ଜଙ୍ଗଲର ଆଭିଧାନିକ ସଂଜ୍ଞା ବା ପରିଭାଷା କ’ଣ? ତାହା ହେଲା ବୃକ୍ଷରାଜିର ସମାହାର ଯାହା ସ୍ବତନ୍ତ୍ର ଭାବେ ଏକ ଜୈବ ପରିମଣ୍ଡଳ ବା ‘ଇକୋସିଷ୍ଟମ୍’କୁ ଜନ୍ମ ଦେଇଥାଏ। ନିଘଞ୍ଚ ଅରଣ୍ୟ ହେଉ ବା ପତଳା ଗୁଳ୍ମ ଜଙ୍ଗଲ; ତାହା ପ୍ରାକୃତିକ ଭାବେ ଜୈବ ବିବିଧତାର ଏକ ଭଣ୍ଡାର ପାଲଟିଥାଏ। କିନ୍ତୁ ବିଡ଼ମ୍ବନା ହେଲା, ୨୦୨୩ ମସିହାର ଜଙ୍ଗଲ ଆଇନ ସଂଶୋଧନ ଅନୁସାରେ ଜଙ୍ଗଲର ସଂଜ୍ଞା ଏହା ହୋଇଗଲା ଯେ ଜଙ୍ଗଲ ଭାବେ ରେକର୍ଡଭୁକ୍ତ ହୋଇ ନ ଥିଲେ ବୃକ୍ଷଭରା ଅଞ୍ଚଳକୁ ମଧ୍ୟ ଜଙ୍ଗଲ ରୂପେ ପରିଭାଷିତ କରାଯାଇପାରିବ ନାହିଁ। ସ୍ବାଭାବିକ ଭାବେ ଏଭଳି ଏକ ସଂଶୋଧନ ଜଙ୍ଗଲ ଏବଂ ପରି‌େବଶପ୍ରେମୀଙ୍କ ମଧ୍ୟରେ ଘୋର ଉଦ୍‌ବେଗ ସୃଷ୍ଟି କଲା। ତେଣୁ ମାନ୍ୟବର ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥମୂଳକ ମାମଲା ଆଗତ କରାଯାଇଥିଲା, ଯାହର ଶୁଣାଣି କରି ମାନ୍ୟବର ସୁପ୍ରିମ୍ କୋର୍ଟ ଗଲା ଫେବ୍ରୁଆରି ୧୯ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ୨୦୨୩ ମସିହାର ସଂଶୋଧନ ପୂର୍ବରୁ ଜଙ୍ଗଲର ପରିଭାଷା ଯାହା ଥିଲା, ତାହା ପୁଣି ଫେରି ଆସୁ।
ମାମଲାର ଶୁଣାଣି ସମୟରେ ଅଦାଲତଙ୍କ ପକ୍ଷରୁ କୁହାଯାଇଛି ଯେ ୧୨ ଡିସେମ୍ବର, ୧୯୯୬ରେ ତତ୍କାଳୀନ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ରାୟ ଅନୁସାରେ ଜଙ୍ଗଲକୁ ଆଭିଧାନିକ ଅର୍ଥରେ ବୁଝିବାକୁ ହେବ; ଆଭିଧାନିକ ସଂଜ୍ଞାର ସର୍ତ୍ତଗୁଡ଼ିକୁ ପୂରଣ କରୁଥିବା ଯେ କୌଣସି ଅଂଚଳ ଓ କ୍ଷେତ୍ରକୁ ଜଙ୍ଗଲ ଭାବରେ ବିବେଚନା କରାଯିବା ଉଚିତ। ପ୍ରକାଶ ଥାଉ କି ମାନ୍ୟବର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ଖଣ୍ଡପୀଠଙ୍କ ଏଭଳି ଏକ ଆଭିମୁଖ୍ୟ ପ୍ରକାଶ ପାଇ ନ ଥିଲେ ସରକାରୀ ରେକର୍ଡରେ ଜଙ୍ଗଲ ବୋଲି ଉଲ୍ଲେଖ ହୋଇ ନ ଥିବା ପ୍ରାୟ ୧.୯୭ ଲକ୍ଷ ବର୍ଗ କିଲୋମିଟର ଆୟତନ ପରିମିତ ଜଙ୍ଗଲ ଜମି ରକ୍ଷା କବଚ ହରାଇ ବସି ଥାଆନ୍ତେ, ଯାହା ୧୯୮୦ ମସିହା ଜଙ୍ଗଲ ସଂରକ୍ଷଣ ଆଇନ ବଳରେ, ୨୦୨୩ ମସିହା ପର୍ଯ୍ୟନ୍ତ, ଅନ୍ତତଃ ସୁରକ୍ଷିତ ହୋଇ ରହିଥିଲା। ଏହି ଖଣ୍ଡପୀଠ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜର ଜଙ୍ଗଲ ରେକର୍ଡକୁ ‘କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ’ (ଏମ୍.ଓ.ଏଫ୍.ଏନ୍.ସି.