ଆମ ରାଜ୍ୟର କ୍ରୀଡ଼ା-ଶକ୍ତିକୁ ମାପିବାକୁ ହେଲେ ଆମକୁ ଜାତୀୟ କ୍ରୀଡ଼ାର ପଦକ ତାଲିକାକୁ ବିଚାରକୁ ନେବାକୁ ହେବ। ଏହି ପରିପ୍ରେକ୍ଷୀରେ ଦେଖାଯାଏ ଯେ ଲଗାତର ଭାବେ ଜାତୀୟ କ୍ରୀଡ଼ା ଶୃଙ୍ଖଳାରେ ଓଡ଼ିଶା ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି। ପଦକ ତାଲିକାରେ ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। ପ୍ରକାଶ ଥାଉକି ଶେଷ ପାଞ୍ଚଟି ଜାତୀୟ କ୍ରୀଡ଼ା ଶୃଙ୍ଖଳାରେ ସଫଳତାର ତାଲିକାରେ ଆମ ରାଜ୍ୟ ଯଥାକ୍ରମେ ୧୭, ୧୭, ୧୬, ୧୭ ଓ ୧୬ତମ ସ୍ଥାନରେ ରହିଛି।
ସଂପ୍ରତି ଭୁବନେଶ୍ୱରକୁ ଭାରତର କ୍ରୀଡ଼ା-ରାଜଧାନୀ ବା କ୍ରୀଡ଼ା ‘ହବ୍’ ବୋଲି କୁହାଯାଉଛି। କିନ୍ତୁ ତାହା କେତେ ଦୂର ଯୁକ୍ତିଯୁକ୍ତ, ତାହା ବିଚାର କରିବାର ସମୟ ଉପନୀତ। ପ୍ରଶ୍ନ ହେଲା ‘କ୍ରୀଡ଼ା- ରାଜଧାନୀ’ର ଅର୍ଥ କ’ଣ କେବଳ କେତେକ ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଆମ ରାଜ୍ୟରେ ଆୟୋଜନ କରିବା? ନା, ନୁହେଁ। ବଡ଼ କଥା ହେଲା, ଆମ ରାଜ୍ୟରୁ ଅଧିକ ସଂଖ୍ୟକ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବା ଏବଂ ସଫଳ ପ୍ରଦର୍ଶନ କରିବା। ଗତ ଜାତୀୟ କ୍ରୀଡ଼ାରେ ଓଡ଼ିଶା ୫୮ଟି ପଦକ ଜିତିଛି। ଏହାକୁ ନେଇ ସନ୍ତୋଷ ବ୍ୟକ୍ତ ମଧ୍ୟ କରାଯାଉଛି। କିନ୍ତୁ ମହାରାଷ୍ଟ୍ର ଓ ହରିଆଣା ଭଳି ରାଜ୍ୟ ୫୦ରୁ ଅଧିକ କେବଳ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ୨୦୨୩ ମସିହା ଏସୀୟ କ୍ରୀଡ଼ା ଶୃଙ୍ଖଳାରେ ଭାରତର ପ୍ରଦର୍ଶନ ପୂର୍ବ ତୁଳନାରେ ଯଥେଷ୍ଟ ଭଲ ହୋଇଛି। ପୂର୍ବ ଏସୀୟ କ୍ରୀଡ଼ାର ପଦକ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା, ଅଥଚ, ଏହି ଏସୀୟ କ୍ରୀଡ଼ାରେ ସର୍ବୋମୋଟ ୧୦୭ ପଦକ ଜିତି ଚତୁର୍ଥ ସ୍ଥାନରେ ପହଞ୍ଚି ପାରିଛି। ଏବେ, ଏ ସଫଳତାରେ ଓଡ଼ିଆ ଖେଳାଳିମାନଙ୍କର ଭାଗୀଦାରି କେତେ? ଭାରତର ୧୦୭ ପଦକକୁ ୨୫୮ ଜଣ ଖେଳାଳି ଜିତିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଓଡ଼ିଶାର ଖେଳାଳିଙ୍କ ସଂଖ୍ୟା ମାତ୍ର ୩, ଅର୍ଥାତ୍ ୧.