ଋଷି ସୁନକ ଗତ ୨୦୨୨ଅକ୍ଟୋବର ୨୫ ତାରିଖରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ। ସେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଅେନକ ବ୍ୟକ୍ତି ଏହା ଦେଖି କହିଲେ ଯେ ଇତିହାସର ଚକ ଘୂରିଗଲା; କାରଣ ଦୀର୍ଘ ଅଢ଼େଇ ଶହ ବର୍ଷ ଭାରତକୁ ପଦାନତ କରି ରଖିଥିବା ବ୍ରିଟିସ ଜାତିକୁ ଶାସନ କଲେ ଜଣେ ଭାରତୀୟ ମୂଳୋଦ୍ଭବ। ଅନେକ କହିଲେ ଏହା ହେଉଛି ଗଣତନ୍ତ୍ରର କିମିଆ। ତେବେ, ସେ ଯାହା ହେଉ, ଏଭଳି ଘଟଣାଗୁଡ଼ିକୁ ବିଦେଶ ମାଟିରେ ଭାରତୀୟ ମୂଳୋଦ୍ଭବଙ୍କ ଚମକପ୍ରଦ ପ୍ରଦର୍ଶନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅନେକ ଜାଣନ୍ତି ଯେ ଋଷି ସୁନକଙ୍କର ପିତାମହଙ୍କ ପରିବାର ବ୍ରିଟିସ ଶାସିତ ପୂର୍ବ ଅାଫ୍ରିକାକୁ ଚାଲିଯାଇଥିଲେ। କିନ୍ତୁ ତାଙ୍କ ବାପା ଯଶବୀର ସୁନକ ଓ ତାଙ୍କ ମା’ ଇଂଲାଣ୍ଡରେ ବସବାସ କଲେ। ଋଷି ସୁନକ ଉଚ୍ଚ ଶିକ୍ଷା ପରେ ରାଜନୀତିରେ ପ୍ରବେଶ କରି ଶୀଘ୍ର ସଫଳ ହୋଇପାରିଲେ। କେବଳ ସେତିକି ନୁହେଁ, ବିବାହ ଦ୍ବାରା ମଧ୍ୟ ଭାରତ ସହିତ ତାଙ୍କ ସଂପର୍କ ଅଧିକ ଦୃଢ଼ ହୋଇଛି, କାରଣ ସେ ‘ଇନଫୋସିସ’ର ପ୍ରତିଷ୍ଠାତା ଏନ. ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ। କେବଳ ସେ ନୁହନ୍ତି ଇଂଲାଣ୍ଡର ପଡ଼ୋଶୀ ଏବଂ ୟୁନାଇଟେଡ୍ କିଙ୍ଗଡମ୍ ବା ୟୁ.କେ.ର ଅଂଶ ଆୟର୍ଲାଣ୍ଡର ଶାସନ ମୁଖ୍ୟ ମଧ୍ୟ ଜଣେ ଭାରତୀୟ ମୂଳୋଦ୍ଭବ। ତାଙ୍କ ନାମ ହେଉଛି ଲିୟୋ ବରାଡ଼କର। ତାଙ୍କର ବାପା ଅଶୋକ ବରାଡ଼କର ଏବର ମୁମ୍ବାଇ ଓ ତତ୍କାଳୀନ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ। ନବମ ଦଶକରେ ସେ ଇଂଲାଣ୍ଡରେ ବାସ କରିବାକୁ ଯାଇଥିଲେ। ଲିଓ ତାଙ୍କ ମେଡିକାଲ ଶିକ୍ଷା ଭାରତରେ ସମାପ୍ତ କରିଛନ୍ତି। ଏହାର ଅର୍ଥ ଭାରତ ସହିତ ତାଙ୍କ ସଂପର୍କ ନିକଟ ଅତୀତ ପର୍ଯ୍ୟନ୍ତ ରହିଥିଲା। ତାଙ୍କ ସଂପ୍ରସାରିତ ପରିବାରର ସଦସ୍ୟମାନେ ଭାରତରେ ଅଛନ୍ତି।
ସେହି ଭଳି ଆଉ ଜଣେ ହେଲେ ପୃଥିବୀର ସର୍ବାଧିକ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଅାମେରିକାର ଉପରାଷ୍ଟ୍ରପତି କମଳା ହାରିସ। ତାଙ୍କ ମାତାଙ୍କ ପଟୁ ସେ ଜଣେ ଭାରତୀୟ ମୂଳଜ।
ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ର ମରିସସ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ପୃଥିବୀ ପ୍ରସିଦ୍ଧ। ଏହା ହେଉଛି ଏକ ହିିନ୍ଦୁ ବହୁଳ ରାଷ୍ଟ୍ର ଏବଂ ଏହାର ରାଷ୍ଟ୍ରପତି ପୃଥ୍ବୀରାଜ ରୁପନ ଜଣେ ଭାରତୀୟ ମୂଳୋଦ୍ଭବ। ଗତ ଚାରି ବର୍ଷ ଧରି ସେ ଏହି ଦାୟିତ୍ୱରେ ଅଛନ୍ତି। ସେଠାକାର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ଜଣେ ହିନ୍ଦୁ ଯଦୁବଂଶୀ ଓ ଭାରତୀୟ ବଂଶଜ। ତାଙ୍କ ପିତା ଅନିରୁଦ୍ଧ ଜୁଗନାଥ ମଧ୍ୟ ମରିସସର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ହୋଇଥିଲେ। ସେଇଭଳି ୧୧୫ଟି ଦ୍ୱୀପକୁ ନେଇ ଗଠିତ ଦେଶ ସୈସେଲ୍ସର ରାଷ୍ଟ୍ରପତି ୱାଭେଲ ରାମକାଲନ ମଧ୍ୟ ହେଉଛନ୍ତି ଜଣେ ଭାରତୀୟ ମୂଳୋଦ୍ଭବ, ଯାହାଙ୍କ ପୂର୍ବଜମାନେ ତିନି ପୁରୁଷ ପୂର୍ବରୁ ଯାଇ ସେଠାରେ ବସବାସ କରିଥିଲେ।
ପର୍ତ୍ତୁଗାଲର ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ଶରୀରରେ ଭାରତୀୟ ଶୋଣିତ ପ୍ରବାହିତ। ସେମାନେ ହେଲେ ଅାଲଫ୍ରେଡୋ ନୋବ୍ରେ ଡା କୋଷ୍ଟା ଓ ଅଣ୍ଟୋନିଓ କୋଷ୍ଟା। ସେମିତି ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ହେଲେ ମହମଦ ମହାଥିର। ୧୯୮୧ ଠାରୁ ୨୦୦୩ ଓ ୨୦୧୮ ଠାରୁ ୨୦୨୧ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କୁ ଆଧୁନିକ ମାଲେସିଅାର ସ୍ଥପତି ବୋଲି କୁହାଯାଇଥାଏ। ତାଙ୍କ ଜେଜେବାପା କେରଳରୁ ଯାଇ ସେଠାରେ ବସବାସ କରିଥିଲେ। ସେମିତି ଫିଜିର ପ୍ରଧାନମନ୍ତ୍ରୀ ହେଲେ ମହେନ୍ଦ୍ର ଚୌଧୁରୀ। ଅଷ୍ଟ୍ରେଲିଅା ନିକଟସ୍ଥ ଏହି ଦ୍ବୀପକୁ ତାଙ୍କର ପୂର୍ବପୁରୁଷ ବ୍ରିଟିସ ଅଧୀନସ୍ଥ ଭାରତର ହରିଅାଣାରୁ ଆସି ବସବାସ କରିଥିଲେ। ହରିଆଣାର ଜମାଲପୁର ଗାଁରେ ତାଙ୍କ କୁଟୁମ୍ବ ଏବେ ବି ବସବାସ କରୁଛନ୍ତି। ସେମିତି ତ୍ରନିଦାଦ ଓ ଟବାଗୋର ରାଷ୍ଟ୍ରପତି ହେଉଛନ୍ତି କ୍ରିଷ୍ଟିନ କଙ୍ଗାଲୁ। ତାଙ୍କ ପୂର୍ବରୁ ଭାରତୀୟ ବଂଶୋଦ୍ଭବ ନୁର ହାସନଅଲ୍ଲୀ, ବାସୁଦେବ ପାଣ୍ଡେ ଓ କମଲପ୍ରସାଦ ଆଦି ସେଠାକାର