ଆମେରିକାରୁ ପତ୍ର, ଗୋରା ଲୋକଙ୍କୁ ପ୍ରାଧାନ୍ୟ!

ଅନାଦି ନାୟକ

ଗୋରା ଲୋକଙ୍କର ପ୍ରାଧାନ୍ୟ ପାଇଁ ଦାବି କରୁଥିବା ଲୋକମାନଙ୍କୁ ଦେଶର ରାଷ୍ଟ୍ରପତି “ଭଲ ଲୋକ”ର ଆଖ୍ୟା ଦେଇଥିବାରୁ ସମୁଦାୟ ଆମେରିକା ଏଥିପାଇଁ ଲଜ୍ଜା ଅନୁଭବ କରୁଛି। କାରଣ “ସମସ୍ତେ ସମାନ” କଥାଟା ଆମେରିକାର ସମ୍ବିଧାନରେ ରହିଛି ଓ ସମ୍ବିଧାନକୁ ସଂରକ୍ଷଣ କରିବା ଦାୟିତ୍ବ ହେଲା ରାଷ୍ଟ୍ରପତିଙ୍କର। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଆମେରିକାରେ ଆଜି ସୁଦ୍ଧା ୮୭ ହଜାର ଲୋକ ମୃତ୍ୟୁବରଣ କଲେଣି। ଦିନ କେଇଟା ଭିତରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟିବ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିବ ବୋଲି ବିଭିନ୍ନ ମହଲରେ ଅନୁମାନ କରାଯାଉଛି। ଖାଲି ସେତିକି ନୁହେଁ, ଅନେକେ କହୁଛନ୍ତି ଯେ ହସ୍‌ପିଟାଲକୁ ଆସିବା ପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡ଼ିଛନ୍ତି ସେମାନଙ୍କ ସଂଖ୍ୟା ସିନା ୮୭ ହଜାର। ଆହୁରି ଅନେକ ଲୋକ ଆକ୍ରାନ୍ତ ହୋଇ ନିଜ ନିଜ ଜାଗାରେ ମରିଛନ୍ତି। ସେମାନଙ୍କୁ ହିସାବରେ ନେଲେ ମୃତ୍ୟୁ ସଂଖ୍ୟା ୮୭ ହଜାରରୁ ଆହୁରି ବଢ଼ିଯିବ। କେତେ ସଂଖ୍ୟାରେ ବଢ଼ିବ କହିବା ମୁସ୍କିଲ। ମରଣର ଏପରି ତାଣ୍ଡବ ଯୋଗେ ଯେ କେହି ଲୋକ ବିଚଳିତ ହେବା କଥା। ମାତ୍ର ଟ୍ରମ୍ପ କିମ୍ବା ତାଙ୍କ ସରକାର ଏଥିପାଇଁ ଚିନ୍ତିତ ଜଣାପଡୁନାହାନ୍ତି। “ଯାହାଙ୍କର ମରିବା କଥା ସେମାନେ ମଲେ। ଆମେ ଆମ କାମ ଠିକ୍ ଭାବରେ କରୁଛୁ ’’ – ଏହି ଯୁକ୍ତି ବାଢ଼ି ସେମାନେ ବର୍ତ୍ତମାନର ପରିସ୍ଥିତି ପାଇଁ କୌଣସି ପ୍ରକାରେ ଦାୟୀ ହେବାକୁ ଚାହୁଁ ନାହାନ୍ତି। ମାତ୍ର ବିଭିନ୍ନ ସୂତ୍ରରୁ ପ୍ରତିପାଦିତ ହୋଇ ସାରିଲାଣି