୧୯୮୫ ମସିହାରେ ଭାରତ ନିଜ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସଂପର୍କକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଦୃଢ଼ କରିବା ସକାଶେ ‘ସାର୍କ୍’ ନାମକ ଏକ ସଂଗଠନ ଗଢ଼ିବା ଦିଗରେ ନେତୃତ୍ବ ନେଇଥିଲା; ‘ସାର୍କ୍’ ଅର୍ଥାତ୍ ‘ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ।’ ଏହି ସଂଗଠନରେ ଭାରତକୁ ମିଶାଇ ସାତଟି ଦକ୍ଷିଣ ଏସୀୟ ରାଷ୍ଟ୍ର ସାମିଲ ହୋଇଥିଲେ, ଯେମିତି କି ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଳଦ୍ବୀପ ଓ ଭୁଟାନ। ୨୦୦୭ ମସିହାରେ ଅଷ୍ଟମ ରାଷ୍ଟ୍ର ରୂପେ ଆଫଗାନିସ୍ତାନ ଏଥିେର ଯୋଗ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ପାରସ୍ପରିକ ସହଯୋଗ ଓ ସଂହତି ଭିତ୍ତିକ ବିକାଶ। କିନ୍ତୁ ବିଡ଼ମ୍ବନା ହେଲା, ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଏବଂ ଆଫଗାନିସ୍ତାନରେ ତାଲିବାନ ଶାସନ ଜନିତ ଅସ୍ବାଭାବିକ ପରିସ୍ଥିତି ହେତୁ ଏହି ସଂଗଠନ ବସ୍ତୁତଃ ଅଚଳ ହୋଇପଡ଼ିଲା। କିନ୍ତୁ ସେତିକିରେ କଥା ସରିଲା ନାହିଁ; କ୍ରମେ ଦେଖିବାକୁ ମିଳିଲା ଯେ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଚୀନ ଦ୍ବାରା ପ୍ରଭାବିତ ହେବାକୁ ଲାଗିଲେ ଏବଂ ଭାରତର ସମସ୍ତ ଉଦ୍ୟମ ସତ୍ତ୍ବେ ସେମାନଙ୍କ ସହିତ ଭାରତର ସଂପର୍କ ଦୁର୍ବଳ ହେବାରେ ଲାଗିଲା। ଏହି କାରଣରୁ ଏହି ଦେଶଗୁଡ଼ିକ ଏବେ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି।
ତେବେ ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ଗୋଠରେ ଚୀନ ପଶିଲା କାହିଁକି? କାରଣ ହେଲା ଏକ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ଶକ୍ତି ରୂପେ ଭାରତର ଅଭ୍ୟୁଦୟରେ ଚୀନ ଅସହିଷ୍ଣୁ ଏବଂ ସମ୍ଭବତଃ ଅସୁରକ୍ଷିତ ବୋଧ କରୁଛି ଏବଂ ଏକ ରଣନୈତିକ ଚାଲବାଜି ରୂପେ ଭାରତକୁ ତା’ର ସମସ୍ତ ପ୍ରତିବେଶୀଙ୍କ ଠାରୁ ଦୂରେଇ ରଖି ଏକଘରିକିଆ କରିବାକୁ ଚାହୁଛି। ଏଥି ଲାଗି ଚୀନ ଯେଉଁ କୌଶଳ ଅବଲମ୍ବନ କରୁଛି, ତାହା ହେଲା ଏହି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ଭିତ୍ତିଭୂମିଗତ ବିକାଶ ଲାଗି ବିପୁଳ ଅର୍ଥ ସାହାଯ୍ୟ। ତେବେ ଚୀନର ମାୟାରେ ବାୟା ହୋଇଥିବା ଏହି ରାଷ୍ଟ୍ରମାନେ ଯେଉଁ ସୁଦୂରପ୍ରସାରୀ କ୍ଷତିକୁ ନଜରଅନ୍ଦାଜ କରୁଛନ୍ତି, ତାହା ହେଲା ଚୀନର ଏହି ଅର୍ଥ ସାହାଯ୍ୟରୁ ସିଂହଭାଗ ହେଉଛି ଅତି ଉଚ୍ଚା ସୁଧ ହାରରେ ଦିଆଯାଇଥିବା ଋଣ; ଏବଂ ଚରିତ୍ରଗତ ଭାବେ ଚୀନ ହେଉଛି ଗୋଟିଏ ନିର୍ଦୟ ମହାଜନ।
ଏବେ ଏହା ଦ୍ବାରା କିଭଳି ସ୍ଥିତି ସୃଷ୍ଟି ହେଉଛି ତାହା ବୁଝିବା ଲାଗି ପାକିସ୍ତାନକୁ ଏକ ‘କେସ୍ ଷ୍ଟଡି’ ରୂପେ ନିଆଯାଉ। ଭାରତର ଦୁଇ ଶତ୍ରୁ ରାଷ୍ଟ୍ର ଭାବେ ଚୀନ ଓ ପାକିସ୍ତାନ ନିଜକୁ ପରମ ମିତ୍ର ବୋଲି ମଣନ୍ତି; କିନ୍ତୁ ଗହୀରେଇ ଦେଖିଲେ ପାକିସ୍ତାନ ଚୀନର ଏକ ‘ଦାସ ରାଷ୍ଟ୍ର’ରେ ପରିଣତ ହୋଇ ସାରିଲାଣି। ପ୍ରଥମ କଥା ପାକିସ୍ତାନରେ ଭିତ୍ତିଭୂମି ବିକାଶ ଲାଗି ଚୀନ ଦ୍ବାରା ପ୍ରଦତ୍ତ ଅର୍ଥ ରାଶିରୁ ଅଧିକାଂଶ ହେଉଛି ଋଣ, ଯାହା ପରିଶୋଧ କରିବାରେ କିଞ୍ଚିତ ଖିଲାପ ମଧ୍ୟ ଚୀନ ଦ୍ବାରା ସ୍ବୀକାର୍ଯ୍ୟ ନୁହେଁ। ଦ୍ବିତୀୟ କଥା ହେଲା, ପାକିସ୍ତାନର ଏହି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ପାକିସ୍ତାନୀ ଠିକା ସଂସ୍ଥା ବଦଳରେ ନିୟୋଜିତ ହୋଇଛନ୍ତି ଚୀନା କଣ୍ଟ୍ରାକ୍ଟର; ସୁତରାଂ, ନିର୍ମାଣ କାର୍ଯ୍ୟରୁ ମିଳୁଥିବା ଲାଭ ମଧ୍ୟ ଯିବ ଚୀନକୁ। କେବଳ ସେତିକି ନୁହେଁ, ଯଦି କୌଣସି କାରଣରୁ ପାକିସ୍ତାନ ଋଣ ଫେରସ୍ତରେ ଖିଲାପ କରେ, ତେବେ ମିତ୍ର ରାଷ୍ଟ୍ର ଚୀନ ପାକିସ୍ତାନକୁ ଆଦୌ କ୍ଷମା କରିବ ନାହିଁ; ବରଂ ଚୀନା ଅର୍ଥ ରାଶିରେ ବିକଶିତ ଭିତ୍ତିଭୂମିର ମାଲିକାନା ଚୀନ ଅଧୀନକୁ ଦୀର୍ଘକାଳୀନ ଲିଜ୍ ଆକାରରେ ଚାଲିଯିବ। ସଂପ୍ରତି ପାକିସ୍ତାନ ଦାରୁଣ ଆର୍ଥିକ ବିପର୍ଯ୍ୟୟ ଭିତରେ ଗତି କରି ବିଶ୍ବ ବ୍ୟାଙ୍କ ଏବଂ ‘ଆଇ.