ଯୁଗାବସାନ

ସୁତରା˚, ଆଶା କରିବା ଯେ ପରିତ୍ୟକ୍ତ ହୋଇଥିଲେ ସୁଦ୍ଧା ତାହା ଆମ ସ୍ମୃତିରୁ ଅପସାରିତ ହେବାର ସୁଯୋଗ ପାଇବ ନାହିଁ। ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇ କହିଥିବା ଭଳି ‘ସ୍ମୃତିର ଏହି ସ୍ମାରକୀ’ ଏକ ପେପର୍‌ େଵଟ୍‌ ଭଳି ଆମ ରାଷ୍ଟ୍ରର ଇତିହାସ ପୃଷ୍ଠାକୁ ଚାପି ଧରି ତାକୁ ଉଡ଼ି ଯିବାକୁ ଦେବ ନାହିଁ। ଯଦିଓ ଗତ କାଲି ନୂତନ ସ˚ସଦ ଗୃହ ଉଦ୍‌ଘାଟିତ ହୋଇ ପୁରୁଣା ସ˚ସଦ ଗୃହର ସ୍ଥାନ ନେବା ସହିତ ଗୋଟିଏ ଯୁଗର ଅବସାନ ଘଟାଇଛି, ତେବେ ଏହା ମଧୢ ସତ ଯେ ଅତ୍ୟନ୍ତ ଚମକପ୍ରଦ ଇତିହାସ ଦ୍ବାରା ରୂପ ପାଇଥିବା ସେହି ଯୁଗ କିନ୍ତୁ ତା’ର ଔଜ୍ଜ୍ବଲ୍ୟ ହରାଇବ ନାହିଁ।

ଗତ କାଲି ଭାରତର ଭବ୍ୟ ନୂତନ ସ˚ସଦ ଗୃହର ଉଦ୍‌ଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସେହି ପରିପ୍ରେକ୍ଷୀରେ ଅନେକ ସନ୍ଦେହୀ ପ୍ରଶ୍ନ କରିଥାଆନ୍ତି ଯେ ବର୍ତ୍ତମାନ ଯେଉଁ ଭଳି ଇତିହାସର ଅନେକ ପୃଷ୍ଠାକୁ ଚିରି ବିସ୍ମୃତି ମଧୢକୁ ନିକ୍ଷେପ କରିଦେବାର ଏକ ବିଧିବଦ୍ଧ ଉଦ୍ୟମ ଚାଲିଛି, ସେତିକି ବେଳେ ଏ ଯାବତ୍‌ ଭାରତୀୟ ଗଣତନ୍ତ୍ରର ମନ୍ଦିର ରୂପେ ବିବେଚିତ ହୋଇ ଆସିଥିବା ପୁରୁଣା ସ˚ସଦ ଭବନଟି ଏଣିକି ଏକ ପରିତ୍ୟକ୍ତ ଦେବାଳୟ ତୁଲ୍ୟ ଭବିଷ୍ୟତ୍‌ ପିଢ଼ିଗୁଡ଼ିକ ସକାଶେ ଅବଲୀଳା କ୍ରମେ ବିସ୍ମୃତ ଓ ସେହି ଅନୁସାରେ ମହତ୍ତ୍ବହୀନ ହୋଇଯିବ ନାହିଁ ତ? ସୁତରା˚, ପୁରୁଣା ସ˚ସଦ ଭବନ ଠାରୁ ଅଶ୍ରୁ ସଜଳ ଚକ୍ଷୁରେ ବିଦାୟ ନେଲା ବେଳକୁ ଏ ରାଷ୍ଟ୍ର କାହିଁକି ତାହାକୁ ସର୍ବଦା ସକୃତଜ୍ଞ ସ୍ମରଣରେ ରଖିବ, ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରୟୋଜନ ଭଳି ମନେ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆଜି ଠାରୁ ବିଜନ ହେବାକୁ ଯାଉଥିବା ପୁରୁଣା ସ˚ସଦ ଭବନଟି ଏହି ରାଷ୍ଟ୍ରର ବିବର୍ତ୍ତନରେ ଯେଉଁ ମୋଡ଼ ପରିବର୍ତ୍ତନକାରୀ ଘଟଣା ପ୍ରବାହଗୁଡ଼ିକର ସାକ୍ଷୀ ହୋଇଛି; ସେ ସବୁ ହିଁ ତାକୁ ସାମୂହିକ ସ୍ମୃତି ପଟଳରେ ଅମ୍ଳାନ କରି ରଖିିବ। ଉଲ୍ଲେଖଯୋଗ୍ୟ ଯେ ୧୯୧୧ ମସିହାରେ ଲର୍ଡ ହାର୍ଡିଙ୍ଗଙ୍କ ଶାସନ କାଳରେ ଭାରତର ରାଜଧାନୀ ରୂପେ ଦିଲ୍ଲୀ ମନୋନୀତ ହେବା ସହିତ ‘ରାଇସିନା ହିଲ୍‌ସ’ ଅଞ୍ଚଳ ରାଜନୈତିକ ଏବ˚ ପ୍ରାଶାସନିକ କ୍ଷମତାର ଉତ୍ସ ରୂପେ ଆବିର୍ଭୂତ ହୋଇଥିଲା, ଯାହା ଏ ପର୍ଯ୍ୟନ୍ତ ବଜାୟ ରହିଛି। ସେହି ସମୟରେ ‘ଭାଇସ୍‌ରଏସ୍‌ ହାଉସ୍‌’ (ଆଜିର ରାଷ୍ଟ୍ରପତି ଭବନ) ହିଁ ଥିଲା ଗୁରୁତ୍ବପୂର୍ଣ୍ଣ ପ୍ରାଶାସନିକ ବୈଠକମାନ ଅନୁଷ୍ଠିତ ହେବାର ସ୍ଥାନ। ତେବେ, ମଣ୍ଟେଗୁ-ଚେମ୍‌ସଫୋର୍ଡ ଶାସନ ସ˚ସ୍କାର ହେତୁ ଦେଶୀୟ ପ୍ରତିନିଧିମାନଙ୍କ ସ˚ଖ୍ୟା ବୃଦ୍ଧି ଏଭଳି ବୈଠକ ସକାଶେ ଏକ ନୂତନ ଗୃହ ଲୋଡ଼ିଥିଲା, ଯେଉଁ କାରଣରୁ ସ˚ସଦ ଭବନଟି ଜନ୍ମ ନେଇଥିଲା। ଛଅ ଏକର ପରିମିତ ଅଞ୍ଚଳ ଉପରେ ସ୍ଥାପିତ ଏହି ସୁରମ୍ୟ ଭବନର ନକ୍‌ସା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ସ୍ଥପତି ଇରଵିନ ଲ୍ୟୁଟେନ୍‌ ଏବ˚ ତାଙ୍କ ଦ୍ବାରା ପରିକଳ୍ପିତ ଗୋଲାକୃତିର ଏହି ଭବନକୁ ପୃଥିବୀର ସର୍ବାଧିକ ସୁନ୍ଦର ସ˚ସଦ ଭବନଗୁଡ଼ିକ ମଧୢରେ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଅନେକ ସ୍ଥାପତ୍ୟ ବିଶେଷଜ୍ଞ କହିଥାଆନ୍ତି ଯେ ଭାରତର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାଚୀନ ‘ଚଉଷଠି ଯୋଗିନୀ’ଙ୍କ ବୃତ୍ତାକାର ମନ୍ଦିରମାନ ବା ସାରନାଥ ଠାରେ ଅବସ୍ଥିତ ପ୍ରସିଦ୍ଧ ସାଞ୍ଚି ବୌଦ୍ଧ ସ୍ତୂପ ଲ୍ୟୁଟେନ୍‌ଙ୍କୁ ପ୍ରଭାବିତ କରିଥିବା ଖୁବ୍‌ ସମ୍ଭବ। ଏହି ନକ୍‌ସା ଅନୁସାରେ ଏକ ଗୋଲାକାର ‘ସେଣ୍ଟ୍ରାଲ ହଲ୍‌’କୁ ପରିବେଷ୍ଟିତ କରି ରହିଛି ତିନିଟି କକ୍ଷ ଯହିଁରେ ଲୋକସଭା, ରାଜ୍ୟସଭା ଏବ˚ ସ˚ସଦ ଲାଇବ୍ରେରି ସ୍ଥାନ ପାଇଥିଲା। ପ୍ରାୟ ଛୟାଅଶୀ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବିଶାଳ ଭବନଟିର ନିର୍ମାଣ ସମାପ୍ତ ହେବାକୁ ଲାଗିଥିଲା ଛଅ ବର୍ଷ ଏବ˚ ୧୯୨୭ ମସିହାରେ ଲର୍ଡ ଇରଵିନ ଏହାର ଉଦ୍‌ଘାଟନ କରିଥିଲେ। ଶହେ ଚଉରାଳିଶଟି ଅତିକାୟ ଇଷତ୍‌ ଗୋଲାପୀ ସ୍ତମ୍ଭର ଧାଡ଼ି ଉପରେ ଗମ୍ବୁଜାକାର ଛାତ ସହିତ ଏହି ଭବନଟି ଯେ ଉପନିବେଶ କାଳୀନ ସର୍ବୋତ୍ତମ ସ୍ଥାପତ୍ୟ କୃତି ମଧୢରୁ ଗୋଟିଏ, ତହିଁରେ ସନ୍ଦେହ ନାହିଁ।
ଅବଶ୍ୟ, ଏକ ବାସ୍ତବତା ହେଲା, ଭାରତ ଭଳି ଏକ ଦ୍ରୁତ ବିକାଶଶୀଳ ରାଷ୍ଟ୍ର ସକାଶେ ଏକ ବୃହତ୍ତର ସ˚ସଦ ଗୃହର ଆବଶ୍ୟକତା ଅନୁଭୂତ ହେଉଥିଲା, ଯେଉଁ ଦୃଷ୍ଟିରୁ ନୂତନ ସ˚ସଦ ଭବନରେ ପୁରୁଣା ତୁଳନାରେ ୧୫୦ ପ୍ରତିଶତ ଅଧିକ ଆସନର ବ୍ୟବସ୍ଥା କରାଯାଇଛି। ପ୍ରାୟ ୬୪,୫୦୦ ବର୍ଗ ମିଟର ଆୟତନ ବିଶିଷ୍ଟ ଏହି ଅତ୍ୟନ୍ତ ବିଶାଳ ନୂତନ ସ˚ସଦ ଭବନର ଲୋକସଭାରେ ୮୮୮ଟି ଆସନ, ରାଜ୍ୟ ସଭାରେ ୩୮୪ଟି ଆସନ ଏବ˚ ମିଳିତ ଅଧିବେଶନ ସକାଶେ ଉଦ୍ଦିଷ୍ଟ କକ୍ଷରେ ୧,୨୭୨ଟି ଆସନର ବ୍ୟବସ୍ଥା କରାଯାଇଛି, ଯହିଁରେ ପ୍ରତ୍ୟେକ ସଦସ୍ୟଙ୍କ ଡେସ୍କ ଅତ୍ୟାଧୁନିକ ଡିଜିଟାଲ୍‌ ପ୍ରଯୁକ୍ତି ଦ୍ବାରା ସ˚ଯୁକ୍ତ ଏବ˚ ସ˚ଯୋଜିତ। କୁହାଯାଉଛି ଯେ ଆଗାମୀ ଶହେ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ ଭବିଷ୍ୟତ୍‌କୁ ବିଚାରକୁ ନେଇ ଏକ ରାଷ୍ଟ୍ରର ଆଶା ଏବ˚ ସ୍ବପ୍ନ ଚରିତାର୍ଥ କରି ପାରୁଥିବା ଭଳି ବ୍ୟବସ୍ଥା ଏହି ନୂତନ ସ˚ସଦ ଭବନରେ ରହିଛି। ସେହି ଦୃଷ୍ଟିରୁ ନୂତନ ସ˚ସଦ ଭବନଟି ‘ଆତ୍ମନିର୍ଭର’ ଭାରତର ଏକ ଦ୍ୟେତକ ରୂପେ ଦଣ୍ତାୟମାନ ହୋଇଛି।
ତେବେ, ଆଜିକୁ ପଚସ୍ତରି ବର୍ଷ ପୂର୍ବେ ଭାରତବର୍ଷ ନାମକ ଏକ ରାଷ୍ଟ୍ରର ଜନ୍ମ ଲଗ୍ନ ସହିତ ତାହାର କ୍ରମ ବିକାଶର ଯାତ୍ରାରେ ଅସ˚ଖ୍ୟ ଅତୁଲ୍ୟ କ୍ଷଣର ନିରବ ସାକ୍ଷ୍ୟ ବହନ କରିଛି ପୁରୁଣା ସ˚ସଦ ଭବନ। ୧୯୪୭ ମସିହା ଅଗଷ୍ଟ ୧୪ର ମଧୢରାତ୍ରିରେ ଏହାର ‘ସେଣ୍ଟ୍ରାଲ ହଲ୍‌ରେ’ ବ୍ରିଟେନ୍‌ ଠାରୁ ଭାରତକୁ କ୍ଷମତା ହସ୍ତାନ୍ତରଣ ହୋଇଥିଲା; ପରେ ସେହି କକ୍ଷ ପାଲଟିଥିଲା ‘କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ଲି’ ଦ୍ବାରା