ଅପଦେବତା!

ଏହା ନିଃସନ୍ଦେହ ଯେ ପଞ୍ଜାବ ଭୂମିରେ ସମର୍ଥନର ଅଭାବ ହିଁ ଖଲିସ୍ତାନ ସ୍ବପ୍ନକୁ ବୃନ୍ତ-ଚ୍ୟୁତ କରି ପାରିବ। କିନ୍ତୁ କଥା ହେଲା, ବିଶାଳ ପଞ୍ଜାବ ପୁଲିସ ବାହିନୀ ଦ୍ବାରା ଅଣନିଃଶ୍ବାସୀ ଅନୁଧାବନ ପରେ ଅମୃତ ପାଲ ସି˚ହର ପାଞ୍ଚ ସହଯୋଗୀ ଗିରଫ ହେବା ସତ୍ତ୍ବେ ନିମିଷକ ମଧୢରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଏବ˚ ପୁଲିସ୍‌ ବାହିନୀର ଗଳଦ୍‌ଘର୍ମ ଉଦ୍ୟମ ପରେ ମଧୢ ଏ ଯାବତ୍‌ ଧରା ନ ପଡ଼ିବା ଏହା ମଧୢ ସାବ୍ୟସ୍ତ କରିଥାଏ ଯେ ଏହି ଅପଦେବତା ସମ୍ଭବତଃ ଅନେକ ଭକ୍ତ ସୃଷ୍ଟି କରି ସାରିଲାଣି, ଯେଉଁମାନେ ନିଭୃତ ଗର୍ଭଗୃହରେ ତାକୁ ସ୍ଥାନ ଦେଇ ପୁଲିସ ପହଞ୍ଚ ଠାରୁ ଦୂରରେ ରଖିଥିବେ। ସୁତରା˚, ଆଉ ବିଳମ୍ବ ଲାଗି ଅବକାଶ ନାହିଁ। ଏଭଳି ଅପଦେବତାମାନଙ୍କ ସ୍ତୁତିରେ ଜାନ୍ତବ ଯଜ୍ଞ ପ୍ରାରମ୍ଭ ହୋଇଯିବା ପୂର୍ବରୁ ତହିଁରେ ବିଘ୍ନ ଘଟାଇବାକୁ ହେବ।

ଏକ ପୃଥକ୍‌ ଖଲିସ୍ତାନ ରାଷ୍ଟ୍ର ଦାବି ପ୍ରସଙ୍ଗଟି ପ୍ରାୟ ତିନି ଦଶନ୍ଧି ତଳେ କବର ନେଇ ସାରିଛି ବୋଲି ସୃଷ୍ଟ ଧାରଣା ଭ୍ରମାତ୍ମକ ପ୍ରତୀତ ହୋଇ ପୁଣି ଥରେ କଫିନ ଭିତରୁ ମୁଣ୍ତ ଟେକିବା ଏକ ଅସ୍ବସ୍ତିକର ଭୟକୁ ଜନ୍ମ ଦେଇଛି। ଏହାର କାରଣ ଗଲା ଶତାବ୍ଦୀର ଅଷ୍ଟମ ଓ ନବମ ଦଶକରେ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହି ସଶସ୍ତ୍ର ଓ ରକ୍ତକ୍ଷରା ଶିଖ ବିଚ୍ଛିନ୍ନତାବାଦୀ ବିଦ୍ରୋହ କାରଣରୁ ଭାରତ ଜଣେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ପଞ୍ଜାବର ମୁଖ୍ୟମନ୍ତ୍ରୀ ବିୟନ୍ତ ସି˚ହ)ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି; ‘ଅପରେସନ୍‌ ବ୍ଲୁ ଷ୍ଟାର‌୍‌’ ଭଳି ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଏବ˚ ଏକ ଭୟାବହ ଶିଖ ବିରୋଧୀ ଦଙ୍ଗା ସହିତ ହଜାର ହଜାର ନିରୀହ ଭାରତୀୟଙ୍କ ହତ୍ୟା ଦେଖିଛି। ସୁତରା˚, ବର୍ତ୍ତମାନ ପୁଣି ଥରେ ଖଲିସ୍ତାନ ଦାବିର ନିଆଁ ଝୁଲମାନ ଉଡ଼ିବା ଆରମ୍ଭ କରି ଦେଇଥିବା ବେଳେ ଆମ ରାଷ୍ଟ୍ର ଲାଗି ଯେଉଁ ଘରପୋଡ଼ିର ଭୟ ଜାତ ହେଲାଣି, ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ପ୍ରକାଶ ଥାଉ କି ଯେଉଁ ବ୍ୟକ୍ତି ଜଣକ ଶିଖ ସ˚ପ୍ରଦାୟ ସକାଶେ ଏକ ପୃଥକ୍‌ ରାଷ୍ଟ୍ର ଦାବିର ବୀଜ ପ୍ରଥମେ ବପନ କରିଥିଲେ, ସେହି ଜଗଜ୍ଜିତ ସି˚ହ ଚୌହାନ ନବମ ଦଶକରେ ଶିଖ ଉଗ୍ରବାଦୀ ହି˚ସାର ଅବସାନ ପରେ ଗଣମାଧୢମ ସମକ୍ଷରେ ସ୍ବୀକାର କରିଥିଲେ ଯେ ଖଲିସ୍ତାନ ଭଳି ଏକ ଦୁରନ୍ତ ସ୍ବପ୍ନ କଦାଚିତ୍‌ ସାକାର ହୋଇ ପାରିବ ନାହିଁ। ଜଗଜ୍ଜିତ ସି˚ହ ଚୌହାନ ସପ୍ତମ ଦଶକରେ ପଞ୍ଜାବ ରାଜ୍ୟ ରାଜନୀତିରେ ସକ୍ରିୟ ରହି ବିଧାନସଭାରେ ବାଚସ୍ପତି ଏବ˚ କ୍ୟାବିନେଟ୍‌ ମନ୍ତ୍ରୀ ହେବାର ମଧ୍ୟ ସୁଯୋଗ ପାଇଥିଲେ। ଅଥଚ ସପ୍ତମ ଦଶକରେ ତାଙ୍କର ଇ˚ଲାଣ୍ତ ଗମନ ଏବ˚ ଘଟଣା ଚକ୍ରରେ ଆମେରିକାରେ ତତ୍କାଳୀନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ସହିତ ସାକ୍ଷାତ ଏବ˚ ଭୁଟ୍ଟୋଙ୍କ ଦ୍ବାରା ତାଙ୍କ ମଥାରେ ‘ଖଲସା’ (ଶିଖ ଯୋଦ୍ଧା)ମାନଙ୍କ ତ୍ୟାଗର ପରାକାଷ୍ଠା ସ୍ବରୂପ ଏକ ଅଲଗା ଖଲିସ୍ତାନ ରାଷ୍ଟ୍ର ଗଠନର ଦୁରାକା˚କ୍ଷା ସୃଷ୍ଟି ଇତ୍ୟାଦି ବିଷୟ ଏବେ କୌଣସି ଲୋକକଥାର ଅ˚ଶ ଭଳି ପ୍ରତୀୟମାନ ହୋଇଥାଏ। କହିବା ନିଷ୍ପ୍ରୟୋଜନ ଯେ ପାକିସ୍ତାନରୁ ବିଚ୍ଛିନ୍ନ ହୋଇ ବା˚ଲାଦେଶର ଜନ୍ମ ଲାଭ ଘଟଣା ଭୁଟ୍ଟୋଙ୍କ ମନରେ ପ୍ରତିଶୋଧର ଯେଉଁ ଦାବାନଳ ସୃଷ୍ଟି କରିଥିଲା, ତା’ର ପରିଣତି ଥିଲା କାଶ୍ମୀର ‘ଏଜେଣ୍ତା’ ସହିତ ଖଲିସ୍ତାନକୁ ଯୋଡ଼ି ଭାରତକୁ କ୍ଷତବିକ୍ଷତ କରି ପକାଇବାର ଦୁରଭିସନ୍ଧି। ତେବେ, ଏହି ଅବର୍ଣ୍ଣନୀୟ ହି˚ସା ଓ ରକ୍ତପାତ ସୃଷ୍ଟିକାରୀ ବିଦ୍ରୋହର ପରିସମାପ୍ତି ଘଟିଥିଲା କେ.