ଖବରକାଗଜରେ କିମ୍ବା ପତ୍ରପତ୍ରିକାରେ ଲେଖାଲେଖି କରୁଥିବା ବ୍ୟକ୍ତିମାନେ ଲେଖା ବାହାରିବା ପରେ ଆଜିକାଲି ପାଠକମାନଙ୍କ ପାଖରୁ କିଛି କିଛି ଫୋନ ପାଇଥାନ୍ତି, ଯାହା ମାଧ୍ୟମରେ ପାଠକମାନେ ଲେଖା ବିଷୟରେ ତାଙ୍କର ମତ ବିନିମୟ କରିଥାନ୍ତି। ଏହା ନିଶ୍ଚୟ ଆଧୁନିକ ଯୋଗାଯୋଗ ଜ୍ଞାନକୌଶଳର ଏକ ବରଦାନ। ଅବଶ୍ୟ ଯେତେବେଳେ ଫୋନ ବା ମୋବାଇଲର ବ୍ୟବସ୍ଥା ନ ଥିଲା ସେତେବେଳେ ହାତଲେଖା ପତ୍ର (ମୁଖ୍ୟତଃ ପୋଷ୍ଟ କାର୍ଡ) ଜରିଆରେ ପାଠକମାନେ ଲେଖକଙ୍କ ସହ ସମ୍ପର୍କ ରଖୁଥିଲେ। ଏଇ ହାତଲେଖା ପୋଷ୍ଟ କାର୍ଡଗୁଡ଼ିକୁ ଲେଖକମାନେ ଅନେକ କାଳ ମଧୁର ସ୍ମୃତିର ସନ୍ତକ ହିସାବରେ ସାଇତି ରଖିଥାନ୍ତି, ତେଣୁ ସେ ଦୃଷ୍ଟିରୁ ଏଗୁଡ଼ିକର ମାନ ଖୁବ୍ ଉଚ୍ଚରେ। ହେଲେ ପାଠକ ଲେଖାଟି ପଢ଼ିସାରିବା ମାତ୍ରକେ ମୋବାଇଲଟି ଉଠାଇ ତଟକା ମତ ବିନିମୟ କରିପାରିବାର ମଜା ବି ଅଲଗା। ତେବେ ହାତଲେଖା ଓ ମୋବାଇଲ ଯୋଗେ ମତାମତ ପ୍ରେଷଣର ଉପାଦେୟତା ତୁଳନା କରିବା ଏ ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ। ଆସନ୍ତୁ ଦେଖିବା ବିଷୟଟି ଏଠି ଉଠେଇବାର କାରଣ।
ନିକଟରେ ଚେନ୍ନାଇଠାରେ ଅବସ୍ଥାପିତ ଜଣେ ଓଡ଼ିଆ ଶିକ୍ଷାବିତ୍ଙ୍କ ଫୋନ ପାଇଥିଲି, ଯେଉଁଥିରେ କି ସେ ମୋର ଏକ ଲେଖା ପଢ଼ି ସନ୍ତୋଷଲାଭ କରିଥିବା କଥା ମୋତେ ଜଣାଇବାକୁ ଚାହିଁଥିଲେ। ସାଧାରଣତଃ ଲେଖା ସମ୍ବନ୍ଧୀୟ ଯେଉଁ ମତାମତ ମିଳେ ତାହା ସଦ୍ୟତମ ଲେଖା ବିଷୟରେ ହୋଇଥାଏ, ହେଲେ ପ୍ରଫେସର ମହୋଦୟ ଯେଉଁ ଲେଖା ବିଷୟରେ କହୁଥିଲେ ତାହା ଦୀର୍ଘ ତିନିମାସ ତଳେ ପ୍ରକାଶିତ ହୋଇଥିଲା। ଯଦିଓ ଲେଖାଟି ପୁରୁଣା ସେ କିନ୍ତୁ ଏହାକୁ ପଢ଼ିଥିଲେ ସେହିଦିନ। ପ୍ରସଙ୍ଗକ୍ରମେ ଏତେ ପୁରୁଣା ଲେଖାଟିକୁ ସେ ଏତେଦିନ ପରେ ଆଜି କାହିଁକି ପଢ଼ିଲେ ବୋଲି ମୁଁ ପଚାରିଥିଲି। ଉତ୍ତରରେ ସେ ଯାହା କହିଥିଲେ ତାହା ଥିଲା ସ୍ୱତନ୍ତ୍ର ଓ ତାହା ହିଁ ମୋ ମନକୁ ଆନ୍ଦୋଳିତ କରି ଏହି ଲେଖାଟି ଲେଖିବା ପାଇଁ ପ୍ରେରଣା ଯୋଗାଇଛି। ସେ କହିଥିଲେ ଯେ ପ୍ରବାସରେ ରହୁଥିବାରୁ ତାଙ୍କ ପାଖକୁ ଓଡ଼ିଶାରୁ ତାଙ୍କ ବନ୍ଧୁଙ୍କ ପାଖରୁ ପୁରୁଣା ଖବର କାଗଜରେ ବନ୍ଧା ହୋଇ କିଛି ଗୋଟିଏ ଜିନିଷ ଆସି ପହଞ୍ଚିଥିଲା। ଘୋଡ଼ଣି ଭାବରେ ବ୍ୟବହୃତ ହୋଇଥିବା ଯେ କୌଣସି କାଗଜ ବା ଖବରକାଗଜ ଦେଖିଲେ ତାକୁ ଆମୂଳଚୂଳ ପଢ଼ି ପକାଇବା ତାଙ୍କର ପୁରୁଣା ଅଭ୍ୟାସ। ପିଲାଦିନରୁ ଏ ଅଭ୍ୟାସଟି ତାଙ୍କର ରହିଆସିଥିଲା ଓ ଆଜିବି ବଳବତ୍ତର ରହିଛି।
