ସମାବେଶୀ ଅଭିବୃଦ୍ଧିର ଭବ୍ୟ ଭ୍ରମ

ଅରୁଣ ସିହ୍ନା

ଭାରତରେ ଖାଦ୍ୟ ରିହାତି ଦେଶରୁ ଉତ୍କଟ ଦାରିଦ୍ର୍ୟକୁ ଦୂରେଇଦେଇଛି ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ଯୁକ୍ତି ଭୀଷଣ ଭାବରେ ତ୍ରୁଟିପୂର୍ଣ୍ଣ। ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପାଇଁ ଅନ୍ୟ ଦୁଇ ଜଣ ଅର୍ଥନୀତିଜ୍ଞଙ୍କ ସହ ଭାଲ୍ଲା କରିଥିବା ଅଧ୍ୟୟନରୁ ସେ ଏପରି ନିର୍ଯାସ ବାହାର କରିଛନ୍ତି। ଗରିବମାନଙ୍କର ଭୋକିଲା ପେଟର ଭରଣା କରିବା ଦ୍ବାରା ଦାରିଦ୍ର୍ୟର ମୂଳୋତ୍ପାଟନ ହୋଇଛି ବୋଲି ସେ ଆମକୁ ବିଶ୍ବାସ କରାଇବା ପାଇଁ ଚେଷ୍ଟା କରିଛନ୍ତି। କୋଭିଡ୍‌ ସଂକ୍ରମଣ ବେଳେ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ଓ ରିହାତି ଦରରେ ସରକାର ଯୋଗାଇ ଦେଇଥିବା ଖାଦ୍ୟସାମଗ୍ରୀକୁ ଭିତ୍ତି କରି ଭାଲ୍ଲା ମହାଶୟ ଏବଂ ତାଙ୍କ ଦଳ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେହି ସବୁ ମାସଗୁଡ଼ିକରେ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା, କାର୍ଯ୍ୟସ୍ଥଳୀଗୁଡ଼ିକ ବନ୍ଦ ଥିଲା ଏବଂ କର୍ମଜୀବୀମାନେ କୌଣସି ପ୍ରକାର ରୋଜଗାର ବିନା ଘରେ ରହିବାକୁ ବାଧ୍ୟ ହୋଇଥିଲେ। ରିହାତି ଦର ସାଙ୍ଗକୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇବାର ଉଦ୍ଦେଶ୍ୟ ଥିଲା ଗରିବ ପରିବାରଗୁଡ଼ିକୁ ଯଥେଷ୍ଟ ଖାଦ୍ୟ ଉପଲବ୍‌ଧ କରାଇବା। ଗରିବମାନଙ୍କୁ ଅନାହାରରୁ ମୁକୁଳାଇବା ପାଇଁ ଏହା ଏକ ପ୍ରକାର ସାମୟିକ ବନ୍ଦୋବସ୍ତ, ଯାହା ଏକ ଅସାଧାରଣ ପରିସ୍ଥିତିରେ ସରକାରଙ୍କର ଏକ ପ୍ରକାର ଅସାଧାରଣ ପ୍ରତିକ୍ରିୟା ଥିଲା। ମାତ୍ର ତାହା ଦାରିଦ୍ର୍ୟର କୌଣସି ଚିରସ୍ଥାୟୀ ସମାଧାନ ନୁହେଁ। ଏପରିକି ମୋଦୀ ସରକାରଙ୍କ ଭାଷାରେ ‘ଏପରି କରାଗଲା ଯଦ୍ଦ୍ବାରା କୌଣସି ଭାରତୀୟ ଉପବାସରେ ଶୋଇବେ ନାହିଁ।’

