କମ୍‌ ପିଲାରେ ସରକାରୀ ପ୍ରାଥମିକ ସ୍କୁଲ ଚାଲି ପାରିବ

ନୀଳକଂଠ ରଥ

ଗତ କେତେ ଦିନ ହେଲା ଖବରକାଗଜରେ ପଢ଼ିବାକୁ ମିଳିଲା ଯେ ଓଡିଶା ସରକାର ରାଜ୍ୟର ଚଉଦ ଜିଲ୍ଲାରେ ଚଉଦ ହଜାରରୁ ଅଧିକ ଛୋଟ, ମୁଖ୍ୟତଃ ଆଦିବାସୀ, ଗାଁରେ ସରକାର ଚଳାଉଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଂଦ କରିଦେବେ। ଯେଉଁଠାରେ ପ୍ରାଥମିକ ସ୍କୁଲ୍‌ରେ କୋଡିଏରୁ କମ୍ ପିଲା ଓ ଉଚ୍ଚ-ପ୍ରାଥମିକ ସ୍କୁଲ୍‌ରେ ଚାଳିଶରୁ କମ୍ ପିଲା ସେଭଳି ସ୍କୁଲସବୁ ବଂଦ କରିଦିଆଯିବ। ସେ ଗାଁର ପିଲାଂକୁ ଏକ କିଲୋମିଟର ଦୂରରେ ଅନ୍ୟ ସ୍କୁଲ୍ ଥିଲେ ସେଠାକୁ ଚାଲି କରି ଯିବାକୁ ହେବ। ତହିଁରୁ ଅଧିକ ଦୂରରେ ଥିଲେ ସରକାର ସେଥିପାଇଁ ଖର୍ଚର ବ୍ୟବସ୍ଥା କରିବେ। ସରକାରଂକ ଅର୍ଥାଭାବ ହେତୁ ଅତି ଅଳ୍ପ ଛାତ୍ରସଂଖ୍ୟାରେ ଚାଲୁଥିବା ବିଦ୍ୟାଳୟ ଚଳାଇବା ସଂଭବ ନୁହେଁ ବୋଲି ସରକାରଂକୁ ଲାଗୁଚି। ସରକାର ଯାହା କରୁଚଂତି ତାହା ପିଲାଂକ ପଢା ଦୃଷ୍ଟିରୁ ଅନିଷ୍ଟକାରୀ ବୋଲି ଅଧିକାଂଶଂକ ମତ ପଡିଲାରୁ ସରକାର ଏବେ ସେ ନିଷ୍ପତ୍ତି ବଦଳାଇ ପଂଦରରୁ କମ୍ ପିଲା ଥିବା ପ୍ରାଥମିକ ବିଦ୍ୟାଳୟ ବଂଦ କରିବା ସ୍ଥିର କରିଚଂତି ବୋଲି ଶୁଣିବାକୁ ମିଳୁଚି। ସେଭଳି ସ୍କୁଲ ସଂଖ୍ୟା ସାତ ହଜାର ସାତଶହରୁ କିଛି ଅଧିକ ବୋଲି ଶୁଣିବାକୁ ମିଳୁଚି- କୋଉ ଜିଲ୍ଲାରେ କେତେ ତାହାର ହିସାବ ଉପଲବ୍‌ଧ ନାହିଁ। ଧରିନିଆଯାଉ ପ୍ରାୟ ଆଠ ହଜାର ପ୍ରାଥମିକ ବିଦ୍ୟାଳୟ ବୋଲି। (ଆଜିକାଲି ପ୍ରାଥମିକ ବିଦ୍ୟାଳୟ ମାନେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯଂତ, ଉଚ୍ଚ-ପ୍ରାଥମିକ ମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ମାଧ୍ୟମିକ ମାନେ ନବମ-ଦଶମ ଓ ଉଚ୍ଚ-ମାଧ୍ୟମିକ ମାନେ ଏକାଦଶ-ଦ୍ବାଦଶ ଶ୍ରେଣୀ (ଆଜିର ଜୁନିଅର୍‌ କଲେଜ)।

