁ ଭିତ୍ତିକରି ଏ ସଂବିଧାନଟି ଭାରତୀୟଙ୍କ ପାଇଁ ଭାରତୀୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା। ଭାରତର ପ୍ରଥମ ସଂବିଧାନ। ସ୍ବ‌ାୟତ୍ତଶାସନ, ୧୯ ଗୋଟି ମୌଳିକ ଅଧିକାର, ନାରୀ ପୁରୁଷରେ ସ୍ବାଧୀନତା ଓ ସମାନତା, ସୁପ୍ରିମ୍‌ କୋର୍ଟ, ଭାଷା ଭିତ୍ତିରେ ପ୍ରଦେଶ ଗଠନ, ଭାରତୀୟ ଭାଷା ସମୂହକୁ ଅଗ୍ରାଧିକାର, ସଂଘରାଷ୍ଟ୍ରର ପରିକଳ୍ପନା ସଙ୍ଗକୁ କୌଣସି ରାଷ୍ଟ୍ର-ସମର୍ଥିତ ଧର୍ମ ଏବଂ ସାମ୍ପ୍ରଦାୟିକତା ତଥା ସଂଖ୍ୟାଲଘୁ ଭିତ୍ତିରେ ନିର୍ବାଚନମଣ୍ଡଳୀ ଗଢ଼ି ଲୋକ-ବିଭାଜନର ଭାବକୁ ପ୍ରତିହତ କରିବାର ବ୍ୟବସ୍ଥା ରହିଥିଲା ସେଥିରେ। ବ୍ରିଟିସ୍‌ ସରକାରଙ୍କ ଦ୍ବାରା ନିଯୁକ୍ତ ବଡଲାର୍ଟ ରହିଥାନ୍ତେ ସାଂବିଧାନିକ ବା ନାମମାତ୍ର ମୁଖ୍ୟ ହୋଇ। ମାତ୍ର ସେ ସଂବିଧାନ ଗୃହୀତ ହେଲା ନାହିଁ। ମୁସ୍‌ଲିମ୍‌ ଲିଗ୍‌ ତରଫରୁ ହଠାତ୍‌ ଜିନ୍ନା ସାହେବ ଅଡ଼ି ବସିଥିଲେ ଚତୁର୍ଦ୍ଦଶ-ସୂତ୍ରୀ ପ୍ରସ୍ତାବ ଧରି। ତା’ଙ୍କର ପ୍ରସ୍ତାବରେ ହିନ୍ଦୁ-ମୁସଲମାନର ଏକତାକୁ ଜଳାଞ୍ଜଳି ଦିଆଯାଇଥିଲା।

ଆଉ ବାଟ ନ ଥିଲା। ତେଣେ ବ୍ରିଟିସ୍‌ ସରକାର ସାଇମନ୍‌ କମିସନ ବସାଇ ଆଉ ଏକ ରିପୋର୍ଟ ପ୍ରସ୍ତୁତିରେ ଲାଗିଥିଲେ। ଯାହାକି ୧୯୩୦, ମେ ମାସରେ ସମ୍ପୂର୍ଣ୍ଣ ହୋଇଥିଲା। ଭାରତୀୟ ନେହରୁ ରିପୋର୍ଟ ସରିଥିଲା ଅଗଷ୍ଟ, ୧୯୨୮ରୁ। ଜଳଜଳ ହୋଇ ଦେଖାଯାଉଥିଲା ଯେ ବ୍ରିଟିସ୍‌ ହୁକୁମତ୍‌ ଡୋମିନିଅନ୍‌ ଷ୍ଟାଟସ୍‌ ବା ସ୍ବାୟତ୍ତଶାସନ ଅନୁମତି ଦେବାକୁ ମୋଟେ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ଲାହୋରଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଜାତୀୟ କଂଗ୍ରେସର ସଭାପତି ପଣ୍ଡିତ ଜୱାହରଲାଲ୍‌ ନେହରୁ ପୂର୍ଣ୍ଣ ସ୍ବରାଜର ଦାବି ୧୯୩୦, ଜାନୁଆରି ୨୬ରୁ ଘୋଷଣା କରିଦେଇଥିଲେ। ସେଇଦିନୁ ଜାନୁଆରି ୨୬ରେ ମୋହର ବସିଯାଇଥିଲା ଗଣତନ୍ତ୍ରର। ପରେ ଯେଉଁ ୧୯୫୦ର ଜାନୁଆରି ୨୬ ତାହା ସେ ପୁରୁଣା କଥାର ପ୍ରତ୍ୟାବର୍ତ୍ତନ ମାତ୍ର ଥିଲା। ବ୍ରିଟିସ ସରକାର ଡାଳେ ଡାଳେ ଯାଉଥିବା ବେଳେ ଭାରତର ସ୍ବାଧୀନତା ସଂଗ୍ରାମୀମାନେ ପତରେ ପତରେ ଯିବେ କ’ଣ ଶିରାରେ ଶିରାରେ ଯିବା ଆରମ୍ଭ କରିଥିଲେ। ଗାନ୍ଧୀ ନେଇଥିଲେ ଦାୟିତ୍ବ। ଅତଏବ ୧୨ ମାର୍ଚ୍ଚ ୧୯୩୦ରେ ସେ ଆରମ୍ଭ କରିଦେଲେ ଅହିଂସ ଆଇନ ଅମାନ୍ୟ ଆନ୍ଦୋଳନ। ଲବଣ ଆନ୍ଦୋଳନ ଭାବରେ ବିଦିତ ଏ ଅଭୂତପୂର୍ବ ଆନ୍ଦୋଳନ ଦାଣ୍ଡିଯାତ୍ରାର ନାମ ନେଇଥିଲା। ସାବରମତୀରୁ ୭୮ ଜଣ ସହଯୋଗୀଙ୍କୁ ଧରି ଗାନ୍ଧୀଜୀ ୩୮୫ କିଲୋମିଟର ଦୂର ଦାଣ୍ଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ, ସେଦିନର ଠିକ୍‌ ସକାଳ ୮.୩୦ରେ। ‘‘ବୈଷ୍ଣବ ଜନତୋ...’’ ପ୍ରାର୍ଥନା ଥିଲା ମନ୍ତ୍ରଧ୍ବନି ଭଳି ପ୍ରଚୋଦନକାରୀ ଉଚ୍ଚାରଣ। ଦୀର୍ଘ ୨୪ ଦିନ ଧରି ଏ ଯାତ୍ରା ଚାଲିଲା। ବାଟସାରା ହଜାର ହଜାର ଲୋକ ସାମିଲ ହେଲେ। ଧଳା ଖଦଡ଼ବସ୍ତ୍ର ପରିଧାନକାରୀ ଲୋକଙ୍କର ଧାଡ଼ି ଆକାଶରୁ ଦିଶୁଥିଲା କ୍ଷୀରଧାରର ନଈଟିଏ ପରି। ଯାତ୍ରା ‌େଶଷ ହେଲା ୬, ଏପ୍ରିଲ ୧୯୩୦ରେ। ସମୁଦ୍ର କୂଳରେ ଲୁଣମିଶା ମୁଠାଏ ବାଲି ତୋଳିଧରି ଲୁଣମରାର ପ୍ରତୀକ ଭାବେ ଗାନ୍ଧୀ ଲୁଣ ଆଇନର ଅମାନ୍ୟ କଲେ। ସେଦିନର ମୁଠାଏ ବାଲି ସତରେ ହଲେଇ ଦେଲା