ପୁସ୍ତକାଳୟ ତ ମଣିଷମାନଙ୍କ ପାଇଁ, ପୁଣି ମାନବ ପୁସ୍ତକାଳୟ କଅଣ? ଏଇ ପ୍ରଶ୍ନଟି ମତେ ଆନ୍ଦୋଳିତ କଲା, ଯେତେବେଳେ ମୁଁ ‘ହ୍ୟୁମାନ ଲାଇବ୍ରେରି’ (ମଣିଷ ଲାଇବ୍ରେରି) କଥାଟି ଶୁଣିଲି। ସେତେବେଳେ ମୁଁ ଜାଣିଲି ଯେ ପୃଥିବୀର ୫୦ଟି ଦେଶରେ ଏହି ଲାଇବ୍ରେରି ପ୍ରତିଷ୍ଠିତ ହୋଇ ସାରିଲାଣି। ଲାଗିଲା, ସତରେ ଆମେ କେତେ ପଛୁଆ?
ସାଧାରଣତଃ, ଲାଇବ୍ରେରି ବା ଗ୍ରନ୍ଥାଗାରରେ ଥିବା ବହି ଓ ପତ୍ରପତ୍ରିକା ଆଦିକୁ ପାଠକପାଠିକାମାନେ ଧାର ସୂତ୍ରରେ ନେଇ ଘରେ ସୁବିଧା ସମୟରେ ପଢ଼ି ଫେରାଇ ଦିଅନ୍ତି। ତେଣୁ ଲାଇବ୍ରେରିଗୁଡ଼ିକୁ ଜ୍ଞାନ ବିକାଶ କରିବାର ସ୍ଥାନ ବୋଲି କୁହାଯାଏ। ମାନବ ଲାଇବ୍ରେରିରେ କିନ୍ତୁ ବହି ବଦଳରେ ମିଳନ୍ତି ବିଦ୍ୱାନ, ବିଶେଷଜ୍ଞ ଓ ସମର୍ଥ ଶିକ୍ଷକମାନେ ଯେଉଁମାନଙ୍କ ବହୁ ମୂଲ୍ୟବାନ ସମୟରୁ ଘଣ୍ଟାଏ ଦି’ଘଣ୍ଟା ପାଇଁ ଧାର ନେଇ ଅନିସନ୍ଧିତ୍ସୁମାନେ ଉପକୃତ ହୁଅନ୍ତି। ସେମାନେ ଏହି ପ୍ରାଜ୍ଞ ଓ ପ୍ରବୁଦ୍ଧମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଜୀବନ ଅନୁଭୂତି, ସେମାନଙ୍କ ବିଶେଷ ଜ୍ଞାନରୁ ଜ୍ଞାନ ଆହରଣ କରନ୍ତି। ସେଥି ଲାଗି ବିଭିନ୍ନ ବିଷୟର ବିଦ୍ବାନ ଏବଂ ବିଜ୍ଞମାନଙ୍କୁ କିଛି ଘଣ୍ଟା ଏ ଦିଗରେ ବ୍ୟୟ କରିବା ଲାଗି ଅନୁରୋଧ କରାଯାଏ। ଏହା ଫଳରେ ଗବେଷକମାନଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପୋଥି ବିଦ୍ୟା ପରିସର ବାହାରେ ରହିଥିବା ଜ୍ଞାନ ଆହରଣ କରିବାର ସୁଯୋଗ ପାଆନ୍ତି। ଏହି ମାନବ ଲାଇବ୍ରେରିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ କିଛି ସମୟ ଦିଅନ୍ତି। ଚିତ୍ରକର, ଲେଖକ, କବି, ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ମଧ୍ୟ ସେମାନଙ୍କ ଅନୁଭୂତି ଏବଂ ଅଭିଜ୍ଞତାରୁ ଅନେକ ଜୀବନ-ଶିକ୍ଷା ବା ‘ଲାଇଫ୍ ଲେସନ୍’ମାନ ପ୍ରଦାନ କରନ୍ତି।
ଏହା ଏକ ଚମତ୍କାର ପରିକଳ୍ପନା। କିନ୍ତୁ ଭାରତରେ ଏହା ଏ ଯାବତ୍ ଆରମ୍ଭ ହୋଇନାହିଁ। ମନରେ ଅବସୋସ ହେଲା। କାରଣ ଶିକ୍ଷା ବା ଜ୍ଞାନ ଅର୍ଜନ କ୍ଷେତ୍ରରେ ଭାରତ ଏବେ ବହୁତ ପଛରେ ପଡ଼ିଯାଇଛି।
