ଇତି… ତୁମର ଫୁଲଖଡ଼ି

ମନୋଜ କୁମାର ଆଇଚ

ହେ ମୋର ପ୍ରଭୁ କଳା ପଟା!
ତୁମର ପ୍ରିୟ ଭକ୍ତ ଫୁଲଖଡ଼ିର ପ୍ରଣିପାତ ଗ୍ରହଣ କରିବ। ବିଚ୍ଛେଦର ଅନେକ ଦିନ ପରେ ତୁମକୁ ଏ କାରୁଣ୍ୟ ଭରା ଚିଠିଟିଏ ଲେଖିବା ପାଇଁ ମୋର ଶୁଷ୍କ ମନ ଅଥୟ ହୋଇ ଉଠିଲା। ଆଶା କରୁଛି ଏ ଭକ୍ତର ଦୁଃଖ ବୁଝିବ। ଏ କ’ଣ ହେଇଗଲା ପ୍ରଭୁ? କେଉଁ ଏକ ଅପ ଦେବତାର ଅଭିଶାପ ଦ୍ବାରା ସୃଷ୍ଟ ଭୂତ ଅଣୁଟିଏ ସାରା ସ˚ସାରରେ ଏମିତି ତାଣ୍ତବ କରୁଛି ଯେ ସବୁଠି କଳାପଟାମାନଙ୍କ ଠାରୁ ଫୁଲ ଖଡ଼ିମାନେ ଅଲଗା ହୋଇ ବିଚ୍ଛେଦର ଚରମ ଦୁଃଖ ଭୋଗୁଛନ୍ତି। ତୁମେ ତ ତୁମର ବିସ୍ତାରିତ କଳା ଶରୀରକୁ ପ୍ରସାରିତ କରି ବିଦ୍ୟା ମନ୍ଦିରଗୁଡ଼ିକର ଶୂନ୍ୟ ଶ୍ରେଣୀର ଗମ୍ଭୀରା ଭିତରେ ମୌନ ବ୍ରତ ଧାରଣ କରି ବସିଛ। କିନ୍ତୁ ତୁମର ଏ ଅଧମ ଭକ୍ତ ତୁମ ପାଖରେ ଥାଇ ବି ଦୂରରେ; କାରଣ ସେ ସ୍କୁଲର ଦସ୍ତା ଚଦରରେ ଗଢ଼ା ହୋଇଥିବା ଆଲମିରାର ଏକ ଅନ୍ଧାରୁଆ ଥାକରେ ବନ୍ଦୀ ଭାବେ ପଡ଼ିରହିଛି। କେବେ କେଜାଣି ଏହି ଅନ୍ଧାରୁଆ ବନ୍ଦୀଶାଳାରୁ ମୁକ୍ତି ମିଳିବ ଏବ˚ ପୁଣି ମୁଁ ଯାଇ ତୁମ ହୃଦୟ-ପଟରେ ସ୍ଥାନ ପାଇ କେତେ କ’ଣ ଲେଖି ପକାଇବି!

ନବମରୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କର ନାମ ଲେଖା ସମ୍ବଳିତ କାଗଜଗୁଡ଼ିକର ଫାଇଲ୍‌ ସେହି ଆଲମିରାରେ ଅଛି। ସେମାନେ ଆମକୁ ପରିହାସ କରି କହୁଛନ୍ତି ଯେ କାଳେ ଆମର ଦିନକାଳ ସରି ସରି ଆସିଲା। ଏବେ କୁଆଡ଼େ ମୋବାଇଲ ଓ କ˚ପ୍ୟୁଟରରେ ପାଠ ପଢ଼ା ଚାଲିଛି ଏବ˚ ପିଲାମାନେ ଘରେ ରହି ପଢୁଛନ୍ତି। ସେମାନେ କହୁଛନ୍ତି ଯେ ସେମିତି ହେଲେ ଏମିତି ଦିନଟିଏ ଆସିବ ଯେ ତୁମେ ବିଦ୍ୟା ମନ୍ଦିରର ଗମ୍ଭୀରା ଭିତରୁ ବିସ୍ଥାପିତ ହୋଇ ଏକ ଅପା˚କ୍ତେୟ ଷ୍ଟୋର୍‌ ରୁମ୍‌ରେ ଗୌଣ ପାର୍ଶ୍ବ ଦେବତା ଭଳି ପଡ଼ିରହିବ ଏବ˚ ମୁଁ ମୋର ସତ୍ତା ହରାଇବି। ସତ କହୁଛି ପ୍ରଭୁ, ଏହି ପାଠୁଆ ଫାଇଲମାନଙ୍କ ବିଦ୍ରୂପଭରା ଅଟ୍ଟହାସ୍ୟ ସହି ହେଉନାହିଁ। ସତରେ କ’ଣ ସେମିତି କିଛି ଦଶା ହେବାକୁ ଯାଉଛି କି?

ସତରେ ପ୍ରଭୁ! ବେଳେ ବେଳେ ମୋତେ ଲାଗେ ତୁମେ କଳା ଠାକୁରଙ୍କ ପ୍ରତୀକ ଓ ତୁମ ଶରୀର ଉପରେ ମୋର ଉପସ୍ଥିତି ହେଉଛି ଚନ୍ଦନ ଟିପା ସଦୃଶ। କିନ୍ତୁ ସେ କଥା ବୁଝୁଛି କିଏ? ଏବେ ଦିନେ ବାହାରେ କିଛି ଲୋକ କଥା ହେବା ଶୁଣୁଥିଲି। ସେମାନେ କହୁଥିଲେ ଯେ ଏବେ ଯେଉଁ ଶିକ୍ଷାଦାନ ଚାଲିଛି, ତାକୁ ଡିଜିଟାଲ୍‌ ଶିକ୍ଷା ବୋଲି କୁହାଯାଉଛି। କିନ୍ତୁ ଏଥିରେ ଗରିବ ଘରର ପିଲାଏ ବହୁତ ଅସୁବିଧାରେ ପଡୁଛନ୍ତି। ସେମାନଙ୍କ ପାଇଁ ତୁମେ ଓ ମୁଁ କୁଆଡ଼େ ସବୁଠାରୁ ଭଲ ବୋଲି ସେମାନେ କହୁଥିବା ଶୁଣିଲି। ତେଣୁ ମନରେ ସାହସ ଆସୁଛି ଯେ ଏହି ଭୂତ ଅଣୁ ତାର ତାଣ୍ତବ ନାଚ ସାରିବା ପରେ ପୁଣି ଯେତେବେଳେ ସ୍କୁଲ ଖୋଲିଯିବ, ସେତିକି ବେଳେ ଆମର ସାକ୍ଷାତ ଅବଶ୍ୟ ହେବ। କାରଣ ଆମର ସାକ୍ଷାତ ନ ହେଲେ ଗରିବ ପିଲାଏ ପଢ଼ିବେ କେମିତି?

ସେମାନଙ୍କ ଠାରୁ ଶୁଣିଲି ଯେ କରୋନା ଏ ପୃଥିବୀରେ ଅନେକ କିଛି ବଦଳାଇ ଦେଇଛି। ଏବେ କୁଆଡ଼େ ଲୋକେ ଅଫିସରେ କାମ ନ କରି ଘରେ କାମ କରୁଛନ୍ତି; ଦୋକାନରୁ ଜିନିଷ ନ କିଣି ଅଧିକ ଜିନିଷ କ˚ପ୍ୟୁଟର ଜରିଆରେ ଘରେ ବସି କିଣୁଛନ୍ତି; ଘରେ ବସି ଟେଲି ମେଡିସିନ ଜରିଆରେ ଡାକ୍ତରକୁ ରୋଗ ଦେଖାଉଛନ୍ତି। ସେମିତି ପିଲାଏ ସ୍କୁଲକୁ ନ ଆସି ଘରେ ପଢୁଛନ୍ତି। ଠିକ୍‌ ଅଛି। କିନ୍ତୁ ଡର ଲାଗୁଛି ଯେ ଆଗକୁ ଏହା ଏକ ନିୟମ ହୋଇଯିବନି ତ? ସବୁ କିଛି ଡିଜିଟାଲ ହୋଇଯିବନି ତ? ସେମିତି ହେଲେ ତ ପ୍ରଭୁ ଆମ କଥା ସରିଲା! ତେବେ ଭୟ ଲାଗୁଥିଲେ ବି ଆଶା ବାନ୍ଧି ବସିଛି ଯେ ତୁମେ ଆଉ ମୁଁ କେବେ ବି ଅଦରକାରୀ ହେବା ନାହିଁ। ଆମ ଭିତରେ ସାକ୍ଷାତ ହେଉଥିବ। ପିଲାମାନେ ତୁମ ଛାତିରେ ମୋ ଦ୍ବାରା ଲେଖା ଜ୍ଞାନକୁ ଘୋଷି ପାଠୁଆ ହେଉଥିବେ।ମନେ ପଡୁଛି ପ୍ରଭୁ! ତୁମର କଳା ଦେହରେ ମୋ ଦ୍ବାରା ଯେତେବେଳେ ଅକ୍ଷର ଲେଖା ହୋଇଯାଏ, ଚିତ୍ର ଅଙ୍କା ହୋଇଯାଏ; ଶ୍ରେଣୀରେ ବସିଥିବା ପିଲାମାନେ ହଠାତ୍‌ ଆଗ୍ରହୀ ହୋଇ ଉଠନ୍ତି; ସେମାନଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଯାଏ; ସେମାନେ ତୁନି ହୋଇ ତୁମ ବକ୍ଷରେ ମୋର ନୃତ୍ୟକୁ ଦେଖି ପାଠରେ ମନ ଲଗାନ୍ତି। ମୁଁ ଏବେ ଅଧୀର ହୋଇପଡ଼ିଲିଣି। ତୁମଠାରୁ ଅଲଗା ହେବାର କଷ୍ଟ ସହି ହେଉନାହିଁ। ଭଗବାନଙ୍କୁ ଡାକୁଛି ଶୀଘ୍ର ଏ ବିଦ୍ୟା ମନ୍ଦିରଗୁଡ଼ିକୁ ଖୋଲନ୍ତୁ। ଆମର ପୁଣି ଭେଟ ହେଉ। ପୁଣି ଶ୍ରେଣୀରେ ଜ୍ଞାନର ଗଙ୍ଗା ବହୁ।
ଇତି ତୁମର ପ୍ରିୟ
‘ଫୁଲ ଖଡ଼ି’।
ବାଲେଶ୍ବର

ସମ୍ବନ୍ଧିତ ଖବର