ମାତ୍ର, ବିରୋଧ କଲା ବେଳେ ଏ ପରିସ୍ଥିତିରେ କଅଣ କରାଯିବା ଉଚିତ ତାହାର ବିବରଣୀ ପଢିବାକୁ ମିଳିନି। ବୋଧହୁଏ ସ୍କୁଲ୍ ସବୁ ବଂଦ ନକରି ଏବ ଭଳି ଚାଲୁ ରଖ ବୋଲି କହିବା କଥା। ଗୋଟିଏ ଗାଁରେ ସବୁ ମିଶି ପ୍ରାୟ ପଂଦର ଜଣ ପିଲା ପ୍ରାଥମିକ ଶାଳାକୁ ଯିବା ବୟସର ଥିଲେ, ଦି-ତିନି ଜଣ ଶିକ୍ଷକଂକ କଥା ଛାଡ, ଜଣେ ଶିକ୍ଷକ ରଖିବା ବି ସଂଭବ ନୁହେଁ ବୋଲି ସରକାରଂକ ମତ ଭଳି ଲାଗୁଛି। ପିଲାଂକୁ ଗାଁରେ ପଢିବା ଜାଗାରେ ଅନ୍ୟ ଗାଁକୁ ନେଇ ପଢ଼ାଇବାର ବ୍ୟବସ୍ଥା ଯୋଗୁଁ ପିଲେ ପଢ଼ାରୁ ଗଳି ପଡିବାର ସଂଭାବନା ଅଧିକ। ବାସ୍ତବିକ ଜଣେ ଶିକ୍ଷକ ପାଂଚ ଶ୍ରେଣୀର ପଂଦରଜଣ ପିଲାଂକୁ ତାଂକ ତାଂକ ବିଷୟ ପଢେଇ ପାରିବା କିଛି ଅସଂଭବ କାମ ନୁହେଁ। ପିଲାଂକୁ ଆଗ ଗୀତ, କଥା, ଗାଁ ପରିସରର ପାହାଡ, ଗଛ, ଜମି ଇତ୍ୟାଦି ଦେଖାଇ ସେ ବିଷୟର ଧାରଣା ଦେବାରୁ ଆରଂଭ କରି କ୍ରମେ ପିଲାଂକୁ ତାଂକ ଭାଷାରେ (ମାତ୍ର ଓଡ଼ିଆ ଲିପିରେ) ଶବ୍ଦ ଓ ଅକ୍ଷର ଶିଖେଇବା, କ୍ରମେ ଛୋଟ ଛୋଟ ବାକ୍ୟ ରଚନା, କହୁଥିବା କଥାକୁ ଲେଖି ପାରିବାର ଚେଷ୍ଟା, ତିଂତୁଳି ମଂଜି ବା ଗୋଡି ସାହାଯ୍ୟରେ ହିସାବ, ବଡ ମଣିଷଂକୁ ଡାକି ଗାଁର ଇତିହାସ, ବୁଲାବୁଲିରୁ ଗାଁର ଭୂଗୋଳ ଆରଂଭ କଲେ ପିଲେ ପଢ଼ାରୁ ଗଳିବା ପରିବର୍ତ୍ତେ ଆନଂଦରେ ସ୍କୁଲ୍‌କୁ ଆସଂତେ। କ୍ରମେ ଉପର ଶ୍ରେଣୀର ପିଲେ ତଳଂକୁ ବି ବିଭିନ୍ନ ଅକ୍ଷର ଓ ଶବ୍ଦକାର୍ଡ ସାହାଯ୍ୟରେ ଅକ୍ଷର ଓ ଶବ୍ଦ ଶିଖିବାରେ ସାହାଯ୍ୟ କରଂତେ। ମାଷ୍ଟ୍ରେ ଉପର ଶ୍ରେଣୀର ପିଲାଂକୁ କିଛି ପଢ଼ୋଉଥିବା ବେଳେ ତଳ ଶ୍ରେଣୀର ପିଲାଂକୁ ତାଂକ ଉପର ଶ୍ରେଣୀର ପିଲେ ପଢାରେ ସାହାଯ୍ୟ କରଂତେ। କ୍ରମେ ତାଂକ ଭାଷାର ଶବ୍ଦର ଓଡ଼ିଆ ଶବ୍ଦରୁ ଓଡିଆ ଶିଖିବା ବି ଆରଂଭ ହୁଅଂତା। ଚତୁର୍ଥ- ପଂଚମ ଶ୍ରେଣୀ ବେଳକୁ ପିଲେ ନିଜ ଭାଷାର ଗପ, କଥା କିପରି ଓଡ଼ିଆରେ କହିହେବ ତାହା କହି ଶିଖଂତେ, ଶିଖାଂତେ। ଗାଁ ଇତିହାସ, ଭୂଗୋଳରୁ ରାଜ୍ୟ ଇତିହାସ, ଭୂଗୋଳ କଥା ମାଷ୍ଟ୍ରେ କହିଲା ବେଳେ ପିଲାଂକୁ ମଜା ଲାଗଂତା। ମୋଟ ଉପରେ ତାଂକ ଭାଷା ଜାଣିଥିବା ମାଷ୍ଟ୍ର-ମାଷ୍ଟ୍ରାଣୀ ଜଣେ ବା ଦିଜଣରେ ଏତେ ଅଳ୍ପ ସଂଖ୍ୟକ ପିଲାଂକୁ ଭଲ ଭାବରେ ପଢାଇ ତାଂକ ଭିତରେ ଏ ସବୁ ବିଷୟରେ ଆଗ୍ରହ ନିର୍ମାଣ କରାଇବା ମୋଟେ କଷ୍ଟକର କାମ ନୁହେଁ। ତା’ବାଦ୍ ପିଲାଂକ ଅଭିଭାବକମାନେ ପିଲାଂକ ଖୁସି ଦେଖି ତାଂକ ସାଂଗରେ ମିଶି ନିଜେ ବି ଛପା ଅକ୍ଷର ପଢିବାକୁ ଉତ୍ସୁକ ହୁଅଂତେ। ମା‌େଷ୍ଟ୍ର ଗାଁ ମାଇପି-ମିଣିପଂକୁ ଏକାଠି ମିଶି ଛୋଟ ଛୋଟ ଉଦ୍ୟାଗ କରିବାରେ ପ୍ରବୃତ୍ତ କରିପାରଂତେ ……ଇତ୍ୟାଦି ଇତ୍ୟାଦି।

ୟା ପଢିଲା ବେଳେ କେହି କହିପାରେ- ଏ ବୁଢ଼‌ା ଘରେ ବସି ଆକାଶ କଇଁଆ ତୋଳି ଆମକୁ କାଗଜରେ ଚଖେଇବାକୁ ବସିଚି। ମାତ୍ର, ତା’ ଠିକ୍ ନୁହେଁ। ମୁଁ ପଢିଥିବା, ଜାଣିଥିବା ବାସ୍ତବ ଅଭିଜ୍ଞତାରୁ ଉଧାର ନେଇ ଏ କଥା କହୁଚି। ପଚିଶ ବର୍ଷ ତଳେ ଶିକ୍ଷାସଂଧାନ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଓଡିଶାର କେତେକ ଆଦିବାସୀ ଗାଁରେ ସେଠା ପିଲାଂକୁ ପଢେଇବାର ଉଦ୍ୟମ ଆରଂଭ କଲା। ସେ ଗାଁମାନଂକରେ ଅନ୍ୟ ସ୍ବେଚ୍ଛାସେବୀ ସଂସ୍ଥା ଭିନ୍ନ ବିଷୟରେ କାମ କରୁଥିଲେ ବି ଗାଁରେ ଇସ୍କୁଲ୍ ଆରଂଭ କରିଥିଲେ। ଶିକ୍ଷାସଂଧାନ ସେଭଳି ସ୍କୁଲ୍‌ରେ ନିଜ ଖର୍ଚରେ ଜଣେ ସ୍ଥାନୀୟ ମାଟ୍ରିକ୍ ପାସ୍ ମାଷ୍ଟ୍ର ରଖି ତାଂକ ଭାଷାରେ ଏ ପ୍ରକାରର ପଢାର ଉଦ୍ୟମ ଆରଂଭ କଲେ। କ୍ରମେ ସେ ଗାଁ ଲୋକଂକ ଭାଷାରେ ପ୍ରାଥମିକ ପୁସ୍ତକ ତିଆରି କଲେ। ଉପରେ ଯାହାସବୁ ଲେଖାହେଲା ତାହା ତାଂକ ପଂଦର ବର୍ଷର ଅଭିଜ୍ଞତାକୁ ଧରି। ପ୍ରାୟ ଆଠ ବର୍ଷ ତଳେ ଯେଉଁ ବିଦେଶୀ-ଦେଶୀ ସଂସ୍ଥା ଏ କାମପାଇଁ ଶିକ୍ଷାସଂଧାନକୁ ଆର୍ଥିକ ସାହାଯ୍ୟ ଦେଉଥିଲେ, ସେମାନେ ଆଉ ବେଶି କାଳ ଦେଇ ପାରିବେନି ବୋଲି କହିଲେ। ସେତିକି ବେଳକୁ ଶିକ୍ଷାଧିକାର ଆଇନ ଫଳରେ ଛୋଟ-ବଡ଼ ସ୍କୁଲ୍ ନଥିବା ଗାଁରେ ସ୍କୁଲ ଆରଂଭ ହେଲା। ଭାଗ୍ୟକୁ ଏ ସରକାରୀ ସ୍କୁଲରେ ଶିକ୍ଷାସଂଧାନ ସଂସ୍ଥାକୁ ତାଂକ ନିଜ ଖର୍ଚରେ ଶିକ୍ଷକ ରଖି ତାଂକ ଢଂଗର ପ୍ରାଥମିକ ଶିକ୍ଷା ଦେବାର ବ୍ୟବସ୍ଥାକୁ କୌଣସି କୌଣସି ସରକାରୀ ବିଦ୍ୟାଳୟରେ ସମ୍ମତି ମିଳିଲା। ଏବେ ଶିକ୍ଷାସଂଧାନ ଭଳି ପାଂଚ-ସାତୋଟି ଆଉ ସ୍ବେଚ୍ଛାସେବୀ ସଂସ୍ଥା ଶିକ୍ଷା କ୍ଷେତ୍ରରେ ବାହାରିଲେଣି। ସରକାର ଶିକ୍ଷାସଂଧାନର କାମ ବିଷୟରେ ଖାଲି ଅବଗତ ନୁହଁତି, ତାକୁ ପଚାରଂତି, ତାଂକ ସାହାଯ୍ୟ ବି ନେଉଚଂତି।

ବର୍ତମାନର ପରିସ୍ଥିତିରେ ସରକାର ଏସବୁ ଗାଁରେ ଜଣେ-ଦିଜଣ ମାଷ୍ଟ୍ର-ମାଷ୍ଟ୍ରାଣୀଂକ ସାହାଯ୍ୟରେ ସ୍କୁଲ ଚଳାଇବାର ଆର୍ଥିକ ବ୍ୟବସ୍ଥା କରିପାରିଲେ ହୁଅଂତା। ସରକାର ନିଜେ ଆଜିଭଳି ସ୍କୁଲ୍ ଚଳେଇବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର ପ୍ରତ୍ୟେକ ଆଠହଜାର ଛୋଟ ଗାଂକୁ ବାର୍ଷିକ ତିନି ଲକ୍ଷ ଟଂକାର ଅନୁଦାନ ଦିଅଂତେ। ଏ ଟଂକା ସେ ଗାଁର ଗ୍ରାମସଭାକୁ (ସେ ଗାଁ ଯେଉଁ ପଂଚାୟତର ଭାଗ ସେ ପଂଚାୟତକୁ ନୁହେଁ) ଦିଅଂତେ। ମାତ୍ର ଦୁଇଟି ସର୍ତ ଥାଆଂତା- ଏକରେ, ଟଂକା କେବଳ ଶିକ୍ଷା ସଂବଂଧିତ ବାବଦରେ ଖର୍ଚ ହେବ, ଏବଂ, ଦୁଇ, ସରକାରୀ ସ୍କୁଲ୍ ଇନ୍‌ସ୍ପେକ୍ଟର ବର୍ଷକୁ ଥରେ ଯାଇ ପଢ଼ା କିପରି ହେଉଚି ତାହା ଦେଖି ରିପୋର୍ଟ କରିବେ। ସରକାର କେଉଁ ବାବଦରେ ଗ୍ରାମସଭା କେତେ କିପରି ଖର୍ଚ କରିବ ତାହା ସୂଚାଇବେ ନାହିଁ। (ସରକାରଂକ ବିଭାଗମାନଂକର ପାରଂପାରିକ ଅଭ୍ୟାସ- ସରକାରୀ ଟଂକା, କିପରି ଖର୍ଚ ହେଉଚି ଏହା ଦେଖିବା ଆମର କର୍ତବ୍ୟ ଓ ଅଧିକାର)। ଗ୍ରାମସଭା ମାଷ୍ଟ୍ର ବାଛିବେ, ତାଂକ ଦରମା ହାର ଓ ଚାକିରିର ଇତର ସର୍ତ ସ୍ଥିର କରିବେ, ପିଲାଂକ ବୈଦ୍ୟକୀୟ ପରୀକ୍ଷାର ବ୍ୟବସ୍ଥା ଓ ଖର୍ଚ କରିବେ, ଶିକ୍ଷାର ଅନ୍ୟ ଆନୁଷଂଗିକ ଖର୍ଚ କରିବେ, ପିଲାଂକ ମଧ୍ୟାହ୍‌ଣ ଭୋଜନ ଓ ଗଣବେଶର ବ୍ୟବସ୍ଥା କରିବେ, ଇତ୍ୟାଦି। ଗ୍ରାମସଭା ଏ ପ୍ରକାରର କାମ ଲାଗି ଶିକ୍ଷାସଂଧାନ ଭଳି ସ୍ୱେଚ୍ଛାସେବୀ ସଂସ୍ଥାଂକ ସାହାଯ୍ୟ ନେବା ଆବଶ୍ୟକ ହେବ। ଏ ସଂସ୍ଥାମାନ ନବ ନିଯୁକ୍ତ ଶିକ୍ଷକଂକୁ ଛୁଟି ସମୟରେ ଟ୍ରେନିଂ ଦେବାର ବ୍ୟବସ୍ଥା ହେବ। ତାହା ଅତ୍ୟାବଶ୍ୟକ, କାରଣ ଏ ଶିକ୍ଷକମାନେ କେବଳ ଦଶମ ପାସ୍ ଓ ପଢ଼େଇବାର ଆଗ୍ରହୀ। ତାଂକୁ ଉପଯୁକ୍ତ ଟ୍ରେନିଂ ଦେଲେ ସେମାନେ ଠିକଣା ପଢ଼ାଇବା ସାଂଗକୁ ଆଉ ଅନେକ ଉପଯୁକ୍ତ କାମ ବି ଗାଁପାଇଁ କରିପାରିବେ। ଶିକ୍ଷାସଂଧାନର ଏହା ପଚିଶ ବର୍ଷର ଅନୁଭବ।

ଆସଂତା ପାଂଚ ବର୍ଷ ପାଇଁ ଏ ଆଠ ହଜାର ଗାଂକ ପାଇଁ ଏଭଳି ବ୍ୟବସ୍ଥା ଯେ ସଂବିଧାନର ୭୩ ସଂଶୋଧନକୁ ଧରି ଏହା ଯେ କେହି ଜାଣିଲାବାଲେ ବୁଝିପାରିବେ। ପାଂଚ ବର୍ଷର ଏ ଅନୁଭବ ଅନ୍ୟ ସବୁ ବାବଦରେ ସଂବିଧାନର ସଂଶୋଧନ ଅନୁସାରେ କିପରି କରିହେବ ତାହାର ଦୃଢ଼ ମୂଳଦୁଆ ପଡ଼ିବାର ଏହା ଏକ ବାଟ। ସେ ଦୃଷ୍ଟିରୁ ଏହା ଏକ ଉପଯୁକ୍ତ ପଦକ୍ଷେପ ହେବ।
ଏଥିରେ ରାଜ୍ୟ ସରକାର ବର୍ଷକୁ ୨୪୦ କୋଟି ଟଂକା ଖର୍ଚ କରିବେ। ଏବେ ରାଜ୍ୟ ସରକାରଂକ ସ୍କୁଲ୍ ଖର୍ଚ ବାବଦରେ ମୋଟ ବଜେଟ୍ ବ୍ୟବସ୍ଥା ପ୍ରାୟ ସତର ହଜାର କୋଟି ଟଂକା। ଏହା ସରକାରଂକ ମୋଟ ଖର୍ଚର ଦେଢ ଶତାଂଶ ମାତ୍ର। ବର୍ତମାନ ଏ ଗାଁ ସ୍କୁଲରୁ କାଢି ନିଆଯିବା ଶିକ୍ଷକଂକୁ ଅନ୍ୟ ସ୍କୁଲରେ, ଯେଉଁଠି ପିଲାଂକ ଅନୁପାତରେ ମାଷ୍ଟ୍ର କମ୍, ସେଠାରେ ନିଯୁକ୍ତ କରାଯାଇ ପାରିବ। ସ୍କୁଲ୍ ଶିକ୍ଷା ବାବଦରେ ଖର୍ଚ କମିବ ନାହିଁ, ବରଂ ଶତକଡା ୧.୫ ଭାଗ ବଢ଼ିବ। ୟାକୁ କେହି ଅନ୍ୟାୟକାରକ ବିଚାରିବା ଅନୁଚିତ। ଓଡିଶା ସରକାର, ସଂବଂଧିତ ଗ୍ରାମବାସୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ରାଜ୍ୟର ଲୋକ ପ୍ରତିନିଧିମାନେ ଏହାର ଉପଯୁକ୍ତ ଆଲୋଚନା କରି କାର୍ଯ କରିବେ କି?
ମୋ: ୯୪୨୨୬୫୬୦୩୨
[email protected]

ସମ୍ବନ୍ଧିତ ଖବର