ବ୍ରିଟିସ୍‌ ସାମ୍ରାଜ୍ୟକୁ। ସାରା ଭାରତ ଉଠିଲା ପଡ଼ିଲା। ନିଖିଳ ବିଶ୍ବରେ ଖେଳିଗଲା ଭାରତୀୟ ସ୍ବାଧୀନତା ସଂଗ୍ରାମର ଏ ଅକଳ୍ପନୀୟ ପଦକ୍ଷେପ। ଅସ୍ତ୍ରଶସ୍ତ୍ର ନାହିଁ ଅଥଚ ବିଦେଶୀ ଉତ୍ପୀଡ଼କ ସରକାର ଛାତିରେ ଛନକା ପଶିଗଲା। ମନେ ରଖିବା ଦରକାର ଯେ ଏତିକିବେଳେ ସାଇମନ କମିସନ ବସି ବସି ତିଆରି କରୁଥିଲେ ଭାରତର ଭବିଷ୍ୟତ ସକାଶେ କର୍ମପନ୍ଥା, ଲେଖୁଥିଲେ ରିପୋର୍ଟ। ନିଆଁ ଧାସର ଅନୁଭବ ସେମାନେ ପାଇଥିବେ ନିଶ୍ଚୟ।

କଥା ସେତିକିରେ ସରି ନ ଥିଲା। ଦାଣ୍ଡିଠାରୁ ୪୦ କିଲୋମିଟର ଦୂର ଧରାସନରେ କଂଗ୍ରେସ ପ୍ରସ୍ତୁତ କରୁଥିଲା ଆଉ ଏକ ଲୁଣମରା ଅମାନ୍ୟ ଆନ୍ଦୋଳନ। ଗାନ୍ଧୀଜୀ ସେଠାକୁ ଯିବାର ଥିଲା। ଡରି ଯାଇଥିଲେ ବ୍ରିଟିସ୍‌ ସରକାର। ଅତଏବ ମେ’ ମାସ ୪ ତାରିଖରେ ତା’ଙ୍କୁ ବନ୍ଦୀ କରି ନିଆଗଲା। ହେଲେ ଗଣ ଯେଉଁଠି ନେତୃତ୍ବ ନେଲାଣି ସେଠି କିଏ ଆଉ ଅପେକ୍ଷାରେ ରହୁଛି? ନ୍ୟା‌ୟମୂର୍ତ୍ତି ଆବ୍‌ବାସ ତ୍ୟାବ୍‌ଜୀଙ୍କୁ ସେତେବେଳେ ୭୬ ବର୍ଷ ବୟସ। କସ୍ତୁରବା ଗାନ୍ଧୀଙ୍କ ସହ ମିଶି ସେ ନେତୃତ୍ବ ନେବାକୁ ଆଗେଇ ଗଲେ। ସେମାନଙ୍କୁ ଗିରଫ କରାଗଲା। ପୁଣି ଦାୟିତ୍ବ ନେଲେ ସ‌େରାଜିନୀ ନାଇଡୁ ଓ ମୌଲାନା ଅବଦୁଲ୍‌ କଲାମ୍‌ ଆଜାଦ୍‌। ବ୍ରିଟିସ୍‌ ସରକାରଙ୍କ ବର୍ବରତା ସୀମା ଟପିଲା। ଅହିଂସ ଲବଣ ସତ୍ୟାଗ୍ରହୀଙ୍କର ଲୁହାଗୋବ ଥିବା ‌ପୁଲିସ୍‌ ଲାଠିରେ ମୁଣ୍ଡ ଫାଟିଲା। ରକ୍ତର ସୁଅ ଛୁଟିଲା। ଶହ ଶହ ଲହୁ ଲୁହାଣ ହେଲେ। ତଥାପି ଆନ୍ଦୋଳନକାରୀଙ୍କ ମୁହଁରେ ହିଂସାର ଶବ୍ଦ ନାହିଁ। ଟଳି ପଡୁଥାନ୍ତି ସଂଗ୍ରାମୀମାନେ କଟା ଚନ୍ଦନଗଛର କାଠଗଡ଼ ପରି। ହିଂସାର ମାଡ଼ ଆପେ ସୃଷ୍ଟି କରୁଥିଲା ଅହିଂସାର ଚନ୍ଦନ ବାସ୍ନା। ଏତେ ନିରୀହ ତଥା ଶାନ୍ତିକାମୀ ସତ୍ୟାଗ୍ରହୀଙ୍କ ଉପରେ ଏ ଯେଉଁ ଅମାନୁଷିକ ବର୍ବରତା ତାହା ଦେଖି ବିଦେଶୀ ସାମ୍ବାଦିକମାନେ ତଟସ୍ଥ ହୋଇଯାଇଥିଲେ। ସେମାନଙ୍କ ଭିତରେ ଥିଲେ ମାର୍କିନ୍‌ ସାମ୍ବାଦିକ ୱେବ୍‌ ମିଲର୍‌। ସେ ଏ ଲୋମହର୍ଷଣକାରୀ ନୃଶଂସତାର ରିପୋର୍ଟ ପ୍ରସ୍ତୁତ କଲେ। ସାରା ପୃଥିବୀକୁ ତାର ଜରିଆରେ ଚାଲିଗଲା ବାର୍ତ୍ତା। ବ୍ରିଟେନ୍‌ରେ ସରକାର ପ୍ରଥମେ ଏହାକୁ ପ୍ରକାଶ କଲେ ନାହିଁ। ମାତ୍ର ସାରା ବିଶ୍ବରୁ ଚାପ ପଡ଼ିଲା। ଆମେରିକାର କଂଗ୍ରେସ ସଭାରେ ସିନେଟ୍‌ର ଜନ୍ ବ୍ଲେନ୍‌ ଏ ରିପୋର୍ଟଟି ପଢ଼ି ଶୁଣାଇଲେ ସମସ୍ତଙ୍କୁ। ବ୍ରିଟିସ୍‌ ଖବରକାଗଜମାନେ ଘଟଣାକୁ ବାଧ୍ୟ ହୋଇ ଛାପିଲେ। ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ସେତେବେଳକା ପୃଥିବୀରେ ସାରା ବିଶ୍ବର ୧୩୫୦ ଗୋଟି ଖବରକାଗଜରେ ଏ ଦାରୁଣ ଘଟଣାର ବିବରଣୀ ପ୍ରକାଶିତ ହୋଇଥିଲା।

ବ୍ରିଟିସ୍‌ ସରକାର କେଉଁ ଚାପର ସମ୍ମୁଖୀନ ହୋଇଥିଲେ ସେକଥା ବୁଝାଇ କହିବା ଅନାବଶ୍ୟକ। ସେତେବେଳେ ବ୍ରିଟେନ୍‌ରେ ଛୋଟବଡ଼ ହୋଇ ସ‌ା‌ତ ସାତଟା ରାଜନୈତିକ ଦଳ। ସମାଜବାଦୀ ଓ ଶ୍ରମିକ ଦଳର ନେତାମାନେ ସ୍ବର ଉଠାଇଲେ। ଅତଏବ ଭାରତରୁ ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ଡାକି ଆଲୋଚନା ମାଧ୍ୟମରେ ସେଫ୍‌ଟି-ଭାଲଭ୍‌ ବା ପ୍ରଶମନ-ପଥ ତିଆରି କରିବାକୁ ମସୁଧା କରାଗଲା। ସାଧାରଣରେ ଜାଣିବାକୁ ଦୟାବନ୍ତ ବ୍ରିଟିସ୍‌ ସରକାର ଭାରତର ସମସ୍ୟା ସମାଧାନ ପାଇଁ ତିନି ତିନିଟା