ଧର୍ମାତ୍ମା ବିରାଡ଼ି ଆମେରିକା!

ମିହିର ପ୍ରତାପ ଦାସ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଦୁଇ ମାସ ପୂରିଗଲା। ସମସ୍ତଙ୍କ ଅନୁମାନକୁ ଭୁଲ୍‌ ସାବ୍ୟସ୍ତ କରି ୟୁକ୍ରେନ୍‌ ଦୃଢ଼ ପ୍ରତିରୋଧ ପ୍ରଦର୍ଶନ କରିଛି। ରୁଷିଆ ଦ୍ବାରା ଚୂର୍ଣ୍ଣ ହେବାରେ ଲାଗିଛି ସିନା, ଅଟଳ ଯୁଦ୍ଧ ଜାରି ରଖିଛି ଏବଂ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼ିବାର ସଂକଳ୍ପରେ ୟୁକ୍ରେନ୍‌ ତିଷ୍ଠି ରହିବ ବୋଲି ଜଣାପଡୁଛି। ଏହି ଯୁଦ୍ଧ ପ୍ରାରମ୍ଭ ହେବା ପୂର୍ବରୁ ୟୁକ୍ରେନ୍‌କୁ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବରେ ‘ନାଟୋ’ ଦ୍ବାରା ସାମରିକ ସାହାଯ୍ୟ ମିଳିବ ବୋଲି ଏକ ଆଶା ଦୃଢ଼ ହୋଇଥିଲା। କିନ୍ତୁ ପରିଶେଷ‌େର ସେମିତି ‌େହଲା ନାହିଁ ଏବଂ ୟୁକ୍ରେନ୍‌ ତା’ ନିଜ ଯୁଦ୍ଧ ଏକୁଟିଆ ନିଜେ ହିଁ ଲଢୁଛି।

ଏହି ପରିପ୍ରେକ୍ଷୀରେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ବର୍ତ୍ତମାନ ସୁଦ୍ଧା ପରିଗଣିତ ହେଉଥିବା ଆମେରିକା ତା’ର ନିର୍ଭରଯୋଗ୍ୟତା ହରାଇ ବସିଛି। କାରଣ ଗଲା ବର୍ଷ ଆଫଗାନିସ୍ତାନକୁ ମଧ୍ୟ ଅସହାୟ ଭାବେ ଛାଡ଼ି ଆମେରିକା ପଳାୟନ କଲା, କିନ୍ତୁ ଦୁର୍ଭାଗ୍ୟ, ଆଫଗା‌ନିସ୍ତାନ ସରକାର ୟୁକ୍ରେନ୍‌ ଭଳି ନିଜ ଯୁଦ୍ଧ ନିଜେ ଲଢ଼ି ନ ପାରି ଆତ୍ମସମର୍ପଣ କରିଦେଲେ। ସମସ୍ତଙ୍କର ମନେ ଥିବ କିଭଳି ୨୦୦୦ ମସିହାରେ ମୌଳବାଦୀ ଆତଙ୍କବାଦୀ ଶାସକ ତାଲିବାନକୁ ନିର୍ମୂଳ କରି ଗଣତନ୍ତ୍ର ସ୍ଥାପନ କରିବାର ଦମ୍ଭୋକ୍ତି ସହିତ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା। ସେହି ଆକ୍ରମଣରେ ତାଲିବାନଙ୍କ ପଳାୟନ କାରଣରୁ ହଠାତ୍‌ ଲାଗିଲା ସତେ ଯେମିତି ଆମେରିକାର ଉଦ୍ଦେଶ୍ୟ ସଫଳ ହେବାକୁ ଯାଉଛି। କିନ୍ତୁ, ଦେଖାଗଲା ଯେ ଦୁଇ ଦଶନ୍ଧି ପରେ ଆମେରିକା ଦ୍ବାରା ସ୍ଥାପିତ ଗଣତନ୍ତ୍ର ଆଫଗାନିସ୍ତାନରେ ଅତ୍ୟନ୍ତ କୋମଳ ଅବସ୍ଥାରେ ଥିବା ବେଳେ ପୁନର୍ବାର ସେଠାକାର ଶାସନକୁ ତାଲିବାନ ହାତରେ ପ୍ରାୟ ସମର୍ପି ଦେଇ ସ୍ବଦେଶକୁ ବାହୁଡ଼ି ଗଲା।

