ସୂଚନା ଅଧିକାର ଆଇନ ବା ‘ଆର୍ଟିଆଇ’କୁ ଏକ ଯୁଗାନ୍ତକାରୀ ଆଇନ ବୋଲି ବିଚାର କରାଯାଇଥାଏ। ସ୍ମରଣରେ ଥିବ ଯେ ସୂଚନା ଅଧିକାର ବା ‘ଆର୍ଟିଆଇ’ ଆଇନ ପାର୍ଲାମେଣ୍ଟରେ ୨୦୦୫ ଜୁନ୍ ୧୫ରେ ଗୃହୀତ ହୋଇ ସେହି ବର୍ଷ ଅକ୍ଟୋବର ୧୨ରୁ ଦେଶରେ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଦୀର୍ଘ ୧୫ ବର୍ଷ ଅତିକ୍ରମ କରିଥିବା ଏହି ଆଇନ ଦୁର୍ନୀତି ବିରୋଧରେ ଲଢ଼ିବା ସକାଶେ ଯେଉଁଭଳି ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ ହେବା କଥା, ଏ ପର୍ଯ୍ୟନ୍ତ ସେଭଳି ହୋଇପାରି ନାହିଁ। ଏ ସ˚ପର୍କିତ ତଥ୍ୟ କହିଥାଏ ଯେ ଏହି ଆଇନ ଦିନକୁ ଦିନ ଶକ୍ତିହୀନ ହେବାକୁ ଯାଉଛି। ଏହି ଆଇନ ବଳରେ ଭାରତରେ ବିଭିନ୍ନ ସୂଚନା ପାଇବା ଲାଗି ପାଖାପାଖି ୬୦ ଲକ୍ଷ ଆବେଦନ ହୋଇଥାଏ। ‘ସେଣ୍ଟର ଫର ଇକ୍ବିଟି ଷ୍ଟଡିଜ୍’ ପକ୍ଷରୁ ପ୍ରକାଶିତ ‘ରିପୋର୍ଟ କାର୍ଡ ଅଫ ଇନ୍ଫରସେନ କମିସନ୍ସ୍ ଇନ୍ ଇଣ୍ତିଆ, ୨୦୧୮-୧୯’ର ତଥ୍ୟ କହିଛି ଯେ ସର୍ବଶେଷ ଭାବେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସୂଚନା କମିସନ ବା ‘ଏସଆଇସି’ମାନଙ୍କ ନିକଟରେ ୨.୧୮ ଲକ୍ଷ ଅପିଲ ଓ ଅଭିଯୋଗ ପଡ଼ିରହିଥିଲା। ରାଜ୍ୟ ସୂଚନା କମିସନମାନେ ଅଭିଯୋଗ ବା ଅପିଲର ଫଇସଲା ପାଇଁ ହାରାହାରି ବର୍ଷେରୁ ଅଧିକ ସମୟ ନେଇଥିଲେ। ଆନ୍ଧ୍ରପ୍ରଦେଶର ‘ଏସ୍ଆଇସି’ ଗୋଟିଏ ଅଭିଯୋଗର ଶୁଣାଣି ଶେଷ କରିବା ପାଇଁ ୧୮ ବର୍ଷ ନେଉଥିବା ବେଳେ ପଶ୍ଚିମବଙ୍ଗରେ ୭ ବର୍ଷ ୫ ମାସ ଲାଗି ଯାଉଛି।
ବିଗତ ୧୫ ବର୍ଷରେ ଅନ୍ୟୂନ ୮୬ଜଣ ବ୍ୟକ୍ତି ‘ଆର୍ଟିଆଇ’ ବଳରେ ଦରଖାସ୍ତ କରି ବିଭିନ୍ନ ପ୍ରକାର ଦୁର୍ନୀତି ବାବଦରେ ଜାଣିବାକୁ ଚାହିଁ ହତ୍ୟାର ଶିକାର ହୋଇଛନ୍ତି। ସେହିଭଳି ୭ ଆବେଦନକାରୀ ଆତ୍ମହତ୍ୟା କରିଥିବା ବେଳେ ୧୮୪ ଜଣଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଇଥିବା କଥା ସେମାନେ ଅଭିଯୋଗ କରିଛନ୍ତି। ଉପଲବ୍ଧ ତଥ୍ୟ ଏବ˚ କେନ୍ଦ୍ର ସୂଚନା କମିସନ ବା ‘ସିଆଇସି’ଙ୍କ ବାର୍ଷିକ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି ଯେ, ପ୍ରତି ବର୍ଷ ‘ଆର୍ଟିଆଇ’ରେ ଆବେଦନ ସ˚ଖ୍ୟା ଖୁବ କମ୍ ହାରରେ ବଢ଼ୁଥିବା ବେଳେ ଫଇସଲା ନ ହୋଇ ଗଡ଼ୁଥିବା ମାମଲା ସ˚ଖ୍ୟା ତୁଳନାତ୍ମକ ଭାବେ ଢେର ଅଧିକ ବୃଦ୍ଧି ପାଇଲାଣି। ‘କମନ୍େଵଲ୍ଥ ହ୍ୟୁମାନ ରାଇଟ୍ସ ଇନିସିଏଟିଭ୍’ ପକ୍ଷରୁ କରାଯାଇଥିବା ଏକ ଅଧୢୟନ ଅନୁସାରେ ୨୦୧୨-୧୩ରୁ ୨୦୧୮-୧୯ ମଧୢରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସରେ ଆବେଦନ ସ˚ଖ୍ୟା (୮.୮୬ ଲକ୍ଷରୁ ୧୬.୩୦ ଲକ୍ଷ) ୮୩% ବଢ଼ିଛି। କିନ୍ତୁ ଉକ୍ତ ଆବେଦନଗୁଡ଼ିକୁ ବିଚାର କରିବା ପାଇଁ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ବା ‘ସିପିଆଇଓ’ଙ୍କ ସ˚ଖ୍ୟା ମାତ୍ର ୧୩% ବୃଦ୍ଧି ପାଇଛି ଅର୍ଥାତ୍ ୨୧,୨୦୪ରୁ ବଢ଼ି ୨୪,୦୪୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‘ସିଆଇସି’ଙ୍କ ନିକଟରେ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ପକ୍ଷରୁ ତଥ୍ୟ ପ୍ରଦାନ ପାଇଁ ରିପୋର୍ଟିଂ ମଧୢ କମି ଯାଇଛି। ୨୦୧୮-୧୯ ‘ଏସ୍ଏନ୍ସିଇଏସ୍’ ରିପୋର୍ଟରୁ ଜଣାପଡ଼ିଛି ଯେ, ‘ଆର୍ଟିଆଇ’ ଆଇନ କାର୍ଯ୍ୟକାରୀ ହେବା ଦିନ ଠାରୁ ୨୯ଟି ରାଜ୍ୟ ସୂଚନା କମିସନ ଅଫିସରେ ୩୭୪ ସୂଚନା କମିସନରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧୢରୁ ୫୮% ହେଉଛନ୍ତି ସରକାରଙ୍କ ପୂର୍ବତନ ଅଧିକାରୀ। ଏହି ଅବଧି ମଧୢରେ ନିଯୁକ୍ତି ପାଇଥିବା ୧୧୫ ମୁଖ୍ୟ ସୂଚନା କମିସନରଙ୍କ ମଧୢରୁ ୮୩% ହେଉଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନଙ୍କ ମଧୢରୁ ୬୪% ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀ ଥିଲେ।
୨୦୧୯ ଡିସେମ୍ବରରେ ‘ସିଆଇସି’ ଏବ˚ ‘ଏସଆଇସି’ଗୁଡ଼ିକରେ ୩ ମାସ ମଧୢରେ ସୂଚନା କମିସନର ନିଯୁକ୍ତ କରି ଖାଲି ପଦ ପୂରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ‘ଆର୍ଟିଆଇ’ ଆଇନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଦେଶନାମା ଗୁରୁତ୍ବପୂର୍ଣ୍ଣ ବୋଲି ଶୀର୍ଷ ଅଦାଲତ କହିଥିଲେ। କିନ୍ତୁ ସରକାରମାନେ ଅଦାଲତଙ୍କ ନିର୍ଦ୍ଦେଶକୁ ଗୁରୁତ୍ବ ଦେଲେ ନାହିଁ। ୨୦୧୭ ମେ’ରେ ଆନ୍ଧ୍ର ଓ ତେଲେଙ୍ଗାନା ସୂଚନା କମିସନରମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଉଭୟ ରାଜ୍ୟର