ପି.ଏସ୍‌. ଗିଲଙ୍କ ନେତୃତ୍ବରେ ପଞ୍ଜାବ ପୁଲିସ ବାହିନୀ ଦ୍ବାରା ଅତ୍ୟନ୍ତ ଦୃଢ଼ ମୁଷ୍ଟିର ପ୍ରୟୋଗ ତଥା ଏହି ଆନ୍ଦୋଳନ ପ୍ରତି ପଞ୍ଜାବ ଜନସାଧାରଣ ସ˚ପୂର୍ଣ୍ଣ ବୀତସ୍ପୃହତା କାରଣରୁ। ପ୍ରକାଶ ଥାଉ କି ଏଭଳି ଏକ ବାତାବରଣରେ ଜଗଜ୍ଜିତ ସି˚ହ ଚୌହାନ ଆଉ ଥରଟିଏ ହେଲେ ସୁଦ୍ଧା ‘ଖଲିସ୍ତାନ’ ଶବ୍ଦ ଉଚ୍ଚାରଣ କରି ନ ଥିଲେ, ଯଦିଓ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ନିଜ ଗ୍ରାମରେ ତାଙ୍କ ଅନ୍ତିିମ ଜୀବନ ଅତିବାହିତ କରିଥିଲେ।

ସେହି ଦୃଷ୍ଟିରୁ ଏବେ ‘ଵାରିସ ପଞ୍ଜାବ ଦା’ ସ˚ଗଠନର ମୁଖ୍ୟ ଅମୃତ ପାଲ ସି˚ହ ଦ୍ବାରା ଏକ ଆକ୍ରମଣାତ୍ମକ ଢଙ୍ଗରେ ଖଲିସ୍ତାନ ଲାଗି ଦାବି ଅତ୍ୟନ୍ତ କର୍କଶ ରୂପରେ ତିନି ଦଶନ୍ଧିର ନିରବତା ଭଙ୍ଗ କରିବା ବିଶେଷ ପ୍ରଣିଧାନଯୋଗ୍ୟ। ପ୍ରକାଶ ଥାଉ କି ‘ଵାରିସ ପଞ୍ଜାବ ଦା’ର ପ୍ରତିଷ୍ଠାତା ତଥା ପରଲୋକଗତ ଗାୟକ ଦୀପ ସିଦ୍ଧୁ ବା ଅମୃତ ପାଲ ସି˚ହ ଇତ୍ୟାଦି ତିରିଶ ବର୍ଷ ବୟସ ବର୍ଗରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ଠାରେ ପଞ୍ଜାବ ବିଭୀଷିକା ସମ୍ବନ୍ଧରେ କୌଣସି ପ୍ରତ୍ୟକ୍ଷ ଧାରଣା ନ ଥିବ। ଏମାନେ ମଧ୍ୟ ନୈଷ୍ଠିକ ଶିଖ ଧର୍ମୀୟ ପର˚ପରାରେ ନିମଜ୍ଜିତ ହୋଇ ନ ଥିବା ଆଧୁନିକ ‘ଫେସନେବଲ୍‌’ ଯୁବ ବର୍ଗର ସଦସ୍ୟ। ତଥାପି, ଏହି ଭଳି ଯୁବକମାନେ ସଂପ୍ରତି ଶିଖ ଧର୍ମ ଓ ସ˚ସ୍କୃତିର ଅଭିଭାବକ ରୂପେ ଅବତୀର୍ଣ୍ଣ ହୋଇଥିବା ଘୋର ବିଡ଼ମ୍ବନା। ତେବେ, ଏହା ଠାରୁ ଅଧିକ ବଡ଼ ବିଡ଼ମ୍ବନା ହେଲା ସେମାନଙ୍କୁ ଇନ୍ଧନ ଯୋଗାଉଛନ୍ତି ଏକାଧିକ ପିଢ଼ି ଧରି କାନାଡା, ଜର୍ମାନି, ଇ˚ଲାଣ୍ତ ବା ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଦେଶ ଭୂମିରେ ଅବସ୍ଥାନ କରି ଆସୁଥିବା ଏବ˚ ସେହି ସବୁ ଦେଶର ନାଗରିକତ୍ବ ଗ୍ରହଣ କରି ନେଇଥିବା ଅନେକ ପ୍ରବାସୀ ଶିଖ ଏବ˚ ସେମାନଙ୍କ ଦ୍ବାରା ଗଠିତ ସ˚ଗଠନମାନ। ଏବ˚ ତୃତୀୟ ତଥା ସର୍ବାଧିକ ବଡ଼ ବିଡ଼ମ୍ବନା ହେଲା ଉପର ବର୍ଣ୍ଣିତ ରାଷ୍ଟ୍ରଗୁଡ଼ିକ ସମସ୍ତେ ଅତ୍ୟନ୍ତ ଉଦାରବାଦୀ ଗଣତନ୍ତ୍ର ହୋଇଥିବା ସତ୍ତ୍ବେ ସେଗୁଡ଼ିକର ଭୂମିରେ ଏହି ବିଚ୍ଛିନ୍ନତାବାଦୀ ଉଦ୍ୟମ ଚେର ବିସ୍ତାର କରି ମହାଦ୍ରୁମରେ ପରିଣତ ହେବା। ଉଲ୍ଲେଖଯୋଗ୍ୟ ଯେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ପ୍ରବାସୀ ଶିଖମାନେ ସେହି ସବୁ ରାଷ୍ଟ୍ରର ବିଧିବଦ୍ଧ ନାଗରିକରେ ପରିଣତ ହୋଇ ସାରିଥିବାରୁ ସେମାନଙ୍କ କାର୍ଯ୍ୟକଳାପକୁ ଗଣତାନ୍ତ୍ରିକ ଉଦାରତାର ଦୃଷ୍ଟିଭଙ୍ଗୀରେ ସେହି ରାଷ୍ଟ୍ରର ନାଗରିକମାନଙ୍କ ‘ମୁକ୍ତ ଅଭିବ୍ୟକ୍ତି’ର ଅଧିକାର ରୂପେ ଆଖ୍ୟାୟିତ ମଧୢ କରାଯାଉଛି। ଇତିମଧୢରେ ସେହି ସବୁ ଦେଶରେ ପ୍ରବାସୀ ଶିଖମାନେ ସେଠାକାର ନିର୍ବାଚନକୁ ପ୍ରଭାବିତ କରିବାରେ ସମର୍ଥ ହେଲେଣି ଏବ˚ ସେଠାକାର ଉଚ୍ଚ କ୍ଷମତା ଅଳିନ୍ଦରେ ମଧୢ ବିଚରଣ କଲେଣି। ସେହି ଦୃଷ୍ଟିରୁ ସେହି ସବୁ ଦେଶର ସରକାର ଅଗତ୍ୟା ନିରବ ଦର୍ଶକରେ ପରିଣତ ହେବା ସ୍ବାଭାବିକ ହୋଇ ପଡ଼ିଛି, ଯେମିତି ଘଟିଛି କାନାଡା ବା ୟୁ.କେ.ରେ! ତେବେ, ଅଷ୍ଟମ ଦଶକରେ ମଧୢ ସ୍ଥିତି ପ୍ରାୟ ସମତୁଲ ଥିଲା; ଯହିଁରେ ଜଗଜ୍ଜିତ ସି˚ହ ଚୌହାନଙ୍କ ନିବେଦନରେ ଖଲିସ୍ତାନ ରାଷ୍ଟ୍ର ଗଠନ ସକାଶେ ଉଦ୍ଦିଷ୍ଟ ପାଣ୍ଠି ନିମନ୍ତେ ୟୁ.କେ., କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକାରୁ ଅର୍ଥର ସ୍ରୋତ ଛୁଟିଥିଲା ଏବ˚ ଜଗଜ୍ଜିତ ସିଂହ ଚୌହାନଙ୍କ ଏହି ନିବେଦନକୁ ଏକ ପୃଷ୍ଠା ବ୍ୟାପୀ ବିଜ୍ଞାପନରେ ଛାପିଥିଲା ‘ନ୍ୟୁୟର୍କ ଟାଇମ୍‌ସ’।

ଇତିମଧୢରେ ସାମାଜିକ ଗଣମାଧୢମରେ ମିଛ ଭିଡିଓ ଏବ˚ ଗୁଜବର ଅହରହ ପ୍ରଚାର ପ୍ରବାସୀ ଶିଖମାନଙ୍କ ମଧୢରେ ବିଭ୍ରାନ୍ତିକୁ ସଘନ କରି ଚାଲିଛି। ଭାରତରେ ହିନ୍ଦୁ ଓ ଶିଖମାନଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଧର୍ମ ଓ ସ˚ସ୍କୃତିରେ ନିହିତ ବିଶ୍ବାସଗତ ସାଦୃଶ୍ୟ ଓ ପାରସ୍ପରିକ ସମ୍ମାନ, ଉଭୟ ଉଦ୍ୟୋଗ ଏବ˚ କୃଷିର ବିକାଶରେ ଶିଖ ସ˚ପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଅ˚ଶୀଦାରି, ଭାରତୀୟ ସୈନ୍ୟ ବାହିନୀରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ମଳିନ କରି ସାମାଜିକ ଗଣମାଧୢମରେ ଯେଉଁ ଚିତ୍ର ପ୍ରସାରିତ ହେଉଛି, ତାହା ହେଲା ଭାରତ ଶିଖମାନଙ୍କ ସକାଶେ ଏକ ଯାତନା ଶିବିରରେ ପରିଣତ ହୋଇଛି। ସୁତରା˚, ଏଭଳି ସ୍ଥଳେ ଭାରତୀୟ ଶିଖମାନେ ହିଁ ସର୍ବାଧିକ ପ୍ରଭାବଶାଳୀ ଦୂତ ରୂପେ ଉଭା ହେବା ଉଚିତ। ଦେଖିବାକୁ ମିଳିଛି ଯେ ଅପରେସନ ବ୍ଲ ଷ୍ଟାର, ୧୯୮୪ରେ ଦିଲ୍ଲୀରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ବା ଗଲା କୃଷକ ଆନ୍ଦୋଳନକୁ ଆଧାର କରି ଭାରତରେ ଶିଖମାନଙ୍କ ସ୍ଥିତି ବିପନ୍ନ ବୋଲି ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକରେ ଅପପ୍ରଚାର କରାଯାଉଛି; ଏହି ଧାରଣାକୁ ଭାରତ ନିବାସୀ ଶିଖମାନେ ହିଁ ପ୍ରତିହତ କରିପାରିବେ।

ଏହି ସ˚ଦର୍ଭରେ ବିଶିଷ୍ଟ ଲେଖକ ଖୁସଵନ୍ତ ସି˚ହଙ୍କ ଉଲ୍ଲିଖିତ କଥାଟିଏ ସ୍ମରଣକୁ ଆସିଥାଏ, ଯହିଁରେ ଦେଖିବାକୁ ମିଳିଥିଲା କିଭଳି ଖଲିସ୍ତାନ ଆନ୍ଦୋଳନକୁ ବିପୁଳ ଅର୍ଥ ଯୋଗାଣ କରୁଥିବା ଆାମେରିକୀୟ ନିବାସୀ ଶିଖ ଗଙ୍ଗା ସି˚ହ ଧିଲୋଁ ତାଙ୍କ ଠାରୁ ଖଲିସ୍ତାନ ସମର୍ଥନ ଆଶା କରନ୍ତେ ଖୁସଵନ୍ତ ସି˚ହ ପ୍ରତ୍ୟୁତ୍ତର ଦେଇଥିଲେ: ‘ଯେଉଁ ମହାନ ନଦୀରେ ଉଭୟ ହିନ୍ଦୁ ଓ ଶିଖ ଅବଗାହନ କରି ପବିତ୍ର ହୁଅନ୍ତି, ସେହି ନାମ ଧାରଣ କରି ତୁମେ ଏଭଳି କହୁଛ କେମିତି!’ କହିବା ବାହୁଲ୍ୟ ଖୁସଵନ୍ତ ସି˚ହଙ୍କ ମନ୍ତବ୍ୟ ଏକାଧାରରେ ହିନ୍ଦୁ-ଶିଖଙ୍କ ମଧୢରେ ଥିବା ସା˚ସ୍କୃତିକ ସ˚ପର୍କକୁ ରେଖାଙ୍କିତ କରିବା ସହିତ ଧିଲୋଁଙ୍କ ଉଦ୍ୟମକୁ ନିଷ୍ପ୍ରାଣ କରିବାର ଉଦାହରଣରେ ପରିଣତ ହୋଇଥିଲା। ତେବେ, ଏହା ସହିତ ଆଉ ଯାହା ପ୍ରୟୋଜନ ତାହା ହେଲା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୂଟନୈତିକ ସ˚ପର୍କ ମାଧୢମରେ ବିଦେଶରୁ ଖଲିସ୍ତାନ ସମର୍ଥନ ଲାଗି ପ୍ରବାହିତ ହେଉଥିବା ପ୍ରୋତ୍ସାହନର ସ୍ରୋତରେ ବିରାମ ଲଗାଇବା। ଏହାକୁ ଯେତେ ଶୀଘ୍ର କରାଯିବ, ତାହା ରାଷ୍ଟ୍ର ଲାଗି ମଙ୍ଗଳକର।

ଏହା ନିଃସନ୍ଦେହ ଯେ ପଞ୍ଜାବ ଭୂମିରେ ସମର୍ଥନର ଅଭାବ ହିଁ ଖଲିସ୍ତାନ ସ୍ବପ୍ନକୁ ବୃନ୍ତ-ଚ୍ୟୁତ କରି ପାରିବ। କିନ୍ତୁ କଥା ହେଲା, ବିଶାଳ ପଞ୍ଜାବ ପୁଲିସ ବାହିନୀ ଦ୍ବାରା ଅଣନିଃଶ୍ବାସୀ ଅନୁଧାବନ ପରେ ଅମୃତ ପାଲ ସି˚ହର ପାଞ୍ଚ ସହଯୋଗୀ ଗିରଫ ହେବା ସତ୍ତ୍ବେ ନିମିଷକ ମଧୢରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଏବ˚ ପୁଲିସ୍‌ ବାହିନୀର ଗଳଦ୍‌ଘର୍ମ ଉଦ୍ୟମ ପରେ ମଧୢ ଏ ଯାବତ୍‌ ଧରା ନ ପଡ଼ିବା ଏହା ମଧୢ ସାବ୍ୟସ୍ତ କରିଥାଏ ଯେ ଏହି ଅପଦେବତା ସମ୍ଭବତଃ ଅନେକ ଭକ୍ତ ସୃଷ୍ଟି କରି ସାରିଲାଣି, ଯେଉଁମାନେ ନିଭୃତ ଗର୍ଭଗୃହରେ ତାକୁ ସ୍ଥାନ ଦେଇ ପୁଲିସ ପହଞ୍ଚ ଠାରୁ ଦୂରରେ ରଖିଥିବେ। ସୁତରା˚, ଆଉ ବିଳମ୍ବ ଲାଗି ଅବକାଶ ନାହିଁ। ଏଭଳି ଅପଦେବତାମାନଙ୍କ ସ୍ତୁତିରେ ଜାନ୍ତବ ଯଜ୍ଞ ପ୍ରାରମ୍ଭ ହୋଇଯିବା ପୂର୍ବରୁ ତହିଁରେ ବିଘ୍ନ ଘଟାଇବାକୁ ହେବ।

ସମ୍ବନ୍ଧିତ ଖବର