ସତ କହିଲେ, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଗତି ଓ ପ୍ରକୃତିକୁ ଯିଏ ଅନୁଧ୍ୟାନ କରିଛି ସେ ହୃଦୟଙ୍ଗମ କରିପାରିବ ଯେ ଆମେରିକା ବିଭିନ୍ନ ସମୟରେ ଅନ୍ୟ ରାଷ୍ଟ୍ରର ବ୍ୟାପାରରେ ମୁଣ୍ଡ ପୂରାଇଥାଏ, ଅଯଥା ଆସ୍ଫାଳନ କରିଥାଏ, ଯୁଦ୍ଧ ଘଟାଇ ନରସଂହାରର କାରଣ ହୋଇଥାଏ; କିନ୍ତୁ କ୍ବଚିତ୍‌ ନିଜ ଉଦ୍ଦେଶ୍ୟରେ ସଫଳ ହୋଇଥାଏ। ଉଦାହରଣ ସ୍ବରୂପ ଗଲା ଶତାବ୍ଦୀର ପଞ୍ଚମ ଦଶକରେ କ୍ୟୁବାରେ ହସ୍ତକ୍ଷେପ। କ୍ୟୁବାର କିଂବଦନ୍ତୀୟ ନେତା ଫିଡେଲ୍‌ କା‌େଷ୍ଟ୍ରା ଏକ ସଫଳ ବିଦ୍ରୋହ ସଂଘଟିତ କରି ସେହି କ୍ଷୁଦ୍ର ଦ୍ବୀପ ଦେଶକୁ ଏକ କମ୍ୟୁନିଷ୍ଟ ଦେଶରେ ପରିଣତ କଲେ। ସେହି କ୍ରମରେ ରୁଷିଆ ସହିତ କ୍ୟୁବାର ଘନିଷ୍ଠତା ବଢ଼ିଲା। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଲାଗି ଏହା ଚକ୍ଷୁଶୂଳ ହେଲା। ତେଣୁ ଆମେରିକା ତା’ର ଗୁଇନ୍ଦା ସଂସ୍ଥା ସିଆଇଏ ଜରିଆରେ କ୍ୟୁବା ବ୍ୟାପାରରେ ମୁଣ୍ଡ ପୂରାଇଲା ଏବଂ କା‌େଷ୍ଟ୍ରାଙ୍କୁ ଗାଦିଚ୍ୟୁତ କରିବା ଲାଗି ବ୍ୟାପକ ଯୋଜନା କଲା। କା‌େଷ୍ଟ୍ରାଙ୍କୁ ହତ୍ୟା କରିବାର ଅନେକ ଉଦ୍ୟମ ବିଫଳ ହେଲା। ୧୯୬୦ରେ କା‌େଷ୍ଟ୍ରାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକ ଯୁଦ୍ଧ ହେଲା। କିନ୍ତୁ କା‌େଷ୍ଟ୍ରା ଥିଲେ ଅଦମନୀୟ। ‘ବେ ଅଫ୍‌ ପିଗ୍’ ନିକଟରେ ହୋଇଥିବା ଘମାଘୋଟ ସଂଘର୍ଷରେ ଆମେରିକା ପରିଶେଷରେ ବିଫଳ ମନୋରଥ ହେଲା। ଫିଡେଲ୍‌ କା‌େଷ୍ଟ୍ରା ଏକ ଦୀର୍ଘକାଳ ଧରି ମୃତ୍ୟୁ ପର୍ଯ୍ୟନ୍ତ କ୍ୟୁବାର ଶାସକ ହୋଇ ରହିଲେ। କେବଳ ଏତିକି ହେଲା ଯେ ଅନ୍ୟ ଦେଶର ବ୍ୟାପାରରେ ମୁଣ୍ଡ ପୂରାଇ ଆମେରିକା ବଦ୍‌ନାମ ମୁଣ୍ଡାଇଲା।

