ସାହିତ୍ୟିକ ପାଣିପାଗ : ‘ନାଗାର୍ଜୁନ’ବେଶ- କ’ଣ ଏକ ‘ଶୂନ୍ୟ’ବେଶ?

ଅସିତ ମହାନ୍ତି

ଗତ ନଭେମ୍ବର ୨୭ ତାରିଖ, କାର୍ତ୍ତିକ ଶୁକ୍ଳପକ୍ଷର ମଳ ଦ୍ୱାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଏହା ଦୁର୍ଲଭ, କାରଣ ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚକରେ ତିଥିର ବୃଦ୍ଧି ଘଟି ଗୋଟିଏ ତିଥି ଦୁଇଦିନ ଭୋଗ ହୁଏ, ସେହି ଅଧିକ ତିଥି ବା ମଳ ତିଥିରେ ଏହି ବେଶ ଅନୁଷ୍ଠିତ ହୁଏ। ସେଥିପାଇଁ, ଦୀର୍ଘ ୨୬ ବର୍ଷ ପରେ ଏବର୍ଷ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହା ଏକ ବିରଳ ବେଶ ହୋଇଥିବାରୁ, ଏ ବାବଦରେ ବିଶେଷ ଚର୍ଚ୍ଚା, ଆଲୋଚନା ହୋଇନାହିଁ। ତେଣୁ ଏହି ବେଶ କାହିଁକି ହୁଏ, ସେ ବାବଦରେ ସାଧାରଣରେ ଧାରଣା ଆପାତତଃ ଅସ୍ପଷ୍ଟ। ତେଣୁ ବହୁ ଆଲୋଚକ ଓ ବ୍ୟାଖ୍ୟାକାର ଏହାର ସୁଯୋଗ ନେଇ, ଏ ବାବଦରେ ଅନେକ ବିଭ୍ରାନ୍ତିକର ପ୍ରସଙ୍ଗ ଉପସ୍ଥାପନ କରିବା ଦେଖାଯାଇଛି। ସେମାନଙ୍କ ଦ୍ୱାରା ଉପସ୍ଥାପିତ କେତେକ ପ୍ରସଙ୍ଗ, ତଥ୍ୟ ଓ ଯୌକ୍ତିକତା ଦୃଷ୍ଟିରୁ ମଧ୍ୟ ଗ୍ରହଣୀୟ ନୁହେଁ।

ଏହିପରି ଗୋଟିଏ ଆଲୋଚନା ହେଉଛି, ଗତ ଡିସେମ୍ବର ୩ ତାରିଖର ‘ସମ୍ବାଦ’ରେ ପ୍ରକାଶ ପାଇଥିବା, ସ୍ତମ୍ଭକାର ହରପ୍ରସାଦ ଦାସଙ୍କ ‘ଶୂନ୍ୟତାର ଚିତ୍ରକଳ୍ପ’। ଅବଶ୍ୟ ସେ ସେହି ଲେଖାର ଉପସଂହାରରେ କହିଛନ୍ତି, “ମୁଁ ଜଣେ ସାଧାରଣ ଜନ, ଭକ୍ତରେ ଗଣା ନୁହେଁ କି ପ୍ରାଜ୍ଞରେ ବି ଗଣା ନୁହେଁ। ବ୍ୟଥା ବଳିପଡ଼ିବାରୁ ଏ ପ୍ରସଙ୍ଗ ଉଠାଇଲି। ଜଗନ୍ନାଥପ୍ରେମୀ, ଯେଉଁମାନେ ଶିକାରୀ ବେଶରେ ଜଗନ୍ନାଥଙ୍କୁ ଦେଖି ସନ୍ତୁଷ୍ଟ ବା ବିହ୍ୱଳ, ସେମାନେ କ୍ଷମା କରିବେ। ମୋ ଜଗନ୍ନାଥଙ୍କ ରୂପକଳ୍ପନା ପାଇଁ ମୁଁ ମାର୍ଗଟିଏ ଦେଖେଇଚି ମୋ ପାଇଁ। ସେ ମାର୍ଗରେ କେହି ନ ଆସିଲେ ନଆସନ୍ତୁ, କିନ୍ତୁ ଘଡ଼ିଏ ଭାବିଲେ କ୍ଷତି କଣ?” ଏହି ‘ଘଡ଼ିଏ ଭାବନା’ରୁ ହିଁ ଏ ଆଲୋଚନାର ଅବତାରଣା। ଏ ଭାବନାର ପ୍ରଥମ ପ୍ରଶ୍ନ- ‘ନାଗାର୍ଜୁନ’ ବେଶ କ’ଣ ଏକ ‘ଶିକାରୀ’ ବେଶ? ସମ୍ଭବତଃ ସ୍ତମ୍ଭକାରଙ୍କୁ ଅଜଣା ଯେ ଶ୍ରୀଜଗନ୍ନାଥଙ୍କର ଗୋଟିଏ ‘ବେଣ୍ଟନୀତି’ ଅଛି। ମାଘଶୁକ୍ଳ ପଞ୍ଚମୀ ବା ବସନ୍ତପଞ୍ଚମୀ ଦିନ ଏହି ନୀତି ଅନୁଷ୍ଠିତ ହୁଏ। ଏଥିରେ ଶ୍ରୀଜଗନ୍ନାଥଙ୍କର ପ୍ରତିନିଧି ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ, ତାଙ୍କର ପ୍ରମୋଦ ଉଦ୍ୟାନ ଜଗନ୍ନାଥବଲ୍ଲଭର ‘ବେଣ୍ଟ ପୋଖରୀ’କୁ ‘ବେଣ୍ଟ’ ବା ‘ଶିକାର’ ନୀତି ପାଇଁ ଯାଆନ୍ତି। ସେହି ନୀତିରେ, ନାସି ଲଗା ପଇଡ଼କୁ ମୃଗ ବୋଲି ବିବେଚନା କରାଯାଇ, ତାହାକୁ ତୀର ବିନ୍ଧାଯାଏ। ସେହି ବେଣ୍ଟ ନୀତି ପରେ ସେମାନେ ଶ୍ରୀମନ୍ଦିରକୁ ଫେରନ୍ତି।

ଶ୍ରୀଜଗନ୍ନାଥଙ୍କର ‘ନାଗାର୍ଜୁନ ବେଶ’କୁ ଯେ ଏକ ବୀରବେଶ କୁହାଯାଉଛି, ତାହାକୁ ସ୍ତମ୍ଭକାର ବିରୋଧ କରିଛନ୍ତି। ସେ କହିଛନ୍ତି- “ଜଗନ୍ନାଥଙ୍କୁ ହିଂସ୍ର, ବୀରପୁରୁଷ ରୂପରେ କଳ୍ପନା କରିବା କ’ଣ ଠିକ୍‌? ସେ ଯୋଦ୍ଧା? ସେ ଶିକାରୀ? ତେବେ ସେ କାହା ସହିତ ଯୁଦ୍ଧ କରିବେ? କାହାର ଶିକାର କରିବେ? ବାଘନଖ, ବାଘଛାଲ, କାତି, ଛୁରୀ, ଖଣ୍ଡା, ତ୍ରିଶୂଳ, କୁଠାର କାହାର ପ୍ରତୀକ? ଆୟୁଧତତ୍ତ୍ୱର ପ୍ରତୀକାତ୍ମକ ବ୍ୟାଖ୍ୟାନରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ବିଷ୍ଣୁଙ୍କର ଶାନ୍ତ ସ୍ୱରୂପ। ହିଂସ୍ରତାର ଆରୋପ ଠିକ୍ ନୁହେଁ; ବରଂ ଏ ଅଦ୍ଭୁତ ବେଶରେ ଶିଳ୍ପୀ-କଳ୍ପନାର ଅନ୍ତରୀକ୍ଷ ଉଡ଼ାଣ ଲୋଡ଼ା, ଯହିଁରେ ଶୂନ୍ୟତାର ଚିତ୍ରକଳ୍ପ ପରମପୁରୁଷ ପ୍ରଭୁ ଜଗନ୍ନାଥଙ୍କ ଅନାଦି-ଅନନ୍ତ-ନିର୍ଗୁଣ-ନିରାକାର ରୂପରେ ଜ୍ଞାନର ଉଦ୍ରେକ କରୁଥିବ।” କିନ୍ତୁ ଶ୍ରୀ ଦାସଙ୍କ ଅନୁସାରେ, କ’ଣ ଏ ‘ଶିଳ୍ପୀ-କଳ୍ପନାର ଅନ୍ତରୀକ୍ଷ ଉଡ଼ାଣ’ ତାହା ଲେଖାଟିରେ ସ୍ପଷ୍ଟ ନୁହେଁ। ଏ ପ୍ରସଙ୍ଗରେ ସୂଚାଇଦେବା ଆବଶ୍ୟକ ଯେ- ଶ୍ରୀଜଗନ୍ନାଥଙ୍କର ବିଗ୍ରହ ‘ଶିଳ୍ପୀ- କଳ୍ପନାର ଅନ୍ତରୀକ୍ଷ ଉଡ଼ାଣ’ ଦୃଷ୍ଟିରୁ ଅନୁପମ। ତାଙ୍କର ବିଗ୍ରହ ନିରାକାର, ନିର୍ଗୁଣ, ଶୂନ୍ୟ ବ୍ରହ୍ମଙ୍କର ଏକ ସାକାର ରୂପ! ସେଇଥିପାଇଁ ତ ସେହି ବିଗ୍ରହରେ ସେ ଅପାଣିପାଦ, ଅପଲକଚକ୍ଷୁ! ପୁରାଣ ଓ କିଂବଦନ୍ତି ଅନୁସାରେ, ଶ୍ରୀଜଗନ୍ନାଥ ବୁଢ଼ା ବଢ଼େଇ (ଅନନ୍ତ) ରୂପେ ଆସି ନିଜକୁ ନିଜେ ଗଢ଼ିଥିଲେ। ଗୋଟିଏ ଅଭିଭାଷଣ (ଏପ୍ରିଲ୍‌-୨୮, ୨୦୧୩)ରେ ବିଖ୍ୟାତ ଲେଖକ ଓ ବକ୍ତା ମନୋଜ ଦାସ ତାଙ୍କୁ “ଆମ ଅପୂର୍ଣ୍ଣତାର ପ୍ରତିନିଧି; କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି” ବୋଲି କହିବା ପରେ, ଆଉ ଜଣେ ବିଖ୍ୟାତ ଲେଖକ ଓ ବକ୍ତା ଚନ୍ଦ୍ରଶେଖର ରଥ ଗୋଟିଏ ଲେଖାରେ ସେ ସଂପର୍କରେ ଏକ ଭିନ୍ନ ଭାବନା ଦେଇଥିଲେ। ତାଙ୍କର ଲେଖାର ଶୀର୍ଷକ ଥିଲା, ‘ଦିବ୍ୟ ସଂକେତ ବିଗ୍ରହ’ (ପୌରୁଷ, ଜୁଲାଇ, ୨୦୧୩)। ସେହି ଲେଖାର ଆରମ୍ଭରେ ସେ କହିଛନ୍ତି, “ଗୋଟିଏ ପ୍ରଶ୍ନ ବାରମ୍ବାର ଉତ୍‌ଥାପିତ ହୁଏ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଯେ ସ୍ଥାପତ୍ୟ ଓ ମୂର୍ତ୍ତିକଳାର ଅତୁଳନୀୟ ପରାକାଷ୍ଠା ଯେଉଁଠି ପ୍ରମାଣିତ ହୁଏ, ମନ୍ଦିର ଗାତ୍ରରେ ଯେଉଁ କାରୁକଳାର ଦୃଷ୍ଟାନ୍ତ ଆମେ ଲକ୍ଷ୍ୟ କରୁ, ତା’ ସହିତ ସିଂହାସନରେ ଅଧିଷ୍ଠିତ ଏବଂ ପୁରୁଷାନୁକ୍ରମେ ପୂଜିତ କିଂଭୂତ କିମାକାର ବିଗ୍ରହକୁ ସାଧାରଣ ତର୍କରେ ବୁଝି ପାରୁନାହିଁ କାହିଁକି ଏବଂ କେଉଁ ବାଧ୍ୟବାଧକତା ହେତୁରୁ ଏପରି ଏକ ବିଗ୍ରହ ଶ୍ରୀମନ୍ଦିରର ଗର୍ଭଗୃହରେ ଆମେ ସଂସ୍ଥାପନ କରିଛୁ? ବିଦେଶୀଙ୍କ ମନରେ ଯେଉଁ କୌତୂହଳ; ଆମ ତରୁଣ ସଂପ୍ରଦାୟ ମନରେ ମଧ୍ୟ ସେହି କୌତୂହଳ। ଏ ପ୍ରଶ୍ନ ବାରମ୍ବାର ପଚରାଯାଏ। ତା’ର ଉତ୍ତର ଦେବା ସହଜ ନୁହେଁ; କିନ୍ତୁ ନଦେବା ମଧ୍ୟ ଏକ ଅପରାଧ ପରି ବୋଧହୁଏ।”

