ନୂତନ ସ୍ବାସ୍ଥ୍ୟ ନୀତି, ସ୍ବା‌ସ୍ଥ୍ୟ ‌ସେବାର ଅଧିକାର

ଡାକ୍ତର ମଧୁସ୍ମିତା ପ୍ରଧାନ

ସୁଲଭ ଚିକିତ୍ସା ନାଗରିକମାନଙ୍କର ଏକ ମୌଳିକ ଅଧିକାର ହେବା ଜରୁରୀ। ଲୋକମାନଙ୍କୁ ସୁଲଭ ଚିକିତ୍ସା ଦେବା ପାଇଁ ବ୍ୟବସ୍ଥା କରିବା ଦାୟିତ୍ବ ରାଜ୍ୟର। ତାହା ହୋଇ ନ ପାରିଲେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଖର୍ଚ୍ଚ ଧାର୍ଯ୍ୟ କରାଯିବା ଉଚିତ ବୋଲି ନିକଟରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଶୁଣାଇଛନ୍ତି। ସ˚ପ୍ରତି କେନ୍ଦ୍ର କ୍ୟାବିନେଟ ୨୦୨୦ର ଜାତୀୟ ସ୍ବାସ୍ଥ୍ୟ ନୀତିକୁ ଅନୁମୋଦନ କରିଛି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇଥିଲେ ବି ଏହା ୨୦୦୨ ସ୍ବାସ୍ଥ୍ୟନୀତିରେ କିଛିଟା ଏପଟସେପଟ କରି ପୁନର୍ବାର ଉପସ୍ଥାପନ କରାଯାଇଥିବା ଭଳି ବୋଧ ହେଉଛି। ଏହି କାରଣରୁ ନୂଆ ସ୍ବାସ୍ଥ୍ୟନୀତି ବି‌େଶଷ ଆଶା ସଂଚାର କରି ନ ଥାଏ। ଏହା ଅନୁସାରେ ୨୦୨୧ରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜି.ଡି.ପି.ର ୨.୫ ପ୍ରତିଶତ ସରକାରୀ ସ୍ବାସ୍ଥ୍ୟ ସେବାରେ ବିନିଯୁକ୍ତ ହେବ(ପୂର୍ବରୁ ୧.୩ ପ୍ରତିଶତ ଥିଲା)। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ କହିଛି ଯେ ସ୍ବାସ୍ଥ୍ୟ ବାବଦରେ ଦେଶର ଜି.ଡି.ପି.ର ୫ ପ୍ରତିଶତ ବ୍ୟୟ କରାଯିବା ଉଚିତ। ତେଣୁ ଏ କ୍ଷେତ୍ରରେ ଆମ ସରକାରୀ ବ୍ୟୟ ଅତ୍ୟନ୍ତ ସ୍ବଳ୍ପ ବୋଲି କହିଲେ ଭୁଲ ହେବ ନାହିଁ।

ନୂଆ ସ୍ବାସ୍ଥ୍ୟ ନୀତିରେ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ଅଗ୍ରାଧିକାର ଦିଆଯାଇଛି। ବଜେଟ୍‌ ବ୍ୟୟର ଦୁଇ ତୃତୀୟା˚ଶ ଅର୍ଥ ଏଥିରେ ଖର୍ଚ୍ଚ ହେବ। ସାଧାରଣ ଲୋକେ କିପରି ଗୁଣାତ୍ମକ ସେବା ପାଇବେ ସେଥିପାଇଁ ଗୁରୁତ୍ବ ଦିଆଯାଇ ସରକାରୀ ଡାକ୍ତରଖାନାଗୁଡ଼ିକରେ ଔଷଧ, ନିଦାନ, ଜରୁରୀ ତଥା ଅତ୍ୟାବଶ୍ୟକ ସେବା ମାଗଣା ଯୋଗାଇବାକୁ ଏଥିରେ ପ୍ରସ୍ତାବ ରଖାଯାଇଛି। ଭାରତରେ ଅଧିକା˚ଶ ଲୋକ ଚିକିତ୍ସା ଖର୍ଚ୍ଚ ନେଇ ଭୀଷଣ ଋଣଗ୍ରସ୍ତ ହୁଅନ୍ତି। ଏଣୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ଉନ୍ନତ ସ୍ତରୀୟ ଚିକିତ୍ସା ଓ ଔଷଧ ବିନା ମୂଲ୍ୟରେ ଯୋଗାଯିବା ଆବଶ୍ୟକ। ନୂଆ ନୀତି ସାଧାରଣ ଲୋକଙ୍କର ଚିକିତ୍ସା ଖର୍ଚ୍ଚ ଓ ଉନ୍ନତ ସ୍ବାସ୍ଥ୍ୟସେବା ପାଇବା ସମସ୍ୟାକୁ ହାଲୁକା କରିବ ବୋଲି ଆଶା କରାଯାଉଛି। ଦେଶରେ ଏବେ ଅଣସ˚କ୍ରମିତ ରୋଗର ସମସ୍ୟା ବଢ଼ୁଥିବାରୁ ନୂଆ ନୀତିରେ ସେଥି ପ୍ରତି ଅଧିକ ଧ୍ୟାନ ଦିଆଯିବ। ହୃଦ୍‌ରୋଗ, ଡାଇବେଟିସ୍‌, କ୍ୟାନ୍‌ସର, ମାନସିକ ରୋଗ ଓ ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ପ୍ରାଥମିକ ସ୍ତରରେ ମୁକାବିଲା କରିବାକୁ ଏକ ନୂଆ ବିସ୍ତୃତ ସ୍ବାସ୍ଥ୍ୟ ସେବା ପ୍ୟାକେଜ ପ୍ରସ୍ତୁତ ହେବ। କିନ୍ତୁ ଏହା ସହିତ ଯାହା ଲୋଡ଼ା ତାହା ହେଲା ସରକାରୀ ସ୍ବାସ୍ଥ୍ୟ ସେବା ଲୋକଙ୍କ ଭରସା ଜିଣିବା ଜରୁରୀ।

୨୦୧୫ର ଚିଠା ପ୍ରସ୍ତାବରେ ସ୍ବାସ୍ଥ୍ୟ ସେବାକୁ ମୌଳିକ ଅଧିକାରରେ ପରିଣତ କରିବା ପାଇଁ ବିଚାର କରାଯାଇଥିଲା। କିନ୍ତୁ ତାହା ସମ୍ଭବ ହୋଇପାରିନାହିଁ। ଓଡ଼ିଶା କଥା ବିଚାର କଲେ ଦେଖାଯାଉଛି ରାଜ୍ୟ ସରକାର ଅନେକ ସ୍ବାସ୍ଥ୍ୟଗତ ପ୍ରକଳ୍ପ ବିନା କେନ୍ଦ୍ରୀୟ ସହଯୋଗରେ ଆଗେଇ ନେଉଛନ୍ତି। ସ୍ବାସ୍ଥ୍ୟ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ସମଗ୍ର ଭାରତରେ ନିଜ ଶ୍ରେଷ୍ଠତା ବଜାୟ ରଖିଛି। ରାଜ୍ୟ ସରକାର ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଜନାଭିମୁଖୀ କରି କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳ ଓ ଆଦିବାସୀବହୁଳ ବା ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ବ୍ୟାପ୍ତ କରିଛନ୍ତି। ଭିିତ୍ତିଭୂମି ଉନ୍ନତ କରିବା ସହ ଡାକ୍ତର ପଦ ପୂରଣ କରୁଛନ୍ତି। ଓଡ଼ିଶା ପରି ଏକ ଗରିବ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ ବିନା ମୂଲ୍ୟରେ ଡାକ୍ତରୀ ପରାମର୍ଶ ସହ ସମସ୍ତ ପରୀକ୍ଷା-ନିରୀକ୍ଷା ଓ ଔଷଧପତ୍ର ବିତରଣ କରାଯାଉଛି। ଏହା ପ୍ରଶଂସାଯୋଗ୍ୟ। ତେବେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା, ସ୍ବାସ୍ଥ୍ୟସେବା ମୌଳିକ ଅଧିକାର ମର୍ଯ୍ୟାଦା ପାଇଥିଲେ ଏହାର ଆଇନଗତ ଗୁରୁତ୍ବ ଅଧିକ ହୁଅନ୍ତା। କାରଣ ସାତ ଦଶନ୍ଧିର ସ୍ବାଧୀନତା ପରେ ଏହି ସୁବିଧା ପାଇବା ସବୁ ଦେଶବାସୀଙ୍କ ନ୍ୟାଯ୍ୟ ହକ୍‌।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
[email protected]

ସମ୍ବନ୍ଧିତ ଖବର