ଆମେମାନେ ଯେତେବେଳେ ୱାସିଂ ମେସିନରେ ଲୁଗା ସଫା କରୁ ସେତେବେଳେ ଲୁଗାରୁ ଛୋଟ ଛୋଟ ତନ୍ତୁଗୁଡ଼ିକ ଛିଣ୍ଡିଯାଏ। ସୂକ୍ଷ୍ମ ସୂତା ତନ୍ତୁ ପରି ୫ ମିଲିମିଟର ଠାରୁ ଛୋଟ ଆକାରର ଖଣ୍ଡଗୁଡ଼ିକୁ ମାଇକ୍ରୋଫାଇବର ବା ଅଣୁତନ୍ତୁ କୁହାଯାଇଥାଏ। ଖାଲି ଆଖିକୁ ଦେଖାଯାଉନଥିବା ଏହି ଅଣୁତନ୍ତୁଗୁଡ଼ିକ ପ୍ରଦୂଷଣରେ ଏକ ନୂଆ ଖଳନାୟକ ରୂପେ ଉଭା ହୋଇଛନ୍ତି। କୃତ୍ରିମ, ପ୍ରାକୃତିକ ଏବଂ ଆଂଶିକ ଭାବେ କୃତ୍ରିମ ଏପରି ସମସ୍ତ ପ୍ରକାର ଲୁଗାରୁ ଏପରି ଅଣୁତନ୍ତୁ ବାହାରିଥାଏ। କୃତ୍ରିମ ଅଣୁତନ୍ତୁକୁ ଅଧିକାଂଶ ସମୟରେ ଅଣୁପ୍ଲାଷ୍ଟିକ ବୋଲି ମଧ୍ୟ କୁହାଯାଇଥାଏ। ବିଶ୍ୱର କୋଣଅନୁକୋଣରେ ଅଣୁତନ୍ତୁ ପ୍ରଦୂଷଣ ଯଥେଷ୍ଟ ଧ୍ୟାନ ଆକର୍ଷଣ କରିଛି। ମାଟି, ପାଣିରୁ ନେଇ ସମଗ୍ର ପ୍ରାଣୀଜଗତ ଅଣୁତନ୍ତୁ ପ୍ରଦୂଷଣର ଭୟାବହ ବିପଦରେ ଆକ୍ରାନ୍ତ। କିନ୍ତୁ ଏହା ସଙ୍ଗେ ସଙ୍ଗେ ପ୍ରାକୃତିକ ଏବଂ ଆଂଶିକ କୃତ୍ରିମ ଅଣୁତନ୍ତୁଗୁଡ଼ିକ ମଧ୍ୟ ଏବେ ଚିନ୍ତାଜନକ ପ୍ରଦୂଷଣକାରୀ ରୂପେ ଉଭା ହୋଇଛନ୍ତି। ଏହାର କାରଣ ହେଲା ପ୍ରାକୃତିକ ଏବଂ ଆଂଶିକ ଭାବେ କୃତ୍ରିମ ଅଣୁତନ୍ତୁଗୁଡ଼ିକ ବହୁ ପ୍ରକାରର ବିଷାକ୍ତ ରସାୟନ ଓ ରଙ୍ଗ ନିଷ୍କାସନ କରିଥାଆନ୍ତି। ଏହି ଅଣୁତନ୍ତୁଗୁଡ଼ିକ ପରିସଂସ୍ଥାନରେ ପ୍ରବେଶ କରି ସେଥିରେ ଥିବା ଜୀବସତ୍ତାର ଅଭିବୃଦ୍ଧି ଏବଂ ପ୍ରଜନନ କ୍ଷମତାକୁ କ୍ଷତିଗ୍ରସ୍ତ କରନ୍ତି। ଏହା ସଙ୍ଗେ ସଙ୍ଗେ ଏହି ଅଦୃଶ୍ୟ ଶତ୍ରୁଗୁଡ଼ିକ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରନ୍ତି।
ଆମେମାନେ ବେଶ୍ ନିଷ୍ଠାର ସହିତ ଆମମାନଙ୍କ ପୋଷାକପତ୍ର ସଫା କରୁଥିବାବେଳେ କେବେହେଲେ କେହି ଜାଣିପାରୁନାହିଁ ଯେ, ଏହି ସାଧାରଣ ନିତିଦିନିଆ କାର୍ଯ୍ୟ ଦ୍ବାରା ଆମେ ପ୍ରଦୂଷଣ ସୃଷ୍ଟି କରି ଚାଲିଛୁ ଏବଂ ଏହାର ବିଷାକ୍ତ ପ୍ରକ୍ରିୟା ଆମକୁ ମରଣ ମୁହଁକୁ ନେଇ ଯାଉଛି। ଭାରତ ପରି ଏକ ବିକାଶଶୀଳ ଅର୍ଥନୀତିରେ ଆବର୍ଜନା ଜଳର ବିଶୋଧନ ବ୍ୟବସ୍ଥା ଯଥେଷ୍ଟ ହୋଇ ନଥିବାରୁ ଅଣୁତନ୍ତୁଗୁଡ଼ିକ ସିଧାସଳଖ ସାମୁଦ୍ରିକ ପରିବେଶ ସମେତ ଅନ୍ୟାନ୍ୟ ଜଳାଶୟରେ ମିଶିଥାଆନ୍ତି। ବର୍ଜ୍ୟ ଜଳ ବିଶୋଧନ ବ୍ୟବସ୍ଥାଗୁଡ଼ିକ ଅଳ୍ପ ପରିମାଣର ଅଣୁତନ୍ତୁକୁ ଧରି ରଖିବାରେ ସକ୍ଷମ ହେଲେ ମଧ୍ୟ ଏଗୁଡ଼ିକ ଆବର୍ଜନା ଗଦାରୁ ଖସିଆସି ପୁଣି ଥରେ ପରିବେଶରେ ପ୍ରବେଶ କରିଥାଆନ୍ତି। ଭାରତର ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ଏବଂ ବୟନ ସାମଗ୍ରୀ ପ୍ରସ୍ତୁତି ନିୟମାବଳୀ ଏବେ ମଧ୍ୟ ଏହି ପ୍ରଦୂଷଣକୁ ଚିହ୍ନଟ କରିନାହିଁ କିମ୍ବା ଭବିଷ୍ୟତ ପାଇଁ ମାଡ଼ି ଆସୁଥିବା ଏହି ଅଦୃଶ୍ୟ ଭୟଙ୍କର ବିପଦ ପ୍ରତି ଧ୍ୟାନ ଦେଇ ଏହାର ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆଇନ କିମ୍ବା ବ୍ୟବସ୍ଥା ପ୍ରଣୟନ କରି ନାହିଁ। ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି କିମ୍ବା ଏହାର ପରିଚାଳନା ପାଇଁ ନୀତି ନିୟମ ପ୍ରଣୟନ କରୁନାହାନ୍ତି। ଭାରତର ଲୋକସଂଖ୍ୟା ବିଶାଳ ହୋଇଥିବାରୁ, ଏହି ଲୋକମାନଙ୍କ ମଧ୍ୟରୁ ଏକ ଛୋଟ ଭାଗ ୱାସିଂ ମେସିନ ବ୍ୟବହାର କଲେ ମଧ୍ୟ ୱାସିଂ ମେସିନ ଯୋଗୁଁ ଅଣୁତନ୍ତୁ ପ୍ରଦୂଷଣ ଆଖିଦୃଶିଆ ଭାବେ ବୃଦ୍ଧି ପାଇଥାଏ। ପୋଷାକ ପତ୍ର ସଫା କରିବା ଯୋଗୁଁ ବାହାରୁଥିବା ଅଣୁତନ୍ତୁକୁ ନିଷ୍କାସିତ କରିବା ସଂପର୍କରେ ଗବେଷକମାନେ ଅନେକ ପ୍ରକାରର ଯୁକ୍ତି ଦର୍ଶାଇଥାନ୍ତି।
ୱାସିଂ ମେସିନରେ ଲୁଗାପଟା ସଫା କରାଯିବା ଦ୍ୱାରା କେତେ ପରିମାଣର ଅଣୁତନ୍ତୁ ନିଷ୍କାସନ ହେବ ତାହା ମେସିନର ଉତ୍ତାପ, ଭିତର ଡ୍ରମ୍ର ବେଗ ଓ ବ୍ୟବହୃତ ଜଳର ପରିମାଣ ଉପରେ ନିର୍ଭର କରିଥାଏ। ଏଥି ସହିତ ବ୍ୟବହୃତ ସାବୁନ ଓ ଡିଟର୍ଜେଣ୍ଟର ପ୍ରକାର ଭେଦର ମଧ୍ୟ ଭୂମିକା ରହିଛି। ମେସିନ୍ର ଲୁଗା ଧୋଇ ପାରିବାର କ୍ଷମତା, ୱାସିଂ ମେସିନର ପ୍ରକାର, ଲୁଗାର ଡିଜାଇନ ଏବଂ ଏପରିକି ଲୁଗାର ମାନ ମଧ୍ୟ ନିର୍ଗତ ହେଉଥିବା ଅଣୁତନ୍ତୁର ପରିମାଣକୁ ପ୍ରଭାବିତ କରିଥାଏ। ୱାସିଂ ମେସିନର ଡ୍ରାୟରଗୁଡ଼ିକ ପ୍ରତ୍ୟକ୍ଷ ଭାବେ ବାୟୁରେ ଅଣୁତନ୍ତୁର ପ୍ରଦୂଷଣ ସୃଷ୍ଟି କରିଥାଆନ୍ତି। ଭାରତ ପରି ଏକ ଅର୍ଥନୈତିକ ଅଭ୍ୟୁଦୟ ଘଟୁଥିବା ଦେଶରେ ବୟନ ଶିଳ୍ପ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଫେସନ୍ ଶିଳ୍ପ ଏହାର ଯୁବାବର୍ଗଙ୍କ ଉପରେ ନିୟନ୍ତ୍ରଣ ରଖିଛି। ଏହା ଏପରି ଏକ ଉପଭୋକ୍ତାବାଦୀ ସଂସ୍କୃତିକୁ ଜନ୍ମ ଦେଇଛି ଯାହାକୁ କି ଦୀର୍ଘକାଳ ପର୍ଯ୍ୟନ୍ତ ବଜାୟ ରଖାଯାଇ ପାରିବ ନାହିଁ। ଶସ୍ତା ଲୁଗା ଡିଜାଇନ୍, ନିମ୍ନମାନର ଲୁଗା ପ୍ରସ୍ତୁତି, ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ, ଦ୍ରୁତ ସହରୀକରଣ, ଗ୍ରାହକମାନଙ୍କର ବୃଦ୍ଧି ପାଉଥିବା କ୍ରୟଶକ୍ତି, କ୍ରମବର୍ଦ୍ଧିଷ୍ଣୁ ମୋଟ ଘରୋଇ ଉତ୍ପାଦ (ଜି.ଡି.ପି.) ଏବଂ ଭାରତୀୟ ବଜାରରେ ଅଧିକରୁ ଅଧିକ ବ୍ରାଣ୍ଡ୍ର ପ୍ରବେଶ ଇତ୍ୟାଦି କାରଣରୁ ଭୟାବହ ଅଣୁତନ୍ତୁ ପ୍ରଦୂଷଣ ନିରନ୍ତର ଭାବେ ବଢ଼ି ଚାଲିଛି।
ଭାରତୀୟ ବୟନ ଶିଳ୍ପ ସଂକ୍ରାନ୍ତୀୟ ଆଇନଗୁଡ଼ିକର ଲୁଗା ଉତ୍ପାଦନ ଏବଂ ପ୍ରାକୃତିକ ଓ କୃତ୍ରିମ ତନ୍ତୁର ଆମଦାନି ଓ ରତ୍ପାନି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ନାହିଁ। ଭାରତୀୟ ବୟନ ଶିଳ୍ପ ମୁଖ୍ୟତଃ ଅନିୟନ୍ତ୍ରିତ, ତଥାପି ଏହା ଏକ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ବୈଶ୍ୱିକ ବଜାରରେ ଏହାର ଅବଦାନ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଅଣୁତନ୍ତୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବୟନଶିଳ୍ପ ସଂକ୍ରାନ୍ତୀୟ ନୂତନ କଠୋର ଆଇନର ଆବଶ୍ୟକତା ରହିଛି।
ଅଣୁତନ୍ତୁ ପ୍ରଦୂଷଣର ସମାଧାନ ସକାଶେ ଲୁଗାରୁ ଅଣୁତନ୍ତୁ ନିର୍ଗତ ହେବାକୁ ସବୁଦିନ ପାଇଁ ରୋକିବା ପରି ସତତ ଏବଂ ଦୀର୍ଘସ୍ଥାୟୀ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ। ଅଣୁତନ୍ତୁର ଉତ୍ସର୍ଜନକୁ କମାଇବା ସକାଶେ ଆଗପଟୁ ଲୁଗା ଭର୍ତ୍ତି କରାଯାଉଥିବା ୱାସିଂ ମେସିନର ବ୍ୟବହାର, ତରଳ ଡିଟରଜେଣ୍ଟ ବ୍ୟବହାର, ସାଧାରଣ ଉତ୍ତାପରେ ୱାସିଂ ମେସିନର ପୂର୍ଣ୍ଣ କ୍ଷମତାର