ଯେ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ କରୋନା ଭାଇରସ୍‌ର ମାରାତ୍ମକତା ବିଷୟରେ ବିସ୍ତୃତ ଖବର ପାଇ ମଧ୍ୟ ଟ୍ରମ୍ପ କିମ୍ବା ତାଙ୍କ ପାଖ ଲୋକେ କିଛି କଲେ ନାହିଁ କି ବିଶେଷଜ୍ଞମାନଙ୍କ ଚେତାବନୀ ପ୍ରତି ନଜର ଦେଲେନାହିଁ। ସେହି ସମୟରୁ ସାମାଜିକ ଦୂରତା କଥାଟା ଆରମ୍ଭ କରିଥିଲେ ବହୁ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ନଥାନ୍ତେ କି ଏତେ ସଂଖ୍ୟାରେ ଲୋକ ମରି ନଥାନ୍ତେ। ସେ ବିଷୟରେ ବର୍ତ୍ତମାନ ଭାବି ଆଉ ଲାଭ କଅଣ? ଚାରି ଆଡ଼ ବନ୍ଦ ଅଛି।

ଏଣୁ ଦିନମଜୁରିଆ ଓ ଛୋଟ ଛୋଟ ଦୋକାନୀମାନେ ନିଜ ନିଜ ଧନ୍ଦାକୁ ଫେରିବାକୁ ବ୍ୟସ୍ତ। ଟ୍ରମ୍ପ୍‌ଙ୍କ ଠାରୁ ପ୍ରୋତ୍ସାହନ ପାଇ “ବନ୍ଦ୍” ଉଠାଇବା ପାଇଁ ଅନେକେ ଆନ୍ଦୋଳନ କରୁଛନ୍ତି। ମାତ୍ର ଗତ ମାର୍ଚ୍ଚ ମାସ ଅଧାରୁ ବନ୍ଦ ଥିବା ସ୍କୁଲ କଲେଜ ସବୁକୁ ଆସନ୍ତା ସେପ୍ଟେମ୍ବର ଯାଏ ବନ୍ଦ ରଖିବାକୁ ବିଭିନ୍ନ ପ୍ରଦେଶର ଗଭର୍ନରମାନେ ହୁକୁମ ଦେଇ ସାରିଲେଣି। କରୋନା ଭାଇରସ୍‌ର ପ୍ରସାରଣକୁ ରୋକିବା ଲାଗି ଉଚିତ ବ୍ୟବସ୍ଥା ନକରି ସ୍କୁଲ କଲେଜ ସବୁକୁ ଖୋଲି ଦେଲେ ରୋଗ ଆହୁରି ବ୍ୟାପିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଣୁ ଏଠାକାର ଶିକ୍ଷାନୁଷ୍ଠାନ ମାନଙ୍କ ଲାଗି ବର୍ଷାରମ୍ଭଟା ସେପ୍ଟେମ୍ବର ମାସରେ ହେଲେ ବି ସେତେବେଳକୁ ବା‌ପ ମାଆ ପିଲାଙ୍କୁ ଯେ ପାଠ ପଢିବା ପାଇଁ ଛାଡ଼ିବେ, ଏପରି ନୁହେଁ। ଟ୍ରମ୍ପ ଓ ତାଙ୍କ ସମର୍ଥକମାନେ ଦୋକାନ, ମ୍ୟୁଜିୟମ, ଖେଳପଡ଼ିଆ, ପାଠଶାଳା– ଏ ସବୁକୁ ଆଗ ଭଳି ଖୋଲିବା ପାଇଁ ବ୍ୟଗ୍ର। କାରଣ ସେ ସବୁ ଖୋଲିଗଲେ ଦେଶ ଭିତରେ କୌଣସି ବିପର୍ଯ୍ୟୟ ପଡ଼ିଛି ବୋଲି ଲୋକଙ୍କର ଧାରଣା ହେବ ନାହିଁ। ମାତ୍ର ୮୭ ହଜାର ଲୋକଙ୍କର ମୃତ୍ୟୁକୁ ଆମେରିକାବାସୀ ଏଡ଼େ ସହଜରେ ଭୁଲି ପାରୁଛନ୍ତି କେମିତି? ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ତାଙ୍କ ସରକାର ଯାହା କହନ୍ତୁ ନା କାହିଁକି ଡାକ୍ତର ଓ ବିଶେଷଜ୍ଞମାନଙ୍କ କଥା ମାନି ଚଳିବାକୁ ଲୋକେ ଚାହୁଁଛନ୍ତି। ଚଳୁଛନ୍ତି ମଧ୍ୟ। ଟ୍ରମ୍ପଙ୍କ ହ୍ୱାଇଟ ହାଉସ୍ ଭିତରେ କେତେଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ଟ୍ରମ୍ପଙ୍କ ପାଖଲୋକେ ମୁହଁରେ ତୁଣ୍ଡି ଲଗାଇବା ଆରମ୍ଭ କଲେଣି ଓ ସାମାଜିକ ଦୂରତା ରକ୍ଷା ପାଇଁ ଗୁରୁତ୍ୱ ଦେଲେଣି। ତାହା ସତ୍ତ୍ୱେ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସରେ ଓ ତାଙ୍କ ଚାରି ପାଖରେ ଏକ ଧାରଣା ବଳବତ୍ତର ହୋଇଛି ଯେ “ଆମେ ଯଦି ରୋଗଟାର ଉପସ୍ଥିତିକୁ ସ୍ୱୀକାର ନ କରିବୁ ତେବେ ରୋଗଟା ଆପେ ଆପେ ପଳାଇବ’’। ସେଥିପାଇଁ ସେମାନେ କେତୋଟି ଉପାୟ ମଧ୍ୟ ବାହାର କରିଥିବା ଦେଖା ଯାଉଛି। ସେଥିରୁ ମୁଖ୍ୟ ହେଲା ଯେ ୮୭ ହଜାରଟାକୁ ଅତିରଞ୍ଜନ ବୋଲି କହିବା। “ଯେଉଁମାନେ ଘରେ ମରିଛନ୍ତି ସେମାନଙ୍କୁ ମଧ୍ୟ ହିସାବ କରାଯାଇଛି ଅଥଚ ସେମାନେ ଅନ୍ୟ ରୋଗରେ ମରିଥାଇ ପାରନ୍ତି” ବୋଲି ଟ୍ରମ୍ପଙ୍କ ସମର୍ଥକମାନେ କହି ଚାଲିଛନ୍ତି। ସଂଖ୍ୟା ଉପରେ ସନ୍ଦେହ ସୃଷ୍ଟି କରିବା ହେଲା ମୁଖ୍ୟ ଉଦ୍ଦେଶ୍ୟ। ଚୀନ ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଦାୟୀ କରାଯାଉଛି। କରୋନା ରୋଗର ସ‌ାଂଘାତିକତା ବିଷୟରେ ଆମେରିକାକୁ ସେମାନେ କିଛି ଖବର ଦେଲେ ନାହିଁ ବୋଲି କୁହାଯାଉଛି। ଆଉ ଏକ ଶେଷ ଯୁକ୍ତି ହେଲା ଯେ ଗତ ଜାନୁଆରି ମାସରେ ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବା ପାଇଁ ଡିମୋକ୍ରାଟମାନେ ଚଞ୍ଚକତା କଲେ। ସେମାନଙ୍କର ଖଳ ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଟ୍ରମ୍ପଙ୍କୁ ଧ୍ୟାନ ଦେବାକୁ ହେଲା। କରୋନା ଭାଇରସ୍‌ ପାଇଁ ସେ ବାଧ୍ୟ ହୋଇ ଅନ୍ୟମନସ୍କ ହୋଇଗଲେ। ପରିଣାମ ସ୍ୱରୂପ ରୋଗଟା ସଂକ୍ରମଣ ହୋଇ ଚାଲିଲା। ସେମାନଙ୍କର ଏ ଯୁକ୍ତିକୁ ଆମେରିକାର ବୁଦ୍ଧିମାନ ଲୋକେ ଗ୍ରହଣ କରୁ ନାହାନ୍ତି। “ବିଲେଇ ଆଖି ବୁଜି କ୍ଷୀର ପିଉଛି” ବୋଲି କହୁଛନ୍ତି।” ‘‘ନିଜ ଅପାରଗତାର ଅଠା ଅନ୍ୟମାନଙ୍କ ମୁଣ୍ଡରେ ବୋଳି ଦେଉଛନ୍ତି” ବୋଲି ସେମାନଙ୍କଠାରୁ ଶୁଣିବାକୁ ମିଳୁଛି। ଦେଶକୁ ଚଳାଇବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ହେଉଛି ସବୁଠାରୁ ଭଲ ବ୍ୟବସ୍ଥା ବୋଲି ଯୁଗ ଯୁଗରୁ ଧରି ନିଆଯାଇଛି। ଏ ବ୍ୟବସ୍ଥାରେ ସାଧାରଣ ଲୋକେ ଭୋଟ୍ ଦେଇ ସରକାର ଗଢ଼ନ୍ତି ଓ ସରକାର ଲୋକସ୍ୱାର୍ଥକୁ ଆଗରେ ରଖି ସମସ୍ତଙ୍କର ସେବା କରେ। କରୋନା ଭାଇରସ୍ କେବଳ ନୁହେଁ, ଆରମ୍ଭରୁ ଟ୍ରମ୍ପ ଯେପରି ଭାବରେ କାମ କରି ଆସୁଛନ୍ତି ସେ ସବୁ ଲୋକବିରୋଧୀ ବୋଲି ଅନେକେ ଭାବୁଛନ୍ତି। ମାତ୍ର ବିଭିନ୍ନ କାରଣରୁ ତାଙ୍କ ଉପରେ ଅଙ୍କୁଶ ପଡ଼ି ପାରୁ ନାହି। ଟ୍ରମ୍ପ ଓ ଆମେରିକାର ବର୍ତ୍ତମାନର ରୀତି ନୀତି ନେଇ କେତେକ ପ୍ରଶ୍ନ ଦେଶବାସୀଙ୍କ ମନରେ ଉଠିଛି। ଅନେକ ସମୟରେ ଦେଖାଯାଏ ଯେ ସରକାରର ଚିନ୍ତାଧାରା ଓ ଯୋଜନା ସବୁବେଳେ ସଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରେନା। ନେତୃ ସ୍ଥାନରେ ଥିବା ସରକାରୀ ଲୋକଙ୍କ ଇଚ୍ଛା ମୁତାବକ ଅନେକ ସମୟରେ ସରକାର ଲୋକବିରୋଧୀ କାର୍ଯ୍ୟ କରିଥାଏ। ପ୍ରାୟ ସବୁ ଗଣତାନ୍ତ୍ରିକ ଦେଶରେ ଏପରି ଘଟିଛି ଓ ସରକାରର ଲୋକବିରୋଧୀ କାର୍ଯ୍ୟରେ କ୍ରୁଦ୍ଧ ହୋଇ ଜନତା ବିକ୍ଷୋଭ ଓ ଆନ୍ଦୋଳନ କରି ନିଜର ଦାବି ଉପସ୍ଥାପିତ କରିଛନ୍ତି। ଚଳନ୍ତି ସରକାରକୁ ବଦଳାଇଛନ୍ତି। ପଶ୍ଚିମବଙ୍ଗରୁ କମ୍ୟୁନିଷ୍ଟ ମାନଙ୍କୁ କ୍ଷମତାରୁ ବିଦାୟ ଦେବା ଓ ଆରବ ଅଞ୍ଚଳରୁ ବିଭିନ୍ନ ଏକଛତ୍ରବାଦୀଙ୍କୁ ଗାଦିଚ୍ୟୁତ କରିବା ଏହାର ଅତ୍ୟାଧୁନିକ ଉଦାହରଣ। ଆମେରିକାର ଏକ ତୃତୀୟାଂଶ ଲୋକ ଟ୍ରମ୍ପଙ୍କୁ ପୂରାପୂରି ସମର୍ଥନ କରିବା ଦେଖାଯାଉଛି। ସେମାନେ ହେଲେ ଅତ୍ୟନ୍ତ ରକ୍ଷଣଶୀଳ ଓ ସେମାନଙ୍କର ଦୃଷ୍ଟିକୋଣ ହେଲା ଭଟ ଅମଳର। ଖ୍ରୀଷ୍ଟିୟାନ ଧର୍ମକୁ ଆମେରିକାର ସବୁଲୋକ ଗ୍ରହଣ କରନ୍ତୁ, ଖ୍ରୀଷ୍ଟିୟାନ ଧର୍ମ ଅନୁଯାୟୀ ସରକାର ନିଜକୁ ପରିଚାଳନା କରୁ, ପ୍ରତିଦିନ ସ୍କୁଲମାନଙ୍କରେ ଖ୍ରୀଷ୍ଟିୟାନ ଧର୍ମର ପ୍ରାର୍ଥନା ହେଉ, ଲୋକମାନଙ୍କୁ ନିଜ ପାଖରେ ବନ୍ଧୁକ ରଖିବାରେ କୌଣସି କଟକଣା ନରହୁ, ଆମେରିକାରେ ଗୋରା ମାନଙ୍କର ଆଧିପତ୍ୟ ରହୁ, ଆମେରିକା‌ ହେଉଛି ଗୌର ବର୍ଣ୍ଣର ଲୋକଙ୍କର ଦେଶ ବୋଲି ଘୋଷିତ ହେଉ- ଇଏ ହେଲା ସେମାନଙ୍କର ଇଚ୍ଛା। ମାତ୍ର ଆମେରିକାର ସମ୍ବିଧାନ ହିଁ ସେମାନଙ୍କ ଲାଗି ବାଧକ ହୋଇଛି। ସେମାନଙ୍କୁ ସନ୍ତୁଷ୍ଟ କରିବା

ଲାଗି ଡୋନାଲ୍‌ଡ ଟ୍ରମ୍ପ ଏ ସବୁ କଥାକୁ ପୂରା ପୂରି ସମର୍ଥନ କରୁଛନ୍ତି। ଗୋରା ଲୋକମାନଙ୍କୁ ପ୍ରାଧାନ୍ୟ ଦେବା ଲାଗି ସେ ସିଧାସଳଖ କହୁ ନାହାନ୍ତି ଅଥଚ ତାଙ୍କ କାର୍ଯ୍ୟକଳାପରୁ ଏ ସବୁ ଜଳଜଳ ଦେଖା ଯାଉଛି। ସମାଜର ସବୁ କ୍ଷେତ୍ରରେ ଭେଦ ସୃଷ୍ଟି କରି ଦଳେ ଲୋକଙ୍କୁ ହାତରେ ରଖି ସେ ଅନ୍ୟମାନଙ୍କୁ ଆକ୍ରମଣ କରୁଛନ୍ତି। ଟ୍ରମ୍ପଙ୍କର ଏ ଭଳି ଗତିବିଧିକୁ ପୂର୍ବରୁ ରାଷ୍ଟ୍ରପତି ଥିବା ଜିମି କାର୍ଟର, ବିଲ୍ କ୍ଲିଣ୍ଟନ୍, ଜର୍ଜ ବୁସ୍ କିମ୍ବା ବାରାକ ଓବାମା କେହି ପସନ୍ଦ କରୁ ନାହାନ୍ତି। ଭଦ୍ରତା ଦୃଷ୍ଟିରୁ ତାଙ୍କୁ କଟୁ କରି କହୁ ନାହାନ୍ତି। ମାତ୍ର ପୂର୍ବର ରାଷ୍ଟ୍ରପତିମାନଙ୍କୁ ଦୋଷ ଦେବାରୁ ଟ୍ରମ୍ପ ଅଟକି ରହୁନାହାନ୍ତି। ଓବାମା ଜଣେ କଳା ଲୋକ ହୋଇଥିବାରୁ ତାଙ୍କର ସମର୍ଥକମାନେ ଓବାମାଙ୍କୁ ଭଲ ପାଆନ୍ତି ନାହିଁ। ସେଇ ମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଟ୍ରମ୍ପ ଓବାମାଙ୍କୁ ଅନବରତ ସମାଲୋଚନା କରିବାରେ ବ୍ୟସ୍ତ। ସାଢ଼େ ତିନି ବର୍ଷ ହେଲା କ୍ଷମତାରେ ରହିବା ପରେ ସେ ଓବାମା ଓ ତାଙ୍କ ସରକାରକୁ ଦାୟୀ କରୁଛନ୍ତି ଯେ କରୋନା ଭାଇରସ୍‌ରେ ଆକ୍ରାନ୍ତ ରୋଗୀଙ୍କୁ ସେବା କରିବା ପାଇଁ କୌଣସି ପରିଧେୟ ଓ ଦସ୍ତାନା ସେ ଭଣ୍ଡାରରେ ରଖି ଯାଇ ନଥିଲେ। କଥାଟା ଭୁଲ୍ ହେଉ କି ନ ହେଉ ଏଭଳି ସମାଲୋଚନା ଗୋରାମାନଙ୍କର ପ୍ରାଧାନ୍ୟର ପକ୍ଷପାତୀ ଲୋକଙ୍କୁ ବେଶ୍ ଭଲ ଲାଗୁଛି ଓ ଓବାମାଙ୍କୁ ଗାଳି ଦେଉଥିବା ଟ୍ରମ୍ପଙ୍କୁ ସେମାନେ ବେଶ୍ ସମର୍ଥନ କରୁଛନ୍ତି। ଏ ଭଳି ପରିସ୍ଥିତିରୁ ବିଭିନ୍ନ ସମୟରେ ସାଂଘାତିକ ବିସ୍ଫୋଟକ ଘଟଣା ମଧ୍ୟ ଘଟୁଛି। ଦୁଇ ବର୍ଷ ତଳେ ଗୋରାମାନଙ୍କ ପ୍ରାଧାନ୍ୟର ପକ୍ଷପାତୀ ଲୋକେ ଭର୍ଜିନିଆ ପ୍ରଦେଶର ଚାର୍ଲସଟନ ସହରରେ ଏକ ଶୋଭାଯାତ୍ରା ପାଇଁ ଆୟୋଜନ କଲେ। ତା’ ବିରୋଧରେ ବିକ୍ଷୋଭ କରିବା ପାଇଁ ଦେଶର ବିଭିନ୍ନ ଆଡୁ ଲୋକ ଆସି ବହୁ ସଂଖ୍ୟାରେ ସେଠାରେ ଜମା ହେଲେ। ଶୋଭାଯାତ୍ରା ତ ହୋଇ ପାରିଲା ନାହିଁ। ମାତ୍ର ଶୋଭାଯାତ୍ରାର ଜଣେ ସମର୍ଥକ ଉପସ୍ଥିତ ଲୋକଙ୍କ ଉପରେ ଗାଡ଼ି ଚଳାଇ ଦେବାରୁ ହେଦର ହାୟର ନାମକ ୩୨ ବର୍ଷର ଜଣେ ସ୍କୁଲ ଶିକ୍ଷୟିତ୍ରୀ ମହିଳାଙ୍କର ମୃତ୍ୟୁ ହେଲା। ୧୯ ଜଣ ଖଣ୍ଡିଆ ଖାବରା ହେଲେ। ଶୋଭାଯାତ୍ରା କରିବାକୁ ଯାଉଥିବା ଲୋକେ ହେଲେ ସମ୍ପ୍ରଦାୟବାଦୀ। ସେମାନଙ୍କ ବିରୋଧରେ ଯେଉଁମାନେ ଠିଆ ହେଲେ ସେମାନେ ସମସ୍ତଙ୍କୁ ସମାନ ଆଖିରେ ଦେଖିବା ଲୋକ। ମାତ୍ର ଏ ଉଭୟ ଗୋଷ୍ଠୀକୁ ସମାନ ଭାବରେ ଓଜନ କରି ଟ୍ରମ୍ପ “ଉଭୟ ପକ୍ଷରେ ଭଲ ଲୋକ ଥିଲେ” ବୋଲି କହିଲେ। ଗୋରା ଲୋକଙ୍କର ପ୍ରାଧାନ୍ୟ ପାଇଁ ଦାବି କରୁଥିବା ଲୋକମାନଙ୍କୁ ଦେଶର ରାଷ୍ଟ୍ରପତି “ଭଲ ଲୋକ”ର ଆଖ୍ୟା ଦେଇଥିବାରୁ ସମୁଦାୟ ଆମେରିକା ଏଥିପାଇଁ ଲଜ୍ଜା ଅନୁଭବ କରୁଛି। କାରଣ “ସମସ୍ତେ ସମାନ” କଥାଟା ଆମେରିକାର ସମ୍ବିଧାନରେ ରହିଛି ଓ ସମ୍ବିଧାନକୁ ସଂରକ୍ଷଣ କରିବା ଦାୟିତ୍ବ ହେଲା ରାଷ୍ଟ୍ରପତିଙ୍କର। ଏବେକାର କଥା ଧରାଯାଉ। ଜର୍ଜିଆର ମାକନ୍ ସହରରେ ୨୫ ବର୍ଷ ବୟସର ଜଣେ କଳା ଯୁବକ ଅହମଦ ଆର୍ବେରିକୁ ଦୁଇଜଣ ଗୋରା ଲୋକ –ଗ୍ରେଗରି ଓ ଟ୍ରାଭିସ ନାମକ ବାପ, ପୁଅ ହତ୍ୟା କରିଛନ୍ତି। ଆର୍ବେରି ବ୍ୟାୟାମ କରିବା ପାଇଁ ଏକ ଗୋରା ବସ୍ତି ବାଟଦେଇ ଦଉଡୁଥିବା ବେଳେ ବାପ ପୁଅ ତାକୁ ଧରିଲେ। ସେ ସେମାନଙ୍କ ହାତରୁ ପଳାଇବାକୁ ଚେଷ୍ଟା କରିବା ବେଳେ ତାକୁ ଗୁଳି କରାଯାଇଛି ବୋଲି ଅଭିଯୋଗ। ସ୍ଥାନୀୟ ପୁଲିସ୍ ଘଟଣାଟିକୁ ୭୫ ଦିନ କାଳ ଚାପି ରଖିଥିଲେ। ଆର୍ବେରିର ପରିବାର ସେମାନଙ୍କର ଦାବି ନଛାଡ଼ି ପ୍ରାଦେଶିକ ସରକାରକୁ ଇନ୍‌କ୍ୱାରି କରିବା ପାଇଁ କହିଲେ। ଯୋଗକୁ ସମୁଦାୟ ଘଟଣାଟାକୁ ଜଣେ କିଏ ଭି.ଡି.ଓ କରିଥିଲା। ଆହମଦ ଆର୍ବେରିର ହତ୍ୟାକୁ କେନ୍ଦ୍ର କରି ଏବେ ଦୁନିଆ ରକମର ପାଟିତୁଣ୍ଡ ଚାଲିଛି। ଅସଲ କଥା ହେଲା ଯେ ଆମେରିକାର ଲୋକ ମତକୁ ବିଜ୍ଞାନ, ତଥ୍ୟ, ସତ୍ୟତା ଭଳି କଥାରେ ପ୍ରଭାବିତ ନକରି ଟ୍ରମ୍ପ ସରକାର ପର ମୁଣ୍ଡରେ ଅଠା ବୋଳିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଖାଲି ଆମେରିକା ନୁହେଁ ସାରା ଦୁନିଆ ଲାଗି ଏହା ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି।
ଫ୍ରେଡେରିକ୍, ମେରିଲାଣ୍ଡ, ୟୁ.ଏସ୍.ଏ.
[email protected]

ସମ୍ବନ୍ଧିତ ଖବର