ସି.) ନିକଟରେ ବିଧିବଦ୍ଧ ଭାବେ ଦାଖଲ କରିବେ। ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ମନ୍ତ୍ରାଳୟ ପକ୍ଷରୁ ଉପଲବ୍‌ଧ ତଥ୍ୟକୁ ନିଜ ୱେବ୍‌ସାଇଟ୍‌ରେ ସ୍ଥାନିତ କରାଯିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜୁଲାଇ, ୨୦୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ଜନସ୍ବାର୍ଥ ମାମଲାରେ ଆବେଦନକାରୀ ଏହି ଆଶଙ୍କା ବ୍ୟକ୍ତ କରିଥିଲେ ଯେ ୨୦୨୩ ମସିହାରେ ଜଙ୍ଗଲ ଆଇନର ସଂଶୋଧନ ପରେ ଜଙ୍ଗଲ ଯେଉଁ ନୂଆ ପରିଭାଷା ପାଇଥିଲା, ତାହା ଅନୁସାରେ ୧.୯୭ ଲକ୍ଷ ବର୍ଗ କିଲୋମିଟର ଆୟତନବିଶିଷ୍ଟ ରେକର୍ଡ ବହିର୍ଭୂତ ଜଙ୍ଗଲ ଜମି ଅଣଜଙ୍ଗଲ ରୂପେ ବିବେଚିତ ହୋଇ କ୍ରମେ ସତ୍ତା ହରାନ୍ତେ, ଯହିଁରେ ଖଣିଖାଦାନ, ଶିଳ୍ପୋଦ୍ୟୋଗ ଆଦି ପ୍ରାଧାନ୍ୟ ପାଆନ୍ତା। ପ୍ରକାଶ ଥାଉ କି ୨୦୨୩ ମସିହାର ସଂଶୋଧନ ନିୟମାବଳୀରେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ୧୯୯୬ ମସିହାର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ତେବେ, ବର୍ତ୍ତମାନ ୧୯୯୬ ମସିହାର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶର ମାପଦଣ୍ଡ ଅନୁଯାୟୀ ଜମିର ରେକର୍ଡ ଦାଖଲ କରାଯିବ।
ପ୍ରକାଶ ଥାଉ କି ୧୯୯୬ ମସିହାରୁ ସତେଇଶ ବର୍ଷ ବିତିଯାଇଥିଲେ ସୁଦ୍ଧା କେତେକ ରାଜ୍ୟ ତତ୍କାଳୀନ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରି ଜଙ୍ଗଲର ପଂଜୀକରଣ କରିନାହାନ୍ତି। ତେଣୁ ଏହି କାର୍ଯ୍ୟ ବର୍ତ୍ତମାନ ବେଗ ପାଇବା ଉଚିତ।
ଜଙ୍ଗଲ ହେଉଛି ପୃଥିବୀର ଫୁସ୍‌ଫୁସ୍; କିନ୍ତୁ ପ୍ରକୃତିର ବିଡ଼ମ୍ବନା ହେଲା ମୂଲ୍ୟବାନ ଖଣିଜ ସଂପଦର ଭଣ୍ଡାର ଏଭଳି ଜଙ୍ଗଲ ତଳେ ବିଦ୍ୟମାନ। ବଜାର ଅର୍ଥନୀତି ଦ୍ବାରା ପରିଚାଳିତ ଆଜିର ଲାଭକୈନ୍ଦ୍ରିକ ବିଚାର ପୃଥିବୀର ଦୋହନ ଲାଗି ଅଧିକରୁ ଅଧିକ ଜଙ୍ଗଲମୁକ୍ତ ଅଞ୍ଚଳ ଚାହିଁଥାଏ। କିନ୍ତୁ ଏହା ଦ୍ବାରା ଜୈବବିବିଧତା କ୍ଷୁଣ୍ଣ ହେବା ତଥା ପରିବେଶ ଉତ୍ତପ୍ତୀକରଣ ଏବଂ ପ୍ରଦୂଷଣ ଅଧିକ ଉତ୍କଟ ହେବା ସାର ହୋଇଥାଏ, ଯାହା ଅଧିକ ପ୍ରାକୃତିକ ଦୁର୍ବିପାକର କାରଣ ମଧ୍ୟ ହୋଇଥାଏ। ସେହି ଦୃଷ୍ଟିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଜଙ୍ଗଲର ସଂଜ୍ଞାକୁ ଆଭିଧାନିକ ଦୃଷ୍ଟିରେ ଅର୍ଥାୟିତ କରିବା ସ୍ବାଗତଯୋଗ୍ୟ।
ମୋ: ୯୯୧୦୭୪୦୮୩୯