‘ଗାଜା ପା‌ଇଁ ଶୋକଗୀତି’ (ରିକ୍ବାଏମ୍‌) ଭଳି ଶୀର୍ଷକଟିଏ ଦେଖି ଏହି ସ୍ତମ୍ଭର ଅନେକ ପାଠକପାଠିକା ସ୍ବାଭାବିକ ଭାବେ ଭ୍ରୂକୁଂଚନ କରିପାରନ୍ତି; କାରଣ ମାତ୍ର ସାତ ଦିନ ତଳେ ହମାସ୍‌ ଆତଙ୍କବାଦୀମାନଙ୍କ ହାତରେ ୧୨୦୦ ସରିକି ନିରୀହ ଇସ୍ରାଏଲୀ ନାଗରିକଙ୍କ ନିଧନ ଏବଂ ତହିଁରେ ଆତଙ୍କବାଦୀମାନଙ୍କ ଦ୍ବାରା ପ୍ରଦର୍ଶିତ ବର୍ଣ୍ଣନାତୀତ କ୍ରୂରତା ପ୍ରାୟ ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲା ଏବଂ ଅଧିକାଂଶଙ୍କ ସ୍ମୃତି ପଟଳରେ ଏହି ଘଟଣା ସଂପର୍କିତ ଦୃଶ୍ୟ ଓ ସମ୍ବାଦମାନ ଏ ପର୍ଯ୍ୟନ୍ତ ସତେଜ ହୋଇ ରହିଥିବ। ସେହି ଦୃଷ୍ଟିରୁ ଏହାର ବୈଦ୍ୟୁତିକ ପ୍ରତିକ୍ରିୟା ସ୍ବରୂପ ‘ଗାଜା ପଟି’ ଉପରେ ଇସ୍ରାଏଲ୍‌ର ପ୍ରତିଶୋଧାତ୍ମକ ଆକ୍ରମଣ ସ୍ବାଭାବିକ ଭାବେ ବିପୁଳ ଆନ୍ତର୍ଜାତିକ ସମର୍ଥନ ଲାଭ କରିଥିଲା, ଯାହା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁ‌େରାପୀୟ ରାଷ୍ଟ୍ରଗୁଡ଼ିକ ସମେତ ଅନେକ ବିକଶିତ ଗଣତନ୍ତ୍ର ଅନ୍ତର୍ଭୁକ୍ତ; କାରଣ ଏହା ସୁବିଦିତ ଯେ ‘ଗାଜା ପଟି’ ଅଞ୍ଚଳ ଦୀର୍ଘ କାଳ ଧରି ହମାସ୍‌ ଆତଙ୍କବାଦୀଙ୍କ ଚରାଭୂଇଁ ହୋଇ ରହିଆସିଛି ଏବଂ ହମାସ୍‌ ଭଳି ଆତଙ୍କବାଦୀ ସଂଗଠନର ସଂପୂର୍ଣ୍ଣ ମୂଳପୋଛ ନିତାନ୍ତ ଅପରିହାର୍ଯ୍ୟ। ତେଣୁ ଏହି ପାଠକପାଠିକାମାନେ ପ୍ରଶ୍ନ କରି ପାରନ୍ତି ଯେ ଏକ ହମାସ-ମୁକ୍ତ ପୃଥିବୀ ସମ୍ଭବ କରିବାର ଉଦ୍ୟମରେ ଗାଜା ଯଦି ଦୁର୍ଦଶାଗ୍ରସ୍ତ ହୁଏ, ତେବେ ତାକୁ ନେଇ ଶୋକଗୀତି ଲେଖାଯିବାର ଆବଶ୍ୟକତା କେଉଁଠି?
କିନ୍ତୁ, ଏକ ବାସ୍ତବତା ହେଲା ହମାସ୍‌ର ଉପସ୍ଥିତି ଏବଂ ଇସ୍ରାଏଲ୍‌ ସୃଷ୍ଟ ବ୍ୟାଖ୍ୟାନ ସତ୍ତ୍ବେ ‘ଗାଜା ପଟି’ରେ ବାସ କରୁଥିବା ୨୦ ଲକ୍ଷ ନାଗରିକ ପାଲେ‌ଷ୍ଟିନୀୟ ଅଧିକାର ସକାଶେ ଦାବି କରି ଇସ୍ରାଏଲ୍‌ର ତୀବ୍ର ବିରୋଧ କରୁଥିଲେ ହେଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହମାସ୍‌ ପଦ୍ଧତିର ସମର୍ଥନ କରି ନ ଥାଆନ୍ତି; ଏବଂ ଆଉ ଏକ ବାସ୍ତବତା ହେଲା ‘ଗାଜା ପଟି’ ପୂର୍ଣ୍ଣ ରୂପେ ହମାସ କର୍ତ୍ତୃତ୍ବାଧୀନ ହୋଇଥିବାରୁ ଏହି ଅଞ୍ଚଳ ହମାସର ଆଶ୍ରୟ ସ୍ଥଳ ବା ବିଚରଣ ଭୂମି ହେବା ବ୍ୟତୀତ କୌଣସି ଗତ୍ୟନ୍ତର ହିଁ ନାହିଁ। ଏହି କାରଣରୁ ସମ୍ଭବତଃ ଗାଜା ଉପରେ ସଂଘଟିତ ଆକ୍ରମଣର ମାତ୍ର ଚାରି ଦିନ ପରେ ସର୍ବାଧିକ ପ୍ରସାରିତ ଇସ୍ରାଏଲୀ ଦୈନିକ ‘ହାରେଜ୍‌’ (ଇଂରେଜୀ ଭାଷାର) ପକ୍ଷରୁ ଗାଜା ସହୁଥିବା ଭୀଷଣ ଏବଂ ଅବିଚାରିତ ଇସ୍ରାଏଲୀ ବୋମା ମାଡ଼ର ତୀକ୍ଷ୍‌ଣ ସମାଲୋଚନା କରାଯାଇଛି; ‘ଦ ୱାଲ ଷ୍ଟ୍ରିଟ୍ ଜର୍ନାଲ’ ବା ‘ୱାଶିଂଟନ ପୋଷ୍ଟ’ ଭଳି ସମ୍ବାଦପତ୍ର ଏବଂ ‘ବି.ବି.ସି.’ ଓ ‘ସି.ଏନ.ଏନ.’ ଭଳି ଟେଲିଭିଜନ ନ୍ୟୁଜ ଚ୍ୟାନେଲଗୁଡ଼ିକ ହମାସ୍‌ ଦ୍ବାରା ନିହତ ଇସ୍ରାଏଲୀ ନାଗରିକମାନଙ୍କ ସକାଶେ ଲୋତକାର୍ଦ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଗାଜା ଲାଗି ମଧ୍ୟ ଶୋକ ଗୀତି ଲେଖିବାର ଉପକ୍ରମ କଲେଣି।
ଇସ୍ରାଏଲର ଅମିତ ଶକ୍ତିଶାଳୀ ବୋମା ମାଡ଼ରେ ଗାଜା ଅଞ୍ଚଳ ଚୂର୍ଣ୍ଣ-ବିଚୂର୍ଣ୍ଣ ହେଉଥିବାର ଦୃଶ୍ୟ ସଂପ୍ରତି ସାମାଜିକ ଗଣମାଧ୍ୟମ ଏବଂ ଟେଲିଭିଜନ ପରଦାରେ ଅହରହ ପ୍ରସାରିତ ହେବାରେ ଲାଗିଛି। ଯଦିଓ, ଇସ୍ରାଏଲ୍‌ ପକ୍ଷରୁ ଦାବି କରାଯାଉଛି ଯେ ଧୂଳିସାତ୍‌ ହେଉଥିବା ବହୁତଳ ପ୍ରସାଦଗୁଡ଼ିକ ହମାସ୍‌ର ଆଡ୍‌ଡା ସ୍ଥଳ ଥିଲା, କିନ୍ତୁ ସେଠାରୁ ଆସୁଥିବା ସୂଚନା ବା ତଥ୍ୟର କ୍ଷୀଣ ଧାରମାନ କହିଥାଆନ୍ତି ଯେ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରକୃତରେ ସାଧାରଣ ନାଗରିକଙ୍କ ଆବାସ ସ୍ଥଳ ଏବଂ କତିପୟ ଡାକ୍ତରଖାନା ଓ ସ୍କୁଲ ଆଦି ମଧ୍ୟ ତହିଁରେ ଅନ୍ତର୍ଭୁକ୍ତ। କିନ୍ତୁ ବିଡ଼ମ୍ବନାଟି ହେଲା ଧ୍ବଂସ ସ୍ତୂପରୁ ନିର୍ଗତ ଘନ ଧୂଳିର ପଟଳ ମଧ୍ୟରେ ଯାହା ଦୃଷ୍ଟିଗୋଚର ହୋଇ ନ ଥାଏ, ତାହା ହେଲା ତା’ ମଧ୍ୟରେ ସତ୍ତା ହରାଉଥିବା ଅଗଣିତ ମନୁଷ୍ୟଙ୍କ ଅସ୍ତିତ୍ବ। ପ୍ରକାଶ ଥାଉ କି ପ୍ରାୟ ୩୬୫ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ ଏହି କ୍ଷୁଦ୍ର ପାଲେଷ୍ଟିନୀୟ ଅଞ୍ଚଳର ଜନସଂଖ୍ୟା ହେଉଛି ପ୍ରାୟ ୨୦ ଲକ୍ଷ, ଅର୍ଥାତ୍‌ ପ୍ରତି ବର୍ଗ କିଲୋମିଟରରେ ୫୫୦୦ ଲୋକ ଏବଂ ଜନ ସାନ୍ଦ୍ରତାର ହିସାବ ଅନୁସାରେ ଏହା ପୃଥିବୀରେ ତୃତୀୟ ସର୍ବାଧିକ। କେବଳ ସେତିକି ନୁହେଁ, ଏହି ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ହାର ଏକ ଉଚ୍ଚା ପ୍ରାୟ ୩ ପ୍ରତିଶତ, ଯେଉଁ କାରଣରୁ ଜନସଂଖ୍ୟାର ପ୍ରାୟ ଅର୍ଧେକ ଶିଶୁ ଏବଂ ଗର୍ଭବତୀ ମହିଳା। ସୁତରାଂ, ଗାଜାର ଭଗ୍ନାବ‌େଶଷ ତଳେ ଅସଂଖ୍ୟ ଶିଶୁ ଓ ଗର୍ଭବତୀ ମହିଳାଙ୍କ ନିଷ୍ପ୍ରାଣ ଶରୀର ଏବଂ ଆହତଙ୍କ କରୁଣ ଆର୍ତ୍ତନାଦ କ୍ରମେ ସତ୍ତା ହରାଇବା ଅବଧାରିତ ଏବଂ ଭଗ୍ନ ସ୍ତୂପ ବାହାରେ ଯେଉଁ ରୁଧିର ପରିପୃକ୍ତ ଏବଂ କାତର କ୍ରନ୍ଦନଭରା ଦୃଶ୍ୟମାନ ଦେଖିବାକୁ ମିଳୁଛି, ତହିଁରେ ଶିଶୁ, ମହିଳା, ଭିନ୍ନକ୍ଷମ‌, ବରିଷ୍ଠ ନାଗରିକଙ୍କ ସମେତ ସମସ୍ତେ ଅନ୍ତର୍ଭୁକ୍ତ। ସୁତରାଂ, ଗାଜା ଏକ ଦୁଃସହ ମାନବୀୟ ଟ୍ରାଜେଡିର ପ୍ରତ୍ୟକ୍ଷ କରୁଛି।
