ଆମେ କଥା କଥାକେ କହୁ ଯେ ଭାଷଣରେ ପେଟ ପୂରେନା। ଏହାର ଅର୍ଥ କେବଳ କଥାରେ ନ କହି ତାକୁ କାମରେ କରି ଦେଖାଅ। କିନ୍ତୁ ଅଗଣିତ ବାକ୍ୟବୀରମାନଙ୍କ ଭାଷଣ ସର୍ବସ୍ବତା ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେ ଗହଗହ ଭାଷଣରେ ସ୍ଥାନ କଂପୁଛି; ଅଥଚ ଶୁଣିବାକୁ କାହାର ଉତ୍ସାହ କି ଧୈର୍ଯ୍ୟ ନାହିଁ। େତଣୁ ଅନେକ ସଭାସମିତିରେ ଏବେ ଶ୍ରୋତା ସଂକଟ। ଅନେକ ସଭା ପାଇଁ ଭଡ଼ାରେ ଆସିଥିବା ଚଉକି ଉପରେ ବସିଥିବା ଶ୍ରୋତାଙ୍କୁ ବି ଭଡ଼ାରେ ଅଣାଯାଉଛି, ଯେଉଁମାନେ ବିନା କାରଣରେ ତାଳି ମାରୁଛନ୍ତି। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ କାଳେ ଶ୍ରୋତା ବା ଦର୍ଶକ ପଳାଇଯିବେ, ସେଥିପାଇଁ ତ ଅନେକ କାର୍ଯ୍ୟକ୍ରମ ଶେଷରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଛି; ମନୋରଂଜନମୂଳକ ପ୍ରୋଗ୍ରାମ୍ର ଲୋଭ ଦେଖାଯାଉଛି। ଯେଉଁ ଆୟୋଜକମାନଙ୍କ ପାଖରେ ଅର୍ଥ ନାହିଁ, ସେମାନଙ୍କ କାର୍ଯ୍ୟକ୍ରମମାନ ଶ୍ରୋତା-ମରୁଡ଼ିର ଶିକାର ହେଉଛନ୍ତି। ଅନେକଙ୍କ ଧାରଣା ଯେ ବର୍ତ୍ତମାନର ଲୋକଙ୍କ ନିକଟରେ ଶୁଣିବାର ଧୈର୍ଯ୍ୟ ବା ଆଗ୍ରହ ନାହିଁ; ବରଂ ସମସ୍ତେ ଖାଲି କହିବା ଲାଗି ଆତୁର। କିନ୍ତୁ କଥାଟା କ’ଣ ସତ?
ଏବେ ବିଚାର କରିବା ଦୋଷ କାହାର ବା କେଉଁଠି? ଏବର ଭାଷଣଗୁଡ଼ିକ ଗାଲୁ ଗପ ଭଳି ଲାଗୁଛି ବୋଲି ଏଭଳି ଅବସ୍ଥା ନା ଲୋକଙ୍କ ପାଖରେ ଶୁଣିବାର ଧୈର୍ଯ୍ୟ ନାହିଁ? ବୋଧହୁଏ ଦୁଇଟି ଯାକ ସତ। କାରଣ ଅଧିକାଂଶ ଭାଷଣ ସାରବତ୍ତାଶୂନ୍ୟ ଏବଂ ଅଧିକାଂଶ ବ୍ୟକ୍ତି ଶୁଣିବା ପ୍ରତି ବିମୁଖ। ପ୍ରାଚୀନ ଭାରତରେ ଶୁଣିବାର ଏବଂ ଶୁଣି କରି ଜ୍ଞାନ ଆତ୍ମସ୍ଥ କରିବାର ଏକ ଦୃଢ଼ ପରଂପରା ଥିଲା, ଯାହା ବେଦ ଭଳି ଜ୍ଞାନର ଅଦ୍ବିତୀୟ ଭଣ୍ଡାରକୁ ଅଲିଖିତ ଅବସ୍ଥାରେ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିଲା। ବୁଦ୍ଧ କି ମହାବୀର ବା ରାମାନୁଜ ବା