ଅବଶ୍ୟ ଏହି ଅଭ୍ୟାସଟି ନୂଆ ନୁହେଁ। ଅନେକଙ୍କର ଏମିତି ଅନୁଭୂତି ଥିବ। ଜଣେ ବନ୍ଧୁ କହୁଥିଲେ ସେ ହ୍ୟାଲି ଧୂମକେତୁ ପ୍ରତି ୭୬ ବର୍ଷରେ ଦେଖାଯିବା, ଏଲ.ଟି.ଟି.ଇ.ର ବର୍ବରତା କଥା ଓ ଇରାୱାଡି ଡଲଫିନ ବିଷୟ ଭଳି ଅନେକ କଥା ଏହି ବାଦାମ ବା ଜଳଖିଆ ଠୁଙ୍ଗାରୁ ହିଁ ପଢ଼ି ଜାଣିଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଯେ ଦୋକାନୀର ଠୁଙ୍ଗାରୁ ଶିଖିଥିବା ଏହି କଥାଗୁଡ଼ିକୁ ସେ ଜୀବନରେ କେବେବି ଭୁଲି ପାରିବେ ନାହିଁ। ଏହି ଅଭ୍ୟାସଟି ସାଧାରଣତଃ ଦେଖାଯାଇଥାଏ ସେହିମାନଙ୍କ ପାଖରେ ଯେଉଁମାନେ ସବୁକିଛି ପଢ଼ିବାକୁ ଖୁବ୍ ଭଲ ପାଆନ୍ତି, କୌଣସି ମୁଦ୍ରିତ ଅକ୍ଷର ଆଡ଼କୁ ସେମାନେ ଆକର୍ଷିତ ହୋଇପଡ଼ନ୍ତି ଆପଣାଛାଏଁ। ତେଣୁ ଜଳଖିଆ ବା ବାଦାମ ଖାଇସାରିବା ପରେ ଠୁଙ୍ଗା ବା କାଗଜଟିକୁ ଏପଟ ସେପଟ ଓଲଟାଇ ଖୁଣ୍ଟି ନାଟି ପଢ଼ିନେବାର ସୁଯୋଗକୁ ସେମାନେ ହାତଛଡ଼ା କରିପାରନ୍ତି ନାହିଁ।
ଏମିତି ନଗଣ୍ୟ କାଗଜରେ ବେଳେ ବେଳେ ଲୁଚି ରହିଥାଏ ଜୀବନର ଗତିପଥ ବଦଳାଇଦେବା ଭଳି ସୂତ୍ର। କେଉଁ ଏକ ସମ୍ବେଦନଶୀଳ ପାଠକର ଦୃଷ୍ଟି ଆକର୍ଷଣ କରି ବେଳେ ବେଳେ ଏମିତି ଠୁଙ୍ଗା ବା ରଦ୍ଦି କାଗଜ ଦୁର୍ମୂଲ୍ୟ ପ୍ରତିଭାକୁ ବିସ୍ମୃତିର କାରାଗାର ଭିତରୁ ଉଦ୍ଧାର କରିପାରେ। ଏମିତି ଗୋଟିଏ ଘଟଣା ଘଟିଥିଲା ୧୯୮୩ ମସିହାରେ। ସେତେବେଳକୁ ସତର ବର୍ଷିଆ କିଶୋରୀ ଗୀତାଞ୍ଜଳି କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିବାର ଛ ବର୍ଷ ହେଲାଣି। ଝିଅର ମୃତ୍ୟୁ ପରେ ତା’ର କଠୋରି ସଫା କରୁ କରୁ ଗୀତାଞ୍ଜଳିର ମା’ ପାଇଥିଲେ ଝିଅ ଦ୍ୱାରା ଲେଖା ହୋଇଥିବା କବିତାଗୁଡ଼ିକର ଏକ ଡାଏରି। ଡାଏରିରେ ଥିବା କବିତା ରଚନା ମାଧ୍ୟମରେ ସମ୍ବେଦନଶୀଳ ଝିଅଟି ତା’ର ଦୁଃସାଧ୍ୟ ରୋଗ ଜନିତ କଷ୍ଟର ମୁକାବିଲା କରୁଥିଲା। ଗୀତାଞ୍ଜଳିର ମା’ ସେ ୧୧୦ଟି କବିତା ଭିତରୁ କିଛି କବିତା ପ୍ରକାଶନ ପାଇଁ ଗୋଟିଏ ଇଂରେଜୀ ସାପ୍ତାହିକ ପତ୍ରିକାକୁ ପଠାଇ ଦେଇଥିଲେ ଏବଂ କବିତାଗୁଡ଼ିକର ମାର୍ମିକ ଆବେଦନ ଯୋଗୁଁ ଏଗୁଡ଼ିକ ସମ୍ପାଦକଙ୍କ ଦ୍ୱାରା ନିର୍ବାଚିତ ହୋଇ ପତ୍ରିକାରେ ସ୍ଥାନ ମଧ୍ୟ ପାଇଥିଲା। ହେଲେ ଏତିକିରେ ସେହି ଭାବପୂର୍ଣ୍ଣ ସୃଷ୍ଟିଗୁଡ଼ିକର ଯାତ୍ରା ପ୍ରାୟତଃ ଶେଷ ହୋଇଯାଇଥିଲା। ଗୀତାଞ୍ଜଳିର ମୃତ୍ୟୁର ଛ’ ବର୍ଷ ପରେ କଲିକତାର ଜଣେ ବ୍ୟବସାୟୀ ନିଜର କାର୍ଯ୍ୟରେ ମୁମ୍ବାଇ ଆସିଥିବା ବେଳେ ଗୋଟିଏ ଅବକାଶପୂର୍ଣ୍ଣ ସନ୍ଧ୍ୟାରେ ସମୁଦ୍ର କୂଳରେ ବେଞ୍ଚରେ ବସିଥିଲେ। ହଠାତ୍ ପବନରେ ଉଡ଼ିଆସି ଗୋଟିଏ ରଦ୍ଦି କାଗଜ ତାଙ୍କ ଗୋଡ଼ରେ ବାଜିଲା ଓ ସେ କାଗଜଟି ଉଠାଇ ଆଣି ଦେଖିଲେ ଯେ ତାହା ଥିଲା ଗୀତାଞ୍ଜଳିର କବିତା ମୁଦ୍ରିତ ହୋଇଥିବା ସେହି ପତ୍ରିକାର ଗୋଟିଏ ପୃଷ୍ଠା। ସେଥିରେ ମଧ୍ୟ ଲେଖାଥିଲା କବିର ପରିଚୟ ଓ ରଚନାଗୁଡ଼ିକର ପୃଷ୍ଠଭୂମି। ବ୍ୟବସାୟୀ ଜଣକ ଥିଲେ ଜଣେ ଗୁଣଗ୍ରାହୀ ସାହିତ୍ୟପ୍ରେମୀ, ତେଣୁ ସେ ତା’ ପରଠୁ ଗୀତାଞ୍ଜଳିର କବିତା ଗୁଚ୍ଛକୁ ନିଜେ ପଢ଼ିବା ପାଇଁ ଓ ଅନ୍ୟ ପାଠକଙ୍କୁ ଭେଟି ଦେବା ପାଇଁ ସେ ଦିଗରେ ଚେଷ୍ଟା ଆରମ୍ଭ କରିଦେଲେ। ଝିଅଟିର ମା’ଙ୍କୁ ଯୋଗାଯୋଗ କରି ସେହି କବିତାଗୁଡ଼ିକୁ ସେ ଇଂଲାଣ୍ଡର ଗୋଟିଏ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥାକୁ ପଠାଇଦେଲେ। ପ୍ରକାଶକ କବିତାଗୁଡ଼ିକର ମୂଲ୍ୟାୟନ ପାଇଁ ଯେଉଁ ପାଠକଙ୍କୁ ତାହା ପଠାଇଥିଲେ ସେ ଲେଖିଥିଲେ, “ମଝିରେ ମଝିରେ ମୋତେ କବିତା ପଢ଼ା ବନ୍ଦ କରିବାକୁ ପଡୁଥିଲା କାରଣ ମୋ ଆଖି ଲୁହରେ ଭରିଯାଉଥିଲା।” ଶେଷରେ “ପୋଏମ୍ସ ଅଫ ଗୀତାଞ୍ଜଳି” ନାମରେ ପୁସ୍ତକଟି ପ୍ରକାଶିତ ହେଲା ଓ ସାରା ବିଶ୍ୱରେ ଆଦୃତ ହେବାକୁ ଲାଗିଲା।
ଛିଣ୍ଡା କାଗଜର ଆକର୍ଷଣ ବିନା ହୁଏତ ଗୀତାଞ୍ଜଳିର କବିତା ଆଜି ବିସ୍ମୃତିର ଗର୍ଭରେ ଲୀନ ହୋଇ ସାରନ୍ତାଣି।
ମୋ: ୯୪୩୭୦୮୯୬୫୫
ଚିନ୍ମୟ ଚେତନା: ଛିଣ୍ଡା କାଗଜର ଆକର୍ଷଣ
ଚିନ୍ମୟ ହୋତା
/sambad/media/post_attachments/wp-content/uploads/2024/01/sfsfhffhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)