ଏହି ଉପକ୍ରମଣିକା ସହିତ, ଶ୍ରୀ ରଥ ସେହି ଲେଖାରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହର ତତ୍ତ୍ୱ ଓ ଦାର୍ଶନିକତାର ସରଳ ବ୍ୟାଖ୍ୟା କରିଛନ୍ତି। ପରିଶେଷରେ କହିଛନ୍ତି, “ସର୍ବେନ୍ଦ୍ରିୟ ଗୁଣାଭାସଂ ସର୍ବେନ୍ଦ୍ରିୟ ବିବର୍ଜିତମ୍‌- ସମସ୍ତ ଇନ୍ଦ୍ରିୟର ଗୁଣର ଆଭାସ ସତ୍ତ୍ୱେ, ସେ ସକଳ ଇନ୍ଦ୍ରିୟ ବିବର୍ଜିତ। ଯଥା- ପଲକ ନଥିବା ଆଖି, ରନ୍ଧ୍ର ନଥିବା ନାସା, କର୍ଣ୍ଣର ଅନୁପସ୍ଥିତି, ଅଧରୋଷ୍ଠ ନଥିବା ମୁଖ, ହସ୍ତପଦ ନଥିବା- ସକଳ ଇନ୍ଦ୍ରିୟ ବିବର୍ଜିତ ହେବାର ଲକ୍ଷଣ ଏଠାରେ ବିଦ୍ୟମାନ। କିନ୍ତୁ ଯଦି ଇନ୍ଦ୍ରିୟ ବିବର୍ଜିତ ତା’ହେଲେ ଇନ୍ଦ୍ରିୟର ଗୁଣାଭାସର କ’ଣ ପ୍ରୟୋଜନ ଥିଲା? ‘ଦିବ୍ୟସଂକେତ’କୁ ‘ଅଦିବ୍ୟଚକ୍ଷୁ’ରେ ଦେଖି ବୁଝିବାପାଇଁ ଏ ବ୍ୟବସ୍ଥା। ମୋଟ ଉପରେ, ଯାହାଙ୍କୁ ଆମେ ସିଂହାସନରେ ପ୍ରତିମା ରୂପେ ସ୍ଥାପିତ କରିଛୁ, ସବୁପ୍ରକାରର ମାନବୀୟ ଉପଚାର ଦ୍ୱାରା ତାଙ୍କର ପୂଜାବିଧି ସଂପନ୍ନ କରୁଛୁ, ସେ ପ୍ରକୃତରେ ସେ ନୁହନ୍ତି; କିନ୍ତୁ ସାକାର ରୂପ ନହେଲେ ନଚଳେ ବୋଲି ଏ ବିଗ୍ରହର ବ୍ୟବସ୍ଥା।” ଏଣୁ ଶ୍ରୀଜଗନ୍ନାଥ ପ୍ରକୃତରେ ଶୂନ୍ୟବ୍ରହ୍ମ। ଭୀମଭୋଇଙ୍କ ସମ୍ବୋଧନରେ ସେ “ରୂପରେଖ ନାହିଁ ହେ ଶୂନ୍ୟଦେହୀ” ବା ସର୍ବବ୍ୟାପକତାର ପ୍ରତିଭୂ। ସ୍ତମ୍ଭକାର ଶ୍ରୀ ଦାସଙ୍କ ଅନୁସାରେ- ବୌଦ୍ଧ ଚିନ୍ତକ ଓ ଦାର୍ଶନିକ ନାଗାର୍ଜୁନଙ୍କ ‘ଶୂନ୍ୟବାଦ’ ଅବଶ୍ୟ ଜଗନ୍ନାଥଙ୍କର ସେହି ବିପୁଳ ବିସ୍ତାରକୁ ବ୍ୟଞ୍ଜିତ କରେ; କିନ୍ତୁ ସେଥିପାଇଁ ‘ନାଗାର୍ଜୁନ ବେଶ ପ୍ରକୃତରେ ଶ୍ରୀଜଗନ୍ନାଥଙ୍କ ଶୂନ୍ୟବେଶ’ ବୋଲି ସେ ଯାହା କହିଛନ୍ତି, ତାହା ଗ୍ରହଣଯୋଗ୍ୟ ନୁହେଁ।