ଶଙ୍କରାଚାର୍ଯ୍ୟ ବା ଗୁରୁ ନାନକ ଦେବ; ଏମାନଙ୍କ ମୁଖ ନିସୃତ ବାଣୀକୁ ଶୁଣିବାର ସୁଯୋଗ ପାଇଲେ ସାଧାରଣ ମଣିଷମାନେ ସେମାନଙ୍କ ଜନ୍ମ ସଫଳ ହେଲା ବୋଲି ବିଚାର କରୁଥିଲେ। ପ୍ରାୟ ସବୁ କାଳରେ ଏବଂ ପୃଥିବୀର ସବୁ ପ୍ରାନ୍ତରେ ଏଭଳି ବରେଣ୍ୟ ବ୍ୟକ୍ତି ସମ୍ଭବ ହୋଇଛନ୍ତି, ଯେଉଁମାନଙ୍କ ବାଣୀ ହୃଦୟ ଠାରୁ ଆରମ୍ଭ କରି ଇତିହାସର ଗତିପଥ ପର୍ଯ୍ୟନ୍ତ ବଦଳାଇ ଦେଇଛି। ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ନଗରୀରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ବାରା ପ୍ରଦତ୍ତ ସେହି ମହାନ ଭାଷଣ ତା’ର ପ୍ରାଥମିକ ସଂବୋଧନ (‘ମୋ ଆମେରିକୀୟ ଭାଇ ଭଉଣୀମାନେ’) ଠାରୁ ଆରମ୍ଭ କରି ଶେଷ ଶବ୍ଦ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଅଗଣିତ ଶ୍ରୋତାଙ୍କୁ ଅଭିଭୂତ କରି ପକାଇଥିଲା। ମହାତ୍ମା ଗାନ୍ଧୀଙ୍କ ଭାଷଣ ଓଜସ୍ବିନୀ ନ ଥିଲା, କିନ୍ତୁ ଉପସ୍ଥିତ ଜନତାଙ୍କ ମନକୁ ଏମିତି ଛୁଇଁ ଯାଉଥିଲା ଯେ ସେମାନଙ୍କ ହୃଦୟରେ ଭୂଚଳନ ତୁଲ୍ୟ ପରିବର୍ତ୍ତନ ସଂଘଟିତ ହୋଇ ଯାଉଥିଲା। ନେତାଜୀ ସୁଭାଷଙ୍କ ଉଦ୍ବୋଧନଗୁଡ଼ିକ ଥିଲେ ଅତ୍ୟନ୍ତ ତେଜୀୟାନ, ଯାହା ହଜାର ହଜାର ଭାରତୀୟଙ୍କୁ ପ୍ରାଣ ବଳି ଦେବା ଲାଗି ନିମିଷକେ ପ୍ରସ୍ତୁତ କରାଇ ପାରୁଥିଲା। ସ୍ବାଧୀନତା ପ୍ରାପ୍ତି ଅବସରରେ ବା ମହାତ୍ମା ଗାନ୍ଧୀଙ୍କ ନିଧନ ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରଦତ୍ତ ଭାଷଣ ଯଥାକ୍ରମେ ‘ଏ ଟ୍ରାଇଷ୍ଟ୍ ୱିଥ୍ ଡେଷ୍ଟିନି’ ବା ‘ଲାଇଟ୍ ହାଜ୍ ଗନ୍ ଆଉଟ୍’ ସାରା ପୃଥିବୀ ଲାଗି ଅବିସ୍ମରଣୀୟ ହୋଇ ରହିଛି। ଆମେରିକାର ମାର୍ଟିନ ଲୁଥାର କିଙ୍ଗ୍ ଜୁନିଅରଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ ‘ଆଇ ହାଭ୍ ଏ ଡ୍ରିମ୍’, ସେଠାରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନକୁ ଏଭଳି ତେଜେଇ ଦେଇଥିଲା