ତାଇୱାନିଜ୍‌ କମ୍ପାନି ‘ହନ୍‌ ହାଏ ପ୍ରିସିଜନ୍‌ ଇଣ୍ଡଷ୍ଟ୍ରି’ (‘ଫକ୍ସକନ୍‌’ ରୂପେ ସୁପରିଚିତ) ହେଉଛି ପୃଥିବୀର ବୃହତ୍ତମ ଇଲେକ୍‌ଟ୍ରୋନିକ୍‌ସ ଠିକା ନିର୍ମାତା ବା କଣ୍ଟ୍ରାକ୍ଟ ମାନୁଫାକ୍‌ଚରର୍‌ ଯିଏ ପୃଥିବୀର ଶ୍ରେଷ୍ଠତମ ମୋବାଇଲ ଫୋନ୍‌ ରୂପେ ବିବେଚିତ ଆପ୍‌ଲ ଆଇଫୋନ୍‌ର ଯୋଗାଣ ଶୃଙ୍ଖଳରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ। ‘ଫକ୍ସକନ୍‌’ର ପ୍ରମୁଖ ଉତ୍ପାଦନ ‌େକନ୍ଦ୍ରମାନ କିନ୍ତୁ ଚୀନ୍‌ରେ ଅବସ୍ଥିତ। ଏବେ ସମସ୍ତଙ୍କୁ ଚକିତ କରି ଚୀନ୍‌ ସରକାର ସେଠାରେ ‘ଫକ୍ସକନ୍‌’ ବିରୋଧରେ ଟିକସ ଓ ଭୂମି ବ୍ୟବହାର ସମ୍ପର୍କିତ ଅନୁସନ୍ଧାନ ଆରମ୍ଭ କରି ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫକ୍ସକନ୍‌କୁ ହରକତ କରିବା। ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଏହା ଯେ ଚୀନା ସରକାର ସହିତ ଫକ୍ସକନ୍‌ ସର୍ବଦା ଉତ୍ତମ ସମ୍ପର୍କ ରକ୍ଷା କରି ଆସିଛି ଏବଂ ଏହି କମ୍ପାନିର ପ୍ରତିଷ୍ଠାତା ଟେରୀ ଗୁ ହେଉଛନ୍ତି ଜଣାଶୁଣା ଭାବରେ ଚୀନ୍‌ର ଜଣେ ଦୃଢ଼ ସମର୍ଥକ ଓ ସେ ତାଇୱାନ୍‌ର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ହେବାର ଦୃଢ଼ ସମ୍ଭାବନା ରହିଛି।
ଚୀନ୍‌ର ଏହି ପଦକ୍ଷେପ ପଛରେ ଯାହା ବି ଉଦ୍ଦେଶ୍ୟ ନିହିତ ଥାଉ ନା କାହିଁକି, ଏହା ଯେ ‘ଆପ୍‌ଲ’କୁ ଚୀନ୍‌ରୁ ପଳାୟନ କରିବାକୁ ଅଧିକ ପ୍ରବୃତ୍ତ କରିବ, ଏଥିରେ ସନ୍ଦେହ ନାହିଁ। ଏହା ଏକ ବିଡ଼ମ୍ବନା ଭଳି ମନେ ହୁଏ; କାରଣ କୁହାଯାଇପାରେ ଯେ ‘ଆପ୍‌ଲ’ ଓ ଚୀନ୍‌ ସାଙ୍ଗ ହୋଇ ହାତ ଧରାଧରି ହୋଇ ସଫଳତା ଶିଡ଼ିରେ ଆରୋହଣ କରି ଏକ ସମୟରେ ଜଣେ ପୃଥିବୀର ସର୍ବାଧିକ ମୂଲ୍ୟବାନ୍‌ କମ୍ପାନିରେ ପରିଣତ ହୋଇଥିବା ବେଳେ ଅନ୍ୟ ଜଣେ ପୃଥିବୀର ବୃହତ୍ତମ ଉତ୍ପାଦନ କେନ୍ଦ୍ର ତଥା ଦ୍ବିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ବର୍ତ୍ତମାନ ପୃଥିବୀର ଭୌଗୋଳିକ-ରାଜନୈତିକ ସମୀକରଣରେ ଘଟି ଚାଲିଥିବା ପରିବର୍ତ୍ତନ ଯୋଗୁଁ ଆମେରିକା