ଗୋଲ୍ ଟେବୁଲ୍‌ ବୈଠକ ବସାଇଥିଲେ। ପ୍ରଥମଟି ୧୯୩୦ ନଭେମ୍ବରରେ, ଦ୍ବିତୀୟଟି ୧୯୩୧ ସେପ୍‌ଟେମ୍ବରରେ ଏବଂ ତୃତୀୟଟି ୧୯୩୨ ନଭେମ୍ବରରେ। ସମୟର ଅବଧି ତିନି ତିନି ମାସ ଓ ତୃତୀୟ ଥର ବେଳକୁ ଦୁଇମାସ ଥିଲା। ଏକଥା କରିବା ପାଇଁ ବାଧ୍ୟ ହୋଇଥିଲେ ବ‌ିଦେଶୀ ସରକାର। ଭାରତୀୟଙ୍କର ଏକତାକୁ ଚୂରମାର କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। ପ୍ରଥମ ଗୋଲ୍‌ ଟେବୁଲ୍‌ ବୈଠକ ବେଳକୁ ସବୁ ପ୍ରମୁଖ କଂଗ୍ରେସ ନେତା ଥିଲେ କାରାଗରରେ। ତେଣୁ ବ୍ରିଟିସ୍‌ ସରକାରଙ୍କ କିଛି କର୍ମଚାରୀ, ମୁସ୍‌ଲିମ୍‌ ଲିଗ୍‌, ଗଡ଼ଜାତ ରାଜାଙ୍କ ପ୍ରତିନିଧି, ବ୍ରିଟିସ୍‌-ଭାରତୀୟ, କିଛି ଅନୁଗତ ହିନ୍ଦୁ, ଉଦାରପନ୍ଥୀ, ଦଳିତ, ଜଷ୍ଟିସ୍‌ ଦଳ, ଶିଖ୍‌, ପାର୍ଶି, ଭାରତୀୟ ଖ୍ରୀଷ୍ଟିଆନ୍‌, ଇଉରୋପୀୟ, ବ୍ରିଟିସ୍‌ ବଂଶଜ ଭାରତୀୟ, ନାରୀନେତ୍ରୀ, ଜମିଦାର ଗୋଷ୍ଠୀର ପ୍ରତିନିଧି, ଶ୍ରମିକ ଦଳର ନେତା, ବିଶ୍ବବିଦ୍ୟାଳୟ ପ୍ରତିନିଧି, ବର୍ମା, ସିନ୍ଦ୍‌ ଓ ଅନ୍ୟ କେତେକ ପ୍ରଦେଶରୁ ପାଖାପାଖି ୭୪ ଜଣ ମନୋନୀତ ପ୍ରତିନିଧିଙ୍କୁ ଧରି ଚାଲିଥିଲା ଆଲୋଚନା। ମୂଳ ଉଦ୍ଦେଶ୍ୟ ଫାଟ ସୃଷ୍ଟି କରିବା। ଗାନ୍ଧୀ-ବିଚାର ଉପରେ ମାଡ଼ ବସାଇବା। ଭାରତ ଭିତରେ ଆଭ୍ୟନ୍ତରୀଣ ବିବାଦର ଉସ୍କାଣ ଅାଣିବା। ଉପରକୁ କ’ଣ ନା ଆମେ ଭାରତକୁ ସାଂବିଧାନିକ ସ୍ବାୟତ୍ତ-ଶାସନ ଦେବୁ।