ଏମ୍.ଏଫ୍.’ ଆଗରେ ଭିକ୍ଷା ଥାଳ ଧରି ଦଣ୍ଡାୟମାନ, କିନ୍ତୁ ଚୀନର ହୃଦୟ ତରଳି ନାହିଁ। ଚୀନ ନିୟମିତ ଭାବେ ଋଣ ପରିଶୋଧ ଚାହେଁ। ଏବେ ପାକିସ୍ତାନ ମୁଣ୍ଡ ଉପରେ ଚୀନ ଋଣ ପରିମାଣ ହେଉଛି ୬୯ ବିଲିଅନ୍ ଡଲାର। ଆର୍ଥିକ ଦୁରବସ୍ଥା କାରଣରୁ ଋଣ ଶୁଝିବାରୁ ରିହାତି ପାଇବା ଲାଗି ପାକିସ୍ତାନ ତା’ର ଗ୍ବାଦାର ବନ୍ଦରକୁ ଚୀନ ହାତକୁ ୪୦ ବର୍ଷିଆ ଲିଜ୍ରେ ଟେକି ଦେଇ ସାରିଲାଣି। ୨୦୨୨ ମସିହାରେ ଶ୍ରୀଲଙ୍କା ପ୍ରାୟ ଦେବାଳିଆ ଅବସ୍ଥାକୁ ଚାଲିଆସିଲା। ଚୀନ କିନ୍ତୁ କ୍ଷମାଶୀଳ ହେଲା ନାହିଁ। ସୁତରାଂ, ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର ଏବେ ଚୀନ ଅଧୀନରେ। ଚୀନର ଶିକାରୀ ମନକୁ ବୁଝିଥିବା ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ବାଂଲାଦେଶର ଚିଟାଗଙ୍ଗ ବନ୍ଦର ମଧ୍ୟ ଅଚିରେ ଚୀନ କବ୍ଜାକୁ ଯିବା ନିଶ୍ଚିତ, କାରଣ ତା’ର ବିକାଶରେ ଚୀନର ବିପୁଳ ଅର୍ଥ ଲାଗିଛି।
ପ୍ରକାଶ ଥାଉ କି ସଂପ୍ରତି ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍କାରେ ଚୀନ ପ୍ରାୟ ଏକ ଲକ୍ଷ କୋଟି ଡଲାର ପୁଞ୍ଜି ବିନିଯୋଗ କରିଛି। ମୁଖ୍ୟତଃ ବିଦ୍ୟୁତ୍, ସଡ଼କ, ରେଳପଥ, ପୋଲ, ବନ୍ଦର ଏବଂ ବିମାନଘାଟୀ ଭଳି ଭିତ୍ତିଭୂମିର ବିକାଶରେ ଏହାର ବ୍ୟୟ କରାଯାଉଛି। କିନ୍ତୁ କଥା ହେଲା ଏହି ପୁଂଜି ନିବେଶ ହେଉଛି ଚୀନର ପକ୍ଷୀ ଧରା ଜାଲ ସଦୃଶ। ମାଟି ଉପରେ ଶସ୍ୟ ଦାନା ବିଞ୍ଚି ଦେଇ ତା’ ଉପରେ ଜାଲ ବିଛାଇ ପକ୍ଷୀ ଧରିବା ଏକ ସାଧାରଣ କୌଶଳ। ଚୀନ ଏହି କୌଶଳ ପ୍ରୟୋଗ କରିଛି। ଜାଲ ତଳେ ଦାନାକୁ ଦେଖି ଖାଇବାକୁ ଓହ୍ଲାଇ ଆସୁଥିବା ପକ୍ଷୀମାନେ ଜାଲରେ ଛନ୍ଦି