ଚୀନ୍‌ ସହିତ ସମ୍ପର୍କକୁ ନିଜ ପାଇଁ ଯଥା ସମ୍ଭବ ବିପଦମୁକ୍ତ କରିବା ନିମିତ୍ତ ଯେଉଁ ‘ଡିରିସ୍କିଙ୍ଗ୍‌’ ଉଦ୍ୟମ ଆରମ୍ଭ କରିଛି, ତାହାର ଅଂଶ ସ୍ବରୂପ ‘ଆପ୍‌ଲ’ ପରି ଅଗ୍ରଣୀ ଆମେରିକୀୟ ଟେକ୍‌ନୋଲୋଜି କମ୍ପାନିମାନେ ଚୀନ୍‌ରେ ହୋଇ ଆସୁଥିବା ଉତ୍ପାଦନକୁ ଭାରତ ଓ ଭିଏତ୍‌ନାମ ଆଦି ଦେଶକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ହୁଏତ ଏହାର ପ୍ରତିକ୍ରିୟା ସ୍ବରୂପ ଚୀନ୍‌ ‘ଫକ୍ସକନ୍‌’ ବିରୋଧରେ ଉପରୋକ୍ତ ଆକ୍ରମଣ ଆରମ୍ଭ କରିଛି।
ଏହି ସନ୍ଧିକ୍ଷଣରେ ଭାରତରୁ ଏବେ ଏପରି ଏକ ଖବର ପ୍ରକାଶ ପାଇଛି, ଯାହା ଚୀନ୍‌ରୁ ‘ଆପ୍‌ଲ’ର ପଳାୟନକୁ ଆହୁରି ନିଶ୍ଚିତତା ପ୍ରଦାନ କରିବା ସହିତ ତା’ ପ୍ରତି ଚୀନ୍‌ର କ୍ରୋଧରେ ଆହୁରି ବୃଦ୍ଧି ଘଟାଇଥିବ। ପ୍ରକାଶିତ ଖବର ଅନୁସାରେ ଭାରତର ବିଶାଳ ଓ ଅତ୍ୟନ୍ତ ମର୍ଯ୍ୟାଦାଜନକ ଶିଳ୍ପ ଗୋଷ୍ଠୀ ‘ଟାଟା’ ବର୍ତ୍ତମାନ ଭାରତରେ ଆପ୍‌ଲ ଆଇଫୋନ୍‌ ଖଞ୍ଜିବ‌ା‌ ଆରମ୍ଭ କରିବାକୁ ଯାଉଛି। ଏହା କରିବାରେ ‘ଟାଟା’ ହେବ ସର୍ବପ୍ରଥମ ଭାରତୀୟ କମ୍ପାନି ଯିଏ ବର୍ତ୍ତମାନ ‘ଫକ୍ସକନ୍‌’, ‘ୱିଷ୍ଟ୍ରନ୍‌’, ‘ପେଗାଟ୍ରନ୍‌’ ଓ ‘ଲକ୍ସେଆର’ ସହ ଆଇଫୋନ୍‌ର ଅନନ୍ୟସାଧାରଣ ଭେଣ୍ଡର୍‌ ତାଲିକାରେ ଯୋଗ ଦେବ। ଏହି ଅତି ବିଶେଷ କ୍ଷେତ୍ରରେ ‘ଟାଟା’ର ପ୍ରବେଶ ଅବଶ୍ୟ ସମ୍ଭବ ହୋଇଛି ସେଇ ତାଲିକାରେ ଥିବା ଏକ କମ୍ପାନିର ଭାରତରେ କାର୍ଯ୍ୟ କରୁଥିବା କାରଖାନାକୁ କ୍ରୟ କରିବା ମାଧ୍ୟମରେ। ସେ କମ୍ପାନିଟି ହେଉଛି ‘ୱିଷ୍ଟ୍ରନ୍‌ କର୍ପୋରେସନ୍‌’। ଏହି କମ୍ପାନିର ବାଙ୍ଗାଲୋର ନିକଟସ୍ଥ ଉତ୍ପାଦନ କେନ୍ଦ୍ରକୁ ‘ଟାଟା’ ୧୨୫ ନିୟୁତ ଡଲାର୍‌ ମୂଲ୍ୟରେ କ୍ରୟ କରିଛି ବୋଲି ସୂଚନା ପ୍ରକାଶ ପାଇଛି।
କେବଳ ଆଇଫୋନ୍‌ ଖଞ୍ଜିବା ନୁହେଁ, ‘ଟାଟା’ ମଧ୍ୟ ଆଇଫୋନ୍‌ର ଯନ୍ତ୍ରାଂଶ ଭାରତରେ ନିର୍ମାଣ କରିବାକୁ ଯାଉଛି, ଯାହା ତାମିଲନାଡୁର ହୋସୁର୍‌ ନିକଟରେ ସଂଘଟିତ ହେବ। ତାମିଲନାଡୁ ଭାରତ ଦିଗରେ ମୁହାଁଇଥିବା ତାଇୱାନିଜ୍‌ ଆଇଫୋନ୍‌ ନିର୍ମାତାମାନଙ୍କର ପସନ୍ଦର ସ୍ଥାନ ରୂପେ ଆବିର୍ଭୂତ ହେବା ଦେଖାଯାଇଛି। ବର୍ତ୍ତମାନ ଚେନ୍ନାଇ ନିକଟରେ ‘ଫକ୍ସକନ୍‌’ ପ୍ରତିଷ୍ଠା କରିଥିବା ତା’ର ଉତ୍ପାଦନ କେନ୍ଦ୍ରରେ ଆଇଫୋନ୍‌ ଖଞ୍ଜାଯାଉଛି। ‘ପେଗାଟ୍ରନ୍‌’ ମଧ୍ୟ ତାମିଲନାଡୁରେ ସକ୍ରିୟ ଅଛି।