ସ୍ତମ୍ଭଲେଖରେ ସ୍ପଷ୍ଟ ଯେ ଶ୍ରୀ ଦାସ ଶ୍ରୀଜଗନ୍ନାଥଙ୍କର ଏହି ‘ଯୋଦ୍ଧାବେଶ’କୁ ବି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେ ପ୍ରଶ୍ନ କରିଛନ୍ତି, “ଶ୍ରୀଜଗନ୍ନାଥଙ୍କୁ ‘ହିଂସ୍ର ବୀରପୁରୁଷ’ ଭାବରେ ଗ୍ରହଣ କରିବା କ’ଣ ଠିକ୍‌?” କିନ୍ତୁ ଶ୍ରୀମଦ୍‌ଭଗବଦ୍‌ଗୀତାରେ ତ ଶ୍ରୀକୃଷ୍ଣ ସ୍ପଷ୍ଟ କହିଲେ- ସାଧୁଜନଙ୍କର ପରିତ୍ରାଣ ପାଇଁ ଓ ଦୁଷ୍କୃତିର ବିନାଶ ପାଇଁ ସେ ଯୁଗେ ଯୁଗେ ଧରାବତରଣ କରନ୍ତି! ଆମ ଲୋକ-ବିଶ୍ୱାସ ଏବଂ ପୁରାଣ ଓ ସାହିତ୍ୟର ପରମ୍ପରାରେ, ଶ୍ରୀଜଗନ୍ନାଥ ହେଉଛନ୍ତି ‘ଅବତାରୀ’। ତାଙ୍କର ଦାରୁଦେହରୁ ସବୁ ଅବତାର ସୃଷ୍ଟି ହୋଇ ପୁଣି ସେହି ଦାରୁଦେହରେ ଲୀନ ହୁଅନ୍ତି ବୋଲି ଓଡ଼ିଆ ଶୂନ୍ୟସାଧକ କବି ବି କହିଛନ୍ତି। କେବଳ କରୁଣାବତାର ବୁଦ୍ଧଙ୍କ ବ୍ୟତୀତ, କେଉଁ ଅବତାରରେ ବା ସେ ସାଧୁସଜ୍ଜନଙ୍କର ପରିତ୍ରାଣ ନିମନ୍ତେ ଦୁଷ୍କୃତ/ଦୁଷ୍କୃତକାରୀର ବିନାଶପାଇଁ ହିଂସ୍ର ହୋଇନାହାନ୍ତି? ନବମ ଅବତାରର ବୁଦ୍ଧଙ୍କ ପରେ, ଆଗାମୀ ଅବତାରରେ ସେ ଯେଉଁ ‘କଳ୍‌କୀ ଅବତାର’ରେ ଆବିର୍ଭୂତ ହେବେ- ତାହା କ’ଣ ମ୍ଳେଚ୍ଛ-ନିଧନ ପାଇଁ ନୁହେଁ? ନୃସିଂହ ଅବତାରରେ ତ ସେ ଅତି ନୃଶଂସ ଭାବରେ ହିରଣ୍ୟକଶିପୁକୁ ବିଦାରଣ କରିଥିବାର ପ୍ରଚୁର ଚିତ୍ର, ସ୍ଥାପତ୍ୟ ଓ ସାହିତ୍ୟ ଆମ ସମ୍ମୁଖରେ ବିଦ୍ୟମାନ! ସେଇଥିପାଇଁ ବି ତାଙ୍କ ସଂପର୍କରେ ଗୋଟିଏ ଧାଡ଼ିରେ ‘ନୃସିଂହ ପୁରାଣ’କାର କହିଛନ୍ତି- “ସକଳ ଅସହଣି ସେ ସକଳ ସହନ୍ତା।” ‘ସହନ୍ତା’ ଭାବରେ ସେ ଶାନ୍ତ ଓ ‘ଅସହଣି’ ଭାବରେ ସେ ଉଗ୍ର। ଏହି ପରିପ୍ରେକ୍ଷୀରେ, ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସବୁଠୁ ବେଶୀ ଆଦୃତ ‘ସ୍କନ୍ଦ ପୁରାଣ’ର ଗୋଟିଏ ଦୃଷ୍ଟାନ୍ତ ଦେବା ସମୀଚୀନ ହେବ।

‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ର ‘ଅଷ୍ଟାବିଂଶ ଅଧ୍ୟାୟ’ରେ ଦୃଷ୍ଟାନ୍ତଟି ଅଛି। ଜୈମିନୀ ଋଷି ଦ୍ୱିଜଗଣଙ୍କୁ ସେ ସଂପର୍କରେ କହିଛନ୍ତି। ଶ୍ରୀଜଗନ୍ନାଥଙ୍କର ବିଗ୍ରହ ନିର୍ମିତ ହୋଇସାରି, ସେ ପ୍ରାସାଦ (ପୁରୁଷୋତ୍ତମ ପ୍ରାସାଦ ବା ଶ୍ରୀମନ୍ଦିର)ରେ ପ୍ରତିଷ୍ଠା ହେଲେ। ‘ଲୋକଶିକ୍ଷା ପାଇଁ’ ତ୍ରିଲୋକର ସୃଷ୍ଟିକର୍ତ୍ତା ବ୍ରହ୍ମା ଦେବ ବିଗ୍ରହମାନଙ୍କୁ ସୁଗନ୍ଧିତ ମାଲ୍ୟ ଦ୍ୱାରା ସୁଶୋଭିତ ଏବଂ ବିବିଧ ଅଳଙ୍କାର ଦ୍ୱାରା ଅଳଙ୍କୃତ କରି ନିରାଜନା ପୂର୍ବକ ବେଦମନ୍ତ୍ର ଉଚ୍ଚାରଣ କରି ରମଣୀୟ ରତ୍ନସିଂହାସନରେ ସ୍ଥାପନା କଲେ। ତାହା ପରେ ପ୍ରାର୍ଥନା କରି କହିଲେ- “ହେ ସର୍ବଲୋକପ୍ରତିଷ୍ଠିତ! ଆପଣ ନିଖିଳ ଜଗତର ଆଧାର ଓ ସର୍ବବ୍ୟାପୀ। ଆପଣ କୃପା କରି ଏହି ପ୍ରାସାଦ ମଧ୍ୟରେ ସୁସ୍ଥିର ହୁଅନ୍ତୁ!” ତାହାପରେ ସେ ତାଙ୍କର ହୃଦୟ ସ୍ପର୍ଶ ପୂର୍ବକ ସହସ୍ରବାର ଅନୁଷ୍ଟୁଭ୍ ମନ୍ତ୍ର ଜପ କଲେ। ‘ସ୍କନ୍ଦ ପୁରାଣ’ର ବର୍ଣ୍ଣନା ଅନୁସାରେ, ଏହା ପରର ଘଟଣା ଥିଲା ଅଦ୍ଭୁତ। ବ୍ରହ୍ମାଙ୍କର ସେହି ମନ୍ତ୍ରର ମହିମା ଫଳରେ ଶ୍ରୀଜଗନ୍ନାଥ ଏକ ଅଦ୍ଭୁତ ନୃସିଂହ ରୂପ ଧାରଣ କଲେ। ଇନ୍ଦ୍ରଦ୍ୟୁମ୍ନ ପ୍ରଭୃତି ସମସ୍ତେ ଦେଖିଲେ, ନୃସିଂହଦେବ ଯେପରି ନିଜର ତେଜପ୍ରଦୀପ୍ତ ଜିହ୍ୱା ଦ୍ୱାରା ସମଗ୍ର ଜଗତକୁ ଅବଲେହନ କରୁଛନ୍ତି। ବୋଧ ହେଉଥିଲା, ଯେପରି କାଳାଗ୍ନି ରୁଦ୍ର ସଦୃଶ ଆବିର୍ଭୂତ ହୋଇ ସେ ନିଖିଳ ଜଗତକୁ ଗ୍ରାସ କରିବାକୁ ଉଦ୍ୟତ ହୋଇଛନ୍ତି। ତାଙ୍କର ଚକ୍ଷୁ, କର୍ଣ୍ଣ, ମୁଖ, ନାସିକା, କଟି, ହସ୍ତପଦାଦି ଅସଂଖ୍ୟ ଭାବରେ ଦୃଶ୍ୟମାନ ହେଲା। ବୋଧହେଲା- ତପସ୍ୟାର ତେଜରେ ସେ ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟଭାଗରେ ପରିବ୍ୟାପ୍ତ ହୋଇଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ପରି ସେହି ଭୟଙ୍କର ମୂର୍ତ୍ତିଙ୍କର ଦର୍ଶନରେ ସମସ୍ତେ ଭୀତତ୍ରସ୍ତ ହୋଇଗଲେ। ଏପରିକି ତାଙ୍କୁ ସ୍ତୁତି ମଧ୍ୟ କରିବାକୁ ସମର୍ଥ ହେଲେ ନାହିଁ।

ତାହା ଦେଖି ଦେବର୍ଷି ନାରଦ ପିତାମହ ବ୍ରହ୍ମାଙ୍କୁ ପଚାରିଲେ- “କି ନିମନ୍ତେ ଭଗବାନ ଶ୍ରୀଜଗନ୍ନାଥ ଏପରି ଅଦ୍ଭୁତ ରୂପରେ ନିଜକୁ ପ୍ରକଟ କରିଛନ୍ତି?” ତାହାର ସୁନ୍ଦର ଉତ୍ତର ଦେଇ ବ୍ରହ୍ମା କହିଲେ- “ହେ ନାରଦ! ତତ୍ତ୍ୱ ନଜାଣିଥିବା ମୂଢ଼ ଲୋକମାନେ, ଅବତୀର୍ଣ୍ଣ ହୋଇଥିବା ସାକ୍ଷାତ୍ ବ୍ରହ୍ମରୂପୀ ଏହି ଜଗନ୍ନାଥ ଦେବଙ୍କୁ ଦାରୁମୟ ବିଗ୍ରହରେ ଦେଖି ଅବଜ୍ଞା କରିପାରନ୍ତି; ସେଥିପାଇଁ ଭଗବାନ ଏପରି ଭୟଙ୍କର ରୂପ ଧାରଣ କରିଛନ୍ତି। ପୂର୍ବ କାଳରେ ମଧ୍ୟ ସେ ଏହିପରି ଭୟଙ୍କର ରୂପ ଧାରଣ କରି ମହାଅସୁର ହିରଣ୍ୟକଶିପୁକୁ ବିଦାରଣ କରିଥିଲେ।” ଏ ଦୃଷ୍ଟିରୁ, ସ୍ତମ୍ଭକାର ଶ୍ରୀ ଦାସ ନାଗାର୍ଜୁନ ବେଶ ପରିପ୍ରେକ୍ଷୀରେ ଯେଉଁ ମନ୍ତବ୍ୟ ଦେଇଛନ୍ତି- “ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ବିଷ୍ଣୁଙ୍କର ଶାନ୍ତ ସ୍ୱରୂପ; ହିଂସ୍ରତାର ଆରୋପ ଠିକ୍ ନୁହେଁ।” ସେ ମନ୍ତବ୍ୟ ଠିକ୍ ନୁହେଁ। “ନାଗାର୍ଜୁନ ବେଶ ପ୍ରକୃତରେ ଜଗନ୍ନାଥଙ୍କ ଶୂନ୍ୟବେଶ”- ଏହା କହିବା ମଧ୍ୟ ସମୀଚୀନ ନୁହେଁ। ଏହା କେବଳ ସ୍ତମ୍ଭକାରଙ୍କର ଏକ ‘ଶୂନ୍ୟ ଚାଷ’। ‘ନାଗାର୍ଜୁନ ବେଶ’ ପ୍ରସଙ୍ଗରେ ଶ୍ରୀ ଦାସଙ୍କର ଆଉ ଏକ ପ୍ରଶ୍ନ ବା ସଂଶୟ ହେଉଛି- “ବୀରବେଶର ନାମ ନାଗାର୍ଜୁନ ବେଶ କାହିଁକି ହେବ, ଯଦି ଧର୍ମଗ୍ରନ୍ଥ ବା ପୁରାଣରେ ତାହାର ସୂଚନା ନାହିଁ!” କିନ୍ତୁ ସତରେ କ’ଣ ଆମର ଧର୍ମଗ୍ରନ୍ଥ ଓ ପୁରାଣରେ ଏହାର କିଛି ବି ସୂଚନା ନାହିଁ? ଚନ୍ଦ୍ରଶେଖର ରଥଙ୍କ ପୂର୍ବସୂଚିତ ବକ୍ତବ୍ୟ ଅନୁସାରେ, ଏ ପ୍ରଶ୍ନର ଉତ୍ତର ନଦେବା ମଧ୍ୟ ଏକ ଅପରାଧ ପରି ହିଁ ବୋଧହେବ।
ତେଣୁ ଏ ପ୍ରଶ୍ନର ଉତ୍ତର ଆରଥରକୁ।
ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର