ସକାଳେ ସକାଳେ ରାଜ ମହାପାତ୍ରଙ୍କ ଠାରୁ ‘ମେସେଜ’ଟିଏ ପାଇଲି। ତାହା ଥିଲା ଏହିଭଳି- ‘କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବଡ଼ ଭାଇ ସ୍ବର୍ଗତ ଦିବ୍ୟସିଂହ ପାଣିଗ୍ରାହୀଙ୍କ ଫଟୋଟିଏ ଦରକାର। ସେ ବି ଜଣେ ଭଲ ଲେଖକ ଥିଲେ।’
ରାଜ ମହାପାତ୍ର ସବୁବେଳେ ପୁରୁଣା ବହି ଖୋଜିବାରେ ଥାଆନ୍ତି। ତାଙ୍କ ଆଗ୍ରହ ଖାଣ୍ଟି। ତାଙ୍କ ସନ୍ଦେଶର ଶେଷ ବାକ୍ୟ ଠାରେ ମୁଁ ଅଟକି ଥିଲି। ‘ସେ ବି ଜଣେ ଭଲ ଲେଖକ ଥିଲେ’- ଅଥଚ ଆଜି ବିସ୍ମୃତ! ସୁତରାଂ, ମୁଁ ଫଟୋ ସହିତ ଦିବ୍ୟସିଂହ ଖୋଜା ଅଭିଯାନ ଆରମ୍ଭ କଲି। ଏହି ଅଭିଯାନରେ ମୋ ସହିତ ଯୋଡ଼ିଲି ଚାରି ଜଣ ପ୍ରଚଣ୍ଡ ପାଠକ, ପୁସ୍ତକ ପ୍ରେମୀ ଅନୁବାଦକ-ଲେଖକଙ୍କୁ, ଯେମିତି କମଳାକାନ୍ତ ମହାପାତ୍ର, ପ୍ରଫେସର ଯତୀନ ନାୟକ, ସବ୍ୟସାଚୀ ପାଣିଗ୍ରାହୀ ଏବଂ ଜ୍ୟୋତି ଶଙ୍କର ପଣ୍ଡା (ହୟାତ)। ଏହାର ଫଳ ସ୍ୱରୂପ ଦିବ୍ୟସିଂହ ପାଣିଗ୍ରାହୀଙ୍କର ଚାରିଟି ବହି ବିଷୟରେ ଅନ୍ତତଃ କିଛି ସୂଚନା ମିଳିଗଲା। ତହିଁରେ ଥିଲା ଉପନ୍ୟାସ ‘ତୁ ମୋ ମା।’ ଏହି ଉପନ୍ୟାସଟି ସମ୍ଭବତଃ ୧୯୪୪ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା। କାରଣ, ଏହାର ପରବର୍ତ୍ତୀ ପ୍ରକାଶକ ‘ଗ୍ରନ୍ଥ ମନ୍ଦିର’ଙ୍କ ପକ୍ଷରୁ ଉପନ୍ୟାସଟିରେ ଯେଉଁ ପ୍ରକାଶକୀୟଟିକୁ ସନ୍ନିହିତ କରାଯାଇଛି, ତାହାର ଏକ ଅଂଶ ଏହିପରି: ‘ଲେଖକଙ୍କ ପୁତ୍ର ମୁଦ୍ରଣ ପାଇଁ ଆମକୁ ଯେଉଁ ବହିଟି ଦେଲେ, ତାହା ୧୯୪୪ରେ ରାଧାରମଣ ପ୍ରେସ୍ରେ ମୁଦ୍ରିତ ଓ ଏହାର ପ୍ରକାଶକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଏହା ବହିଟିର ପ୍ରଥମ ନା ଅନ୍ୟ କେଉଁ ସଂସ୍କରଣ ବା ୧୯୪୪ ପରେ ବହିଟି ପୁନର୍ମୁଦ୍ରିତ ହୋଇଥିଲା କି ନାହିଁ, ଏ ବିଷୟରେ ବହିଟିରୁ କୌଣସି ସୂଚନା ମିଳିନାହିଁ।’ ଏବେ ଆସିବା ଅନ୍ୟ ତିନି ବହିକୁ। ତାଙ୍କର ଦ୍ୱିତୀୟ ବହିଟି ଥିଲା ଏକ ଗଳ୍ପ ସଂକଳନ, ଯାହାର ନାମ ‘ଅମୃତ କଙ୍କଣ’। ଏହାର ପ୍ରକାଶିତ ହୋଇଥିଲା ‘ତୁ ମୋ ମା’ର ଅଠର ବର୍ଷ ପୂର୍ବରୁ ଅର୍ଥାତ୍ ୧୯୨୬ ମସିହାରେ। ଏଥିରେ ନଅଟି ଗଳ୍ପର ସମାବେଶ ଘଟିଥିଲା; ଯେଉଁଗୁଡ଼ିକ ହେଲେ ଅମୃତ କଙ୍କଣ, ଗୟାଶ୍ରାଦ୍ଧ, ନିଶାବସାନ, ଦିବାବସାନ, ସାବିତ୍ରୀ ଉପବାସ, ପରିବର୍ତ୍ତନ, ହିସାବନିକାଶ, ପିତୃଶ୍ରାଦ୍ଧ, ଶେଷ ଉପହାର। ଏହା ଗୋଟିଏ ସମୟରେ ଉଚ୍ଚ ମାଧ୍ୟମିକ ସ୍ତରୀୟ ପାଠ୍ୟ ପୁସ୍ତକ ରୂପେ ମଧ୍ୟ ସ୍ୱୀକୃତ ହୋଇଥିଲା। ସେହି ୧୯୨୬ ମସିହାରେ ପ୍ରକାଶିତ ହୋଇଥିଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୀବନୀ ପୁସ୍ତକ ଯାହାର ଶୀର୍ଷକ ଥିଲା ‘ମହାରାଜ ଶ୍ରୀରାମଚନ୍ଦ୍ର।’ ନିକଟରେ ଉମା ପବ୍ଲିକେସନ ଦ୍ୱାରା ତାଙ୍କ ରଚିତ ପୁସ୍ତକ ‘ବନ୍ଧୁ’ ପ୍ରକାଶିତ ହୋଇଛି।
ଓଡ଼ିଆ ଗଳ୍ପ ସାହିତ୍ୟର କ୍ରମ ବିକାଶକୁ ଲକ୍ଷ୍ୟ କଲେ ଚନ୍ଦ୍ରଶେଖର ନନ୍ଦଙ୍କ ‘ଚିତ୍ର’ ନାମକ ଗଳ୍ପ ପୁସ୍ତକଟି ପ୍ରଥମେ ୧୯୦୭ରେ ପ୍ରକାଶିତ ହୋଇଥିବା ଜଣାଯାଏ। ତା’ପରେ ୧୯୧୭ ମସିହାରେ ପ୍ରକାଶିତ ହୁଏ ଫକୀରମୋହନଙ୍କ ‘ଗଳ୍ପସ୍ବଳ୍ପ’, ଏହା ପରେ ୧୯୨୪ ମସିହାରେ ଦୟାନିଧି ମିଶ୍ରଙ୍କ ‘କଥା କଦମ୍ବ’ ଏବଂ ତା’ ପରେ ଦିବ୍ୟସିଂହଙ୍କ ‘ଅମୃତ କଙ୍କଣ’। ସେହି ଦୃଷ୍ଟିରୁ ଦିବ୍ୟସିଂହଙ୍କ ‘ଅମୃତ କଙ୍କଣ’କୁ ଓଡ଼ିଆ ସାହିତ୍ୟରେ ଚତୁର୍ଥ ଗଳ୍ପ ସଂକଳନ ବୋଲି କୁହାଯିବ।
ଦିବ୍ୟସିଂହ ପାଣିଗ୍ରାହୀଙ୍କ ଜନ୍ମ ୧୮୯୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ଜନ୍ମ ସ୍ଥାନ ଥିଲା ପୁରୀର ବିଶ୍ୱନାଥପୁର। ତାଙ୍କ ପରମାୟୁ ଥିଲା ମାତ୍ର ୫୧ ବର୍ଷ; ୧୯୪୧ ମସିହା େସପ୍ଟେମ୍ବର ୨୬ ତାରିଖରେ ତାଙ୍କ ତିରୋଧାନ ଘଟିଥିଲା। ତାଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଥିଲେ ଜଣେ ଦାର୍ଶନିକ। ‘ଆତ୍ମଦର୍ଶନରେ ବିଶ୍ୱଚିତ୍ର କଳ୍ପନା’ ହେଉଛି ତାଙ୍କର ଏକ ଉତ୍କୃଷ୍ଟ ପୁସ୍ତକ। ବଂଶାନୁକ୍ରମିକ ଭାବେ ପୂର୍ବଜଙ୍କ ସର୍ଜନାଶୀଳତାର ପ୍ରବାହ ଦିବ୍ୟସିଂହ ଓ ତାଙ୍କର ଦୁଇ ଭ୍ରାତା ଭଗବତୀ ଓ କାଳିନ୍ଦୀଙ୍କ ନିକଟରେ ଘଟିଥିଲା; ଯେଉଁ ଦୁଇ ଜଣ ଓଡ଼ିଆ ସାହିତ୍ୟରେ ଅଲିଭା ପଦଚିହ୍ନ ଛାଡ଼ି ଦେଇ ଯାଇଛନ୍ତି। ତାଙ୍କର ତିନି ଭଉଣୀଙ୍କ ନାମ ଥିଲା ରାଧା, କମଳା ଓ ଉଜ୍ଜ୍ୱଳ। ୧୯୦୮ ମସିହାରେ ଦିବ୍ୟସିଂହ ପୁରୀ ଜିଲ୍ଲା ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିବା ପରେ କଲିକତାରୁ ବି.ଏ. ଓ ବି.ଏଲ୍. ଡିଗ୍ରି ଲାଭ କରିଥିଲେ। ଏହା ପରେ ତାଙ୍କ ପେସା ହୋଇଯାଇଥିଲା ଓକିଲାତି। ଓକିଲ ଭାବେ ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ।
