‘ଜିଡିପି’ ଯୁଦ୍ଧାସ୍ତ୍ର

ଏହି ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ଏବେ ଏଠାରେ ଯେଉଁ ରୂପରେ ସେଇ ଶକ୍ତିଶାଳୀ ଅସ୍ତ୍ରର ଆବିର୍ଭାବ ଘଟିଛି, ତାହା ହେଉଛି ସଦ୍ୟ ପ୍ରକାଶିତ ୨୦୨୪ ବିତ୍ତ ବର୍ଷର ତୃତୀୟ ଚଉଠ ପାଇଁ ‘ଜିଡିପି’ ହିସାବ, ଯାହା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବା ସରକାରଙ୍କର ସର୍ବଶେଷ ଅର୍ଥନୈତିକ ରିପୋର୍ଟ‌ କାର୍ଡ। ଏହି କାର୍ଡ ବହନ କରୁଥିବା ସୂଚନା ହୁଏତ ଏହି ଯୁଦ୍ଧ‌େର ‘ଇନ୍‌ଡିଆ’ ଉପରେ ବିଜୟ ଲାଭ କରିବାରେ ମୋଦୀଙ୍କୁ ସାହାଯ୍ୟ କରିପାରେ; କିମ୍ବା ‘ଏନ୍‌ଡିଏ’କୁ ପରାସ୍ତ କରି ମୋଦୀଙ୍କୁ ଗାଦିଚ୍ୟୁତ କରିବାରେ ରାହୁଳ ଗାନ୍ଧୀଙ୍କୁ ସାହାଯ୍ୟ କରିପାରେ।

ଯୁଦ୍ଧ ହେଉଛି ଉଦ୍ଭାବନର ଜନନୀ- ସ୍କୁଲ୍‌ରେ ପ୍ରବନ୍ଧ ଲେଖିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏହା ଭଲ ରୂପେ ଜଣା। ରେଡାର୍‌ରୁ ଆରମ୍ଭ କରି ଆଜିର ଅପରିହାର୍ଯ୍ୟ ଇଣ୍ଟର୍‌ନେଟ୍ ପର୍ଯ୍ୟନ୍ତ ହେଉଛନ୍ତି ଯୁଦ୍ଧର ଚାପରୁ ଜନ୍ମିତ ସନ୍ତାନମାନ। ତେବେ ଯୁଦ୍ଧ ସହିତ ଘନିଷ୍ଠ ସଂପର୍କ ଥିବା ଉଦ୍ଭାବନଗୁଡ଼ିକ କେବଳ ଏଭଳି ବିଜ୍ଞାନ ଜଗତ‌ରେ ସୀମିତ ନୁହନ୍ତି। ଉଦାହରଣ ସ୍ବରୂପ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ଜଣାଥିବା ଭଳି ଆଜିକାଲି ବହୁଳ ବ୍ୟବହୃତ ହେଉଥିବା ଏହି ଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ଭାବନ, ‘ଜିଡିପି’ ମଧ୍ୟ ହେଉଛି ଯୁଦ୍ଧର ସନ୍ତାନ।
୧୯୩୯ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧରେ ଅଂଶଗ୍ରହଣ କରି ନାତ୍‌ସି ଜର୍ମାନୀ ବିରୁଦ୍ଧରେ ପ୍ରାଣମୂର୍ଚ୍ଛା ଲଢ଼େଇ ଚଳାଇଥିବା ବ୍ରିଟେନ୍ ଯେତେବେଳେ ଏଥିପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହର ଉପାୟ ସନ୍ଧାନ କରୁଥିଲା, ବିଚକ୍ଷଣ ମହାନ୍‌ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍‌ସ ସେତେବେଳେ ଏ ସଂପର୍କରେ ଏକ ଦିଗ୍‌ଦର୍ଶନକାରୀ ପୁସ୍ତିକା ରଚନା କରିଥିଲେ। ୧୯୪୦ରେ ପ୍ରକାଶିତ କେନ୍‌ସଙ୍କର ଏହି ରଚନାର ସିଧାସଳଖ ଶୀର୍ଷକ ଥିଲା- ‘ହାଓ ଟୁ ପେ ଫର୍ ଦି ୱାର୍’ (‘ଯୁଦ୍ଧ ପାଇଁ କେମିତି ସମ୍ବଳ ସଂଗ୍ରହ କରିବା’)। ଏଥିରେ ସେ ଉପଲବ୍‌ଧ ସମ୍ବଳ ଉପଯୋଗ କରି ବ୍ରିଟିଶ୍ ଅର୍ଥନୀତିରେ କେତେ ଉତ୍ପାଦନ ସମ୍ଭବ ହୋଇପାରିବ; ସେଥିରୁ କେତେ ଅଂଶ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଓ ଯୁଦ୍ଧ ଚଳାଇବା ନିମିତ୍ତ ଆବଶ୍ୟକ ହେବ; ଜନସାଧାରଣଙ୍କ ଉପଭୋଗ ପାଇଁ କେତେ ଉପଲବ୍‌ଧ ହେବ; ଏବଂ ଏଥିଯୋଗୁଁ ସେମାନଙ୍କର ଜୀବନଧାରଣର ମାନରେ କେତେ ସ୍ଖଳନ ଘଟିବ- ଇତ୍ୟାଦି ସମ୍ବନ୍ଧରେ ଯଥେଷ୍ଟ ପରିସଂଖ୍ୟାନର ଅଭାବ ବିରୁଦ୍ଧରେ ତୀକ୍ଷ୍‌ଣ ସମାଲୋଚନା କରିଥିଲେ।
କେନ୍‌ସଙ୍କ ଯୁକ୍ତି ଏପରି ପ୍ରଭାବଶାଳୀ ଥିଲା ଯେ ତାହାକୁ ଅନୁସରଣ କରି ବ୍ରିଟିଶ୍ ସରକାର ରିଚାର୍ଡ ଷ୍ଟୋନ୍ ଓ ଜେମ୍‌ସ ମିଡ୍ ନାମକ ଦୁଇ ଜଣ ଯୁବ ଅର୍ଥନୀତିଜ୍ଞଙ୍କ ଉପରେ ଜାତୀୟ ଅର୍ଥନୀତି ସଂପର୍କରେ ଆବଶ୍ୟକ ପରିସଂଖ୍ୟାନ ସଂଗ୍ରହ କରି ପ୍ରସ୍ତୁତ କରିବା ଦାୟିତ୍ବ ଅର୍ପଣ କଲେ, ଯାହାର ଫଳସ୍ବରୂପ ୧୯୪୧ରେ ସର୍ବପ୍ରଥମ ଆଧୁନିକ ‘ଜିଡିପି’ ବା ଦେଶର ‘ମୋଟ ଜାତୀୟ ଉତ୍ପାଦ’ ହିସାବର ଆତ୍ମପ୍ରକାଶ ଘଟିଲା। (ପରବର୍ତ୍ତୀ ସମୟରେ ପ୍ରଥମେ ମିଡ୍ ଓ ପରେ ଷ୍ଟୋନ୍ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଲାଭ କରିଥିଲେ।) ଏଥିରେ ସନ୍ଦେହ ନାହିଁ ଯେ ନିୟମିତ ‘ଜିଡିପି’ ହିସାବର ଆବିର୍ଭାବ ନିଜର ଅର୍ଥନୈତିକ ଶକ୍ତି ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସଂଗ୍ରହ କରି ତାହାକୁ ଫଳପ୍ରଦ ଭାବରେ ସାମରିକ ପ୍ରସ୍ତୁତିରେ ନିୟୋଜିତ କରି ଶେଷରେ ଯୁଦ୍ଧରେ ବିଜୟ ଲାଭ କରିବାରେ ବ୍ରିଟେନ୍‌କୁ ସହାୟକ ହୋଇଥିଲା। ଏହା କହିଲେ ଭୁଲ୍ ହେବ ନାହିଁ ଯେ ସେ ସମୟରେ ଉଦ୍ଭାବିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଭଳି ‘ଜିଡିପି’ ମଧ୍ୟ ଏକ ଯୁଦ୍ଧାସ୍ତ୍ର ରୂପେ କାର୍ଯ୍ୟ କରି ବ୍ରିଟେନ୍‌କୁ ଯୁଦ୍ଧରେ ବିଜୟୀ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ଭାରତ ଏବେ ଏକ ଆସନ୍ନ ଯୁଦ୍ଧର ସମ୍ମୁଖୀନ: ଲୋକସଭା ପାଇଁ ସାଧାରଣ ନିର୍ବାଚନ। ବିଶ୍ବଯୁଦ୍ଧର ମିତ୍ର ଶକ୍ତି ଓ ଅକ୍ଷ ଶକ୍ତି ଭଳି ଏଠାରେ ଏହି ଯୁଦ୍ଧରେ ମୁହାଁମୁହିଁ ହୋଇଥିବା ଦୁଇ ପକ୍ଷ ହେଉଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ଏନ୍‌ଡିଏ’ ଓ ରାହୁଳ ଗାନ୍ଧୀଙ୍କ ନେତୃତ୍ବାଧୀନ ‘ଇନ୍‌ଡିଆ’। ଏହି ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ଏବେ ଏଠାରେ ଯେଉଁ ରୂପରେ ସେଇ ଶକ୍ତିଶାଳୀ ଅସ୍ତ୍ରର ଆବିର୍ଭାବ ଘଟିଛି, ତାହା ହେଉଛି ସଦ୍ୟ ପ୍ରକାଶିତ ୨୦୨୪ ବିତ୍ତ ବର୍ଷର ତୃତୀୟ ଚଉଠ ପାଇଁ ‘ଜିଡିପି’ ହିସାବ, ଯାହା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବା ସରକାରଙ୍କର ସର୍ବଶେଷ ଅର୍ଥନୈତିକ ରିପୋର୍ଟ‌ କାର୍ଡ। ଏହି କାର୍ଡ ବହନ କରୁଥିବା ସୂଚନା ହୁଏତ ଏହି ଯୁଦ୍ଧ‌େର ‘ଇନ୍‌ଡିଆ’ ଉପରେ ବିଜୟ ଲାଭ କରିବାରେ ମୋଦୀଙ୍କୁ ସାହାଯ୍ୟ କରିପାରେ; କିମ୍ବା ‘ଏନ୍‌ଡିଏ’କୁ ପରାସ୍ତ କରି ମୋଦୀଙ୍କୁ ଗାଦିଚ୍ୟୁତ କରିବାରେ ରାହୁଳ ଗାନ୍ଧୀଙ୍କୁ ସାହାଯ୍ୟ କରିପାରେ।
ରିପୋର୍ଟ କ‌ାର୍ଡଟି ଉପରେ ପ୍ରଥମ ଦୃଷ୍ଟିପାତରୁ ଯାହା ମନେ ହୁଏ, ଏହି ବ୍ରହ୍ମାସ୍ତ୍ରଟି ସ୍ପଷ୍ଟ ରୂପେ ନରେନ୍ଦ୍ର ମୋଦୀଙ୍କ ହାତରେ ପଡ଼ିବାକୁ ଯାଉଛି। ‘ଏନ୍‌ଏସ୍‌ଓ’ ଦ୍ବାରା ପ୍ରକାଶିତ ଏହି ରିପୋର୍ଟ ଅନୁସା‌େର ଚଳିତ ବିତ୍ତବର୍ଷର ତୃତୀୟ ଚଉଠ (ଅକ୍‌ଟୋବର-ଡିସେମ୍ବର)ରେ ଭାରତର ‘ଜିଡିପି’ରେ ୮.୪ ଶତାଂଶ ହାରରେ ବୃଦ୍ଧି ଘଟିଛି, ଯାହା ହେଉଛି ପୂର୍ବବର୍ତ୍ତୀ ଛ’ ଚଉଠ ମଧ୍ୟରେ ସର୍ବୋଚ୍ଚ ତଥା ସମସ୍ତ ବିଶେଷଜ୍ଞ ପୂର୍ବାନୁମାନ ଠାରୁ ବେଶ୍ ଅଧିକ। ଉଦାହରଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍ ଏହି ଅଭିବୃଦ୍ଧି ହାର ୬.୫ ଶତାଂଶ ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ, ‘ବ୍ଲୁମ୍ବର୍ଗ’ ଦ୍ବାରା ସଂଗ୍ରହ କରାଯାଇଥିବା ବିଶେଷଜ୍ଞ ମତ ଅନୁସାରେ ଏହା ୬.୬ ଶତାଂଶ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ବିତ୍ତବର୍ଷର ପ୍ରଥମ ଦୁଇ ଚଉଠରେ ଅଭିବୃଦ୍ଧି ହାର ହୋଇଥିଲା ଯଥାକ୍ରମେ ୮.୨ ଶତାଂଶ ଓ ୮.୧ ଶତାଂଶ। ଏହାକୁ ଭିତ୍ତି କରି ‘ଏନ୍‌ଏସ୍‌ଓ’ ତା’ର ପ୍ରଥମ ଆଗୁଆ ଆକଳନରେ ପୂରା ଚଳିତ ବିତ୍ତବର୍ଷ ପାଇଁ ଅଭିବୃଦ୍ଧି ହାର ୭.୩ ଶତାଂଶ ହେବାକୁ ଯାଉଛି ବୋଲି ପୂର୍ବାନୁମାନ ପ୍ରକାଶ କରିଥିଲା। ବର୍ତ୍ତମାନ ‘ଏନ୍‌ଏସ୍‌ଓ’ ପ୍ରକାଶ କରିଥିବା ତା’ର ଦ୍ବିତୀୟ ଆଗୁଆ ଆକଳନରେ ସେଥିରେ ସଂଶୋଧନ ଘଟାଇ ୨୦୨୩-୨୪ ବିତ୍ତବର୍ଷରେ ଅଭିବୃଦ୍ଧି ହାର ୭.୬ ଶତାଂଶ ହେବ ବୋଲି ପୂର୍ବାନୁମାନ କରିଛି। ୨୦୨୧-୨୨ ବିତ୍ତବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୯.୭ ଶତାଂଶ ଓ ୨୦୨୨-୨୩ରେ ୭ ଶତାଂଶ ହୋଇଥିବାରୁ ୨୦୨୩-୨୪ରେ ଏହି ଅଭିବୃଦ୍ଧି ହାର ହାସଲ ହେଲେ ଭାରତୀୟ ଅର୍ଥନୀତି ଲଗାତାର ତୃତୀୟ ବର୍ଷ ପାଇଁ ୭ ଶତାଂଶ ବା ତା’ ଠାରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବାରେ ସଫଳ ହେବ। ପୃଥିବୀର ବିକଶିତ ଅର୍ଥନୀତିମାନ କୋଭିଡ୍, ୟୁକ୍ରେନ୍ ଯୁଦ୍ଧ, ଗାଜା ଯୁଦ୍ଧ ଆଦିର ଆଘାତରେ ଏ ପର୍ଯ୍ୟନ୍ତ ଅର୍ଥନୈତିକ ମାନ୍ଦା ଅବସ୍ଥା ଓ ମୁଦ୍ରାସ୍ଫୀତି କବଳରେ ପଡ଼ିରହିଥିବା ବେଳେ ଭାରତୀୟ ଅର୍ଥନୀତିର ଏହି ଉପଲବ୍‌ଧି ସାରା ପୃଥିବୀକୁ ଚମତ୍କୃତ କରିଛି; ଯେଉଁଥିପାଇଁ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍’) ନିକଟରେ ଭାରତୀୟ ଅର୍ଥନୀତିକୁ ଏକ ‘ଷ୍ଟାର୍ ପର୍ଫର୍‌ମର୍’ ରୂପେ ଅଭିହିତ କରି ପ୍ରଶଂସା କରିଛି।
ଚଳିତ ବିତ୍ତବର୍ଷରେ ଅର୍ଥନୀତିର ‌େଯଉଁ ଦୁଇଟି କ୍ଷେତ୍ରର ଅଭିବୃଦ୍ଧି ହାର ସାମଗ୍ରିକ ଅଭିବୃଦ୍ଧିକୁ ଆଗେଇ ନେବ, ସେମାନେ ହେଲେ ମାନୁଫାକ୍‌ଚରିଙ୍ଗ୍ ଓ ନିର୍ମାଣ। ଏହି ବିତ୍ତବର୍ଷରେ ପ୍ରଥମଟିରେ ଅଭିବୃଦ୍ଧି ହାର ୮.୫ ଶତାଂଶ ହେବାକୁ ଯାଉଥିବା ବେଳେ ଦ୍ବିତୀୟଟିରେ ତାହା ୧୦.୭ ଶତାଂଶ ହେବାକୁ ଯାଉଛି। କୃଷି ଓ ତତ୍‌ସଂଯୁକ୍ତ କ୍ଷେତ୍ରରେ ଅଭିବୃଦ୍ଧି କିନ୍ତୁ ପୂର୍ବ ବର୍ଷ ତୁଳନାରେ ଅତ୍ୟନ୍ତ ମନ୍ଥର ହେବାକୁ ଯାଉଛି: ପୂର୍ବ ବର୍ଷ ଅଭିବୃଦ୍ଧି ହାର ୪.୭ ଶତାଂଶ ହୋଇଥିବା ବେଳେ ଚଳିତ ବର୍ଷ ତାହା ମାତ୍ର ୦.୭ ଶତାଂଶ ହେବ ବୋଲି ଅନୁମାନ କରାଯାଉଛି। ‘ଜିଡିପି’ ହିସାବ ଫର୍ଦ୍ଦରେ ଅର୍ଥନୀତିର ଅନ୍ୟ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶରେ ଦୁର୍ବଳତା ଦୃଷ୍ଟିଗୋଚର ହୋଇଛି, ତାହା ହେଲା ଘରୋଇ ଅନ୍ତିମ ବ୍ୟୟ, ଯେଉଁଥିରେ ବିତ୍ତବର୍ଷର ପ୍ରଥମ ନ’ ମାସରେ ମାତ୍ର ୩.୭ ଶତାଂଶ ହାରରେ ବୃଦ୍ଧି ଘଟିଛି, ଯାହା ‘ଜିଡିପି’ରେ ଘଟିଥିବା ସାମଗ୍ରିକ ଅଭିବୃଦ୍ଧି ହାରର ଅଧା ଠାରୁ ମଧ୍ୟ କମ୍।
ଘରୋଇ ଅନ୍ତିମ ବ୍ୟୟ ଉପରେ ବଜାରରେ ସାମଗ୍ରିକ ଚାହିଦା ମୁଖ୍ୟତଃ ନିର୍ଭର କରିଥାଏ। ଏହା ଯଦି ଏଭଳି ଦୁର୍ବଳ ହୋଇ ଚାଲେ ଘରୋଇ ଉଦ୍ୟୋଗମାନେ ଭବିଷ୍ୟତରେ ନିଜର ଉତ୍ପାଦନ କ୍ଷମତାରେ ସଂପ୍ରସାରଣ ଘଟାଇବାକୁ ଆଗ୍ରହୀ ହେବେ ନାହିଁ। ତେବେ ସେଭଳି ସମ୍ଭାବନା ଦେଖାଦେବା ପୂର୍ବରୁ ନିର୍ବାଚନ ସମାପ୍ତ ହୋଇ ନୂତନ ସରକାର କ୍ଷମତାକୁ ଆସିଯାଇଥିବ। ଏବଂ ବର୍ତ୍ତମାନର ଉଚ୍ଚ ‘ଜିଡିପି’ ଅଭିବୃଦ୍ଧି ହାର ସୃଷ୍ଟି କରିଥିବା ଅନୁକୂଳ ହାୱା ଆଜିର ସରକାରକୁ ଆସନ୍ତାକାଲିର ନୂତନ ସରକାରରେ ପରିଣତ କରିବାରେ ସହାୟକ ହେବାର ଦୃଢ଼ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ତେଣୁ ଏହି ‘ଜିଡିପି’ ଯୁଦ୍ଧାସ୍ତ୍ରକୁ ପ୍ରୟୋଗ କରିବାରେ ନିମିଷେ ମାତ୍ର ବିଳମ୍ବ ନ କରି ତୃତୀୟ ଚଉଠର ଉଚ୍ଚ ଅଭିବୃଦ୍ଧି ହାରକୁ ଉଚ୍ଚ କଣ୍ଠରେ ସ୍ବାଗତ କରିବା ଦେଖାଯାଇଛି।

ସମ୍ବନ୍ଧିତ ଖବର