ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଗଣତନ୍ତ୍ରର ଜନନୀ ବା ‘ମଦର ଅଫ୍ ଡିମୋକ୍ରାସି’ର ଆଖ୍ୟା ଦେଇ ଏହା କିପରି ବର୍ତ୍ତମାନ ବିଶ୍ବ ଗୁରୁ ରୂପେ ସମ୍ମାନ ପାଉଛି, ତାହା ତାଙ୍କ ଓଜସ୍ବୀ ଭାଷଣ ମାଧ୍ୟମରେ ପ୍ରତିପାଦନ କରୁଛନ୍ତି। ତାହା ଛଡ଼ା ଏକତାଦିବସରେ ସେ ଦୋହରାଇଲେ ଯେ ନେହରୁଙ୍କ ଯୋଗୁଁ ବିଭାଜନ ହେଲା। ସର୍ଦ୍ଦାର ପଟେଲ ଥିଲେ ଦେଶ ବିଭାଜିତ ହୋଇ ନ ଥାନ୍ତା। ବର୍ତ୍ତମାନ କ୍ଷମତାରେ ଥିବା ନେତାମାନେ ବିଶ୍ବାସ କରୁଛନ୍ତି ଯେ ଭାରତ ଇତିହାସ ସାମ୍ରାଜ୍ୟବାଦୀ ଓ ତା’ପରେ ବାମପନ୍ଥୀମାନଙ୍କ ଦ୍ବାରା ଲିଖିତ। ସୁତରାଂ, ଏହା ସେମାନଙ୍କ ଗୌରବ ଗାନ କରୁଛି। ସେମାନେ ଇତିହାସର ପୁନର୍ଲିଖନ କଥା କହୁଛନ୍ତି। କିନ୍ତୁ ତାହା କେତେ ଦୂର ନିରପେକ୍ଷ ଓ ଅନାସକ୍ତ ହେବ ତାହା ଦେଖିବା କଥା।
ଆମେ ପଢ଼ିଥିବା ଇତିହାସ କହେ ପୃଥିବୀର ସବୁଠାରୁ ପୁରାତନ ଗଣତନ୍ତ୍ର ଥିଲା ଗ୍ରୀସ୍। େସଠାକାର ପ୍ରସିଦ୍ଧ ଦାର୍ଶନିକ ସକ୍ରେଟିସ୍, ପ୍ଳାଟୋ, ଆରିଷ୍ଟୋଟଲ ଓ ତାଙ୍କ ଶିଷ୍ୟମାନେ ଥିଲେ ଗଣତନ୍ତ୍ରର ପ୍ରବକ୍ତା। ସକ୍ରେଟିସ୍ ଥିଲେ ବାକ୍ ସ୍ବାଧୀନତାର ଉଦ୍ଗାତା। କିନ୍ତୁ ତାଙ୍କ ପ୍ରଶ୍ନରେ ଉତ୍ତିଷ୍ଠମାନ ହୋଇ ଶାସକମାନେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଲେ। ସକ୍ରେଟିସ ଗରଳ ପିଇ ମଲେ। ପ୍ଳାଟୋ ଲେଖିଲେ ରିପବ୍ଳିକ, ଯାହା ପରେ ରୋମ୍ରେ ‘ସିଟି ଷ୍ଟେଟ୍’ ବା ନଗର ସରକାର ଗଢ଼ି ଉଠିଲା। କିନ୍ତୁ ଏହା ଦୀର୍ଘସ୍ଥାୟୀ ନ ଥିଲା। ରାଜତନ୍ତ୍ର ହିଁ ବିଶ୍ବର ସବୁ ଦେଶରେ ପ୍ରଚଳିତ ପ୍ରଥା ଥିଲା। ସମଗ୍ର ଏସିଆ ଓ ୟୁରୋପ ରାଜତନ୍ତ୍ର ଦ୍ବାରା ପ୍ରଭାବିତ ଥିଲା। କିନ୍ତୁ ଜଣେ ବ୍ୟକ୍ତି ପାଖେ ଅମାପ କ୍ଷମତା ଠୁଳ ହେଲେ ସେ ଅତ୍ୟାଚାରୀ ଓ ସ୍ବେଚ୍ଛାଚାରୀ ହୋଇଯାଏ। ଲିଖିତ ଇତିହାସ କହେ ଯେ ପ୍ରଜାଙ୍କ ଅସନ୍ତୋଷ ପ୍ରଥମେ ପ୍ରକାଶ ପାଇଥିଲା ବ୍ରିଟେନ୍ରେ ତ୍ରୟୋଦଶ ଶତାବ୍ଦୀର ଆରମ୍ଭରେ। ରାଜାଙ୍କ ଅବିଚାରିତ ଖଜଣା ବୃଦ୍ଧିକୁ ପ୍ରଜାଙ୍କ ବିରୋଧ ଫଳରେ ୧୨୧୫ ମସିହାରେ ରାଜା ନିଷ୍ପତ୍ତି େନଲେ ଯେ ଏପରି ପଦକ୍ଷେପ ନେବା ଆଗରୁ ପ୍ରଜାଙ୍କ ସହ ଆଲୋଚନା କରିବେ। ଏଥିରୁ ଜାତ ହେଲା ‘ମାଗ୍ନା କାର୍ଟା (Magna Carta) ରାଜିନାମା। ଏହାକୁ ପୃଥିିବୀର ପ୍ରଥମ ସାଂବିଧାନିକ ଦସ୍ତାବିଜ ରୂପେ ଗ୍ରହଣ କରାଯାଏ। ଅଷ୍ଟାଦଶ ଶତାବ୍ଦୀରେ ଫରାସୀ ବିପ୍ଳବ ପରେ ଫ୍ରାନ୍ସରେ ରାଜତନ୍ତ୍ର ଲୋପ ପାଇଲା। ଊନବିଂଶ ଓ ବିଂଶ ଶତାବ୍ଦୀ ପ୍ରଥମ ଭାଗରେ ସମଗ୍ର ୟୁରୋପରୁ ରାଜତନ୍ତ୍ର ଲୋପ ପାଇଲା। ରୁଷିଆ ଓ ତୁର୍କିର ଅଟୋମାନ ସାମ୍ରାଜ୍ୟର ପତନ ହେଲା। କେତେକ ଦେଶରେ ରାଜା ଆଳଙ୍କରିକ ପଦ ମଣ୍ଡନ କଲେ। ସମଗ୍ର ଏସିଆ ଥିଲା ରାଜତନ୍ତ୍ରର କବଳରେ। ଜାପାନ ଠାରୁ ଆରମ୍ଭ କରି ଚୀନ୍, ବର୍ମା, ଭାରତ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟରେ ରାଜାମାନେ ବଂଶାନୁଗତ ରୂପେ ଶାସନ କରୁଥିଲେ। ତେବେ, କେତେକ ଜନଜାତି ସଂପ୍ରଦାୟରେ କିଛି ଗଣତନ୍ତ୍ରର ଚିହ୍ନ ଥିଲା; ମୁଖିଆ ବା ସର୍ଦ୍ଦାର ଗ୍ରାମବାସୀମାନଙ୍କ ସହିତ ପରାମର୍ଶ କରି ନିଷ୍ପତ୍ତି ନେଉଥିଲେ। ଭାରତ ସମେତ ପ୍ରଶାନ୍ତ ମହାସାଗର ଦ୍ବୀପପୁଞ୍ଜମାନଙ୍କରେ ମଧ୍ୟ ଏହା ପରିଦୃଷ୍ଟ ହେଉଥିଲା। ଭାରତରେ କାଶ୍ମୀରରୁ କନ୍ୟାକୁମାରୀ ଓ ପାକିସ୍ତାନରୁ ଆସାମ ଯାଏ ଥିଲା ରାଜତନ୍ତ୍ର। କିନ୍ତୁ, ଭାରତରେ ଲିଖିତ ଇତିହାସର ପରଂପରା ନ ଥିବାରୁ ଏବର ଇତିହାସକାରମାନେ ସମସ୍ୟାରେ ପଡ଼ନ୍ତି। ଚାଣକ୍ୟଙ୍କ ଅର୍ଥନୀତି ରାଜଧର୍ମ ଉପରେ ଆଲୋଚନା କରିଛି। କାଶ୍ମୀରର ରାଜପଣ୍ଡିତ କଲ୍ହଣଙ୍କ ରାଜତରଙ୍ଗିଣୀ ପ୍ରଥମ ଲିଖିତ ଇତିହାସ, ଯାହା କାଶ୍ମୀରର ରାଜବଂଶମାନଙ୍କ ଉପରେ ବର୍ଣ୍ଣନା କରିଛି। ହର୍ଷ ଚରିତ ଆଉ ଏକ ରଚନା। ଏଭଳି ମୁଷ୍ଟିମେୟ ଗ୍ରନ୍ଥ ଆଧାରରେ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯିବା ହୁଏତ ଯୁକ୍ତିଯୁକ୍ତ ହୋଇ ନ ପାରେ।
ଏହା ପରେ ଭାରତକୁ ମୁସଲମାନମାନେ ଆସି ତହିଁରୁ କେତେକ ଲୁଣ୍ଠନ କଲେ ଓ କେତେକ ବଂଶ ସ୍ଥାପନ କରି ଶାସନ କଲେ। କିନ୍ତୁ ତାହା ଥିଲା ଖଣ୍ଡିତ ରୂପରେ। ମୋଗଲମାନେ ପଶ୍ଚିମରେ କାବୁଲ ଠାରୁ ପୂର୍ବରେ ବଙ୍ଗଦେଶ ଓ ଓଡ଼ିଶା ଏବଂ ଉତ୍ତରରେ କାଶ୍ମୀର ଠାରୁ ଦକ୍ଷିଣରେ ବିନ୍ଧ୍ୟାଞ୍ଚଳ ପର୍ଯ୍ୟନ୍ତ ଆସି ଯବନ ଶାସନକୁ କିଛି ପରିମାଣରେ ଏକକ ରୂପ ଦେଲେ। ମୋଗଲ ରାଜତ୍ବ ସମୟରେ ଇତିହାସ ଲିଖନକୁ ଗୁରୁତ୍ବ ଦିଆଯାଇଥିଲା, ଯାହାର ନିଦର୍ଶନ ବାବରନାମା ବା ଆକବରନାମା ଇତ୍ୟାଦି। ସେମାନଙ୍କ ପରେ ବ୍ରିଟିସ୍ ଆସିଲେ। ୧୮୫୬ ସିପାହୀ ବିେଦ୍ରାହ ପରେ କଂପାନି ହାତରୁ କ୍ଷମତା ରାଣୀ ଭିକ୍ଟୋରିଆଙ୍କ ହାତକୁ ଗଲା। େସତେବେଳେ ଅସଂଖ୍ୟ ରାଜା, ମହାରାଜା ଓ ନବାବ ବ୍ରିଟିସଙ୍କ ସାର୍ବଭୌମତ୍ବ ସ୍ବୀକାର କଲେ। ବ୍ରିଟିସ ଅମଳରେ ସମଗ୍ର ଭାରତ ପ୍ରଥମ ଥର ପାଇଁ ଏକଛତ୍ର ତଳେ ଆସିଲା। ଦେଶରେ ଯାହା କିଛି ବିକାଶ କାମ ତାହା ରାଣୀ ଭିକ୍ଟୋରିଆଙ୍କ ଶାସନରେ ଆରମ୍ଭ ହେଲା। ଭାରତୀୟମାନେ ବ୍ରିଟେନ ଯାଇ ସେଠାରୁ ଉଚ୍ଚ ଶିକ୍ଷା ପାଇ ଦେଶକୁ ଫେରିଲେ ଓ ଏକ ନବ ଜାଗରଣ ସୃଷ୍ଟି ହେଲା। ୧୮୮୫ରେ କଂଗ୍ରେସ ଅନୁଷ୍ଠାନ ଗଠନ ସ୍ବାଧୀନତା ଓ ସଂବିଧାନର ବୀଜବପନ କଲା। ଏଠାରୁ ଆରମ୍ଭ ହେଲା ଭାରତୀୟ ଗଣତନ୍ତ୍ରର ଇତିହାସ।