ବ୍ୟବହାର କରି ଲୁଗା ସଫା କରିବା ଏବଂ ସ୍ୱାଭାବିକ ବେଗରେ ଡ୍ରମ୍ର ଘୂର୍ଣ୍ଣନ ଇତ୍ୟାଦି ପଦକ୍ଷେପ ଉପାଦେୟ। ଏହା ଫଳରେ ଲୁଗା ଉପରେ କମ୍ ଚାପ ପଡ଼ିଥାଏ ଯେଉଁ କାରଣରୁ ଅଳ୍ପ ପରିମାଣର ଅଣୁତନ୍ତୁ ନିଷ୍କାସନ ହୋଇଥାଏ। ଲୁଗା ସଫା କରିବାବେଳେ ୱାସିଂ ମେସିନରେ ତନ୍ତୁଗୁଡ଼ିକୁ ଧରି ରଖିବା ସକାଶେ ଉଦ୍ଦିଷ୍ଟ ବ୍ୟାଗ- ଗୁପି ବ୍ୟାଗ୍ ଏବଂ କୋରା ବଲ (ଯାହା ଲୁଗାର ତନ୍ତୁଗୁଡ଼ିକୁ ନିଜର ଦାନ୍ତିଗୁଡ଼ିକରେ ଛନ୍ଦି ରଖେ ଏବଂ ଲୁଗାରୁ ତନ୍ତୁ ଛିଡ଼ିବାକୁ କମାଇଦିଏ)ର ବ୍ୟବହାର ଉତ୍ସର୍ଜନକୁ ହ୍ରାସ କରିଥାଏ। ପ୍ରାକୃତିକ ଉପାୟରେ ପବନରେ ଲୁଗା ଶୁଖାଇବା ପ୍ରଣାଳୀକୁ ଆପଣେଇବା ଦ୍ବାରା ମଧ୍ୟ ଅଣୁତନ୍ତୁଗୁଡ଼ିକ ବାୟୁମଣ୍ଡଳରେ ମିଶିବାର ଆଶଙ୍କା ହ୍ରାସ ପାଇଥାଏ। ଏହା ବ୍ୟତୀତ ଅନ୍ୟ ବିକଳ୍ପ ହେଲା ଏକ ଉତ୍କୃଷ୍ଟ ୱାସିଂ ମେସିନ ଫିଲଟର୍ର ବ୍ୟବହାର ଏବଂ ଏଥିରେ ସଂଗୃହୀତ ତନ୍ତୁଗୁଡ଼ିକର ନିରାପଦ ନିଷ୍କାସନ। କିନ୍ତୁ, ଏଗୁଡ଼ିକ ମଧ୍ୟ ଦୀର୍ଘକାଳୀନ ସମାଧାନ ନୁହେଁ କାରଣ ଏହା ଦ୍ୱାରା ଲୁଗାରୁ ବାହାରୁଥିବା ଅଣୁତନ୍ତୁର ପରିମାଣ ହ୍ରାସ ପାଉ ନାହିଁ। ଫ୍ରାନ୍ସ ପରି ରାଷ୍ଟ୍ର ନିୟମ ପ୍ରଣୟନ କରି ସାରିଲେଣି ଯେ ୱାସିଂ ମେସିନଗୁଡ଼ିକରେ ଫିଲଟର ଲଗାଇବା ବାଧ୍ୟତାମୂଳକ। ୨୦୨୫ ମସିହା ସୁଦ୍ଧା ୱାସିଂ ମେସିନଗୁଡ଼ିକରେ ଏପରି ଫିଲଟର ଲଗାଯିବା ଏବଂ ଏହା ସହିତ ସଂପୃକ୍ତ ବିସର୍ଜନ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଜନସଚେତନତା ସୃଷ୍ଟି ପାଇଁ କାଗଜର ଲେବଲ୍ ଲଗାଯିବା, ନୂତନ ଧରଣର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ପାଇଁ ରଣକୌଶଳ ନିର୍ଦ୍ଧାରଣ ଇତ୍ୟାଦି ହେଉଛି ବୟନ ଶିଳ୍ପରୁ ଅଣୁତନ୍ତୁ ହ୍ରାସ କରିବାର କେତୋଟି ଉଦ୍ୟମ। ଏପରି ପଦକ୍ଷେପମାନ ଭାରତକୁ ସତତ ବିକାଶ ଲକ୍ଷ୍ୟମାନ ହାସଲ କରିବା କ୍ଷେତ୍ରରେ ସହାୟକ ହେବ, ଯାହା ଫଳରେ ପ୍ଲାଷ୍ଟିକ ପ୍ରଦୂଷଣ ହ୍ରାସ, ସାମୁଦ୍ରିକ ସଂରକ୍ଷଣ, ଚିରସ୍ଥାୟୀ ଉପଭୋକ୍ତା ଅଭ୍ୟାସ, ଏପରି