ଦାରିଦ୍ର୍ୟ ଦୂରୀକରଣର ଚିରସ୍ଥାୟୀ ସମାଧାନ ଏପରି ମାଗଣା ଖାଦ୍ୟ ଯୋଗାଣ ନୁହେଁ, ବରଂ ଉତ୍ତମ ରୋଜଗାର ସହ କର୍ମ ସଂସ୍ଥାନ ଉପଲବ୍‌ଧ କରାଯିବା ଉପରେ ନିର୍ଭର କରେ। ନିଜ ପରିବାରର ଉଭୟ ଖାଦ୍ୟ ଓ ଅଣଖାଦ୍ୟ ଚାହିଦା ପୂରଣ ପାଇଁ ଗରିବର ଅର୍ଥ ଦରକାର। ସେମାନଙ୍କର କେବଳ ପେଟ ଭରଣା କରିବା ଯଥେଷ୍ଟ ନୁହେଁ। କୋଭିଡ୍‌ ସମୟରେ ସରକାର ଯେତେବେଳେ ଲୋକମାନଙ୍କର ମୌଳିକ ଖାଦ୍ୟ ପଦାର୍ଥ ଆବଶ୍ୟକତା ପାଇଁ ଚାଉଳ ଓ ଗହମ ଯୋଗାଉଥିଲେ, ସେତେବେଳେ ଗରିବମାନେ ରୋଷେଇ ପାଇଁ ତେଲ, ଅନ୍ୟାନ୍ୟ ପନିପରିବା ଓ ଜାଳେଣି ସମେତ ଔଷଧ ଓ ପୋଷାକପତ୍ର ପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅର୍ଥର ଆବଶ୍ୟକତା ରହିଥିଲା। କେତେକ ଗରିବ ଲୋକ ସେମାନଙ୍କର ମାଗଣା ଖାଦ୍ୟ ସାମଗ୍ରୀରୁ କିଛି କିଛି ସ୍ଥାନୀୟ ଦୋକାନୀଙ୍କୁ ବିକି କିଛି ପରିମାଣର ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ହେଉଥିଲା। ମାତ୍ର ସେତିକି ଟଙ୍କା ସେମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନ ଥିଲା। ସରକାର ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ନ କଲା ଯାଏ ଦାରିଦ୍ର୍ୟ ଦୂରୀକରଣ ହୋଇପାରିବ ନାହିଁ। ତାହା ବଦଳରେ ଆମେ କ’ଣ ଦେଖୁଛନ୍ତି? ଏପରିକି କୃଷିକ୍ଷେତ୍ରରେ କାର୍ଯ୍ୟ ନ ଥିଲା ସମୟରେ ଶ୍ରମଜୀବୀମାନେ ବର୍ତ୍ତିଯିବା ଉଦ୍ଦେଶ୍ୟରେ ସେମାନଙ୍କୁ ମନରେଗା ଯୋଜନାରେ ଅଣଋତୁକାଳୀନ କର୍ମସଂସ୍ଥାନ ଯୋଗାଇ ଦିଆଯାଉଛି। ୟୁପିଏ ଓ ଏନ୍‌ଡିଏ ସରକାରଙ୍କ ଅମଳରେ ଜାରି ରହିଥିବା ଏହି ଯୋଜନା କେବଳ ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଆଶ୍ବସ୍ତି ଦେଉଛି, ମାତ୍ର ତାହା ନିୟମିତ କର୍ମନିଯୁକ୍ତି ନୁହେଁ।

କୃଷି ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ବୃଦ୍ଧି ହେଉନାହିଁ। ସାର୍ବଜନୀନ କ୍ଷେତ୍ରରେ ସରକାର ଚାକିରି ସଂଖ୍ୟା ସଂକୁଚିତ କରିଦେଲେଣି। ଅଧିକରୁ ଅଧିକ ସରକାରୀ ଉଦ୍ୟୋଗ ଘରୋଇ ସଂସ୍ଥାକୁ ବିକ୍ରି କରି ଦିଆଯାଉଛି। ସତେ ଯେପରି ସରକାରଙ୍କ ମନ୍ତ୍ର ହେଲା, ‘ବେପାର କରିବା ସରକାରଙ୍କ ବ୍ୟାପାର ନୁହେଁ।’ ଆଗରୁ ସରକାର ବିଭିନ୍ନ ବିଭାଗ ଦ୍ବାରା ସଂପନ୍ନ ହେଉଥିବା ଅନେକ କାର୍ଯ୍ୟ ବାହାରକୁ ଠିକା ଭାବେ ଦେଇ (ଆଉଟ୍‌ସୋର୍ସିଂ) କରୁଛନ୍ତି। ଅର୍ଥାତ୍‌ ସାର୍ବଜନୀନ ନିଯୁକ୍ତି ସଂକୁଚିତ ହୋଇଚାଲିଛି।
ସରକାରଙ୍କ ଅଧିକରୁ ଅଧିକ ଘରୋଇକରଣର ଅବଧାରଣା ହେଲା ଚାକିରି ଆଶାୟୀଙ୍କୁ କେବଳ ବେସରକାରୀ ସଂସ୍ଥା ହିଁ ନିଯୁକ୍ତି ଯୋଗାଇପାରିବେ। ମାତ୍ର ତାହା ଧୀରେ ଧୀରେ ମିଛ କାହାଣୀ ପାଲଟିବାରେ ଲାଗିଛି। କାରଣ ଘରୋଇ ସଂସ୍ଥାଗୁଡ଼ିକ ଶ୍ରମ ନିଯୁକ୍ତିକୁ ପ୍ରାଧାନ୍ୟ ନ ଦେଇ ଶ୍ରମିକ ଝାମେଲାରୁ ମୁକ୍ତ ରହିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ତେଣୁ ସରକାର ଲୋକଙ୍କୁ ରିହାତି ଯୋଗାଇ ଏବଂ ଘରୋଇ କ୍ଷେତ୍ର ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବ ବୋଲି ସେମାନଙ୍କୁ ସ୍ବପ୍ନ ବିକ୍ରି କରିବା ପୂର୍ବକ ଘରୋଇକରଣକୁ ପ୍ରୋତ୍ସାହିତ କରି ଚାଲିଛନ୍ତି। ଏତିକି ବେଳେ ସେହି ଘରୋଇ ଉଦ୍ୟୋଗମାନ ସାର୍ବଜନୀନ ସମ୍ବଳର ସମସ୍ତ ସୁବିଧା ସୁଯୋଗ ହାସଲ କରି କମ୍‌ରୁ କମ୍‌ ନିଯୁକ୍ତି ସୃଷ୍ଟି କରିବାରେ ମାତିଛନ୍ତି। ଲୋକଙ୍କ ନିଯୁକ୍ତିକୁ ଏଡ଼ାଇବା ପାଇଁ ସେମାନେ ଅଧିକରୁ ଅଧିକ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରୁଛନ୍ତି। ଏକ ସଦ୍ୟ ଅନୁଧ୍ୟାନର ରିପୋର୍ଟ ଅନୁସାରେ, ଅଧିକରୁ ଅଧିକ ଭାରତୀୟ କଳକାରଖାନାରେ ମାନବ ସମ୍ବଳ ଉପରେ ନିର୍ଭରଶୀଳତା କମାଇବା ଲାଗି ଦ୍ରୁତ ଗତିରେ ରୋବଟ୍‌, କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ) ଏବଂ ସବୁ ସାଧନକୁ ଇଣ୍ଟରନେଟ୍‌ରେ ଯୋଡ଼ିବା (ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ) ପରି ଅତ୍ୟାଧୁନିକ ମାଧ୍ୟମ ଆପଣେଇବାରେ ଲାଗିଛନ୍ତି। ଭାରତୀୟ କମ୍ପାନିମାନଙ୍କର ରୋବଟ୍‌ ଚାହିଦା ଭୀଷଣ ଭାବରେ ବଢ଼ିଚାଲିଛି। ବାର୍‌ କୋଡ୍‌ ମାଧ୍ୟମରେ ବିଭିନ୍ନ ଯନ୍ତ୍ରଗୁଡ଼ିକୁ ଚାଳନା କରାଯାଉଛି ଏବଂ କାରଖାନାରୁ ସଂପୂର୍ଣ୍ଣ ଉତ୍ପାଦଗୁଡ଼ିକ ରୋବଟ୍‌ ଦ୍ବାରା ଗୋଦାମ ଘରକୁ ନିଆଯାଉଛି।