ଏବେ ଆସିବା ଦିବ୍ୟସିଂହ ପାଣିଗ୍ରାହୀଙ୍କ ଫଟୋ ଖୋଜା ଅଭିଯାନକୁ। ଏହି ଅଭିଯାନ ଏବେ ବି ଅସଂପୂର୍ଣ୍ଣ, ଯଦିଓ ଅନ୍ବେଷଣ ଜାରି ରହିଛି ଏବଂ ଏହି କ୍ରମରେ ସେହି ମହାନ ପରିବାରର ତିନି ଲେଖକ ଭ୍ରାତାଙ୍କ ମଧ୍ୟରୁ ସ୍ବଳ୍ପ ଜ୍ଞାତ ଜଣକଙ୍କ ବିଷୟରେ କିଛି ଜଣାପଡ଼ିଛି। ତାଙ୍କ ଜନ୍ମ ବେଳକୁ ଓଡ଼ିଶାକୁ କ୍ୟାମେରା ଆସି ସାରିଥିଲା ଏବଂ କେତେକ ଫଟୋ ମଧ୍ୟ ତୋଳା ସରିଥିଲା, ଯହିଁରୁ କିଛି ବିଭିନ୍ନ ମ୍ୟୁଜିଅମରେ ବା ବ୍ୟକ୍ତିଗତ ସଂଗ୍ରହରେ ସଂରକ୍ଷିତ। ୧୮୫୭ ମସିହାରେ କଟକର ଏକ ସଡ଼କର ଦୃଶ୍ୟକୁ କୌଣସି ଶ୍ବେତାଙ୍ଗ ସାହେବ ଉଠାଇଥିଲେ, ଯାହା ଗୁଗଲରେ ଖୋଜିଲେ ସହଜରେ ମିଳିଯାଏ। ତତ୍କାଳୀନ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀମାନଙ୍କ ପୁରୁଣା ଫଟୋମାନ ଆଜି ଯେମିତି ସହଜ ଉପଲବ୍ଧ, ଲେଖକ ଓ କବିମାନଙ୍କ ଫଟୋ ସେହିଭଳି ସୁଲଭ ନୁହେଁ। ଏହି ଖୋଜାଖୋଜି ଭିତରେ କଥାସମ୍ରାଟ ଫକୀରମୋହନଙ୍କ ବାର୍ଦ୍ଧକ୍ୟ ସମୟର ଫଟୋଟିଏ ଦେଖିଲି, ଯହିଁରେ ସେ ପୁତ୍ର ମୋହିନୀମୋହନଙ୍କ ସହିତ ଅଛନ୍ତି। ସ୍ବର୍ଗତ ଦିବ୍ୟସିଂହଙ୍କ ଫଟୋ ଖୋଜା ଅଭିଯାନ ଜାରି ରହିଛି। ମୋର ଧାରଣା କେଉଁ ଅଜଣା ଆଲବମ୍ର ଜୀର୍ଣ୍ଣ ପୃଷ୍ଠାରେ ହୁଏତ ବାଦାମୀ ପଡ଼ି ସାରିଥିବା ତାଙ୍କ ଫଟୋଟିଏ ଥିବ, ଯାହା ଏ ପର୍ଯ୍ୟନ୍ତ ହାତ ପାହାନ୍ତାକୁ ଆସିନାହିଁ! ଭାବୁଛି ତାହା ଅବଶ୍ୟ ମିଳିବ। ପର୍ତ୍ତୁଗୀଜ ଲେଖକ ପାଉଲୋ କୋଏଲହୋ କହି ନାହାନ୍ତି କି, ଯାହା ତୁମେ ଅନ୍ତଃକରଣରେ ଚାହିଁଥାଅ, ତାହା ତୁମ ପାଖରେ ପହଞ୍ଚାଇବା ଲାଗି ବ୍ରହ୍ମାଣ୍ଡ ତା’ର ସବୁ ଶକ୍ତିକୁ ଠୁଳ କରିଦିଏ!
ମୋ: ୭୮୯୪୫୦୩୫୪୮
ଜଣେ ବିସ୍ମୃତ ଲେଖକଙ୍କ ଫଟୋ ଖୋଜା
ଜାକିର ଖାନ୍
/sambad/media/post_attachments/wp-content/uploads/2023/12/sfhsfhsfhsfhsfh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)