ହାଇକୋର୍ଟ ଦୁଇ ରାଜ୍ୟରେ ‘ଏସ୍ଆଇସି’ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ରରେ ୩ ଜଣ ସୂଚନା କମିସନରଙ୍କୁ ନିଯୁକ୍ତି ଦେବା ପାଇଁ ବର୍ଷେରୁ ଅଧିକ ସମୟ ଲାଗିଲା। ତାହା ପୁଣି ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ। ୨୦୧୧ ଅଗଷ୍ଟ ୯ରେ ସୁପ୍ରିମ କୋର୍ଟ ‘କେନ୍ଦ୍ରୀୟ ମାଧୢମିକ ଶିକ୍ଷା ବୋର୍ଡ’ ବା ‘ସିବିଏସଇ’ ବନାମ ଆଦିତ୍ୟ ବନ୍ଦୋପାଧୢାୟ ମାମଲାର ରାୟ ପ୍ରକାଶ କରିଥିଲେ। ଏଥିରେ ଅଦାଲତ କହିଥିଲେ ଯେ ‘ଆର୍ଟିଆଇ’ ଆଇନର ଅପବ୍ୟବହାରକୁ ଅନୁମତି ଦିଆଯିବା ଅନୁଚିତ। ସେହିପରି ଏହାକୁ ଜାତୀୟ ବିକାଶ ଓ ସ˚ହତି ପଥରେ ବାଧା ସୃଷ୍ଟି ବା ନାଗରିକଙ୍କ ମଧୢରେ ଶାନ୍ତିଶୃଙ୍ଖଳା ଓ ସହାବସ୍ଥାନ ଭଙ୍ଗ କରିବା ପାଇଁ ମଧୢ ବ୍ୟବହାର କରିବାର ସୁଯୋଗ ଦିଆଯିବା ଉଚିତ ନୁହେଁ। ସେହିଭଳି ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଉତ୍ପୀଡ଼ନ କରିବାର ମାଧୢମ ଭାବେ ମଧୢ ‘ଆର୍ଟିଆଇ’କୁ ବ୍ୟବହୃତ କରାଯାଇପାରିବ ନାହିଁ। ‘ଆର୍ଟିଆଇ’ରେ ତଥ୍ୟ ମଗାଗଲେ ଅନେକ ଜନ ସୂଚନା ଅଧିକାରୀ ଆବେଦନକାରୀଙ୍କୁ ନିରୁତ୍ସାହିତ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ଉପରୋକ୍ତ ମନ୍ତବ୍ୟର ଅବତାରଣା କରିଥାନ୍ତି। କହିବା ନିଷ୍ପ୍ରୟୋଜନ ଯେ ଅଦାଲତଙ୍କ ବକ୍ତବ୍ୟକୁ ବ୍ୟବହାର କରାଯାଇ ‘ଆର୍ଟିଆଇ’ ଆଇନର ମୌଳିକତା ନଷ୍ଟ କରାଯାଉଛି। ସରକାରଙ୍କ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବା ଏକ ବିପଜ୍ଜନକ କାର୍ଯ୍ୟ ବୋଲି ମଧୢ ଧାରଣା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ସାଧାରଣ ନାଗରିକଙ୍କ ମନରେ ନାନା ପ୍ରକାର ଭୟ ଓ ଭ୍ରାନ୍ତି ସୃଷ୍ଟି ହେବା ଅତ୍ୟନ୍ତ ସ୍ବାଭାବିକ। ଏହା ସ୍ବୀକାର କରିବାକୁ ହେବ ଯେ ଦୁର୍ନୀତି ନିବାରଣ ଲାଗି ଏକ ଅତ୍ୟନ୍ତ ଶକ୍ତିଶାଳୀ ଆଇନ ଭାବେ ଉଭା ହୋଇଥିବା ଏହି ଆଇନ ତାର ଉପଯୋଗିତାରେ ଶକ୍ତିହୀନ ହୋଇପଡ଼ିଛି। ତେଣୁ ନିରେଖି ଦେଖିଲେ ଜାଣି ହେଉଛି ଯେ ଏହି ଆଇନ ଉପରେ କ୍ରମେ ସର୍ବ ବ୍ୟାପ୍ତ ଦୁର୍ନୀତି ବିଜୟ ହାସଲ କରିବାକୁ ବସିଲାଣି।
ଆଇନଜୀବୀ,
ଓଡ଼ିଶା ହାଇକୋର୍ଟ, କଟକ
ମୋ- ୯୪୩୭୦୦୮୯୧୨