୧୬ ପ୍ରତିଶତ। ଭାରତର ଏହି ପଦକ ବିଜେତାମାନଙ୍କ ମଧ୍ୟରେ ହରିଆଣା, ମହାରାଷ୍ଟ୍ର ଓ ପଞ୍ଜାବର ଖେଳାଳିଙ୍କ ସଂଖ୍ୟା ଯଥାକ୍ରମେ ୪୫, ୩୨ ଓ ୩୨; ଏବଂ ଏସୀୟ ପଦକ ବିଜେତା ରାଜ୍ୟମାନଙ୍କ ତାଲିକାରେ ମାତ୍ର ୩ଟି ପଦକ ଜିତିଥିବା ଓଡ଼ିଶାର ସ୍ଥାନ ୨୨ ନମ୍ବର।
୨୦୧୭-୧୮ରେ ଓଡ଼ିଶାର କ୍ରୀଡ଼ା ବଜେଟ ୧୪୯ କୋଟି ଟଙ୍କା ଥିଲା। ୨୦୨୨-୨୩ ପାଇଁ ଓଡ଼ିଶାର କ୍ରୀଡ଼ା ବଜେଟ ତା’ର ପ୍ରାୟ ୯ ଗୁଣ ଅର୍ଥାତ୍ ୧,୨୧୭ କୋଟି ଟଙ୍କା ହୋଇଛି। ଗଲା କିଛି ବର୍ଷ ହେଲା ଆମ ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ କରାଯାଇଛି ଓ ଉନ୍ନତ ମାନର କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରମାନ ଖୋଲାଯାଇଛି। ରାଜ୍ୟରେ ଖେଳର ମାନକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ସ୍ଥିତି ସୁଧୁରୁ ନାହିଁ।
ଏଭଳି ଦୁଃସ୍ଥିତିକୁ ଦୂର କରିବା ଲାଗି ଅଭିଜ୍ଞ ଖେଳାଳି ଓ ପ୍ରଶିକ୍ଷକମାନଙ୍କ ପରାମର୍ଶ ଲୋଡ଼ାଯିବା ଉଚିତ। ଦରକାର ପଡ଼ିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇପାରେ। ଏହା ସହିତ ଆଉ ଯାହା ଆବଶ୍ୟକ, ତାହା ହେଲା ପ୍ରଶିକ୍ଷଣ ସ୍ତର ଏବଂ ପ୍ରଶିକ୍ଷଣ ଦକ୍ଷତାକୁ ବିଶ୍ବସ୍ତରୀୟ କରିବା। ଅବଶ୍ୟ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରର ଶ୍ରେଷ୍ଠ ଖେଳାଳିମାନଙ୍କ ଅଭ୍ୟାସ ଏବଂ ପ୍ରଶିକ୍ଷଣ ସହିତ ପରିଚିତ ହୋଇ ପାରୁଛନ୍ତି। କିନ୍ତୁ ଏହାକୁ ଏକ ବିଧିବଦ୍ଧ ଧାରାରେ ପରିଣତ କରାଯିବା ଦରକାର ଯାହା ଉତ୍କର୍ଷର ଏକ ପରଂପରା ସୃଷ୍ଟି କରିବ। ଦ୍ବିତୀୟ କଥା ହେଲା ପ୍ରାକ୍-କୈଶୋରରୁ ପ୍ରତିଭା ଚିହ୍ନଟ କରାଯିବା ଏବଂ ତହିଁରେ କୌଣସି ପ୍ରକାର ଭେଦଭାବ ବା ପ୍ରିୟାପ୍ରୀତିକୁ ପ୍ରଶ୍ରୟ ଦିଆ ନ ଯିବା। ସଂପ୍ରତି ଅନେକ ଘରୋଇ ଅନୁଷ୍ଠାନ ଏବଂ ଉଦ୍ୟୋଗ ପକ୍ଷରୁ ପ୍ରତିଭାବାନ ଖେଳାଳିମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରାଯାଉଛି। ସଫଳ ଖେଳାଳିମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମୋଟା ଅଙ୍କର ଆର୍ଥିକ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଉଛି। ଏହି କାରଣରୁ ସାଜ ସରଂଜାମ ଏବଂ ପ୍ରଶିକ୍ଷଣ ଲାଗି ଖେଳାଳିମାନେ ପୂର୍ବ ଭଳି ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି। କିନ୍ତୁ କଥାଟି ରହିଛି ପରଂପରା ସୃଷ୍ଟିରେ।
ଆମ ରାଜ୍ୟରେ ଉତ୍ତମ ହକି ଖେଳାଳି ସୃଷ୍ଟି ହେବା ପଛରେ ରହିଛି ପରଂପରା; ଯାହା ସୁନ୍ଦରଗଡ଼ ଜିଲ୍ଲାର ଗାଁ ପିଲାଏ ହାତରେ ବଙ୍କୁଲି ବାଡ଼ି ଧରି ହକି ଖେଳରେ ମାତି ଥିବାରେ ଦେଖିବାକୁ ମିଳେ। ବ୍ରାଜିଲ ବା ଆର୍ଜେଣ୍ଟିନାରେ ଫୁଟ୍ବଲ୍ ଖେଳର ଏଭଳି ପରଂପରା ବିଦ୍ୟମାନ। ସଂପ୍ରତି ଜାମାଇକା ଭଳି ଏକ କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ‘କ୍ଷିପ୍ର ଦୌଡ଼’ ବା ‘ସ୍ପ୍ରିଣ୍ଟ୍’ରେ ଅଗ୍ରଗଣ୍ୟ। କେନିଆ ଭଳି ଦରିଦ୍ର ଓ ବୁଭୁକ୍ଷୁ ଆଫ୍ରିକୀୟ ରାଷ୍ଟ୍ର ଦୂରଗାମୀ ଦୌଡ଼ର ବିଶ୍ବ ବିଜେତାମାନଙ୍କୁ ତିଆରି କରି ଚାଲିଛି। ଆମ ଦେଶରେ କୁସ୍ତିର ଏକ ପରଂପରା ରହିଛି। କ୍ରିକେଟ୍ ଖେଳାଳି ତିଅାରିରେ ଆମ ଦେଶକୁ ଏକ କାରଖାନା ବୋଲି କହିଲେ ଭୁଲ୍ ହେବ ନାହିଁ।
ଏହା ହେଉଛି ପରଂପରା। ଆମ ରାଜ୍ୟରେ ଏବେ କିଶୋର ଜେନା ଜାଭଲିନ କ୍ଷେପଣରେ ଶ୍ରେଷ୍ଠତା ଦେଖାଇ ତରୁଣ ପିଢ଼ିଙ୍କ ଲାଗି ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିଛନ୍ତି। ଜାଭଲିନରେ ଅଲିଂପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ପରି ସେ ଆମ ଦେଶରେ ଜାଭଲିନ କ୍ଷେପଣର ଏକ ପରଂପରା ସୃଷ୍ଟି କରି ପାରନ୍ତି। ଆମେ ଆଶା କରୁଁ କି ଓଡ଼ିଶାରେ ମଧ୍ୟ ଦୌଡ଼କୁଦ ସ୍ପର୍ଦ୍ଧାରେ ଶ୍ରେଷ୍ଠ ଖେଳାଳି ସୃଷ୍ଟିର ପରଂପରା ଆରମ୍ଭ େହଉ। ଆମେ କେବଳ ଆମ ରାଜ୍ୟରେ ଆୟୋଜିତ ହେଉଥିବା ବିଶ୍ବସ୍ତରୀୟ ଖେଳଗୁଡ଼ିକର ଦେଖଣାହାରି ହୋଇ ରହି ନ ଯାଉ!
ଅବସରପ୍ରାପ୍ତ ଭାରୋତ୍ତୋଳନ ପ୍ରଶିକ୍ଷକ
ମୋ: ୯୯୩୭୭୭୩୫୫୭
ଖେଳାଳିଙ୍କ ରାଜ୍ୟ ନା ଦେଖଣାହାରିଙ୍କ?
ସଚି ମାଝୀ
/sambad/media/post_attachments/wp-content/uploads/2023/11/sfhhfsfhhsfsfhfhs.jpg)