ପ୍ରଥମ ଗୋଲ୍‌ ଟେବୁଲ୍‌ ବୈଠକ ନିଷ୍ଫଳ ହୋଇଥିଲା। ତେଣେ ଭାରତରେ ୫ ମାର୍ଚ୍ଚ ୧୯୩୧ରେ ବଡଲାଟ୍‌ ଇର୍‌ୱିନ୍‌ ଓ ଗାନ୍ଧୀଜୀଙ୍କ ଭିତରେ ଚୁକ୍ତି ସ୍ବାକ୍ଷରିତ ହେଲା। ଏହା ଥିଲା ଏକ ରାଜନୈତିକ ଚୁକ୍ତି। ଭାରତରେ ଚାଲିଥିବା ଆଇନ ଅମାନ୍ୟ ଆନ୍ଦୋଳନକୁ ବନ୍ଦ କରେଇବାର ଗଳିବାଟ। ହେଲେ ଗାନ୍ଧୀ କ’ଣ ଥିଲେ ଭାରତର? ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି? କଂଗ୍ରେସର ସଭାପତି ନା କେଉଁ ବିଶାଳ ‌ପ୍ରଦେଶର ଶାସକ? ବ୍ରିଟିସ୍‌ ଶାସନ କାହିଁକି ଧାଇଁଗଲା ଗାନ୍ଧୀଜୀଙ୍କ ପାଖକୁ? ଅାଜି ଯିଏ ପ୍ରଶ୍ନ କରୁଛନ୍ତି ଗାନ୍ଧୀ କାହିଁକି ଜାତିର ପିତା ହେଲେ ସେମାନେ ଏଇଥିରୁ ଉତ୍ତର ପାଇଯିବା ଉଚିତ। ଦ୍ବିତୀୟ ଗୋଲ୍‌ ଟେବୁଲ୍‌ ବୈଠକ ପୂର୍ବରୁ ବ୍ରିଟିସ୍‌ ସରକାର ଗାନ୍ଧୀ-ତୋଷଣର ବାଟ ବାହାର କରିଥିଲେ। ସେ ବୈଠକରେ ଗାନ୍ଧୀ ଥିଲେ କଂଗ୍ରେସର ଏକମାତ୍ର ପ୍ରତିନିଧି। ସେ ସିଧା କହିଥିଲେ, ‘‘ସାରା ଭାରତର ପ୍ରତିନିଧି କଂଗ୍ରେସ। ଆଉ ଏ ଯେଉଁ ସଂଖ୍ୟାଲଘୁର କଥା ଉଠାଇ ବିଭାଜନ ଆରମ୍ଭ କରିଛ ତାହା ବନ୍ଦ କର।’’

ଅସୁରର ମାଂସ ଲୋଭ। ବ୍ରିଟିସ୍‌ ଚାହେଁ ଫାଟ ତିଆରି କରି ଶାସନ କରିବ। ଅତଏବ ଦ୍ବିତୀୟ ଗୋଲ୍‌ ଟେବୁଲ୍‌ ବୈଠକ ସହ ତୃତୀୟ ବୈଠକ ମଧ୍ୟ ଆଭିମୁଖ୍ୟ ଦିଗରୁ ଫେଲ୍‌ ମାରିଲା। ୧୯୩୨ର ଗୋଲ୍‌ ଟେବୁଲ୍‌ ବୈଠକ ବେଳକୁ ଥିଲେ ମାତ୍ର ୪୬ ଜଣ ପ୍ରତିନିଧି। ଗାନ୍ଧୀଗୋଳର ଆଘାତରେ ଏଇଭଳି ଭୁଶୁଡ଼ି ପଡୁଥିବା ବ୍ରିଟିସ୍‌ ସାମ୍ରାଜ୍ୟ ବହୁ ବିଚାର କରି ଶେଷରେ ଆଣିଥିଲେ- ଭାରତ ଶାସନ ଆଇନ-୧୯୩୫, ଯାହା ପ୍ରଥମ କରି ଭାରତୀୟ ସ୍ବାଧୀନତା ସଂଗ୍ରାମକୁ କିଛି କିଛି ସମ୍ମାନ ପ୍ରଦର୍ଶନ କରିଥିଲା। ଭାରତ ଆଗକୁ ଆଗକୁ ଆଗେଇ ଚାଲିଥିଲା ସ୍ବାଧୀନତା ସଂଗ୍ରାମର ଗୋଟିଏ ଗୋଟିଏ ପାହାଚ ଚଢ଼ି।
[email protected]