ହୋଇଥିଲେ ସୁଦ୍ଧା ସେଥି ପ୍ରତି ନିଘା ନ ଦେଇ ଦାନା ଖାଇ ଚାଲିଥାଆନ୍ତି। ଦାନା ଖାଇ ଉଡ଼ିବାକୁ ବାହାରିଲା ବେଳକୁ ସେମାନେ ଦେଖନ୍ତି ଯେ ସେମାନେ ଜାଲରେ ବନ୍ଦୀ। ସେମାନେ ବିକଳରେ ସେଥିରୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ନୂଆ ନୂଅା ପକ୍ଷୀ ଦାନା ଖାଇବା ଲାଗି ସେହି ଜାଲ ଉପରେ ଓହ୍ଲାଇବାରେ ଲାଗିଥାଆନ୍ତି। ଏହା ହିଁ ବିଡ଼ମ୍ବନା। ଶ୍ରୀଲଙ୍କା ଏବେ ଚୀନର ଚାଲବାଜି ହୃଦୟଙ୍ଗମ କରିଛି ଏବଂ ତା’ର ବିପଦ ବେଳେ ଭାରତର ଅକୁଣ୍ଠ ସାହାଯ୍ୟକୁ ଦେଖି ପ୍ରକୃତ ବନ୍ଧୁ କିଏ ତାହା ବୁଝି ପାରିଛି। କିନ୍ତୁ ତା’ ସତ୍ତ୍ବେ ଚୀନ ଜାଲରେ ନୂଆ ପକ୍ଷୀ ପଡ଼ିବାରେ ଲାଗିଛନ୍ତି, ଯାହାର ସଦ୍ୟତମ ଉଦାହରଣ ମାଳଦ୍ବୀପ ବା ମାଲଡିଭ୍ସ।
ଏଭଳି ସ୍ଥିତିର ମୁକାବିଲା ଲାଗି ଭାରତ ଏହାର ରଣନୀତି ବଦଳାଇବାକୁ ଆରମ୍ଭ କଲାଣି। ବାଂଲାଦେଶ, ମ୍ୟାନ୍ମାର ଓ ଶ୍ରୀଲଙ୍କାକୁ ଅଧିକରୁ ଅଧିକ ଆର୍ଥିକ ସହାୟତା ଯୋଗାଇବା ଲାଗି ଭାରତ ବିଭିନ୍ନ ସ୍ତରରେ ଆଲୋଚନା ଚଳାଇଛି। ଚୀନକୁ ଘେରି ରହିଥିବା ତୁର୍କମେନିସ୍ତାନ, କିରଗିଜସ୍ତାନ, କାଜକସ୍ତାନ ଓ ମଙ୍ଗୋଲିଆ ଭଳି ଦେଶ ସହିତ ସଂପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ଅନେକ ଚୁକ୍ତି ସ୍ବାକ୍ଷର କଲାଣି। ଜାପାନ ଓ ଦକ୍ଷିଣ କୋରିଆ ସହିତ ଥିବା ସୁସଂପର୍କକୁ ଆଧାର କରି ଭାରତ ତା’ର ନୂଆ ରଣକୌଶଳ ପ୍ରସ୍ତୁତ କରୁଛି। କିନ୍ତୁ ମୂଳ କଥା ହେଲା, ଦେଶଗୁଡ଼ିକ ଯଦି ନିର୍ବୋଧ ପକ୍ଷୀ ତୁଲ୍ୟ ବ୍ୟବହାର କରି ଚୀନର ଜାଲରେ ବନ୍ଦୀ ହୋଇ ଚାଲିବେ, ତେବେ ଦୁର୍ଭାଗ୍ୟ କେବଳ ସେହିମାନଙ୍କର! ସେମାନେ ହୁଏତ ଦିନେ ସେମାନଙ୍କ ଭୁଲ୍ ବୁଝିପାରି ପୁଣି ଭାରତ ନିକଟକୁ ଫେରିବାକୁ ଉଦ୍ୟମ କରିବେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିବ!
ଚୀନ୍ର ପକ୍ଷୀଧରା ଜାଲ
ମହମ୍ମଦ ହିଫ୍ଜୁର ରହେମାନ୍