ଭେଣ୍ଡି ଗୋଟିଏ ଭଲ ପରିବା ବୋଲି ସତ୍ୟେନ୍ଦୁ କି ବେଳାରେ ପିଲାଦିନେ ପଢ଼ିଥିଲା କେଜାଣି ସେ ଦିନୁ ତା’ ପସନ୍ଦର ପରିବା ତାଲିକାରେ ପହିଲେ ଭେଣ୍ଡି ହିଁ ରହି ଆସିଛି। ପିଲାଦିନେ ସେମାନେ ରହୁଥିବା ସରକାରୀ କ୍ୱାଟରରେ ବଗିଚା କରିବା ଭଳି ଜାଗା ନ ଥିଲେ ବି ବଗିଚା କାମରେ ରୁଚି ରଖିଥିବା ସତ୍ୟେନ୍ଦୁର ବୋଉ ବର୍ଷା ଦିନ ଆସୁଆସୁ ଘରେ ସାଇତା ସାତ ପତରିଆ ଭେଣ୍ଡିର ମଞ୍ଜି ଘର ବାରିରେ ପୋତି ପକାଉଥିଲେ। ସେ ଭେଣ୍ଡିର ନାଁ ସେମିତି କିଆଁ ହୋଇଚି ବୋଲି ସତ୍ୟେନ୍ଦୁ ଥରେ ପଚାରନ୍ତେ ତା’ ବୋଉ କହିଥିଲେ: ଏ ଭେଣ୍ଡି ମଞ୍ଜି ପରା ତୋ ବଉଳ ମାଉସୀଠୁ ଆଣିଛି। ବଉଳ ଘରକୁ ବୁଲି ଯାଇଥିବା ବେଳେ ଦେଖିଲି ତା’ ବାରିରେ ଛନଛନିଆ ହୋଇ ଭେଣ୍ଡି ଫଳିଚି। ବଉଳ ମୋତେ ସେ ଭେଣ୍ଡି ମଞ୍ଜି ଦେଇ କହିଥିଲା: ବର୍ଷା ହେଉ ହେଉ ବାରିରେ ଏ ମଞ୍ଜି ପୋତି ଦେବୁ ଯେ ଗଜା ହୋଇ ଚାରାରେ ସାତଟି ପତ୍ର ବାହାରିବା ବେଳକୁ ଏଣେ ଭେଣ୍ଡି ଫଳିବା ଆରମ୍ଭ ହୋଇ ଯାଇଥିବ। ଗୋଟେ ଗୋଟେ ଗଛରେ ଏତେ ଫଳିବ ଯେ ଆଉ କହନା। ବଉଳ ମାଉସୀଙ୍କ କଥା ସତ ହୋଇଥିଲା। ବାରିରେ ଭେଣ୍ଡି ଲଗାଇ ମନ ଭରି ତଟକା ଭେଣ୍ଡି ଖୁଆଇ ଆସୁଥିଲେ ସତ୍ୟେନ୍ଦୁର ବୋଉ।

Advertisment

ଏବେ ବୋଉ ଆଉ ନାହାନ୍ତିି। ସତ୍ୟେନ୍ଦୁ ହେରିକା ବି ସହରୀ ହୋଇ ଯାଇଛନ୍ତି। ତେଣୁ ସାତ ପତରିଆ ଭେଣ୍ଡି ତ ସାତ ସପନ ହୋଇ ଯାଇଛି। ତା’ ସହ ଭେଣ୍ଡିରୁ ବୋଉ ତିଆରି କରୁଥିବା ସୁଆଦିଆ ତିଅଣମାନ ମଧ୍ୟ! ସତ୍ୟେନ୍ଦୁର ମନେ ପଡ଼ିଗଲା ବୋଉ କେମିତି ପଡ଼ିଶା କ୍ୱାଟରରେ ରହୁଥିବା ଚୌଧୁରୀ ମାଉସୀଙ୍କ ଠୁ ତାଙ୍କ ବାରି ତୋଳା ସଜନା ଶାଗର ସୁଆଦିଆ ଖରଡ଼ା ଆଣି ବଦଳରେ ତାଙ୍କୁ ଦେଉଥିଲା ମାଉସୀଙ୍କ ପ୍ରିୟ ଭେଣ୍ଡି ବେସର ଓ କାଞ୍ଜି!
ଏବେ ସେ ସଜନା ଶାଗ ଆଉ ଭେଣ୍ଡି ଆଦି ସବୁ କିଛି ହାଟ ବଜାରରୁ ହିଁ କିଣିବା କଥା। ମହାନନ୍ଦେ ସହରରେ ରହିବାକୁ ପସନ୍ଦ କରିଥିବା ସତ୍ୟେନ୍ଦୁ ସକାଶେ ସେହି କଂକ୍ରିଟ ଅରଣ୍ୟ ଭିତରେ ତାଙ୍କ ଆପାର୍ଟମେଣ୍ଟ ବାଲକୋନିର ଗୋଟେ କଣରେ ଅତି ଛୋଟ ପ୍ଲାଷ୍ଟିକ କୁଣ୍ଡରେ ତୁଳସୀ ଗଛଟିଏ କୌଣସିମତେ ପୂଜିତ ହୋଇ ପାରିବା ହିଁ ଖୁବ୍ ବଡ଼ କଥା ହୋଇ ପଡ଼ିଛି। କିନ୍ତୁ ସହର ବି କମ୍‌ ଜନ୍ତୁ ନୁହେଁ। ଏଠି ତ ଭେଣ୍ଡି ବର୍ଷ ତମାମ ମିଳୁଚି ଯା’କୁ ଯେତେ! ତେଣୁ ସତ୍ୟେନ୍ଦୁ ତା’ ପ୍ରିୟ ପରିବା ଭେଣ୍ଡି କିଣିବାର ମହାର୍ଘ ଉଦ୍ଦେଶ୍ୟ ନେଇ ସେଦିନ ପରିବା ହାଟରେ ପହଞ୍ଚୁ ପହଞ୍ଚୁ ଛୋଟ ଛୋଟ ପୁଡ଼ିଆରେ ଛନଛନିଆ ତଟକା ଭେଣ୍ଡି ବିକା ଯାଉଥିବା ଦେଖି ଧପାଲି ଗଲା ସେ ଆଡ଼କୁ। ହମହମ ହୋଇ କିଣି ପକାଇବାକୁ ଯାଉଛି, ଅଚାନକ ତା’ର ମନେ ପଡ଼ିଗଲା ଘରୁ ବାହାରିବା ବେଳେ ପତ୍ନୀ ଦେଇଥିବା ପରାମର୍ଶରୂପୀ ଝିଙ୍ଘାସ: ଦେଖ, ମୁଁ ଜାଣିଚି ଭେଣ୍ଡିର ମୁଣ୍ଡି ସୁଦ୍ଧା ଖାଇଯିବା ଲୋକ ତମେ। ୟା’ ବୋଲି ମୋ ଭଉଣୀ ସୁତପାର ସାଦ ଖିଆ ଲାଗି ମୋ ହାତ ତିଆରି ଗୋଟା ଭେଣ୍ଡି ମସଲା ପାଇଁ ତୁମେ ସେ ଦିନ ଯେମିତି ଶୁଖିଲା ଭେଣ୍ଡି ଧରି ଆସି ଯାଇଥିଲ, କହି ଦେଉଛି, ସେମିତି ଭେଣ୍ଡି ଯଦି ପୁଣି ଆଣିବ, ସିଧା ଫୋପାଡ଼ି ଦେବି ଜାଣିଥା! ସତ୍ୟେନ୍ଦୁ ଭାବିଲା, ଆହା ବିଚାରୀ ସରଳିଆ ସୁତପା। ହୋଟେଲ ତିଆରି ଭେଣ୍ଡି ମସଲାକୁ ହିଁ ତା’ ନାନୀ କରି ପଠାଇଛି ବୋଲି ଭାବି ନେଲା। ସେଇଥି ଲାଗି ସିନା ଇଜ୍ଜତ ବଞ୍ଚି ଯାଇଥିଲା! ତା’ର ପୁଣି ମନେ ପଡ଼ିଗଲା କେମିତି ବଡ଼ ଶାଳକ ଓ ଶଳା ଭାଉଜଙ୍କୁ ଘରକୁ ଖାଇବାକୁ ଡାକି ଲମ୍ୱା ଓ ବୁଢ଼ା ଭେଣ୍ଡି ଗଣ୍ଡାଏ ଧରି ଘରେ ପହଞ୍ଚି ଯାଇଥିଲା!

ଏଥର ରୀତିମତ ଧନ୍ଦି ହେବାର ପାଳି ଥିଲା ସତ୍ୟେନ୍ଦୁର। ତା’ ସାମନାରେ ଭେଣ୍ଡିର ପସରା ଅଥଚ ସେ ଭାବୁଥିଲା କୋଉଠୁ କିଣିବ କେମିତି ବାଛିବ!
ଏତିକି ବେଳେ ଛୋଟ ଛୋଟ ପୁଡ଼ିଆରେ ଭେଣ୍ଡିର ମୁଣ୍ଡିମାନ ତଳକୁ ଓ ତା’ ଅଗମାନ ମୁନିଆ କରି ଉପରକୁ ବଡ଼ କାଇଦାରେ ସଜାଇ ରଖିଥିବା ବୟସ୍କା ମହିଳା ତା’ ମନ କଥା ସତେ ଅବା ଠଉରାଇ ପାରିଲା। ସେ କହିଲା: ବାବୁ, ଇଏ ମୋ ଘର ବାରିରୁ ତୋଳା ତାଜା ଭେଣ୍ଡି, ଆଉ କୋଉଠି ଏମିତି ମୁଣ୍ଡି ତଳକୁ ରଖି କେହି ବିକୁଛନ୍ତି କି? ନିଜେ ଭେଣ୍ଡିର ଅଗ ଭାଙ୍ଗି ଦେଖ, ପୁଡ଼ିଆର ସବୁତକ କଅଁଳ ହୋଇଥିଲେ ହିଁ ନିଅ।’ ଏହି କଥା ପଦକ ସତ୍ୟେନ୍ଦୁକୁ ଏକାଥରେ ସହଜ କରି ଦେଲା। ସତରେ ଭେଣ୍ଡିଗୁଡ଼ା କିଛି ସମୟ ଆଗରୁ ତୋଳା ହୋଇଥିଲା ଓ ତଟକା ଥଲା। ସାନ ନୁହଁ କି ବଡ଼ ନୁହଁ; ଠିକ୍ ମଝିମଝିଆ ଆକାରର ତାଜା କଅଁଳିଆ ଭେଣ୍ଡି। ଏତେ ଦିନକେ ଭେଣ୍ଡି ପରି ଭେଣ୍ଡି କିଣି ନେଇ ପତ୍ନୀଙ୍କୁ ଚମକାଇ ଦେବାର ଆନନ୍ଦରେ ଅଧୀର ସତ୍ୟେନ୍ଦୁ ଏଥର ଘରମୁହାଁ ହେଲା ବେଳେ ମନ ତା’ର ଉଚ୍ଛନ୍ନ ହୋଇ ପଡୁଥିଲା ବହୁ ବ୍ୟବଧାନ ପରେ ପତ୍ନୀଙ୍କ ହାତ ରନ୍ଧା ଭେଣ୍ଡି ବେସର ଖାଇବା ଲୋଭରେ! ବୋଲିବା ବାହୁଲ୍ୟ ଏ ବେଳେ ତା’ ଦିବଂଗତା ବୋଉ ମନେ ପଡ଼ି ଯାଉଥିଲେ, ଯିଏ ତାଙ୍କ ବୋହୂକୁ ଅବିକଳ ତାଙ୍କ ପରି ସୁଆଦିଆ ଭେଣ୍ଡି ବେସର ତିଆରି ଶିଖାଇ ଦେଇଥିଲେ। ସେଥି ପାଇଁ ସିନା ଆଜି ସେ ଏମିତି ଲାଳ ଝରାଇ ପାରୁଚି! ଏହା ଭାବି ବୋଉଙ୍କୁ କୃତଜ୍ଞତା ଜଣାଉଥିଲା ସତ୍ୟେନ୍ଦୁ।
ମୋ: ୯୪୩୭୯୦୯୬୭୫