ନିକଟରେ ଖବରକାଗଜରେ ପ୍ରକାଶିତ ହୋଇଥିବା ବଡ଼ ସମ୍ବାଦ ଥିଲା ଏହା ଯେ ଅଷ୍ଟ୍ରେଲିଆର ଦୁଇଟି ବିଶ୍ୱବିଦ୍ୟାଳୟ ଗୁଜୁରାଟରେ ଶାଖା ଖୋଲିବେ। ଆମ ପିଲାଏ ତାଙ୍କ ଡିଗ୍ରୀ ପାଇବେ। ଏହା ଆମ ଶିକ୍ଷାର ଆନ୍ତର୍ଜାତିକୀକରଣ ଦିଗରେ ଏକ ପଦକ୍ଷେପ ବୋଲି କହି ଆମେ ଖୁସି ହେଲୁ। କିନ୍ତୁ, ପ୍ରଶ୍ନ ଉଠୁଚି ଯେ ଆମେ ନିଜ ଦେଶର ଶିକ୍ଷାକୁ କାହିଁକି ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିନାହୁଁ ଯେ ବିଦେଶର ଶିକ୍ଷା ଆମ ଲାଗି ଆକର୍ଷଣୀୟ ହୋଇ ଉଠୁଛି? କୋଠାରୀ କମିସନ ସାରା ଦେଶରେ ସମାନ ସ୍କୁଲ ବ୍ୟବସ୍ଥା ସକାଶେ ସୁପାରିସ କରିଥିଲେ। କିନ୍ତୁ, ତାହାକୁ ଅଣଦେଖା କରାଗଲା। ଗାନ୍ଧୀଙ୍କର ‘ନୟି ତାଲିମ’ ବା ‘ନୂଆ ତାଲିମ’ ସ୍ୱପ୍ନ ହୋଇ ରହିଗଲା। ଆମ ଦେଶରେ ଶିକ୍ଷା ବଜେଟ ଅତ୍ୟନ୍ତ କମ୍। ସ୍କୁଲ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଉତ୍ତମ ତାଲିମପ୍ରାପ୍ତ ଶିକ୍ଷକଙ୍କର ଘୋର ଅଭାବ। ଗବେଷଣା ଭିତ୍ତିଭୂମିର ଅଭାବ ଉଚ୍ଚଶିକ୍ଷାକୁ ଗଭୀର ଭାବେ ଆକ୍ରାନ୍ତ କରୁଛି। ମେଧାବୀ ଛାତ୍ରଛାତ୍ରୀମାନେ ବିଦେଶରେ ଉଚ୍ଚାଙ୍ଗ ଗବେଷଣାର ସୁଯୋଗ ପାଉଥିବାରୁ ବାଧ୍ୟ ହୋଇ ଦେଶ ଛାଡୁଛନ୍ତି। ଆମ ଦେଶ ଇଂଜିନିଅର, ଡାକ୍ତର, ଗବେଷକ, ବିଷୟ ପ୍ରବୀଣମାନଙ୍କୁ ହରାଇବାରେ ଲାଗିଛି, ଯାହାର ପ୍ରଭାବ ସୁଦୂରପ୍ରସାରୀ।
ଆମ ଦେଶରେ ଗ୍ରନ୍ଥାଗାରଗୁଡ଼ିକର ସ୍ଥିତି ଅତି ଦୟନୀୟ। ପୁସ୍ତକର ଅଭାବ ସାଙ୍ଗକୁ ପାଠକଙ୍କ ଅଭାବ। ସ୍ଥିତି ଲଜ୍ଜାଜନକ।
ଶିକ୍ଷା ବଜେଟରୁ ଅଧିକାଂଶ କୋଠାବାଡ଼ି ତିଆରିରେ ଖର୍ଚ୍ଚ ହେଉଛି, ମଣିଷ ତିଆରି ପାଇଁ ନୁହେଁ। ନଭେମ୍ବର ମାସ ‘ସମ୍ବାଦ’ରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଅଧିକ ଆଶା କରନ୍ତୁ ନାହିଁ’। ଏଥିରେ ଲେଖକ ଲେଖିଛନ୍ତି, ‘ସମସ୍ତେ ଆଲୋଚନା କରୁଛନ୍ତି ଯେ ଶିକ୍ଷାର ପ୍ରସାର ଆମ ରାଜ୍ୟ ପାଇଁ ସବୁଠାରୁ ବଡ଼ କଥା। ଯିଏ ପାଠ ପଢ଼ିବ, ସିଏ ଆଗକୁ ବଢ଼ିବ। ଯିଏ ପାଠ ପଢ଼ିବ ନାହିଁ, ସେ ପଛକୁ ରହିଯିବ। ତେଣୁ ଶିକ୍ଷା କ୍ଷେତ୍ରକୁ ଅଗ୍ର ପ୍ରାଧାନ୍ୟ ଦେବା ଜରୁରୀ। ମାତ୍ର ତାହା ହେଉନାହିଁ। ଏହା ଫଳରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଦୁର୍ବଳ ଛାତ୍ର ବାହାରୁଛନ୍ତି, ଯେଉଁମାନଙ୍କୁ ସେମାନଙ୍କର ଜୀବନ ଯୁଦ୍ଧ ଆରମ୍ଭରୁ ରୁଗ୍ଣ ଓ ଅସମର୍ଥ କରିଦିଆଯାଉଛି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହିଁକି ଏହାକୁ ଏକ ନମ୍ବର ପ୍ରାଥମିକତା ରୂପେ ଗ୍ରହଣ କରାଯାଉନାହିଁ?”