‘ଫକ୍ସକନ୍‌’ ବର୍ତ୍ତମାନ ଭାରତରୁ ସର୍ବାଧିକ ସଂଖ୍ୟକ ଆଇଫୋନ୍‌ ବିଦେଶକୁ ରପ୍ତାନି କରୁଥିଲେ ହେଁ ଭାରତରେ ଆଇଫୋନ୍‌ ଖଞ୍ଜିବାରେ ପ୍ରଥମ କମ୍ପାନି ହେଉଛି ବର୍ତ୍ତମାନ ‘ଟାଟା’ ଦଖଲ କରି ନେଇଥିବା ‘ୱିଷ୍ଟ୍ରନ୍‌’। ୨୦୧୭ରେ ଭାରତରେ ସର୍ବପ୍ରଥମେ ‘ୱିଷ୍ଟ୍ରନ୍‌’ ଆଇଫୋନ୍‌ ଖଞ୍ଜିବା ଆରମ୍ଭ କରିଥିଲା ଓ ବର୍ତ୍ତମାନ ଏହି କମ୍ପାନି ହେଉଛି ଏଠାରୁ ଆଇଫୋନ୍‌ ରପ୍ତାନି କରିବାରେ ‘ଫକ୍ସକନ୍‌’ ପଛକୁ ଦ୍ବିତୀୟ। ଏହା ଅବଶ୍ୟ ସତ ଯେ ତଥାପି ଆଇଫୋନ୍‌ ନିର୍ମାଣର ଏକ ବୃହତ୍‌ ଅଂଶ ଚୀନ୍‌ରେ ସଂଘଟିତ ହେଉଛି, କିନ୍ତୁ ଏ କ୍ଷେତ୍ରରେ ‘ଟାଟା’ର ପ୍ରବେଶ ଏକ ନିଶ୍ଚିତ ସୂଚନା ବହନ କରିଥାଏ ଯେ କ୍ର‌େମ ‘ଆପ୍‌ଲ’ ତା’ର ଏହି ବ୍ୟବସାୟର ଏକ ଉଲ୍ଲେଖନୀୟ ଅଂଶକୁ ଚୀନ୍‌ରୁ ଅପସାରିତ କରି ଭାରତରେ ସ୍ଥାପନ କରିବାକୁ ଯାଉଛି। ଭାରତରେ ବର୍ତ୍ତମାନ ଯେତିକି ସଂଖ୍ୟକ ଆଇଫୋନ୍‌ ନିର୍ମିତ ହେଉଛି, ତାହା ହେଉଛି ପୃଥିବୀରେ ହେଉଥିବା ମୋଟ ଆଇଫୋନ ଉତ୍ପାଦନର ମାତ୍ର ୭ ଶତାଂଶ। ୨୦୨୫-୨୬ ସୁଦ୍ଧା ଆଇଫୋନ୍‌ ଉତ୍ପାଦନରେ ଭାରତର ଅଂଶକୁ ପ୍ରାୟ ୨୦ ଶତାଂଶରେ ପହଞ୍ଚାଇବାକୁ ଆପ୍‌ଲ ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ ପାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କର ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ପ୍ରଦାନ ଯୋଜନା ‘ପିଏଲ୍‌ଆଇ’ ଏ କ୍ଷେତ୍ରକୁ ନି‌େବଶକମାନଙ୍କୁ ଆକୃଷ୍ଟ କରିଛି, ‘ଟାଟା’ର ପ୍ରବେଶ ହେଉଛି ଯାହାର ଏକ ଚମକପ୍ରଦ ଉଦାହରଣ। କିନ୍ତୁ ତା’ ସହିତ ମନେ ରଖିବାକୁ ହେବ ଯେ ସରକାରଙ୍କର ଏହି ପ୍ରୋତ୍ସାହନ ଯୋଜନା ସତ୍ତ୍ବେ ‘ୱିଷ୍ଟ୍ରନ୍‌’ ଭାରତ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେବାରୁ ‘ଟାଟା’ ଏ କ୍ଷେତ୍ରରେ ପ୍ରବେଶ କରିଛି। ‘ୱିଷ୍ଟ୍ରନ’ ତେବେ କାହିଁକି ଭାରତ ଛାଡ଼ି ଚାଲିଗଲା, ଏହି ପରିପ୍ରେକ୍ଷୀରେ ସେ ପ୍ରଶ୍ନର ଉତ୍ତର ବିଶେଷ ଗୁରୁତ୍ବ ବହନ କରିଥାଏ। ଏଠାରେ ପୁଣି ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଭାରତ ପୃଥିବୀର ଦ୍ବିତୀୟ ବୃହତ୍ତମ ସ୍ମାର୍ଟ ଫୋନ୍‌ ବଜାର ହୋଇଥିବା ସତ୍ତ୍ବେ, ଏହାର ଆକର୍ଷଣ ‘ୱିଷ୍ଟ୍ରନ୍‌’କୁ ଏଠାରେ ଅଟକାଇ ରଖିପାରି ନାହିଁ। ହୁଏତ ତିନି ବର୍ଷ ତଳେ ପାରିଶ୍ରମିକ ପ୍ରଦାନରେ ଦୀର୍ଘ ବିଳମ୍ବ ଓ ଦୀର୍ଘ କାର୍ଯ୍ୟ ସମୟକୁ କେନ୍ଦ୍ର କରି ‘ୱିଷ୍ଟ୍ରନ୍‌’ ଏଠାରେ ଯେଉଁ କର୍ମଚାରୀ ବିକ୍ଷୋଭର ସମ୍ମୁଖୀନ ହୋଇଥିଲା, ତାହା ତା’ର ଏଠାରୁ ପଳାୟନ ନିଷ୍ପତ୍ତିକୁ ପ୍ରଭାବିତ କରିଥାଇପାରିଥାଏ।
‘ଆପ୍‌ଲ’ ଚୀନ୍‌ ବାହାରେ ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ କରିବାକୁ ଉପଯୁକ୍ତ ସ୍ଥାନ ଅନୁସନ୍ଧାନ କରୁଥିବା ବେଳେ ଏଥିପାଇଁ ଯେଉଁ ଦେଶମାନେ ଭାରତର ପ୍ରତିଦ୍ବନ୍ଦ୍ବୀ ରୂପେ ଉଭା ହୋଇଛନ୍ତି, ସେମାନେ ହେଲେ ଦକ୍ଷିଣ-ପୂର୍ବ ଏସିଆର କେତେକ ଦେଶ ଓ ମେକ୍ସିକୋ। ‘ଟାଟା ଗ୍ରୁପ୍‌’ କେବଳ ଭାରତରେ ନୁ‌େ‌ହଁ, ଆନ୍ତର୍ଜାତିକ ସ୍ତରରେ ତାହାର ବ୍ୟବସାୟ ଦକ୍ଷତା, ନୈତିକତା‌ ଓ ସାମାଜିକ ଦାୟିତ୍ବବୋଧ ପାଇଁ ପ୍ରସିଦ୍ଧି ଲାଭ କରିଛି। ଯଦି ଆଶା କରାଯାଉଥିବା ଭଳି ‘ଆପ୍‌ଲ’ର ସହଯୋଗରେ ‘ଇଲେକ୍‌ଟ୍ରୋନିକ୍‌ ମାନୁଫାକ୍‌ଚରିଙ୍ଗ୍‌ ସର୍ଭିସେସ୍‌’ କ୍ଷେତ୍ରରେ ତା’ର ଏହି ପ୍ରବେଶ ‘ଟାଟା’ ପାଇଁ ଏକ ଦୃଷ୍ଟି ଆକର୍ଷକ ସଫଳତା ଆଣିଦିଏ ତେବେ ତାହା ‘ୱିଷ୍ଟ୍ରନ୍‌’ର ପଳାୟନ ସତ୍ତ୍ବେ କ୍ରମେ ଏକ ଶକ୍ତିଶାଳୀ ଚୁମ୍ବକ ଭଳି ଚୀନ୍‌ରୁ ପ୍ରସ୍ଥାନ କରିବାକୁ ଉଦ୍ୟତ ଥିବା ‘ଆପ୍‌ଲ’ର ଅନ୍ୟ ସହଯୋଗୀ କମ୍ପାନିମାନଙ୍କୁ ଭାରତ ଦିଗରେ ଆକର୍ଷିତ କରିବାର ଦୃଢ଼ ସମ୍ଭାବନା ରହିଛି। ଭାରତ ତେଣୁ ‘ଟାଟା’ର ଏହି ପଦ‌‌େକ୍ଷପକୁ ହାର୍ଦ୍ଦିକ ସ୍ବାଗତ କରିବା ସହିତ ବିଦାୟୀ ୱିଷ୍ଟ୍ରନ୍‌କୁ ଆନ୍ତରିକ ଶୁଭକାମନା ଜଣାଇ କହୁଛି-‘ଟାଟା’।