ଅନେକ ପୁରୁଣା କଥା। ପ୍ରବନ୍ଧଟି ଲେଖିବାକୁ ଆରମ୍ଭ କଲା ବେଳକୁ ହଠାତ୍ କାହିଁକି ମନେ ପଡ଼ିଗଲା। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଏମର୍‌ଜେନ୍‌ସି ସମୟରେ ଦିଲ୍ଲୀରେ ବସବାସ କରୁଥିବା ଜଣେ ଆଗଧାଡ଼ିର ସାମ୍ବାଦିକ (ତାଙ୍କର ନାମ ମନେ ପଡୁନାହିଁ) ତାଙ୍କର ସହଧର୍ମିଣୀଙ୍କୁ କହିଲେ- “ଆମ ଘରକୁ ପ୍ରତ୍ୟେକ ଦିନ ଆଠଟା ଖବରକାଗଜ ବିନା ମୂଲ୍ୟରେ ଆସୁଛି। ମୋର ସେଗୁଡ଼ାକ ପଢ଼ିବାକୁ ଆଉ ଇଚ୍ଛା ହେଉନାହିଁ। ତୁମେ ପଢ଼ି ଯାହା ମୁଁ ଜାଣିବା ଉଚିତ ବୋଲି ତୁମେ ଭାବିବ ସେ ଖବରଗୁଡ଼ାକ ମୋତେ ଜଣାଇବ। ଆଜିକାଲି ଯେଉଁ ଖବରଗୁଡ଼ାକ ପ୍ରକାଶ ପାଉଛି ସେଗୁଡ଼ିକ ମୋ ପାଇଁ ରୁଚିକର ନୁହେଁ।” କ’ଣ ପାଇଁ ସେ ଏପରି କହିଥିଲେ ତା’ର ଉତ୍ତର ପାଠକମାନେ ପାଇସାରିବେଣି। ତେଣୁ ଏ ବିଷୟରେ ବିଶେଷ ଆଲୋଚନାର ଆବଶ୍ୟକତା ନାହିଁ। ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା।
ଆଜିକୁ ଠିକ୍ ୨୩ ବର୍ଷ ତଳେ ଆଜିର ଦିନରେ (୨୫.୩.୨୦୦୧) ମୋର ପ୍ରଥମ ପ୍ରବନ୍ଧ ‘ଉତ୍କଳ ଭ୍ରମଣଂର ଦୁର୍ଭାଗ୍ୟ’ ନାମକରଣ ସହିତ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ସେଥିପାଇଁ ମୁଁ ‘ସମ୍ବାଦ’ ନିକଟରେ କୃତଜ୍ଞ ରହିବି। ଏଇ ୨୩ ବର୍ଷ ଭିତରେ ପ୍ରାୟ ତିନି ଶହରୁ ଅଧିକ ପ୍ରବନ୍ଧ ଲେଖିଛି। ପ୍ରବନ୍ଧଗୁଡ଼ିକ ଓଡ଼ିଶାର ଅଗ୍ରଣୀ ଖବରକାଗଜରେ (ସିଂହଭାଗ ‘ସମ୍ବାଦ’ରେ) ପ୍ରକାଶ ପାଇଛି। ମୋର ପ୍ରବନ୍ଧ ଉପସ୍ଥାପନରେ କି ପ୍ରକାର ପରିବର୍ତ୍ତନ ଆଣିପାରିଲେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ, ସେ ସମ୍ପର୍କରେ ଗଭୀର ଚିନ୍ତା କରିଛି। ଆମର ଆଚରଣଗତ ନିଷ୍ଠା ରହିଲେ ଓ ଆମେ ସମବେତ ଗଠନମୂଳକ ମନୋବୃତ୍ତି ନେଇ କର୍ମତତ୍ପର ହେଲେ, ଓଡ଼ିଶାର ଭାଗ୍ୟୋ‌ଦୟ ପାଇଁ ଅସାଧ୍ୟ ସାଧନ ପଥରେ ଅଗ୍ରସର ହୋଇପାରିବା। ଏଥିପାଇଁ ସାଧନା ଦରକାର। ଏ ବିଷୟରେ ମୋର ସବୁ ପ୍ରବନ୍ଧରେ ଆଲୋଚନା କରାଯାଇଛି।
ମୋର ଗତ ୨୩ ବର୍ଷର ସ୍ତମ୍ଭକାର ଜୀବନକୁ ସମୀକ୍ଷା କରି କୁହାଯାଇ ପାରିବ ଯେ ମୋର ଏଇ ପ୍ରବନ୍ଧଗୁଡ଼ିକ ସରକାରୀ ମହଲରେ କୌଣସି ପ୍ରଭାବ ପକାଇ ନାହିଁ କି ସମାଜରେ ତିଳେମାତ୍ର ପରିବର୍ତ୍ତନ ଆଣିନାହିଁ। ଦୀର୍ଘ ୨୩ ବର୍ଷ ଧରି ଏହା ମୋର ‘ମୂଲ୍ୟହୀନ ବିଳାପ’ରେ ପରିଣତ ହୋଇଛି। ଜର୍ମାନୀରେ ରହି ଲେଖିବାରୁ ଏଗୁଡ଼ାକ ମୋର ଜର୍ମାନୀରେ ‘ଅରଣ୍ୟ ରୋଦନ’ ବା ‘ନିର୍ବାସିତର ବିଳାପ’ ବୋଲି କୁହାଯାଇପାରେ। ମୋର ଜନ୍ମମାଟି ଓଡ଼ିଶାକୁ ଭିତ୍ତି କରି ମୋର ସବୁ ପ୍ରବନ୍ଧ ଲେଖିଥିବାରୁ ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାର ଜନଜୀବନ ଉପରେ ଅଧିକ ଜ୍ଞାନ ଅର୍ଜନ କରିବାର ସୁଯୋଗ ପାଇଛି ଓ ଓଡ଼ିଶାରେ ଅନେକ ବ୍ୟକ୍ତିବିେଶଷଙ୍କ ସାନ୍ନିଧ୍ୟ ଲାଭ କରିଛି। ଏହା ମୋ ଭାଗ୍ୟରେ କୋଟି କୁବେରର ଧନ।
ମୋର ମନେ ହୁଏ, ଆମ ଓଡ଼ିଶାରେ ୨୫ ବର୍ଷ ଧରି ନିରଙ୍କୁଶ ଶାସନ ପରେ ଆଉ ଆଦର୍ଶଗତ ବିବାଦ ନାହିଁ ଓ ଉଦାରବାଦୀ ଗଣତନ୍ତ୍ର ହିଁ ଏକମାତ୍ର ଆଦର୍ଶ ଭାବରେ ସ୍ୱୀକୃତି ପାଇଛି। ଲାଗୁଛି ସତେ ଯେମିତି ଆମ ସମାଜରେ ଆଉ କୌଣସି ବୈପ୍ଳବିକ ଚିନ୍ତାଧାରାର ଆବଶ୍ୟକତା ନାହିଁ। ସେଥିପାଇଁ ଆମର ତଥାକଥିତ ବୁଦ୍ଧିଜୀବୀମାନେ ଏବେ ଖାଇ ପିଇ ଭଲରେ ରୁହନ୍ତୁ। ଅଯଥାରେ ସେମାନେ ସମାଜର ମାର୍ଗଦର୍ଶକ ହେବାର ଅଭିପ୍ରାୟ ନ ରଖନ୍ତୁ। ନିର୍ବାଚିତ ସରକାର ପାଇଁ କୌଣସି ଅସୁବିଧା ସୃଷ୍ଟି ନ କରନ୍ତୁ।
ଓଡ଼ିଆ କହିଲେ ଯଦି ଏହି ରାଜ୍ୟରେ ବଞ୍ଚୁଥିବା ଊଣାଅଧିକେ ସାଢ଼େ ଚାରି କୋଟି ଲୋକଙ୍କୁ ବୁଝାଏ, ତେବେ ଓଡ଼ିଶାକୁ ଯେ କୌଣସି ଦିଗରୁ ଦେଖି ଭବିଷ୍ୟତ ଆଡ଼କୁ ଦେଖିଲେ ପ୍ରଥମେ ଏହି ଲୋକମାନେ ହିଁ ମୋତେ ଦେଖାଯାଆନ୍ତି। ଜର୍ମାନୀରେ ଦୀର୍ଘ ୬୪ ବର୍ଷ ଭିତରେ ମୁଁ ଏଯାବତ୍ ଅନୁଭବ କରିଛି ଯେ ‘ସାମନ୍ତବାଦ’ ହିଁ ସର୍ବପ୍ରଧାନ ମୀମାଂସକ ଭାବରେ ଓଡ଼ିଶାରେ ବଜାୟ ରହିଛି। ଏହି ଦୃଷ୍ଟିରୁ ଓଡ଼ିଶାରେ ଆଗକୁ ବେଶି ବାଟ ଫିଟି ପାରିବ ନାହିଁ। ରାଜନୀତି, ଶିକ୍ଷା, ସାହିତ୍ୟ, ଶିଳ୍ପ ଇତ୍ୟାଦି ଯାବତୀୟ କ୍ଷେତ୍ରରେ ଆମର ନେତୃତ୍ୱକୁ କେବଳ ସାମନ୍ତବାଦ ହିଁ ଜବରଦସ୍ତ କାମୁଡ଼ି ଧରିଛି। ଯେହେତୁ ଓଡ଼ିଶାର ଠାକୁର ଜଗନ୍ନାଥଙ୍କୁ କେତେକ କବି ‘ସାମନ୍ତ’ ରୂପେ ସଂବୋଧନ କରିଛନ୍ତି, ସେହି ବ୍ୟାଧିଟା ତେଣୁ ଆମମାନଙ୍କୁ ସଂକ୍ରମିତ କରି ରଖିଛି କି? ଏଇ ପ୍ରଶ୍ନ ନିଜକୁ ବହୁବାର ପଚାରିଛି। ତେଣୁ ଭଗବାନଙ୍କ ସ୍ଥିତି ଉପରେ ମୋର ସନ୍ଦେହ ଉପୁଜିଛି। ସେଥିପାଇଁ ବୋଧହୁଏ କବି ମାନସିଂହ ଯଥାର୍ଥ ଭାବେ ଲେଖିଥିଲେ “ଜଗତର ଦୁଃଖକଷ୍ଟ ମାନବର ପ୍ରାସ, କ୍ରମେ କ୍ରମେ ନିଏ ମୋର ଈଶ୍ୱର ବିଶ୍ୱାସ।”
ଆଜିର ପରିସ୍ଥିତିରେ ସର୍ବପ୍ରଥମ ଆବଶ୍ୟକତା ହେଉଛି, ଆମେମାନେ ଯିଏ ଯେ କୌଣସି କ୍ଷେତ୍ରରେ ଓଡ଼ିଶାରେ ସକ୍ରିୟ ହୋଇ ଥାଆନ୍ତୁ ନା କାହିଁକି ପଛକୁ ନ ଅନାଇ ଭବିଷ୍ୟତ ଆଡ଼କୁ ଦେଖିବା ଏବଂ ସେହି ଅନୁସାରେ ବର୍ତ୍ତମ‌ାନଟିକୁ କ୍ରିୟାଶୀଳ କରି ରଖିବା। ତଳ ମଜବୁତ୍ ହେଲେ ଯାଇ ଉପର ମଥାଗୁଡ଼ିକ ସେଇ ଛାଞ୍ଚରେ ନିଜ ନିଜକୁ ଉପଯୋଗୀ କରିବାକୁ ବାଧ୍ୟ ହେବେ।
ମନସ୍ତତ୍ତ୍ବବିତ୍ ଓ ସମାଜବିଜ୍ଞାନୀମାନେ କହନ୍ତି ଯେ ଏ ପୃଥିବୀ ପ୍ରତି ୫୦ ବର୍ଷରେ ଏକ ‘ଆଖିଦୃଶିଆ ପରିବର୍ତ୍ତନ’ର ଅବସ୍ଥା ଓ ବ୍ୟବସ୍ଥା ସୃଷ୍ଟି କରେ। ୫୦ ବର୍ଷ ତଳର ଚଳଣି, ରୁଚି ଆଜି ଏବର ଚଳଣି ଠାରୁ ଢେର ଭିନ୍ନ ବୋଲି ବାରି ହୋଇପଡ଼େ। ଏଇ ପରିପ୍ରେକ୍ଷୀରେ ବିଚାର କଲେ ମୋ ଭଳି ୮୦ ବର୍ଷରୁ ଅଧିକ ହୋଇଯାଇଥିବା ଜଣେ ବ୍ୟକ୍ତି ନିଜକୁ ଆଜିର ସମାଜ ଓ ପରିବେଶ ସହିତ ଖାପ ଖୁଆଇ ପାରିବନି। ତେଣୁ ପରିବର୍ତ୍ତନଶୀଳ ସମୟ ସହିତ ଖାପ ଖୁଆଇ ନ ପାରିବାକୁ ନିଜର ଏକ ଦୁର୍ବଳତା ବୋଲି ଭାବି ସବୁକିଛି ସହିଯିବା ବୋଧହୁଏ ଶାନ୍ତିରେ ବଞ୍ଚିବାର ଏକମାତ୍ର ଉପାୟ।
କଥାରେ ଅଛି- “କେବେ ନାଆ ଉପରେ ଗାଡ଼ି ତ ଆଉ କେବେ ଗାଡ଼ି ଉପରେ ନାଆ।” ଅର୍ଥାତ୍‌ ପରିବର୍ତ୍ତନଶୀଳ ଦୁନିଆରେ କେହି ନିଜକୁ ସବୁବେଳେ ଗୋଟିଏ ସ୍ଥିତିରେ ଦେଖିବାକୁ ପାଇବାର ସମ୍ଭାବନା କ୍ଷୀଣ। କେତେବେଳେ ଯେ ବିଜୁଳିର ଚମକ ଭଳି କାହାର ପରିସ୍ଥିତି ବଦଳିଯିବ, ତାହା କହିବା ଆଜି ସହଜ ନୁହେଁ। ଏହା ଜୀବନର ନିୟମ। ଏତେ ବର୍ଷ ଲେଖିବା ପରେ ଜାଣୁଛି ଯେ ଲେଖାଲେଖି କରି କେହି କିଛି ବଦଳାଇ ପାରନ୍ତି ନାହିଁ, ସବୁ କିଛି ଆପଣା ବାଟରେ ଚାଲୁଥାଏ ଓ ସେଇ କ୍ରମରେ ବଦଳୁ ଥାଏ!
[email protected]