ତିନିଟି କ୍ଷେତ୍ରରେ ଅଗ୍ରଗତି ହାସଲ କରାଯାଇପାରିବ। ଭାରତୀୟ ସଂସ୍କୃତିରେ ପୁନଃଚକ୍ରଣ (ରିସାଇକ୍ଲିଂ) ଓ ମିତବ୍ୟୟିତାକୁ ଅଧିକ ଲୋକପ୍ରିୟ କରାଯିବାର ଆବଶ୍ୟକତା ରହିଛି। ଏହା ସମ୍ବଳର ମାତ୍ରାଧିକ ଦୋହନ ଏବଂ ବ୍ୟାପକ ମାତ୍ରାରେ ସାମଗ୍ରୀ ଉତ୍ପାଦନକୁ ସୀମିତ କରିପାରିବ। ତେଣୁ ଜନସାଧାରଣଙ୍କୁ ଏସବୁ ଦିଗ ସଂପର୍କରେ ସଚେତନ ଓ ଶିକ୍ଷିତ କରାଯିବାର ଆବଶ୍ୟକତା ରହିଛି। ଅନେକ ବହୁରାଷ୍ଟ୍ରୀୟ କମ୍ପାନି ଏବେ ଅଦରକାରୀ ଲୁଗାର ପୁନଃଚକ୍ରଣ କରିବା ଏବଂ ପୋଷାକର ଅଂଶବିଶେଷକୁ ନୂତନ ସାମଗ୍ରୀରେ ରୂପାନ୍ତରିତ କରିବା ଆରମ୍ଭ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ସେମାନେ ସେମାନଙ୍କର ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତା ପାଇଁ ଗ୍ରହଣ କରୁଛନ୍ତି। ତଥାପି, ଏ ଯାଏ ଭାରତୀୟ ସଂସ୍କୃତିରେ ମିତବ୍ୟୟିତା ସଂପର୍କରେ ବିଶେଷ କିଛି ଶୁଣାଯାଏ ନାହିଁ। ପୂର୍ବରୁ କେହି ଜଣେ ବ୍ୟବହାର କରିଥିବା ଲୁଗାପଟାକୁ ଆପଣେଇବାର କଳାକୁ ଉପଯୁକ୍ତ ସଚେତନତା ଏବଂ ଅଭିଯାନଗୁଡ଼ିକ ମାଧ୍ୟମରେ ପ୍ରୋତ୍ସାହିତ କରାଯିବା ଅତ୍ୟନ୍ତ ଆବଶ୍ୟକ। ଏହା କେବଳ ଯେ ନିରନ୍ତରତାକୁ ପ୍ରୋତ୍ସାହିତ କରୁଛି ସେ କଥା ନୁହେଁ, ଏହା ମଧ୍ୟ ସମବେଦନା ଓ ଅନ୍ୟ ପାଇଁ ଚିନ୍ତା କରିବାର ମାନବୀୟ ଗୁଣଗୁଡ଼ିକୁ ଆମ ଠାରେ ବିକଶିତ କରିବ।
ଅତ୍ୟନ୍ତ କ୍ଷୁଦ୍ର ଅଣୁତନ୍ତୁ ପରି ପ୍ରଦୂଷକର ନିରାକରଣ ପାଇଁ ଏକ ବହୁମୁଖୀ ଆଭିମୁଖ୍ୟ ଆବଶ୍ୟକ ଯେଉଁଥିରେ ଗବେଷକ, ନୀତି ନିର୍ଦ୍ଧାରକ, ତୃଣମୂଳ ସ୍ତରର ପରବେଶ କର୍ମୀ ଏବଂ ସରକାର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ସମୁଦ୍ରକୁ ଯଥେଷ୍ଟ ପରିମାଣର ମାଇକ୍ରୋପ୍ଲାଷ୍ଟିକ ଛାଡୁଥିବା ଭାରତ ଯଦି ଯଥାଶୀଘ୍ର ଏହି ସମସ୍ୟାର ନିରାକରଣ ନ କରେ ତେବେ ୨୦୨୩ ସୁଦ୍ଧା ସତତ ବିକାଶ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ସକାଶେ ଆମ ଦେଶର ଯାତ୍ରା ଅସଂପୂର୍ଣ୍ଣ ରହିଯିବ।
ମୋ: ୯୯୧୦୭୪୦୮୩୯