ରାଷ୍ଟ୍ରପତି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏକଦା ବ୍ରିଟିସ ଅଧିକୃତ ଏହି ଦ୍ବୀପ ରାଷ୍ଟ୍ରଗୁଡ଼ିକର ଆଖୁ ବିଲରେ କାମ କରିବା ଲାଗି ଶ୍ରମିକ ଭାବେ ଅନେକ ଭାରତୀୟ ପରିବାରକୁ ସେଠାକୁ ପଠାଯାଇଥିଲା। ଆଜି ଭାରତୀୟମାନେ ସେଠାକାର ପ୍ରାୟ ସବୁ କ୍ଷେତ୍ରରେ ପତିଆରା ବିସ୍ତାର କରି ପାରିଛନ୍ତି ଏବଂ ଏମାନେ ହେଉଛନ୍ତି ଏହି ଶ୍ରମିକମାନଙ୍କ ବଂଶଧର। ସୁତରାଂ, ଏହାକୁ ଭାରତୀୟ ସଫଳତାର ଜୟଯାତ୍ରା ରୂପେ ମଧ୍ୟ ଦେଖାଯାଇପାରେ।
୧୯୮୧ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଦେବ ନାୟାର ଥିଲେ ସିଙ୍ଗାପୁରର ରାଷ୍ଟ୍ରପତି। ତାଙ୍କର ବାପା କରୁଣାକରନ ନାୟାର କେରଳରୁ ମାଲେସିଅା ଯାଇ ସେଠାରେ ରହିଯାଇଥିଲେ। ତାଙ୍କର ବଂଶଜ କ୍ରମେ ସିଂଗାପୁର ଭଳି ଏକ ଗୁରୁତ୍ବପୂର୍ଣ୍ଣ ଦେଶର ରାଷ୍ଟ୍ରପତି ହୋଇପାରିଥିଲେ। ସେମିତି ସେଲପନ ରାମଗୋପାଲ ନାଥନ ୧୯୯୯ରୁ ୨୦୧୧ ପର୍ଯ୍ୟନ୍ତ ସିଂଗାପୁରର ରାଷ୍ଟ୍ରପତି ଥିଲେ, ଯିଏ ହେଉଛନ୍ତି ସିଂଗାପୁରର ଷଷ୍ଠ ରାଷ୍ଟ୍ରପତି। ସୁରିନାମର ପୂର୍ବତନ ରାଷ୍ଟ୍ରପତି ପ୍ରତାପେ ରାଧାକିଷନ ଓ ପ୍ରଧାନମନ୍ତ୍ରୀ ରାମ ସେବକ ମଧ୍ୟ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଗୁଅାନାର ବର୍ତ୍ତମାନ ରାଷ୍ଟ୍ରପତି ହେଉଛନ୍ତି ଭାରତୀୟ ବଂଶଜ ଇଫରାନ ଅଲ୍ଲୀ। ତାଙ୍କ ପୂର୍ବରୁ ଛେଦି ଜଗନ, ଭାରତ ଜଗଦେବ, ଡିନାଲ ରାମତାର ଇତ୍ୟାଦି ଶାସନ ଦାୟିତ୍ୱରେ ଥିଲେ, ଯେଉଁମାନେ ସମସ୍ତେ ଭାରତୀୟ ମୂଳର ବ୍ୟକ୍ତି।
ଗତ ସାତ ଦଶନ୍ଧି ମଧ୍ୟରେ ୩୩ରୁ ଅଧିକ ବ୍ୟକ୍ତି ଅନ୍ୟ ଦେଶର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଦରିଆ ପାରି ଦେଶକୁ ଯାଇ ସେମାନେ ସେଠାକାର ପରିବେଶକୁ ଆପଣାର କରିଛନ୍ତିି, ଦୀର୍ଘ ସଂଘର୍ଷ ଜରିଆରେ କଦର୍ଯ୍ୟ ସ୍ଥିତିକୁ ଅତିକ୍ରମ କରିଛନ୍ତି ଏବଂ ଶେଷରେ ସେମାନଙ୍କୁ ଆଶ୍ରୟ ଦେଇଥିବା ଦେଶଗୁଡ଼ିକର ଶାସନ ମୁଖ୍ୟ ହୋଇଛନ୍ତି। ଏ ସବୁ କିଛି କମ୍ ଉପଲବ୍ଧି ବା କିଛି କମ୍ ଗର୍ବର ବିଷୟ ନୁହେଁ।
ମୋ: ୯୯୩୭୮୬୩୫୨୮
ଋଷି ସୁନକ: ଦରିଆ ପାରି ଭାରତୀୟ ଚମକ
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2023/11/dgddgdgd.jpg)