ଏଭଳି ସ୍ଥିତିର ପରିଣାମ ହେଉଛି ଦୁର୍ବଳ ଶିକ୍ଷକ ଓ ଦୁର୍ବଳ ବୁଦ୍ଧିଜୀବୀଙ୍କ ସୃଷ୍ଟି। ତେଣୁ ଏବେ ଶିକ୍ଷକ ଅଭାବ ବୋଲି କହିଦେଲେ ହେବ ନାହିଁ, କହିବାକୁ ହେବ ଯେ ଯେଉଁ ଶିକ୍ଷକମାନେ ଅଧ୍ୟାପନା ଲାଗି ଆସୁଛନ୍ତି, ସେମାନଙ୍କ ସ୍ତର ମଧ୍ୟ ଦୁର୍ବଳ। ନିକଟରେ ଖବର ବାହାରିଥିଲା ଯେ କିଛି ଗବେଷକଙ୍କ ପି.ଏଚ.ଡି ପ୍ରତ୍ୟାହୃତ ହୋଇଛି। ଗବେଷଣା କ୍ଷେତ୍ର ଲାଗି ଏହା ଏକ ଦୁଃଖଦ ପରିସ୍ଥିତି।
ଏଣୁ ବଡ଼ କଥା ହେଲା ଶିକ୍ଷା କ୍ଷେତ୍ର ଲାଗି ଅଧିକ ଅର୍ଥ ବ୍ୟୟର ବ୍ୟବସ୍ଥା କରାଯିବା ସହିତ ସେହି ଅର୍ଥର ବିନିଯୋଗ ଜ୍ଞାନ ଓ ଉଚ୍ଚ ଗବେଷଣାର ବିକାଶ କ୍ଷେତ୍ରରେ କରାଯିବା ଜରୁରୀ। ଛାତ୍ରଛାତ୍ରୀ ବା ଗବେଷକମାନେ କିଭଳି ନିଜକୁ ଅଧିକ ପରିପୁଷ୍ଟ କରି ପାରିବେ, ସେ ଦିଗରେ ‘ମଣିଷ ଲାଇବ୍ରେରି’ର ପରିକଳ୍ପନା ଏକ ନୂଆ କଥା। ସେହିଭଳି ନୂଆ ଚିନ୍ତନମାନ ଭାରତରେ ବିକାଶିତ ହେବା ଉଚିତ। ଆମ ଦେଶରେ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତର ଉଭୟ ସରକାର ଏବଂ ଘରୋଇ ଉଦ୍ୟୋଗମାନଙ୍କ ପୃଷ୍ଠପୋଷକତା ଲାଭ କରିବା ଜରୁରୀ। ଦେଶରେ ଶିକ୍ଷା, ଗବେଷଣା, ଆଲୋଚନା, ତର୍କ, ବିମର୍ଶ, ସମାଲୋଚନାର ଏକ ବେଦ୍ୟୁତିକ ବାତାବରଣ ସୃଷ୍ଟି ହେବା ଦରକାର।
ମୋ: ୯୪୩୭୫୬୫୦୬୨
ମଣିଷ ଲାଇବ୍ରେରି ଓ ଅନ୍ୟାନ୍ୟ କଥା
ଦେବୀପ୍ରସନ୍ନ ପଟ୍ଟନାୟକ
/sambad/media/post_attachments/wp-content/uploads/2023/12/fshfhsfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)