ଦୂର ଅତୀତରେ ସାଧବ ପୁଅଙ୍କ ଓଡ଼ିଶା ବ୍ୟବସାୟୀମାନଙ୍କ ରାଜ୍ୟ ଥିଲା, ଆଜି କିନ୍ତୁ ଓଡ଼ିଆ ପିଲାମାନେ କେବଳ ଚାକିରିମନସ୍କ। ଅତୀତରେ ଏକ ରପ୍ତାନିକାରୀ ରାଜ୍ୟ ଥିବା ଓଡ଼ିଶା ଆଜି ଏକ ଖାଉଟି ରାଜ୍ୟରେ ପରିଣତ ହୋଇଛି। ପ୍ରଥମରୁ କହି ରଖେ ଯେ ଆତ୍ମନିର୍ଭର ଓଡ଼ିଶା ଗଠନ ସମ୍ଭବ ବୋଲି ନ ଭାବି ମନ ଭିତରେ ସ୍ଥିର କରି ନେବାକୁ ହେବ ଯେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବାକୁ ପଡିବ। ସେଥିପାଇଁ ଆମକୁ ବିଶ୍ଳେଷଣ କରିବାକୁ ପଡିବ ଓଡ଼ିଶାର ଆବଶ୍ୟକତା ଓ ଦକ୍ଷତା ଭିତରେ ଥିବା ତଫାତକୁ। ଓଡ଼ିଶାର ମୋଟ କ୍ଷେତ୍ରଫଳ ୧୫.୫ ନିୟୁତ ହେକ୍ଟର ଓ ଏହା ଭାରତ ବର୍ଷର ଅଷ୍ଟମ ବୃହତ୍ତମ ରାଜ୍ୟ। ମାତ୍ର ମୋଟ ଜନସଂଖ୍ୟା ହିସାବରେ(୪.୧୯କୋଟି) ଆମେ ୧୧ତମ ସ୍ଥାନରେ ଅଛୁ ଯାହାକି ସମଗ୍ର ଦେଶର ମୋଟ ଜନସଂଖ୍ୟାର ୩.୪୭ ଭାଗ। ଆଶ୍ଚର୍ଯ୍ୟର କଥା ହେଲା ଆମ ରାଜ୍ୟର କ୍ଷେତ୍ରଫଳ ସହିତ ବାଂଲାଦେଶର କ୍ଷେତ୍ରଫଳ ସମାନ। କିନ୍ତୁ ସେ ଦେଶର ମୋଟ ଜନସଂଖ୍ୟା ୧୫ କୋଟି। ଓଡ଼ିଶା ଓ ବାଂଲାଦେଶକୁ ତୁଳନା କଲେ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ଆମକୁ ମିଳିଥାଏ। ଆମ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୭୫ ବିଲିଅନ ଆମେରିକୀୟ ଡ଼ଲାର ହୋଇଥିବା ବେଳେ ବାଂଲାଦେଶର ମୋଟ ଘରୋଇ ଉତ୍ପାଦ ୩୪୮ ବିଲିଅନ ଆମେରିକୀୟ ଡଲାର, ଯାହାକି ଆମ ଠାରୁ ୪ ଗୁଣରୁ ବି ଅଧିକ। ସେହିପରି ଓଡ଼ିଶାର ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ ୧୬୦୦ ଆମେରିକୀୟ ଡଲାର ଥିବାବେଳେ ବାଂଲାଦେଶରେ ତାହା ୨୧୭୩ ଡଲାର। ଆମ ବିକାଶ ଦର ୬% ରହୁଥିବା ବେଳେ ବାଂଲାଦେଶରେ ତାହା ୮%ରୁ ବି ଅଧିକ। ପ୍ରଶ୍ନ ଉଠେ ଏଠାରେ ବାଂଲାଦେଶର ଅବତାରଣା କାହିଁକି? ଏହାର ତାତ୍ପର୍ଯ୍ୟ ହେଲା ସେ ଦେଶରେ ଯେତେ ବନ୍ୟା ଓ ବାତ୍ୟା ହୁଏ, ଆମ ଓଡ଼ିଶାରେ ସେତେଟା ଅନୁଭୂତ ହୁଏ ନାହିଁ, ଯଦିଓ ଆମର ପ୍ରାକୃତିକ ଦୁର୍ବିପାକ ସମସ୍ତଙ୍କଠୁ ଅଧିକ ବୋଲି ଆମେ ଭାବୁ। ବାଂଲାଦେଶର ଅଧିକାଂଶ ଅଞ୍ଚଳ ତଳିଆ ଅଞ୍ଚଳ ହୋଇଥିବାରୁ ପ୍ରାକୃତିକ ବିପର୍ଯ୍ୟୟର ଦୁଷ୍ପ୍ରଭାବ ସେମାନଙ୍କ ଉପରେ ଅଧିକ। ସୁତରାଂ, ଖଣିଜ ସମ୍ପଦ ମହଜୁଦ ନ ଥିବା ତଥା ଏକ ବିପର୍ଯ୍ୟୟଭରା ଦେଶ ନିଜ ପରିଶ୍ରମ ଓ ଯୋଜନା ବଳରେ ଆମ ଠାରୁ ଢେର ଅଗ୍ରଗତି କରି ପାରିଛି। ଯଦି ସେମାନେ ଆମ ଭଳି ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ପାରିଥାଆନ୍ତେ, ତା ହେଲେ ପ୍ରଗତିର ସୋପାନରେ ଆହୁରି ଅନେକ ପାହାଚ ଚଢ଼ିି ଯାଇପାରିଥାନ୍ତେ।
ଏବେ, ଆତ୍ମନିର୍ଭର ଓଡ଼ିଶା ବିଷୟରେ ଟିକେ ଆଲୋଚନା କରିବା। ସକାଳୁ ବିଛଣାରୁ ଉଠିବା ଠୁ ପୁଣି ବିଛଣାକୁ ଯିବା ପର୍ଯ୍ୟନ୍ତ ଜଣେ ସାଧାରଣ ନାଗରିକର ଯାହା ଆବଶ୍ୟକ ତାହାର ତାଲିକା କରାଯାଉ- ଯେମିତିକି ମଗ ବା ଲୋଟା, ବାଲ୍ତି, ସାବୁନ, ଦାନ୍ତଘଷା ବ୍ରସ, ପେଷ୍ଟ, ଜିଭ ଛେଲା, ଗ୍ଲାସ, ଥାଳି, ଚାମଚ, ଚା’କପ୍ ଓ ପ୍ଲେଟ୍, ଗାମୁଛା, ଲୁଙ୍ଗି, ଗେଞ୍ଜି, ଚଡି, ଧୋତି, ଶାଢି, ସାୟା, ବ୍ଳାଉଜ, ପିଲାଙ୍କ ପୋଷାକ, ନଡ଼ିଆ ତେଲ, ଖାଇବା ତେଲ, ବାସନକୁସନ, ଗ୍ୟାସ ଚୁଲା, ଖାଦ୍ୟଦ୍ରବ୍ୟ, ଛତା, ଜୋତା, ଇଲେକଟ୍ରିକ୍ ସରଞ୍ଜାମ (ସୁଇଚ, ପଙ୍ଖା, ବଲବ୍, ଆଇରନ ଇତ୍ୟାଦି), ସାଇକେଲ, ମୋଟରସାଇକେଲ, ପିଲାଙ୍କ ପାଠପଢ଼ା ସାମଗ୍ରୀ (ସ୍କେଲ, ପେନସିଲ, ରବର, କଲମ, ଖାତା, ଯନ୍ତ୍ରବାକ୍ସ) ଇତ୍ୟାଦି ଇତ୍ୟାଦି। ଏବେ ବିଚାର କରନ୍ତୁ ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ ଓଡ଼ିଶାରେ ଉପର ବର୍ଣ୍ଣିତ ତାଲିକାରୁ କୌଣସି ସାମଗ୍ରୀ ଆମେ ଉତ୍ପାଦନ କରିବାରେ ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇଛୁ କି? ଆମର ଜନସଂଖ୍ୟା ଆଧାରରେ ସେମାନଙ୍କର ଆବଶ୍ୟକତା ହିସାବ କରାଯାଉ। ସେହି ଆଧାରରେ କେଉଁ ଜିନିଷ କେତେ ଉତ୍ପାଦନ କରୁଛେ, ଆଉ କେତେ ଆମଦାନି କରୁଛେ, ତାର ହିସାବ ପ୍ରସ୍ତୁତ କରାଯାଉ। ନିଅଣ୍ଟ ସାମଗ୍ରୀର କାରଖାନା କେଉଁ ଜାଗାରେ ବସାଇଲେ ଠିକ ହେବ, ତାହା ସ୍ଥିର କରାଯାଉ। ଶିଳ୍ପଦ୍ୟୋଗୀଙ୍କୁ କି ପ୍ରକାର ସହାୟତା ଦେଲେ (ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା) ସେମାନେ ଆକର୍ଷିତ ହେବେ ତାହା ସେମାନଙ୍କୁ ଯୋଗାଇ ଦିଆଯାଉ। ଆମର ଆବଶ୍ୟକତା ପୂରଣ ପରେ ତାଙ୍କ ଉତ୍ପାଦକୁ ଅନ୍ୟ ରାଜ୍ୟ ଓ ବିଦେଶକୁ ରପ୍ତାନି କରିବା ପାଇଁ ରାସ୍ତା ସୁଗମ କରାଯାଉ। ଏହା ଦ୍ବାରା ଆମର ବେକାର ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ ଓ ରାଜ୍ୟକୁ ପ୍ରଚୁର ମାତ୍ରାରେ ଟିକସ ମିଳିବ। ପ୍ରଥମେ ଆମ ରାଜ୍ୟରେ ଏକ ବାଣିଜ୍ୟ ମନ୍ତ୍ରୀ ପଦ ସୃଷ୍ଟି କରାଯାଉ। ତା ଅଧୀନରେ ଆମଦାନି ଓ ରପ୍ତାନି ବିଭାଗ କାର୍ଯ୍ୟ କରୁ। ଆମର ବିଭିନ୍ନ ପ୍ରକାର ଉପଯୋଗୀ ବସ୍ତୁର ଉତ୍ପାଦନ ପାଇଁ ଆଗ୍ରହୀ ବ୍ୟକ୍ତି କିମ୍ବା ସଂସ୍ଥାକୁ ଆମନ୍ତ୍ରଣ କରାଯାଉ। ବିନା ରାଜନୈତିକ ବାଧାରେ ସେମାନଙ୍କୁ ଜମି, ଜଳ, ବିଜୁଳି ଆଦି ଯୋଗାଇ ଦିଆଯାଉ। ସେମାନଙ୍କର ଉତ୍ପାଦକୁ ରପ୍ତାନି କରିବା ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବା ଉଚିତ। ଆମର ଶିକ୍ଷାନୁଷ୍ଠାନରୁ ଯେପରି କୌଶଳୀ ଛାତ୍ରଛାତ୍ରୀ ବାହାରି ସେ ସବୁ ସଂସ୍ଥାକୁ ଚଳାଇବେ, ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ପାରଦର୍ଶୀ କରିବାର ଆବଶ୍ୟକତା ରହିଛି। ଭୁବନେଶ୍ବର ପୂର୍ବ ଭାରତର ଏକ ଶିକ୍ଷା ହବ୍ ଭାବେ ଉଭା ହୋଇଛି। ଶିକ୍ଷାଦାନର ଗୁଣାତ୍ମକ ମାନ ବଜାୟ ରଖିଲେ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଅନେକ ଦକ୍ଷ ଛାତ୍ରଛାତ୍ରୀ ବାହାରି ଆମ ମାନବ ସମ୍ବଳକୁ ଉନ୍ନତ କରିବେ।
ଦୂର ଅତୀତରେ ସାଧବ ପୁଅଙ୍କ ଓଡ଼ିଶା ବ୍ୟବସାୟୀମାନଙ୍କ ରାଜ୍ୟ ଥିଲା, ଆଜି କିନ୍ତୁ ଓଡ଼ିଆ ପିଲାମାନେ କେବଳ ଚାକିରିମନସ୍କ। ଅତୀତରେ ଏକ ରପ୍ତାନିକାରୀ ରାଜ୍ୟ ଥିବା ଓଡ଼ିଶା ଆଜି ଏକ ଖାଉଟି ରାଜ୍ୟରେ ପରିଣତ ହୋଇଛି। ଦୀର୍ଘ ୪୮୫ କିଲୋମିଟର ଦୀର୍ଘ ବେଳାଭୂମି, ନଦୀ ନାଳ ଓ ଖଣିଜସମ୍ପଦ ଉପଯୁକ୍ତ ଭାବେ ବିନିଯୁକ୍ତ ହୋଇପାରିଲେ ନାହିଁ। ଅଥଚ ଜଳାଭାବ, ଅନୁର୍ବର ମୃତ୍ତିକା, ଖଣିଜସମ୍ପଦର ଅଭାବ, ବେଳାଭୂମିର ଅନୁପସ୍ଥିତି, ନିଜସ୍ବ ବନ୍ଦରର ଅଭାବ ସତ୍ତ୍ବେ ଅନେକ ରାଜ୍ୟ ଆଜି ଆମଠୁ ବହୁ ଆଗରେ। ତେଣୁ ଯୋଜନାବଦ୍ଧ ଭାବରେ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଓଡ଼ିଶାର ସ୍ବପ୍ନକୁ ସାକାର କରିବାର ସମୟ ଆସିଯାଇଛି।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଭୁବନେଶ୍ବର
ମୋ- ୮୯୧୭୪୨୬୪୪୦