୧୮୯୨ରେ ଇଣ୍ଡିଆନ କାଉନ୍ସିଲ୍ ଆଇନ ଗୃହୀତ ହୋଇ ପରୋକ୍ଷ ନିର୍ବାଚନର ପ୍ରଚଳନ ହେଲା। ଫଳରେ ଜିଲ୍ଲା ବୋର୍ଡ, ମ୍ୟୁନିସିପାଲିଟି ବିଶ୍ବବିଦ୍ୟାଳୟ ଓ ଚାମ୍ବର ଅଫ୍ କମର୍ସଙ୍କୁ ରାଜ୍ୟ କାଉନ୍ସିଲ୍ମାନଙ୍କୁ ସଭ୍ୟଙ୍କ ନାମ ସୁପାରିସ କରିବାର କ୍ଷମତା ଦିଆଗଲା। ୧୮୯୫ରେ କଂଗ୍ରେସ ସ୍ବରାଜ ବା ‘କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ବିଲ୍’ ପ୍ରସ୍ତୁତ କଲା। ଏଥିରେ ୧୧୦ଟି ଧାରା ରହିଲା। ଏହା ଥିଲା ଭାରତୀୟ ଗଣତନ୍ତ୍ରର ପ୍ରଥମ ଦସ୍ତାବିଜ। ୧୯୦୯େର ବିଲାତ ସରକାର ଏକ ଆଇନ ପାରିତ କରି ଇଣ୍ଡିଆନ୍ କାଉନ୍ସିଲ୍ ଆକ୍ଟ ୧୯୦୯ ବା ମର୍ଲେ-ମିଣ୍ଟୋ ଶାସନ ସଂସ୍କାର ଆଇନ ଆଣିଲେ, ଯାହା ଫଳରେ ରାଜ୍ୟ ଲେଜିସ୍ଲେଟିଭ କାଉନ୍ସିଲ୍କୁ ସଭ୍ୟମାନେ ପରୋକ୍ଷ ନିର୍ବାଚନ ଦ୍ବାରା ନିର୍ବାଚିତ ହେଲେ। ସେମାନେ ଜାତୀୟ କାଉନ୍ସିଲ୍ର ସଭ୍ୟମାନଙ୍କୁ ନିର୍ବାଚିତ କଲେ। ୧୯୧୯େର ଆସିଲା ମେଣ୍ଟଗୁ ଚେମ୍ସ ଫୋର୍ଡ ଆଇନ। ଏହାର ଉଦ୍ଦେଶ୍ୟ ଥିଲା ଦେଶର ଶାସନରେ ଭାରତୀୟମାନଙ୍କର ଯୋଗଦାନ ବୃଦ୍ଧି। କିନ୍ତୁ ଏଥିରେ ଅନୁସୃତ ପଦ୍ଧତି(ଦ୍ବୈତ ଶାସନ) ଲୋକପ୍ରିୟ ହୋଇ ପାରିଲା ନାହିଁ।
ସେତେବେଳେ ଭାରତର ସ୍ବାଧୀନତା ଆନ୍ଦୋଳନରେ ବୈପ୍ଳବିକ ପରିବର୍ତ୍ତନ ଘଟୁଥାଏ। ୧୯୧୪/୧୫ରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଏବଂ ୩୦ ବର୍ଷର ପୁରୁଣା କଂଗ୍ରେସ ଆନ୍ଦୋଳନକୁ ସେ ନୂତନ ରୂପ ଦେଲେ। ସ୍ବାଧୀନତା ଆନ୍ଦୋଳନକୁ ଦମନ କରିବା ଲାଗି ୧୯୧୯ରେ ରାଓଲାଟ ଆକ୍ଟ ବଳରେ ବ୍ରିଟିସ ସରକାର ଗିରଫଦାରି ଓ ବିନା ବିଚାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲରେ ପୂରାଇଦେବାର ଅବାଧ କ୍ଷମତା ପାଇଲେ। ୧୯୨୦ରେ ଗାନ୍ଧୀ ଆରମ୍ଭ କଲେ ଅସହଯୋଗ ଆନ୍ଦୋଳନ, ଯାହା ସମଗ୍ର ଦେଶକୁ ବ୍ୟାପିଲା। ଏ ରାଜନୀତିକ ଆନ୍ଦୋଳନ ସଙ୍ଗେ ସେ ଯୋଡ଼ିଲେ ସାମାଜିକ ଓ ନୈତିକ ବିପ୍ଳବର ବାର୍ତ୍ତା। ଏଥିରେ ଉଦ୍ବୁଦ୍ଧ ହୋଇ ଯୁବକ ବାରିଷ୍ଟର ଜବାହରଲାଲ ନେହରୁ ଆହ୍ଲାବାଦରେ ରାଜନୀତିରେ ପ୍ରବେଶ କଲେ ଓ ତହିଁରେ ମଗ୍ନ ହେବା ସହିତ ବାରମ୍ବାର କାରାବରଣ କଲେ। ସ୍ବାଧୀନତା ସଂଗ୍ରାମ ଛଡ଼ା ଜବାହରଲାଲ କୃଷକ ସମସ୍ୟା ସମାଧାନ କରିବାରେ ନିଜକୁ ନିେୟାଜିତ କଲେ। ଫଳରେ ତାଙ୍କ ଲୋକପ୍ରିୟତା ଅସାଧାରଣ ଭାବେ ବୃଦ୍ଧି ପାଇଲା। କଂଗ୍ରେସର ସାମ୍ୟବାଦୀ ତରୁଣ ଗୋଷ୍ଠୀର ସେ ହେଲେ ନେତା ଓ ଗାନ୍ଧୀଙ୍କ ପଟ୍ଟଶିଷ୍ୟ। ତାଙ୍କ ଲୋକପ୍ରିୟତା ଓ ସାମ୍ୟବାଦୀ ମନୋଭାବକୁ କଂଗ୍ରେସର ବରିଷ୍ଠ ଦକ୍ଷିଣପନ୍ଥୀ ନେତାମାନେ ଗ୍ରହଣ କରି ପାରୁ ନ ଥିଲେ। ସୁଭାଷ ବୋଷ ସେତେବେଳେ ଲଣ୍ଡନରୁ ଫେରି କଲିକତାରେ ରାଜନୀତିକ ଜୀବନ ଆରମ୍ଭ କଲେ ଓ ସାମ୍ୟବାଦୀ ଗୋଷ୍ଠୀରେ ସାମିଲ ହେଲେ।
ପ୍ରକାଶ ଥାଉ କି, ଜବାହରଲାଲ ୧୯୨୭ରେ ଇଂଲଣ୍ଡରୁ ଆସି ମାଡ୍ରାସ୍ କଂଗ୍ରେସ ଅଧିବେଶନରେ ଯୋଗ ଦେଇ ପୂର୍ଣ୍ଣ ସ୍ବରାଜ କଥା ଉଠାଇଥିଲେ। ଗାନ୍ଧୀଜୀ କିନ୍ତୁ ତାଙ୍କ ଉପରେ ରାଗିଯାଇ ଏହା ଅପରିପକ୍ବ ବୋଲି କହିଥିଲେ। ୧୯୨୮ ଡିସେମ୍ବରରେ କଲିକତା ଅଧିବେଶନରେ ଭାରତ ପାଇଁ ‘ଡୋମିନିଅନ’ ପ୍ରସ୍ତାବକୁ ସମର୍ଥନ କରାଗଲା ଏବଂ ତାହା ଗୃହୀତ ହେଲା। ସେତିକି ବେଳେ ସଭାପତି ଥିଲେ ମୋତିଲାଲ ନେହରୁ। ଏହାର ଠିକ୍ ଏକ ବର୍ଷ ପରେ ଲାହୋରରେ ହୋଇଥିବା ଅଧିବେଶନରେ ପୂର୍ଣ୍ଣ ସ୍ବରାଜ ପ୍ରସ୍ତାବକୁ ଗାନ୍ଧୀ ସମର୍ଥନ କଲେ, ଯେଉଁ ସମୟରେ ସଭାପତି ଥିଲେ ଜବାହରଲାଲ ନେହରୁ। ଏହା ଥିଲା ଏକ ଐତିହାସିକ ଅଧିବେଶନ। ୧୯୩୦ ଜାନୁଆରି ୨୭ ତାରିଖରେ କଂଗ୍ରେସ ପୂର୍ଣ୍ଣ ସ୍ବରାଜ ଘୋଷଣାନାମା ଜାରି କଲା। ୧୯୩୦ରେ ପ୍ରଥମ ଗୋଲ୍ ଟେବୁଲ ବୈଠକରେ ଡକ୍ଟର ଆମ୍ବେଦକର ଯୋଗ ଦେଇ ଭାରତର ଜନସାଧାରଣଙ୍କୁ ତିନି ଭାଗରେ ବିଭକ୍ତ କଲେ- ହିନ୍ଦୁ, ମୁସଲମାନ ଓ ଦଳିତ ଗୋଷ୍ଠୀ। ଦଳିତମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ବାଚିତ ହେବାର ବ୍ୟବସ୍ଥା ଦାବି କରି ସେ ସଫଳ ହେଲେ। ୧୯୩୧ରେ ସର୍ଦ୍ଦାର ପଟେଲଙ୍କ ସଭାପତିତ୍ବରେ କରାଚୀରେ ହୋଇଥିବା ଅଧିବେଶନରେ ପୂର୍ଣ୍ଣ ସ୍ବରାଜ ପ୍ରସ୍ତାବକୁ ଆହୁରି ବ୍ୟାପକ କରାଗଲା। ୧୯୩୮ରେ ଜବାହରଲାଲ କହିଲେ ଯେ ଭାରତର ସଂବିଧାନ ନିର୍ବାଚିତ ପ୍ରତିନିଧିଙ୍କ ଦ୍ବାରା ଏକ ସଂବିଧାନ ପ୍ରଣୟନ ସଭାରେ ଆଲୋଚିତ ହେଲା ପରେ ଗୃହୀତ ହେଉ। ୧୯୪୦ରେ ଭାରତୀୟ ସାଂବିଧାନିକ ସଂସ୍କାର ସମ୍ବନ୍ଧୀୟ ବ୍ରିଟିସ ସଂସଦର ସିଲେକ୍ଟ କମିଟି ଅଧ୍ୟକ୍ଷ ଥିବା ଭାରତର ଭାଇସରୟ ଲର୍ଡ ଲିନ୍ଲିଥ୍ଗୋ ଏ ଦାବିକୁ ଗ୍ରହଣ କଲେ। ୧୯୪୬ରେ ଶ୍ରମିକ ଦଳ ଦ୍ବାରା ଗଠିତ ସରକାର ମାର୍ଚ୍ଚ ମାସରେ ଭାରତର ଭବିଷ୍ୟତ ନିରୂପଣ ପାଇଁ ଏକ କ୍ୟାବିନେଟ୍ ମିସନ ପଠାଇଲେ। ସିମଳାରେ କଂଗ୍ରେସ, ମୁସଲିମ ଲିଗ୍ ସଙ୍ଗେ ଆଲୋଚନା ହେଲା। ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ ୱାଭେଲ୍, କ୍ୟାବିନେଟ୍ ମିସନ ଭାରତ ବିଭାଜନକୁ ଏଡ଼ାଇବା ପାଇଁ ଚେଷ୍ଟା କଲେ। କିନ୍ତୁ ମୁସଲିମ ଲିଗ୍ ତାଙ୍କ ଦାବିରେ ଅଟଳ ରହିଲେ। ଏହା ଦେଖି ମିସନ ଏକ ସଂଘୀୟ ବ୍ୟବସ୍ଥାର ପ୍ରସ୍ତାବ ଦେଲେ ଯେଉଁଥିରେ କେନ୍ଦ୍ର ବୈେଦଶିକ ବ୍ୟାପାର, ପ୍ରତିରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ଦେଖିବ। ରାଜ୍ୟଗୁଡ଼ିକ ବିଭିନ୍ନ ଗୋଷ୍ଠୀ ଗଠନ କରି ଅନ୍ୟ କ୍ଷେତ୍ରରେ ସ୍ବୟଂଶାସିତ ରହିବେ। ବିଭାଜନ ଏଡ଼ାଇବା ପାଇଁ ଏ ପ୍ରସ୍ତାବ କଂଗ୍ରେସ ଗ୍ରହଣ କଲା, ମୁସଲିମ ଲିଗ ସଙ୍ଗେ ଅାଲୋଚନା ପରେ ସେମାନେ ମଧ୍ୟ ରାଜି ହେଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଦୁରୂହ ବ୍ୟାପାର ଥିଲା। ଏହା ଅସଫଳ ହେବା ପରେ ବିଭାଜନ ଅବଶ୍ୟମ୍ଭାବୀ ହେଲା। ବ୍ରିଟିସ ପ୍ରଧାନମନ୍ତ୍ରୀ ଅଟଲି ସିଦ୍ଧାନ୍ତ ନେଲେ ୧୯୪୮ ଅଗଷ୍ଟ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର ହେବ। କଂଗ୍ରେସ ଅପେକ୍ଷା ମୁସଲିମ ଲିଗ ପ୍ରତି ୱାଭେଲଙ୍କ ଆଗ୍ରହ ଅଧିକ ଥିଲା। ତାଙ୍କ ପରେ ଲର୍ଡ ମାଉଣ୍ଟବାଟେନ ଗଭଣ୍ଣର ଜେନେରାଲ ହୋଇ ଆସିଲେ। ସେ ନେହରୁଙ୍କ ବନ୍ଧୁ ଥିଲେ। ସେ ଦୁଇଟି ପ୍ରସ୍ତାବ ଦେଲେ। ପ୍ରଥମଟି ହେଲା ସବୁ ରାଜ୍ୟ ସ୍ବାଧୀନତା ପାଇବେ ଏବଂ ଇଚ୍ଛାନୁଯାୟୀ ସଂବିଧାନ ପ୍ରଣୟନ ସଭାରେ ଯୋଗ ଦେବେ। ଏ ପ୍ରସ୍ତାବକୁ ନେହରୁ ପ୍ରତ୍ୟାଖ୍ୟାନ କଲେ ଓ କହିଲେ ଦେଶ ଖଣ୍ଡ ଖଣ୍ଡ ହୋଇଯିବ। ଦ୍ବିତୀୟ ପ୍ରସ୍ତାବରେ କିନ୍ତୁ ଦେଶ ବିଭାଜନ ଥିଲା ଏକ ମାତ୍ର ଉପାୟ।
ସ୍ବାଧୀନତା ପରେ ନେହରୁ ୧୭ ବର୍ଷ ପ୍ରଧାନମନ୍ତ୍ରୀ ରହି ଆମ ଗଣତନ୍ତ୍ରକୁ ଯେ ସୁଦୃଢ଼ କରିଛନ୍ତି, ସେଥିରେ ସନ୍ଦେହ ନାହିଁ। ତେଣୁ ନେହରୁଙ୍କ ବଦଳରେ ପଟେଲ ବା ଆଉ ଯେ କେହି ଥିଲେ ବି ଦେଶ ବିଭାଜନକୁ ଏଡ଼ାଯାଇ ପାରି ନ ଥାଆନ୍ତା। ଜିନ୍ନାଙ୍କ ଜିଦ୍କୁ ପ୍ରତିରୋଧ କରିବା ଅଧିକ ତିକ୍ତତା ଓ ବିଷମୟ ପରିଣାମ ସୃଷ୍ଟି କରିଥାଆନ୍ତା।
[email protected]
ଗଣତନ୍ତ୍ର, ଭାରତ ଓ ନେହରୁ
ଅମିୟ ଭୂଷଣ ତ୍ରିପାଠୀ
/sambad/media/post_attachments/wp-content/uploads/2021/11/neheru.jpeg)