ଭାରତର ସ˚ବିଧାନ ପ୍ରସ୍ତୁତିକାଳୀନ ତର୍କ-ବିତର୍କ ଏବ˚ ଆଲୋଚନାର ଗୃହ; ୧୯୩୭ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଏହି ଭବନରେ ଭାରତର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟ କାର୍ଯ୍ୟ କରୁଥିଲା; ଏହି ଗୃହ ଅନେକ ସରକାରର ଉତ୍‌ଥାନ-ପତନ ଏବ˚ ଅପସାରଣ ଦେଖିଛି; ସ୍ବାଧୀନତା ଲାଭ କରିବା ପରେ ଅଗଷ୍ଟ ୧୪ ତାରିଖ ନିଶାର୍ଦ୍ଧରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵାହରଲାଲ ନେହରୁଙ୍କ ଦ୍ବାରା ପ୍ରଦତ୍ତ କି˚ବଦନ୍ତୀୟ ଭାଷଣ ‘ଦ ଟ୍ରାଇଷ୍ଟ ଵିଥ୍‌ ଡେଷ୍ଟିନି’ ଦ୍ବାରା ଏହି ଗୃହ ପ୍ରତିଧ୍ବନିତ ହୋଇଛି; ଭାରତର ନୂତନ ସ˚ବିଧାନ ଉପସ୍ଥାପନ କାଳରେ ବି. ଆର୍‌. ଆମ୍ବେଦକରଙ୍କ ଦ୍ବାରା ପ୍ରଦତ୍ତ ଅବିସ୍ମରଣୀୟ ଅଭିଭାଷଣ ହେଉ ଅଥବା ରାମ ମନୋହର ଲୋହିଆଙ୍କ ତୀକ୍ଷ୍‌ଣ ନେହରୁ ବିରୋଧୀ କଟାକ୍ଷ ହେଉ କିମ୍ବା ପିଲୁ ମୋଦୀଙ୍କ ମୁଖ ନିସୃତ ତୀକ୍ଷ୍‌ଣ ପ୍ରତ୍ୟୁତ୍ପନ୍ନମତିତା ଭରା ବକ୍ତବ୍ୟମାନ ହୁଅନ୍ତୁ ଅଥବା ୧୯୯୬ ମସିହାରେ ଅନାସ୍ଥା ପ୍ରସ୍ତାବ ପରିପ୍ରେକ୍ଷୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ପ୍ରଦତ୍ତ ଦୀର୍ଘ ଭାଷଣ ହେଉ; ଅସ˚ଖ୍ୟ ଯୁଗାନ୍ତକାରୀ ଭାଷଣ ଓ ତର୍କ-ବିତର୍କ ଦ୍ବାରା ଏହି ଭବନ ପ୍ରକ˚ପିତ ହୋଇଛି। ଏକ ଉଦାହରଣ ଭାବେ ୧୯୬୨ ମସିହାରେ ଚୀନ ଦ୍ବାରା ଲଦାଖର କିଛି ଅଞ୍ଚଳ ଅଧିକୃତ ହେବା ପରେ ଏକ ଅସ୍ବସ୍ତିକର ଆତ୍ମରକ୍ଷା ମୁଦ୍ରାରେ ଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ନେହରୁଙ୍କ ସଫେଇ ବିଷୟ ସ୍ମରଣ କରାଯାଇପାରେ। ଏହି ସ˚ଦର୍ଭରେ ନେହରୁ କହି ପକାଇଥିଲେ ଯେ ସେହି ଅଞ୍ଚଳରେ ଦୁବଟିଏ ସୁଦ୍ଧା କଅଁଳୁ ନ ଥିବାରୁ ତାହା ହରାଇବାରେ ବିଶେଷ କୌଣସି ସମସ୍ୟା ନାହିଁ; ଯାହାର ପ୍ରତିକ୍ରିୟାରେ ସେହି କ˚ଗ୍ରେସ ଦଳର ସଦସ୍ୟ ମହାବୀର ପ୍ରସାଦ ତ୍ୟାଗୀ ନିଜ ଚନ୍ଦା ମୁଣ୍ତଟିକୁ ଦେଖାଇ ଅତ୍ୟନ୍ତ କ୍ଷୋଭର