କିନ୍ତୁ, ଗାଜାର ଦୁର୍ଭାଗ୍ୟ ଭୋଗ ଏତିକିରେ ସୀମିତ ନୁହେଁ। ଗାଜା ପଟି ଅଞ୍ଚଳକୁ ବିଜୁଳି, ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଣକୁ ସଂପୂର୍ଣ୍ଣ ରୂ‌େପ ଛିନ୍ନ କରି ଦିଆଯାଇଛି; ଇଜିପ୍‌ଟ ସୀମାନ୍ତ ସ୍ଥିତ ରାଫା ପ୍ରବେଶ ଦ୍ବାର ଦେଇ ଇଜିପ୍‌ଟରୁ ଏହି ସବୁ ଅତ୍ୟାବଶ୍ୟକ ସାମଗ୍ରୀର କ୍ଷୀଣ ପଅବାହର ସମ୍ଭାବନାକୁ ଶୂନ୍ୟ କରିଦେବା ଲାଗି ‌େସହି ଅଞ୍ଚଳ ଉପରେ ମଧ୍ୟ ତୀବ୍ର ବୋମାମାଡ଼ କରାଯାଉଛି। ଏହାର ଅର୍ଥ ବୋମାମାଡ଼ରୁ ବର୍ତ୍ତି ଯାଇଥିବା ନାଗରିକମାନେ ଏହି ଅତ୍ୟାବଶ୍ୟକ ଯୋଗାଣର ଅଭାବରେ ମନ୍ଥର ମୃତ୍ୟୁର ସମ୍ମୁଖୀନ ହେବେ! ହମାସ୍‌ ବିନାଶର ଇସ୍ରାଏଲୀ ଯୋଜନାରେ ଆଉ ଯାହା ରହିଛି, ତାହା ହେଲା ଆକାଶ-ମାର୍ଗୀ ଆକ୍ରମଣ ସହିତ ଭୂ-ପୃଷ୍ଠ ଆକ୍ରମଣ; ଯହିଁରେ ପ୍ରାୟ ୩ ଲକ୍ଷ ସରିକି ଇସ୍ରାଏଲୀ ସୈନିକ ଗାଜାରେ ପ୍ରବେଶ କରି ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରିବେ। କିନ୍ତୁ ପ୍ରଶ୍ନ ହେଲା, ଗାଜାର ନାଗରିକଙ୍କ ମଧ୍ୟରେ ଏକାକାର ହୋଇଯାଇଥିବା ହମାସ ଆତଙ୍କବାଦୀମାନଙ୍କୁ ଏବେ ଠାବ କରିବା ଏକ ସଂପୂର୍ଣ୍ଣ ଅସମ୍ଭବ ବ୍ୟାପାର ନୁହେଁ କି? ଏହାର ଅର୍ଥ ହମା‌ସକୁ ନିଶ୍ଚିହ୍ନ କରିବାର ଏହି ପ୍ରକ୍ରିୟାରେ ଗାଜା ପଟିକୁ ପାଲେଷ୍ଟିନୀୟଶୂନ୍ୟ କରି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଭିଳାଷ ଚରିତାର୍ଥ କରି ଦିଆଯାଇପାରେ! କହିବା ଅନାବଶ୍ୟକ, ଏହି ପ୍ରକ୍ରିୟା ଅଧିକ ସଂଘାତ, ସଂହାର ଓ ଶରଣାର୍ଥୀ ସମସ୍ୟାର କାରଣ ହେବ।
ଧ୍ବଂସ ସ୍ତୂପରେ ପରିଣତ ହେଉଥିବା ଗାଜାକୁ ଟେଲିଭିଜନ ପରଦାରେ ଦେଖୁଥିବା‌ ବେଳେ ଖ୍ରୀଷ୍ଟପୂର୍ବ ୧୪୬ରେ କାର୍ଥେଜର ପତନ ବିଷୟ ସ୍ମରଣକୁ ଆସିଥାଏ। ତତ୍କାଳୀନ ରୋମ ସାଧାରଣତନ୍ତ୍ରର ଦୁରନ୍ତ ସାମ୍ରାଜ୍ୟ ବିସ୍ତାରୀ ଅଭିଳାଷ ତାକୁ ଶକ୍ତିଶାଳୀ କାର୍ଥେଜ ସାମ୍ରାଜ୍ୟର ସମ୍ମୁଖୀନ କରାଇଥିଲା। ଦୀର୍ଘ ଚାରି ଦଶନ୍ଧି ବ୍ୟାପୀ ତିନିଟି ‘ପ୍ୟୁନିକ ଯୁଦ୍ଧ’ ପରେ କାର୍ଥେଜର ପତନ ଘଟିଥିଲା, କିନ୍ତୁ, କାର୍ଥେଜର ଭାଗ୍ୟ ଏକ ସାଧାରଣ ବିଜିତ ନଗରୀ ଭଳି ହେଲା ନାହିଁ। ରୋମାନ ପ୍ରତିଶୋଧ ଓ କ୍ରୋଧର ଅଗ୍ନି ଏଭଳି ଦୁର୍ବାର ଥିଲା ଯେ ସେନାପତି ସିପିଓ ଆମେଲିନସଙ୍କ ନିର୍ଦ୍ଦେଶରେ ରୋମାନ ସୈନିକମାନେ କାର୍ଥେଜ ସହରର ଅବରୋଧ କଲେ; ଘରେ ଘରେ ପ୍ରବେଶ କରି ହତ୍ୟା ଏବଂ ଧର୍ଷଣ ଚଳାଇବା ସହିତ ପ୍ରାୟ ୫୦ ହଜାର କାର୍ଥେଜ ନାଗରିକଙ୍କୁ କ୍ରୀତଦାସ ଭାବେ ବିକ୍ରି କରିଦେଲେ; ତା’ ପରେ ସମଗ୍ର କାର୍ଥେଜ ସହରକୁ ଭାଙ୍ଗି ଚୂନା କରି ଦିଆଗଲା। ଏବଂ ତାହା ଯେମିତି ଯଥେଷ୍ଟ ନ ଥିଲା, ତା’ ଉପରେ ବିଧିବଦ୍ଧ ଭାବେ ହଳ ବୁଲାଇ ଦିଆଗଲା ଏବଂ ଶେଷରେ ‘କାର୍ଥେଜ ଶୂନ୍ୟ’ ସେହି ସମତଳ ଭୂମି ଉପରେ ଲୁଣ ବିଞ୍ଚି ଦିଆଗଲା।
ଏହା ଥିଲା ଏକ ଅନ୍ଧ ପ୍ରତିଶୋଧର ପ୍ରାଚୀନ କଥା। ଅନେକ କହି ପାରନ୍ତି ଯେ ସେହି ସମୟ‌େର ପ୍ରତିବାଦ କରିବା ଲାଗି ଜାତିସଂଘ ବା ତଦନୁରୂପ ବିଶ୍ବ କଲ୍ୟାଣ ଉ‌େଦ୍ଦଶ୍ୟରେ ଗଠିତ ଅସଂଖ୍ୟ ସଂଗଠନମାନ ନ ଥିଲେ, ନଚେତ୍‌ ଏଭଳି ହୁଅନ୍ତା ନାହିଁ! କିନ୍ତୁ ସଂପ୍ରତି ଏଭଳି ଅନୁଷ୍ଠାନମାନ ତ ବିଦ୍ୟମାନ! ଅଥଚ ସେସବୁ ବେଞ୍ଜାମିନ ନେତାନ୍ୟାହୁଙ୍କ ସିପିଓ ସୁଲଭ ଆଚରଣର ନିରବ ଦ୍ରଷ୍ଟା। ତେଣୁ ଗାଜା ସକାଶେ ଶୋକ ଗୀତି ଲେଖିବା ଅଧିକ ଆବଶ୍ୟକ ଭଳି ମନେ ହୋଇଥାଏ।