ଯେ ଅବଲୀଳା କ୍ରମେ ସେହି କଳଙ୍କର ଅବସାନ ଘଟିଲା। ଭାରତର ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ସେମାନଙ୍କ ଭାଷଣ ସକାଶେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଭାଷଣ ଲାଗି ପ୍ରସିଦ୍ଧ।
ତେବେ, କେବଳ ଏମାନେ ନୁହନ୍ତି, ଆମ ଦେଶ ବା ବିଦେଶର ଅେନକ ରାଜନେତା, ସମାଜ କର୍ମୀ, ସାହିତ୍ୟିକ, ଗବେଷକ ବିଦ୍ବାନ ଏପରିକି ‘କର୍ପୋରେଟ୍ ଲିଡର୍’ଙ୍କ ଭାଷଣରେ ଚୁମ୍ବକୀୟ ଆକର୍ଷଣ ରହିଛି। ଅନେକ ସାଧାରଣ ଲୋକ ବି କଥା କହି ମନ ମୋହି ନେଇ ପାରନ୍ତି। ଭାରତୀୟ ଧର୍ମଗୁରୁମାନଙ୍କ ପ୍ରବଚନର ଆକର୍ଷଣ ତ କିଂବଦନ୍ତୀୟ ସ୍ତରର। ତେଣୁ ମୂଳ କଥା ହେଲା, କହିବାର ଶୈଳୀ ବା ଚାତୁରୀ ସହିତ ବକ୍ତବ୍ୟରେ ଗୁଣବତ୍ତା ଥିଲେ ତାକୁ ଶୁଣିବା ସକାଶେ ଲୋକଙ୍କ ଅଭାବ ରହିବ ନାହିଁ। ଆମ ରାଜ୍ୟର ପ୍ରସିଦ୍ଧ କଥାକାର ସ୍ବର୍ଗତ ମନୋଜ ଦାସଙ୍କୁ ଶୁଣିବା ଲାଗି ଲୋକେ କିଭଳି ଥାଟପଟାଳି ଭାଙ୍ଗନ୍ତି, ତାହା ସୁବିଦିତ। ତେଣୁ ଭାଷଣ ଦେବା ହେଉଛି ଏକ କଳା। ଜଣେ ଜ୍ଞାନୀ ବା ବିଦ୍ବାନ ହୁଏ’ତ ଭଲ ଲେଖି ପାରନ୍ତି କିନ୍ତୁ ଭଲ ଭାଷଣ ଦେଇ ନ ପାରନ୍ତି! ତେଣୁ ସମସ୍ୟାଟି ରହିଛି ସେଇଠାରେ! ଭଲ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ସକାଶେ ଶ୍ରୋତାଙ୍କ ଅଭାବ ପଡ଼ିବ ନାହିଁ। ଯେଉଁମାନେ ଭାବନ୍ତି ଯେ ବର୍ତ୍ତମାନ ଲୋକଙ୍କ ପାଖରେ ଶୁଣିବାର ଧୈର୍ଯ୍ୟ ନାହିଁ, ସେମାନେ ଏକ ପ୍ରକାର ପୂର୍ବାଗ୍ରହର ଶିକାର ବୋଲି କହିହେବ। କାରଣ ଆଜିକାଲି ସାମାଜିକ ଗଣମାଧ୍ୟମ ମଞ୍ଚରେ ‘ଟେଡ୍ ଟକ୍’ ଭଳି ଅନେକ କାର୍ଯ୍ୟକ୍ରମ ଖୁବ୍ ଲୋକପ୍ରିୟ, ଯାହା ଭାଷଣ ଭିତ୍ତିକ। ତେଣୁ ଭାଷଣରେ ସିନା ପେଟ ପୂରେନାହିଁ, ମନ ପୂରେ। କିନ୍ତୁ ମନ ଲାଗି ବି ସ୍ବାଦିଷ୍ଠ ଖାଦ୍ୟ ପରଷା ଯିବା ଦରକାର ଯାହା ସମସ୍ତଙ୍କ ସକାଶେ ସମ୍ଭବ ହୋଇ ନ ଥାଏ! ତେଣୁ, ଭାଷି ଜାଣିଲେ ଭାଷଣ ସୁନ୍ଦର।
ମୋ: ୯୪୩୮୦୩୬୭୩୦