ସହିତ ପ୍ରଶ୍ନ କରିଥିଲେ ଯେ ଏଠାରେ ଗୋଟିଏ ହେଲେ ଚୂଳ ନାହିଁ ବୋଲି ଏହାକୁ ମୁଁ ତ୍ୟାଗ କରି ଦେଇ ପାରିବି କି? କହିବା ବାହୁଲ୍ୟ ଯେ ଏହି ପ୍ରଶ୍ନ-ଉତ୍ତର ସମ୍ବଳିତ ଘଟଣାଟି ଏକ ଉପାଖ୍ୟାନ ଭଳି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଲୋଚନା କାଳରେ ଏକ ଦୃଷ୍ଟାନ୍ତ ରୂପେ ଏ ଯାବତ୍‌ ପରିବେଷିତ ହୋଇ ଚାଲିଛି। କେବଳ ସେତିକି ନୁହେଁ, ୨୦୦୧ ମସିହାରେ ଏହି ସ˚ସଦ ଭବନ ଅତ୍ୟନ୍ତ ଭୟାବହ ଆତଙ୍କବାଦୀ ଆକ୍ରମଣର ଦୁର୍ଭାଗ୍ୟ ମଧୢ ଭୋଗ କରିଛି। ଏହି ପୁରୁଣା ସ˚ସଦ ଭବନରେ ଅତୁଳନୀୟ ଗାଣତନ୍ତ୍ରିକ ପର˚ପରାମାନ ସୃଷ୍ଟି ହୋଇଛି। ଆମେ ଆଶା କରିବା ଉଚିତ ଯେ ନୂତନ ସ˚ସଦ ଭବନରେ ଗଣତନ୍ତ୍ରର ପରାକାଷ୍ଠା ନିର୍ମାଣରେ ସେ ସବୁ ସହାୟକ ହେବ।
କେନ୍ଦ୍ର ସରକାରଙ୍କ ସହର ବିକାଶ ମନ୍ତ୍ରୀ ହରଦୀପ ସି˚ହ ପୁରୀ କହିଥିବା ଶୁଣିବାକୁ ମିଳିଛି ଯେ ପୁରୁଣା ସ˚ସଦ ଭବନରେ ଆବଶ୍ୟକ ମରାମତିମାନ କରାଯିବ। ତା’ ପରେ ଏହାକୁ କେତେକ ସ˚ସଦୀୟ ବ୍ୟାପାର ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟବହାର କରାଯାଇପାରେ ଅଥବା ଏହାକୁ ଏକ ଦର୍ଶନୀୟ ସ୍ଥାନ ଭାବେ ଜନସାଧାରଣ ବୁଲି ଦେଖିବା ସକାଶେ ଖୋଲା ଯାଇପାରେ। ସୁତରା˚, ଆଶା କରିବା ଯେ ପରିତ୍ୟକ୍ତ ହୋଇଥିଲେ ସୁଦ୍ଧା ତାହା ଆମ ସ୍ମୃତିରୁ ଅପସାରିତ ହେବାର ସୁଯୋଗ ପାଇବ ନାହିଁ। ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇ କହିଥିବା ଭଳି ‘ସ୍ମୃତିର ଏହି ସ୍ମାରକୀ’ ଏକ ପେପର୍‌ େଵଟ୍‌ ଭଳି ଆମ ରାଷ୍ଟ୍ରର ଇତିହାସ ପୃଷ୍ଠାକୁ ଚାପି ଧରି ତାକୁ ଉଡ଼ି ଯିବାକୁ ଦେବ ନାହିଁ। ଯଦିଓ ଗତ କାଲି ନୂତନ ସ˚ସଦ ଗୃହ ଉଦ୍‌ଘାଟିତ ହୋଇ ପୁରୁଣା ସ˚ସଦ ଗୃହର ସ୍ଥାନ ନେବା ସହିତ ଗୋଟିଏ ଯୁଗର ଅବସାନ ଘଟାଇଛି, ତେବେ ଏହା ମଧୢ ସତ ଯେ ଅତ୍ୟନ୍ତ ଚମକପ୍ରଦ ଇତିହାସ ଦ୍ବାରା ରୂପ ପାଇଥିବା ସେହି ଯୁଗ କିନ୍ତୁ ତା’ର ଔଜ୍ଜ୍ବଲ୍ୟ ହରାଇବ ନାହିଁ।

ସମ୍ବନ୍ଧିତ ଖବର