ଭାରତୀୟ କମ୍ପାନିମାନେ କରୁଥିବା ଅନ୍ୟ କାର୍ଯ୍ୟଟି ହେଲା, ଯଥା ସମ୍ଭବ କାର୍ଯ୍ୟକୁ ବାହାରେ ଠିକା ମାଧ୍ୟମରେ କରାଇବା। ଏହା ଦ୍ବାରା କାରଖାନା ପରିସରରେ କୌଣସି ଝାମେଲାଝାଟି ନ ରହି ତାହା ଯୋଗାଣକାରୀ, ଠିକାଦାର ଓ ବିକ୍ରେତାଙ୍କ ଭିତରେ ହିଁ ସମାହିତ ହେଉଛି। ଯେଉଁଠି ନିହାତି ଲୋକଙ୍କୁ ନିଯୁକ୍ତ କରିବା ଦରକାର, ସେଠି ସେମାନେ ତାହା ଚୁକ୍ତି ଭିତ୍ତିରେ କରୁଛନ୍ତି, ଯଦ୍ଦ୍ବାରା ଆର୍ଥିକ ଫାଇବା ଉପରେ କମ୍ପାନି କର୍ତ୍ତୃପକ୍ଷଙ୍କ ପ୍ରଭୁତ୍ବ ରହୁଛି। ଶ୍ରମ ସଂସ୍କାର ଆଳରେ ନିଯୁକ୍ତିଦାତାଙ୍କୁ ଅଧିକ ସଶକ୍ତ କରିବାରେ ଘରୋଇକରଣକୁ ସମର୍ଥନ କରୁଥିବା ସରକାର ସହାୟକ ହୋଇଛନ୍ତି। ତେଣୁ ଦେଶରେ ସଂପ୍ରତି ଏଭଳି ପରିସ୍ଥିତି ହୋଇଛି ଯେଉଁଠି ଖୁବ୍‌ କମ୍‌ ସଂଖ୍ୟକ ପଦ ପାଇଁ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଚାହି ରହିଛନ୍ତି। ଏଭଳି ପ୍ରତିଦ୍ବନ୍ଦ୍ବିତାରେ ଗରିବ ପୃଷ୍ଠଭୂମିରୁ ଆସିଥିବା ଆଶାୟୀମାନେ ଅପେକ୍ଷାକୃତ ସୌଭାଗ୍ୟଶାଳୀ ପରିବାରରୁ ଆସିଥିବା ଆଶାୟୀମାନଙ୍କୁ ଟପିଯିବା କଷ୍ଟସାଧ୍ୟ ହେଉଛି। ଆଜିକାଲି ଉତ୍ତମ ଚାକିରିଟିଏ ପାଇଁ ନିର୍ଦ୍ଦିଷ୍ଟ ସ୍ତରର ଶିକ୍ଷା, କୌଶଳ ଓ ସାଂସ୍କୃତିକ ମାର୍ଜନର ଆବଶ୍ୟକତା ରହିଛି ଯାହା ଦରିଦ୍ର ପୃଷ୍ଠଭୂମିର ଚାକିରି ଆଶାୟୀଙ୍କ ଠାରେ ଅଭାବ ଥାଏ।

ଉଚ୍ଚ ମାନର ବୈଷୟିକ ଜ୍ଞାନକୌଶଳ ବା କମ୍ପ୍ୟୁଟର ପରିଚାଳନା ଭଳି କାରଣରୁ ଘରୋଇ କଂପାନିଗୁଡ଼ିକ ଉଚ୍ଚତର ଦକ୍ଷତା ସଂପନ୍ନ ମାନବ ସମ୍ବଳ ଆବଶ୍ୟକ କରୁଛନ୍ତି। ଏପରି ସ୍ଥଳେ ବିତ୍ତଶାଳୀ ପରିବାରରୁ ଆସିଥିବା ଆଶାୟୀଙ୍କ ତୁଳନାରେ ଗରିବ ପରିବାରର ଆଶାୟୀମାନେ ଢେର ପଛରେ ପଡ଼ିଛନ୍ତି। କାରଣ ସେଭଳି ଶିକ୍ଷା ଓ ଜ୍ଞାନକୌଶଳ ଆପଣେଇବାରେ ଗରିବ ଆଶାୟୀମାନେ ଅନେକ ପ୍ରତିକୂଳ ସାମାଜିକ ତଥା ଆର୍ଥିକ ପରିସ୍ଥିତି ତଥା ବିଭେଦର ଶିକାର ହୋଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ବିଗତ ନବେ ଦଶକରୁ ଭାରତର ଅଭିବୃଦ୍ଧି ହାର ଉଚ୍ଚତର ହୋଇ ଆସୁଥିବା ବେଳେ ତାହା ଦରିଦ୍ର ପୃଷ୍ଠଭୂମିର ସଂଖ୍ୟାଧିକ ଯୁବ ମହିଳା ଓ ପୁରୁଷଙ୍କ ଜୀବନରେ ରୂପାନ୍ତରିତ ହୋଇପାରିନାହିଁ। ଏ ପ୍ରକାର ଆର୍ଥିକ ଅଭିବୃଦ୍ଧି ସମାଜର ଉଚ୍ଚବିତ୍ତ ଓ ନିମ୍ନବିତ୍ତ ମଧ୍ୟରେ ରହିଥିବା ଫାଟକୁ ବେଶୀ ବେଶୀ ପ୍ରାଞ୍ଜଳ କରିଚାଲିଛି। ଆର୍ଥିକ ଅଭିବୃଦ୍ଧିରେ ମଧ୍ୟବିତ୍ତମାନଙ୍କ ସଂଖ୍ୟା ବଢ଼ିଥିବା ବେଳେ ଲୋକସଂଖ୍ୟାର ସିଂହଭାଗ ଅଧିକାର କରିଥିବା ନିମ୍ନବିତ୍ତମାନେ ସେଥିରେ ଅନ୍ତର୍ଭୁକ୍ତ ନାହାନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦୀ ସରକାରଙ୍କ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ’ ମନ୍ତ୍ର ଏକ ମାୟା ଜାଲ ଛଡ଼ା ଅନ୍ୟ କିଛି ଜଣାପଡୁନାହିଁ। ଯଦିଓ ଆର୍ଥିକ ଅଭିବୃଦ୍ଧି ହେଉଛି, ସମାବେଶୀ ଅଭିବୃଦ୍ଧି ଘଟୁନାହିଁ।
ଅଶୀ କୋଟି ଲୋକଙ୍କୁ ୫ କେଜି ଲେଖାଏଁ ମାଗଣା ଖାଦ୍ୟସାମଗ୍ରୀ ଯୋଗାଇ ଦେଲେ ତାହା ସମାବେଶୀ ଅଭିବୃଦ୍ଧି ହେବନାହିଁ। ତାହା ସମ୍ଭବ ହେବ ଯେତେବେଳେ ଦରିଦ୍ର ପୃଷ୍ଠଭୂମିର ଯୁବ ମହିଳା ଓ ପୁରୁଷମାନଙ୍କୁ ଦାରିଦ୍ର୍ୟ ଖାଲରୁ ଉଠିବା ପାଇଁ ସୁଯୋଗ ଦେଉ ନ ଥିବା ଗଭୀର ସାମାଜିକ ଓ ଆର୍ଥିକ ପ୍ରଭେଦ ଉପରେ ଆକ୍ରମଣ ହେବ। ସେଭଳି ପ୍ରଭେଦ ଏବେ ଆନୁଷ୍ଠାନିକ ହୋଇ ଗଲାଣି। ତଳ ସ୍ତରରେ ଥିବା ପ୍ରତିବନ୍ଧ ନ ହଟିଲା ଯାଏ ଗରିବମାନଙ୍କ ଜୀବନଧାରଣରେ ଉନ୍ନତି ହେବାର ସମ୍ଭାବନା କମ୍‌ ଏବଂ ସମାବେଶୀ ଅଭିବୃଦ୍ଧି ମଧ୍ୟ ହେବ ନାହିଁ। ତେବେ ଏହା କିପରି ଘଟିବ ସେ ନେଇ ସୁରଜିତ୍‌ ଭାଲ୍ଲାମାନଙ୍କ ଠାରେ ଗରିବମାନେ ଉପାୟ ଖୋଜୁଛନ୍ତି।
[email protected]

ସମ୍ବନ୍ଧିତ ଖବର