କେବଳ କ୍ୟୁବା ନୁହେଁ, ଭିଏତ୍‌ନାମରେ ମଧ୍ୟ ୨୧ ବର୍ଷ ଧରି ଆମେରିକା ଏକ ହୃଦୟବିଦାରକ ଯୁଦ୍ଧରେ ବ୍ୟାପୃତ ରହି ରକ୍ତର ନଦୀ ବୁହାଇଥିଲା। ୧୯୫୮ ମସିହାରେ ଭିଏତ୍‌ନାମକୁ ଫରାସୀ ଉପନିବେଶରୁ ମୁକ୍ତି ମିଳିଲା। ତା’ ପରେ ଉତ୍ତର ଭିଏତ୍‌ନାମ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ହେବାରୁ ଦକ୍ଷିଣ ଭିଏତ୍‌ନାମରେ ମଧ୍ୟ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହେଲା। ସେତିକି ବେଳେ ଆମେରିକା ଏହି ସୁଦୂର କ୍ଷୁଦ୍ର ଏସୀୟ ରାଷ୍ଟ୍ରର ବ୍ୟାପାରରେ ବି ମୁଣ୍ଡ ପୂରାଇଲା ଓ କମ୍ୟୁନିଷ୍ଟ ଉଦ୍ୟମକୁ ପ୍ରତିରୋଧ କରିବା ଲାଗି ସୈନ୍ୟବାହିନୀ ପ୍ରେରଣ କଲା। ଏହି ଯୁଦ୍ଧ ଚାଲିଲା ୧୯୭୫ ମସିହା ପର୍ଯ୍ୟନ୍ତ। ଯୁଦ୍ଧ ଏଭଳି କରାଳ ରୂପ ଧାରଣ କଲା ଯେ ଭିଏତ୍‌ନାମକୁ ‘କିଲିଂ ଫିଲ୍‌ଡ୍‌ସ’ ବା ‘ବଧ ଭୂମି’ ବୋଲି କୁହାଗଲା। ପରିଶେଷରେ ଆମେରିକାର ଅଯଥା ହସ୍ତକ୍ଷେପ ଓ ଯୁଦ୍ଧର ବର୍ବରତା ସାରା ବିଶ୍ବରେ ଭୀଷଣ ପ୍ରତିବାଦକୁ ଜନ୍ମ ଦେଲା। ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟ ନାଗରିକମାନେ ଏଭଳି ଏକ ଅଯଥା ଯୁଦ୍ଧ ବିରୋଧରେ ବିରାଟ ବିକ୍ଷୋଭମାନ ପ୍ରଦର୍ଶନ କଲେ। ଆମେରିକା ସରକାର ବାଧ୍ୟ ହୋଇ ସେନାବାହିନୀକୁ ପ୍ରତ୍ୟାହାର କଲେ। ଏଥର ମଧ୍ୟ ଆମେରିକା ଅଯଥା ଦାଦାଗିରିର ଅପଖ୍ୟାତି ମୁଣ୍ଡାଇଲା। ସେମିତି ଗଲା ନବମ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ଇରାକ୍‌ ଉପରେ ଆକ୍ରମଣ କଲା। ଆମେରିକାର ଅଭିଯୋଗ ଥିଲା ଯେ ଇରାକ୍‌ର ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ ‌ନିଜ ଦେଶରେ ଗଣବିଧ୍ବଂସକାରୀ ଅସ୍ତ୍ରଶସ୍ତ୍ର ଠୁଳ କରି ରଖିଛନ୍ତି।

ଏହି ଆକ୍ରମଣରେ ଇରାକ୍‌ ବିଧ୍ବସ୍ତ ହେଲା; ସଦ୍ଦାମ ହୁସେନଙ୍କୁ ଧରି ଆମେରିକା ଫାଶୀ ଖୁଣ୍ଟରେ ଝୁଲାଇ ଦେଲା, ତା’ ପରେ ଇରାକ୍‌ ‘ଆଇଏସ୍‌ଆଇଏସ୍‌’ ଆତଙ୍କବାଦୀଙ୍କ କବଳିତ ହେଲା। କିନ୍ତୁ ଗଣବିଧ୍ବଂସୀ ଅସ୍ତ୍ରର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଏହାର ଅର୍ଥ ଆମେରିକା ଏକ ମିଛ ଆରୋପ ଲଗାଇ ନିଜ ମିତ୍ର ଆରବ ରାଷ୍ଟ୍ରଗୁଡ଼ିକୁ ଖୁସି କରିବା ଲାଗି ଏଭଳି କାର୍ଯ୍ୟ କରିଥିଲା। ଏଭଳି ଆହୁରି ‌ଅନେକ ଛୋଟମୋଟ ଉଦାହରଣ ରହିଛି ଯେଉଁଠି ଆମେରିକା ଅଯଥାରେ ଅନ୍ୟ ଦେଶ ବ୍ୟାପାରରେ ହସ୍ତକ୍ଷେପ କରିଛି ଏବଂ ସାର୍ବଭୌମ ଦେଶ ଉପରେ ଆକ୍ରମଣ କରିଛି।ଅବଶ୍ୟ, ଏହା ସତ ଯେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ନିନ୍ଦନୀୟ ଏବଂ ଏହା ଅସହନୀୟ ମାନବୀୟ ଟ୍ରାଜେଡି ମଧ୍ୟ ସୃଷ୍ଟି କରିଛି। କିନ୍ତୁ ଏହି ପରିପ୍ରେକ୍ଷୀରେ ରୁଷିଆର ଏଭଳି ନିର୍ଦ୍ଦୟ ଓ ବର୍ବର ଆକ୍ରମଣକୁ ଯୁକ୍ତରାଷ୍ଟ୍ର ଆମେରିକା ନିନ୍ଦା କରୁଥିବା ବେଳେ ଯେଉଁ କଥାଟି ମନେ ପଡ଼େ, ତାହା ହେଲା ଶହେ ମୂଷା ଖାଇ ବିରାଡ଼ି ସତେ ଯେମିତି ହଜ୍‌ରେ ବାହାରିଛି!
ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର