କିନ୍ତୁ ଏହି ଆସ୍ତରଣ ତଳେ ଯାହା ପ୍ରକୃତରେ ହୃଦୟସ୍ପର୍ଶୀ, ତାହା ହେଲା ଅମିତ ଦୁଃଖ ଓ କଷଣ ସହି ଚାଲିଥିବା ଏବଂ ଅପ୍ରାପ୍ତିର ଆବର୍ତ୍ତ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ଅସଂଖ୍ୟ ସାଧାରଣ ଭାରତୀୟ ଏଥିରୁ ସେମାନଙ୍କ ମୁକ୍ତି ଲାଗି ଅକାତରେ ‘ଜୟ ଶ୍ରୀରାମ’ ବୋଲି କହି ଆକୁତି କରନ୍ତି। ଏହା ଦ୍ବାରା ସେମାନଙ୍କ ମୁକ୍ତିର କୌଣସି ଗ୍ୟାରେଣ୍ଟି ନ ଥିବା ସତ୍ତ୍ବେ ଆସ୍ଥା ଏଭଳି ଦୃଢ଼ମୂଳ ହୋଇଯାଏ ଯେ ଶ୍ବାସ ପ୍ରଶ୍ବାସରେ ମଧ୍ୟ ରାମଙ୍କ ନାମ ଚାଲିଥାଏ; କାହା ସହିତ ଅଗତ୍ୟା ଦେଖା ହୋଇଗଲେ ଅଭିବାଦନ ସ୍ବରୂପ ସ୍ବତଃସ୍ଫୂର୍ତ୍ତ ଭାବେ ମୁଖ ନିସୃତ ହୋଇଯାଏ ‘ରାମ ରାମ’। ଭାବର ଏହି ଆର୍ଦ୍ରପଣରୁ ହିଁ ଭାରତ ଓ ଭାରତୀୟଙ୍କୁ ବୁଝିବାକୁ ହେବ। ତାହା ହେଲେ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଶୁଷ୍କ ଉତ୍ସବ ରୂପେ ‌ଦେଖିବାର ଭ୍ରାନ୍ତି ସୃଷ୍ଟି ହୋଇ ନ ପାରେ।

Advertisment

ଆଜି ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ କେତେକ ବିବାଦର ଆବିର୍ଭାବ ଘଟିଥିବା ସତ୍ତ୍ବେ ରାଷ୍ଟ୍ରବ୍ୟାପୀ ଯେ ବିପୁଳ ଆନନ୍ଦ ଏବଂ ଉତ୍ସାହର ତରଙ୍ଗ ସୃଷ୍ଟି ହୋଇଛି, ତହିଁରେ ଦ୍ବିରୁକ୍ତି ନାହିଁ। କହିବା ଅନାବଶ୍ୟକ ଯେ ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବରୀ ମସଜିଦ ବିବାଦ କେବଳ ମାତ୍ର ଏକ ଦୀର୍ଘକାଳୀନ ଅଦାଲତୀ ବିବାଦରେ ସୀମିତ ହୋଇ ରହି ନ ଥିଲା; ଏହି ପ୍ରସଙ୍ଗକୁ ଉପଜୀବ୍ୟ କରି ଭାରତୀୟ ଜନତା ପାର୍ଟି ଅମାପ ଶକ୍ତି ବୃଦ୍ଧି କରିବା ସହିତ ଅବଲୀଳା କ୍ରମେ ଏକ ଅଦମନୀୟ ରାଜନୈତିକ ଦଳରେ ପରିଣତ ହୋଇଛି ଏବଂ ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଭାରତୀୟ ରାଜନୀତି ଧର୍ମ ପରିପୃକ୍ତ ହେବାର ଉପକ୍ରମ ମଧ୍ୟ ଏହି ପ୍ରସଙ୍ଗରୁ ହିଁ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଏହି ଧାରାରେ ଭାରତ ସାଧାରଣତନ୍ତ୍ରର ଏକ ମୁଖ୍ୟ ପରିଚିତି ଭାବେ ସ୍ବୀକୃତ ‘ଧର୍ମ ନିରପେକ୍ଷତା’ ପୁନଃ ପରିଭାଷିତ ହୋଇ ରାଜନୈତିକ ଆନୁଗତ୍ୟ ପରିପ୍ରେକ୍ଷୀରେ ଏକ ଦୋଦୁଲ୍ୟମାନ ସ୍ଥିତି ମଧ୍ୟ ସୃଷ୍ଟି କରିଛି। ସ୍ମରଣରେ ଥାଉ କି ୧୯୯୦ ମସିହାରେ ଏଲ୍‌.କେ. ଆଡ଼ଭାନୀଙ୍କ ନେତୃତ୍ବରେ ପ୍ରାରମ୍ଭ ରାମ ରଥଯାତ୍ରା ବାବରୀ ମନ୍ଦିରର ଧ୍ବଂସ ସାଧନ ସହିତ ସମାପ୍ତ ହେବା ପରେ ‘ହିନ୍ଦୁତ୍ବବାଦ’ର ପୁନରୁତ୍‌ଥାନ ସକାଶେ ଭୂମି ପ୍ରସ୍ତୁତ ହୋଇଯାଇଥିଲା ଏବଂ ଆସ୍ଥା, ଉପାସନା, ଧର୍ମୀୟତା, ସାଂସ୍କୃତିକ ପରିଚୟ, ଦନ୍ତକଥା, ଇତିହାସ, ରାଜନୀତି, ଜାତୀୟତାବାଦ ଇତ୍ୟାଦି ଭଳି ଅନେକ ବିଷୟର ପୁନରୁଶୀଳନ ଏବଂ ପୁନର୍ବ୍ୟାଖ୍ୟାନ ଲାଗି ଅବକାଶ ସୃଷ୍ଟି ହୋଇଥିଲା। ସୁତରାଂ, ଆଜିର ଦିନରେ ଏହି ସଂଦର୍ଭକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ସୋମନାଥ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ତୀବ୍ର ବିରୋଧ କରୁଥିଲେ ଏବଂ ଏହାର ଲୋକାର୍ପଣ ଉତ୍ସବ(୧୯୫୧)ରୁ ସେ ନିଜକୁ ଦୂରେଇ ରଖିଥିଲେ, ଅଥଚ, ତତ୍କାଳୀନ ରାଷ୍ଟ୍ରପତି ରା‌ଜେନ୍ଦ୍ର ପ୍ରସାଦ ନେହରୁଙ୍କ ଇଚ୍ଛା ବିରୋଧରେ ତହିଁରେ ଯୋଗ ଦେଇଥିଲେ। ନେହରୁଙ୍କ ଏଭଳି ଆଭିମୁଖ୍ୟ ପଛରେ ନିହିତ କାରଣଟି ଥିଲା ଏହା ଯେ ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ସରକାର ବା ସରକାରୀ ପ୍ରତିନିଧି ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ସଂଶ୍ଳିଷ୍ଟ କୌଣସି କାର୍ଯ୍ୟ ବା ଉତ୍ସବରେ ଯୋଗ ଦେବା ଅନୁଚିତ; କିନ୍ତୁ ଏ ବ୍ୟାପାରରେ ନେହରୁଙ୍କ ସହିତ ରାଜେନ୍ଦ୍ର ପ୍ରସାଦ ଏକମତ ନ ଥିଲେ। କିନ୍ତୁ, ଉଭୟେ ଥିଲେ ଜଣେ ଜଣେ ସମର୍ପିତ କଂଗ୍ରେସୀ। ତେଣୁ ସେ କାଳରେ କଂଗ୍ରେସରେ ମଧ୍ୟ ଏକ ଦକ୍ଷିଣପନ୍ଥୀ ଦୋଳନ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଏକ ବାସ୍ତବତା ଯେ ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ କ୍ଷମତାସୀନ କଂଗ୍ରେସ ସରକାର ଯଦିଓ ନେହରୁଙ୍କ ଦ୍ବାରା ଅନୁସୃତ ଧର୍ମନିରପେକ୍ଷତାକୁ ସରକାରୀ ନୀତି ଭାବେ ଗ୍ରହଣ କରିଥିଲା, ଅନେକତ୍ର ବସ୍ତୁସ୍ଥିତି ଥିଲା ଭିନ୍ନ; ଯେମିତି କି ସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରାର୍ଥନା ସଭାରେ ପ୍ରାୟତଃ ହିନ୍ଦୁ ଜଣାଣ ବୋଲା ଯାଉଥିଲା ବା ଗଣେଶ ଏବଂ ସରସ୍ବତୀ ପୂଜାକୁ ସ୍କୁଲଗୁଡ଼ିକ ଆନୁଷ୍ଠାନିକ ଭାବେ ପାଳନ କରୁଥିଲେ। ସୁତରାଂ, ସ୍ପଷ୍ଟ ହୋଇଥାଏ ଯେ କଂଗ୍ରେସ ଶାସନ କାଳରେ ମଧ୍ୟ କେତେକ ସ୍ଥଳରେ ହିନ୍ଦୁ ପ୍ରାଧାନ୍ୟ ରହିଥିଲା। ତେଣୁ, ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ କଂଗ୍ରେସ ଏକ ହିନ୍ଦୁ ବିରୋଧୀ ଦଳ ରୂପେ ଧାରଣା ସୃଷ୍ଟି ହୋଇଛି କାହିଁକି?
ଏହାର ଏକ ବଡ଼ କାରଣ ବୈଠକ ଖାନାରେ ବିମର୍ଶ ମଗ୍ନ ନେହରୁବାଦୀ ବିଦ୍ବାନମାନେ ଏ କଥା ବୁଝାଇବାରେ ବିଫଳ ହୋଇଛନ୍ତି ଯେ ଜବାହରଲାଲ ନେହରୁ ନିର୍ଦ୍ଦିଷ୍ଟ ଭାବେ ହିନ୍ଦୁ ଧର୍ମ ବିରୋଧୀ ନ ଥିଲେ; କୌଣସି ମସଜିଦ ବା ଚର୍ଚ୍ଚ ବା ଗୁରୁଦ୍ବାରା ପରିପ୍ରେକ୍ଷୀରେ ମଧ୍ୟ ସେ ଏହି ସମାନ ମତ ପୋଷଣ କରିଥାଆନ୍ତେ। ଏହି ବିଫଳତା କାରଣରୁ ସୃଷ୍ଟ ଧାରଣା ହେତୁ ୧୯୮୬ ମସିହାରେ କଂଗ୍ରେସ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଦେଶ କ୍ରମେ ବାବରୀ ମସଜିଦର ଫାଟକରେ ପଡ଼ିଥିବା ତାଲା ଖୋଲାଯାଇ ଶ୍ରୀରାମଙ୍କ ପୂଜାର୍ଚ୍ଚନାକୁ ପୁନର୍ବାର ପ୍ରାରମ୍ଭ କରାଯାଇଥିଲେ ହେଁ ତାହା ଗୌଣ ହୋଇଯାଇଥିଲା, ବରଂ, ଶାହ ବାନୋ ଭରଣପୋଷଣ ମାମଲା ବା ‘ସାଟାନିକ ଭର୍ସେସ’ ଉପରେ ଜାରି ନିଷେଧାଦେଶ ଭଳି ବିଷୟକୁ ଦର୍ଶାଇ କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟୀକରଣ ଜରିଆରେ ଭୋଟ ବ୍ୟାଙ୍କ ରାଜନୀତିରେ ଲପ୍ତ ବୋଲି ସହଜରେ ଭାରତୀୟମାନଙ୍କୁ ବୁଝାଇ ଦିଆଯାଇପାରିଲା। ତେଣୁ ସାଂପ୍ରତିକ ବିଡ଼ମ୍ବନା ହେଲା, ବର୍ତ୍ତମାନ ସୁଦ୍ଧା କଂଗ୍ରେସ ବିମର୍ଶକାରମାନେ ଏହି ଛୋଟ କଥାକୁ ବୁଝି ପାରିନାହାନ୍ତି କି ସେମାନଙ୍କ ବୈଚାରିକ ସମୀପ ଦୃଷ୍ଟି ପରିହାର କରି ପାରିନାହାନ୍ତି। ତାହା ହୋଇ ନ ଥିଲେ ହୁଏତ କଂଗ୍ରେସ ଆଜିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏଭଳି ବର୍ଜନ କରି ନ ଥାଆନ୍ତା!
ଅବଶ୍ୟ କେବଳ କଂଗ୍ରେସ ନୁ‌େହଁ, ଅନେକ ରାଜନୈତିକ ଦଳ ଏହି ଉତ୍ସବକୁ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରୁଥିବା କାର୍ଯ୍ୟକ୍ରମ ରୂପେ ଦେଖିଥାଆନ୍ତି, ଯାହା ମଧ୍ୟ ସତ। କିନ୍ତୁ ୨୦୧୯ ମସିହାରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଆସିବା ପର ଠାରୁ ଏହାର ରାଜନୀତୀକରଣ ହେବା ନେଇ କ’ଣ ସନ୍ଦେହ ଥିଲା କି? କିନ୍ତୁ ଆଉ ଏକ ବାସ୍ତବତା ହେଲା ଏହି ଉତ୍ସବର ଆବେଗିକ ଆବେଦନ ଏହାକୁ କେବଳ ଏକ ଶୁଷ୍କ ରାଜନୈତିକ ପ୍ରସଙ୍ଗ ହୋଇ ରହିବାକୁ ଦେବ ନାହିଁ। ସ୍ମରଣରେ ଅଛି କି କଂଗ୍ରେସର ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ହିଁ ବାବରୀ ମସଜିଦର ପତନ ଘଟିଥିଲା। କିନ୍ତୁ, ଏହାକୁ ଏକ ସାମୟିକ ସାଂପ୍ରଦାୟିକ ଉଦ୍‌ବେଳନ ବା ଉତ୍ତେଜନାଜନିତ କାର୍ଯ୍ୟ ରୂପେ ନ ଦେଖି ଅତ୍ୟନ୍ତ ବିଚକ୍ଷଣ ନରସିଂହ ରାଓ ତହିଁରେ ହିନ୍ଦୁ ପୁନର୍ଜାଗରଣର ତରଙ୍ଗକୁ ଦେଖି ପାରିଥିଲେ, ଯାହା କ୍ରମେ ସୁନାମିର ରୂପ ନେଇଥିଲା। ତେଣୁ ଏ ସଂଦର୍ଭରେ ଉପୁଜିଥିବା ପରିସ୍ଥିତିକୁ ଉପଲକ୍ଷ୍ୟ କରି ସେ ଠାଏ କହିଥିଲେ: ‘ତୁମେ ବିଜେପିକୁ ପରାସ୍ତ କରି ଦେଇପାର; କିନ୍ତୁ ରାମଙ୍କୁ ନୁହେଁ।’ ଏହା ହିଁ ହେଉଛି ଭାରତ ଭୂଖଣ୍ଡରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅନତିକ୍ରମ୍ୟ ମର୍ଯ୍ୟାଦାର ପ୍ରମାଣ। ଏହାକୁ ହୃଦୟଙ୍ଗମ କରିପାରିଥିବା ମହାତ୍ମା ଗାନ୍ଧୀ ‘ସର୍ବ ଧର୍ମ, ସମ ଭାବ’ର ଦୃଢ଼ ବିଶ୍ବାସୀ ଥିଲେ ସୁଦ୍ଧା ଶ୍ରୀରାମଙ୍କ ଶ୍ରେଷ୍ଠତ୍ବକୁ ସର୍ବାଧିକ ଉଚ୍ଚାସନ ଦେଇଥିଲେ, ଯହିଁରେ ତାଙ୍କ କଳ୍ପିତ ସ୍ବପ୍ନର ଭାରତକୁ ସେ ରାମ ରାଜ୍ୟ ରୂପେ ଦେଖୁଥିଲେ; ତାଙ୍କ ରକ୍ତ ପ୍ରବାହରେ ରାମ ନାମ ଏକ କଣିକା ଭଳି ପ୍ରବାହିତ ହେଉଥିଲା ବୋଧହୁଏ, ଯେଉଁ କାରଣରୁ ତାଙ୍କ ଅନ୍ତିମ ନିଃଶ୍ବାସ ସହିତ ଯାହା କ୍ଷୀଣ ଭାବେ ଉଚ୍ଚାରିତ ହୋଇଥିଲା, ତାହା ଥିଲା, ‘ହେ ରାମ!’
ଏକ ବିଡ଼ମ୍ବନା ହେଲା ସାଂପ୍ରତିକ ରାଜନୈତିକ ସ୍ଥିତିରେ ଅନେକ ରାଜନୈତିକ ଦଳ ‘ଜୟ ଶ୍ରୀରାମ’ ଭଳି ଏକ ଅଭିବ୍ୟକ୍ତିକୁ ଉଚ୍ଚାରଣ କରିବା ଲାଗି ସଂକୋଚ ବୋଧ କରିଥାଆନ୍ତି। ଏହାର ଏକ ବଡ଼ କାରଣ ହେଲା ଦକ୍ଷିଣପନ୍ଥୀ ହିନ୍ଦୁତ୍ବବାଦୀ ଦଳଗୁଡ଼ିକ ଏହି ଅଭିବ୍ୟକ୍ତିକୁ ଏକ ରଣ ହୁଙ୍କାରରେ ପରିଣତ କରି ସାରିଲେଣି। କିନ୍ତୁ ଏହି ଆସ୍ତରଣ ତଳେ ଯାହା ପ୍ରକୃତରେ ହୃଦୟସ୍ପର୍ଶୀ, ତାହା ହେଲା ଅମିତ ଦୁଃଖ ଓ କଷଣ ସହି ଚାଲିଥିବା ଏବଂ ଅପ୍ରାପ୍ତିର ଆବର୍ତ୍ତ ମଧ୍ୟରେ ଶ୍ବାସରୁଦ୍ଧ ହୋଇ ପଡ଼ିଥିବା ଅସଂଖ୍ୟ ସାଧାରଣ ଭାରତୀୟ ଏଥିରୁ ସେମାନଙ୍କ ମୁକ୍ତି ଲାଗି ଅକାତରେ ‘ଜୟ ଶ୍ରୀରାମ’ ବୋଲି କହି ଆକୁତି କରନ୍ତି। ଏହା ଦ୍ବାରା ସେମାନଙ୍କ ମୁକ୍ତିର କୌଣସି ଗ୍ୟାରେଣ୍ଟି ନ ଥିବା ସତ୍ତ୍ବେ ଆସ୍ଥା ଏଭଳି ଦୃଢ଼ମୂଳ ହୋଇଯାଏ ଯେ ଶ୍ବାସ ପ୍ରଶ୍ବାସରେ ମଧ୍ୟ ରାମଙ୍କ ନାମ ଚାଲିଥାଏ; କାହା ସହିତ ଅଗତ୍ୟା ଦେଖା ହୋଇଗଲେ ଅଭିବାଦନ ସ୍ବରୂପ ସ୍ବତଃସ୍ଫୂର୍ତ୍ତ ଭାବେ ମୁଖ ନିସୃତ ହୋଇଯାଏ ‘ରାମ ରାମ’। ଭାବର ଏହି ଆର୍ଦ୍ରପଣରୁ ହିଁ ଭାରତ ଓ ଭାରତୀୟଙ୍କୁ ବୁଝିବାକୁ ହେବ। ତାହା ହେଲେ ଏହାକୁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଶୁଷ୍କ ଉତ୍ସବ ରୂପେ ‌ଦେଖିବାର ଭ୍ରାନ୍ତି ସୃଷ୍ଟି ହୋଇ ନ ପାରେ। ତେଣୁ ଅନେକ ବାଦବିବାଦ ସତ୍ତ୍ବେ ଏହି ଉତ୍ସବ ପ୍ରାଣବନ୍ତ ହୋଇ ଉଠିବା ନିଧାର୍ଯ୍ୟ।